Labour Day In Odia
ହଜାର ହଜାର ବର୍ଷ ଧରି ଭାରତର ଶ୍ରମିକ ବିଶ୍ୱକର୍ମା ଜୟନ୍ତି ପାଳନ କରିଆସୁଥିବା ବେଳେ ଆଧୁନିକ ଯୁଗରେ ମଧ୍ୟ ଦେଶରେ ସବୁ କଳକାରଖାନା ମାନଙ୍କରେ ଶ୍ରମିକ ମାନେ ବହୁ ଧୁମ ଧାମରେ ବିଶ୍ୱକର୍ମା ଜୟନ୍ତି ପାଳନ କରିଆସୁଛନ୍ତି । ଭାରତ ରେ ଶ୍ରମର ପ୍ରାଧାନ୍ୟ ରହିଛି । ଭାରତୀୟ ସଂସ୍କୃତିରେ ଶ୍ରମର ପ୍ରାଧାନ୍ୟ ରହିଛି । ଭାରତୀୟ ସଂସ୍କୃତିରେ କର୍ମ ଅର୍ଥାତ ଶ୍ରମକୁ ସର୍ବୋଚ୍ଚ ସ୍ଥାନ ଦିଆଜାଇଛି । ଅତଏବ ଶ୍ରମର ପ୍ରତିଷ୍ଠାର ପ୍ରତିକ ରୂପେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି ଦିବସକୁ ବିଶ୍ବକର୍ମା ଦିବସ କୁହାଯାଏ ।
ବିଶ୍ବର ଅନେକ ଦେଶ ମଇ ୧ କୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି । ସେମାନଙ୍କ ମତରେ ମଇ ୧ ଦିବସ ଶ୍ରମିକ ଏକତାର ପ୍ରତିକ ଅଟେ । କିନ୍ତୁ ବାସ୍ତବରେ ଏହା ଶ୍ରମିକ ଏକତାର ଦିନ ନୁହେଁ , ଶ୍ରମିକ ଉତଥାନ ର ଦିନ ଅଟେ । କାରଣ ଏହି ଦିନ ଇଉରୋପର ଶ୍ରମିକ ବିଶ୍ବରେ ସାମ୍ୟବାଦର ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିଲେ । ଏହି ଦିନ ସାମ୍ୟବାଦୀ ଦେଶ , ପଛୁଆ ଦେଶ ଓ ତାଙ୍କର ସମର୍ଥକ ମାନେ ମଇ ଦିବସରେ ପୁଞ୍ଜିବାଦୀ ଦେଶ ଆମେରିକା ଓ ବ୍ରିଟିଶ ଗୋଷ୍ଠିକୁ ସମାପ୍ତ କରିବାରେ ସଂକଳ୍ପ କରନ୍ତି । ଭାରତ ରେ ମଧ୍ୟ କେତେକ ଶ୍ରମିକ ସଂଗଠନ ଏହି ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି । ମଇ ୧ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ଦ୍ବାରା ଗୋଟିଏ ଗୋଟିଏ କର୍ମ ସଂସ୍ଥାରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ପତାକା ତଳେ ସଭା ମାନ କରନ୍ତି । ବଡ ଜୋର୍ ରେ ଦୂନିଆର ଶ୍ରମିକ ଏକ ହୁଅ ବୋଲି କହନ୍ତି । ସେହି ଶ୍ରମିକ ସଂଗଠନ ଗୁଡିକୁ ପଚାରିବା ଉଚିତ ଯେ ଯେତେବେଳେ ଗୋଟିଏ କର୍ମସଂସ୍ଥାରେ ଶ୍ରମିକ ଏକ ହୋଇ ପାରୁନାହାନ୍ତି ସେତେବେଳେ ଏହି ମଇ ଦିବସକୁ ଶ୍ରମିକ ଏକତାର ଦିବସ ମାନିବା କେତେ ଦୂର ଯଥାର୍ଥ । ଏହା ବିଚ୍ଛିନ୍ନତା ନୁହେଁତ ?
୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ଶ୍ରମିକ ମାନଙ୍କର ଶୋଭାଯାତ୍ରା ବାହାରି ଥିଲା । ଯେଉଁଥିରେ ପୁଲିସ ଗୁଳିରେ କିଛି ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ସେହି ଶ୍ରମିକଙ୍କ ସ୍ମୃତିରେ ମଇ ୧ କୁ ଶ୍ରମିକ ଦିବସ ରୁପେ ପଳନ କରାଯାଏ । କିନ୍ତୁ ଆମେରିକାରେ ସେପ୍ଟେମ୍ବର ମାସ ପ୍ରଥମ ସୋମବାରକୁ ଶ୍ରମିକ ଦିବସ ରୂପେ ପାଳନ କରିବାର ପ୍ରଥା ରହିଛି । ମଇ ୧ ଭାରତର ଶ୍ରମିକଙ୍କ ସହିତ କୌଣସି ସଂପର୍କ ନାହିଁ । ମାତ୍ର ମଇ ୧ କୁ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରୂପେ ପାଳନ କରାଯାଇ ପାରେ । ଭାରତରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ମଇ ୧ ନୁହେଁ ବରଂ ପୂରୁଣା କାଳରୁ ଚଳିଆସୁଥିବା ବିଶ୍ବକର୍ମା ଦିବସ ହିଁ ପ୍ରକୃତ ଶ୍ରମିକ ଦିବସ ଅଟେ ।
ଆମ୍ଭ ଦେଶର ନେତା ମାନଙ୍କର ଆତ୍ମ ବିଶ୍ବାସ ଓ ରାଷ୍ଟ୍ରୀୟ ସ୍ବାଭିମାନ ର ଅଭାବ ଯୋଗୁ କେତେକ ପାଶ୍ଚାତ୍ୟ ରୀତୀ ନୀତି କୁ ଆପଣେଇ ନିଆଯାଇଛି ଓ ମଇ ଦିବସ ସେଥିରୁ ଗୋଟିଏ । ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୂକରଣ ପ୍ରବୃତ୍ତିକୁ ଛାଡି ରାଷ୍ଟ୍ରିୟ ଭାବନାରେ ପରିପୂର୍ଣ୍ଣ , ତ୍ୟାଗ ଏବଂ ବଳିଦାନର ପ୍ରେରଣା ଦେଉଥିବା ବିଶ୍ବକର୍ମା ଦିବସ କୁ ହିଁ ଭାରତର ଶ୍ରମିକ ରାଷ୍ଟ୍ରିୟ ଶ୍ରମିକ ଦିବସ ରୂପରେ ପୁନଃ ପ୍ରତିଷ୍ଠା କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ ।