ଗଜପତି ରାଜବାଟି ସମ୍ମୁଖ ରେ ତାଳଧ୍ଵଜ ରଥ ଓ ରଥାରୂଢ଼ ବଡ଼ ଠାକୁର |
ସେ ଦିନ ଆଉ କାହିଁ ଯେ ଆଜି ଦମ୍ଭ ର ସହ କେହି କହି ପାରିବ ଯେ ପୁରୀ ରଥ ଯାତ୍ରା ର ଆଉ ଏକ ଅବିକଳ ନକଲ ଓଡିଶା ର ଦକ୍ଷିଣ ସୀମା ପାରଳାଖେମୁଣ୍ଡି ରେ ମିଳିପାରୁଥିଲା। ଆଜ୍ଞା ହଁ, ଆଜି ସାରା ବିଶ୍ଵ ରେ ଜଗତ ର ନାଥ ଜଗନ୍ନାଥ ଙ୍କ ରଥ ଯାତ୍ରା ପାଳନ ହେଉଛି ଆଉ ତଦନୁରୂପ ଭବ୍ୟ ସମାରୋହ ବି।ଭଲ କଥା, କାହିଁକି ବା ହେବନି ?ସେ ପରା ଜଗତ ଠାକୁର।
କିନ୍ତୁ ଦୀର୍ଘ ସାଢେ ତିନିସହ ବର୍ଷ ଧରି ଉତ୍କଳ ରେ ଥିବା ଦୁଇ ଗଜପତି ଶାସିତ ଅଞ୍ଚଳ ର ରଥ ଯାତ୍ରା ଭାରି ପ୍ରସିଦ୍ଧ ଥିଲା । ତାହା ହୁଏ ତ ଆଜି ସମସ୍ତ ଙ୍କୁ ଅଗୋଚର। ହଁ ,ମୁଁ ପୁରୀ କଥା ଲେଖୁନି। କଳା ଓ ସଂସ୍କୃତି ର ଅନ୍ୟ ଏକ ପ୍ରାଣକେନ୍ଦ୍ର ପାରଳାଖେମୁଣ୍ଡି ରଥ ଯାତ୍ରା ଓ ତାର ଇତିହାସ ବିଷୟ ରେ ଅବଗତ କରାଇବା ପାଈଁ ଏହି ଛୋଟିଆ ପ୍ରୟାସ କରୁଛି। ଆଜି ଯେଉଁ ଯେଉଁ ସ୍ଥାନ ମାନଙ୍କ ରେ ବି ରଥ ଯାତ୍ରା ପାଳନ ହେଉ ଅଛି, ସେ ସବୁ ସ୍ଥାନ ମାନଙ୍କ ରେ ପୁରୀ ରଥ ର ନିର୍ମାଣ ଶୈଳୀ ର ବେଶ ପ୍ରଭାବ ପଡ଼ିଛି। କିନ୍ତୁ ପାରଳା ର ପ୍ରତ୍ୟେକ କଳା ରେ ନିଜର ସ୍ୱତନ୍ତ୍ର ଶୈଳୀ ରହିଛି। ସେ ପଟ୍ଟଚିତ୍ର ହେଉ ଅବା ରଥ ନିର୍ମାଣ ଶୈଳୀ।ଆଜି ହୁଏ ତ କାଳ ର କରାଳ ଗର୍ଭ ରେ ଏହା ଅବକ୍ଷୟମୁଖୀ କିନ୍ତୁ କର୍ପୁର ଉଡିଗଲେ ବି କନା ଖଣ୍ଡ କ ଅଛି ।
ପଢ଼ନ୍ତୁ: ରକ୍ତ ତୀର୍ଥ ଇରମ- RAKTA TIRTHA ERAM IN ODIA
ଆଜକୁ ପ୍ରାୟ ୭୦ ବର୍ଷ ପୂର୍ବେ ପାରଳା ରେ ଶ୍ରୀ ଜୀଉ ମାନଙ୍କ ଲାଗି ଭବ୍ୟ ଓ ବିଶାଳ ତିନି ରଥ ହେଉଥିଲା।