ରୀତିଯୁଗ ସାହିତ୍ୟ (ମଧ୍ୟଯୁଗୀୟ ସାହିତ୍ୟ) ଖ୍ରୀ.୧୬୫୦-୧୮୫୦.ଖ୍ରୀ. | RITI YUGA SAHITYA

@_ustad
2

Riti yuga Sahitya

ଜୀବନର ସବୁ କ୍ଷେତ୍ର ପରି ସାହତ୍ୟରେ ମଧ୍ୟ ଏକ ରୀତି ସବୁବେଳେ ରହିଆସିଛି । ଗଦ୍ୟସାହିତ୍ୟରେ ରହିଆସିଛି, ପଦ୍ୟ ସାହିତ୍ୟରେ ମଧ୍ୟ ରହିଆସିଛି । ପ୍ରାଚୀନ ସାହିତ୍ୟରେ ଥିଲା , ଆଧୁନିକ ସାହିତ୍ୟରେ ମଧ୍ୟ ରହିଛି । ରୀତି ଅର୍ଥାତ୍ ଏକ ଶୃଙ୍ଖଳା , ଯାହାଦ୍ବାର ଜଣେ ଲେଖକ ଆପଣାର ଭାବନାରାଜିକୁ ବ୍ୟକ୍ତ କରିପାରିବ । ସେହି ଶୃଙ୍ଖଳା ବା ରୀତି ବିଭିନ୍ନ କାଳରେ , ନାନା ପରିସ୍ଥିତି ଏବଂ ଆବଶ୍ୟକତାକୁ ମାନି ସର୍ବଦା ବଦଳି ଯାଇଛି । ଜଣେ ବିଶେଷ ମେଧାସମ୍ପନ୍ନ ତଥା ବିଶେଷ ଭାବରେ ସୃଜନ ସମର୍ଥ ଲେଖକ ମଧ୍ୟ ତା'କାଳର ପ୍ରଚଳିତ ରୀତିସତ୍ତେ ଆପଣାଲାଗି ସାହିତ୍ୟ ରଚନାର ସମ୍ପୂର୍ଣ୍ଣ ଏକ ନୂତନ ରୀତିର ଉଦ୍ଭବ କରି ଆସିଛି । ସେ ଏକ ନୂତନ ବାଟ ଫିଟାଇଅଛି । ଆମେ ରୀତିକୁ ଆଧୁନିକ ଭାଷାରେ ଶୈଳୀ ବୋଲି କହୁଛୁ । ଅନେକ ସମୟରେ ସାହିତ୍ୟର ଶୈଲୀ ଦେଇ ସାହିତ୍ଯକୁ ଚିହ୍ନି ପାରୁଛୁ ଓ ବିଭିନ୍ନ ସାହିତ୍ଯିକକୁ ଗୋଟିଏ ଶ୍ରେଣୀରେ ଅନ୍ତର୍ଗତ କରି ପାରୁଛୁ । ଓଡିଆରେ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟରେ ବିଭିନ୍ନ ଶୈଳୀ ମଧ୍ୟ ଦେଇ ବିଭିନ୍ନ ସାହିତ୍ୟ ରଚନା ହୋଇ ଥିଲା। ବିଭିନ୍ନ ସାହିତ୍ୟିକ ନିଜର ରଚନା ମାଧ୍ୟମରେ ଏହି କାଳ ର ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି।

ରୀତିଯୁଗୀୟ କାବ୍ୟାଦର୍ଶ

ବେଦ ‘ ରୀତି’ର ଆଦି ଉତ୍ସ । ଋଗବେଦର ‘ ରୀତିରୂପାମ୍ ’ ପ୍ରୟୋଗରେ ଗୋଟିଏ ସ୍ଥାନରେ ‘ ଗମୟିତା ’ ( ୬ | ୧୩ / ୧ ) ଓ ଅନ୍ୟତ୍ର ‘ ଗତି ' ( ୯ / ୧୦୮ / ୧୦ ) ଅର୍ଥ ଦ୍ଵୟକୁ ମୂଳକରି ପରବର୍ତ୍ତୀକାଳରେ ଗତ୍ୟର୍ଥ ‘ ରୀଙ୍ ’ ଧାତୁରେ ଅଧକରଣାର୍ଥେ ‘ କ୍ତିନ୍ ’ ପ୍ରତ୍ୟୟ ଯୋଗ କରିବାଦ୍ୱାରା ‘ ରୀତି ’ ଶବ୍ଦର ଉତ୍ପତ୍ତି । ତେଣୁ ରୀତିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ମାର୍ଗ । ପନ୍ଥା , ବୀଥି , ଗତି , ପ୍ରସ୍ଥାନ ଇତ୍ୟାଦି ଶବ୍ଦଗୁଡ଼ିକ ରୀତିର ପର୍ଯ୍ୟାୟବାଚକ ଶବ୍ଦ । ରୀତି ମଧ୍ୟ କବିମାନଙ୍କର ବିଶିଷ୍ଟ ଶୈଳୀକୁ ବୁଝାଏ । ଅର୍ଥ ସମାନ ଥିଲେ ମଧ୍ୟ କବିମାନଙ୍କ ରଚନା ମଧ୍ୟରେ ଶୈଳୀର ତାରତମ୍ୟ ଦେଖାଯାଏ । ଉଦାହରଣ ସ୍ଵରୂପ , ସମ୍ମୁଖସ୍ଥ ଶୁଖିଲା କାଠଖଣ୍ଡକୁ ଦେଖି ଶ୍ରୀହର୍ଷ "ଶୁଷ୍କ କାଷ୍ଠଂ ତିଷ୍ଠତ୍ୟଗ୍ରେ" କହିଲାବେଳେ ମହାକବି କାଳିଦାସ କହନ୍ତି- "ନୀରସ ତରୁବରଃ ପୁରତୋ ଭାତି " । ଏଥିରୁ ସ୍ପଷ୍ଟ ହୁଏ ଯେ , ଜଣେ କବି ସାଧାରଣ ଅର୍ଥ ପ୍ରତିପାଦନ ନିମନ୍ତେ ଅସାଧାରଣ ପଦାବଳୀ ବ୍ୟବହାର କରୁଥିବାବେଳେ ଅନ୍ୟଜଣେ ଅସାଧାରଣ ଅର୍ଥ ପ୍ରତିପାଦନ ନିମନ୍ତେ ସାଧାରଣ ପଦାବଳୀ ବ୍ୟବହାର କରନ୍ତି । କାବ୍ୟ ରଚନା କରିବା ସମୟରେ କବିମାନେ ପରମ୍ପରାଗତ ଶବ୍ଦଭଣ୍ଡାରରୁ ଶବ୍ଦ ଚୟନ କରନ୍ତି ; ମାତ୍ର ସେମାନଙ୍କ ଶବ୍ଦସଂଯୋଜନା ବିଧ ଓ ପ୍ରକାଶଭଙ୍ଗୀରେ ବୈଷମ୍ୟ ପରିଦୃଷ୍ଟ ହୁଏ । ଏହାର କାରଣ , ପ୍ରତ୍ୟେକ ଶିଷ୍ଟ ଲେଖକଙ୍କର ଏକ ନିର୍ଦ୍ଦିଷ୍ଟ ତଥା ମୌଳିକ ଶୈଳୀ ଓ ରୁଚି ରହିଥାଏ । ଭାବ ପ୍ରକାଶ ନିମନ୍ତେ ନିଜର ରୁଚି ଅନୁଯାୟୀ ପ୍ରୟୋଗ କରାଯାଉଥିବା ଶୈଳୀହିଁ ରୀତି । ରୀତି ପ୍ରୟୋଗରେ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରୁଥିବା କବି ହିଁ କେବଳ କବି ପଦବାଚ୍ୟ ।

