ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଙ୍କ ପ୍ରସିଦ୍ଧ ଅଭିଭାଷଣ - ମୋର ଏକ ସ୍ୱପ୍ନ ଅଛି

@_ustad
0

ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଙ୍କ ପ୍ରସିଦ୍ଧ ଅଭିଭାଷଣ 'ମୋର ଏକ ସ୍ୱପ୍ନ ଅଛି'

ଅନୁବାଦକ - ଶ୍ରୀମନ୍ତ ମହାନ୍ତି

ଆଜି ମୁଁ ଆପଣଙ୍କ ସହ ମିଶି ଅତ୍ୟନ୍ତ ଖୁସି । ଆଜିର ଦିନ ଆମ ଜାତିର ଇତିହାସରେ ମୁକ୍ତି ପାଇଁ ମହାନ ଆବେଗ ପ୍ରକାଶର ଦିନ ଭାବେ ଲେଖାଯିବ ।

ଶହେ ବର୍ଷ ତଳେ, ଜଣେ ମହାନ୍ ଆମେରିକୀୟ, ଯାହାଙ୍କର ପ୍ରତୀକାତ୍ମକ ଛାୟା ତଳେ ଆମେ ଆଜି ରୁଣ୍ଢ ହୋଇଛେ, ମୁକ୍ତିର ଘୋଷଣାପତ୍ରରେ ସନ୍ତକ କରିଥିଲେ । ସେହି ମହାନ୍ ଘୋଷଣା, ଅନ୍ୟାୟର ନିଆଁରେ ଜଳି ପୋଡ଼ି ମରୁଥିବା ଲକ୍ଷ ଲକ୍ଷ ନିଗ୍ରୋ ଦାସମାନଙ୍କ ପାଇଁ ବତୀଘର ହୋଇ ଆଶାର ଆଲୋକ ଦେଖାଇ ଥିଲା । ସେମାନଙ୍କର ବନ୍ଧନର ଲମ୍ବା ରାତିକୁ ଭାଙ୍ଗିବା ପାଇଁ ଏହା ଆନନ୍ଦର ସୂର୍ଯ୍ୟାଲୋକ ଭଳି ଆସିଥିଲା ।

ମାତ୍ର ଶହେ ବର୍ଷ ପରେ ମଧ୍ୟ ଆଜି ବି ନିଗ୍ରୋ ମୁକ୍ତ ନୁହେଁ । ନିଗ୍ରୋର ଜୀବନ ଜାତିଗତ ବୈଷମ୍ୟର ବନ୍ଧନରେ । ଏବେ ବି ସେମାନେ ଗୋଡ଼ ହାତ ବାନ୍ଧି ହୋଇ ଦୁଃଖରେ ପଡ଼ି ରହିଛନ୍ତି । ଶହେ ବର୍ଷ ପରେ ମଧ୍ୟ ଭୌତିକ ପ୍ରାଚୁର୍ଯ୍ୟର ବିରାଟ ମହାସାଗରର ମଝିରେ ନିଗ୍ରୋ ଦାରିଦ୍ର୍ୟର ଏକ ନିସଙ୍ଗ ଦ୍ୱିପରେ ଜୀବନ କାଟୁଛି । ଶହେ ବର୍ଷ ପରେ ମଧ୍ୟ ଆମେରିକାର ସମାଜର କୌଣସି ଏକ କୋଣରେ ନିଗ୍ରୋ ଏବେ ବି ଅସହାୟ ହୋଇ ପଡ଼ି ରହିଛି । ନିଜ ମାଟିରେ ସେ ନିଜକୁ ନିର୍ବାସିତ ମନେ କରୁଛି । ସେଥିପାଇଁ ଆମେ ଏଠାକୁ ଆସିଛୁ  –  ଏହି ଲଜ୍ୟାଜନକ ପରିସ୍ଥିତିର ପରିବର୍ତ୍ତନ ପାଇଁ ।

