ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ଜୀବନୀ | PINDIKI BAHUBALENDRA BIOGRAPHY IN ODIA

@_ustad
0

ପିଣ୍ଡିକି ବାହୁବଳେନ୍ଦ୍ର - Pindiki Bahubalendra Biography In Odia:
ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଦାରୁଠେଙ୍ଗା ଗାଁର ଦଲାଇ (ପାଇକ ସ୍ଥାନୀୟ ଦଳପତି) ଥିଲେ।  ସେ ପାଇକ ବିଦ୍ରୋହରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

    • Pindiki Bahubalendra -ପିଣ୍ଡିକି ବାହୁବଳେନ୍ଦ୍ର
    • ଜନ୍ମ -୧୭୨୮
    • ମୃତ୍ୟୁ-୧୮୨୧
    • ସକ୍ରିୟ ବିଦ୍ରୋହ - ପାଇକ ବିଦ୍ରୋହ

ପରାଧୀନତାର ଶୃଙ୍ଖଳରେ ହାତ ଗୋଡ ବାନ୍ଧି ବସିଥିବା ଭାରତରେ ଟିକେ ସ୍ବାଧୀନତାରେ ନିଶ୍ବାସ ମାରୁଥିବା ରାଇଜଟି ଥିଲା ଓଡିଶା। ଖୋର୍ଦ୍ଧା ସେତେବେଳେ ରାଜଧାନୀ। କିନ୍ତୁ ଉତ୍କଳକୁ କରାୟତ୍ତ କରିବାକୁ ଇଂରେଜ ସରକାର ପ୍ରାଣପଣେ ଚେଷ୍ଟା କରୁଥାନ୍ତି। କଳେ ବଳେ କୌଶଳେ ଉତ୍କଳରେ ଫିରିଙ୍ଗି ପତାକା ଉଡାଇବାକୁ ଚାଲିଥାଏ ପ୍ରୟାସ।

କିନ୍ତୁ କଣ୍ଟା ହୋଇଥାନ୍ତି, ପିଣ୍ଡିକି ବାହୁବଳେନ୍ଦ୍ର। ଭାରତ ସ୍ବାଧୀନତା ସଂଗ୍ରାମ କଥା ପଡିଲେ ମନେ ପଡନ୍ତି ପିଣ୍ଡିକି। ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ। ଯାହାଙ୍କୁ ସମ୍ମୁଖ ଯୁଦ୍ଧରେ ପାରିଲେନି ଇଂରେଜ ସରକାର। ହାତୀକୁ ଟ୍ରାଙ୍କୁଲାଇଜର ଦେଇ ଆୟତ୍ତ କରିବା ଭଳି ପିଣ୍ଡିକିଙ୍କୁ ଖାଇବାରେ ନିଶା ଦେଇ ଗିରଫ କଲେ ପୁଲିସ୍। ଆସନ୍ତୁ ଜାଣିବା ଏହି ସୁଯୋଗ୍ୟ ସନ୍ତାନଙ୍କ ସମ୍ପର୍କରେ।

୧୮୦୬ ମସିହା ଡିସେମ୍ବର ୬ ତାରିଖ ଥିଲା ଓଡ଼ିଶା ପାଇଁ କଳଙ୍କର ଦିନଟିଏ। ଗଜପତିଙ୍କ ରାଜଗୁରୁ ଜୟୀ ରାଜଗୁରୁଙ୍କୁ ବାଲେଶ୍ୱରର ମେଦିନପୁରର ବାଘତୋଟା ନାଳ କୂଳରେ ଫାଶି ଦିଆଗଲା। ବରଗଛରେ ଦୁଇଫାଳ ହେଲେ ଜୟୀ। ହେଲେ ଉତ୍କଳରେ ସ୍ବାଧୀନ ହେବାର ଚିନ୍ତା ଜମାଟ ବାନ୍ଧୁଥାଏ। 

ରାଜଗୁରୁ ସହିଦ ହେବାର ୧୧ ବର୍ଷ ପରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ସ୍ୱାଧୀନତା ସଂଗ୍ରାମକୁ ନୂଆରୂପେ ପରିଚାଳନା କରନ୍ତି। ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ ପ୍ରଭୃତ୍ତି ଅଞ୍ଚଳରୁ ପାଇକମାନେ ସାମିଲ ହୁଅନ୍ତି ବକ୍ସିଙ୍କ ସହ। ଲୁଚି ଛପି ଗରିଲା ଯୁଦ୍ଧର ସହାୟତା ନେଇ ବିଦ୍ରୋହ ବଢିଚାଲେ।