ପ୍ରାଚ୍ୟ ମତରେ ରୀତି :

ବିଭିନ୍ନ ଆଳଙ୍କାରିକ ରୀତିକୁ ବିଭିନ୍ନ ପ୍ରକାରର ସଂଜ୍ଞା ପ୍ରଦାନ କରିଛନ୍ତି । ରୀତି ସଂପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ ଅଚାର୍ଯ୍ୟ ବାମନ "ରୀତିରାତ୍ମା କାବ୍ୟସ୍ୟ" ବା ରୀତିକୁ କାବ୍ୟର ଆତ୍ମା ବୋଲି କହି ରୀତିତତ୍ତ୍ଵର ମହତ୍ତ୍ବ ପ୍ରତିଷ୍ଠା କରିଛନ୍ତି । ତାଙ୍କ ମତରେ ପୁଣି "ବିଶିଷ୍ଟ ପଦରଚନା ରୀତିଃ " ; ଅର୍ଥାତ୍ ପଦରଚନାର୍ ବୈଶିଷ୍ଟ୍ୟ ହେଉଛି ରୀତି । ବାମନଙ୍କ ମତରେ ରୀତିର ପରିଭାଷା କାବ୍ୟର ଶୋଭା ବର୍ଦ୍ଧନକାରୀ ଏକ ଗୁଣ । ଶବ୍ଦ ଓ ଅର୍ଥର ଚମତ୍କାର ପ୍ରୟୋଗଦ୍ଵାରା ଏହି ଗୁଣର ଅଧିକାରୀ ହୋଇ କବି ଏକ ରୀତି ସୃଷ୍ଟି କରିପାରେ । ବାମନଙ୍କ ପରେ ଆଚାର୍ଯ୍ୟ ରୁଦ୍ର "କାବ୍ୟାଳଙ୍କାର"ରେ ରୀତିର ନୂତନ ରୂପ ପ୍ରଦାନ କଲେ । ତାଙ୍କ ମତରେ ରୀତିର ନିୟାମକ ହେଉଛି ସମାସ ଓ ସମାସର ସମାବେଶ ଦ୍ଵାରାହିଁ କାବ୍ୟ ଏବଂ ରସ ମର୍ମସ୍ପର୍ଶୀ , ସରଳ ଓ ସୁବୋଧ ହୋଇପାରେ । ରାଜଶେଖର ସମାସ ସହିତ ଅନୁପ୍ରାସକୁ ରୀତିର ମୂଳତତ୍ତ୍ବ ବୋଲି ସ୍ୱୀକାର କଲେ । ରାଜଶେଖରଙ୍କ ମତକୁ ଭୋଜରାଜ ଅନୁମୋଦନ କରିବା ସଙ୍ଗେ ସଙ୍ଗେ ସମାସ ଓ ଗୁଣକୁ ରୀତିର ମୂଳତତ୍ତ୍ଵ ଭାବରେ ଗ୍ରହଣ କଲେ । ଆଚାର୍ଯ୍ୟ କୁନ୍ତକ ପ୍ରସ୍ଥାନ ପଦ୍ଧତି ବା ପ୍ରସ୍ଥାନ ମାର୍ଗକୁ ରୀତିଭାବରେ ଗ୍ରହଣ କରନ୍ତି ; ତାଙ୍କ ମତରେ , କବିର ସ୍ବାଭାବିକ ଅଭିବ୍ୟକ୍ତି ହିଁ ରୀତି । ଆଚାର୍ଯ୍ୟ ମମ୍ପଟ ଗୁଣାନୁସାରେ ରୀତିର ସ୍ୱରୂପ ନିରୂପିତ ହୁଏ ବୋଲି ମତ ଦିଅନ୍ତି ; କିନ୍ତୁ ଧ୍ୱନି ସଂପ୍ରଦାୟର ପ୍ରତିଷ୍ଠାତା ଆନନ୍ଦବର୍ଦ୍ଧନଙ୍କ ମତରେ "ବିଶିଷ୍ଟ ପଦ ସଂଘଟନା ରୀତିଃ" । ଅର୍ଥାତ୍ ଶବ୍ଦ ବା ପଦର ଯଥାର୍ଥ ପ୍ରୟୋଗରେହିଁ ସାର୍ଥକ ସାହିତ୍ୟର ଉନ୍ମେଷ ହୁଏ ।

ପାଶ୍ଚାତ୍ୟ ମତରେ ରୀତି :

