ଅଷ୍ଟାଙ୍ଗ ଯୋଗ କ’ଣ ସେ ବିଷୟରେ ଜାଣ | CONCEPT OF ASTHANGA YOGA

@_ustad
0


 ଅଷ୍ଟାଙ୍ଗ ଯୋଗ ବିଷୟରେ ଧାରଣା-CONCEPT OF ASTHANGA YOGA IN ODIA

ପତଞ୍ଜଳି ଯୋଗସୂତ୍ରର କର୍ତ୍ତା । ମନୁଷ୍ୟ ଆତ୍ମଜ୍ଞାନ ଲାଭ କରିବା ନିମନ୍ତେ ଉତ୍ସୁକ ହୁଏ । ମହର୍ଷି ପତଞ୍ଜଳିଙ୍କ ପ୍ରଦର୍ଶିତ ମାର୍ଗ ହେଉଛି ରାଜ ଯୋଗ , ଧ୍ୟାନ ଯୋଗ ବା ଅଷ୍ଟାଙ୍ଗ ଯୋଗ । ଯୋଗର ମୌଳିକ ଉଦ୍ଦେଶ୍ୟ ହେଉଛି ପରମାନନ୍ଦ ପ୍ରାପ୍ତି । 

ପାତଞ୍ଜଳିଙ୍କ ଯୋଗମାର୍ଗରେ ଆଠଗୋଟି ସୋପାନ ଅତିକ୍ରମ କରିବାକୁ ହେବ । ତେଣୁ ମୂଳପାବଚ୍ଛ ଅତିକ୍ରମ ପାଇଁ ମୌଳିକ ନୀତିନିୟମମାନ ପାଳନ କଲେ ହିଁ ଯୋଗରୂପକ ପାବଚ୍ଛରେ ପାଦଦେବା ସମ୍ଭବ । ପତଞ୍ଜଳିଙ୍କ ମତରେ ଆଧ୍ୟାତ୍ମିକ ପ୍ରଗତିକାମୀ ସାଧକର ପ୍ରଥମ ଓ ପ୍ରଧ୍ୟାନ କାର୍ଯ୍ୟ ହେଉଛି ନିଜର ପ୍ରକୃତିକୁ ନିର୍ମଳ ଓ ଶୁଦ୍ଧ କରିବାପାଇଁ ଅନାବଶ୍ୟକ ଗୁଣଗୁଡ଼ିକୁ ଦୂର କରିବାକୁ ହେବ । ତେଣୁ ପ୍ରଥମ ସେ ସଗୁଣର ଆହରଣ ଉପରେ ଗୁରୁତ୍ବ ଦେଇଛନ୍ତି । ଅନେକ ସଂଖ୍ୟାରେ ସଦ୍‌ଗୁଣମାନ ରହିଥିଲେ ମଧ୍ୟ ମହର୍ଷି ପତଞ୍ଜଳି କେବଳ ପାଞ୍ଚଗୋଟି ମୌଳିକ ଗୁଣ ଉପରେ ଗୁରୁତ୍ବ ଦେଇଛନ୍ତି । ଉକ୍ତ ପାଞ୍ଚଗୋଟି ସଗୁଣରେ ପ୍ରତିଷ୍ଠିତ ହେଲେ ସାଧକ ଅନ୍ୟ ସମସ୍ତ ସଦ୍‌ଗୁଣର ଅଧିକାରୀ ଅନାୟାସରେ ହୋଇଥାଏ । ଅଷ୍ଟାଙ୍ଗ ଯୋଗରେ ଏହି ପାଞ୍ଚଟି ଗୁଣର ବିକାଶପାଇଁ ପ୍ରଥମ ସୋପାନ ହେଉଛି ନାମ । 

ଯୋଗାଙ୍ଗ ବିଷୟରେ ଯୋଗସୂତ୍ରରେ କୁହାଯାଇଛି –

 ‘‘ଯମ - ନିୟମାସନ ପ୍ରାଣାୟମ - ପ୍ରତ୍ୟାହାର - ଧାରଣା - ଧ୍ୟାନ - ସମାଧୟୋ-ଷ୍ଟା ବଙ୍ଗାନି ।” ( ଯୋଗ– ୨ - ୨୯ ) 

  1. ଯମ – rules of self - restraint . 
  2. ନିୟମ – rules of observance . 
  3. ଆସନ - posturers . . 
  4.  ପ୍ରାଣାୟାମ - control of breathing . 
  5. ପ୍ରତ୍ୟାହାର - withdrawal and total subjugation of senses .
  6.   ଧାରଣା – concentration . 
  7.  ଧ୍ୟାନ - meditation .
  8.  ସମାଧି – trance / self realisation .

(କ) ଯମ –

ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ । ଯମର ଲକ୍ଷଣ ଯୋଗଦର୍ଶନରେ କୁହାଯାଇଛି ।

 ଯଥା -"ଅହିଂସା - ସତ୍ୟାସ୍ତେୟବ୍ରହ୍ମଚର୍ଯ୍ୟ ପରିଗ୍ରହା ଯମାଃ" ( ଯୋଗ- ୨ - ୩୦ ) 

ଯମର ୫ ଗୋଟି ବିଭାଗ ରହିଛି । ସେଗୁଡ଼ିକ ହେଉଛି– ଅହିଂସା , ସତ୍ୟ , ବ୍ରହ୍ମଚର୍ଯ୍ୟ , ଅସ୍ତେୟ ଓ ଅପରିଗ୍ରହ । 

(କ-୧) ଅହିଂସା (Non violence)- ଅହିଂସାର ଅର୍ଥ ହେଉଛି କାହାରିକୁ ହିଂସା ନ କରିବା । ତାହା ହେଉଛି ୩ ପ୍ରକାର । କାୟିକ , ବାଚିକ ଏବଂ ମାନସିକ । ଶାରୀରିକ ଭାବେ କାହାକୁ କଷ୍ଟଦେବା ଉଚିତ ନୁହଁ । କ୍ରୁର ବଚନ ଦ୍ବାରା ମଧ୍ୟ ଅନ୍ୟ ମନରେ ଦୁଃଖଦେବା ଉଚିତ ନୁହଁ । କାହାର ମନରେ ମଧ୍ୟ ଦୁଃଖ ଦେବା ଉଚିତ ନୁହଁ । ଅହିଂସା ଏକମାତ୍ର ଗୁଣ ଯେ କି ମନୁଷ୍ୟକୁ ସଦଗୁଣର ଅଧିକାରିଣୀରେ ପରିଣତ କରିଦେଇଥାଏ । 

(କ-୨) ସତ୍ୟ ( Truthfulness ) – ସନାତନ ଧର୍ମର ମୂଳମନ୍ତ୍ର ସତ୍ୟଭାଷଣ । ଏଣୁ ବେଦରେ ମଧ୍ୟ କୁହାଯାଇଛି ‘ସତ୍ୟଂ ବଦ' ସର୍ବଦା ସତ୍ୟ ବଚନ କହିବା ଉଚିତ । ଜୀବ ମଧ୍ୟ କଷ୍ଟ ଅନୁଭବ କରୁ , କିନ୍ତୁ ସତ୍ୟର ବିରୁଦ୍ଧାଚରଣ କର ନାହିଁ । ସତ୍ୟ ବିରୁଦ୍ଧରେ ମଧ୍ୟ କୌଣସି କାର୍ଯ୍ୟ କର ନାହିଁ । ପତଞ୍ଜଳିଙ୍କ ଭାଷାରେ ସତ୍ୟ ହେଉଛି- ' Satya pratisthyam Kriya Phalasrayatvam ' which means if one is firm on truthfulness in mind , words and actions then his work successful.

(କ-୩) ଅସ୍ତେୟ (Non - stealing) – ଅସ୍ତେୟର ଅର୍ଥ ହେଉଛି ଚୋରି ନ କରିବା । ଅନ୍ୟ ଦ୍ରବ୍ୟକୁ ଚୋରି ନ କରି ନିଜ ଦ୍ରବ୍ୟ ବୋଲି ମନେ କରିବା । ଅନ୍ୟର ଦ୍ରବ୍ୟକୁ ନିଜ ଦ୍ରବ୍ୟ ବୋଲି ଚିନ୍ତା କରି ଲୋଲୁପ ଦୃଷ୍ଟି ନ ପକାଇବା ହେଉଛି ଆସ୍ତେୟ । ଏଣୁ ବେଦରେ ମଧ୍ୟ କୁହାଯାଇଛି- "ପରିଦ୍ରବ୍ୟ ନାନେତବ୍ୟମ୍"।