ଦାରୁଠେଙ୍ଗା ରାଜଧାନୀ ଭୁବନେଶ୍ବରର ଗୋଟିଏ ଅଂଶ । ଏଇଠି ଦଳେଇ ପଦରେ ନିଯୁକ୍ତ ଥାଆନ୍ତି ପିଣ୍ଡିକି ବାହୁବଳେନ୍ଦ୍ର। ଗଜପତିଙ୍କ ସୁରକ୍ଷା ଓ ଇଂରେଜଙ୍କ ସମ୍ପତ୍ତି ଲୁଟିବାରେ ପିଣ୍ଡିକି ଥିଲେ ସିଦ୍ଧହସ୍ତ। ଏମିତି କେଉଁ ଫିରିଙ୍ଗି ଗାଡି ନାହିଁ, ଯାହା ଗଲାବେଳେ ପିଣ୍ଡିକି ଲୁଟି ନାହାଁନ୍ତି। ସବୁଦିନର ଏ ଲୁଟପାଟ୍‌ ଇଂରେଜମାନଙ୍କୁ ଆତଙ୍କିତ କରି ରଖିଥାଏ। ଆଉ ଶେଷରେ କୁଟନୀତିର ଆଶ୍ରୟ ନେଇ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରେ ଫିରିଙ୍ଗି ସେନା।    

ହେଲେ ଧରା ଦିଅନ୍ତିନି ପିଣ୍ଡିକି। ହେଲେ ୨ୟ ଥର ପ୍ରଚେଷ୍ଟାରେ ଅତି କୁତ୍ସିତ ଚିନ୍ତା କରେ ପୁଲିସ।  ୧୮୧୮ ସେପେଟମ୍ବର ୨୦ ତାରିଖ ଅନ୍ଧାରୁଆ ମଳିପଡାର ଜମିଦାର ଧ୍ରୁବ ଜୟ ହରିଚନ୍ଦନଙ୍କ ଘରକୁ ଡାକରା ହୋଇ ଆସନ୍ତି ପିଣ୍ଡିକି। ଧ୍ରୁବ ସମ୍ପର୍କରେ ତାଙ୍କ ସଙ୍ଗାତ। ସେଥିପାଇଁ ସନ୍ଦେହର ଅବକାଶ ନ ଥାଏ। କିନ୍ତୁ ଇଂରେଜ ପୁଲିସର ପ୍ରରୋଚନାରେ ଖାଇବାରେ ନୀଶା ଦେଇ ପୁଲିସ ପିଣ୍ଡିକିଙ୍କୁ ଗିରଫ କରି କଟକ ନେଇଯାଏ।

ଜେଲରେ ଥିବା ବେଳେ ତାଙ୍କୁ ମିଳେ ଖଣ୍ଡା ସଫେଇ କରିବାର ଦାୟିତ୍ବ। ହେଲେ ବୀର କେବେ ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇ ରହିପାରେନି। ସେଥିପାଇଁ ସେଇ ଖଣ୍ଡାରେ ବେଡି କାଟି ନଈକୁ ଡେଇଁ ପଡନ୍ତି ପିଣ୍ଡିକି।

ହେଲେ ଏଥର ତାଙ୍କୁ ମୃତ୍ୟ ଅପେକ୍ଷା କରିଥାଏ। ଇଂରେଜ ଗୁଳୀରେ ସହିଦ୍ ହୁଅନ୍ତି ପିଣ୍ଡିକି ବାହୁବଳେନ୍ଦ୍ର, ଏ ଜାତୀର ମହାନ୍‌ ଦୀପଶିଖା ଲିଭିଯାଏ।

ସମୟ ଗଡିଛି। ଦେଶ ସ୍ବାଧୀନତା ପାଇଛି। ହେଲେ ପିଣ୍ଡିକିଙ୍କ ତ୍ୟାଗ, ବଳିଦାନ ଆଉ ବୀରତ୍ବ ଗାଥା ଶୁଣିଲେ ଓଡିଆଟାଏର ଛାତି ଆଜି ବି କୁଣ୍ଢେମୋଟ ହୋଇଯାଏ।

Tag: ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ଜୀବନୀ , Pindiki Bahubalendra Biography in Odia, ପାଇକ ବିଦ୍ରୋହ, Paika Rebellion Odisha, Pindiki Bahubalendra

Post a Comment

0Comments

Post a Comment (0)