ଇଂରାଜୀ ଭାଷାରେ ‘ ରୀତି ’ ପାଇଁ ‘ Style ” ଶବ୍ଦ ବ୍ୟବହୃତ ହୁଏ । Style ଶବ୍ଦ ଲାଟିନ Stilus ବା Stylus ଶବ୍ଦରୁ ଉତ୍ପନ୍ନ । ଏହି ଶବ୍ଦର ମୌଳିକ ଅର୍ଥ ଲୌହଲେଖନୀ ଏବଂ ପ୍ରଧାନ ଅର୍ଥ ଲେଖିବାର ବିଶିଷ୍ଟ ପ୍ରଣାଳୀ । ପରେ ଏହା କହିବାର ବିଶିଷ୍ଟ ଭଙ୍ଗୀ ଅର୍ଥରେ ପ୍ରଯୁକ୍ତ ହେଲା ସାଂପ୍ରତିକ କାଳରେ ଏହି ଶବ୍ଦ ଶିଳ୍ପଶାସ୍ତ୍ର , ମୂର୍ତ୍ତି ବିଦ୍ୟା , ଚିତ୍ରକଳା , ସଂଗୀତ, ରଚନା , ନୃତ୍ୟ ଇତ୍ୟାଦି ଅର୍ଥରେ ବ୍ୟବହୃତ । ଇଲିଅଟ ( Eliot ) ଙ୍କ ମତରେ “ Style is the symbol of personality ” ଏବଂ “ Style is the man ’ . କୌଣସି ବସ୍ତୁର ପ୍ରତିପାଦନ ପଦ୍ଧତି ଓ ପ୍ରକାରରେ ନାମ ଶୈଳୀ ଓ ରୀତି ବୋଲି ମହାନ ଗ୍ରୀକ୍ , ଆଳଙ୍କାରିକ ଆରିଷ୍ଟଟଲ ( Aristotle ) ପ୍ରକାଶ କରନ୍ତି । ବିଖ୍ୟାତ ବିଷାଦବାଦୀ ଜର୍ମାନ ଦାର୍ଶନିକ ଶୋପେନହାୱେର ( Schopenhawer ) ଙ୍କ ମତରେ କାବ୍ୟରେ ବକ୍ତାର ଭାବର ପରିପ୍ରକାଶ ପାଇଁ ବ୍ୟାକରଣସମ୍ମତ ଯଥାର୍ଥ ଶବ୍ଦଯୋଜନା କରାଯିବା ଉଚିତ ଏବଂ ଏହି ଶବ୍ଦସଂଯୋଜନା ହିଁ ରୀତି । ଗ୍ରୀସ୍ ଦେଶର ଅନ୍ୟ ଜଣେ ବିଶିଷ୍ଟ ଆଳଙ୍କାରିକ ହେଉଛନ୍ତି ଡିମେଟ୍ରିଅସ୍ ( Demetrius ) । ସେ ରୀତିର ବିସ୍ତୃତ ଆଲୋଚନା କରିଛନ୍ତି On Style ଗ୍ରନ୍ଥରେ । ସେ ରୀତିକୁ ‘ ମାର୍ଗ ରୂପେ ଗ୍ରହଣ କରି ଏହାକୁ ଚାରିଭାଗରେ ବିଭକ୍ତ କରିଛନ୍ତି ; ଯଥା— Plain style ( ପ୍ରସନ୍ନ ମାର୍ଗ ) , Stately style ( ଉଦାତ୍ତ ମାର୍ଗ ) , Polished style ( ମସୃଣ ମାର୍ଗ ) ଓ Power style ( ଓଜସ୍ବୀ ମାର୍ଗ ) । ପାଶ୍ଚାତ୍ୟ ଆଳଙ୍କାରିକ କ୍ବୁଣ୍ଟିଲିଆନ ( Quintilian ) ରୀତିକୁ ଆଞ୍ଚଳିକ ଭେଦରେ ଏଟିନ୍ ( Atic ) , ଏସିଆଟିକ୍ ( Asiatic ) ଓ ରୋଡ଼ିଆନ ( Rhodian ) - ଏହିପରି ତିନି ଭାଗରେ ବିଭକ୍ତ କରିଛନ୍ତି ।

ରୀତିଯୁଗୀୟ କାବ୍ୟକୁ ଆଳଙ୍କାରିକମାନେ ଏକ ନାରୀ ସହିତ ତୁଳନା କରନ୍ତି । ସେମାନଙ୍କ ଭାଷାରେ "କାନ୍ତା ସତ ପଦାବଳୀ ଇତି କାବ୍ୟ " ; ଅର୍ଥାତ୍ କାବ୍ୟ ଏକ କାନ୍ତା ପରି । କାନ୍ତା ପରି କାବ୍ୟ ମଧ୍ୟ ମନୋରଞ୍ଜନ କରେ । ତା’ର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ହେଉଛି ଧ୍ବନି , ବର୍ଣ୍ଣ , ପଦ , ବାକ୍ୟ , ଗୁଣ, ରସ, ପୌରାଣିକତା, ପ୍ରକୃତିଚିତ୍ର, ଗତାନୁଗତିକତା ଇତ୍ୟାଦି । ତା’ର ଅଙ୍ଗଭୂଷଣ ବା ଅଳଙ୍କାର ହେଉଛି ଅନୁପ୍ରାସ , ଯମକ ପ୍ରଭୃତି ଅଳଙ୍କାର । କବି ମାନଙ୍କ ଯାବତୀୟ କାବ୍ୟ ରଚନା ଶୈଳୀ ସମୟ ଅନୁସାରେ ଏହି ଯୁଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି-

  • (୧)ପ୍ରାକ୍ ରୀତି ଯୁଗ(୧୬୫୦-୧୭୫୦)
  • (୨)ରୀତି ଯୁଗ।(୧୭୫୦-୧୮୫୦)

ପ୍ରାକ୍ ରୀତି ଯୁଗ(୧୬୫୦-୧୭୫୦)