 (କ-୪) ବ୍ରହ୍ମଚର୍ଯ୍ୟ (Celibacy) – ବ୍ରହ୍ମଚର୍ଯ୍ୟ ଶବ୍ଦର ଅର୍ଥ ଲିଙ୍ଗକୁ ଆୟତ୍ତ କରିବା । ନିଜ ଆୟତ୍ତରେ ରଖିବା । ଅର୍ଥାତ୍ ନିଜର ବୀର୍ଯ୍ୟକୁ ସ୍ଖଳନ ନ କରି ସଂଯମତାର ସହ ସୁରକ୍ଷଣ । ଏତଦ୍ୱାରା ମନୁଷ୍ୟ ଉଚ୍ଚଶକ୍ତିର ଅଧିକାରୀ ହୁଏ । ମନ ବାକ୍ୟ ଏବଂ କର୍ମରେ ପବିତ୍ର ହେବା ଉଚିତ । 

(କ-୫) ଅପରିଗ୍ରହ – ଅପରିଗ୍ରହ ଶବ୍ଦର ଅର୍ଥ ହେଉଛି ଈଶ୍ବର ଆରାଧନା । କୌଣସି ବିଳାସବ୍ୟସନ ପ୍ରତି ଆସକ୍ତ ନ ହେବା । ଅବସ୍ତୁରେ ଶାନ୍ତି ଲାଭ କରିବା ଉଚିତ । ଅନ୍ୟଠାରୁ ବିଳାସସାମଗ୍ରୀ ଗ୍ରହଣ କରିବା ନିମନ୍ତେ ଚିନ୍ତା କରିବା ଅନୁଚିତ ।

 (ଖ) ନିୟମ ( Self observation ) – 

ପତଞ୍ଜଳିଙ୍କ ମତରେ ନିୟମ ହେଉଛି- "ଶୋଚ - ସନ୍ତୋଷ - ତପ - ସ୍ୱାଧୟୟେଶ୍ୱର ପ୍ରଣିଧାନାନି ନିୟମା " ( ଯୋଗ- ୨ -୩୨ ) 

 (ଖ-୧) ଶୌଚ – ଶୌଚର ଅର୍ଥ ଶୁଚି ପବିତ୍ର । ବାହ୍ୟ ଏବଂ ଅନ୍ତଶୁଚି ବା ଶୁଦ୍ଧି ହେବା । ପବିତ୍ର ଆହାର ଗ୍ରହଣ । ପବିତ୍ର ଆହାର ଗ୍ରହଣ ଦ୍ଵାରା ମନ ଶୁଦ୍ଧ ଏବଂ ସ୍ଥିର ରହେ । 

(ଖ-୨) ସନ୍ତୋଷ – "ଯଥା ପ୍ରାପ୍ତେନ ସନ୍ତୁଷ୍ଟି"। ଅର୍ଥାତ୍ ସର୍ବଦା ସନ୍ତୁଷ୍ଟ ରହିବା । ଏହା ହେଉଛି ଏକ ସଦଗୁଣ । ଭଗବାନ ଯେତିକି ପ୍ରଦାନ କରନ୍ତି ସେତିକି ପାଇ ସନ୍ତୋଷତା ଲାଭ କରିବାର ନାମ ହେଉଛି ସନ୍ତୋଷ । 

(ଖ-୩) ତପ – "ସୁଖଦୁଃଖ ଶୋକ ହର୍ଷାଦି ଦ୍ବନ୍ଦାନାଂ ସହନମ୍" ଅର୍ଥାତ୍ ସୁଖଦୁଃଖ ଶୋକ ହର୍ଷବ୍ଦମାନଙ୍କୁ ସହ୍ୟ କରିବା । ଅର୍ଥାତ୍ ସୁଖ ଏବଂ ଦୁଃଖ , ବିପଦ ସମୟରେ କାତର ନ ହୋଇ ତାହାକୁ ସହିବାର ନାମ ହେଉଛି ତପ ।

