ଓଡ଼ିଆ ଲୋକ କଥା ଢଗ ଢମାଳି | ODIA LOKA KATHA O DHAGA DHAMALI -02

@_ustad
0


ଚାହାଣି ଓ ଚଳଣି

୧/ ଅନୁକୂଳ ପେଚା ।
୨/ ଅନୁକୂଳ ବିରାଡି । (ପେଚା ବୋବାଇବା ଓ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ବିରାଡି ଦେଖିବା ଅଶୁଭ ବୋଲି ଲୋକରେ ବିଶ୍ୱାସ ଅଛି ।)
୩/ ଠକଙ୍କ ଗୁରୁ, ହିଆଟି ଚିକ୍କଣ ମୁହଁଟି ସରୁ । ଚହଟ ଚିକ୍କଣ ମୁହଁଟି ସରୁ ଜାଣିବଟି ସିଏ ଠକଙ୍କ ଗୁରୁ ।
୪/ ନେଉଳ ଭାଇ, ଯେଣେ ଇଚ୍ଛା ତେଣେ ଯାଇ । (ନେଉଳ ଦର୍ଶନ କରି ଯାତ୍ରା କଲେ ଶୁଭ ହୁଏ ବୋଲି ଲୌକିକ ବିଶ୍ୱାସ ଅଛି ।)
୫/ ବ୍ରାହ୍ମଣ କଳା, ଶୂଦ୍ର କପିଳା (କହରା), କଙ୍କଡା ଆଖିଆ ଓଡ, ଏ ତିନିହେଁ ଆଗରେ ଚଳେଇ ପଛରୁ ହାଣନ୍ତି ଗୋଡ । (ଏମାନେ ଅବିଶ୍ୱାସୀ ବୋଲି ଲୌକିକ ବିଶ୍ୱାସ ।)
୬/ ମଙ୍ଗଳ ରାତି, ବୁଧ ପାହାନ୍ତି; ଯେଣେ ଗଲେ ତେଣେ ଯଶ ପାଆନ୍ତି । (ଲୌକିକ ବିଶ୍ୱାସ ।)
 ୭/ ମୁହଁଟି ଶୁଖିଲା, ଦେହଟି ଚେପା, ଚିତାକାଟିଥାଏ ସରୁ; ଏ ତିନିଟି ଲକ୍ଷଣେ ଜାଣିବ ଘରବୁଡାଙ୍କର ଗୁରୁ ।


ଚୌର୍ଯ୍ୟବୃତି
୧/ କାକୁଡି ଚୋର, ଲାଉ ଚୋର, ଚୋରାଉ ଚୋରାଉ ପୁରୁଣା ଚୋର । (ସମାନ୍ୟ ପଦାର୍ଥ ଚୋରି କରୁ କରୁ ମଣିଷ ବଡ ଚୋର ପାଲଟେ ।)
୨/ ଚୋର ଘର ନିତି ଅନ୍ଧାର ନୁହେଁ । (ଚୋରି କରିବା ପାଇଁ ସମାନ ସୁଯୋଗ ମିଳିବା ସମ୍ଭବ ନୁହେଁ ।)
୩/ ଚୋରର ମୁହଁ ଟାଣ ।
୪/ ଚୋରକୁ ମାନ କରି ଖପରାରେ ଖାଇବା ।
୫/ ଚୋରମନ ଚୋର ଗଣ୍ଠିରେ । (ଯେ ଯେଉଁ ପାପ କରିଥାଏ ତା ମନ ସେଇଠି ଥାଏ ।)
୬/ ଚୋର ମା’ ଲାଜେ ନ କାନ୍ଦେ, ଯେବେ କାନ୍ଦେ କବାଟ କିଳି କାନ୍ଦେ । (ଅପବାଦ ଓ ଧରାପଡିବା ଭୟରେ ।)
୭/ ଚୋର ହୋଇ ଫେର୍ ପାଇକପଣ? (ନିଜେ ଅପରାଧ କରି ଓଲଟି ଦୋଷ ଦର୍ଶାଇବା ।)
୮/ ଚୋରି କଲା ଲୋକର ଏକ ମନ, ଚୋରି ଗଲା ଲୋକର ସହସ୍ରେ ମନ । (ଯାହାର ଚୋରି ହୋଇଥାଏ ସେ ବହୁ ଲୋକଙ୍କୁ ସନ୍ଦେହ କରେ ।)
୯/ ଧରା ନ ପଡିଲେ ଚୋର ସାଧୁ ।
୧୦/ ପଣସ ଖାଏ କିଏ-ଭଣ୍ଡାରି ମୁଣ୍ଡରେ ଅଠା ବୋଳାଯାଏ । (ଜଣକର ଅପରାଧ ପାଇଁ ଆଉ ଜଣେ ଧରାପଡିବା ।)
୧୧/ ପୁରୁଷ ପୁଅକୁ ଚୋରି ଦୋଷ, ମାଇକିନା ଝିଅକୁ ନାରୀ-ଦୋଷ । (ପୁରୁଷ ପକ୍ଷରେ ଚୌର୍ଯ୍ୟବୃତି ଓ ସ୍ତ୍ରୀପକ୍ଷରେ ବ୍ୟଭିଚାର ଦୂଷଣୀୟ ।)
୧୨/ ଲାଜ ନଥାଇ ଯେବଣ ମୁଖେ, ଚୋରି କରିଯାଏ ଆଲୁଅ ପକ୍ଷେ ନିର୍ଲଜ୍ଜ-ପଣରେ ଖାନ୍ତିମାଡ, କହେ ଦନାଇ ତାଙ୍କ ମୁହଁ ପୋତ ।