ଯେତେବେଳେ ଆମ ପ୍ରଜାତନ୍ତ୍ରର ନିର୍ମାତାମାନେ ସମ୍ବିଧାନ ଓ ସ୍ୱାଧୀନତାର ଘୋଷଣାପତ୍ରର ମନ୍ତ୍ରମୁଗ୍ଧ ଶବ୍ଦମାନ ଲେଖିଥିଲେ, ସେମାନେ ଏକ ପ୍ରତିଶୃତି ଦେଇ ଯାଇଥିଲେ, ଯାହାର ଦାୟାଦ ହେଉଛନ୍ତି ପ୍ରତ୍ୟେକ ଆମେରିକୀୟ । ଏହି ପ୍ରତିଶୃତି ଥିଲା ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର – ହଁ ଉଭୟ କଳା ଓ ଗୋରା ବ୍ୟକ୍ତିଙ୍କର – ଜୀବନ, ସ୍ୱାଧୀନତା ଓ ଆନନ୍ଦରେ ବଞ୍ଚିବାର ଅଧିକାରକୁ ସୁରକ୍ଷିତ ରଖାଯିବ ।

ଆଜି ଏହା ସ୍ପଷ୍ଠ ଯେ, ଆମେରିକା ତା’ର ନାଗରିକମାନଙ୍କର ବର୍ଣ୍ଣକୁ ନେଇ ଏହି ପ୍ରତିଶୃତିକୁ ରକ୍ଷା କରିପାରି ନାହିଁ । ନିଜେ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ବଦଳରେ ଆମେରିକା ନିଗ୍ରୋମାନଙ୍କୁ ଏକ ମିଛ ବ୍ୟାଙ୍କ ଚେକ୍ ଦେଇଛି, ଯାହା ଅର୍ଥାଭାବରୁ ଫେରି ଆସିଛି ।

କିନ୍ତୁ ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ନ୍ୟାୟର ବ୍ୟାଙ୍କ ଦେବାଳିଆ ହୋଇଯାଇଛି । ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ଏହି ଜାତିର ସୁଯୋଗର ବିରାଟ ଛାତ ତଳେ ଅର୍ଥର ଅଭାବ ରହିଛି । ଏବଂ ସେଥି ପାଇଁ ଆମେ ଏହି ଚେକ୍‌କୁ ଭଙ୍ଗାଇବା ପାଇଂ ଆସିଛୁ । ଏହି ଚେକ୍ ଆମକୁ ମୁକ୍ତିର ପ୍ରାଚୁର୍ଯ୍ୟ ଓ ନ୍ୟାୟର ସୁରକ୍ଷା ଦେବ । ଆଜିର ଚରମ ଆବଶ୍ୟକତାଗୁଡ଼କୁ ଆମେରିକାକୁ ମନେପକାଇ ଦେବାକୁ ଆମେ ଏହି ପବିତ୍ର ସ୍ଥାନକୁ ଆସିଛୁ । 

ବର୍ତ୍ତମାନ ସମୟ ଆସିଛି, ଗଣତନ୍ତ୍ରର ଶପଥ ନେବା ପାଇଁ । ବର୍ତ୍ତମାନ ସମୟ ଆସିଛି, ଅନ୍ଧାରରୁ ବାହାରି ଆସିବାର – ଦୁଃସ୍ଥ ବିଭାଜନର ଉପତ୍ୟକାରୁ ଆଲୋକଭରା ଜାତିଗତ ନ୍ୟାୟର ପଥକୁ ଆସିବାର । ବର୍ତ୍ତମାନ ସମୟ ଆସିଛି, ଜାତିଗତ ଅନ୍ୟାୟର ଚୋରାବାଲିରୁ ଦେଶକୁ ଉଦ୍ଧାର କରି ଭାତୃତ୍ୱର ଶକ୍ତ ଚଟାଣ ଉପରେ ଠିଆ କରିବାର । ବର୍ତ୍ତମାନ ସମୟ ଆସିଛି, ଇଶ୍ୱରଙ୍କ ପ୍ରତ୍ୟେକ ସନ୍ତାନଙ୍କୁ ପ୍ରକୃତ ନ୍ୟାୟ ଦେବାର ।

ସ୍ୱାଧୀନତା ଓ ସମାନତାର ଶୀତଳ ବସନ୍ତ ପବନ ନ ବୋହିବା ପର୍ଯ୍ୟନ୍ତ ନିଗ୍ରୋମାନଙ୍କର ଯଥାର୍ଥ ଅସନ୍ତୋଷର ଝାଳୁଆ ବୈଶାଖୀ ଶେଷ ହେବ ନାହିଁ । ୧୯୬୩ ଶେଷ ନୁହେଁ, ଆରମ୍ଭ ମାତ୍ର । ନିଗ୍ରୋମାନେ ନାଗରିକତାର ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମେରିକାରେ ଶାନ୍ତି କିମ୍ବା ସ୍ଥିରତା ରହିବ ନାହିଁ । ନ୍ୟାୟର ଉଜ୍ଜଳ ଆଲୋକ ଉଦ୍‌ଭାସିତ ନ ହେବା ପର୍ଯ୍ୟନ୍ତ, ବିଦ୍ରୋହର ଘୂର୍ଣ୍ଣିଝଡ଼ରେ ଦେଶର ମୂଳଭିତ୍ତି ଦୋହଲୁଥିବ ।

