ଆମେରିକା-ଆଫଗାନ ଯୁଦ୍ଧରେ ଆମେରିକା ସୈନ୍ୟ-୨୦୦୧-୨୦୨୧ |
ଆଫଗାନରେ ହାହାକାର ସ୍ଥିତି
ଧୀରେ ଧୀରେ କରି ସମଗ୍ର ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସେଠାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଭୟରେ ରାଷ୍ଟ୍ରପତି ଅସରଫ୍ ଘନି ଦେଶ ଛାଡ଼ି ପଲାଇଛନ୍ତି। ଫଳରେ ରାଜଧାନୀ କାବୁଲକୁ ବିନା ବିରୋଧରେ କବ୍ଜା କରିବା ସହିତ କ୍ଷମତାକୁ ଫେରିଛନ୍ତି। ତାଲିବାନିଙ୍କ ଭୟରେ ଆଫଗାନବାସୀ ଏବେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେବାକୁ ବାହାରିଛନ୍ତି। ଏଥିପାଇଁ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଦେଖାଯାଉଛି।
ଆଫଗାନ ସେନା ଓ ତାଲିବାନ ମଧ୍ୟରେ ୫ ମାସ ଲଢ଼େଇ
ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଗତ ଏପ୍ରିଲ ମାସରୁ ଲଢ଼େଇ ଚାଲିଥିଲା। ପ୍ରଥମେ ତାଲିବାନିମାନେ ଦେଶର ଛୋଟ ଛୋଟ ସହରକୁ ଟାର୍ଗେଟ କରି ନିଜ ଅକ୍ତିଆରକୁ ଆଣିଲେ। ଏହି ୫ ମାସ ମଧ୍ୟରେ ଆଫଗାନର ୫୦,୦୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୦,୦୦୦ ହଜାରରୁ ଅଧିକ ଯବାନ ମୃତାହତ ହୋଇଛନ୍ତି। ସେହିପରି ୩୦,୦୦୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ସେଠାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ପଢ଼ନ୍ତୁ : ଭାରତର ପ୍ରଥମ ପରମାଣୁ ପରୀକ୍ଷଣ-Operation Smiling Buddha in Odia
ତାଲିବାନିମାନଙ୍କ ଅତ୍ୟାଚାର ଆଶଙ୍କା କରି ଲୋକେ ଦେଶ ଛାଡି ପଳାଇବାକୁ ଚାହୁଁଛନ୍ତି। ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଅଧିକାରକୁ ନେବା ପରେ ବିଶେଷ କରି ମହିଳାମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଜଣାପଡ଼ିଛି । ଦେଶର ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୯୯୬ରୁ ୨୦୦୧ ଯାଏଁ ତାଲିବାନ ଆଫଗାନରେ ଯେଉଁ କ୍ରୁର ଶାସନ ଚଳାଇଥିଲେ ତାକୁ ମନେ ପକାଇ ଏବେ ଦେଶବାସୀ ଭୟ ଓ ଆତଙ୍କରେ ଅଛନ୍ତି।
