Biography Of Charak Rishi In Odia
ମହର୍ଷି ଚରକ (Mahirshi Charak In Odia)
ଆଜକୁ ପ୍ରାୟ ତିନିହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଆମଦେଶରେ ଆୟୁର୍ବେଦ ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଥିଲା । ଅତୀତରେ ଯେଉଁ ମହାନ ଆୟୁର୍ବେଦ ବିଜ୍ଞାନୀଗଣ ସେମାନଙ୍କ ଅଲୌକିକ ପ୍ରତିଭା ବଳରେ ଭାରତୀୟ ଚିକିତ୍ସା ବିଜ୍ଞାନର ଉତ୍କର୍ଷତା ସାଧନ କରି ପାରିଥିଲେ ସେମାନଙ୍କ ମଧ୍ୟରେ ଆତ୍ରେୟ, ଚରକ, ଶୁଶୃତ, ବାଗଭଟ୍ଟ ଆଦି ୠଷିମାନେ ଅନ୍ୟତମ ଥିଲେ ।
କେଉଁ ବ୍ୟାଧି ପାଇଁ କେଉଁ ଔଷଧ ରହିଛି ଓ ସରଳ ତଥା ମହାନ ପନ୍ଥା ଅନୁସରଣ କରି କିପରି ସ୍ୱସ୍ଥ ଜୀବନ ନିର୍ବାହ କରିବା ତାହା ଆୟୁର୍ବେଦରୁ ଜାଣିବାକୁ ମିଳେ । ସେ ଚରକ ସଂହିତାର ରଚୟିତା ରୂପେ ମଧ୍ୟ ବେଶ୍ ପ୍ରଖ୍ୟାତ । ଚରକ ପଞ୍ଚନଦ କ୍ଷେତ୍ରର କପିସ୍ଥଳ ଗ୍ରାମର ନିବାସୀ ଥିଲେ ବୋଲି ପ୍ରାଚୀନ ସମୟର ଲେଖାରେ ଉଲ୍ଲେଖ ରହିଛି । ଆଧୁନିକ ପଞ୍ଜାବର କପୁରଥଳାରେ ସେ ବସବାସ କରୁଥିବେ ବୋଲି ଅନୁମାନ କରାଯାଏ । ମହାଭାରତ କାବ୍ୟରେ ପଞ୍ଜାବ ଅଞ୍ଚଳକୁ ପଞ୍ଚନଦ ବୋଲି କୁହାଯାଇଛି ।ଚରକଙ୍କୁ “ଭାରତୀୟ ଔଷଧର ଜନକ” ବୋଲ ମଧ୍ୟ କୁହାଯାଏ ।ଚରକ ଏକ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
ଚରକ ସଂହିତା ଦ୍ୱାପର ଯୁଗରେ ରଚିତ ହୋଇଥିବାର କଥିତ ଅଛି । କିମ୍ବଦନ୍ତୀ ଅନୁସାରେ ଚରକ ଋଷି ବ୍ରହ୍ମା, ଧନ୍ୱନ୍ତରୀ, ଇନ୍ଦ୍ର, ଅଶ୍ୱିନୀ କୁମାର, ଭରଦ୍ୱାଜ, ଆତ୍ରେୟ, ଅଗ୍ନିବେଶ୍ୟ ଆଦିଙ୍କ ନିକଟରୁ ବୈଦିକ ଶିକ୍ଷାଲାଭ କରିଥିଲେ ।
କିମ୍ବଦନ୍ତୀ (Mythology Of Charak)
