ବଣ୍ଡା ଓ ଗାଦବା ଦୁଇ ଭାଇ-ବଣ୍ଡା ଜନଜାତି ମାନଙ୍କର କିମ୍ବଦନ୍ତୀ ଓ ଲୋକକଥା

@_ustad
0


ଅତି ପ୍ରାଚୀନ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନ ଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ ଭାଇର ନାଆଁ ବଣ୍ଡା ଓ ସାନ ଭାଇର ନାଆଁ ଗାଦବା ।  ସେମାନଙ୍କର ଗୋଟିଏ ପୋଷାକୁକୁର ଥାଏ । ପ୍ରତିଦିନ ଦୁଇଭାଇ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି ଓ ସାଙ୍ଗରେ କୁକୁରଟି ବି ଯାଏ । ଭାଇ ଦୁଇଜଣ ଜଙ୍ଗଲକୁ ଯାଇଥିବା ସମୟରେ ଭଉଣୀଟି କୁଟୁଣୀ ସାହାଯ୍ୟରେ ଏକ ପଥର ଦେହରେ ଥିବା ଗର୍ଭରେ ଧାନକୁଟେ । ଭାଇମାନେ ଶିକାରରୁ ଆଣିଥିବା ମାଂସ ରାନ୍ଧି ଦୁହିଁଙ୍କୁ ପରଷିଦିଏ । ପ୍ରତିଦିନ ଧାନକୁଟିବା ସମୟରେ ସେ ଅଣ୍ଟାରେ ଗୁଡେଇଥିବା କନାଟି ରଖିଦେଇ ଉଲଗ୍ନ ହୋଇ ଏକ ବିଚିତ୍ର ପରମ୍ପରାରେ ତାର ଘରକରଣା ସାରିଥାଏ । ଭାଇମାନେ ଜଙ୍ଗଲରୁ ଫେରିବା ପୂର୍ବରୁ ତାଙ୍କ ଆଗମନର ସଙ୍କେତ ସ୍ବରୂପ କୁକୁରଟିକୁ ପଠାଇଥାନ୍ତି । ଭଉଣୀ କୁକୁରଟିକୁ ଦେଖି ଭାଇମାନଙ୍କ ଆସିବା କଥା ଜାଣି ଲୁଗା ପିନ୍ଧି ପକାଏ ଓ ତିନିହେଁ ଏକାଠି ବସି ଭୋଜନ କରିଥାନ୍ତି ।

ଆହୁରି ପଢ଼ନ୍ତୁ -ବଣ୍ଡା ଜନଜାତି ବିଷୟରେ ଜାଣନ୍ତୁ - About Bonda tribe in Odia

 କିନ୍ତୁ ଦିନେ କୌଣସି ଶିକାରୀର ଶରାଘାତରେ କୁକୁରଟି ପ୍ରାଣ ହରାଇଲା । ଦୁଇ ଭାଇ ମନ ଦୁଃଖରେ ଘରକୁ ଫେରିଲେ । ଭଉଣୀଟି କୁକୁରଟିର ଅନୁପସ୍ଥିତିରେ ଭାଇମାନଙ୍କ ଆଗମନ ଜାଣିପାରିନଥିଲା ଏଣୁ ପୂର୍ବପରି ଉଲଗ୍ନ ହୋଇ ଧାନକୁଟୁଥାଏ । 

ହଠାତ୍ ଭାଇମାନଙ୍କୁ ଆସୁଥିବାର ଦେଖି ଭଉଣୀଟି ଲଜ୍ଜାରେ ଡୁଡୁମାଜଳପ୍ରପାତ ଆଡ଼କୁ ଧାଇଁଗଲା ଓ ପ୍ରଖର ଜଳସ୍ରୋତରେ ଲମ୍ଫ ପ୍ରଦାନ କରି ପ୍ରାଣ ବସର୍ଜନ କଲା । ନିଜ ଗେହ୍ଲା  ଭଉଣୀର ସନ୍ଧାନରେ ବଡଭାଇ ବଣ୍ଡା ବଣଜଙ୍ଗଲ ସବୁ ବୁଲିବୁଲି ଶେଷରେ ଜାଙ୍ଗିର ପାହାଡ଼ର ପାଦଦେଶରେ ମୁଦୁଲିପଡା଼ଠାରେ ପହଞ୍ଚିଲା । ଭଉଣୀର କୌଣସି ସନ୍ଧାନ ନପାଇ ସେ ସେଠାରେ ରହିଗଲା ।

