DARINGBADI OF KANDHAMAL DISTRICT TOURIST PLACES IN ODIA
କେମିତି ଯିବେ?
ଏହି ସୁନ୍ଦର ସ୍ଥାନଟି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ। ଯଦି ଆପଣ ରାଜଧାନୀ ଭୁବନେଶ୍ଵରରୁ ଦାରିଙ୍ଗବାଡ଼ି ଯିବେ ତେବେ ଆପଣଙ୍କୁ ପ୍ରାୟ ୨୬୦ କିଲୋମିଟର ଯାତ୍ରା କରିବାକୁ ପଡ଼ିବ। ବ୍ରହ୍ମପୁରରୁ ଗଲେ ୧୨୦ କିଲୋମିଟର ଯିବାକୁ ହେବ।
ଦାରିଙ୍ଗବାଡ଼ିର ମୁଖ୍ୟ ଆକର୍ଷଣ
ଶୀତଦିନେ ଦାରିଙ୍ଗବାଡ଼ିର ପ୍ରାକୃତିକ ଶୋଭାରାଜି ଖୁବ୍ ସୁନ୍ଦର ଲାଗିଥାଏ। ଘନ ଝାଉଁ ବଣ, ସୁନ୍ଦର ପାହାଡ଼, କଫି ବଗିଚା, ଗୋଲମରିଚ, ହଳଦୀ ବଗିଚା, ଡୋଲୁରୀ ନଦୀର ସୁନ୍ଦର ଝରଣା ଆଦି ଏହାର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ।
ଆଉ କ’ଣ ଦେଖିବେ?
ହିଲ୍ ଭିୟୁ ପଏଣ୍ଟ – ଏହି ସ୍ଥାନରେ ଛିଡ଼ା ହେଲେ ସମ୍ପୂର୍ଣ୍ଣ ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ଉପଭୋଗ କରିହୁଏ।
ଛଅ କିଲୋମିଟର ବ୍ୟାସ ବିଶିଷ୍ଟ ପଥର – ଏହି ପଥର ଚାପିପଟେ ଥରେ ବୁଲି ଆସିଲେ ମାନସିକ ଶାନ୍ତି ମିଳେ ବୋଲି ମାନ୍ୟତା ରହିଛି। ଏଠାରେ ଟ୍ରେକିଙ୍ଗ୍ ମଧ୍ୟ କରାଯାଏ।
ବେଲଘର ସଂରକ୍ଷିତ ସ୍ଥାନ – ଏଠାରେ ୨,୨୫୫ ଫୁଟ ଉଚ୍ଚତାରେ ୧୬୧୭୪,୪୬ ବର୍ଗ ଏକର ଘଞ୍ଚ ଜଙ୍ଗଲ ସଂରକ୍ଷିତ ହୋଇ ରହିଛି। ଏହି ଜଙ୍ଗଲରେ ବଣ୍ଡା ଆଦିବାସୀମାନେ ବସବାସ କରନ୍ତି।
ଡୋଲୁରୀ ନଦୀ – ଏହି ନଦୀରୁ ଅନେକ ଛୋଟ ବଡ଼ ଝରଣା ପ୍ରବାହିତ ହେଉଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ।
ଶୀତ ଦିନେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ପର୍ଯ୍ୟଟକମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏଠାରେ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ଫେବ୍ରୁଆରି ମାସ ଯାଏଁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ଚାଲିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ପର୍ଯ୍ୟଟକଙ୍କ ରହିବା ପାଇଁ ପଞ୍ଚତାରକା ହୋଟେଲ ଭଳି ଟେଣ୍ଟ, ଖାଦ୍ୟପେୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥା ହେବ। ତେଣୁ ଆପଣ ଚାହିଁଲେ ଇକୋ ରିଟ୍ରିଟ୍ର ଭରପୂର ମଜା ନେଇପାରିବେ।