ପ୍ରାକ୍ ରୀତି ଯୁଗ ସମୟର ଲେଖକ ଙ୍କ କୃତିତ୍ୱ।

  • ଦ୍ଵାରିକା ଦାସ-ପରଚେ ଗୀତା, ଛତିଶ ଗୁପ୍ତ ଗୀତା, ତତ୍ତ୍ୱ ଚୂଡ଼ାମଣି, ଭକ୍ତି ରସାମୃତ ଗୁପ୍ତ ଗୀତା, ସଂସାର ବୋଧ ଚଉତିଶା, ଗୀତା ତତ୍ତ୍ୱ ଭାଗବତ , ରସକଳା, ଗରୁଡ଼ ସମ୍ବାଦ, ଛଅ ପୋଇ, ନଅ ପୋଇ, ତେର ପୋଇ, ପ୍ରେମ ରସ ଚନ୍ଦ୍ରିକା, ଗୋବିନ୍ଦ ଗୀତା(ଗୀତ ଗୋବିନ୍ଦ ର କାବ୍ୟନୁବାଦ) ଓ ଶିବ ପୁରାଣ।
  • ଦେବାନନ୍ଦ ଦାସ-ବୈଚେନ୍ଦ୍ର ଗୀତା।
  • ଦନାଇ ଦାସ(ଜନାର୍ଦ୍ଦନ ଦାସ)- ଗୋପୀ ଭାଷା।
  • ପ୍ରତାପ ରାୟ-ଶଶୀ ସେଣା।
  • ଦେବଦୁର୍ଲ୍ଲଭ ଦାସ-ରହସ୍ୟ ମଞ୍ଜରୀ।
  • କାର୍ତ୍ତିକ ଦାସ-ରୁକ୍ମିଣୀ ବିଭା, ନବାନୁରାଗ(କାବ୍ୟ), ରାମରାବଣ ଯୁଦ୍ଧ(କ୍ଷୁଦ୍ର କାବ୍ୟ)।
  • ରଘୁନାଥ ହରିଚନ୍ଦନ-(ବାଣପୁର ରାଜବଂଶ ରେ ତାଙ୍କ ଜନ୍ମ)-ଲୀଳାବତୀ(କାଳ୍ପନିକ କାବ୍ୟ), ହଂସ ବତୀ(ଲଘୁକାବ୍ୟ), ସକୁନ୍ତଳା(ଲଘୁକାବ୍ୟ)।
  • ବିଷ୍ଣୁ ଦାସ-(ପାର୍ଥ ଶ୍ରୀଚନ୍ଦନ ଙ୍କ ସଭା ପଣ୍ଡିତ)-ପ୍ରେମାଲୋଚନା, ଲୀଳାବତୀ, ସାବିତ୍ରୀ ଚରିତ, କଳାବତୀ, ପ୍ରବାସ ବାହୁଡା ଚଉତିଶା, ମନ୍ଦାକିନୀ ଚଉତିଶା, ରଘୁବୀର ଚଉତିଶା, ମାଲ୍ୟବନ୍ତ ଚଉତିଶା।
  • ନରସିଂହ ସେଣ-ପରିମଳା(କାବ୍ୟ), ଗୋପକେଳୀ, ଅଜବିଳାପ ଚଉତିଶା, ଢଗ ମୁକୁତାବଳୀ
  • ବାଳକ ଶ୍ରୀ ହରି ଦାସ-ମୟୂର ଚନ୍ଦ୍ରିକା।
  • ଦେବ ଦୁର୍ଲ୍ଲଭ ଦାସ-ରହସ୍ୟ ମଞ୍ଜରୀ(ଆନୁମାନିକ ୧୭୭୪ ମସିହାର ପୂର୍ବବର୍ତ୍ତୀ ସମୟର ପୁସ୍ତକ)।
  • ନନ୍ଦ ଦାସ-ଅଣାକାର ସଂହିତା(ଅଚ୍ୟୁତାନନ୍ଦ ଠାରୁ ଅଲଗା)।
  • ଭୀମା ଧୀବର-କପଟ ପାଶା।
  • ବାଳୁଙ୍କ ଦାସ-ଚାରୁ ମଣ୍ଡନ ଚଉତିଶା।
  • ଗୋକୁଳ-ଆଦ୍ୟ ପ୍ରାନ୍ତ ଚଉତିଶା।
  • ପୁରୁଷୋତ୍ତମ ଦାସ-କାଞ୍ଚି କାବେରୀ, ଗଙ୍ଗା ମାହାତ୍ମ୍ୟ, କାଞ୍ଚିଓଲା ବ୍ରତ।
  • ଧନଞ୍ଜୟ ଭଞ୍ଜ- ମଦନ ମଞ୍ଜରୀ, ତ୍ରିପୁର ମଞ୍ଜରୀ, ଇଚ୍ଛାବତୀ, ଅନଙ୍ଗ ରେଖା, ରଘୁନାଥ ବିଳାସ(କାବ୍ୟ), ଶାଳୀ ହୋତ୍ର(ଅଶ୍ୱ ଶାସ୍ତ୍ର)। 

ରୀତି ଯୁଗ ବା ମଧ୍ୟ ଯୁଗ (୧୭୫୦-୧୮୫୦ଖ୍ରୀ.)

ଉପେନ୍ଦ୍ର ଭଞ୍ଜ :

ରୀତିଯୁଗର ସର୍ବଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ ଘୁମୁସରର ପ୍ରସିଦ୍ଧ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ । ସେ ଘୁମୁସରର ପ୍ରସିଦ୍ଧ ରାଜକବି ଧନଞ୍ଜୟ ଭଞ୍ଜଙ୍କ ପୌତ୍ର । ତାଙ୍କ ପିତା ନୀଳକଣ୍ଠ ଭଞ୍ଜ ଘୁମୁସରର ରାଜା ହୋଇଥିଲେ ୧୭୦୧ ଖ୍ରୀଷ୍ଟାବ୍ଦରେ ଓ ଘୁମୁସର ସିଂହାସନରୁ ବିତାଡ଼ିତ ହୋଇଥିଲେ ୧୭୦୪ ଖ୍ରୀଷ୍ଟାବ୍ଦରେ ତାଙ୍କ କକାପୁଅ ଭାଇ ଘନ ଭଞ୍ଜଙ୍କ ଦ୍ଵାରା । ନୀଳକଣ୍ଠ ଭଞ୍ଜ ପୁତ୍ର ଉପେନ୍ଦ୍ରଙ୍କ ସହିତ ନୟାଗଡ଼ର ତତ୍କାଳୀନ ରାଜା ପୁରୁଷୋତ୍ତମ ସିଂହ ମାନଧାତାଙ୍କ ଆଶ୍ରୟ ଗ୍ରହଣ କରିଥିଲେ । ଶୁଣିବାକୁ ମିଳେ , ଉପେନ୍ଦ୍ର ଭଞ୍ଜ ବୁଗୁଡ଼ାର ସିଦ୍ଧଗୁମ୍ଫାରେ କିଛିଦିନ ସାହିତ୍ୟ ସାଧନା କରିଥିଲେ ଓ ପରେ ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ଓଡ଼ଗାଁର ରଘୁନାଥଙ୍କ ପୀଠରେ "ରାମତାରକ" ମନ୍ତ୍ର ଜପକରି ଅପୂର୍ବ କବିତ୍ବ ଲାଭ କରିଥିଲେ । ନୟାଗଡ଼ର ରାଜା ତାଙ୍କ କବିତ୍ବରେ ମୁଗ୍ଧ ହୋଇ ତାଙ୍କୁ ‘ ବୀରବର ’ ଉପାଧିରେ ଭୂଷିତ କରିଥିଲେ ଓ ନିଜ କନ୍ୟା ସହିତ ବିବାହ ଦେଇଥିଲେ । ସେ ନୟାଗଡ଼ର ମାଳିସାହି ମୃତ୍ୟୁଞ୍ଜୟପୁର ଶାସନରେ ତାଙ୍କ ପାଇଁ ବସବାସ କରିବାର ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲେ । କିଛିଦିନ ପରେ ଉପେନ୍ଦ୍ରଙ୍କ ପିତୃବିୟୋଗ ଘଟିଲା ଓ ପରେ ପରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ହରାଇଥିଲେ । ଦାରୁଣ ଦୁଃଖରେ ଅଭିଭୂତ ଉପେନ୍ଦ୍ର ଶେଷରେ ଫେରିଥିଲେ ସ୍ଵରାଜ୍ୟ ଘୁମୁସରକୁ । ନିଜ ପରିବାରବର୍ଗଙ୍କ ପରାମର୍ଶକ୍ରମେ ସେ ବାଣପୁରର ରାଜା ଅଚ୍ୟୁତ ହରିଚନ୍ଦନ ରାୟଙ୍କ ଜ୍ୟେଷ୍ଠାକନ୍ୟାଙ୍କ ପାଣିଗ୍ରହଣ କରିଥିଲେ । ତାଙ୍କର ଏହି ଦ୍ବିତୀୟ ପତ୍ନୀଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିବା ଶୁଣାଯାଏ । ଜୀବନର ଶେଷ ସମୟରେ ସେ ପୁରୀରେ ଅବସ୍ଥାନ କରିଥିବା ଅନୁମାନ କରାଯାଏ । ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମକାଳ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ପ୍ରମାଣର ଅଭାବ ରହିଛି । ସ୍ଵକୃତ ‘ ରସଲେଖା’ରେ ସେ ଏହି ଗ୍ରନ୍ଥ ଦିବ୍ୟସିଂହ ଦେବଙ୍କ ସପ୍ତବିଂଶତି ଅଙ୍କରେ ସମାପ୍ତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅଂକ - ଗଣନା ଅନୁସାରେ ଏହା ୧୭୧୪ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇଥିଲା । ଏହା କବିଙ୍କ ପୌଢ଼ ବୟସର ରଚନା । ଏହାପରେ ସେ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' ରଚନା କରିଥିଲେ ଓ ଏହା ସମାପ୍ତ ହେବାପୂର୍ବରୁ ପ୍ରାଣତ୍ୟାଗ କରିଥିଲେ । ଏହି ଗ୍ରନ୍ଥର ପ୍ରଥମ ଛାନ୍ଦରେ ଶ୍ରୀକ୍ଷେତ୍ରର ବିସ୍ତୃତ ବର୍ଣ୍ଣନା ଥିବାରୁ ଏହା କବିଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ କାଳରେ ରଚିତ ହୋଇଥିବା ମନେହୁଏ । ସେ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କଠାରୁ ମଧ୍ୟ ବହୁ ସମ୍ମାନ ଲାଭ କରିଥିଲେ । ତେଣୁ ଅନୁମିତ ହୁଏ ଯେ , ସେ ୧୭୨୦ ଖ୍ରୀଷ୍ଟାବ୍ଦରେ ଇହଧାମ ତ୍ୟାଗ କରିଥିଲେ । ଜନଶ୍ରୁତି ଅନୁସାରେ ସେ ମାତ୍ର ୫୦ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କର ଜନ୍ମକାଳ ତେଣୁ ୧୬୭୦ ଖ୍ରୀଷ୍ଟାବ୍ଦ ।