ଛଳନା ଓ ପ୍ରତାରଣା

୧/ ଆଖିରେ ଧୂଳି ପକାଇବା । (ଠକିବା ବା ଭଣ୍ଡିନେବା ।)
୨/ ଆପେ ପଣସ ଖାଇ ପର ମୁଣ୍ଡରେ ଅଠା ବୋଳିବା ।
୩/ ଉପରେ କେଡେ ସୁନ୍ଦର, ଭିତର ପୋଡା ଅଙ୍ଗାର । (ବାହାରେ ମିଷ୍ଟଭାଷୀ ଓ ଭିତରେ କପଟାଚାରୀ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ ।)
୪/ ଉପରେ ଉପରେ ପାଣି ସିଂଚୁଛି, ଭିତରେ ଭିତରେ ଶିଅ କାଟୁଛି । (ଗଛ ଉପରେ ପାଣି ଢାଳି ଭିତରୁ ଶିଅ କାଟିଲେ ଗଛ ମରିଯାଏ । ସେହିପରି ଉପରେ ମଧୁରିଆ କଥା କହି ଗୋପନରେ ଅନିଷ୍ଟ ସାଧନ କରିବା ।)
୫/ ଓଲେଈ ହାତରେ ଶୁଖୁଆ ପୋଡା । (ଠକ ବା ଅସାଧୁ ବ୍ୟକ୍ତି ହାତରେ ଧନସମ୍ପଦ ଦାୟିତ୍ୱ ନ୍ୟସ୍ତ କରିବା ।)
୬/ କାନ୍ଦୁଥିବୁ, ଯାହା ପାଇବୁ ତା ବାନ୍ଧୁଥିବୁ । (ଉପରେ ଛଳନା କରି ଗୋପନରେ ନିଜର ସ୍ୱାର୍ଥସାଧନ କରିବା ।)
୭/ ଗଛ ଉପରକୁ ଚଢାଇଦେଇ ମୂଳ କାଟିଦେବା । (ବିଶ୍ୱାସଘାତକତା ଆଚରଣ କରିବା ।)
୮/ ଚିତ ଦୃଢ କରି ଶଠ ଲକ୍ଷଣ, ଚିତା କାଟି ମାଳି କରେ ଭଜନ; ଚାହେଁ ନେବାପାଇଁ ପରର ଧନ, କହେ ଦନାଇ ଏ ଠକ ଦୁର୍ଜନ ।
୯/ ଜପଇ ଦାଣ୍ଡରେ ତୁଳସୀ ମାଳି, ଗ୍ରାମେ ଗ୍ରାମେ ପଶି କରଇ କଳି; ଯେମନ୍ତ ଲୋକର ଏମନ୍ତ ରୀତି; କହେ ଦନାଇ ସେ ମିଛ ଭଗତି ।
୧୦/ ଡାଆଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡିବା । (ନିଜେ ଅନିଷ୍ଟ ଭିଆଇ ଅନିଷ୍ଟର ପ୍ରତିକାର କରିବସିବା ।)
୧୧/ ଢୋଲ ଭିତରେ ମୂଷା । (ଗୋପନରେ ଆଖି ଆଢୁଆଳରେ ରହିଥିବା ଶତ୍ରୁ ବା ଦୁର୍ନୀତି ।)
୧୨/ ତୁଣ୍ଡେ ହରି, ପେଟେ ଛୁରୀ; କାଳାନ୍ତେ ଯାଇ ଯମପୁରୀ । (କପଟଚାରୀ ବିଶ୍ୱାସଘାତକ ଲୋକ ନର୍କଗାମୀ ହୁଏ ।)
୧୩/ ତୁଳସୀବଣର ବାଘ । (କପଟଚାରୀ ବ୍ୟକ୍ତି)
୧୪/ ପାଣିରେ ସର ପକାଇବା । (ଛଳନାପୂର୍ଣ୍ଣ କଥା କହି ଅନ୍ୟ ମନରେ ବିଶ୍ୱାସ ଜନ୍ମାଇବା ।)