ମୁଁ କିନ୍ତୁ ମୋ ଲୋକଙ୍କୁ କିଛି କଥା କହିବାକୁ ନିଶ୍ଚୟ ଚାହିଁବି, ଯେଉଁମାନେ ନ୍ୟାୟର ପ୍ରାସାଦର ଦ୍ୱାରଦେଶରେ ଦଣ୍ଡାୟମାନ । ଆମେ ଆମ ନ୍ୟାର୍ଯ୍ୟ ସ୍ଥାନ ପାଇବା ପାଇଁ ଯେପରି କିଛି ଭୂଲ କରି ନ ବସୁ । ସ୍ୱାଧୀନତାର ତୃଷ୍ଣା ମେଣ୍ଟାଇବା ପାଇଁ ଯେପରି ଆମେ ଘୃଣାର ନର୍ଦ୍ଦମା ପାଣିକୁ ପିଇ ନଦେଉ । ଆମେ ଯେପରି ସବୁବେଳେ ଆମ ସଙ୍ଗ୍ରାମକୁ ଉଚ୍ଚତର ଆତ୍ମସମ୍ମାନ ଓ ଶୃଙ୍ଖଳାର ସହ ଚଳାଇ ରଖୁ । ଯେପରି ଆମ ସୃଜନଶୀଳ ପ୍ରତିବାଦ ଶାରୀରିକ ହିଂସାକୁ ଖସି ନଆସେ । ଶାରୀରିକ ବଳ ସହ ଆତ୍ମିକ ବଳକୁ ମିଶାଇ ଆମେ ଯେପରି ଆମର ଗାରିମାକୁ ଉଚ୍ଚରୁ ଉଚ୍ଚତରକୁ ନେଇ ଯିବୁ । 

ନିଗ୍ରୋ ସମ୍ପ୍ରଦାୟ ଭିତରେ ଯେଉଁ ଚମତ୍କାର ନୂଆ ବୀରତ୍ୱ ଦେଖାଦେଇଛି, ତାହା ସମସ୍ତ ଗୋରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଠି ନ କରୁ । ଅନେକ ଗୋରା ଭାଇମାନେ ବୁଝିଲେଣି ଯେ ସେମାନଙ୍କ ଭବିଷ୍ୟତ ଆମ ଭବିଷ୍ୟତ ସହ ବନ୍ଧା । ସେମାନେ ବୁଝିଲେଣି ଯେ, ସେମାନଙ୍କର ସ୍ୱାଧୀନତା ଆମ ସ୍ୱାଧୀନତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ, ଆମେ ଏକାକୀ ଚାଲି ପାରିବୁ ନାହିଁ ।

ଆମେ ଚାଲିଛୁ, ସେଥିପାଇଁ ସବୁବେଳେ ଆଗକୁ ଚାଲିବା ପାଇଁ ଆମକୁ ଶପଥ କରିବାକୁ ହେବ । ଆମେ ପଛକୁ ଫେରି ପାରିବୁ ନାହିଁ । ନାଗରିକ ଅଧିକାର ପାଇଁ ଉତ୍ସଗୀକୃତମାନଙ୍କୁ ସେମାନେ ପ୍ରଶ୍ନ କରୁଛନ୍ତି, “ତୁମେ କେବେ ସନ୍ତୁଷ୍ଣ ହେବ?” । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ନିଗ୍ରୋମାନେ ପୋଲିସର ଅକଥନୀୟ ଅତ୍ୟାଚାରର ଶୀକାର ହେଉଥିବେ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମ ଶରୀର ବୁଲିବୁଲି ରାସ୍ତାକଡ଼ର ପାନ୍ଥଶାଳାରେ ଓ ସହରର ଯାତ୍ରୀଘରେ ରହିବାକୁ ନ ପାଇ କ୍ଲାନ୍ତିରେ ଭାଙ୍ଗି ପଡୁଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମର ପିଲାମାନଙ୍କୁ “କେବଳ ଗୋରାମାନଙ୍କ ପାଇଁ” କହି ସେମାନଙ୍କର ବ୍ୟକ୍ତିତ୍ୱକୁ ବିବସ୍ତ୍ର କରାଯାଉଥିବ ଏବଂ ଆତ୍ମସମ୍ମାନକୁ ଲୁଣ୍ଠନ କରାଯାଉଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ମିସିସିପିର ଜଣେ ନିଗ୍ରୋ ଭୋଟ ଦେବାରୁ ବଞ୍ଚିତ ହେଉଥିବ ଏବଂ ନ୍ୟୁୟର୍କର ଜଣେ ନିଗ୍ରୋ ଭାବୁଥିବ ଯେ ତା’ର ଭୋଟ ଦେବାର କିଛି ଅର୍ଥ ନାହିଁ । 