ଉପେନ୍ଦ୍ର ରାଜପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ବାଲ୍ୟକାଳରେ ସେ ଉପଯୁକ୍ତ ଶିକ୍ଷା ପାଇଥିଲେ । ତାଙ୍କଦ୍ବାରା ରଚିତ ଗ୍ରଛମାନଙ୍କରୁ ଜଣାଯାଏ ଯେ ସେ ନାଟକ , କାବ୍ୟ , ପୁରାଣ , ଅଳଙ୍କାର , ଜ୍ୟୋତିଷ , କାମଶାସ୍ତ୍ର , ଧନୁର୍ବେଦ , ଅଭିଧାନ , ତନ୍ତ୍ର , ଦର୍ଶନ ଇତ୍ୟାଦି ସଂସ୍କୃତ ଗ୍ରନ୍ଥମାନ ଆୟତ୍ତ କରିଥିଲେ । ସେ ୨୬ଗୋଟି ଗ୍ରନ୍ଥର ରଚୟିତା ବୋଲି ସ୍ବରଚିତ "ଚିତ୍ରକାବ୍ୟ ବନ୍ଧୋଦୟ" କାବ୍ୟର ପ୍ରଥମ ଛାନ୍ଦରେ ଉଲ୍ଲେଖ କରିଛନ୍ତି । ‘ ଚିତ୍ରକାବ୍ୟ ବନ୍ଧୋଦୟ ’ କାବ୍ୟପରେ ସେ ଆଉ କେତୋଟି ରଚନାକୁ ଜନ୍ମ ଦେଇଥିଲେ । ତେଣୁ ତାଙ୍କର ସମସ୍ତ ରଚନା ଯେ ଲୋକଲୋଚନକୁ ଆସିଛି , ଏହା କୁହାଯାଇ ନ ପାରେ । ଅଦ୍ୟାବଧି ଲୋକଲୋଚନକୁ ଆସିଥିବା ତାଙ୍କ ରଚନାବଳୀକୁ ନିମ୍ନମତେ ପାଞ୍ଚଟି ଭାଗରେ ତାଲିକାଭୁକ୍ତ କରାଯାଇପାରେ ।

  • ( କ ) ପୌରାଣିକ କାବ୍ୟ– ଅବନାରସ ତରଙ୍ଗ , କଳାକଉତୁକ , କୁଞ୍ଜବିହାର , ବୈଦେହୀଶ ବିଜାସ , ବ୍ରଜଲୀଳା , ରାମଲୀଳାମୃତ , ରାହାସଲୀଳା ଓ ସୁଭଦ୍ରା ପରିଣୟ । 
  •  ( ଖ ) କାଳ୍ପନିକ କାବ୍ୟ– କଳାବତୀ , କାମକଳା , କୋଟିବ୍ରହ୍ମାଣ୍ଡ ସୁନ୍ଦରୀ , ଚନ୍ଦ୍ରକଳା , ଚନ୍ଦ୍ରରେଖା , ଚିତ୍ରଲେଖା , ତ୍ରୈଲୋକ୍ୟମୋହିନୀ , ପ୍ରେମଲତା , ପ୍ରେମସୁଧାନିଧି , ଭାବବତୀ , ମନୋରମା , ମୁକ୍ତାବତୀ , ରସଲେଖା , ରସମଞ୍ଜରୀ , ରସିକ ହାରାବଳୀ , ଲାବଣ୍ୟବତୀ , ଶୋଭାବତୀ , ସୁବର୍ଣ୍ଣରେଖା ଓ ହେମମଞ୍ଜରୀ । 
  •  (ଗ) ଆଳଙ୍କାରିକ କାବ୍ୟ– ଚିତ୍ରକାବ୍ୟ ବନ୍ଧୋଦୟ , ଛାନ୍ଦଭୂଷଣ , ରସପଞ୍ଚକ ଓ ରସ ମଞ୍ଜରୀ । 
  • (ଘ) ଗୀତିକା- ଗାହା , ଚଉତିଶାଚନ୍ଦ୍ର ଇତ୍ୟାଦି ବହୁ ଚଉତିଶା , ଚଉପଦୀଭୂଷଣ , ଦୋହା , ଛ ପୋଈ , ଷୋଳ ପୋଈ ଇତ୍ୟାଦି। 
  •  ( ଙ) ବିବିଧ ରଚନା– ଗୀତାଭିଧାନ , ଛତିଶ ରାସ , ନାରଦ ପୁରାଣ , ପୁରୁଷୋତ୍ତମ ମାହାତ୍ମ୍ୟ , ବିଚିତ୍ର ତରଙ୍ଗିଣୀ , ଷଡ଼ଋତୁ ଇତ୍ୟାଦି ।
    ଦୀନକୃଷ୍ଣ ଦାସ :

