ଓଡ଼ିଆ ଲୋକବାଣୀ ପ୍ରଥମ ଭାଗ | ODIA LOKABANI -01

@_ustad
0
ଓଡ଼ିଆ ଲୋକବାଣୀ ପ୍ରଥମ ଭାଗ - Odia Lokabani First Part


ଓଡ଼ିଆ ଲୋକବାଣୀ ପ୍ରଥମ ଭାଗ - Odia Lokabani First Part

1.   କଅଁଳ ଲୁହାକୁ ବିରାଡ଼ି କାମୁଡ଼େ |
2.   କଅଁଳ (କୋହଳ) ଲୁହାକୁ ଉଇ ଖାଏ | (ସରଳ, ଶାନ୍ତଶିଷ୍ଟ ବ୍ୟକ୍ତିକୁ ସମସ୍ତେ ଦଣ୍ଡ ଦିଅନ୍ତି )
3.   କଉଡ଼ି ଥିଲେ ମା ବାପ ଛଡ଼ି ସବୁ ମିଳେ |
4.   କଉଡ଼ି ଥିଲେ ବାଘଦୁଧ ମିଳେ | (ଧନ ଥିଲେ କୌଣସି ବସ୍ତୁ ଦୁର୍ଲ୍ଲଭ ହୁଏ ନାହିଁ)
5.   କଉଡ଼ି ନବ ଗଣି ପାଣି ପିଇବ ଛାଣି | (ଉପଦେଶ)
6.   କଉଡ଼ି ନ ଚିହ୍ନି ବନ୍ଧୁ ଅବନ୍ଧୁ | (ପଇସା ନିକଟରେ ଆପଣା ସ୍ଥାନ ନାହିଁ )
7.   କଙ୍ଗଡ଼ାକୁ ଗୋଳି ପାଣି ସୁହାଏ | (ମାଛ ଆଦି ଜଳଚା ଜନ୍ତୁଙ୍କୁ ଗୋଳିପାଣି ଭଲ ଲାଗେନାହିଁ | କିନ୍ତୁ କଙ୍ଗଡ଼ାର ଗୋଳିପାଣିରେ ରହିବାର ଅଭ୍ୟାସ ଥିବାରୁ ତାକୁ ଭଲ ଲାଗେ | ସେହିପରି ଅସାଧୁ ବ୍ୟକ୍ତି ଗୋଳିମାଳିଆ କାରବାରକୁ ଭଲ ପାଏ )
8.   କଙ୍କଡ଼ାଆଖିଆ ମୁହଁ ବୋର, ନ, ନିଏ ଗୋସେଇଁ ନ ନିଏ ଚୋର | (ଗୋନିର୍ବଚନ ସମ୍ବନ୍ଧରେ ପ୍ରବଚନ |)
9.   କକଡ଼ା ହତା, ସିଂହ ଚଉଠା, କନ୍ୟେ ନୁଘଞ୍ଚେ ରୋ, ତୁଳରେ ରୋଇଲେ ମୂଳରେ ଫଳେ, ବିଡ଼ି ବିଡ଼ି କରି ଥୋ | (ଧାନ ରୋଇବା ସମ୍ବନ୍ଧରେ କୃଷିବଚନ)
10.                     କଙ୍କଡ଼ା ବରଷା ମହୀରେ ସାର | (ମିଥୁନ ବରଷା ନଈରେ ଧାର ) (ବର୍ଷା ସମ୍ବନ୍ଧରେ ପ୍ରବଚନ)
11.                     କଙ୍କଡ଼ାକଣିଆ ବହିଲା ବା, ମୂଲ ଲେଉଟାଇଦିଅ ଲୋ ମା | (କୃଷି ବଚନ)
12.                     କଖାରୁ ଚୋରକୁ ମୁଣ୍ଡକାଟ ଶାସ୍ତି | (ଲଘୁ ଅପରାଧ ପାଇଁ ଗୁରୁ ଦଣ୍ଡର ବ୍ୟବସ୍ଥା)

13.                     କଖାରୁ ଚୋର, ଲାଉ ଚୋର, ଚୋରଉ ଚୋରଉ ବଡ଼ ଚୋର | (ଅଳ୍ପ ଅଳ୍ପ ଚୋରି କରି ପବେ ବଡ଼ ଚୋରରେ ପରିଣତ ହେବା |)
14.                     କଖାରୁ କାଟି ଦାନ ଦେବା | (କୃପଣ ପ୍ରତି ଆକ୍ଷେପୋକ୍ତି)
15.                     କଞ୍ଚାନିଦ ଭଙ୍ଗେଇବ ନାହିଁ | (ଅଳ୍ପକ୍ଷଣ ପୂର୍ବେ ଶୋଇଥିବା ବ୍ୟକ୍ତିର ନିଦ ଭଙ୍ଗାଇବା ଉଚିତ ନୁହେଁ )
16.                     କଟକ ଭଣ୍ଡାରି ଦେଶକୁ ରଜା | (କଟକ ବା ସେହିପରି କୌଣସି ବଡ଼ ସହରର ସାମାନ୍ୟ ଭୃତ୍ୟର ଚାକଚକ୍ୟ ଓ ଠାଣିମାଣି ଦେଖି ମଫସଲ ଗାଁର ଲୋକ ତାକୁ ପ୍ରଭୁ ଭଳି ଭୟ ଓ ସମ୍ମାନ ପ୍ରଦର୍ଶନ କରନ୍ତି )
17.                     କଟକ ସହରରେ କି ଘୋଡ଼ା ଅପୂର୍ବ ? (ପୂର୍ବେ କଟକରେ ବହୁତ ଘୋଡ଼ା ଥିଲେ)
18.                     କଟକରେ ରାତି ନାହିଁ, ପୁରସ୍ତମରେ ଜାତି ନାହିଁ |
19.                     କଟକ ଧୋବଣୀ ଦେଶରେ ରାଣୀ | (ରାଣୀପରି ବେଶଭୂଷାଯୁକ୍ତ)
20.                     କଟକୀ ପାହୁ, ଛଟକ ଦେଖାଇ ଅଟକି ନେଉ, ବାଲେଶ୍ୱରୀଆ, କଥା କହୁଥିଲେ ଲାଗେ ଗରୁଆ |
21.                     କଟକ ଚିନ୍ତା ବାଇମୁଣ୍ଡିକୁ | (ଐତିହାସିକ କିମ୍ବଦନ୍ତୀ) (ପୂର୍ବେ କଟକରେ ବାଇମୁଣ୍ଡି ନାମରେ ଜଣେ ସାମାନ୍ୟ ଲୋକ ଥିଲା | ନଈ ବଢ଼ିରେ କଟକ ସହର ଭାସିଯିବ ବୋଲି ସେ ରାଜାଙ୍କୁ ଗୁହାରି କରି କାଠଯୋଡ଼ି ନଦୀରେ ପଥର ବନ୍ଧ ପକାଇଥିଲା ବୋଲି ପ୍ରବାଦ ଅଛି ) (ସେହିପରି ସାମାନ୍ୟ ଲୋକ ହୋଇ କୌଣସି ଗୁରୁତର ବିଷୟରେ ମୁଣ୍ଡ ଖେଳାଇବା )
22.                     କଟା ଘାରେ ଚୁନ (ଲୁଣ) | (କଷ୍ଟ ବା ଅପମାନ ଉପରେ ଆହୁରି ଅପମାନ ବା ଯନ୍ତ୍ରଣା ଦେବା)
23.                     କଟାଶ ବୁଦ୍ଧିରେ ବିରାଡ଼ି ମାତାଲ | (ଓଧ ସଙ୍ଗେ ବଣଭୁଆ ବାଇ ଦେଖ)
24.                     କଟକ ପାଏନ୍ ବାରିତରାର ଘୋଡ଼ା | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ) (ବାଡ଼ିତଳେ ଥିବା ଘୋଡ଼ାଠାରୁ କଟକ ଆଡ଼ୁ ବର୍ଷି ଆସୁଥିବା ମେଘ ଅଧିକ ଦ୍ରୁତଗାମୀ)
25.                     କଡ଼ାକେ ତରି, କଡ଼ାକେ ମରି, କଡ଼ାକେ ଘର ଦୁଆର କରି | (ଅତି ସାମାନ୍ୟ ଧନ ହେତୁ ଲୋକ ଯେପରି ରକ୍ଷାପାଏ ସେହିପରି ସାମାନ୍ୟ ଧନ ଯୋଗୁ ପ୍ରାଣ ଯିବାର ଭୟ ମଧ୍ୟ ଅଛି | ପୁଣି ଅଳ୍ପ ଧନକୁ ପାଣ୍ଠିକରି ଲୋକେ ବଡ଼ ଲୋକ ହୁଅନ୍ତି )
26.                     କଣା କହେ ଦୋହରାରେ ଦେଖ ଖଲିଆ ଚାଲିକି | ତୁ ମୁଁ ଦିହେଁ ସାଙ୍ଗ ହେଲେ ଗୋସେଇଁ ଖାଇବା କାଲିକି ? (କଣା ବଳଦ ଓ ଖଲିଆ ବଳଦ ସମ୍ବନ୍ଧରେ ଡାକଋଷି ବଚନ)
27.                     କଣା ଲୋଡୁ ଥାଇ କନକ ରାତି | (ଦୁର୍ବଳ ବ୍ୟକ୍ତି ସବୁବେଳେ ଅପୂର୍ବ ସୁଯୋଗକୁ ଅପେକ୍ଷା କରିବା )
28.                     କଣା ଥରେ ବାଡ଼ି ହଜାଇଳା ବୋଲି କଣ ଦିହକ୍ ଯାକ ହଜାଇବ | (ଅଭିଜ୍ଞତାରୁ ଶିକ୍ଷା କରିବା)
29.                     କଣ୍ଟାରେ ବସନ ପକାଇ ଛଟୁ ହେଉଛୁ କାହିଁକି ? (ନିଜେ ବିପଦ ବରଣ କରି ଛଟ ପଟ ହେବା)
30.                     କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା | (ବିବାଦକୁ ଆହ୍ୱାନ କରିବା)
31.                     କତରା ଘୋଡ଼େଇ ହେଲେ ଯମ କି ଛଡ଼ିବ |
32.                     କଥାକେ ଦଣ୍ଡପାଟ, କଥାକେ ମୁଣ୍ଡ କାଟ | (ମଧୁର କଥାରେ ରାଜ୍ୟ ବା ପୁରସ୍କାର ମିଳେ ଏବଂ କର୍କଣ କଥା ଯୋଗୁ ମୁଣ୍ଡକାଟ ଶାସ୍ତି ମଧ୍ୟ ମିଳେ )