ଆଫଗାନରୁ ସେନା ପ୍ରତ୍ୟାହାର କଲା ଆମେରିକା
ଆଫାଗାନିସ୍ତାନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ୨୦୦୧ରୁ ଆମେରିକୀୟ ସେନା ଏଠାରେ ମୁତୟନ ଥିଲେ। ମାତ୍ର ଏବେ ଦେଶରେ ତାଲିବାନଙ୍କ ଆତଙ୍କ ବଢ଼ିଥିବା ବେଳେ ଆମେରିକା ନିଜର ସେନା ପ୍ରତ୍ୟାହାର କରି ନେଉଛି। ଚଳିତ ବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଯିବ। ପେଣ୍ଟାଗନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୯୦ ପ୍ରତିଶତ ସେନା ଆମେରିକା ଫେରିଗଲେଣି।
ଗତ ୨୦ ବର୍ଷ ଧରି ଆମେରିକା ଓ ଅନ୍ୟ ବିଦେଶୀ ସେନାଙ୍କ ଉପସ୍ଥିତିରେ ଆଫଗାନବାସୀ ଶାନ୍ତିରେ ଜୀବନ କାଟୁଥିଲେ। ଏବେ ବିଦେଶୀ ସେନା ପ୍ରତ୍ୟାହାର ପ୍ରକ୍ରିୟା ସରିବାକୁ ଆସୁଥିବା ବେଳେ ତାଲିବାନ ସକ୍ରିୟ ହୋଇଉଠୁଛି। ଆଜି ଆଫଗାନରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଆମେରିକା ହିଁ ଦାୟୀ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସମାଲୋଚନା କରାଯାଉଛି।
ଆଫଗାନିସ୍ଥାନ ର ଇତିହାସ-୧୯୭୦-୨୦୨୦
ଆଫଗାନିସ୍ଥାନର ରାଜଶାସନ ୧୯୭୩ରେ ଅସ୍ଥିର ହେବାପରେ ରୁଷିଆ ଆଫଗାନିସ୍ଥାନରେ ପ୍ରଭାବ ବିସ୍ତାର କରିଥିଲା ୧୯୮୩ରେ ରୁଷିଆ- ଆଫଗାନ ଯୁଦ୍ଧ ହେଲା ଏବଂ ଆମେରିକା ରୁଷିଆର ପ୍ରଭାବ ହ୍ରାସ କରିବାକୁ ପାକ୍ ସହାୟତାରେ ମୁଜାହିଦ୍ଦୀନ(ମୁସଲମାନ ଆତଙ୍କୀ) ସୃଷ୍ଟି କଲା । ୧୯୯୧ରେ ଆଫଗାନିସ୍ଥାନ ପୂର୍ବ ରାଜା ହାଜି ମହମ୍ମଦ ଜାହିରଶାହ ଆଫଗାନିସ୍ଥାନର ବିକାଶ ପାଇଁ ଉଦ୍ୟମ କରିଥିଲେ ହେଁ ମୁଜାହିଦ୍ଦୀନ ଗୋଷ୍ଠୀର ବିରୋଧ ହେତୁ ସଫଳ ହୋଇପାରିଲେ ନାହିଁ । ତେବେ ଆଫଗାନିସ୍ଥାନର ରାଷ୍ଟ୍ରପତି ନଜିବୁଲ୍ଲା ଢେରଦିନ ଧରି ରୁଷ ସରକାରଙ୍କ ସହାୟତା କ୍ରମେ ସରକାରରେ ରହିଥିଲେ ମଧ୍ୟ ସୋଭିଏତ୍ ରୁଷିଆର ପତନ ଯୋଗୁ ଆର୍ଥିକ ଓ ସାମରିକ ସହାୟତା ନ ପାଇବାରୁ ଦୁର୍ବଳ ହେଲେ ଏବଂ ପରିଶେଷରେ ମୁଜାହିଦ୍ଦୀନ ଗୋଷ୍ଠୀ କାବୁଲକୁ ଦଖଲ କରି ବର୍ବରତାର ସହ ନଜିବୁଲ୍ଲାଙ୍କୁ ସର୍ବସମ୍ମୁଖରେ ଫାଶୀ ଦେଇଥିଲେ ।
ରୁଷିଆ-ଆଫଗାନ ଯୁଦ୍ଧ-୧୯୭୯-୧୯୮୯ |
ତେବେ ଆଜିର ଆଫଗାନିସ୍ଥାନ ସମସ୍ୟା ପାଇଁ ସବୁଠୁ ଅଧିକ ଆମେରିକା ଓ ପାକିସ୍ଥାନ ଏଥିପାଇଁ ଦାୟୀ । ଏହି ଦୁଇ ରାଷ୍ଟ୍ରର ସଂକୀର୍ଣ୍ଣ ଦୃଷ୍ଟିକୋଣ ଯୋଗୁ ଏବେ ଆଫଗାନିସ୍ଥାନ ସଙ୍କଟର ସମ୍ମୁଖୀନ । ସନ୍ତ୍ରାସବାଦୀ ଗୋଷ୍ଠୀଙ୍କ ଭସ୍ମାସୁର ମାଡରେ ଘାଇଲା ହୋଇ ଦୀର୍ଘ ୧୯ ବର୍ଷ ହେଲା ନାଟୋ ବାହିନୀକୁ ଆଫଗାନିସ୍ଥାନରେ ରଖି ଆମେରିକା ବିଶେଷ କିଛି ସଫଳତା ଲାଭ କରିନପାରି ଏବେ ଲାଙ୍ଗୁଡ ଜାକି ସମସ୍ତଙ୍କ ଅଜାଣତରେ ରାତିରେ ଫେରିବାକୁ ବାଧ୍ୟ ହୋଇଛିା ଏପରିକି ଆଫଗାନିସ୍ଥାନରୁ ବିନା ମାଡରେ ବାହାରିବା ପାଇଁ ପ୍ରାୟ ୫୦୦୦ ସନ୍ତ୍ରାସବାଦୀଙ୍କୁ ଜେଲରୁ ମୁକ୍ତ କରାଇଛି । ସେହି ସନ୍ତ୍ରାସବାଦୀମାନେ ଜେଲରୁ ବାହାରିବା ପରେ ଏବେ ଅଧିକ ସକ୍ରୀୟ ହୋଇ ପାକିସ୍ଥାନର
ସେନାଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ପାକ୍ ସେନାବାହିନୀର ଲୋକେ ସିଧାସଳଖ ତାଲିବାନର ନେତୃତ୍ୱ ନେଉଛନ୍ତି, ଆଇଏସ୍ଆଇ ଲୋକେ ସୂଚନା ଦେଉଛନ୍ତି । ଯାହାଫଳରେ ଏତେ କମ ଦିନରେ ଆକସ୍ମିକ ସଫଳତା ତାଲିବାନ ଗୋଷ୍ଠୀକୁ ମିଳିବା ଦେଖାଯାଉଛି । ପୂର୍ବପରି ଉତର ଆଫଗାନିସ୍ଥାନର ଅଂଚଳକୁ ଦଖଲକୁ ନେବାକୁ ଚେଷ୍ଟା କଲାବେଳେ ବିଶେଷ ପ୍ରତିବନ୍ଧକଦେଖାଦେଇନାହିଁ । ଅତୀତରେ ତାଜିକ ଗୋଷ୍ଠୀ ତାଲିବାନର ପାସ୍ତୁନମାନଙ୍କୁ ପସନ୍ଦ କରୁନଥିବା ଯୋଗୁ ବିରୋଧ କରିଆସୁଥିଲେ । ତାଜିକସ୍ଥାନର ସୀମାରେ ରୁଷିଆର ସେନା ଜଗିରହିଥିଲେ ମଧ୍ୟ ତାଲିବାନ ଗୋଷ୍ଠୀକୁ ଆଦୌ ପ୍ରତିରୋଧ କରିନାହାନ୍ତି । କେବଳ ହଜାରା ଗୋଷ୍ଠୀର ଇସମାଇଲ ଖାଁ ତାଙ୍କର ଅନୁଗତମାନଙ୍କୁ ନେଇ ତାଲିବାନ ଗୋଷ୍ଠୀର ବିରୋଧ କରିଛନ୍ତି । ତାଲିବାନ ଓ ପାକିସ୍ଥାନ କର୍ତୃପକ୍ଷ ରୁଷିଆର କର୍ତୃପକ୍ଷଙ୍କୁ ତାଲିବାନ ସପକ୍ଷରେ ରହିବା ପାଇଁ କହିବା ପରେ ରୁଷିଆ ଆଫଗାନ ସରକାରଙ୍କୁ ସାହାଯ୍ୟ କରିବା ସମ୍ଭାବନା ବନ୍ଦ ହୋଇଯାଇଛି । ସେମିତି ଇରାନ ମଧ୍ୟ ତାଲିବାନ ଓ ଆଫଗାନ ସରକାର ମଧ୍ୟରେ ଆଲୋଚନାର