୧୫/ ବିରାଡି ଆଖି ବୁଜି ଦୁଧ ପିଇବା । (ଅନ୍ୟ କେହି ଜାଣୁନାହାଁନ୍ତି ବା ଦେଖୁନାହାଁନ୍ତି ମନେକରି କୌଣସି ଗର୍ହିତ କାର୍ଯ୍ୟ କରିବା ।)
୧୬/ ବିରାଡି ବୈଷ୍ଣବ । (କପଟାଚାରୀ ବ୍ୟକ୍ତି)
୧୭/ ମଉନମୁହୀଁ କି ପରତେ ନାହିଁ ।
୧୮/ ମାଳି ଗଡେଇଲେ କି ପାପ ଛାଡେ?
୧୯/ ମୁରୁକିହସା ହସଇ ଯେ, ଠକଙ୍କ ଗୁରୁ ଗୋସେଇଁ ସେ ।
୨୦/ ହାଣ୍ଡିରେ ଖାଏ, ଗୋଡରେ ପଡିଲେ ଗାଧୋଇଯାଏ । (ଘୋର ଅନାଚାରୀ ବ୍ୟକ୍ତି ଅତି ସାମାନ୍ୟ ବିଷୟରେ ଆଚାର ନିଷ୍ଠାର ଛଳନା କରିବା ।)
ଜଗନ୍ନାଥ ସଂସ୍କୃତି (୧୧୬୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ)
୧/ ଆପଣା ହାତ ଜଗନ୍ନାଥ । (ମନୁଷ୍ୟ ନିଜ ହାତରେ ଯାହା କରିଥାଏ, ତାହା ଉତ୍କୃଷ୍ଟ ହେଉ ବା ନିକୃଷ୍ଟ ହେଉ ତାହା ପ୍ରତି ତାର ଆଦର ।)
୨/ ତିନି ଧୂପ ପାଂଚ ଅବକାଶ । (ଜଗନ୍ନାଥଙ୍କର ତିନି ଧୂପ; ଯଥା-ସକାଳ, ମଧ୍ୟାହ୍ନ ଓ ସଂନ୍ଧ୍ୟା । ଯାତ୍ରୀମାନଙ୍କର ଜଗନ୍ନାଥଙ୍କୁ ଦର୍ଶନ କରିବାର ପାଂଚଟି ଅବକାଶ ଅଛି; ଯଥା-ମଙ୍ଗଳ ଆଳତି ସମୟରେ, ସକାଳ ଧୂପ ପରେ, ମଧ୍ୟାହ୍ନ ଧୂପରେ, ସଂନ୍ଧ୍ୟା ଆଳତି ସମୟରେ ଏବଂ ସଂନ୍ଧ୍ୟାଧୂପ ପରେ । ମହାଆଡମ୍ବରରେ ଜୀବନଯାପନ କରିବା ।)
୩/ ମାର୍କଣ୍ଡେଶ୍ୱର ଭଣ୍ଡାରି । (ପୁରୀର ମାର୍କଣ୍ଡେଶ୍ୱର ତୀର୍ଥରେ ଭଣ୍ଡାରିମାନେ ଅଧିକ ଅର୍ଥ ପ୍ରାପ୍ତି ପାଇଁ ଗୁଡିଏ ଯାତ୍ରୀଙ୍କର କ୍ଷୌରକାର୍ଯ୍ୟ ଏକାବେଳକେ ଆରମ୍ଭ କରିଦେଇ ଧୀରେ ଧୀରେ ଶେଷ କରନ୍ତି । ସେହିପରି ଅନେକ ଗୁଡିଏ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରି କୌଣସିଟିକୁ ଶେଷ ନ କରିବା ବ୍ୟକ୍ତି ପ୍ରତି ଆକ୍ଷେପ ।
୪/ ଗଙ୍ଗାରେ ସ୍ନାହାନ, ଗୟାରେ ପିଣ୍ଡଦାନ, ନୀଳାଚଳରେ ନୀଳାଦ୍ରି ଦରଶନ, ଭାଗ୍ୟେ ଥିଲେ ପ୍ରାଣୀମାନେ କରନ୍ତି ଏମାନ ।