33.                     କଥାଟାକୁ ଲଥାଟାଏ | (କଥା ସଙ୍ଗରେ ଯୋଡ଼ା ଯାଇଥିବା ଅର୍ଥହୀନ ଶଦ୍ଦର ଆଳଙ୍କରିକ ପ୍ରୟୋଗ ଯଥା – ଘର ଫର, ବାଘ ଫାଗ, ଶାଗ ମାଗ)
34.                     କଥାରେ ପେଞ୍ଚ ଅଛି, ଚାଲିକୁ ଜର କରି ଜର କରିଛି | (କୌଣସି ଗୁପ୍ତ କାରଣ ହେତୁ ଅସୁସ୍ଥତାର ଛଳନା କରିବା )
35.                     କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ | (ଗୋଟିଏ କଥାକୁ ଧରି ବସି ବାରମ୍ବାର ଆଲୋଚନା କଲେ ତାହା କ୍ରମେ ବଡ଼ ଆକାର ଧାରଣ କରେ )
36.                     କଥା ହୁଁ କୁ, ଗୀତ ମୁହଁକୁ | (ଶୁଣିବା ଲୋକ ହୁଁ କହିବା ଦ୍ୱାରା କଥକ ଏବଂ ଶ୍ରୋତାର ଉପସ୍ଥିତି ଦ୍ୱାରା ଗାୟକ ସ୍ୱ ସ୍ୱ କାର୍ଯ୍ୟରେ ଉତ୍ସାହିତ ହୁଅନ୍ତି )
37.                     କଥା କହୁଥିବ ଜଗି, ଚାଷକୁ ଥିବଟି ସଙ୍ଗୀ | କେବେ ନୋହିବାର ରୋଗୀ, ସଖି ଗୋ ଭଲ ଏ |
38.                     କଥା ରସକୁ ଫୁଲ ବାସକୁ | (ରସମୟ କଥା ଓ ବାସଯୁକ୍ତ ଫୁଲ ଭଲ)
39.                     କଥା କହୁଥାଏ ଭରମକୁ, ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଉଥାଏ ମରମକୁ | (ମରମର ବେଦନା ପ୍ରକାଶ କରି ନପାରି ଲୋକଦେଖାଣକୁ କଥାବାର୍ତ୍ତା କରିବା)
40.                     କଦଳୀ ଗଛରେ ମଞ୍ଜକୀଳା ମୋରିବା ନ୍ୟାୟ | (ଅଲକ୍ଷିତ କାରଣରୁ କୌଣସି ବ୍ୟକ୍ତିର ସର୍ବସ୍ୱ ନଷ୍ଟ ହେବା )
41.                     କଦଳୀ ପୁଅ ବାଉଁଶର ନାତି, ଆପଣା ଇଚ୍ଛାରେ ବଢ଼ାନ୍ତି ଜାତି | (କଦଳୀ ଓ ବାଉଁଶ ଚାଷ ସମ୍ବନ୍ଧରେ ପ୍ରବଚନ)
42.                     କଦଳା, ପାଉଁଶ, କିଆ, ଏ ତିନିରୁ ନାହିଁ ପରଖିଆ | (ପାଖରେ ଥିବା ଅନ୍ୟ ଗଛର ସାର ଗ୍ରହଣ କରି ଏମାନେ ନିଜକୁ ପୁଷ୍ଟ କରନ୍ତି )
43.                     କନ୍ୟାଦେଖା ବାଇଗଣବିକା ଏକା ହାଟରେ ହେବା ନ୍ୟାୟ | (ଏକ ସ୍ଥାନକୁ ଯାଇ ଦୁଇ ଉଦ୍ଦେଶ୍ୟ ସାଧନ କରିବା)
44.                     କନ୍ୟା ଯେଉଁ ଈଶାଣରେ ଚାଉଳ ପକାଇଛି, ଧରି ବାନ୍ଧି ସେଇଠିକି ଯିବ | (ଲୋକସଂସ୍କାର)
45.                     କନ୍ୟେ କଦଳୀ ମିଥୁନେ ଆମ୍ବ | (କୃଷିବଚନ)
46.                     କପା କପୂର ଏକା ମୁଲ | (ଯେଉଁଠାରେ ଭଳ ମନ୍ଦର ପ୍ରଭେଦ ପ୍ରତି ଉଚିତ ଦୃଷ୍ଟି ଦିଆଯାଏ ନାହିଁ )
47.                     କପା କିଆରରେ ଗୋରୁ ମୁଣ୍ଡ ଥାପିବା | (ତାହା ହେଲେ ରାତ୍ରରେ ମନୁଷ୍ୟ, ଭ୍ରମରେ ଜନ୍ତୁମାନେ ଫସଲ ନଷ୍ଟ କରିବେ ନାହିଁ | ଗୋଟିଏ ଅସାର ଓ ପ୍ରକୃତ ଶକ୍ତିରହିତ ବସ୍ତୁକୁ ଉପଲକ୍ଷ୍ୟ ମାତ୍ର କରି କାର୍ଯ୍ୟ ସାଧନ କରିବା )
48.                     କପାଖାଇରେ ଲୁଗା ପଶିବା | (ଦୋସନ୍ଧିରେ ପଡ଼ିବା)
49.                     କପା ବିଶାକ ଯେତେ କପୂର ବିଶାକ ତେତେ ମୂଲ | (ଅନ୍ୟାୟ ବିଚାର)
50.                     କପାସିଆ ଛ’ ମାସିଆ | (କପାସୂତାରେ ତିଆରି ଲୁଗା ବ୍ୟବହାର କଲେ ଛ’ମାସରୁ ଅଧିକ ଯାଏ ନାହିଁ )
51.                     କପାଳ ଥିଲେ ଗୋପାଳେ ଦେବେ |
52.                     କପାଳେ ନ ଥିଲେ ଗୋପାଳେ କାହୁଁ ଦେବେ ? (କର୍ମ ଅନୁସାରେ ଫଳ)
53.                     କପାଳ ଗୁଣେ ଗୋପାଳ ଗୋସେଇଁ | (କର୍ମ ବଳରେ ଗୋପାଳ ନାମକ ଜଣେ ମୁର୍ଖ ବ୍ରାହ୍ମଣ ପୂଜା ପାଉଥିବା ପ୍ରବାଦକୁ ଲକ୍ଷ୍ୟ କରି କୁହା ଯାଇଛି)
54.                     କପାଳ ଛଡ଼ା ବାଟ ନାହିଁ |
55.                     କପାଳ ଫାଟିଲା ବେଳକୁ ଘରଢ଼ିଙ୍କି କିମ୍ଭୀର ହୁଏ | (ଅଭାଗ୍ୟ ବେଳକୁ ଆପଣା ଲୋକେ ଶତ୍ରୁତା ଆଚରଣ କରନ୍ତି )
56.                     କପୂର ଉଡ଼ି ଗଲାଣି, କନାଟା ପଡ଼ି ରହିଛି | (ଅସଲ ପଦାର୍ଥ ଚାଲିଗଲାଣି, କେବଳ ନାମମାତ୍ର ବାକି ଅଛି )
57.                     କପୋତ ଯୋଗୁ କପୋତୀ ହେଲା ଜାଲେ ବନ୍ଧନ | (ପୌରାଣିକ ପ୍ରବାଦ | କପୋତକୁ ଜାଳରେ ଧରାବଡ଼ିବା ଦେଖି କପୋତୀ ନିଜ ଇଚ୍ଛାରେ ଧରା ଦେଇ ମୃତ୍ୟୁ   ବରଣ କଲା)
58.                     କବି ତୁଣ୍ଡ ମେଣ୍ଢା ମୁଣ୍ଡ | (ମେଣ୍ଢା ମୁଣ୍ଡ ବଡ଼ ଟାଣ ଓ କବି ତୁଣ୍ଡ ବଡ଼ ନିର୍ଭୀକ)
59.                     କବି ଆଗରେ କାବ୍ୟ ପଢ଼ିବା ନ୍ୟାୟ | (କବିକୁ କାବ୍ୟ ଶୁଣାଇ ହାସ୍ୟାସ୍ପଦ ହେବା)
60.                     କମଳ (କମ୍ବଳ) ଯାକ ବାଳ | (ଅସଂଖ୍ୟ ଦୋଷରେ ପରିପୂର୍ଣ୍ଣ)
61.                     କମଳରୁ ବାଳ ବାଛିବା | (ଯାହା ଅସଂଖ୍ୟ ଦୋଷର ପୂର୍ଣ୍ଣ ତହିଁରୁ ଗୋଟାଏ ଗୋଟାଏ ଦୋଷ ବାଛି କିଛି ଲାଭ ନାହିଁ )
62.                     କମାର ଲୁହା ଜାଣି ପାଣି ଦିଏ | (ଯେ ଯେପରି ତାହା ପ୍ରତି ତଦ୍ରୁପ ବ୍ୟବହାର କରିବା )
63.                     କରକଟେ ଝର ଝର କନ୍ୟାରେ କାନ, ବିନେ ବାଏ ତୁଳେ ବରଷିଲେ କାହିଁ ରଖିବୁ ଧାନ | (କୃଷିବଚନ)
64.                     କରଣ ସାଆନ୍ତଙ୍କ ଢମ | (ପୂର୍ବେ କରଣ ସମାଜରେ ପରିଲିକ୍ଷିତ ଅତିରିକ୍ତ ବାହ୍ୟାଡ଼ମ୍ବରକୁ ଲକ୍ଷ୍ୟ କରି )
65.                     କରମ ଗୁଣେ କରମଙ୍ଗା ଫଳେ, ଲାଭ ଲଗେଇଲେ ଚଲଣା ଫଳେ |
66.                     କରତର ଘା ସହେ ଯେ, ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା ଖାଏ ସେ | (ଦୁଃଖ ସହିଥିବା ଲୋକ ପରେ ସୁଖ ଭୋଗ କରି )
67.                     କରମ ବଡ଼ିଲେ ଧରମ ଛାଡ଼େ, ସରମ କଥାରେ ମରମ ସଢେ |
68.                     କରମରେ ଥାଇ ଯାହାର ଦଶା ସେ କିପାଁ କରଇ ପରକୁ ଆଶା | ପର ସ୍ତିରୀ ଯେବେ ହରଇ ପୁଂସା | କହେ ଦନାଇ ଏ ପାପ ଦୁର୍ଦ୍ଦଶା |
69.                     କର ରାଜ କାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ |
70.                     କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ | (ପୌରାଣିକ ପ୍ରବାଦ | କୁନ୍ତୀ ଦେବୀ କର୍ଣ୍ଣଙ୍କୁ ପାଣ୍ଡବମାନଙ୍କ ସଙ୍ଗରେ ମହାଭାରତ ଯୁଦ୍ଧରେ ଯୋଗ ଦେବା ପାଇଁ ଅନୁରୋଧ କରିବାରୁ ସେ ତାହାଙ୍କୁ ନାସ୍ତି ବାଣୀ ଶୁଣାଇ କହିଲେ ଯେ ତୁମ୍ଭେ ପାଞ୍ଚ ପାଣ୍ଡବଙ୍କର ଜନନୀରୂପେ ଖ୍ୟାତି ଲାଭ କରିଅଛ | କର୍ଣ୍ଣ ବା ଅର୍ଜ୍ଜୁନ ଯେ କେହି ମରନ୍ତୁ ପଛକେ ତୁମର ପୁତ୍ର ସଂଖ୍ୟା ପାଞ୍ଚ ରହିବ ) (ସଂଖ୍ୟା ବା ସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବା)
71.                     କରମ ମନ୍ଦ, ଦିଅଁ, ଦେବତା କିପାଁ ନିନ୍ଦ |
72.                     କର୍ମ ଅବଳକୁ ଭଉଣୀ ଜୋଇଁ ଘଇତା | (ଅବସ୍ଥାଚକ୍ରରେ ବାଧ୍ୟ ହୋଇ କୌଣସି ଅନୁଚିତ ବା ଅସମ୍ମାନଜନକ କାର୍ଯ୍ୟ କରିବା)
73.                     କରିଆ ବି ଗଲା, କଛିମ ବି ଗଲା | (ଗାମୁଛାରେ ବାନ୍ଧି ରଖିଥିବା କଇଁଛ ଗାମୁଛା ସହ ପଳାଇ ଯିବା ପରି ଏକତ୍ର ଦୁଇଟି ବସ୍ତୁ ହରାଇବା )
74.                     କରୁ ଯେବେ ଡରୁ କାହିଁକି, ଡରୁ ଯେବେ କରୁ କାହିଁକି |
75.                     କଳମ ଶାଗକୁ ଘିଅ ପରଜା | (ସାମାନ୍ୟ କାର୍ଯ୍ୟ ନିମନ୍ତେ ବିଶେଷ ଆଡ଼ମ୍ବର)
76.                     କରମ ଲିଖନ କେ କରିବ ଆନ |
77.                     କଳନ୍ତର ଆଗରେ ଘୋଡ଼ା ଦୌଡ଼ି ପାରେ ନାହିଁ | (କରଜ ଟଙ୍କାର ସୁଧ ହୁ ହୁ ବଢିଯାଏ )
78.                     କଳାକୁଡ଼ିଆ ନୁହେ ଯେ କଳଙ୍କକୁଡ଼ିଆ (ପରିବାରରେ କିଛି ନା କିଛି କଳଙ୍କ ଥାଏ )
79.                     କଳଙ୍କି ଅବତାରରେ ତେରହାତ ଖଣ୍ଡାକୁ ବାରହାତ ଖୋଳ | (ଲୋକବିଶ୍ୱାସ)
80.                     କଳାକନା ବୁଲାଇବା | (ସର୍ବସ୍ୱ ଲୁଟି ନେବା)
81.                     କଳାକୁ ଧଳା ଓ ଧଳାକୁ କଳା କରିବା | (ସତକୁ ମିଛ ଓ ମିଛକୁ ସତ୍ୟ ରୂପେ ପ୍ରତିପାଦିତ କରିବା)
82.                     କଳା କମ୍ବଳ, ନୁହେଁ ଉଜଳ | (ଯାହାର ପ୍ରକୃତ ମନ୍ଦ, ତାହାକୁ ପରିବର୍ତ୍ତନ କରିବା ସହଜ ନୁହେଁ |)
83.                     କଳି ନ ଥିଲେ ଦୁଇ ମାଇପ କର, କଉଡ଼ି ନଥିଲେ ଦୋହରା ଘର |
84.                     କଳି ଯେବେ କରି ବସିବ ସଙ୍ଗେ ଥିବ ଭାଇ, ଦୁଧ ଯେବେ ଖାଇ ବସିବ ଘରେ ଥିବ ଗାଈ |
85.                     କଳିଷଠା ଷାଠିଏ | (କଳି କାଳରେ ସାଧାରଣତଃ ମନୁଷ୍ୟର ଆୟୁ ଷାଠିଏ ବୋଲି ଧରାଯାଏ)
86.                     କଷ୍ଟ କଲେ କୃଷ୍ଣ ମିଳେ | (ଇଷ୍ଟସିଦ୍ଧି ପାଇଁ ଉଦ୍ୟମ ଆବଶ୍ୟକ)
87.                     କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର |
88.                     କହି ଜାଣିଲେ କଦଳୀ ମୁଣ୍ଡା ବିକାଯାଏ, କହି ନ ଜାଣିଲେ ମାଗୁର ମାଛ ଚାହିଁଥାଏ |
89.                     କହି ଜାଣିଲେ ପୁଇଁ ଚୁଙ୍ଗୁଡ଼ି ବିକାଯାଏ, କହି ନ ଜାଣିଲେ ଲାଉ କଖାରୁ ଗଡ଼ଗଡ଼ଉ ଥାଏ |
90.                     କହି ଜାଣିଲେ ବାର ହାତ କାକୁଡ଼ିର ତେର ହାତ ମଞ୍ଜି | (କଥାର ଚାତୁରୀ ବଳରେ ଅବାସ୍ତବକୁ ବାସ୍ତବ ଓ ମିଥ୍ୟାକୁ ସତ୍ୟ ବୋଲି ପ୍ରତିପାଦିତ କରିବା)
91.                     କହି ପୋଛି ଜାଣେ ଯେ ପୁଇଁ ଚୁଙ୍ଗୁଡ଼ି ବିକେ ସେ |
92.                     କହି ଦେଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ |
93.                     କହିଲା ଲୋକକୁ ଯୁଦ୍ଧ ନିଆରା | (ଯେଉଁ ଯୁଦ୍ଧରେ ସହସ୍ର ସହସ୍ର ଲୋକ ପ୍ରାଣ ଦିଅନ୍ତି ତାକୁ ଜଣେ ଅକ୍ଳେଶରେ ବର୍ଣ୍ଣନା କରିଯାଏ)
94.                     କହି ନ ଜାଣିଲେ କଥା ଅଡ଼ୁଆ, ଧରି ନ ଜାଣିଲେ ସୂତା ଅଡ଼ୁଆ |
95.                     କହିବା ଲୋକ ବଡ଼ ନୁହେଁ ସହିବା ଲୋକ ବଡ଼ |
96.                     କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି | (ପରିବାର ହିତ ଦୃଷ୍ଟିରୁ କୌଣସି ଲଜ୍ଜାଜନକ ଘଟନା ବା ବିଷୟ ପ୍ରକାଶ କରିବାସୁ ବାଧ୍ୟ ହେବା )
97.                     କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ | (ଅପ୍ରକାଶ୍ୟ ଲଜ୍ଜାଜନକ ବିଷୟ ପ୍ରତି ଉପଲକ୍ଷ୍ୟ ବଚନ)
98.                     କହେ ଯେ କରେ ନାହିଁ, କରେ ଯେ କହେ ନାହିଁ | (ଅନୁଭବ)
99.                     କହ୍ନେଇ ଛଡ଼ା କୀର୍ତ୍ତନ ନାହିଁ ?