ଆଜି ର ଯେଉଁ ତିନି ରଥ ହେଉଛି ତାହା ଠାରୁ ତିନି ଗୁଣ ବଡ଼ ଆଉ ଚିତ୍ତାକର୍ଷକ ,ଆଗ ରେ ହସ୍ତୀ ମାନେ ଚାଲୁଥିଲେ, ସଖୀ ନାଟ ହେଉଥିଲା, ରାସ ମଣ୍ଡଳୀ ସଂକୀର୍ତ୍ତନ ରେ ଶୋଭାଯାତ୍ରା ପୁରି ଉଠୁଥିଲା। ଯାହା ହେଉ ଆଜି ଇତିହାସ ର ପ୍ରମାଣ ସ୍ୱରୂପ ରାଜ ପରିବାର ର ସ୍ଥିରଚିତ୍ର ଉତ୍ତୋଳନକାରୀ ଆର୍ତ୍ତେୟପୁରମ୍ କୃଷ୍ଣମୂର୍ତ୍ତି (ମୃତ୍ୟୁ ର କିଛି ଦିନ ପୁର୍ବ ରୁ)ଙ୍କ କ୍ୟାମେରା ରେ ଉତ୍ତୋଳନ କରାଯାଇଥିବା ସେହି ତାଳଧ୍ଵଜ ରଥ ,ସେ ଦିନ ର ପାରଳା ରଥ ନିର୍ମାଣ କଳା ର ଉତ୍କର୍ଷତା ର ସାକ୍ଷ୍ୟ ହୋଇ ରହି ଯାଇଛି।ଚକ,ଦାଣ୍ଡିଆ, ଅର, ବାଙ୍କି,ଆଦି ରୁ ଆରମ୍ଭ କରି କପି କେତନ ଯାଏଁ ସବୁ କିଛି ସ୍ଵକୀୟ ଢଙ୍ଗ ରେ ନିର୍ମିତ ଏହି ରଥ ତ୍ରୟ।ବିଶେଷ କରି ବାଙ୍କି , କାନି ଆଉ ହଂସ ପଟା ପରିବର୍ତ୍ତେ ଏଠାରେ ଯେଉଁ କୁନ୍ଦା କାମ ଦେଖିବାକୁ ମିଳେ ତାହା ସତ ରେ ଅନ୍ୟତ୍ର ଦୁର୍ଲଭ। ଠିକ୍ ସେହିପରି କଣଗୁଜ୍ଜ ଆଉ ଗଜସିଂହ ର ସୂକ୍ଷ୍ମ କାରୁକାର୍ଯ୍ୟ ଦର୍ଶକ ଟିକୁ ଆତ୍ମବିଭୋର କରିଦେବ।ଶଙ୍ଖଦ୍ୱାର ଆଉ ଜାଲି କାମ ର ଭିନ୍ନତା ଏଠି ଠିକ୍ ବାରି ହେଈଯାଏ। ପାର୍ଶ୍ୱ ଦେବତା ମାନେ ଉକ୍ତ କାଠ ରେ ହିଁ ଖୁଣ୍ଟା ହେବାର ଏକ କାରୁକଳା ଏଠାକର ଅନ୍ୟ ଏକ ବୈଚିତ୍ର।ଠିକ୍ ସେହିପରି ନାହାକା ଚାରି ପାଖ ରେ ଅଷ୍ଟ ସଖୀ ଅନ୍ୟତ୍ର କେଉଁଠି ଦେଖିବାକୁ ମିଳେନାହିଁ। ଏପରି କି ଏହିଭଳି ସଖୀ ନିର୍ମାଣ ଶୈଳୀ ପୁରୀ ରେ ଦେଖିବାକୁ ମିଳେ ନାହିଁ। ଅବଶ୍ୟ ଆଜି ଆଠ ରୁ ଚାରି ରେ ଏହି ସଂଖ୍ୟା ପହଞ୍ଚିଛି କିନ୍ତୁ ଏହା ହିଁ ଅନ୍ୟ ସ୍ଥାନ ର ରଥ ଠାରୁ ଭିନ୍ନତା ର ପରିଚୟ ଦିଏ। କେହି କେହି ଏହାକୁ ଅଷ୍ଟ ଅପସରା ବୋଲି ବି କୁହନ୍ତି। ରଥ ସାରଥି ଙ୍କ ଗଢଣ ବି ଭିନ୍ନ। ଜୟଦୁର୍ଗା ,ଶୁଳିଦୁର୍ଗା ଏବଂ ନନ୍ଦ ଓ ସୁନନ୍ଦ ଏକତ୍ର ଦ୍ଵାରପାଳ ଓ ରଥ ଶକ୍ତି ଦେଖିବାକୁ ମିଳନ୍ତି। ଠିକ୍ ସେହି ପରି ଦୁଆରଘୋଡ଼ା ଟି ମଧ୍ୟ ଅତ୍ୟନ୍ତ ମନୋରମ। ରଥ ର ଶୀର୍ଷ ଭାଗ କୁ ଦେଖିଲେ ଓଲଟ ଶୁଆ ଶ୍ରଦ୍ଧା ଓ ବିଶ୍ୱାସ ,ଦଧିନଉତି ଏବଂ ପିନାକ ଚକ୍ର ଉପରେ ଧ୍ଵଜା ଭାରି ନିଆରା ଲାଗେ। ଚାରମାଳ ପରିବର୍ତ୍ତେ ଏଠି ଛପ ବା ବେତ ପଟି ବ୍ୟବହାର କରାଯାଏ, ଯାହା ଆଜି ବି ଚାଲିଛି।