(ଖ-୪)  ସ୍ଵାଧ୍ୟାୟ - "ଅଧାତ୍ମପରାୟଣାଂ ଶାସ୍ତ୍ରୀୟାନାଂ ଚ ଗ୍ରନ୍ଥାନାମ୍ ଅଧ୍ୟାୟନ୍ଂ ପ୍ରଣବସ୍ୟ ଜପୋ ବା"- ଅର୍ଥାତ୍ ଅଧାତ୍ମପରାୟଣ ହୋଇ ଶାସ୍ତ୍ରୀୟ ଗ୍ରନ୍ଥମାନଙ୍କର ଅଧ୍ୟୟନ ଏବଂ ଓଁକାରର ଉଚ୍ଚାରଣ ହେଉଛି ସ୍ୱାଧାୟ । ଧର୍ମଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ କରି ଆତ୍ମଜ୍ଞାନ ଲାଭ କରିବା ।

 (ଖ-୫) ଈଶ୍ୱର ପ୍ରଣିଧାନ – ଈଶ୍ବର ପ୍ରଣିଧାନ ଶବ୍ଦର ଅର୍ଥ ହେଉଛି ସମସ୍ତ କର୍ମଗୁଡ଼ିକୁ ଈଶ୍ୱରଙ୍କଠାରେ ଅର୍ପଣ କରିବା । ନିରନ୍ତର ଉପାସନାଯୁକ୍ତ ଭକ୍ତି , ବିଶ୍ବାସ ଓ ବିନୟ ଭାବରେ ଅବସ୍ଥାପନ କରିବା । ଯଦ୍ୱାରା ଅହଂକାର ବିଲୋପ ହେବ । ଈଶ୍ବରଙ୍କ ସହ ମିଶିବାପାଇଁ ଅଗ୍ରସର ହେବା । ଈଶ୍ଵରଙ୍କ ଉପସ୍ଥିତିରେ କୌଣସି ଅପବିତ୍ର କାର୍ଯ୍ୟ କରିପାରିବ ନାହିଁ । ଈଶ୍ଵର ସର୍ବତ୍ର ବିଦ୍ୟମାନ –ଏହି ଭାବନା ଈଶ୍ବରଙ୍କ ସହ ମିଳିତ ହେବା ଏବଂ ପରିଶେଷରେ ତାଙ୍କ ସହ ମିଶି ଏକ ହେବାର ଏକ ଚମତ୍କାର ଉପାୟ ।

 (ଗ) ଆସନ ( Posture ) –

ପତଞ୍ଜଳିଙ୍କ ଅନୁସାରେ ଆସନର ଲକ୍ଷ୍ମଣ ହେଉଛି "ସ୍ଥିର ସୁଖମାସନମ୍" ( ଯୋଗ - ୨ - ୪ ) । ଆସନ ଶବ୍ଦର ଅର୍ଥ ହେଉଛି ସ୍ଥିର ଏବଂ ସନ୍ତୋଷଜନକ ଶାରୀରିକ ସ୍ଥିତି ହେଉଛି ଆସନ । ସ୍ଥିର ଆସନ ମନକୁ ଏକାଗ୍ରତା କରିବାରେ ସହାୟକ ହୁଏ । ପରଂବ୍ରହ୍ମକ ଚିନ୍ତାରେ।ନିମଜ୍ଜିତ ରହିଲେ ଆସନ ଦୃଢ଼ ହୁଏ । ଆସନ ଅନେକ ପ୍ରକାର । ତନ୍ମଧରୁ ଧ୍ୟାନପାଇଁ ପଦ୍ମାସନ - ସୁଖାସନ ଏବଂ ସିଦ୍ଧାସନଗୁଡ଼ିକ ଆଚରଣଯୋଗ୍ୟ ଅଟେ । ଯୋଗାସନ ଦ୍ବାରା ଶରୀରର ରୋଗ ଚିକିତ୍ସା ମଧ୍ୟ କରାଯାଏ । 

(ଗ) ପ୍ରାଣାୟାମ ( Control of breathing ) -

 ମହର୍ଷି ପତଞ୍ଜଳିଙ୍କ ଯୋଗ ଦର୍ଶନାନୁସାରେ ପ୍ରାଣାୟାମର ଲକ୍ଷଣ ହେଉଛି-

 "ତସ୍ମିନ୍ ପ୍ରତିଶ୍ୱାସ ପ୍ରଶ୍ୱାସୟୋର୍ଗତିବିଚ୍ଛେଦ୍ଃ ପ୍ରାଣାୟାମ" ( ଯୋଗ - ୨ - ୪୯ ) 