100.               କହ୍ନେଇ ଯୋଗେ ଗାଈ ଗୁହାଳ | (କୌଣସି କାର୍ଯ୍ୟ ବା ଅନୁଷ୍ଠାନର ମୂଳରେ ଥିବା ବ୍ୟକ୍ତିପ୍ରତି ପ୍ରଯୁଜ୍ୟ ବଚନ)
101.               କଂନା ବନ୍ଧାଦେଇ ହଳଦୀ ଆଣ, ଶୋଇଲେ ଶୋଇବା ଉପାସ ପୁଣ | (ନିରାହାର ରହି ବିଳାସ ସାମଗ୍ରୀ କିଣିବା ଭଳି ମୁର୍ଖତା)
102.               କଂସାରି ଘର ପାରା, ତାକୁ କୁଲା ଢାଉଁ ଢାଉଁ  ଡରା | (କଂସାରି ଘରେ ଯେଉଁ ପାରା ବଢି ଆସିଛି ସେ କୁଳା ଢାଉଁଢାଉଁକୁ ଖାତିର ନ କଲା ପରି ନିର୍ଭୀକ ଅଭିଜ୍ଞ ବ୍ୟକ୍ତି ସାମାନ୍ୟ ଭୟ ପ୍ରଦର୍ଶନରେ ଭୀତ ଚକିତ ନ ହେବା )
103.               କଂସା ଧନ ଅଧେ ଧନ, ଗୋରୁ ଧନ ନିଧନ | (କଂସା ଭାଙ୍ଗିଗଲେ ପୁରୁଣା କଂସା ଅଧା ଭାଉରେ ବିକାଯାଏ, କିନ୍ତୁ ଗୋରୁ ମରିଗଲେ କିଛି ମିଳେ ନାହିଁ )
104.               କଂସ ତୁଣ୍ଡରେ ପୁଣି କୃଷ୍ଣ କଥା | (ଦୁଷ୍ଟବ୍ୟକ୍ତି ମୁହଁରୁ ଭଲ କଥା ଶୁଣାଯିବା ଭଳି ଦୁରାଶା)
105.               କାଉ ଖୁମ୍ପବାକୁ ତାଳେ ଖସିବାକୁ | (କାର୍ଯ୍ୟକାରଣ ସମ୍ବନ୍ଧ ନ ଥାଇ ଦୁଇଟି ଘଟନା ଏକାବେଳକେ ଘଟିବା ଦ୍ୱାରା ତହିଁରେ କାର୍ଯ୍ୟକାରଣ ସମ୍ୱନ୍ଧର ଆରୋପ)
106.               କାଉ କୋଇଲି ଏକା ବର୍ଣ୍ଣ, ରାବବେଳେ ଭିନ୍ନ ଭିନ୍ନ |
107.               କାଉ ବସାରେ କୋଇଲି ଡିମ୍ବ ଦେଇ ନିଶ୍ଚିନ୍ତ ହେବା | (ନିଜର ଦାୟିତ୍ୱ ଅନ୍ୟର ଅଜାଣତରେ ତା ଉପରେ ଅର୍ପଣ କରି ନିଜେ ନିଶ୍ଚିନ୍ତ ହେବା)
108.               କାଉ ତୁଣ୍ଡରେ ପୁଣି କୃଷ୍ଣ କଥା | (ଦୁରାଶା | ଶୁଆ କୃଷ୍ଣ କଷ୍ଣ କହେ, କାଉ କହେ ନାହିଁ )
109.               କାଉ ଖାଏ ପଣସ, ବଗ ମୁଣ୍ଡରେ ଅଠା |
110.               କାଉ ଖାଏ ଧାନ, ବକ ପଡ଼େ ବନ୍ଧନ |
111.               କାଉ ହଗି ଦେଇ ଚମ୍ପଟ, ବଗ ବିଚରା ଧରା ପଡ଼ିଲା | (ଅନ୍ୟର ଅପରାଧ ନିମିତ୍ତ ଆଉ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ଭୋଗ କରିବା )
112.               କାଉ କୋଇଲିର ଭେଟ ନାହିଁ | (କୋଇଲି କାଉ ବସାରେ ଡ଼ିମ୍ବ ଦେଇଥାଏ | କାଉ ତାହାକୁ ଆପଣା ଡ଼ିମ୍ବ ବିଚାରି ଅତି ଯତ୍ନରେ ଫୁଟାଏ ଓ ପାଳେ | କିନ୍ତୁ କୋଇଲି ପର ଲାଗିବା ମାତ୍ରେ ସେ କାଉକୁ ଛାଡ଼ି ପଳାଏ | ଉପକାରୀ ବ୍ୟକ୍ତିକୁ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା )
113.               କାଉ ବସାରେ ଢାମଣା | (ଶାନ୍ତିପ୍ରିୟ ବ୍ୟକ୍ତି ଘରେ ଗୋଳମାଳ କରିବା)
114.               କାଉ | ମଲା ଉପରେ ଶଗଡ଼ ଯାଉ | (ଦଣ୍ଡିତ ବ୍ୟକ୍ତିକୁ ପୁନର୍ବାର ଦଣ୍ଡଦେବା ନିରର୍ଥକ)
115.               କାଉଁରିଆ କାଠି ଭାଙ୍ଗିବ ପଛକେ ନଇଁବ ନାହିଁ | (ଟାଣୁଆ ଲୋକ)
116.               କାଉରେ | ବେଲ ପାଚିଲା, ନାଁ ମୋର କି ଗଲା | କାଉରେ | ଆମ୍ବ ପାଚିଲା, ନାଁ ମୋର ଯେ ଦୁଃଖ ଗଲା |
117.               କାକର ଧରି ଘଡ଼ା ପୁରାଇବା | (ବୃଥା ଚେଷ୍ଟା, ଅସମ୍ଭବ କଥା)
118.               କାକୁଡ଼ିଆ ଘାସକୁ ହଡ଼ା ବଳଦ ଛିଣ୍ଡାଇ ଖାଇ ପାରେ ନାହିଁ |
119.               କାକସ୍ନାନ, ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବ ସରକାର ଘର କଉଡ଼ି |
120.               କାକୁଡ଼ି ଚୋରକୁ ମୁଣ୍ଡକାଟ ଶାସ୍ତି | (ସାମାନ୍ୟ ଦୋଷପାଇଁ ଗୁରୁତର ଦଣ୍ଡ ବିଧାନ କରିବା)
121.               କାକୁଡ଼ି ଚୋର, ଲାଉଚୋର, ଚୋରଉ ଚୋରଉ, ପୁରୁଣା ଚୋର | (ସାମାନ୍ୟ ପଦାର୍ଥ ଚୋରି କରୁ କରୁ ମନୁଷ୍ୟ ବଡ଼ ଚୋର ପାଲଟେ |
122.               କାକୁଡ଼ି ପରାୟେ ପୀରତି ଦେଖ, ବାହାରକୁ ତୁଲ ଭିତର ଫାଙ୍କ | (କପଟବନ୍ଧୁତା)
123.               କାଙ୍କ ନ ଚିହ୍ନି ଗଡ଼ିଆ ନାହିଁ | (ପୋଖରୀ ଖୋଳା ହେବା ପାଇଁ କାଙ୍ଗ ଅପରିହାର୍ଯ୍ୟ ବିବେଚିତ ହେଲାପରି କୌଣସି କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତିର ଉପସ୍ଥିତି ଏକାନ୍ତ ଲୋଡ଼ା ହେଲେ, ଏହା କୁହାଯାଏ )
124.               କାଖବାଳିଅ ଚାରକୁ କାଠଫାଳିଆ ପାହାର | (ବୟସ୍କ ଛାତ୍ରକୁ ଶାରୀରିକ ଦଣ୍ଡ ଦେଇ ଗୁରୁ ନିଜେ ହାସ୍ୟାସ୍ପଦ ହୁଅନ୍ତି)
125.               କାଚ କାଚ ମଣି ମଣି, କ୍ରୟ ବିକ୍ରୟ କାଳେ ଜାଣି |
126.               କାଚ ଘଡ଼ିକୁ ମୁଣ୍ଡି ଶିଳପୁଆ |
127.               କାଛୁ ଗାଣ୍ଡିକୁ ତେଲ ମିଳୁନି କପିଳାସରେ ଜାଗର ଜାଳୁଛି | (ଅତ୍ୟାବଶ୍ୟକ ଆବଶ୍ୟକତା ମେଣ୍ଟାଇବା ପାଇଁ ଯାହାର ଅର୍ଥ ନାହିଁ ସେ ବିଳାସ ବ୍ୟସନରେ ଅର୍ଥବ୍ୟୟ କରିବା ଅସମ୍ଭବ )
128.               କାଠ କହିଲା ମୋତେ କିଏ ହାଣୁଛ ? କୁରାଢ଼ି କହିଲା ତୋ ଭାଇ ମୋ ଭିତରେ ପଶି ତୋତେ ହାଣୁଛି | (ଆପଣ ପକ୍ଷର କୌଣସି ଲୋକ ଶତ୍ରୁ ପକ୍ଷରେ ଯୋଗଦେଇ ନିଜ ଦଳର ଅନିଷ୍ଟ ଘଟାଇବା)
129.               କାଠିକଠାରୁ କାଠି ହଜା | (କାଠି ଗଣନାର ଶେଷ ସୀମା | ସେଠାରୁ ଆଉ ଗଣନା ନାହିଁ )
130.               କାଠିକର ପାଠ | (ଅତ୍ୟନ୍ତ କଷ୍ଟସାଧ୍ୟ )
131.               କାଠି ପାଞ୍ଚଣ ଛୁଆଁଇ ନ ଦେବା | (କୌଣସି ଅଧିକାର ନ ଦେବା)
132.               କାଣି ଆଙ୍ଗୁଠି ବଢିଲେ କି ବୁଢୀ ଆଙ୍ଗୁଠି ସରି ହେବ | (ଯାହାର ବିକାଶ ଅତ୍ୟନ୍ତ ସୀମାବଦ୍ଧ)
133.               କାଣି କଉଡ଼ିକି ପିତା ତାଳ, ୟାକୁ ଦଉଥିବ ରାତ୍ରକାଳ | (ଅନ୍ଧାରରେ ଠକିବା ସହଜ)
134.               କାଣୀ ବିରାଡ଼ି କୁଜୀ ଅସରପା ଉପରକୁ ଟାଣ | (ଯେ ଦୁର୍ବଳ ସେ ତାହାଠାରୁ ଆହୁରି ଦୁର୍ବଳ ବ୍ୟକ୍ତି ଉପରେ ନିଜର ପ୍ରତାପ ଦେଖାଏ )