ନା ନା ଆମେ ସନ୍ତୁଷ୍ଟ ନୋହୁଁ । ଆମେ ସନ୍ତୁଷ୍ଟ ନୋହୁଁ ଯେ ପର୍ଯ୍ୟନ୍ତ ନ୍ୟାୟ ପାଣି ପରି ବୋହି ନ ଆସିଛି, ଯେ ପର୍ଯ୍ୟନ୍ତ ଉଚିତ୍ ଅଧିକାର ଖର ସ୍ରୋତ ଭଳି ବୋହି ନ ଆସିଛି ।

ମୁଁ ଭୂଲି ନାହିଁ ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ଲମ୍ବା ବିଚାରର ପ୍ରକ୍ରିୟା ପରେ ଏଠାକୁ ଆସିଛନ୍ତି । ଅନେକ କାରାଗାରର କାଳ କୋଠରୀରୁ ନିକଟରେ ଫେରିଛନ୍ତି । ଅନେକ ଏପରି ଅଞ୍ଚଳରୁ ଆସିଛନ୍ତି, ଯେଉଁଠି ମୁକ୍ତିର ଅନ୍ୱେଷଣ ପାଇଁ ଆପଣ ପୋଲିସର ଅତ୍ୟାଚାରରେ ହତବାକ ଓ ନିର୍ଯ୍ୟାତନାର ଝଡରେ କ୍ଷତାକ୍ତ ହୋଇଛନ୍ତି । ନୂତନ ନୂତନ ଅତ୍ୟାଚାର ଆପଣଙ୍କୁ ମହିମାନ୍ୱିତ କରିଛି । ଅନର୍ଜିତ ଦୁଃଖ-ଦୁର୍ଦଶାରୁ ମୁକ୍ତିର ବିଶ୍ୱାସ ସହ ଆମକୁ କ୍ରମାଗତ ଭାବେ କାର୍ଯ୍ୟ କରିଯିବାକୁ ହେବ ।

ଏବେ ଆଉ ନୈରାସ୍ୟର ଉପତ୍ୟାକାରେ ଆମେ ଲୋଟିବାନି । ଆଜି ମୁଁ ଆପଣମାନଙ୍କୁ, ମୋର ବନ୍ଧୁମାନଙ୍କୁ କହିବି – ଯଦିଓ ବର୍ତ୍ତମାନ ଆମେ ବହୁ ଅସୁବିଧା ଭୋଗୁଛେ, ତଥାପି ମୋର ଏକ ସ୍ୱପ୍ନ ଅଛି । ଏହି ସ୍ୱପ୍ନ ଆମେରିକୀୟ ସ୍ୱପ୍ନ ସହ ଗଭୀର ଭାବେ ଯୁକ୍ତ ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ଏ ଜାତି ଉଠିବ ଏବଂ ତା’ର ବିଶ୍ୱାସର ପ୍ରକୃତ ଅର୍ଥରେ ଜୀଇବ : “ଆମେ ଏହି ସ୍ୱତଃସିଦ୍ଧ ସତ୍ୟକୁ ତୋଳିଧରୁ ଯେ ସବୁ ମଣିଷ ଜନ୍ମଗତ ଭାବେ ସମାନ”।