 ଏଣେ ସାନଭାଇ ଗାଦବା ଭଉଣୀକୁ ବହୁତ ଖୋଜିଖୋଜି କୌଣସି ସନ୍ଧାନ ନପାଇ ଭଉଣୀ ଧାନକୁଟୁଥିବା କୁଟୁଣୀମାଳା ପାହାଡକୁ ଫେରି  ମନଦୁଃଖରେ ସେଠାରେ ରହିଗଲା । କାଳକ୍ରମେ ଏମାନଙ୍କର ବଂଶଧର ଜାତ ହେଲେ ଏବଂ ଏହି ଦୁଇଭାଇଙ୍କ ନାମରେ ସେମାନଙ୍କର ବଂଶଧରମାନେ ବଣ୍ଡା ଓ ଗାଦବା ନାମରେ ଅଭିହିତ ହେଲେ । 

ପ୍ରୋକ୍ତ କାହାଣୀ କହେ ଆଜିର ଏହି ଦୁଇ ଜନଜାତୀୟ ଗୋଷ୍ଠୀ ଅତୀତରେ ଏକ ପରିବାର ଭୁକ୍ତ ଥିଲେ । ଆଜି ବି ଏହି ଜନଜାତୀୟ ଗୋଷ୍ଠୀର ଆଦି ଭୂମି ଭାବରେ କୁଟୁଣୀମାଳା ପାହାଡ଼ ଓ ଜାଙ୍ଗିର ପର୍ବତମାଳାକୁ ଗଣନା କରାଯାଏ ।  ଗାଦବାମାନଙ୍କ ଆଦି ଜନବସତି ଅଞ୍ଚଳରେ ଦଣ୍ଡାୟମାନ ସୁବିସ୍ତୃତ କୁଟୁଣୀମାଳା ପାହାଡ ଓ ବଣ୍ଡାମାନଙ୍କର ପ୍ରାଥମକ ଜନବସତି ଅଞ୍ଚଳକୁ ଘେରି ରହିଛି ସୁଉଚ୍ଚ ଜାଙ୍ଗିର ପାହାଡମାଳା । 

 ଆଜି ସୁଦ୍ଧା ଗାଦବାମାନେ ବଣ୍ଡାମାନଙ୍କୁ ସେମାନଙ୍କର ବଡଭାଇ ବୋଲି ମାନ୍ୟତା ପ୍ରଦାନ କରନ୍ତି । ଦୁଇ ସଂପ୍ରଦାୟଙ୍କ ଚାଲିଚଳଣିରେ ମଧ୍ୟ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । 

ଅବିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପ୍ରୋକ୍ତ ଲୋକକାହାଣୀଠାରୁ ଆଉ ଏକ କାହାଣୀ ପ୍ରଚଳିତ । ଉକ୍ତ କାହାଣୀରେ ଦୁଇ ଭାଇ ଓ ଏକ ଭଉଣୀ ପରିବର୍ତ୍ତେ ଜଣେ ଭାଇ ଓ ତାହାର ସାନ ଭଉଣୀର କାହାଣୀ ପ୍ରଦର୍ଶିତ ହୋଇଥାଏ । ଦ୍ବିତୀୟ ଲୋକକଥାରେ ବଣ୍ଡା ଭାଇ ଓ ତାହାର ସାନ ଭଉଣୀକୁ ନେଇ ଲୋକଗଳ୍ପର ସୃଷ୍ଟି । ଏ ଲୋକଗଳ୍ପଟି କୁଟୁଣୀମାଳା ପାହାଡ଼ କିଂବା ଜାଙ୍ଗିର ପର୍ବତମାଳାର ନୁହେଁ ବଂର ତୁଲ୍'ସା ଡଙ୍ଗରକୁ ନେଇ ଗଢି଼ଉଠିଛି । 