କଥିତ ଅଛି ଯେ ସୃଷ୍ଟିକର୍ତ୍ତା ବ୍ରହ୍ମା ଚିକିତ୍ସା ବିଷୟ ଦକ୍ଷ-ପ୍ରଜାପତିଙ୍କୁ ବର୍ଣ୍ଣନା କରିଥିଲେ । ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ମାନବଗଣ ବିଭିନ୍ନ ରୋଗ କବଳରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗକଲେ, ସେମାନେ ହିମାଳୟରେ ତପସ୍ୟା କରୁଥିବା ଭରଦ୍ୱାଜ ୠଷିଙ୍କ ନିକଟରେ ଶରଣ ପଶିଲେ । ଧ୍ୟାନ ବଳରେ ଭରଜ୍ୱାଜ ଜାଣିପାରିଲେ ଯେ, ଦେବରାଜ ଇନ୍ଦ୍ରଙ୍କ ଦରବାରରେ ହିଁ ଦକ୍ଷ ପ୍ରଜାପତିଙ୍କ ଠାରୁ ଏହି ଚିକିତ୍ସା ଶାସ୍ତ୍ର ଶିକ୍ଷା କରିପାରିଲେ ମହୀମଣ୍ଡଳର ଉପକାର ସାଧିତ ହେବ । ତେଣୁ ସେ ତାଙ୍କ ସ୍ଥୂଳ ଶରୀର ତ୍ୟାଗକରି ସ୍ୱର୍ଗକୁ ଯାଇ ସେଠାରେ ଏହି ଶାସ୍ତ୍ର ଅଧ୍ୟୟନ କଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସେ ଆତ୍ରେୟ ୠଷିଙ୍କୁ ଏହି ଶାସ୍ତ୍ରଜ୍ଞାନ ଦେଲେ । ଖ୍ରୀଷ୍ଟ ଜନ୍ମର ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଆତ୍ରେୟ ୠଷି ପ୍ରଥମେ ଆୟୁର୍ବେଦ ଶାସ୍ତ୍ର ରଚନା କଲେ । ଏହା ଆତ୍ରେୟ ସଂହିତା ନାମରେ ପ୍ରଖ୍ୟାତ । ଆତ୍ରେୟ ଯେଉଁମାନଙ୍କୁ ଏହି ଶିକ୍ଷାଦାନ କରିଥିଲେ ସେମାନଙ୍କ ମଧ୍ୟରେ ଚରକ ୠଷି ଅନ୍ୟତମ । ଆୟୁର୍ବେଦ ଶାସ୍ତ୍ର ଆଚାର୍ଯ୍ୟ ଚରକଙ୍କଦ୍ୱାରା ପୁନର୍ଲିଖିତ ହେଲା । ତେଣୁ ଚରକଙ୍କୁ ପ୍ରକୃତ ଆୟୁର୍ବେଦ ବିଜ୍ଞାନର ଜନ୍ମଦାତା ବୋଲି କୁହାଯାଏ ।
ଚରକ ଏବଂ ଆୟୁର୍ବେଦ (Charak Rishi And Ayurveda)
ଯାଯାବର ପଣ୍ଡିତ ବା ଯାଯାବର ଚିକିତ୍ସକ ମାନଙ୍କୁ “ଚରକ” ବୋଲି କୁହାଯାଇଥାଏ ।
ଚରକଙ୍କ ରଚନାର ଅନୁବାଦରୁ ଜଣାପଡ଼େ ଯେ ସ୍ୱାସ୍ଥ୍ୟ ଓ ରୋଗ ବିଷୟରେ ପ୍ରାକ୍-ଅନୁମାନ କରାଯାଇପାରିବ ନାହିଁ ଏବଂ ଜୀବନ ନିର୍ବାହ ଶୈଳୀରେ ଉନ୍ନତି ଆଣିଲେ ତଥା ମଣିଷ ନିଜେ ଚେଷ୍ଟା କଲେ ନିଜକୁ ଦୀର୍ଘାୟୁ କରିପାରିବ । ପ୍ରାଚୀନ ଭାରତୀୟ ପରମ୍ପରା ତଥା ଆୟୁର୍ବେଦ ଅନୁସାରେ ରୋଗର ନିବାରଣ କରିବା ରୋଗର ଚିକିତ୍ସା କରିବା ଅପେକ୍ଷା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ । ତେଣୁ ସମୟ, ଋତୁ ଓ ପ୍ରାକୃତିକ ପରିବେଶ ଅନୁଯାୟୀ ନିଜପ ଦୈନନ୍ଦିନ ଜୀବନ ନିର୍ବାହ ଶୈଳୀରେ ପରିବର୍ତ୍ତନ ଆଣିଲେ ମଣିଷ ସମ୍ପୂର୍ଣ୍ଣ ରୂପେ ସ୍ୱାସ୍ଥ୍ୟବାନ ହୋଇପାରିବ ।
ଚିକିତ୍ସା କ୍ଷେତ୍ରରେ “ଔଷଧଠାରୁ ସାବଧାନତା ଭଲ” ବା “ଔଷଧଠାରୁ ନିବାରଣ ଶ୍ରେୟସ୍କର” ମତବାଦ ଚରକଙ୍କ ରଚନାରେ ସ୍ପଷ୍ଟ ପ୍ରତିପାଦିତ ହୁଏ । ଆଚାର୍ଯ୍ୟ ଚରକ କହିଯାଇଛନ୍ତି ଯେ :
ଜ୍ଞାନର ଦୀପ ସହାୟତା ନେଇ ସୁଦ୍ଧା ଯଦି ଜଣେ ଚିକିତ୍ସକ ରୋଗୀର ଶରୀର ମଧ୍ୟକୁ ପ୍ରବେଶ କରିବାରେ ଅସମର୍ଥ ହୁଏ, ତେବେ ରୋଗୀକୁ ସେ ରୋଗମୁକ୍ତ କରାଇପାରିବ ନାହିଁ । ପରିବେଶ ତଥା ଅନ୍ୟ କାରକ ଯେଉଁମାନେ ରୋଗ ବା ଶରୀରର ଅବସ୍ଥାକୁ ପ୍ରଭାବିତ କରନ୍ତି ସେମାନଙ୍କ ବିଷୟରେ ପ୍ରଥମେ ଜାଣିବା ଦରକାର ଓ ତାହା ପରେ କଣ ଔଷଧ ବ୍ୟବହାର କରାଯିବ ତାହା କହିବା ଉଚିତ୍ । ତେଣୁ ରୋଗର ଔଷଧ ସେବନ କରାଇବା ଅପେକ୍ଷା ରୋଗର କାରଣର ନିରାକରଣ କରିବା ମହତ୍ତ୍ୱପୂର୍ଣ୍ଣ ।
ଶରୀର କ୍ରିୟା ବିଜ୍ଞାନ, ରୋଗ ହେତୁବିଜ୍ଞାନ, ଭ୍ରୁଣ ବିଜ୍ଞାନ ଆଦି କ୍ଷେତ୍ରରେ ମଧ୍ୟ ଚରକଙ୍କର ବହୁ ଅବଦାନ ରହିଛି । ପାଚନ କ୍ରିୟା, ଚୟାପଚୟ, ରୋଗ ପ୍ରତିରୋଧକ ଶକ୍ତି ଓ ଗୁପ୍ତ ରୋଗ ଇତ୍ୟାଦି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିବା ପ୍ରଥମ ଚିକିତ୍ସକ ହେଉଛନ୍ତି ଚରକ । ମନୁଷ୍ୟ ଶରୀରରେ ବାତ, ପିତ୍ତ ଓ କଫ ଭଳି ତିନି ପ୍ରକାରର ଦୋଷ ରହିଥାଏ ଓ ଏମାନଙ୍କ ଯୋଗୁଁ ଶରୀର ପରିଚାଳିତ ହୋଇଥାଏ । ଆଧୁନିକ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ମଧ୍ୟ Bile, Phlegm ଓ Wind ଏପରି ତତ୍ତ୍ୱ ଦେଖାଯାଏ । ଆହରଣ କରିଥିବା ଖାଦ୍ୟ ଉପରେ ଶରୀରର ରକ୍ତ, ମାଂସ ଓ ହାଡ଼ ପରି ଧାତୁଙ୍କ କ୍ରିୟା ଯୋଗୁଁ ଏହି ଦୋଷ ସୃଷ୍ଟି ହୁଅନ୍ତି । ଏକ ପ୍ରକାରର ଓ ଏକା ପରିମାଣର ଖାଦ୍ୟ ଭିନ୍ନ ଭିନ୍ନ ଶରୀରରେ ଭିନ୍ନ ଭିନ୍ନ ଦୋଷ ସୃଷ୍ଟି କରିପାରନ୍ତି । ତେଣୁ ସବୁ ଶରୀର ପରସ୍ପରଠାରୁ ଭିନ୍ନ ଓ ତେଣୁ ସେହି ଶରୀରର ପ୍ରତିରୋଧକ ଶକ୍ତି ଓ ଚିକିତ୍ସା ପ୍ରଣାଳୀ ମଧ୍ୟ ପୃଥକ୍ ହୋଇପାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମନୁଷ୍ୟ ଶରୀରରେ ଏହି ତିନି ଦୋଷର ଭାରସାମ୍ୟ କ୍ଷତିଗ୍ରସ୍ତ ହେଲେ ମନୁଷ୍ୟ ଶରୀରରେ ଅସୁସ୍ଥତା ଦେଖାଯାଏ । ତେଣୁ ଶରୀରରେ ସନ୍ତୁଳନ ବଜାୟ ରଖିବା ପାଇଁ ସେ ନାନା ଔଷଧ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ସେ ଶରୀରରେ ଜୀବାଣୁର ଉପସ୍ଥିତି ବିଷୟରେ ଅବଗତ ଥିଲେ ହେଁ ଏହାକୁ ଅଧିକ ମହତ୍ତ୍ୱ ଦେଇନଥିଲେ । ତାଙ୍କ ମତରେ ଜୀବାଣୁ ରୋଗର ଅନ୍ୟତମ କାରଣ , ହେଲେ ଏହା ଏକମାତ୍ର କାରଣ ନୁହେଁ । ଶରୀରରେ ଦୋଷ ଓ ଧାତୁର ଭାରସାମ୍ୟ ନଷ୍ଟ ହେଲେ ଜୀବାଣୁମାନେ ବଢ଼ିବାର ସୁଯୋଗ ପାଆନ୍ତି । ତେଣୁ ଜୀବାଣୁଙ୍କ ପ୍ରତି ଧ୍ୟାନ ନଦେଇ ଏହି ସନ୍ତୁଳନ ବଜାୟ ରଖିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି । ଚରକ ଶରୀରର ଅନ୍ତଃ-ବହିର୍ଗଠନ ଓ ବିଭିନ୍ନ ଅଙ୍ଗ ସମ୍ପର୍କରେ ମଧ୍ୟ ଶିକ୍ଷାଲାଭ କରିଥିଲେ । ଦାନ୍ତ ସମେତ ଶରୀରରେ ବିଭିନ୍ନ ପ୍ରକାରର ୩୬୦ଟି ହାଡ଼ ରହିଛି ବୋଲି ସେ କହିଥିଲେ । ହୃତ୍ପିଣ୍ଡକୁ ସେ ସଠିକ୍ ଭାବେ ଶରୀରର ନିୟନ୍ତ୍ରଣ କେନ୍ଦ୍ର ବୋଲି ଚିହ୍ନଟ କରିଥିଲେ । ୧୩ଟି ବିଭିନ୍ନ ସଂଯୋଜକ ନଳୀ ମାଧ୍ୟମରେ ହୃତ୍ପିଣ୍ଡ ଆମ ଶରୀରର ସମସ୍ତ ଅଙ୍ଗ ସହିତ ସଂଯୁକ୍ତ ବୋଲି ମଧ୍ୟ ସେ କହିଥିଲେ । ଏହି ସବୁ ନଳୀ ବ୍ୟତୀତ ମୋଟା ପତଳା ହୋଇ ଆହୁରି ଅନେକ ନଳୀ ଶରୀରରେ ରହିଥିବା ଏବଂ ଏମାନଙ୍କଦ୍ୱାରା ଧାତବ ଲବଣ ଶରୀରରେ ସଞ୍ଚାରିତ ହେବା ଓ ଶରୀରରୁ ବର୍ଯ୍ୟବସ୍ତୁ ନିଷ୍କାସିତ ହେବା କ୍ରିୟା ମାନ ସମ୍ପାଦିତ ହୋଇଥାଏ । ଏହି ସବୁ ନଳୀର ମାର୍ଗରେ କୌଣସି ବାଧା ସୃଷ୍ଟି ହେଲେ ତାହା ରୋଗର କାରଣ ହୋଇପାରେ ଓ ଶରୀରରେ ବିକୃତି ସୃଷ୍ଟି କରିପାରେ ବୋଲି ମଧ୍ୟ ସେ ମତପୋଷଣ କରିଛନ୍ତି ।
ଆହୁରି ପଢ଼ନ୍ତୁ: ବାଣପୁର ବିଦ୍ରୋହ (Banapur Rebellion)
ଆତ୍ରେୟ ନାମକ ଜଣେ ପ୍ରାଚୀନ ଚିକିତ୍ସକଙ୍କ ମାର୍ଗଦର୍ଶନରେ ଋଷି ଅଗ୍ନିବେଶ ଖ୍ରୀ.ପୂ. ୮ମ ଶତାବ୍ଦୀରେ ଏକ ଚିକିତ୍ସା ଶାସ୍ତ୍ର ରଚନା କରିଥିଲେ । କିନ୍ତୁ ଏହା ବେଶ ଜନାଦୃତ ହୋଇପାରି ନଥିଲା । ଚରକ ଏହି ଶାସ୍ତ୍ରର ସଂଶୋଧନ କରିବା ପରେ ଏହା “ଚରକ ସଂହିତା” ଭାବେ ଲୋକପ୍ରିୟ ହୋଇଥିଲା । ପ୍ରାୟ ଦୁଇ ସହସ୍ରାବ୍ଦ ପର୍ଯ୍ୟନ୍ତ ଏହା ଚିକିତ୍ସା ବିଜ୍ଞାନର ପ୍ରମୁଖ ଗ୍ରନ୍ଥ ଭାବେ ପରିଗଣିତ ହେଉଥିଲା ଓ ସେହି ସମୟରେ ଏହା ଆରବ ତଥା ଲାଟିନ୍ ପରି ଅନେକ ବିଦେଶୀ ଭାଷାରେ ଅନୁଦିତ ମଧ୍ୟ ହୋଇଅଛି ।
ଚରକଙ୍କ ଅବଦାନ (Contribution Of Charak Rishi In Odia)
ତରକ ହେଉଛନ୍ତି ତରକ ସଂହିତାର ରଚୟିତା । ଚତୁର୍ଥ ଶତାବ୍ଦୀର ବୋୱର୍ ପାଣ୍ଡୁଲିପିଦ୍ୱାରା ଚରକ ସଂହିତା ଉଦ୍ଜୀବିତ ରହିଥିଲା । ବୋୱର୍ ପାଣ୍ଡୁଲିପି ଦୃଢ଼ବଳଙ୍କ କୃତି କିନ୍ତୁ ଏଥିରେ ସ୍ଥାନ ପାଇଥିବା ଚରକଙ୍କ ନିୟମମାନ ବହୁବର୍ଷ ପୂର୍ବେ ପ୍ରଣୀତ ହୋଇଥିଲା । ଚରକ ସଂହିତା ଓ ସୁଶ୍ରୁତ ସଂହିତା ଗ୍ରନ୍ଥମାନଙ୍କୁ ଆୟୁର୍ବେଦର ଆଧାର ବୋଲି କୁହାଯାଏ । ୧୨୦ଟି ଅଧ୍ୟାୟ ସମ୍ବଳିତ ଚରକ ସଂହିତା ୮ଟି ଖଣ୍ଡରେ ବିଭକ୍ତ ହୋଇଅଛି ।