135.               କାଦୁଅରେ ପଶିବ କାହିଁକି ? (ଗୋଳମାଳ ବା ଅଡ଼ୁଆ ଭିତରକୁ ପଶିଲେ, ସେଥିରୁ ମୁକ୍ତ ହେବା ପାଇଁ ତଦନୁଯାୟୀ ଶ୍ରମ କରିବାକୁ ହେବ )
136.               କାନକୁ ନ ଅଣ୍ଟେ ଗୀତ, ଆଖିକୁ ନ ଅଣ୍ଟେ ବିତ୍ତ |
137.               କାନକୁ ନ ଅଣ୍ଟେ ଗୀତ, ମାଆକୁ ନ ଅଣ୍ଟେ ସୁତ |
138.               କାନମୁଣ୍ଡା ଆଉଁସି ଆଉଁସି ଘରକୁ ଫେରିଯିବା | (କୌଣସି ବ୍ୟକ୍ତିଠାକୁ ଲାଭ ପାଇବା ଆଶାରେ ଆସି ହତାଶ ହୋଇ ଫେରିଯିବା)
139.               କାନିରେ ଗଣ୍ଠି ପକାଇବା | (ସଂକଳ୍ପ କରିବା)
140.               କାନ ଥିଲେ ସୁନା ନାହିଁ , ସୁନା ଥିଲେ କାନ ନାହିଁ | (ଧନ ଥିଲେ ମନ ନ ଥାଏ, ମନ ଥିଲେ ଧନ ନ ଥାଏ)
141.               କାନ କାଟିଲେ ବଚନ ନ ବାହାରିବା | (ଅତ୍ୟନ୍ତ ଧୀରସ୍ଥିର ଲୋକ)
142.               କାନ୍ତହୀନ ନବ ଯଉବନ ତା ଜୀବନଟା ବୃଥା, ମାତୃହୀନ ଶିଶୁଜୀବନ ତା ଜୀବନଟା ବୃଥା)
143.               କାନ୍ଦୁଥିବୁ, ଯାହା ପାଇବୁ ତା ବାନ୍ଧୁଥିବୁ | (ଉପରେ ଦୁଃଖର ଛଳନା କରି ଗୋପନରେ ନିଜର ସ୍ୱାର୍ଥସାଧନ କରିବା)
144.               କାନ୍ଧରେ ପଡ଼ିଲେ ବଜାଇ ଶିଖନ୍ତି | (ଆପଣା ଉପରେ କୌଣସି ଦାୟିତ୍ୱ ପଡ଼ିଲେ ଲୋକେ ଅଭିଜ୍ଞତା ଅର୍ଜନ କରନ୍ତି)
145.               କାନ୍ଧରେ ଜୁଆଳି ପଡ଼ିବା | (ସଂସାରର ଭାର ବହନ କରିବାର ଦାୟିତ୍ୱ ପଡ଼ିବା)
146.               କାମ୍ପି ଲୋକର ଦିଗୁଣ ସରେ |
147.               କାମ୍ପି ମହାଜନକୁ ନେଭେଡା ଖାତକ |
148.               କାମ ନ ଥାଇ ମୁକୁର ସେବା | (କାମ ନଥିଲେ ଆରସି ଧରି ମୁହିଁ ଦେଖିବା ବା ସେହିପରି ଅନ୍ୟ କୌଣସି ମୂଲ୍ୟହୀନ କାର୍ଯ୍ୟ କରିବା)
149.               କାମ ସାରି ବସ, ଭଗାରି ମାରି ହସ | (ଉପଦେଶ)
150.               କାମ କରି କରି କୂର୍ମ ପାଲଟିଯିବା | (ଐତିହାସିକ କିମ୍ୱଦନ୍ତୀ | ଇନ୍ଦ୍ରଦ୍ୟୁମ୍ନ ରାଜା ଜଗନ୍ନାଥଙ୍କ ମନ୍ଦିର ତୋଳାରେ ପଥର ବୋହିବା ପାଇଁ ବହୁ ଶ୍ରମିକ ନିଯୁକ୍ତ କରିଥିଲେ | ସେମାନେ କଠିନ ପରିଶ୍ରମ କରି ଶେଷରେ କୂର୍ମ ପାଲଟି ଯାଇଥିଲେ ବୋଲି ଲୋକବିଶ୍ୱାସ)
151.               କାମ ପଡ଼ିଲା ବେଳେ ଭଗବାନ ଗଧ ପାଦ ଧରିଥିଲେ, ମଣିଷ କିବା ଛାର | (ପୌରାଣିକ ପ୍ରବଚନ) (ମହା ଭାରତରେ ବର୍ଣ୍ଣିତ ଅଛି ଯେ, ଭୀମ ଜରାସନ୍ଧକୁ ବଧ କରିବାସୁ ଯିବା ସମୟରେ ସଦର ଦର଼ଜାରେ ଥିବା ଗଧ ବୋବାଳି ନ ଛାଡ଼ିବା ପାଇଁ ଶ୍ରୀକୃଷ୍ଣ ତା ମୁହଁରେ ଗୋଟିଏ ଶଙ୍ଖ ଗୁଞ୍ଜି ଦେଇଥିଲେ, ସେହିପରି ଦରକାର ବେଳେ ଅତ୍ୟନ୍ତ ନୀଚ ଲୋକର ଦ୍ୱାରସ୍ଥ ହେବାକୁ ପଡ଼େ )
152.               କାମ ସରିଲେ ମେରିମୁହଁ ଖୋଳା | (ସ୍ୱାର୍ଥସିଦ୍ଧି ପରେ ଲୋକେ ଉପକାରୀର ଉପକାରକୁ ଭୁଲି ଯାଇ ତାକୁ ଆଡ଼େଇ ଦିଅନ୍ତି )
153.               କାର୍ତ୍ତିକ ମାସରେ ଦଣ୍ଡରେ ପାଣି, ହାଟୁଆ କାଢ଼ିଲେ ବଡ଼ ଗଉଣି | (କାର୍ତ୍ତିକ ମାସରେ ବର୍ଷା ହେଲେ ଧାନ ଫସଲ ଭଲ ହେବା ଫଳରେ ଧାନ ଶସ୍ତା ହୁଏ )
154.               କାର୍ତ୍ତିକ ଶୀତ କରେ ରାତିକ, ମଗୁଶୀର ଶୀତ କରେ ଶିରଶିର, ପୁଷ ଶୀତ କରେ ଭୁଷ୍ ଭୁଷ, ମାଘ ଶୀତର ବଡ଼ ରାଗ | ଫଗୁଣ ଶୀତ ଯାଏ ଦିଗୁଣ, ଚଇତ ଶୀତ ଯାଏ ବୋଇତ | (କାର୍ତ୍ତିକ ମାସରେ ଶୀତ ଆରମ୍ଭ ହୋଇ ଚଇତ୍ରକୁ ଏକାବେଳେକେ ଛାଡ଼ିଯାଏ )
155.               କାର୍ତ୍ତିକେ ନ ଥାଏ ଅପୁଲା, ମଗୁଶିରେ ନ ଥାଏ ଅପାଚିଲା | (ଧାନ ସମ୍ୱନ୍ଧରେ କୃଷିବଚନ)
156.               କାଳ ଆଗରେ କି ବିକଳ | (କାଳ ବା ଯମ କାହାରି ଗୁହାରି ଶୁଣେ ନାହିଁ )
157.               କାଳ ପୁରିଲେ କେହି ନ ରଖେ |
158.               କାଳର ଅଟେ ବିପରୀତ ରୀତି, ଦାଣ୍ଡକେ କୋରଡ଼ା ଦଣ୍ଡକେ ଛତି | (କେତେବେଳେ ଦୁଃଖ ତ କେତେବେଳେ ସୁଖ)
159.               କାଳକ ଯାକ ଥିଲା ବସି, ଆଷାଢ଼ ମାସରେ ପାରୁଛି ଘସି | (ଦୀର୍ଘସୂତ୍ରୀ ବ୍ୟକ୍ତି)
160.               କାଳୀ ଗାଈର ଦୁଧ ମିଠା | (ଲୋକବିଶ୍ୱାସ)
161.               କାଳୀ ଗାଈର ଭିନେ ଗୋଠ | (ଜଣେ ଲୋକ ଅନ୍ୟ ସମସ୍ତଙ୍କ ସାଙ୍ଗରେ ନ ମିଶି, ନିଜର ଗୋଟିଏ ଛୋଟିଆ ଗୋଷ୍ଠୀ ଗଢ଼ିଲେ ଏହି ଉପମା ଦିଆଯାଏ)
162.               କାଳନେମିର ଲଙ୍କା ଭାଗ | (ପୌରାଣିକ ପ୍ରବଚନ) (ହନୁମାନ ଗନ୍ଧମାର୍ଦ୍ଦନ ପର୍ବତରୁ ମହୌଷଧିଆଣି ଲକ୍ଷ୍ମଣଙ୍କୁ ବଞ୍ଚାଇବା ପୂର୍ବରୁ ତାକୁ ରାତିକ ଅଟାକାଇ ଦେଲେ ରାବଣ କାଳନେମି ନାମକ ରାକ୍ଷସକୁ ଲଙ୍କାର ଅଧେ ଦେବ ବୋଲି କହିଥିଲା | କାଳନେମି ତହୁଁ କାର୍ଯ୍ୟ ସାଧନ ପୂର୍ବରୁ ଲଙ୍କାର କେଉଁ ଭାଗକ ନେବ ବୋଲି ପ୍ରଥମେ ବିଚାର କରି ବସିଲା – ଅସାର କଳ୍ପନା)
163.               କାଳିଆ ବଳଦ କସରା, ୟାଙ୍କୁ ନ କରିବ ପସରା |
164.               କାଳିକାଙ୍କର ଏକ ମୁଣ୍ଡ, ବ୍ରହ୍ମଙ୍କର ଚାରି ମୁଣ୍ଡ |
165.               କାଲ ଆଗରେ ମୂଳା ଚୋବାଇବା | (ମୂଳା ଚୋବାଇବାର ଶଦ୍ଦ କାଲକୁ ଶୁଭେ ନାହିଁ | ସେହିପରି ଯାହାର ଯେଉଁଥିରେ ପ୍ରବେଶ ନାହିଁ ସେ ସମ୍ବନ୍ଧରେ ତାହା ଆଗରେ କହିଲେ ସେ କିଛି ବୁଝେ ନାହିଁ )
166.               କାଲ ଠାରେ କାଲ ମା ଜାଣେ | (ଯାହା ସଙ୍ଗେ ଯେ ସର୍ବଦା ଚଳପ୍ରଚଳ ହୁଏ ସେ ତାର ପ୍ରକୃତି, ଉଦ୍ଦେଶ୍ୟ ଓ କାର୍ଯ୍ୟ ଉତ୍ତମ ରୂପେ ବୁଝିପାରେ )
