Shri Ramanka naujatra lyrics in odia
କବି ପରିଚୟ : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଉଜ୍ଜ୍ବଳ ନାମ । ସେ ‘ କାବ୍ୟ ଯୁଗ ’ ବା ‘ ରୀତି ଯୁଗ ’ ନାମରେ ଚିହ୍ନିତ ଏକ ସ୍ୱତନ୍ତ୍ର ସାରସ୍ବତ ପର୍ବର ପ୍ରଧାନ ପ୍ରତିନିଧୂ । ସପ୍ତଦଶ ଶତାବ୍ଦୀର ଶେଷ ପାଦରେ ସେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ଅନ୍ତର୍ଗତ କୁଲାଡ଼ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ରଚନାବଳୀ ମଧ୍ୟରେ ‘ ବୈଦେହୀଶ ବିଳାସ ’ , ‘ ସୁଭଦ୍ରା ପରିଣୟ ’ , ‘ କଳାକଉତୁକ ’ , ‘ ଲାବଣ୍ୟବତୀ ’ , ‘ କୋଟିବ୍ରହ୍ମାଣ୍ଡସୁନ୍ଦରୀ ’ , ‘ ରସିକ ହାରାବଳୀ ’ , ‘ ପ୍ରେମସୁଧାନିଧି ’ ଓ ‘ ଅବନା ରସତରଙ୍ଗ ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଶଂସିତ କବିତାଟି ‘ ବୈଦେହୀଶବିଳାସ ’ କାବ୍ୟ ନବମ ଛାନ୍ଦର କିୟଦଂଶ ।ଶ୍ରୀରାମଙ୍କ ନୌଯାତ୍ରା (Shri Rama Nka Naujatra)
ରଚନା : ଉପେନ୍ଦ୍ର ଭଞ୍ଜ (Upendra Bhanj)
ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହୁଁ ଉଚିତ।
ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ।
ବିଷଧର ପ୍ରାୟେକ ତୁହି,
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୧।
ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର, ଶୁଣିଲିଣି ପଥରେ ପଥର ଅବଳା।
ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ନଉକା ନାୟିକା ହେଲେ ବୁଡ଼ିବ ଭେଳା।
ବୃତ୍ତିଏ ମୋ ପୋଷେ କୁଟୁମ୍ବ,
ବସାଇ ନ ଦେବି ପାଦ ନ ଧୋଇ ନାବ।୨।
ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର, ପୟରେ କ୍ଷାଳିତ କରି ବସନେ ପୋଛି।
ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଛି।
ବିଜ୍ଞାନୀ କୈବର୍ତ୍ତ ଧୋଇଲା,
ବିଶ୍ବେ ପତିତପାବନ ନାମ ରହିଲା।୩।
ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରି କରିରେ ମଣାଇ ବସାଇ।
ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗିରଥୀ କିମ୍ପା ହେଲା କହ ଗୋସାଇଁ।
ବିଷ୍ଣୁ ନଖ କୋଣେ ଏ ଥିଲା,
ବାମନାବତାରେ ଭଗିରଥ ଆଣିଲା।୪।
ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷି ତରୀ ତ ତ୍ୱରିତ ଯାଇ ଲାଗେ କୂଳରେ।
ବିହାରି ହେଲେ ମାର୍ଗର ମାର୍ଗଣ କମାଣଧର ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର।
ବିଦେହମଣ୍ଡଳେ ପ୍ରବେଶ।
ବାରବେନି ପୁର ସାର ମୋହନ ପୁଂସ।୫।
ଶବ୍ଦାର୍ଥ :
କବିତାର ପୃଷ୍ଠଭୂମି : ପାଷାଣୀ ଅହଲ୍ୟାଙ୍କୁ ଉଦ୍ଧାର କରିବାପରେ ସୀତାସ୍ବୟଂବର ଦର୍ଶନ ନିମିତ୍ତ ରାମ ଲକ୍ଷ୍ମଣ ଦୁଇ ଭାଇ ବିଶ୍ଵାମିତ୍ର ଋଷିଙ୍କ ସହ ମିଥ୍ୟାଳାପୁର ଅଭିମୁଖେ ଯାତ୍ରା କଲେ । ପଥ ମଧ୍ୟରେ ସେମାନଙ୍କୁ ଗଙ୍ଗାନଦୀ ପାର ହେବାକୁ ପଡ଼ିଲା । ସେହି ନଦୀ ପାର ହେବା ଚିତ୍ର ଏ କବିତାର ମୁଖ୍ୟ ପ୍ରସଙ୍ଗ ।
ବିଷ୍ଣୁପଦୀ – ଗଙ୍ଗାନଦୀ ( ଏହା ବିଷ୍ଣୁଙ୍କ ନଖକୋଣରୁ ଜନ୍ମଲାଭ କରିଥିବା କଥା ପୁରାଣରେ ବର୍ଣ୍ଣିତ । )
ବିଷ୍ଣୁପଦ ତରଣି ବିଶାରଦ – ମର ମତ ୩ ଆକାଶ ( ବାମନ ଅବତାରରେ ବିଷ୍ଣୁ ଗୋଟିଏ ପଦରେ ସମଗ୍ର ଆକାଶକୁ ଘୋଡ଼ାଇ ଦେଇଥିବାରୁ ଏପରି ନାମକରଣ ହୋଇଛି । )
ତରଣୀ – ସୂର୍ଯ୍ୟ
ତରଣି–ନୌକା( ଶ୍ଳେଷ ଅଳଙ୍କାରରେ କବିତାରେ ବ୍ୟବହୃତ ‘ତରଣୀ’ ଶବ୍ଦଟି ଦୁଇଟି ଅର୍ଥରେ ବ୍ୟବହାର କରାଯାଇଛି । )
ବିଶାରଦ – ବିଶାର ଅର୍ଥ ମାଛ । ତାକୁ ଯେ ଦିଏ ସେ ବିଶାରଦ ବା କେଉଟ । ( ଏହାର ଅନ୍ୟ ଏକ ଅର୍ଥ ହେଉଛି - ବିଦ୍ବାନ )
ମତ୍ତ – ହୃଷ୍ଟ ବା ଆନନ୍ଦରେ ଆତ୍ମହରା ସମ୍ମତି , ଅନୁଯାୟୀ ( ଶ୍ଳେଷରେ ‘ ତ ’ , ‘ ତ୍ତ ’ ର ପାର୍ଥକ୍ୟ ଗ୍ରହଣ କରାଯାଏ ନାହିଁ । ତେଣୁ ‘ ମତ୍ତ ’ ଶବ୍ଦଟି ଦୁଇଟି ଅର୍ଥରେ ଗ୍ରହଣ କରାଯାଇଛି । )
ଦାସ– କେଉଟ, ଭୃତ୍ୟ
ବେଳେ– ( ଅନ୍ତତଃ ) ଥରେ ହେଲେ
ଉଦାର ନୋହି – ଗମ୍ଭୀର ନ ହୋଇ , ଉଦାସୀନ ନ ହୋଇ