ଏହି ପ୍ରଚଳିତ ଲୋକକଥା ଅନୁଯାୟୀ ତୁଲ୍'ସା ଡଙ୍ଗର ଉପରେ ଥିବା କୌଣସି ଗାଁରେ ରହୁଥିଲେ ଭାଇ ଭଉଣୀ ଦୁଇପ୍ରାଣୀ । ସୂଚନାଯୋଗ୍ୟ ଯେ ମାଥୁଲିର ପଶ୍ଚିମ ପଟେ ଏହି ବିରାଟ ପର୍ବତ ଅବସ୍ଥିତ ଏବଂ ଏହା  ଛତିଶଗଡ଼ ଭିତରକୁ ଲମ୍ବିଯାଇଛି । ଅନେକ ସ୍ଥଳରେ ତାହା ଓଡ଼ିଶା ଓ ଛତିଶଗଡ଼ର ସୀମା ହୋଇଥିଲେ ମଧ୍ୟ ଦୁଇ ପ୍ରଦେଶ ମଧ୍ୟକୁ ତା’ର ବିସ୍ତାର ରହିଛି । ଏକଦା ଏହା ଘନ ଜଙ୍ଗଲପୂର୍ଣ୍ଣ ଥିଲା ଓ ଅଧୁନା ଲୁପ୍ତ ପ୍ରାୟ ବହୁ ପ୍ରକାରର ଜୀବଜନ୍ତୁ ଯଥା - ବଣ ମଇଁଷୀ, ଗୟଳ, ବଳିଆକୁକର, ଖଗ ଓ ମହାବଳ ବାଘ ଇତ୍ୟାଦିଙ୍କ ଦ୍ବାରା ଏ ଅଞ୍ଚଳ ପରିପୂର୍ଣ୍ଣ ଥିଲା । ଏହି ତୁଲସା ଡଙ୍ଗରରେ ପୂର୍ବେ ଦୁଇ ଭାଇ ଭଉଣୀ ରହୁଥାନ୍ତି । 

ଭାଇର ନାଆଁ ବଣ୍ଡା । ସେ  ସବୁଦିନେ ଇଡ଼ି ବାନ୍ଧିବାବେଳେ ପିନ୍ଦାଓଡ଼ା ବା ପିନ୍ଧା ଲୁଗା ଅର୍ଥାତ୍ ଲେଙ୍ଗୁଟି ମଇଳା ହୋଇଯିବା ଭୟରେ ବାଣ୍ଡା ବା ଡୁମ୍ଡ଼ା (ଲଙ୍ଗଳା) ହୋଇ ରହେ। ଭଉଣୀକୁ ସେ କହିଥାଏ ଆଡ଼ବେଳିଆ ପେଜ ଆସିଲାବେଳେ କୁକୁର ବେକରେ ଘଣ୍ଟି ବାନ୍ଧି ନେଇ ଆସିବ । ଘଣ୍ଟି ଶବ୍ଦ ଶୁଣିଲେ ଭାଇଟି ନିଜର ଲେଙ୍ଗୁଟି ପିନ୍ଧି ନିଏ। 