167.               କାଲାକା ଯୋଗୀ ମୁଣ୍ଡରେ ଜଟା | (ଅଳ୍ପଦିନ ହେଲା ଗୃହ ଛାଡ଼ି ବାବାଜି ହୋଇଥିବା ବ୍ୟକ୍ତିର ମୁଣ୍ଡରେ ଜଟା ଦେଖିଲେ ଜାଣିବ ଯେ ସେ ଜଟା କୃତ୍ରିମ ଜଟା | ସେହିପରି ଅନଭିଜ୍ଞ ବ୍ୟକ୍ତି ବଡ଼ ବଡ଼ କଥା ଶୁଣାଇଲେ ଏହି ଉପମା ଦିଆଯାଏ )
168.               କାଲିର କଥା ଆଜିକୁ ଅନ୍ତର | (ସଂସାର ପରିବର୍ତ୍ତନଶୀଳ)
169.               କାଲି ମଲେ ଆଜିକୁ ଦୁଇଦିନ | (ସମୟରଗତି ଅତ୍ୟନ୍ତ କ୍ଷିପ୍ର)
170.               କାଲି ତରକା ପାଇଛି, ନିଦରୁ ଉଠି ଧାଇଁଛି | (ପୂର୍ବ ଅନୁଭୂତିରୁ ସାବଧାନ ହେବା)
171.               କାଶିଆ କପିଳାର ଭେଟ କାହିଁ ? )ଐତିହାସିକ କିଂବଦନ୍ତୀ) (କପିଳେନ୍ଦ୍ରଦେବ ପିଲାଦିନେ କାଶୀନାଥ ମିଶ୍ର ନାମକ ଜଣେ ବ୍ରାହ୍ମଣ ବାଳକ ସଙ୍ଗେ ଏକାଠି ଗାଈ ଚରାଉଥିଲେ | କପିଳେନ୍ଦ୍ରଦେବ ନିଜର ପ୍ରତିଭା ଓ ସାଧନା ବଳରେ ଉତ୍କଳ ସିଂହାସନରେ ଅଧିରୂଢ଼ ହୋଇଥିଲେ | ବହୁକାଳ ପର୍ଯ୍ୟନ୍ତ ଦୁଇ ବନ୍ଧୁଙ୍କ ମଧ୍ୟରେ ଭେଟ ହୋଇ ନ ଥିଲା)
172.               କାହାଣେ କଉଡ଼ିକି ପନିକି ବନ୍ଧା | (ବେଶୀ ଧନ ଋଣ କରିବାକୁ ଯାଇ ସାମାନ୍ୟ ଜିନିଷ ବନ୍ଧାଦେବା ଭଳି ହାସ୍ୟାସ୍ପଦ କଥା)
173.               କାହା ମୁହଁରେ ଯୁଇ ଫୁଟେ, କାହା ମୁହଁରେ ମଦରଙ୍ଗା ଛୁଟେ | (ଦୁନିଆରେ ମଧୁରଭାଷୀ ଓ କର୍କଶଭାଷୀ ଉଭୟ ପ୍ରକାର ଲୋକ ଦେଖାଯାନ୍ତି )
174.               କାହାକୁ ନ ରୁଚେ ଖଣ୍ଡ କ୍ଷୀରିସା | କିଏ ପାଉନାହିଁ ପଣସଖୋସା |
175.               କାହାରୁ ରୁଚେ ସରଲବଣୀ, କିଏ ଲୋଡ଼ିଲେ ନ ପାଏ କାକରପାଣି |
176.               କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ କୋରଡ଼ା |
177.               କାହାର ପୁଷମାସ, କାହାର ସର୍ବନାଶ | (ଦୁନିଆରେ ଲୋକମାନଙ୍କ ଅବସ୍ଥାରେ ତାରତମ୍ୟ ପ୍ରତି ଉପଲକ୍ଷ୍ୟ ବଚନ)
178.               କାହାର ଘର ପୋଡ଼େ କିଏ ନିଆଁ ପୁହାଏ | (ଜଣକର ବିପଦରୁ ଅନ୍ୟ ଜଣେ ଲାଭ ଉଠାଇବା)
179.               କାହାର କିଛି ଯିବ ନାହିଁ, ମରିବ ବୈଷ୍ଣବ ଗୋସାଇଁ | (କୌଣସି କାର୍ଯ୍ୟରେ ଲିପ୍ତ ସବୁ ଲୋକ ଖସିଯାଇ ଜଣେ ଧରା ପଡ଼ିବା)
180.               କାହିଁ ମୁକୁନ୍ଦଦେବ ମହାରାଜା କାହିଁ ମୁକୁନ୍ଦା ଭଣ୍ଡାରି | (ଗୁଣୀ ଓ ପ୍ରତିଷ୍ଠିତ ବ୍ୟକ୍ତି ସହିତ ନିର୍ଗୁଣ, ଅନାମଧେୟ ବ୍ୟକ୍ତିର ତୁଳନା)
181.               କାହିଁ ରାଣୀ କାହିଁ ଚନ୍ଦ୍ରୀକାଣୀ, କାହିଁ ହାତୀଦାନ୍ତ କାହିଁ ବାଉଁଶ କଣି | (ବଡ଼ ଲୋକ ସଙ୍ଗେ ଛୋଟଲୋକ ସରି ହେବାକୁ ବସିବା ହାସ୍ୟାସ୍ପଦ କଥା)
182.               କି ଗୁଣ ବାହୁନିବି ଖଜୁରି ଗଛର, ସେତ ମୂଳରୁ ପାହାଚ, ପାହାଚ | (ଯାହା ମୂଳରୁ ଚୂଳ ଯାଏ ଅସଂଖ୍ୟ ଦୋଷରେ ପରିପୂର୍ଣ୍ଣ, ସେଥିରୁ ଗୋଟିଏ ଦୋଷ ବାଛି ବାହାର କରିବା ଅସଙ୍ଗତ)
183.               କିଏ ସାତ କିଏ ସତର, କିଏ ନିଦା କିଏ ପଥର | (ସାମାନ୍ୟ ଭେଦ ସତ୍ତ୍ୱେ ଯେଉଁଠି ପ୍ରତ୍ୟେକଙ୍କର କିଛି ନା କିଛି ଦୋଷ ବା ଗୁଣ ରହିଛି |)
184.               କିଏ ଘୋଡ଼ା ପାଲିଙ୍କିରେ ବସି ହକରହକର, କିଏ ଖଣ୍ଡିଆ କାନ୍ଥରେ ବସି ହକର ହକର | (ଦରିଦ୍ର ବ୍ୟକ୍ତିର ମୁହଁଫୁଟାଣି)
185.               କିମ୍ଭୀରିଆ ନଈ, ଜୁଆରିଆ ପାଣି, ଗାଧୋଇଯିବ ବେଳକାଳ ଜାଣି |
186.               କିମ୍ଭୀରକୁ ଗୋଳିଆ ପାଣି ସୁହାଏ | (ଗୋଳିଆ ପାଣିରେ ଆତ୍ମଗୋପନ କରି ଶିକାର ଧରିବା ସହଜ ହେବ ବୋଲି | ସେହିପରି ଅସାଧୁ ଲୋକ ଗୋଳମାଳିଆ ପରିସ୍ଥିତିର ସୁଯୋଗ ନେଇ ଲାଭ ଉଠାଏ )
187.               କିମ୍ଭୀର ନେଇ ନଈ ମଝିରେ କଲାଣି, ମନ ଘର ଧରୁ ନାହିଁ | (ଘୋର ବିପଦରେ ଉବେଇ ଟୁବେଇ ହୋଇ ମଧ୍ୟ ମନରେ ଚେତା ନ ପଶିବା)
188.               କୀଚକ ବାହୁବଳେ ବିରାଟ ରାଜା | (ପୌରାଣିକ ପ୍ରବଚନ) (ମହାଭାରତବର୍ଣ୍ଣିତ ବିରାଟ ରାଜାଙ୍କର ନିଜର ବାହୁବଳ ନଥିଲା | କିନ୍ତୁ ସେ ନିଜର ଶ୍ୟାଳକ କୀଚକର ଶାରୀରିକ ବଳକୁ ସମ୍ୱଳ କରି ରାଜ୍ୟ ଚଳାଉଥିଲେ | ଅନ୍ୟର ପରିକ୍ରମ ବା ସାହସ ବଳରେ କୌଣସି ଅଯୋଗ୍ୟ ବ୍ୟକ୍ତି ସମ୍ପଦ ବା ଅଧିକାର ପାଇଲେ ଏହି ଉପମା ଦିଆଯାଏ )
189.               କୁଆ ବୋବାଏ ଚାଲେ ନ ବସେ, ତରା ବୁଡ଼ିଥାଏ ରୁମ ନ ଦିଶେ – ତାକୁ ବୋଲିବ ଉଷା, ସବୁ ଗ୍ରହଯାକ ଥାଇ ବୋଇଲେ ଆମେ ସେତେବେଳେ ମୂଷା | (ଉଷା କାଳରେ ଯାତ୍ରା ଅନୁକୂଳ କରିବା ଶୁଭ)
190.               କୁଆ ଧାନ ଟୋକିବା ଦେଖି, ବଗ ଧାନ ଟୋକିବା | (ଗୁଣୀ ଓ ସମର୍ଥଲୋକର କାର୍ଯ୍ୟକୁ ନିର୍ଗୁଣ ଓ ଅସମର୍ଥ ବ୍ୟକ୍ତି ଅନୁକରଣ କରିବା)
191.               କୁଆ କାନ ନେଇଗଲା ବୋଲି ଶୁଣି, କାନ ନ ଦେଖି କୁଆ ପଛରେ ଗୋଡ଼ାଇବା | (ଶୁଣା କଥାରେ ଭୁଲିଯାଇ କାର୍ଯ୍ୟ କରିବା)
192.               କୁଆକୁ ବାଟ ନାହିଁ, ଅନ୍ଧାରକୁ ଛାଟ ନାହିଁ | ( କାଉ ପାଇଁ ରାସ୍ତା କିମ୍ୱା ଅନ୍ଧାରରେ ଛାଟ ଅନାବଶ୍ୟକ)
193.               କୁକୁର ଲାଙ୍ଗୁଡ଼ ବାରବରଷରେ ସଳଖ ହୁଏ ନାହିଁ | (ଯାହାର ଯାହା ପ୍ରକୃତ ତାହା ଶତଚେଷ୍ଟାରେ ବଦଳେ ନାହିଁ )
194.               କୁକୁରକୁ ମୁହଁଦେଲେ ଉପରକୁ ଚଢେ | (ନୀଚ ଲୋକ ପ୍ରତି କୋମଳ ବ୍ୟବହାର କଲେ ସେ ତାହାର ଅପବ୍ୟବହାର କରେ )
195.               କୁକୁର, ବ୍ରାହ୍ମଣ, ଘୋଡ଼ା, କେବେ ନୁହନ୍ତି ଯୋଡ଼ା |
196.               କୁକୁର କାମୁଡ଼ା ଆଣ୍ଠୁ ତଳକୁ |
197.               କୁଞ୍ଚିକୁଞ୍ଚିଆ ମାଗୁରନିଶୁଆ ହିଆରେ ନ ଥାଇ ବାଳ | (ଏତିନିଙ୍କୁ ପରତେ ନ ଯିବୁ ବଞ୍ଚିଥିବୁ ଯେତେକାଳ | (ଲୌକିକ ବିଶ୍ୱାସ)