ଦୀନକୃଷ୍ଣ ଦାସ ଆଳୋଚ୍ୟ କାଳର ଜଣେ ଶକ୍ତିଶାଳୀ କବି । ସେ ପୁରୁଷୋତ୍ତମ ବା ପୁରୀ ନିବାସୀ ଥିଲେ ଓ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନନ୍ତ ଦାସ । ସେ ଗଜପତି ମହାରାଜା ଦ୍ଵିତୀୟ ମୁକୁନ୍ଦଦେବ ( ୧୬୫୧ - ୮୬ ଖ୍ରୀଷ୍ଟାବ୍ଦ ) ଓ ଦିବ୍ୟସିଂହ ଦେବ ( ୧୬୮୬ - ୧୭୧୩ ଖ୍ରୀଷ୍ଟାବ୍ଦ ) କ ସମକାଳୀନ ଥିଲେ । ଅଷ୍ଟାଦଶ ଶତାବ୍ଦୀର ଭକ୍ତକବି ରାମଦାସ "ଦାଢ଼୍ୟତାଭକ୍ତି"ରେ ଦୀନକୃଷ୍ଣଙ୍କ ଚରିତ୍ର ସ୍ଥାନିତ କରିଛନ୍ତି । ଏଥିରୁ ମନେହୁଏ , ଅଷ୍ଟାଦଶ ଶତାବ୍ଦୀବେଳକୁ ଦୀନକୃଷ୍ଣ ଦାସ ଜଣେ ଭକ୍ତ ଓ କବିଭାବେ ସମାଜରେ ସୁପ୍ରତିଷ୍ଠିତ ହୋଇସାରିଥିଲେ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବହୁ କୃଷ୍ଣ ବା ଦୀନକୃଷ୍ଣ ଦାସ ଦେଖାଯାଆନ୍ତି । କେତେକଙ୍କ ମତରେ ଦୁଇଜଣ ଦୀନକୃଷ୍ଣ କାବ୍ୟ - କବିତା ରଚନା କରୁଥିଲେ , ମାତ୍ର କବିଭାବରେ ଅନ୍ୟୁନ ବାରଗଣ ଦୀନକୃଷ୍ଣ ବା କୃଷ୍ଣଦାସ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପରିଚିତ ଥିବା କଥା ଡକ୍ଟର କୃଷ୍ଣଚରଣ ସାହୁ ମତ ଦିଅନ୍ତି । ( କହେ କୃଷ୍ଣଦାସ କବି ' , କଟକ , ୧୯୭୬ ) । ଉତ୍କର ଆର୍ତ୍ତବଲ୍ଲଭ ମହାନ୍ତି ‘ "ରସବିନୋଦ" କାର ତଥା " ରସକଲ୍ଲୋଳ"କାର ଦୀନକୃଷ୍ନଙ୍କୁ ଏକ ବ୍ୟକ୍ତିଭାବରେ ଗ୍ରହଣ କରିଛନ୍ତି ; ମାତ୍ର ତାଙ୍କ ପୂର୍ବରୁ ଶ୍ରୀ ତାରିଣୀଚରଣ ରଥ ଓ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଏ କାବ୍ୟର ରଚୟିତା ଦୁଇଜଣ ଓ ଉଭୟେ ଦୀନକୃଷ୍ଣ ନାମଧାରୀ ବୋଲି ପ୍ରକାଶ କରିଛନ୍ତି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଆର୍ତ୍ତବାବୁ ଏହି ମତର ସମର୍ଥକ । ‘ ରସବିନୋଦ’ରେ କବି ସୁବର୍ଣ୍ଣରେଖା ନଦୀତଟର ଜଳେଶ୍ବର ଗ୍ରାମନିବାସୀ ଓ ଆଲୋଚ୍ୟ ଦୀନକୃଷ୍ଣ ପୁରୀ ନିବାସୀ ହୋଇଥିବାରୁ ଏ ଉଭୟଙ୍କୁ ଦୁଇ ସ୍ଵତନ୍ତ୍ର କବିଭାବରେ ଗ୍ରହଣ କରିନେବାରେ ଯେପରି ଯୁକ୍ତି ରହିଛି , ଦୁଇଜଣଙ୍କ ଗ୍ରଛ ‘ ରସକଲ୍ଲୋକ ’ ଓ ‘ ରସବିନୋଦ ’ ମଧ୍ୟରେ ଥିବା ବିପୁଳ ସାମଞ୍ଜସ୍ୟ ଦୃଷ୍ଟିରୁ ଏ ଦୁହଁଙ୍କୁ ଏକ ଓ ଅଭିନ୍ନ କହିବାରେ ଯଥେଷ୍ଟ ଯୁକ୍ତି ରହିଛି।

ସୁବର୍ଣ୍ଣରେଖା ନଦୀ ତୀରବର୍ତ୍ତୀ ଜଳେଶ୍ଵରର ଦୀନକୃଷ୍ଣ ‘ ରସବିନୋଦ ’ ଗ୍ରନ୍ଥର ରଚୟିତା । ଏହି ଗ୍ରନ୍ଥ ରଚିତ ହେବାପୂର୍ବରୁ ତାଙ୍କଦ୍ବାରା ରଚିତ ଗ୍ରନ୍ଥଗୁଡ଼ିକର ନାମୋଲ୍ଲେଖ ରହିଛି ଏହି ଗ୍ରନ୍ଥର ଅବତରଣିକାରେ । ସେଗୁଡ଼ିକ ହେଉଛି ‘ ଗୁଣସାଗର ' , ‘ ରସସମୁଦ୍ର ' , “ ସଂସାରବୋଧନ ' , ' ଅମୃତସାଗର' ,'ମୁକ୍ତିସାଗର ' , କଳିଯୁଗଶାସ୍ତ୍ର ' , “ ପ୍ରସ୍ତାବସାଗର ' , ' ଧର୍ମସାଗର ' , ‘ ନାମରତ୍ନଗୀତା ’ , ‘ ରସବିନୋଦ ' , ‘ ନରକାସୁର ବଧ ' , ‘ ରୁକ୍ମଣବଧ ' , “ ବାଣାସୁର ଯୁଦ୍ଧ ' , ' ଜ୍ଞାନଚୂଡ଼ାମଣି ’ , ‘ ସ୍ତ୍ରୀପୁରୁଷ ଲକ୍ଷଣ , ‘ ଭକ୍ତିସାଗର ' , ଶ୍ରୀୟା , ସତ୍ୟବାଦୀ ପ୍ରଭୃତିଙ୍କ ବିଭା ଓ କେତେକ ଚଉତିଶା । ( ଜଗମୋହନ ଛାନ୍ଦ , ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମୁଖବନ୍ଧ )