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଜର୍ଜିଆର ଲାଲ ପାହାଡ଼ ଉପରେ ପୂର୍ବତନ ଦାସଙ୍କର ସନ୍ତାନମାନେ ଓ ପୂର୍ବତନ ଦାସ-ମାଲିକଙ୍କର ସନ୍ତାନମାନେ ଭାତୃତ୍ୱର ମେଜ ଚାରିପାଖେ ଏକାଠି ବସିବାକୁ ସମର୍ଥ ହେବେ ।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଅନ୍ୟାୟ ଓ ଅତ୍ୟାଚାରର ଉତ୍ତାପରେ ସନ୍ତୁଳିତ ମିସିସିପି ରାଜ୍ୟ ନ୍ୟାୟ ଓ ମୁକ୍ତିର ମହାସାଗରରେ ପରିଣତ ହେବ ।

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ମୋର ଚାରିଜଣଯାକ ସନ୍ତାନ ଏପରି ଏକ ଦେଶରେ ବାସ କରିବେ, ଯେଉଁଠି ସେମାନଙ୍କୁ ନିଜର ବର୍ଣ୍ଣକୁ ନେଇ ନୁହେଁ, ବରଂ ସେମାନଙ୍କର ଚରିତ୍ରକୁ ନେଇ ମୂଲ୍ୟାୟିତ କରାଯିବ ।

ମୋର ଆଜି ଏକ ସ୍ୱପ୍ନ ଅଛି ।
ମୋର ଏକ ସ୍ୱପ୍ନ ଅଛି ଯେ, ଭୟଙ୍କର ବର୍ଣ୍ଣବାଦ ଥିବା ଅଲାବାମାରେ ହିଁ ଦିନେ ଛୋଟଛୋଟ କଳା ଶିଶୁମାନେ ଗୋରା ଶିଶୁମାନଙ୍କ ସହ ହାତ ଧରାଧରି ହୋଇ ଭାଈ-ଭଉଣୀ ଭାବେ ଖେଳି ପାରିବେ ।

ମୋର ଆଜି ଏକ ସ୍ୱପ୍ନ ଅଛି ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ସମସ୍ତ ଉପତ୍ୟାକା ଉପରକୁ ଉଠିବ ଏବଂ ପ୍ରତ୍ୟେକ ପାହାଡ, ପର୍ବତ ନୀଚ ହେବ, ଉଚ୍ଚା-ନୀଚ୍ଚା ସ୍ଥାନ ସବୁ ସମାନ ହେବ ଓ ଅଙ୍କାବଙ୍କା ରାସ୍ତା ସବୁ ସିଧା ହେବ ଏବଂ ଇଶ୍ୱରଙ୍କ ଯଶ ପ୍ରଦର୍ଶିତ ହେବ ଓ ସବୁ ମଣିଷ ଏକାଠି ଏହାକୁ ଦେଖିବେ ।

ଏହା ହେଉଛି ଆମର ଆଶା । ଏହା ବିଶ୍ୱାସ ଯେ, ଏହି ବିଶ୍ୱାସ ନେଇ ମୁଁ ଦକ୍ଷିଣକୁ ଫେରିଯିବି । ଆମେ ନୈରାଶ୍ୟର ପାହାଡ଼କୁ ଭାଙ୍ଗି ଆଶାର ପଥର ନିର୍ମାଣ କରି ପାରିବୁ । ଏହି ବିଶ୍ୱାସକୁ ନେଇ ଆମ ଜାତିର କଦାକାର କର୍କଶ ସ୍ୱରକୁ ଭାତୃତ୍ୱର ସୁନ୍ଦର ସଙ୍ଗୀତରେ ପରିଣତ କରି ଦେଇ ପାରିବୁ । ଏହି ବିଶ୍ୱାସକୁ ନେଇ ଆମେ ଏକାଠି କାମ କରି ପାରିବୁ, ଏକାଠି ପ୍ରାଥନା କରି ପାରିବୁ, ଏକାଠି ସଙ୍ଘର୍ଷ କରି ପାରିବୁ, ଏକାଠି ବନ୍ଦୀଶାଳାକୁ ଯାଇ ପାରିବୁ, ଏକାଠି ମୁକ୍ତି ପାଇଁ ଠିଆ ହୋଇ ପାରିବୁ – ଏହା ଜାଣି ଯେ ଆମେ ଦିନେ ମୁକ୍ତ ହେବୁ ।

ଦିନ ଆସିବ, ଦିନ ଆସିବ, ଯେତେବେଳେ ଇଶ୍ୱରଙ୍କ ସମସ୍ତ ସନ୍ତାନମାନେ ନୂଆ ଅର୍ଥ ସହ ଗାଇବାକୁ ସମର୍ଥ ହେବେ:
“ମୁଁ ଗାଏ ମୋର ଏ ଦେଶ, ମୁକ୍ତିର ମଧୁର ମାଟିବାପା ମୋର ମରିଥିଲେ ଯହିଁ, ପବିତ୍ର ସେହି ମାଟିପ୍ରତିଟି ପାହାଡର ଉହାଡରୁ 
ଭାସି ଆସୁ ସ୍ୱାଧୀନତାର ଗୀତି । ”