ଅର୍ଥାତ୍ ଶ୍ୱାସପ୍ରଶ୍ୱାସ ଉଭୟର ନିୟନ୍ତ୍ରଣ କରିଥାଏ । ବାହ୍ୟ ବାୟୁ ଗ୍ରହଣକୁ ଶ୍ବାସ କୁହାଯାଏ । ଅନ୍ତବାୟୁ ପରିତ୍ୟାଗକୁ ପ୍ରଶ୍ଵାସ କୁହାଯାଏ । ଉଭୟ ବାୟୁର ଗତି ବିଛେଦକୁ ପ୍ରାଣାୟାମ କୁହାଯାଏ । ପ୍ରାଣାୟାମ ଚାରି ଭାଗରେ ବିଭାଜିତ । ଯଥା- ( ୧ ) ପୂରକ , ( ୨ ) ରେଚକ , ( ୩ ) ବାହ୍ୟକୁମ୍ଭକ , ( ୪ ) ଆଭ୍ୟନ୍ତର କୁମ୍ଭକ ଭେଦରେ । 

  1. ପୂରକ – ଶ୍ବାସ ଗ୍ରହଣ ପ୍ରକ୍ରିୟାକୁ ପୂରକ କୁହାଯାଏ । 
  2. ରେଚକ – ଶ୍ଵାସ ତ୍ୟାଗ ପ୍ରକ୍ରିୟାକୁ ରେଚକ କୁହାଯାଏ । 
  3. ବାହ୍ୟ କୁମ୍ବକ – ବାହ୍ୟ ନିରୋଧ ବାୟୁର ବାହ୍ୟ ନିରୋଧ । ଆଭ୍ୟନ୍ତର କୁମ୍ଭକ– ଅନ୍ତ ନିରୁଦ୍ଧବାୟୁର ନିରୋଧ । 

ପ୍ରାଣାୟାମ ଦ୍ଵାରା ଶରୀର ମଳ ପ୍ରକ୍ଷୟ ଏବଂ ଶରୀର ଶୁଦ୍ଧି ଓ ଆରୋଗ୍ୟ ରହେ । ଯଥା ଭସ୍ତ୍ରିକା , କପାଳଭାତି , ଶୀତଳୀ , ଉଦାୟୀ , ଶିତ୍କାରୀ , ସୂର୍ଯ୍ୟଭେଦା , ବନ୍ଧତ୍ରୟ ପ୍ରଭୃତି । 

(ଘ)  ପ୍ରତ୍ୟାହାର – 

ପତଞ୍ଜଳିଙ୍କ ମତରେ- "ସ୍ଵବିଷୟାସଂ ପ୍ରଯୋଗେ ଚିତ୍ତସ୍ୟ ସ୍ଵାନୁକାର ଇବେନ୍ଦ୍ରିୟାଣୀ ପ୍ରତ୍ୟାହାରଃ" ( ଯୋଗ - ୨ - ୫୪ ) । 

ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ସେମାନଙ୍କ ଭୋଗ୍ୟବସ୍ତୁରୁ ଫେରାଇ ଆଣିବା ପଦ୍ଧତିର ନାମ ପ୍ରତ୍ୟାହାର । ଏହାକୁ ଇନ୍ଦ୍ରିୟ ସଂଯମ ପଦ୍ଧତି କୁହାଯାଏ । ଇନ୍ଦ୍ରିୟମାନଙ୍କୁ ସଂଯତ କଲେ ମନ ସଂପୂର୍ଣ୍ଣ ରୂପେ ଏକାଗ୍ର ହୋଇଯାଏ । ପ୍ରତ୍ୟାହାର ଦ୍ଵାରା ଇନ୍ଦ୍ରିୟମାନେ ଆବଦ୍ଧିତ ହୋଇଯା'ନ୍ତି ।