ଅନ୍ୟାନ୍ୟ କବି ଓ ତାଙ୍କ ରଚନା ନିମ୍ନରେ ଦିଆଗଲା।

ରୀତି ଯୁଗର କବିଙ୍କ ଙ୍କ କୃତିତ୍ୱ।

ଉପେନ୍ଦ୍ର ଭଞ୍ଜ-
( କ ) ପୌରାଣିକ କାବ୍ୟ– ଅବନାରସ ତରଙ୍ଗ , କଳାକଉତୁକ , କୁଞ୍ଜବିହାର , ବୈଦେହୀଶ ବିଜାସ , ବ୍ରଜଲୀଳା , ରାମଲୀଳାମୃତ , ରାହାସଲୀଳା ଓ ସୁଭଦ୍ରା ପରିଣୟ ।
( ଖ ) କାଳ୍ପନିକ କାବ୍ୟ– କଳାବତୀ , କାମକଳା , କୋଟିବ୍ରହ୍ମାଣ୍ଡ ସୁନ୍ଦରୀ , ଚନ୍ଦ୍ରକଳା , ଚନ୍ଦ୍ରରେଖା , ଚିତ୍ରଲେଖା , ତ୍ରୈଲୋକ୍ୟମୋହିନୀ , ପ୍ରେମଲତା , ପ୍ରେମସୁଧାନିଧି , ଭାବବତୀ , ମନୋରମା , ମୁକ୍ତାବତୀ , ରସଲେଖା , ରସମଞ୍ଜରୀ , ରସିକ ହାରାବଳୀ , ଲାବଣ୍ୟବତୀ , ଶୋଭାବତୀ , ସୁବର୍ଣ୍ଣରେଖା ଓ ହେମମଞ୍ଜରୀ ।
(ଗ) ଆଳଙ୍କାରିକ କାବ୍ୟ– ଚିତ୍ରକାବ୍ୟ ବନ୍ଧୋଦୟ , ଛାନ୍ଦଭୂଷଣ , ରସପଞ୍ଚକ ଓ ରସ ମଞ୍ଜରୀ ।
(ଘ) ଗୀତିକା- ଗାହା , ଚଉତିଶାଚନ୍ଦ୍ର ଇତ୍ୟାଦି ବହୁ ଚଉତିଶା , ଚଉପଦୀଭୂଷଣ , ଦୋହା , ଛ ପୋଈ , ଷୋଳ ପୋଈ ଇତ୍ୟାଦି।
( ଙ) ବିବିଧ ରଚନା– ଗୀତାଭିଧାନ , ଛତିଶ ରାସ , ନାରଦ ପୁରାଣ , ପୁରୁଷୋତ୍ତମ ମାହାତ୍ମ୍ୟ , ବିଚିତ୍ର ତରଙ୍ଗିଣୀ , ଷଡ଼ଋତୁ ଇତ୍ୟାଦି ।