198.               କୁଜିଗେଣ୍ଡା ଶଙ୍ଖ ପାଲଟେ | (ସାମାନ୍ୟ ବସ୍ତୁ ମୂଲ୍ୟବାନ୍ ବସ୍ତୁରେ ପରିଣତ ହେବ )
199.               କୁଟ ବଚନ, ମିଠା ତିଅଣ ପାଶୋର ନ ଯାଏ ମନୁ, ଦିନଦିନକର କଥା ମନେ ପଡ଼ିଗଲେ ଘାରି ହୋଇଯାଏ ତନୁ |
200.               କୁଟା ଖଣ୍ଡକ ଦିଖଣ୍ଡ ନ କରିବା | (ଅକର୍ମଣ୍ୟ ବ୍ୟକ୍ତି)
201.               କୁଣିଆକୁ କିଆଁ କାନ୍ଥ ଭାରା |(ସମ୍ପର୍କଶୂନ୍ୟ ଅଥବା ସାମୟିକ ଉପସ୍ଥିତ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିର ସଂସାର ଚିନ୍ତା ଲାଗିବା)
202.               କୁଣିଆ ଫେରିଲେ ଘର ଉଶ୍ୱାସ |
203.               କୁଣ୍ଡାଦେଇ ପାଠ ପଢିବା | (ଗୁରୁଙ୍କ ଦକ୍ଷଣା ନ ଦେଇ ପାଠ ପଢ଼ିଲେ ଗୁରୁ ସେ ପିଲାର ପାଠପ୍ରତି ଦୃଷ୍ଟି ଦିଅନ୍ତି ନାହିଁ | ଫଳରେ ସେ ଅଯୋଗ୍ୟ ହୁଏ )
204.               କୁତା ତ କୁତା ଶ୍ୱଶୁର ଘରେ ଜ୍ୱାଇଁ | (ଶ୍ୱଶୁର ଘରେ ଜୋଇଁ ବହତୁ ଦିନ ରହିଲେ ସମ୍ମାନହାନି ଘଟେ )
205.               କୁମ୍ଭକର୍ଣ୍ଣ ନିଦ୍ରା | (ପୌରାଣିକ ପ୍ରବଚନ) (ରାବଣର ଭାଇ କୁମ୍ଭକର୍ଣ୍ଣ ବର୍ଷକଯାକ ଶୋଇ ରହିଥାଏ ଏବଂ ଖାଇବା ପାଇଁ ବର୍ଷକରେ ଥରେ ଉଠେ | ଗାଢ଼ନିଦ୍ରା ଯାଉଥିବା ବ୍ୟକ୍ତିପ୍ରତି ଉପଲକ୍ଷ୍ୟ ବଚନ)
206.               କୁମ୍ଭାରଘର ବୋହୁ, ଝାଟିକି ନ ଗଲେ ମାଟିକୁ ଯାଉ | (ପରିଶ୍ରମୀ ଲୋକ ଅଳସୁଆ ହୋଇ ବସିରହି ପାରେ ନାହିଁ, କୌଣସି ନା କୌଣସି କାର୍ଯ୍ୟକରେ)
207.               କୁମ୍ଭାର ବଳଦ ମାଟି ଗାଡ଼ିଆ ପର୍ଯ୍ୟନ୍ତ | (କୁମ୍ଭାର ଘରର ବଳଦ ପରି ଯାହାର କାର୍ଯ୍ୟର ପରିସର ଅତ୍ୟନ୍ତ ସୀମାବଦ୍ଧ)
208.               କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜନ୍ମ ହୁଅନ୍ତି | (ଅଯୋଗ୍ୟ ପୁତ୍ର)
209.               କୁଳ ବୁଡ଼ିବାର ଏମନ୍ତ ରୀତି, ଅଜା ଥାଉଁ ଥାଉଁ ମରୁଛି ନାତି |
210.               କୁଳକନ୍ୟା କି କାଳୀ ? ତୀର୍ଥ ପାଣି କି ଗୋଳି ? (ଉଚ୍ଚକୁଳ ସମ୍ଭୂତା କନ୍ୟା କାଳୀ ହେଲେହେଁ ଗ୍ରହଣୀୟା ଏବଂ ତୀର୍ଥପାଣି ଗୋଳି ହେଲେ ମଧ୍ୟ ସର୍ବଦା ପବିତ୍ର)
211.               କୁଳବୁଡ଼େଈ ଘରବୁଡ଼େଈ, ଦିହେଁ ଅଟନ୍ତି ଦେଢ଼ ଅଢେଇ | (ଯେଉଁ ସ୍ତ୍ରୀ ଅପତ୍ୟହୀନା ଏବଂ ଯେଉଁ ସ୍ତ୍ରୀ ପରଘର ଭାଙ୍ଗେ ଏ ଦୁହେଁ ମନ୍ଦ )
212.               କୁଲାବୁଲେଇ ଚୋର ଧରିବା | (ଗୁଣୀମାନେ ତାନ୍ତ୍ରିକ ବିଦ୍ୟାବଳରେ କୁଲାବୁଲେଇ ଚୋର ଧରନ୍ତି | ଏହି ପ୍ରଣାଳୀ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ )
213.               କୁଲାର ମୁହେଁ ଯାଉଛେ, ସୁଜି ମୁହଁକୁ ଛପକୁଛେ | (ସମ୍ଭଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ) ଅନ୍ୟ ବାଟରେ ବହୁ ଅର୍ଥ ଅପବ୍ୟୟ ହେଉଥିବାବେଳେ ସାମାନ୍ୟ କଥାରେ କୃପଣତା ପ୍ରକାଶ କରିବା)
214.               କୁଲାକ ଚାଉଳ କୁକୁରକୁ ଦେଇ ଖୁଦ ମୁଠାକୁ ଆଶ | (ନିଜର ବିପୁଳ ସମ୍ପଦ ଅନ୍ୟମାନେ ଖାଇ ଯାଉଥିବାବେଳେ ସେଥିପ୍ରତି ଦୃଷ୍ଟି ନ ଦେଇ ସାମାନ୍ୟ ବିତ୍ତପ୍ରତି ଆଶା ପୋଷଣ କରିବା )
215.               କୁଶକୁ ମୋଟ, ବେଣାକୁ ସରୁ | (ଯାହା କେଉଁଥିକି ଯୋଗ୍ୟ ନୁହେଁ )
216.               କୁସୁମ ପରଶେ ପଟ ନିସ୍ତରେ | (ଫୁଲର ସାହଚର୍ଯ୍ୟ ହେତୁ କଦଳୀପଟୁକା ପରି ମହ ଲୋକର ସଙ୍ଗ ହେତୁ ନୀଚ ଲୋକ ମଧ୍ୟ ଉଚ୍ଚାସନ ପାଏ |)
217.               କୁହ ଯେଡ଼େ, ନୁହେଁ ତେଡ଼େ | (ଯେଉଁ ଲୋକର କଥା ଓ କାର୍ଯ୍ୟ ସମାନ ନୁହେଁ)
218.               କୁହୁଡ଼ି ପହଁରିବା | (କୁହୁଡ଼ି ପହଁରିବାକୁ ଚେଷ୍ଟାକରି ଲୋକ ଯେପରି ବିଡ଼ମ୍ୱିତ ହୁଏ ସେହିପରି ବୃଥାରେ ଭ୍ରମିହେବା)
219.               କୂଅକୁ ଝର, ଦୁଧକୁ ସର | (ଝର ଥିବା କୂଅ ଏବଂ ସର ପଡ଼ୁଥିବା ଦୁଧ ଭଲ)
220.               କୂଅରେ ବେଙ୍ଗ ପଡ଼ିବା ନ୍ୟାୟ | (କୂଅ ଭିତରେ ବଡ଼ିଥିବା ବେଙ୍ଗପରି ଉପାୟାନ୍ତରହୀନ ଅବସ୍ଥା)
221.               କୂଅରେ ବେଙ୍ଗ ପଡ଼ିଲେ ସମସ୍ତେ ଟେଳାଏ ଟେଳାଏ ମାରନ୍ତି | (କୌଣସି ବ୍ୟକ୍ତିର ଅସହାୟ ଅବସ୍ଥାରେ ସୁଯୋଗ ନେଇ ଅନ୍ୟ ଲୋକେ ତା ପ୍ରତି ଅତ୍ୟାଚାର କରିବା )
222.               କୂଅରେ ଥିବା ବେଙ୍ଗ ସଂସାର ଖବର ବୁଝିବା | (କୂଅରେ ଥିବା ବେଙ୍ଗ ବାହାର ଦୁନିଆର ଖବର ରଖେ ନାହିଁ | ସଂକୀର୍ଣ୍ଣଚେତା ବ୍ୟକ୍ତି )
223.               କୃପଣ ଲୋକର ଦୁଗୁଣ ସରେ |
224.               କୃଷ୍ଣବଂଶ ବୋଲି ଗଉଡ଼େ ମାଫ | (ବଂଶର ଦ୍ୱାହି ଦେଇ ନିଜର ସଚ୍ଚୋଟପଣିଆ ଜାହିର କରିବା )
225.               କେଉଟ ଧରେ ମାଛ, ଖାଏ କଙ୍କଡ଼ା | (କେଉଟ ମାଛ ଧରିଲେ ମଧ୍ୟ ଅଧିକ ପଇସା ପାଇବା ଉଦ୍ଦେଶ୍ୟରେ କଙ୍କଡ଼ା ଖାଇଲା ପରି ଧନୀ ଲୋକର କୃପଣତା ଆଚରଣ )
226.               କେଉଁ ସଉତୁଣୀ ପାଳେ ନାଳେ, ଭଉଣୀ ସଉତୁଣୀ ବିଷ ଦେଇ ମାରେ |
227.               କେଉଁ କଥାକୁ, ନାଆ ପେଲିଦେଲି କଲିକତାକୁ | (ସାମାନ୍ୟ କଥାରେ ଡରି ଘର ଛାଡ଼ି ପଳାଇବା, ବ୍ୟଙ୍ଗୋକ୍ତି)
228.               କେଉଁ ବାହାଘରକୁ ଦୁଇ ଗୋଡ଼ରେ ଅଳତା | (ଅତି ସାମାନ୍ୟ କାର୍ଯ୍ୟ ବା ଘଟନା ଉପଲକ୍ଷେ ବିରାଟ ଆୟୋଜନ)
229.               କେତେବେଳେ ଶଗଡ଼ ଉପରେ ନାହା, କେତେବେଳେ ନାହା ଉପରେ ଶଗଡ଼ | (ଭାଗ୍ୟ ପରିବର୍ତ୍ତନ, ଅବସ୍ଥା ବିପର୍ଯ୍ୟୟ)
230.               କେତେ ଘାଣ୍ଟିବ ଘାଣ୍ଟୁ, ତିଅଣ ସୁଆଦ କି ଜାଣିବ ଚଟୁ ?