ଚରକ ସଂହିତାରୁ ଉଦ୍ଧୃତ କିଛି ଅଂଶ |
ଜାପାନୀ ଭାଷାରେ ଚରକ ସଂହିତାର ଅନୁବାଦ |
ଚରକଙ୍କଠାରୁ ଆରମ୍ଭ ହୋଇଥିବା ପରମ୍ପରା ଅନୁଯାୟୀ ଔଷଧ ବିଜ୍ଞାନର ୬ ଗୋଟି ସ୍ରୋତ ରହିଛନ୍ତି । ଏହି ୬ଟି ସ୍ରୋତ ଋଷି ପୁନର୍ବସୁ ଆତ୍ରେୟଙ୍କ ୬ ଜଣ ଶିଷ୍ୟଙ୍କଦ୍ୱାରା ପ୍ରାରମ୍ଭ କରାଯାଇଥିଲା । ଅଗ୍ନିବେଶ, ଭେଳ, ଜତୂକର୍ଣ୍ଣ, ପରାଶର, ହାରୀତ ଓ କ୍ଷାରପାଣି ନାମକ ଏହି ୬ ଜଣ ଶିଷ୍ୟ ପ୍ରତ୍ୟେକେ ନିଜ ନିଜର ସଂହିତା ରଚନା କରିଥିଲେ । ଏହି ସମସ୍ତ ସଂହିତାମାନଙ୍କ ମଧ୍ୟରେ ଅଗ୍ନିବେଶଙ୍କ ସଂହିତା ସର୍ବଶ୍ରେଷ୍ଠ ବୋଲି ବିବେଚିତ ହୋଇଥିଲା । ପରବର୍ତ୍ତୀ କାଳରେ ଅଗ୍ନିବେଶଙ୍କ ସଂହିତା ଚରକଙ୍କଦ୍ୱାରା ଗୁଣାତ୍ମକ ରୂପେ ସଂଶୋଧିତ ଓ ପରିବର୍ଦ୍ଧିତ ହୋଇ “ଚରକ ସଂହିତା” ରୂପେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଦୃଢ଼ବଳ ଚରକ ସଂହିତାରେ ଆଉ କେତେକ ସଂଶୋଧନ ଓ ପରିବର୍ତ୍ତନ ଆଣିଥିଲେ ।
- ସୂତ୍ର ସ୍ଥାନ
- ନିଦାନ ସ୍ଥାନ
- ବିମାନ ସ୍ଥାନ
- ଶରୀର ସ୍ଥାନ
- ଐନ୍ଦ୍ରୀୟ ସ୍ଥାନ
- ଚିକିତ୍ସା ସ୍ଥାନ
- ବିକଳ୍ପ ସ୍ଥାନ
- ସିଦ୍ଧି ସ୍ଥାନ
- ସୂତ୍ର ସ୍ଥାନ
ଇଉରୋପୀୟମାନେ ଚରକ ସଂହିତାର ଅନୁବାଦ ପଢ଼ି ଖୁବ୍ ବିସ୍ମିତ ହୋଇଥିଲେ । ଚରକ ମାଦକ ଦ୍ରବ୍ୟ ଓ ମଦ୍ୟ ଚିକିତ୍ସା ପାଇଁ ପ୍ରୟୋଜନୀୟ ବୋଲି ଏହାର ପ୍ରଶଂସା ମଧ୍ୟ କରିଛନ୍ତି । ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ ଅନୁଯାୟୀ ଏହା ଯାଗ, ଯଜ୍ଞ ଓ ଧ୍ୟାନଧାରଣା ଆଦି ପାଇଁ ମଧ୍ୟ ଅତ୍ୟାବଶ୍ୟକ ବୋଲି ଚରକ କହିଯାଇଛନ୍ତି ।
Keywords: ଚରକ ଆୟୁର୍ବେଦ ବିଜ୍ଞାନୀ, ଋଷି ଚରକ, ଆୟୁର୍ବେଦ ର ଜନକ, Father Of Indian medicine Charak, ଭାରତୀୟ ଔଷଧ ର ଜନକ ଋଷି ଚରକ ଙ୍କ ଜୀବନୀ, Odia pathsala