ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ଆରମ୍ଭରୁ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲା ପରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷ ଇଂରେଜ ଶାସନାଧୀନ ହୋଇଗଲା । ଓଡ଼ିଶାରେ ଯଦି ଓ ଇଂରେଜମାନଙ୍କ ବିରୋଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର , ସୁରେନ୍ଦ୍ର ସାଏ , ତାପଙ୍ଗ ଦଳବେହେରା ପ୍ରମୁଖ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ , ତାହା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଇଂରେଜ ସେନାବାହିନୀ ଦ୍ବାରା ଅବଦମିତ ହୋଇଯାଇଥିଲା । ସୁଚତୁର ଇଂରେଜମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ୍ ଦ୍ବାରା ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ହସ୍ତାନ୍ତରିତ କରି ନୂତନ ସୃଷ୍ଟ ଅନୁଗତ ଜମିଦାରଙ୍କ ଦାୟିତ୍ବରେ ନ୍ୟସ୍ତ କରିଦେଲେ । ଫଳରେ ଓଡ଼ିଆ ଜାତି ଦାରିଦ୍ର୍ୟ ଭିତରେ ରହି ନାନା କୁସଂସ୍କାରରେ ବୁଡ଼ି ରହିବାକୁ ବାଧ୍ୟ ହେଲା ।
ଏହି ସମୟରେ ଯେଉଁ ରାଜା , ଜମିଦାରମାନେ ରହିଲେ ସେମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ । ନାନା ଅତ୍ୟାଚାର , ଶୋଷଣ , ପୀଡ଼ନ ଭିତରେ ଓଡ଼ିଆ ଜାତି ହାହୁତାଶ ଭିତରେ ଜୀବନ କଟାଇବାକୁ ବାଧ୍ୟ ହେଲା । ଖ୍ରୀଷ୍ଟିୟାନ ମିଶନାରୀମାନେ ୧୮୨ ୨ ମସିହାରୁ । ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରି ଶିକ୍ଷାଦାନ ପାଇଁ ବ୍ୟବସ୍ଥା କଲେ ମଧ୍ୟ ଓଡ଼ିଆମାନେ ସେହିସବୁ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପଠାଇଲେ ନାହିଁ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଭୟ , ଆତଙ୍କ , ଅଶିକ୍ଷା , ଅନ୍ଧବିଶ୍ବାସ ଇତ୍ୟାଦି ଦ୍ବାରା ଓଡ଼ିଆ ଜାତିକୁ ସଂପୂର୍ଣ୍ଣ ଆତ୍ମବିଲୁପ୍ତ କରିଦେଲା । ଏହି ଶତାବ୍ଦୀର ଦ୍ଵିତୀୟାଦ୍ଧର କିଛି କାଳ ପର୍ଯ୍ୟନ୍ତ ମଧ୍ୟ ଜାତିର ନିର୍ବେଦତା ଲାଗି ରହିଲା । ସେହି ନିର୍ବେଦତା ଓ ଆତ୍ମବିଲୁପ୍ତିର ଚରମ ନିଦର୍ଶନ ହେଲା /strong>ନଅଙ୍କ ଦୁର୍ଭିକ୍ଷ ( ୧୮୬୬ )