231.               କେତେବେଳେ ଫୁଲୁରୀ ମାଲପା ଥପ୍ ଥପ, କେତେବେଳେ କାଠି ଖଣ୍ଡକେ ରମ୍ପ ରମ୍ପ |
232.               କେତେବେଳେ ପାଲିଙ୍କି ଉପରେ ପାଟଛତା, କେତେବେଳେ ବେଡ଼ି ଉପରେ କୋରଡ଼ା |
233.               କେତେକାଳ ଥିବ ଚାନ୍ଦବଦନ, ନ ସଢ଼ି ରହେ କି ମହତ ପାନ ? (ଯୌବନ ଓ ରୂପ କ୍ଷଣସ୍ଥାୟୀ)
234.               କେବେ ତେଲ  ଶାଢ଼ୀ ବିନେ ଲଣ୍ଡା, କେବେ ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା |
235.               କେଭେଁ ନ କରିବୁ ଟିକରା ଚାଷ, କର ଦେଇ ନାହିଁ ଲାଭରେ ଆଶ (କୃଷିବଚନ)
236.               କେମ୍ପା କରଣ, ଛୋଟ ଘୋଡ଼ା, ଖନା ଓକିଲ, ହାକିମ ଢେଢା, ସଖି ଗୋ ମନ୍ଦ |
237.               କେରାଣ୍ଡି ଗୁନ୍ଥି ଶେଉଳ ଧରିବା | (ଅଧିକ ଲାଭ ଆଶାରେ ପ୍ରଥମେ କିଛି ବ୍ୟୟ ବା ତ୍ୟାଗ କରିବା)
238.               କେଳା କୁଡ଼ିଆ, ବାର ମାସରେ ତେର କୁଡ଼ିଆ | (କେଳାମାନେ ଯାଯାବର ଜାତି, ତେଣୁ କୌଣସି ଏକ ସ୍ଥାନରେ ସ୍ଥିର ହୋଇ ରହିପାରନ୍ତି ନାହିଁ )
239.               କେଳା ଯୁଆଡ଼େ, କେଲୁଣୀ ସେଆଡ଼େ | (କେଳାମାନେ ସାଧାରଣତଃ ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ସଙ୍ଗରେ ଧରି ସ୍ଥାନରୁ ସ୍ଥାନାନ୍ତରକୁ ଯାନ୍ତି )
240.               କୋଇଲି ଡ଼ିମ୍ୱ ଫୁଟାଇବା ନ୍ୟାୟ | (କୋଇଲି ଆପଣା ଫୁଟାଇ ନ ପାରି କାଉ ବସାରେ ଛାଡ଼ିଦେଇ ଆସେ | କାଉ ନିଜ ଡିମ୍ୱ ଭ୍ରମରେ ତାହାକୁ ଫୁଟାଇ ବଡ଼ କଲେ ସେ ଛୁଆ ପୁଣି ଆପଣା ମୋ ପାଖକୁ ଉଡ଼ି ପଳାଏ | ପରଦ୍ୱାରା ଆପଣା କାର୍ଯ୍ୟ କରାଇ ନେବା )
241.               କୋଡ଼ ଯାଦୁ କୁଣ୍ଡେଇ ହେବା | (କ୍ଷୁଦ୍ର ରୋଗ କଷ୍ଟଦାୟକ)
242.               କୋଟିକରୁ ଗୋଟିଏ ଊଣା | (କୋଟିକରୁ ଗୋଟିଏ କମି କରିବା କମ୍ ନ କରିବା ସଙ୍ଗେ ସମାନ  )
243.               କୋଡ଼ିହଣାଠଉଁ ମିହନ୍ତ ନାହିଁ |
244.               କୋଣାରକ କାମ କେଡ଼େ ସୁନ୍ଦର ଲୋ ଲେଖନ ମୁନରେ କମ, ସେଠି ଯଦି ଖାଲି ଦିଅଁ ଥାଆନ୍ତା ଲୋ ପଶି ନ ପାରନ୍ତା ଯମ |
245.               କୋପେ ବର ନୋହିଲେ ତପେ ବର | (ତପସ୍ୟା ଦ୍ୱାରା ନତୁବା କ୍ରୋଧ ପ୍ରଦର୍ଶନ ଦ୍ୱାରା ଦେବତାମାନଙ୍କଠାରୁ ବର ପାଇବା ଦେଖା ଯାଇଥାଏ )
246.               କୋଳଥ ଅଟକାଳି ଖୋଇବ ଯେ, ରାତି ଅଧରେ ହଗେଇ ନବ ସେ | ( ଯେ ଅନ୍ୟକୁ ମନ୍ଦ କାର୍ଯ୍ୟରେ ପ୍ରବର୍ତ୍ତାଏ ତାହାକୁ ଅବଶ୍ୟ ତହିଁର ଫଳାଫଳ କେତେକାଂଶରେ ଭୋଗ କରିବାକୁ ପଡ଼ିବ )
247.               କୋଳଥ ଡ଼ାଲି, କୁଣିଆ ଆସିଲେ ଦେ ଢାଳି | (କୃପଣ ବ୍ୟକ୍ତିର ବନ୍ଧୁ ପ୍ରତି ବ୍ୟବହାର ସମ୍ୱନ୍ଧରେ ବ୍ୟଙ୍ଗୋକ୍ତି)
248.               କୋଳରେ ରହି, କୋଳର ମାଉଁସ ଖାଇ | (ଆତ୍ମୀୟ ଲୋକେ ଶତ୍ରୁତା ଆଚରଣ କରିବା)
249.               କୋଳରେ ଶୁଏ, କାନରେ କହେ, ତା କଥା କି ଅନ୍ୟଥା ହୁ, (ଆପଣା ସ୍ତ୍ରୀର ବଚନ ମନୁଷ୍ୟ ଭାଙ୍ଗେ ନାହିଁ )
250.               କୋଳି ଖାଇ କୋଳି ମଞ୍ଜି ପୋତିବା | (କୌଣସି ପଦବୀ ବା ସ୍ଥାନରେ ପୁରୁଷାନୁକ୍ରମରେ ଚିରକାଳ ରହିବାର ଆଶା ପୋଷଣ କରିବା)
251.               କୋଳପୋଛା ପୁଅ ଗେଲବସର, ଲେଫଡ଼ା ମୁହଁଟା ଦିଶେ ସୁନ୍ଦର | (ବାପ ମା ସବା ସାନ ପୁଅକୁ ବିଶେଷ ସ୍ନେହ କରିବାର ଦେଖାଯାଏ )
252.               କୋଶେ ଯାଅ, ଧୋଓ ପାଆ, ପୋଷେ ଖାଆ, ଯେଣେ ଇଚ୍ଛା ତେଣେ ବୁଲୁଥା | (ବାଟ ଚାଲି ଟିକିଏ ବିଶ୍ରାମ କରିବା ପରେ ପରିମିତ ଆହାର କଲେ ସ୍ୱାସ୍ଥ୍ୟ ଭଲ ରହେ )
253.               କୋଶେ ଗଲେ ପୋଷେ ମିଳେ | (ଦୂର ଦେଶରେ ଚାକିରି କଲେ ନିଜ ଗ୍ରାମ ଅପେକ୍ଷା ସେଠାରେ ଅଲବତ୍ ଅଧିକ ଅର୍ଥ ଉପାର୍ଜନ ହେବ )
254.               କୋହଳ ପାଇଲେ ଦୋହଳ (ଦୋଓଡ଼) ଚଷନ୍ତି | (ସୁବିଧା ପାଇଲେ ଲୋକେ ଅନ୍ୟଠାରୁ ଦୁଇଗୁଣ କାମ କରାଇ ନିଅନ୍ତି )
255.               କୌରବଙ୍କର ଖାଇ ପାଣ୍ଡବର ଗାଇବା | (ପୌରାଣିକ ପ୍ରବଚନ | ଶକୁନି କୌରବଙ୍କ ପକ୍ଷରେ ଥାଇ ବରାବର ଗୋପନରେ ପାଣ୍ଡବମାନଙ୍କୁ ସାହାଯ୍ୟ କରୁଥିଲେ | ସେହିପରି ଜଣକର ଦାନା ଖାଇ ଗୋପନରେ ତାର ଶତ୍ରୁକୁ ସାହାଯ୍ୟ କରିବା )

ସୌଜନ୍ଯ—ଓଡି଼ଆ ଭାଷା ବ୍ଲଗ୍ 

Post a Comment

0Comments

Post a Comment (0)