(ଙ)ଧାରଣା ( Concentration ) –

 ଯୋଗଦର୍ଶନାନୁସାରେ ଧାରଣାର ଲକ୍ଷଣ ଯଥା-

 "ଦେଶବନ୍ଧଶ୍ଚିତସ୍ୟ ଧାରଣା" ( ଯୋଗ - ୩- ୧ ) ହୃଦୟରେ ନାସିକାଗ୍ର ଭାଗରେ , ଭ୍ରୂ ମଧ୍ୟରେ , ଅନ୍ୟତ୍ର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଚିତ୍ତର ଏକାଗ୍ରତାକୁ ଧାରଣା କୁହାଯାଏ । ମନକୁ ଏକ ବାହ୍ୟ ବିନ୍ଦୁ ବା ଅନ୍ତରସ୍ଥ ବିନ୍ଦୁରେ ଏକାଗ୍ର କରିବା । ଏକାଗ୍ରତା ହେଉଛି ଏକ ମାନସିକ ପ୍ରକ୍ରିୟା । ନିଜ ମନକୁ ୧୨ ସେକେଣ୍ଡଯାଏ ଗୋଟିଏ ବିନ୍ଦୁ ଉପରେ ଏକାଗ୍ରତା କରିପାରିଲେ ତାହା ଧାରଣା ହୁଏ । 

(ଚ)ଧ୍ୟାନ ( Meditation ) : 

"ତତ୍ର ପ୍ରତ୍ୟୟୈକତାନତା ଧ୍ୟାନମ୍"( ଯୋଗ ୩- ୨ ) । ଅର୍ଥାତ୍ ଏକାଗ୍ରଚିତ୍ତରେ ଧ୍ୟେୟ ବସ୍ତୁର ଏକାକାର ଚାପରେ ପ୍ରବାହକୁ ଧ୍ୟାନ କୁହାଯାଏ । ଧ୍ୟାନ ଦ୍ବାରା ମନ ଇନ୍ଦ୍ରିୟ ବିଷୟକ ଚିନ୍ତାରୁ ମୁକ୍ତ ରହେ । ଧ୍ୟାନ ସମୟରେ ମନ କେବଳ ଈଶ୍ଵରଙ୍କ ଭାବନାରେ ନିମଜ୍ଜିତ ଥାଏ ।

(ଛ)ସମାଧି ( Trance / Self realisation ): 

ଯୋଗଦର୍ଶନାନୁସାରେ ସମାଧିର ଲକ୍ଷଣ- "ତଦେବାର୍ଥମାତ୍ର ନିର୍ଭସଂ ସ୍ଵରୂପଶୁନ୍ୟମିବ ସମାଧି" ( ଯୋଗ - ୩ - ୩ ) 

ଅର୍ଥାତ୍ ଯେତେବେଳେ ଧ୍ୟାନ ଧ୍ୟେୟାକାର ରୂପ ସ୍ବରୂପ ଶୂନ୍ୟପରି ହୁଏ ସେତେବେଳେ ତାକୁ ସମାଧି କୁହାଯାଏ । ସମାଧି ଅବସ୍ଥାରେ ଧ୍ୟାନ ଧ୍ୟାତୃ ଧେୟମାନଙ୍କର ଏକତା ଆସେ ।

 ସମାଧି ହେଉଛି ପରମ ଚୈତନ୍ୟାବସ୍ଥା । ସମାଧିକୁ କେବଳ ଅନୁଭବ ମାଧ୍ୟମରେ ଜାଣିହେବ, ଏହାକୁ କୌଣସି ଭାଷାରେ ପରିପ୍ରକାଶ କରିହେବ ନାହିଁ । ନଦୀ ଯେପରି ସମୁଦ୍ରରେ ମିଶିଯାଏ ସେହିପରି ଆତ୍ମା ପରମାତ୍ମାଙ୍କ ସହ ମିଶିବାବସ୍ଥାକୁ ସମାଧି କୁହାଯାଏ । ସମାଧି ଅବସ୍ଥାରେ ସାଧକର କୌଣସି ବାହ୍ୟ ବା ଆଭ୍ୟନ୍ତର ଜ୍ଞାନ ନ ଥାଏ । ସମାଧି ହେଉଛି ୨ ପ୍ରକାର । ଯଥା- ( ୧ ) ସର୍ବକଳ୍ପକ ସମାଧି , ( ୨ ) ନିର୍ବିକଳ୍ପକ ସମାଧି ।

Post a Comment

0Comments

Post a Comment (0)