ଜନ୍ମ ଓ ମୃତ୍ୟୁ
୧/ ଆସିଛୁ ଏକା, ଯିବୁ ଏକା; କେହି ନ ଥିବେ ସାଙ୍ଗ-ସଖା ।
୨/ ଜନ୍ମ ମରଣ ବରଷା, ଏହା ନ ଜାଣେ ପୁରୁଷା । (ଏସବୁ ଅନିଶ୍ଚିତ)
୩/ ଦେବା ମରିବାକୁ କେହି ସୁଖ ପାଆନ୍ତି ନାହିଁ ।
୪/ ମଲା ଘୋଡାର ଟାଙ୍କ ମାପିବା ।
୫/ ମଲା ହଡାର ଦାନ୍ତ ଗଣିବା । (ବ୍ୟର୍ଥ ପ୍ରୟାସ)
୬/ ଯମ ନ ଜାଣେ ପାଚିଲା କଂଚା । (ମୃତ୍ୟୁ ସାନବଡ, ବାଳବୃଦ୍ଧ ବିଚାର କରେ ନାହିଁ ।)


ଜଳବାୟୁ ଓ ପାଣିପାଗ
୧/ ଗରଜିଲା ମେଘ ବରଷେ ନାହିଁ କି ଭୁକିଲା କୁକୁର କାମୁଡେ ନାହିଁ ।
୨/ ବ୍ରାହ୍ମଣ, ବାରିକ, ବରଷା, ବଢି; ଦକ୍ଷିଣା ପାଇଲେ ଯାଆନ୍ତି ଛାଡି । (ଦକ୍ଷିଣା ପାଇଲେ ବ୍ରାହ୍ମଣ ଓ ବାରିକ ବିଦାୟ ନେବା ପରି ଦକ୍ଷିଣା ପବନ ବୋହିଲେ ବର୍ଷା ଓ ବଢି ଛାଡିଯାଏ ।)
୩/ ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ । (ମରୁଡି ଓ ବନ୍ୟା ଉଭୟ କ୍ଷତିକାରକ ।)
ଜାତି ଓ ବର୍ଣ୍ଣ ବିଚାର
୧/ କେଉଟ ଧରେ ମାଛ ଖାଏ କଙ୍କଡା । (କେଉଟ ମାଛ ଧରିଲେ ମଧ୍ୟ ଅଧିକ ଅର୍ଥ ପାଇବା ଆଶାରେ ମାଛ ନଖାଇ କଙ୍କଡା ଖାଇଲା ପରି ଧନୀଲୋକର କୃପଣତା ଆଚରଣ ।)
୨/ ଜାତି ଆଗରେ ହାତୀ ଚାଲି ପାରେ ନାହିଁ । (ଜାତିଆଣ କ୍ଷମତା ସମ୍ବନ୍ଧରେ ଉକ୍ତି ।)
୩/ ବ୍ରାହ୍ମଣ ରଜା, ଖଂଟ ପରଜା, ଡହ ଡହ ଆମ୍ବିଳ, ଶୀତଳ ଭଜା; ସଖି ଗୋ ଏ ବଡ ମନ୍ଦ ।