ପୁଣି ଏଠି ସହ କନା ମଣ୍ଡଣି ରେ ମଧ୍ୟ ଏକ ଭିନ୍ନ ପରିଚୟ ମିଳେ। ଯାହା ଆଜି ପାରଳା ର ରାଜଗୁରୁ ସାହିସ୍ଥ ଅର୍ଜୁନ କର ରଥ ବା ସାନ ରଥ ରେ ଦେଖିବାକୁ ମିଳେ। ସୁଚନା ଯୋଗ୍ୟ ଯେ ପାରଳା ରେ ଏହି ବଡ଼ ତିନି ରଥ କୁ ଛାଡ଼ି ଦେଲେ, ଆଉ ଏକ ଛୋଟ ରଥ ଟେ ହୋଇଥାଏ , ଯାହା ଗୁଣ୍ଡିଚା ରୁ ନୀଳାଦ୍ରି ବିଜେ ଯାଏଁ ରଥ ଯାତ୍ରା ରେ ଭାଗ ନିଏ।
ଏବେ ଆସିଲା ପ୍ରଶ୍ନ ଏଭଳି ରଥ ଆଉ ହେଉନାହିଁ କାହିଁକି ? ଉତ୍ତର ଜାଣିଲେ ହୁଏତ ରୋମ ଟାଙ୍କୁରି ଉଠିବ। ହଁ , ରାତାରାତି ତିନି ରଥ କୁ ଜାଳି ଦିଆଗଲା । ଓଡ଼ିଆ ଭାଷା ଭିତ୍ତି ରେ ସ୍ୱତନ୍ତ୍ର ହେବା ଘଟଣା କେତେକ କୁତ୍ସିତ ଓ କଦାକର ଙ୍କୁ ପସନ୍ଦ ନଥିଲା , ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଦୁଇ ଦଶନ୍ଧି ପରେ ବି ସେମାନଙ୍କ ଭିତରେ ଥିଲା ଉତ୍କଳ ପ୍ରତି ଘୃଣା। ଓଡିଶା ର ଖାଇ ବି ଗୋଇଠା ମାରିବାକୁ ପଛାଉ ନଥିଲେ କିଛି ଦୁର୍ବୁତ୍ତ। ଏହି ଘର ଢ଼ିଙ୍କି କୁମ୍ଭୀର ମାନଙ୍କ ନାୟକ ଥିଲା ଗିଡୁଗୁ ସୀତାପତି (୧୯୩୦ ଯାଏଁ ରାଜାସ୍ କଲେଜ ର ପ୍ରଧ୍ୟାପକ, ତତ୍ପରେ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ ମହାରାଜା ଙ୍କ ଦ୍ୱାରା ବହିଷ୍କ୍ରୁତ ) । ସ୍ଥାନୀୟ ଭେଙ୍କଟ ସ୍ୱାମୀ ମଠ ରେ ଘନ ଘନ ସଭା ର ଆୟୋଜନ ଅଜାଣତ ରେ ଚାଲୁଥିଲା। ପୁଣି ଏଥିପାଇଁ ଦକ୍ଷିଣ ପଟୁ କୁଆଡୁ ଟଙ୍କା ବି ଆସେ। ୧୯୫୪ ମସିହା ରେ ତିନି ରଥ ରେ ନିଆଁ ଲଗାଇ ଏକ ହୀନ ମାନସିକତା ର ପରିଚୟ ଦେଇଥିଲେ। ବିଦ୍ରୋହ ର ବହ୍ନି ତିନି ଦିନ ଧରି ବ୍ୟାପିଲା। ବିଦ୍ରୋହ ଟି ତିନି ଦିନ ପରେ କଟକ ରୁ ଆସିଥିବା ଆର୍ମଡ଼ ଫୋର୍ସ ଦ୍ବାରା ପ୍ରତିହତ ହେଲା । ଏବଂ ପୁର୍ବବତ୍ ଭାଇଚାରା ର ସହର ରେ ଶାନ୍ତି ଫେରି ଆସିଲା।