  • ଦୀନ କୃଷ୍ଣ ଦାସ-ରସକଲ୍ଲୋଲ, ଜଗବନ୍ଧୁ ଛାନ୍ଦ, ଚଉତିଶା ମଧୁ ଚକ୍ର, ଭାଗବତ ବର୍ଣ୍ଣନୁମାଳିକା, ରତ୍ନ ମାଳିକା ବା ନାମ ମାଲିକା, କୁମାର ବୋଧନ।
  • ଲୋକନାଥ ବିଦ୍ୟାଧର-ସର୍ବାଙ୍ଗ ସୁନ୍ଦରୀ(୧୬୯୨-୯୩), ଚିତ୍ରକଳା, ରସକଳା, ନୀଳାଦ୍ରି ମହୋତ୍ସବ(୧୬୯୯-୧୭୦୦), ପଦ୍ମାବତୀ, ପରିଚୟ, ଗୋପାଲୀଳା ସପ୍ତ ରାଗ ଚଉତିଶା।
  • ହଳଧର ପଟ୍ଟନାୟକ-ଅଧ୍ୟାତ୍ମ ରାମାୟଣ, ଉଦ୍ଧବ ଚଉତିଶା।
  • ଭୂପତି ପଣ୍ଡିତ-ପ୍ରେମ ପଞ୍ଚାମୃତ।
  • ବୃନ୍ଦାବତୀ ଦାସୀ- ପୂର୍ଣ୍ଣତମ ଚନ୍ଦ୍ରୋଦୟ।
  • ଭୀମ ଦାସ-ଜଳଧର ଚଉତିଶା।
  • ବିଶ୍ଵନାଥ ଖୁଣ୍ଟିଆ-ବିଚିତ୍ର ରାମାୟଣ ବା ବିଶି ରାମାୟଣ।
  • ବୈଷ୍ଣବ କବି ବନମାଳୀ ଦାସ-ଚାଟ ଇଛାବତୀ।
  • ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା-ବିଶ୍ବମ୍ବର ବିହାର, ପ୍ରେମକଳ୍ପ ଲତା, ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ଲୀଳାମୃତ ସାଗର, ଯୁଗଳ ରସାମୃତ ବିନ୍ଦୁ, ମୋହନ ଲତା, ପ୍ରେମ ଲହରୀ, ପ୍ରେମ ଭଉଁରୀ, ନିସ୍ତାର ନୀଳମଣି, ନାମ ଚିନ୍ତାମଣି, ସ୍ତୁତି ଚିନ୍ତା ମଣି।
  • ଦାଶରଥି ଦାସ-ବ୍ରଜବିହାର।
  • ରଘୁନାଥ ଭଞ୍ଜ(୧୭୨୮-୧୭୫୦ ରାଜତ୍ୱ ସମୟ)-ରସଲହରୀ।
  • ରାଜା ବିକ୍ରମ ଭଞ୍ଜ-କନକ ଲତା।
  • କୃପାସିନ୍ଧୁ ଦାସ-ବ୍ରଜ ବିହାର(ଦାଶରଥି ଦାସ ଠାରୁ ଅଲଗା)
  • ରାଜା ପୁରୁଷୋତ୍ତମ ମାନ ଧାତା-ଶୋଭାବତୀ।
  • ଲକ୍ଷ୍ମଣ-ଶ୍ରୀକୃଷ୍ଣ ଲୀଳାମୃତ।
  • ତ୍ରିପୁରାରୀ ଦାସ-ରାମକୃଷ୍ଣ କେଳି କଲ୍ଲୋଲ।
  • ରତ୍ନାକର ଦାସ-ସାରସ୍ୱତ ଗୀତା।
  • ଚନ୍ଦ୍ରମଣି ଦାସ-ସୁଧାସାର ଗୀତା।
  • ଚୈତନ୍ୟ ଦାସ(ପଶ୍ଚିମ ଓଡିଶାର କବି)-ନିର୍ଗୁଣ ମାହାତ୍ମ୍ୟ, ବିଷ୍ଣୁ ଗର୍ଭ ପୁରାଣ।
  • ରାଜା ଜଗନ୍ନାଥ ନାରାୟଣ ଦାସ-ବୃନ୍ଦାବନ ଚନ୍ଦ୍ର ବିହାର, ସଙ୍ଗୀତ ନାରାୟଣ, ସଙ୍ଗୀତ ନାରାୟଣ, ସଂଗୀତ କୌମୁଦୀ, ଅଳଙ୍କାର ଚନ୍ଦ୍ରିକା।
  • ପିତାମ୍ବର ଦାସ-ନୃସିଂହ ପୁରାଣ।
  • ରାଜକବି କୃଷ୍ଣ ଚନ୍ଦ୍ର ସିଂହ-ମହାଭାରତ।
  • ନାରାୟଣ ଦାସ-ହରି ବଂଶ ପୁରାଣ(7ଖଣ୍ଡ)।
  • ମହାଦେବ ଦାସ-ବିଷ୍ଣୁକେଶରୀ ପୁରାଣ, ମାର୍କଣ୍ଡେୟ ପୁରାଣ, କାର୍ତ୍ତିକ ମହାତ୍ମ୍ୟ, ନୀଳାଦ୍ରି ମହୋଦୟ।
  • ରାମଦାସ-ଦାଢ୍ୟତା ଭକ୍ତି, ଦାଢ୍ୟତା ଭକ୍ତି ରସାମୃତ।
  • ନୀଳାମ୍ବର ଦାସ-ପଦ୍ମ ପୁରାଣ, ଜୈମିନୀ ଭାରତ, ଦେଉଳ ତୋଲା।
  • ଅଳନ୍ଧୁଆ-କଂସ ମାୟା।
  • ଭକ୍ତ ଚରଣ ଦାସ(୧୭୨୯-୧୮୧୩)-ଗୋପମଙ୍ଗଳ, ମଥୁରା ମଙ୍ଗଳ, କଳା କଳେବର ଚଉତିଶା, ମନବୋଧ ଚଉତିଶା, ମନ ଶିକ୍ଷା।
  • ବ୍ରଜନାଥ ବଡ଼ଜେନା(୧୭୩୦-୯୫)-ବିଚକ୍ଷଣ, ଚତୁର ବିନୋଦ, କେଳି କଲାନିଧି, ତ୍ରିଭୂବନ ସୁନ୍ଦରୀ, ଛପନ ପଦିଆ, ଦଶ ପୋଇ, ବିଦେଶାନୁଚିନ୍ତା, ଚଣ୍ଡୀମାଳଶ୍ରୀ, ଜଣାଣ, କୃଷ୍ଣ ଲୀଳା, ଗୋପୀ ବିଳାସ, ଶ୍ୟାମ ରାସତ୍ସବ, ଅମ୍ବିକା ବିଳାସ, ସମର ତରଙ୍ଗ(୧୭୮୧), ରାଜନକୁ ଛଳ ଉକ୍ତି(୧୭୮୫), ରାଜସଭା(୧୭୯୧-୯୨), ଗୁଣ୍ଡିଚା ବିଜେ(୧୭୯୧)।
  • ଅଭିମନ୍ୟୁ ସାମନ୍ତ ସିଂହାର-ବିଦଗ୍ଧ ଚିନ୍ତାମଣି, ରସବତୀ(୧୭୯୧-୯୨), ପ୍ରୀତି ଚିନ୍ତାମଣି, ସୁଲକ୍ଷଣା, ପ୍ରେମ ତରଙ୍ଗିନୀ, ବାଘ ଗୀତ, ଚଢେଇ ଗୀତ, ବୋଲେ ହୁଁ, କାନ୍ଦଣା ଗୀତ ।
  • ଯଦୁମଣି ମହାପାତ୍ର(୧୭୮୧-୧୮୬୬)- ହାସ୍ୟ କଲ୍ଲୋଲ, କିଶୋର ଚନ୍ଦ୍ରାନନ ଚମ୍ପୂ, ଚନ୍ଦ୍ର କଳା।
  • ଭୀମ ଭୋଇ-ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦି ଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନ, ଶ୍ରୁତି ନିଷେଧ ଗୀତା, ନିର୍ବେଦ ସଂହିତା।
  • ଅଭିମନ୍ୟୁ ଭଞ୍ଜ-ଶ୍ରୀ ପଞ୍ଚମୀ ଗୀତ।
  • ଅନିରୁଦ୍ଧ ଛୋଟ ରାୟ-କୃଷ୍ଣ ଜନ୍ମାଷ୍ଟମୀ ବ୍ରତ।





  • https://blog.odiabook.in

    https://blog.odiabook.in/2023/08/riti-yuga-sahitya.html



    Tag:: Odia riti juga, Odia riti juga sahitya , Odia reeti juga ra itihas, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia pathshala Blogspot dot com.

    ମୁଖ୍ୟ ବିନ୍ଦୁ:: ଓଡିଆ ରୀତି ଯୁଗ, ଓଡିଆ ରୀତି ସାହିତ୍ୟ, ଓଡିଆ ରୀତି ଯୁଗର ଇତିହାସ, ଓଡିଆ ସାହିତ୍ୟ ରୀତି ଯୁଗ, ଉପେନ୍ଦ୍ର ଭଞ୍ଜ ଯୁଗର ଇତିହାସ, ଓଡିଆ ଭାଷା ସାହିତ୍ୟ, ଓଡିଆ ଭାଷା ସାହିତ୍ୟ ବ୍ଲଗ, ଓଡ଼ିଆ ଭାଷା ସାହିତ୍ୟ ବ୍ଲଗସ୍ପଟ ଡଟ କମ୍।

    Post a Comment

    2Comments

    1. ବହିଗୁଡିକର PDF ସଂଗ୍ରହ କରି ଛାଡିଲେ ଆହୁରି ବ୍ଯଲ ହୁଅନ୍ତା

      ReplyDelete
    Post a Comment