(ନୂଆଖାଇ) ପଶ୍ଚିମ ଓଡିଶାର ଗଣପର୍ବ | Nuakhai Parab In Odia

@_ustad
0

Nuakhai

 Nuakhai Festival In Odia

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର । କଥାରେ ଅଛି – ଓଡିଶାରେ ବାର ମାସରେ ତେର ପର୍ବ । ଦୁଃଖ ଓ ଯନ୍ତ୍ରଣା ରେ ପରିପୂର୍ଣ ମଣିଷ ଜୀବନ କୁ ସରସ ଓ ସୁନ୍ଦର କରି ଥାଏ ବିଭିନ୍ନ ପର୍ବପର୍ବାଣି । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଖାଇ ପର୍ବ ସ୍ଵତନ୍ତ୍ର । ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବ କୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ ।

ବିଦ୍ୟା ଦାତା ପ୍ରଭୁ ଗଣେଶଙ୍କ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଏ । ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ବିଧି ରହିଛି । ଏହି ପର୍ବରେ ବସୁମତୀଙ୍କୁ କୃତଜ୍ଞତା ଜ୍ଞାପାନ କରିବା ପାଇଁ ବର୍ଷର ପ୍ରଥମ ଫସଲର ନୂଆ ଧାନ କେଣ୍ଡା ଓ ନୂଆ ଚୁଡାକୁ ଏକ ନୂଆ ହାଣ୍ଡିରେ ଭୋଗ କରାଯାଇ ଘରର ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ।

ପୁର୍ବ କାଳରେ  ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ,  ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳିତ ହୋଇ ଆସୁଛି।

Ghumura

ନୂଆଖାଇ ପଶ୍ଚିମ ଓଡିଶା ର ଗଣପର୍ବ । ନୂଆଖାଇ ପୂର୍ବରୁ ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭାରି ରହିଥାଏ । ଧନୀ ଗରିବ ନିର୍ବିଶେଷ ରେ ସମସ୍ତେ ଏ ପର୍ବରେ ନିଜ ଘର ସଜାନ୍ତି । ଘରର ସ୍ତ୍ରୀ ଲୋକ ମାନେ ଘର ଦ୍ଵାର ଲିପା ପୋଛା କରି ଘରର ସମସ୍ତ ବ୍ୟବହୃତ ଜିନିଷ ସଫା କରି ସଜାଇ ରଖନ୍ତି । ମିଠା ଓ ପିଠା ତିଆରି ପାଇଁ ସମସ୍ତ ସାମଗ୍ରୀ ଯୋଗାଡ କରାଯାଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନୂଆ ନୂଆ ଜିନିଷ କିଣା ବିକାରେ ବ୍ୟସ୍ତ ରୁହନ୍ତି ।

Nuakhai

ନୂଆଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି । ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ନୂଆ ଧାନ କେଣ୍ଡା ଓ ଚୂଡା , ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି । ଧୂପ ଦୀପ ଦେଇ ପୂଜା କରନ୍ତି । ଚୂଡା , ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି । ନୂଆଖାଇ ଅବସରରେ ସାନ ମାନେ ବଡ ମାନଙ୍କୁ ନୂଆଖାଇ ଜୁହାର କରନ୍ତି । ତା ‘ ପରେ ବଡ ମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରୀ , ମିଠା , ଡାଲି , ତରକାରୀ, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି ।

Nuakhai Bhet

ନୂଆ ଖାଇ ସାରି ଝିଅ ବୋହୁ ମାନେ ରଙ୍ଗ ବେରଙ୍ଗ ପୋଷାକ ପରିଧାନ କରି ‘ ନୂଆ ଖାଇ ଭେଟ ଘାଟ ’ ପାଇଁ ବାହାରନ୍ତି ; ଘର ଘର ସାହି ସାହି ବୁଲି ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି । ଗୁରୁଜନ ମାନେ ଆଶୀର୍ବାଦ କରନ୍ତି ଓ କହନ୍ତି , ‘ ବଞ୍ଚିଥିଲେ ଆରବର୍ଷ ଦେଖା ହେବ ’ । ଏହି ପର୍ବରେ ପିଲା ଠାରୁ ବୁଧ ପର୍ଯ୍ୟନ୍ତ ସମସ୍ତେ ଗାଁ ମନ୍ଦିରକୁ ଯାଇ ସମସ୍ତେ ଦେବା ଦର୍ଶନ କରିବାର ପ୍ରଥା ରହିଛି । ସେମାନେ ଠାକୁରଙ୍କ ପାଖରେ ଅଧିକ ଫସଲ ଉତ୍ପାଦନ ହେଉ ଓ ସଂସରେରୁ ଖାଦ୍ଯ କଷ୍ଟ ଦୂର ହେଉ ବୋଲି ପ୍ରାର୍ଥନା କରନ୍ତି । ସଞ୍ଜ ହେଲେ ସମସ୍ତେ ଖେଳକୁଦ , ନାଚ-ଗୀତ, ଭଜନ- କୀର୍ତ୍ତନ , ନାଟ-ତାମସା , ଓ ଖିଅ ପିଆ ରେ ନିଜକୁ ବ୍ୟସ୍ତ ରଖନ୍ତି । ଆଦିବାସୀ ସଂପ୍ରଦାୟ ଲୋକମାନଙ୍କ ନକଗୀତ ଓ ବାଦ୍ୟ ବେଶ ଆନନ୍ଦ ଦେଇଥାଏ । ସେମାନେ ଏହି ପର୍ବକୁ ଆଗ୍ରହ ଓ ଉତ୍ସାହ ମଧ୍ୟରେ ପାଳନ୍ତି ।

Nuakhai 2

ନୂଆଖାଇ ଏକ ସାମାଜିକ କୃଷି ଭିତ୍ତିକ ପର୍ବ । ଏହି ପର୍ବ କୃଷକ ମନରେ ନୂଆ ଫସଲ ଅମଳ କରିବା ପାଇଁ ଉତ୍ସାହ ବଢାଏ । ନୂଆଖାଇ ପର୍ବ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇବା ସହ ଲୋକଙ୍କ ମଧ୍ୟରେ ମାନବିକତା ଓ ଭାତୃତ୍ଵ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି-ଅଜାତି , ଉଚ୍ଚନିଚ ଭେଦଭାବ ନଥାଏ । ସମସ୍ତେ ବାଦ-ବିବାଦ, ମାନ-ଅଭମାନ , ରାଗ-ରୁଷା ଭୁଲି ଯାଆନ୍ତି । ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ସଦ୍ଭାବନରେ ପୂରି ଉଠେ । ଆମର ଧର୍ମ, ସଂସ୍କୃତି , ଓ ପରମ୍ପରା କୁ ଏହି ପର୍ବ ଠିକ ବାଟରେ ପରିଚାଳିତ କରେ ।


Post a Comment

0Comments

Post a Comment (0)