"ବିଶାରଦ ସେ ସାମନ୍ତ ............... ରଘୁନାଥ କଥିତ" "ବିଶାରଦ" ଅର୍ଥାତ କୈବର୍ତ୍ତ ଅନ୍ୟ ‘ ଦାସ ’ ( କେଉଟ ) ମାନଙ୍କ ମଧ୍ୟରେ ‘ ସାମନ୍ତ ’ ବା ରାଜାଭଳି ମୁଖ୍ୟ ଅଟେ । ସେମାନେ ତାର ସେବା କରନ୍ତି । ତେଣୁ ଦାସମାନଙ୍କ ଦ୍ଵାରା ସେବିତ ହେଉଥିବା ସାମନ୍ତ ( କୈବର୍ତ୍ତରାଜା ) ମତ୍ତରେ ବା ଆନନ୍ଦରେ ଆତ୍ମହରା ହୋଇ ରାମଚନ୍ଦ୍ରଙ୍କ ଡାକକୁ କର୍ଣ୍ଣପାତ ନ କରନ୍ତେ ସେ କହିଲେ ।
ଅନ୍ୟ ଅର୍ଥ ମଧ୍ୟ ଗ୍ରହଣୀୟ ଯଥା : - ବିଶାରଦ ( ବିଦ୍ଵାନ ଅର୍ଥରେ ବିଶ୍ଵାମିତ୍ର ) ସାମନ୍ତ ମତରେ ବା ଭାବରେ ଦାସମାନଙ୍କ ଦ୍ବାରା ସେବାପାଉଥିବା କେଉଟକୁ ଡାକିବା ( ଡାକନ୍ତେ ) ସେ ନ ଶୁଣିବାରୁ ରାମଚନ୍ଦ୍ର କହିଲେ ।
ବୀର – ଏଠାରେ ରାମଚନ୍ଦ୍ରଙ୍କୁ ଲକ୍ଷ୍ୟ କରି କୁହାଯାଇଛି ।
ପଥରେ – ବାଟରେ
ପଥର ଅବଳା – ରାମାୟଣରେ ବର୍ଣ୍ଣିତ ଅଛି ଯେ ଗୌତମ ଋଷିଙ୍କ ଅଭିଶାପ ହେତୁ ଅହଲ୍ୟା ପଥର ହୋଇ ବାଟରେ ପଡ଼ି ରହିଥିଲେ , କିନ୍ତୁ ରାମଚନ୍ଦ୍ରଙ୍କ ପଦସ୍ପର୍ଶରେ ଅଭିଶାପମୁକ୍ତ ହୋଇ ସେ ନିଜର ପୂର୍ବ ରୂପ ଲାଭ କରିଥିଲେ ।
ବୁଡ଼ିବ ଭେଳା – ଜୀବିକା ବୁଡ଼ିଯିବା
ପୟର — ପାଦ
ପୟରେ — ଜଳରେ
କ୍ଷାଳିତ— ଧୌତ
ବ୍ରହ୍ମାରେ ଧୌତ – ବ୍ରହ୍ମାଙ୍କ ଦ୍ଵାରା ଧୁଆ ହୋଇଥିବା
ଚରଣାମୃତ — ପାଦୋଦକ , ପାଦଧୁଆ ପାଣି
ବିଜ୍ଞାନୀ — ଜ୍ଞାନହୀନ
ବିଞ୍ଚି – ବିଛାଇ
ପଦ ବିକଳ୍ପ – ପାଦ ବିଷୟରେ ମନରେ ସନ୍ଦେହ
ପ୍ରତିହାରୀ – ପଢ଼ିଆରୀ ( ରାଜାଙ୍କର ଜଣେ କର୍ମଚାରୀ । ଏଠାରେ ସେବକ ଅର୍ଥରେ ଗ୍ରହଣୀୟ । )
ମଣାଇ – ରାଜି କରାଇ
ବିହାରୀ ହେଲେ — ଗତି କରିଗଲେ
ମାର୍ଗର– ବାଟର
ମାର୍ଗଣ — ଶର
କମାଣ — ଧନୁ
ମାର୍ଗଣ— ଅନ୍ୱେଷଣ
ବାରବେନି ପୁର— ଚଉଦ ଭୁବନ
"ଶୋଭା ଲେଶକୁ କନ୍ଦର୍ପ ଯାର"– ବିଶ୍ବରେ ସମସ୍ତଙ୍କଠାରୁ ଅଧିକ ସୁନ୍ଦର ବୋଲି ଖ୍ୟାତି ଲାଭ କରିଥିବା କନ୍ଦର୍ପଠାରେ ମଧ୍ୟ ରାମଙ୍କ ସୌନ୍ଦର୍ଯ୍ୟର ସାମାନ୍ୟ ଅଂଶ ନାହିଁ ଅର୍ଥାତ୍ ରାମଙ୍କ ଶୋଭାଲେଶକୁ କନ୍ଦର୍ପ ଅନ୍ଵେଷଣ କରୁଅଛି ।