କୋଲୋରାଡୋର ବରଫାବୃତ ପଥରରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କାଲିଫର୍ଣ୍ଣିଆର ତରଙ୍ଗମୟ ମାଳ ଅଞ୍ଚଳରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କେବଳ ସେତିକି ନୁହେଁ,
ଜର୍ଜିଆର ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।
ଟେନ୍ସେସିର ଲୁକ୍‌ଆଉଟ୍ ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।

ଭାସିଆସୁ ସ୍ୱାଧୀନତାର ଗୀତି । 

ଏବଂ ଯେତେବେଳେ ଏହା ଘଟିବ ଓ ଆମେ ଯେତେବେଳେ ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା – ଯେତେବେଳେ ଆମେ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଡ଼ା, ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହରରୁ ଏହି ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା, ଆମେ ସେହି ଦିନକୁ ତ୍ୱରାନ୍ୱତି କରିବା ଯେଉଁ ଦିନ ଇଶ୍ୱରଙ୍କ ସମସ୍ତ ସନ୍ତାନ – କଳା ଓ ଗୋରା, ଇହୁଦି ଓ ଅଣ-ଇହୁଦି, ପ୍ରୋଟେଷ୍ଟାଣ୍ଟସ୍ ଓ କ୍ୟାଥଲିକ୍ – ହାତରେ ହାତ ମିଳାଇ ପୁରୁଣା ସେହି ନିଗ୍ରୋ ଭାବାବେଗର ଗୀତ ଗାଇବେ:

“ଶେଷରେ ମୁକ୍ତ ! ଶେଷରେ ମୁକ୍ତ ! ଧନ୍ୟବାଦ ହେ ସର୍ବଶକ୍ତିମାନ ଭଗବାନ, ଶେଷରେ ଆମେ ମୁକ୍ତ !”
ଅନୁବାଦକୀୟ ଟୀକା: ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହାନ୍ ନାଗରିକ ଅଧିକାର ଯୋଦ୍ଧା । ଆମେରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସଙ୍ଗ୍ରାମରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଅହିଂସା ଓ ମାନବବାଦର ସାଧକ ମାର୍ଟିନ ଲୁଥର ନାଗରିକ ଅଧିକାର, କଳା ଲୋକଙ୍କର ସମାନ ଅଧିକାର, ଭିଏତ୍‌ନାମ୍ ଯୁଦ୍ଧ ବିରୋଧୀ ଆନ୍ଦୋଳନ ତଥା ଶ୍ରମଜୀବୀ ଦରିଦ୍ର ଲୋକଙ୍କର ସ୍ୱରକୁ ଦୃଢ଼ତାର ସହ ଉତ୍ତୋଳିତ କରିଥିଲେ । ଏପ୍ରିଲ ୪, ୧୯୬୮ରେ ସେ ମାତ୍ର ୩୯ ବର୍ଷ ବୟସରେ ଜଣେ ଅଜଣା ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ମ୍ୟାଟିନ ଲୁଥରଙ୍କ ଉପରୋକ୍ତ ବକ୍ତବ୍ୟ ସେ ଅଗଷ୍ଟ ୨୮, ୧୯୬୩ରେ ୱାସିଙ୍ଗଟନ୍‌ର ଲିଙ୍କନ ମେମୋରିଆଲ୍‌ରେ ଅନୁଷ୍ଠିତ ନିଯୁକ୍ତି ଓ ମୁକ୍ତି ସମାବେଶରେ ଏକାଠି ହୋଇଥିବା ଦୁଇ ଲକ୍ଷ ଜନତାଙ୍କୁ ଦେଇଥିଲେ, ଯାହାକୁ ଆଜି ମଧ୍ୟ ବିଶ୍ୱର ଅନ୍ୟତମ ଉତ୍କୃଷ୍ଟ ବକ୍ତବ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ସେ ଏକ ନ୍ୟାୟ ଓ ସମତାପୂର୍ଣ୍ଣ ଆମେରିକାର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ ।

Post a Comment

0Comments

Post a Comment (0)