ମହାରାଜ ଙ୍କୁ ଭୟ କରି କାପୁରୁଷ ସୀତାପତି ପାରଳା ଛାଡ଼ି ସୁଦୂର ହାଇଦ୍ରାବାଦ ପଳାୟନ କଲା।ସେଠି ଯାଇ ଓଡ଼ିଆ ଙ୍କ ବିରୁଦ୍ଧ ରେ ଏକ ତେଲେଙ୍ଗା ଚଳଚିତ୍ର ଟେ ନିର୍ମାଣ କରିଥିଲା ଯାହାର ନାମ ‘ତମରୁଶୁ’।
ସବୁ କିଛି ଶାନ୍ତ ସିନା ହେଇଗଲା, କିନ୍ତୁ ସେ ତିନି ଭବ୍ୟ ରଥ ପରମ୍ପରା ର ଜବନୀକା ଟଣା ହେଲା। ଚତୁର୍ଦ୍ଧା ମୂର୍ତ୍ତୀ ଗୋଟିଏ ଅପେକ୍ଷା କୃତ ଗୋଟିଏ ଛୋଟ ରଥ ରେ ବାହାରିଲେ। ୧୯୫୪ ରୁ ୨୦୧୧ ଯାଏଁ ଗୋଟିଏ ରଥ ଚାଲି ଆସୁଥିଲା , ତିନି ରଥ ପୁଣି ହେଲା ସତ କିନ୍ତୁ ବର୍ତ୍ତମାନ ଯେଉଁ ରଥ ତ୍ରୟ ହେଉଛି ତାହା ଭାରି ନିରାଡ଼ମ୍ବର । ସରକାର ଙ୍କ ପ୍ରୋତ୍ସାହନ ଏବଂ ମହାରଣା ,ଚିତ୍ରକର ଙ୍କୁ ସଠିକ ପାରିଶ୍ରମିକ ଦେଇ ପୁନଃ ପୁର୍ବ କୀର୍ତ୍ତି ଫେରାଇ ଆଣିଲେ ଭଲ ହୁଅନ୍ତା। ଏଥିପାଇଁ କାଠ ର ବି ଆବଶ୍ୟକତା ରହିଛି।
ଉପରୋକ୍ତ ଲେଖା ର ସତ୍ୟତା ବିଷୟ ଜଡ଼ିତ ତଥ୍ୟ ପାରଳା ର ବିଶିଷ୍ଟ କବି ତଥା ଲେଖକ ସିଂହାଦ୍ରି ପଟ୍ଟନାୟକ ତାଙ୍କ ସ୍ଵଲିଖିତ “ପାରଳା ର ପ୍ରଳାପ (୧୯୫୫)” ରେ ଉଲ୍ଲେଖ କରିଛନ୍ତି ।ଏ ଡିଜିଟାଲ ଲେଖା ପାଈଁ ମୁଁ ଦିବାକର ପଟ୍ଟନାୟକ ମହୋଦୟ ଙ୍କୁ ଧନ୍ୟବାଦ ଦେଉଛି ଯେ ” ଗତସ୍ୟ ସୋଚନା ନାସ୍ତି ” ରେ ଉକ୍ତ ବିଷୟବସ୍ତୁ କୁ ପ୍ରଥମେ ସ୍ଥାନ ଦେଇଥିଲେ। ସର୍ବଶେଷ ରେ ଶ୍ରୀଯୁକ୍ତ ସୁନୀଲ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବି ଯେ କି ଏହା କୁ ଲୋକଲୋଚନ କୁ ଆଣିଥିଲେ ।
Written by BISHNUMOHANADHIKARI