ଦିନେ ଭଉଣୀ ଭାବିଲା ଭାଇ କ’ଣ କରୁଛି । କାହିଁକି ଘଣ୍ଟି ବାନ୍ଧି କୁକୁରଟିକୁ ଆଣିବାକୁ କହୁଛି । ଆଜି ନିଶ୍ଚୟ ପରୀକ୍ଷା କରି ଦେଖିବି । ତେଣୁ ସେ ଦିନେ କୁକୁର ବେକରେ ଘଣ୍ଟି ନବାନ୍ଧି ଆସିଲା ଏବଂ ଉଲଗ୍ନ ଭାଇକୁ ଦେଖିଦେଲା । ଭଉଣୀକୁ ଦେଖି ଲାଜରେ ସେ ବାଣ୍ଡାଭାଇ ପାଖରେ ଥିବା କୁଣ୍ଡକୁ ଅର୍ଥାତ୍‌ ନଦୀକୁ ଡେଇଁ ପଡ଼ିଲା । ଭାଇକୁ ଡେଇଁବା ଦେଖି ତା ପଛେପଛେ କୁକୁର ମିଶା ସେହି କୁଣ୍ଡକୁ ଡେଇଁ ପଡ଼ିଲା । ବଣ୍ଡା ଭାଇଟି ସେହି କୁଣ୍ଡରୁ ଆଉ ଉଠିଲା ନାହିଁ । ସେହିଦିନୁ ସେ କୁଣ୍ଡର ନାମ ହେଲା ‘ ବଣ୍ଡାକୁଣ୍ଡ’ । ତା ପଛେପଛେ ଡେଇଁ ପଡ଼ିଥିବା କୁକୁର ଭାସି ଭାସି ଆସି ପର୍ବତ ତଳେ ଥିବା କୁଣ୍ଡରେ ଆସି ଉଠିଲା । ତେଣୁ ପର୍ବତ ତଳ କୁଣ୍ଡର ନାମ ହେଲା ‘ କୁକୁର କୁଣ୍ଡ’ । ସେହି ଅନୁସାରେ ପାଖ ଗାଁର ନାମ ମଧ୍ୟ ‘ କୁକୁର କୁଣ୍ଡ ।’ ଅବିଭକ୍ତ କୋରାପୁଟର ଦୁଇଟି ଝରଣା ବଣ୍ଡାକୁଣ୍ଡ  ଓ କୁକୁର କୁଣ୍ଡକୁ ଆଧାର କରି ପ୍ରୋକ୍ତ ଲୋକକଥାର ସୃଷ୍ଟି । ତୁଲସା ଡଙ୍ଗର ଉପରେ ବଣ୍ଡାକୁଣ୍ଡ ଓ ତା ତଳକୁ କୁକୁର କୁଣ୍ଡ ଝରଣା ଅବସ୍ଥିତ । କୁକୁର୍ କୁଣ୍ଢକୁ ଲାଗି ଯେଉଁ ଗଣ୍ଡିଆ ଗାଁଟି ରହିଛି, ଏହି କୁଣ୍ଡ ଅନୁସାରେ ତାର ନାମ ମଧ୍ୟ କୁକୁର କୁଣ୍ଢ ହୋଇଅଛି । ଗୋଟିଏ ସମୟରେ ଏହି ପର୍ବତରେ ବହୁପରିମାଣରେ ବଣ ତୁଳସୀ ବୁଦା ରହିଥିଲା ବୋଲି ଏହାକୁ ତୁଲସା ପର୍ବତ ବା ତୁଲସା ଡଙ୍ଗର ବୋଲି କୁହାଯାଉଥିଲା ବୋଲି ଲୋକବିଶ୍ବାସ ପ୍ରଚଳିତ ଅଛି । 

ଉଭୟ କାହାଣୀରେ ଭାଇ ଭଉଣୀ, କୁକୁର ଓ ଉଲଗ୍ନ ହେବା କଥା ରହିଛି ଅବଶ୍ୟ ଉଭୟ କାହାଣୀର କଥାନକ ଅନେକାଂଶରେ ଭିନ୍ନ ପ୍ରତିଭାତ ହୋଇଥାଏ । 

ବଣ୍ଡା ଏକ ଆଦିମ ଜନଜାତୀୟ ସଂପ୍ରଦାୟ ଏମାନେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ବାସ କରୁଥିବା ଆଦିମ ଜନଜାତି ଗୋଷ୍ଠୀ । ଏମାନେ ବାରଜଙ୍ଗଲ ଦେଶର ଅଧିବାସୀ ବୋଲି କୁହାଯାଏ । ଏମାନଙ୍କ ସ୍ୱତନ୍ତ୍ର ଜୀବନଶୈଳୀ ଓ ନିଜସ୍ବ ଭାଷା ରେମୋ ରହିଛି । ବଣ୍ଡାମାନେ ନିଜକୁ ରେମୋ ବୋଲି ପରିଚୟ ଦିଅନ୍ତି ଯାହାର ଆକ୍ଷରିକ ଅର୍ଥ ମନୁଷ୍ୟ । 

ଓଡ଼ିଶାରେ ଅଧୁନା ୧୨୦୦୦ରୁ ଅଧିକ ବଣ୍ଡା ବସବାସ କରୁଛନ୍ତି । ବଣ୍ଡା ପାହାଡ଼ର ୧୫୦ ବର୍ଗ କି.ମି. ଅଞ୍ଚଳରେ ବାସ କରୁଥିବା ଏବଂ କେବଳ ପୋଡୁଚାଷ ଉପରେ ନିର୍ଭର କରୁଥିବା ଏହି ବଣ୍ଡାମାନଙ୍କର ଗାଁ ସବୁ ସମୁଦ୍ରପତ୍ତନ ସ୍ତରକୁ ପାଞ୍ଚହଜାର ଫୁଟରେ ଅବସ୍ଥିତ ।

ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ, ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ । ଉପରବଣ୍ଡାମାନେ ଅଧିକ ରକ୍ଷଣଶୀଳ ଏବଂ ଆପଣାର ପାରମ୍ପପରିକ ପ୍ରଥା ପରମ୍ପରାକୁ ଅତି କଠୋରଭାବେ ପାଳନ କରନ୍ତି । ଯେଉଁମାନେ ଏଥିରେ ସେମାନଙ୍କୁ ବାଧା ଦିଅନ୍ତି, ସେମାନଙ୍କୁ ତଳବଣ୍ଡା ଗାଁ ମାନଙ୍କୁ ନିର୍ବାସିତ କରାଯାଏ । ଏଭଳିଭାବେ ପୁରୁଣା ବତିଶିଟି ଗାଁରୁ ଚାରୋଟି ଗାଁ ଉଜୁଡ଼ି ଯାଇଛି । ଏମାନେ ଯେତିକି ସରଳ ସେତିକି ଦୁର୍ଦ୍ଧାନ୍ତ । ତଥା କଥିତ ସଭ୍ୟତା ଓ ଆଇନକାନୁନ୍ ପ୍ରତି ଏମାନେ ଏକାନ୍ତ ବିମୁଖ । ସେଥିପାଇଁ ତେରଟି ଆଦିମ ଜନଜାତି ଭିତରୁ ଏମାନଙ୍କୁ ଅନ୍ୟତମ ବୋଲି ଗଣନା କରାଯାଏ । 

 ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ ଏବଂ ଏମାନେ ଭାଷାକୁ ସାମ କହିଥାନ୍ତି । ଏହା  ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଏକ ଭାଷା । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଏହାର ନିକଟସ୍ଥ ଭାଷା ଗୁତବ ବା ଗଦବା । 

ସେହିପରି ଗାଦବା ଜନଜାତି ବିଷୟରେ ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ ଅଛି ଯେ...

ଗଦବା ବା ଗାଦବା ଏକ ଜନଜାତୀୟ ସଂପ୍ରଦାୟ ବିଶେଷ । କୋରାପୁଟ ଜିଲ୍ଲାର ନନ୍ଦପୁର, ପାଡୁଆ, ଢୋଲାପୁଟ, ବୈପାରୀଗୁଡ଼ା, କୁନ୍ଦ୍ରା ଆଦି ବିସ୍ତୀର୍ଣ୍ଣ ଅଞ୍ଚଳରେ ବାସ କରୁଥିବା ଏହି ପୁରାତନ ଜନଜାତୀୟ ସଂପ୍ରଦାୟକୁ ଗଦବା କୁହାଯାଏ । ଏମାନଙ୍କର ଭାଷାର ନାମ ଗୁତବ୍ । 

ଗାଦବାମାନେ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଅବବାହିକାରୁ ଆସିଥିବାରୁ ଏମାନଙ୍କର ନାମକରଣ ଗାଦବା ହୋଇଥିବା ଗବେଷକଙ୍କ ମତ । ନିଜର ସାମାଜିକ କାର୍ଯ୍ୟଧାରାକୁ ନେଇ ଗାଦବାମାନେ ତିନିଶ୍ରେଣୀରେ ବିଭକ୍ତ ହୋଇ ଯାଇଛନ୍ତି । ଯଥା —

  1.  ବଣ୍ଡା ଗାଦବା
  2.  ଓଲାର ଗାଦବା
  3.  ପାରେଙ୍ଗା ବା ଉରାଙ୍ଗ ଗାଦବା ।

ଅନ୍ତର୍ଜାଲରୁ ଜଣାଯାଏ ଯେ ଗଦବା,ଗାଦବା ବା ଗୁତବ୍ ଭାଷାଭାଷୀଙ୍କ ସଂଖ୍ୟା ୨୦୦୮ ସୁଦ୍ଧା ୧୦ରୁ ୧୫୦୦୦ ଥିଲା । ଗୁତବ୍ ଆଷ୍ଟ୍ରୋଏସୀୟ ପରିବାରରେ ଥିବା ମୁଣ୍ଡା ଶାଖାର ଦକ୍ଷିଣ ଉପଶାଖାର ଅନ୍ତର୍ଗତ ଏକ ଭାଷା । ଭାଷା ଦୃଷ୍ଟିରୁ ଦେଖିଲେ ଗାଦବାମାନେ ମୁଣ୍ଡା ଶବର ଜାତୀୟ ଲୋକ । ୨୦୧୧ରୁ ଏକ ସର୍ଭେରୁ ଜଣାଗଲା ଯେ ଗୁତବ୍ ଭାଷୀଙ୍କ ସଂଖ୍ୟା ପ୍ରକୃତରେ ୫୦୦୦ରୁ କିଛି ଅଧିକ ଏବଂ ଓଲାରୀ ତଥା ଗୁତବ୍ ଭାଷୀଙ୍କୁ ଏକ ବିଚାର କରି ପୂର୍ବେ ଗଣନା ହୋଇଥିବାରୁ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିଲା । 

ବଣ୍ଡା ଓ ଗାଦବା ଉଭୟ ଆଷ୍ଟ୍ରୋଏସୀୟ ଜନଜାତିର ଲୋକ ଏବଂ ଏମାନଙ୍କର ଭାଷା ମଧ୍ୟ ଆଷ୍ଟ୍ରୋଏସୀୟ ଭାଷା ପରିବାରର ଅନ୍ତର୍ଗତ ଥିବା ମୁଣ୍ଡାଶାଖାର ଅଟଇ । ପ୍ରୋକ୍ତ ପ୍ରଥମ କାହାଣୀରେ ବଣ୍ଡା ଓ ଗାଦବାଙ୍କୁ ସେଥିପାଇଁ ଦୁଇ ଭାଇ ଅଭିହିତ କରାଯାଇଛି ଯାହା ସଂମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।‌ ବୋଧହୁଏ ଏକ ସମୟରେ ଏ ଦୁଇଜାତି ଏକାଠେଇଁ ବାସ କରୁଥିଲେ କିନ୍ତୁ କୌଣସି କାରଣରୁ ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ବସବାସ କଲେ ଫଳତଃ ଏହି ଲୋକକଥାଟି ସୃଷ୍ଟି ହୋଇଅଛି । 

ତଥ୍ୟ —

  1. ଦେଶିଆ ଜ୍ଞାନକୋଷ
  2.  ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
  3.  ଅନ୍ତର୍ଜାଲ

ଲେଖକ-ଶିଶିର ସାହୁ(ମନୋଜ)

Post a Comment

0Comments

Post a Comment (0)