ଟଙ୍କା ପଇସା ଓ ଦେଣା-ପାଉଣା
୧/ ଉଧାର ମିଳିଲେ କିଣନ୍ତି ହାତୀ; ଶୁଝିଲେ ଶୁଝିବେ ପୁଅଙ୍କ ନାତି । (ନିଜକୁ ଶୁଝିବାକୁ ନ ପଡିଲେ ଲୋକେ ବହୁମୂଲ୍ୟ ବସ୍ତୁ ଧାର କରି ଆଣନ୍ତି ।)
୨/ ଋଣ ଶେଷ, ବ୍ୟାଧି ଶେଷ, ଶତ୍ରୁ ଶେଷ; ଏ ତିନିକି ନ ରଖିବ ଲେଶ । (ସମୂଳେ ଉତ୍ପାଟିତ ନ କଲେ ପଛନ୍ତେ ଘୋର ବିପଦର ସମ୍ଭାବନା ।)
୩/ ଟଙ୍କାକୁ ଟଙ୍କା କମାଏ । (ଟଙ୍କା ବଳରେ ଆୟର ନାନା ପନ୍ଥା ଖୋଲିଯାଏ ।)
୪/ ଟଙ୍କା, ମୁହଁ କରିଦିଏ ବଙ୍କା । (ଟଙ୍କା ପଇସା ହେଲେ ଲୋକ ଅନ୍ୟକୁ ଖାତିର କରେ ନାହିଁ ।)
୫/ ପର ପୁଅ ମାନ କଲା, ଆପଣା ସେରକ ହାନି କଲା ।(ବୃଥା ଅଭିମାନ କରି ନିଜର କ୍ଷତି ଘଟାଇବା ।)
୬/ ଯହିଁ ପାଇ, ତହିଁ ଗାଇ । (ଲୋକେ ଯାହାଠାରୁ ଧନ ପ୍ରାପ୍ତ ହୁଅନ୍ତି ତାର ପ୍ରଶଂସା ଗାନ କରନ୍ତି ।)
୭/ ଯାହା ଘରେ ଥାଏ ଟଙ୍କା, ତା କଥାଟିମାନ ବଙ୍କା । (ଧନସମ୍ପଦ ମନୁଷ୍ୟର ଦାମ୍ଭିକତାର ମୂଳ କାରଣ ।)
୮/ ଯେବେ ଥିବ ଅଂଟାରେ ବଳ, ସଙ୍ଗାତ ମିତେ ତା ଦୁଆରେ ଠୁଳ । (ପାଖରେ ଧନ ଥିବା ଯାଏଁ ବନ୍ଧୁବାନ୍ଧବଙ୍କର ଅଭାବ ରହେ ନାହିଁ ।)
୯/ ଯେବେ ପୂରିଥାଏ ଡୋଲି, ସୁସାର ବଚନ ବୋଲି । (ଧନ ପାଇଲେ ସମସ୍ତେ ମଧୂର କଥା କହନ୍ତି ।)
୧୦/ ଲୁଣ ଖାଇବ ଯାର, ଗୁଣ ଗାଇବ ତାର । (ଲୋକେ ଯାହାଠାରୁ ଧନ ପ୍ରାପ୍ତ ହୁଅନ୍ତି ତାହାରି ଗୁଣ ଗାନ କରନ୍ତି ।)
୧୧/ ଚୋର ସୁନ୍ଦର, ବର ସୁନ୍ଦର, ବାଦ୍ୟକୁ ସୁନ୍ଦର ମହୁରି;
       ଦୂର ଦେଶକୁ ପର୍ବତ ସୁନ୍ଦର, ସର୍ବ ସୁନ୍ଦର କଉଡି ।
୧୨/ ଦିନେ ନାହିଁ କାଳେ ନାହିଁ, ଗହ୍ମା ପୂନେଇ ଦିନ ମାଈଁ ମାଈଁ । (ପ୍ରାପ୍ତି ଆଶାରେ ଅପରିଚିତ ବ୍ୟକ୍ତି ସହିତ ହଠାତ୍ ଆତ୍ମୀୟତା ଆଚରଶ କରିବା ।)

Post a Comment

0Comments

Post a Comment (0)