। ଗୋଟାଏ ଇତିହାସ ପ୍ରସିଦ୍ଧ ଜାତି ଯେମିତି ଶ୍ମଶାନିତ ହୋଇଗଲା । ଏହି ମହାଶ୍ମଶାନରୁ ସୁପ୍ତ ଓଡ଼ିଆ ଜାତିର ମ ହେଲା ନିଦ୍ରାଭଙ୍ଗ । ତା’ର ହେଲା ଆମ୍ବଜାଗୃତି । ମାତୃଭାଷା ଓ ମାତୃଭୂମିକୁ ଆଧାର କରି ଓଡ଼ିଆ ଜାତୀୟତାର ଶୁଭଶଙ୍ଖ ନିନାଦିତ ହେଲା ଓ ସେହି ଶଙ୍ଖ ଧ୍ବନି କର୍ମଯୋଗୀ ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ଓ ସଂପାଦିତ ଓ ‘ ଉତ୍କଳ ଦୀପିକା ’ ( ୧୮୬୬ ) ପ୍ରଥମେ ବାଦନ କରିଥିଲା । ତାହାହିଁ ପ୍ରତିଧ୍ବନିତ ହେଲା ସମଗ୍ର ଓଡ଼ିଶାରେ । ଏହି ପତ୍ରିକାକୁ ଆଦର୍ଶ କରି ପରେ ପରେ ପ୍ରକାଶ ପାଇଲା 'ବାଲେଶ୍ବର ସମ୍ବାଦ ବାହିକା’ ( ୧୮୬୮ ) , 'ଉତ୍କଳ ହିତୈଷିଣୀ' ( ୧୮୬୯ ) , 'ଓଡ଼ିଆ ନବିସଂବାଦ ’ ( ୧୮୮୮ ),'ସମ୍ବଲପୁର ହିତୈଷିଣୀ' ( ୧୮୮୯ ) , ‘ ଉତ୍କଳପୁତ୍ର ’ ( ୧୮୭୩ ) ଆଦି ସମ୍ବାଦ ପତ୍ରିକା ତଥା 'ଉତ୍କଳ ଦର୍ପଣ' ( ୧୮୭୩ ), 'ଉତ୍କଳ - ମଧୁପ' ( ୧୮୭୮ ) , 'ଉତ୍କଳ ପ୍ରଭା ’ ( ୧୮୯୧ ) , ‘ ଉତ୍କଳ ସାହିତ୍ୟ' ( ୧୮୯୭ ) , ‘ ମୁକୁର' ( ୧୯୦୬ ) , ‘ ସତ୍ୟବାଦୀ' ( ୧୯୧୫ ) ଆଦି ସାହିତ୍ୟ ପତ୍ରିକା । ଏହି ପତ୍ରିକାଗୁଡ଼ିକ ହେଲା ଆଧୁନିକ ଓଡ଼ିଆ ସାହିତ୍ୟର ବାର୍ତ୍ତାବହ ଓ ଆଧୁନିକ ଲେଖକମାନଙ୍କର ଆତ୍ମପ୍ରକାଶର ମାଧ୍ୟମ ।ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବେଳକୁ କଲିକତା ଏକ ମୁଖ୍ୟ ସହରରେ ପରିଣତ ହୋଇଗଲା ଓ ସେଠାରେ ଇଂରାଜି ଶିକ୍ଷାର ପ୍ରସାର ଘଟି ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ଘଟିଲା । ଫଳରେ ବଙ୍ଗଳାରେ ରେନେସାଁ ବା ନବଜାଗରଣ ଦେଖାଦେଲା । ରାଜା ରାମମୋହନ ରାୟ ପ୍ରତିଷ୍ଠା କଲେ ବ୍ରାହ୍ମ ଧର୍ମ ( ୧୮୨୮ ) । ଏହି ଧର୍ମ ପିତୁଲାପୂଜା କୁ ବିରୋଧ କରି ଏକେଶ୍ଵର ବ୍ରହ୍ମବାଦ ଉପରେ ଗୁରୁତ୍ବ ଦେଲା । ଏହି ନବଜାଗରିତ ଚେତନାରେ ଯେଉଁ ସବୁ ଆଭିମୁଖ୍ୟ ପ୍ରକାଶ ପାଇଲା , ତାହା ହେଲା ମାନବବନ୍ଦନା , ସମାଜ - ସଂସ୍କାର , ମାତୃଭୂମି ଓ ମାତୃଭାଷା ପ୍ରୀତି , ପ୍ରକୃତି - ପ୍ରୀତି , ନାରୀ ସ୍ବାତନ୍ତ୍ର , ନାରୀଶିକ୍ଷା , ବ୍ୟକ୍ତି - ସ୍ଵାତନ୍ତ୍ର୍ୟ, ଏକ ଈଶ୍ଵର ଭାବନା , ଇତିହାସ ଓ ଐତିହ୍ୟ ପ୍ରତି ଶ୍ରଦ୍ଧା , ବିଜ୍ଞାନ ମନସ୍କତା , ବିଧବା - ବିବାହ ପ୍ରତି ସମର୍ଥନ , ବାଲ୍ୟବିବାହ ବିରୋଧ , ସ୍ଵାଧୀନତାବୋଧ ପ୍ରଭୃତି । ଏହି ସମୟରେ ବଙ୍ଗଳାରେ ନୂତନ ଲେଖକ ଗୋଷ୍ଠୀର ଆବିର୍ଭାବ ଘଟିଲା । ମାଇକେଲ ମଧୁସୂଦନ ଦତ୍ତ , ବଙ୍କିମ ଚନ୍ଦ୍ର , ନବୀନ ସେନ , ହେମଚନ୍ଦ୍ର , ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ଲେଖକମାନେ ବଙ୍ଗଳା ଭାଷାରେ ରଚନା କଲେ ନୂତନ କାବ୍ୟ , କବିତା , ଗଳ୍ପ , ଉପନ୍ୟାସ , ନାଟକ , ପ୍ରବନ୍ଧ ଓ ସମାଲୋଚନା ଇତ୍ୟାଦି । ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ହେଲା ଆବିର୍ଭାବ । ବ୍ରାହ୍ମଧର୍ମ ମଧ୍ୟ ଓଡ଼ିଶାରେ ପ୍ରସାରିତ ହେଲା । ପତ୍ରପତ୍ରିକା ପ୍ରକାଶ ପାଇଲା । ନ’ଅଙ୍କ ଦୁର୍ଭିକ୍ଷର ମହାଶ୍ମଶାନ ଭିତରୁ ଓଡ଼ିଆ ଜାତିର ହେଲା ନବଜନ୍ତି । ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ବିରୋଧରେ ଆରମ୍ଭ ହେଲା ଭାଷା - ସୁରକ୍ଷା - ଆନ୍ଦୋଳନ ( ୧୮୬୯/୭୦ ) ଓଡ଼ିଆ ଭାଷା ମରଣ ସଂକଟରୁ ରକ୍ଷା ପାଇଲା । ଏହି ମାତୃଭାଷା - ପ୍ରୀତିରୁ ଜନ୍ମ ନେଲା ଆଧୁନିକ ଓଡ଼ିଆ ସାହିତ୍ୟ । ଇଂରେଜ - ଶିକ୍ଷା - ପ୍ରାପ୍ତ ତରୁଣ ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରୁ କେତେକ ସମାଜ ଓ ମାତୃଭୂମି - ସଚେତନ ଶିକ୍ଷିତ ବ୍ୟକ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ବୀତସ୍ପୃହ ହୋଇ ସୃଷ୍ଟି କଲେ ପାଶ୍ଚାତ୍ୟ ସାହିତ୍ୟ ଆଦର୍ଶରେ ନୂତନ ଓଡ଼ିଆ କାବ୍ୟ , କବିତା , ଗଳ୍ପ , ଉପନ୍ୟାସ , ନାଟକ , ପ୍ରବନ୍ଧ , ରମ୍ୟରଚନା , ଜୀବନୀ , ଆତ୍ମଜୀବନୀ , ଭ୍ରମଣ କାହାଣୀ , ସମାଲୋଚନା ଇତ୍ୟାଦି । ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ହେଲା ପାଶ୍ଚାତ୍ୟ ସାହିତ୍ୟର ଅମୃତମୟ ଫଳଶ୍ରୁତି । ଯେଉଁ ନବ ରୁଚି ଓ ନବ ଚେତନା ଦେଖା ଦେଲା ତାହାହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବର ହେଲା ପ୍ରଧାନ ଉପଜୀବ୍ୟ । ଯଦିଓ ଆଧୁନିକ ଚେତନାର ଭିନ୍ନ ଭିନ୍ନ ଦିଗ ସାହିତ୍ୟରେ ରୂପ ନେଲା ତଥାପି ଔପନିବେଶିକ ଶାସନ ଭିତରେ ଯେଉଁ ମାନସିକତା ଜନ୍ମ ନେଇଥିଲା ତାହା ଔପନିବେଶିକ ମାନସିକତାରୁ ସଂପୂର୍ଣ୍ଣ ରେ ମୁକ୍ତ ହେଲା ନାହିଁ ଓ ସେହି ସାହିତ୍ୟ ମଧ୍ୟ ସେଥିରୁ ମୁକ୍ତ ନ ହୋଇ , ହୋଇଗଲା ଔପନିବେଶିକ ଆଧୁନିକ ସାହିତ୍ୟ ।
ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତି କରିଆସିଅଛି । ବିଭିନ୍ନ ସମୟ ର ରୁଚି ଅନୁସାରେ ତା’ର ମଧ୍ୟ ହୋଇଛି ନବକଳେବର । ଆଧୁନିକ ଓଡ଼ିଆ ସାହିତ୍ୟକୁ ଆମେ ନିମ୍ନୋକ୍ତ ପ୍ରକାରେ ବିଚାର କରିପାରିବା । ଯଥା –
https://blog.odiabook.in
https://blog.odiabook.in/2023/08/odia-sahitya-ra-adhunik-bhag-1870.html
Tag: Odia Sahitya Ra Adhunika Bhag, Odia Sahitya Ra Itihas, Odia Sahitya ra Adhunika juga, Odia Sahitya Ra Adhunika juga ra Itihas, Odia Bhasa Andolan, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya Blogspot dot com.
ମୁଖ୍ୟ ବିନ୍ଦୁ:: ଓଡିଆ ସାହିତ୍ୟ ର ଆଧୁନିକ ଯୁଗ, ଓଡିଆ ସାହିତ୍ୟର ଇତିହାସ, ଓଡିଆ ଭାଷା ଆନ୍ଦୋଳନ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ।