ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୦ - କାହ୍ନୁ
ଆଲୋ ମୋ ଡୋମଣୀ ଘର କରିଅଛୁ
ସହର ବାହାରେ ଯାଇ,
ଚାହିଁ ବସିଛୁ କି ସେ ଲଣ୍ଡା ବ୍ରାହ୍ମଣ
ଦେବ କେତେବେଳେ ଛୁଇଁ ?
ମନକୁ ଘେନିଛୁ, ଜାତି ମାନେ ନାହିଁ
ତୋ ସାଥେ କରିବି ଘର,
ସ୍ତିରୀ ଆଗେ ସ୍ୱାମୀ ଲଙ୍ଗଳା ସବୁଠି
କାହ୍ନୁ ଲଙ୍ଗଳା ଫକୀର ।
ଗୋଟିଏ ପଦୁଅଁ ଫୁଟିଛି ଧରାରେ
ଚୌଷଠି ପାଖୁଡ଼ା ଘେନି,
ଉପରେ ତାହାର ଡୋମଣୀର ନାଚ
ପଲକ କାହା ପଡ଼େନି ।
ସତ କରି ମୋତେ କହିବୁ ଡୋମଣୀ
ଛୋଟିଆ ପ୍ରଶ୍ନଟି ମୋର
ଏ ପାଖରୁ ଯାଉ ସେ ପାଖରୁ ଫେରୁ
ନାଆଟି ହେଲା କାହାର ?
ମୁଁ ଏକା ଗ୍ରାହକ ବସିଛି ଏଇଠି
ବିକୁ ଲୁଗା ତନ୍ତବୁଣା,
ତୋ ସଜଡ଼ା ପେଡ଼ି ଛୁଏଁ ନାହିଁ କାଳେ
ହୋଇଯିବି ବାଟବଣା ।
ଗଳେ ହାଡ଼ମାଳା ତୋହ ପାଇଁ ସଖୀ
ପଦ୍ମମଧୁ କରେ ପାନ,
ଡୋମଣୀ ଲୋ ମୋର ମାରିଦେବି ତତେ
ନିଶ୍ଚେ ନେବି ତୋର ପ୍ରାଣ ।