ନେତୃତ୍ୱ ନେଉଛି । ସାଉଦି ଆରବ ଏବଂ କାତାର କର୍ତୃପକ୍ଷ ତାଲିବାନ ସପକ୍ଷରେ ରହିଛନ୍ତି । ନାଟୋ ଗୋଷ୍ଠୀରେ ଥିବା ତୁର୍କୀ କାବୁଲ ବିମାନବନ୍ଦର ସୁରକ୍ଷା ଦାୟିତ୍ୱ ନେବ ବୋଲି କହି ଡବଲ ଗେମ ଖେଳିବା ଆଶଙ୍କା ଦେଖାଦେଇଛି । କାରଣ ତୁର୍କୀ ପାକ୍ ବନ୍ଧୁତା ସଂପର୍କରେ ସମସ୍ତେ ପରିଚିତ । ଦେଖିବାକୁ ଗଲେ ଆଫଗାନିସ୍ଥାନର ପଡୋଶୀ ପାକିସ୍ଥାନ ତାଲିବାନର ନେତୃତ୍ୱକୁ ସହଯୋଗ କରିବା ବେଳେ ଚୀନ ପାକ୍ କର୍ତୃପକ୍ଷଙ୍କୁ ସମର୍ଥନ କରୁଛି । ଇରାନ, ତାଜିକିସ୍ଥାନ, ଉଜବେକିସ୍ଥାନ, ତୁ୍ର୍କମେନିସ୍ଥାନ ଆଦି ରାଷ୍ଟ୍ର ଏହି ମାମଲାରେ ନିଜ ସୀମାକୁ ଜଗି ଚୁପ ରହିବାପରି ଜଣାପଡୁଛନ୍ତି । ଏଠାରେ ଦେଖିବା କଥା ଯେ ଦୀର୍ଘ କୋଡିଏ ବର୍ଷ ପାଖାପାଖି ଆଫଗାନିସ୍ଥାନରେ ଆମେରିକା ସେନା ରହିଥିଲେ ମଧ୍ୟ ସ୍ଥାନୀୟ ସେନାବାହିନୀର ଆଧୁନିକୀକରଣ ଓ ପ୍ରଶିକ୍ଷଣ କ୍ଷେତ୍ରରେ ଯେପରି ସାହାଯ୍ୟ କରିବା କଥା ତାହା କରିନାହିଁ । ଏହା ପଛରେ ପାକିସ୍ଥାନର ଷଡଯନ୍ତ୍ର ରହିଛି । ଆଫଗାନ ସେନାର ଆଧୁନିକୀକରଣ କାର୍ଯ୍ୟକୁ ପାକ୍ସେନା ବିରୋଧ କରିଆସିଛି । ଏପରିକି ତାଲିବାନ ବିରୋଧୀ ପଦକ୍ଷେପ ଆଫଗାନ ସେନା ଗ୍ରହଣ କଲେ ପାକ ବିମାନ ବାହିନୀ ଆକ୍ରମଣ କରିବାକୁ ଧମକ ଦେଇଥିବା ବିଷୟ ତାଲିବାନ ସରକାରଙ୍କ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏବେ ଭାରତ ନିର୍ମିତ ପ୍ରକଳ୍ପଗୁଡିକ ଉପରେ ଆକ୍ରମଣ କରି ନଷ୍ଟ କରିବାକୁ ପାକ୍ ସେନା ତାଲିବାନ ଗୋଷ୍ଠୀକୁ ପରାମର୍ଶ ଦେଉଛି । ଏଣେ ଇସଲାମାବାଦସ୍ଥିତ ଆଫଗାନ ରାଷ୍ଟଦୂତଙ୍କ ଝିଅକୁ ଅପହରଣ କରାଯାଇ ନିର୍ଯ୍ୟାତନା ଦିଆଯିବା ଯୋଗୁ ଆଫଗାନ ସରକାର ନିଜର ଦୂତାବାସ ବନ୍ଦ କରିଦେଇଛନ୍ତି । ପାକ୍ ସରକାର ଡୁରାଣ୍ଡ ଲାଇନକୁ ଦେଶର ସୀମାଭାବେ ଗ୍ରହଣ କରିବାକୁ ଆଫଗାନିସ୍ଥାନକୁ କହିଲେ ମଧ୍ୟ ଆଜିଯାଏ କୌଣସି ସରକାର ଏହାକୁ ଗ୍ରହଣ କରିନାହାନ୍ତି ।
ଲଢୁଆ ପାସ୍ତୁନମାନଙ୍କୁ ଦୁର୍ବଳ କରିବାକୁ ଡୁରାଣ୍ଡଙ୍କ ସମୟରେ ସେମାନଙ୍କ ଅଂଚଳକୁ ପାକ୍ ଓ ଆଫଗାନିସ୍ଥାନ ବାଂଟି ଦୁଇଭାଗ କରିଥିଲେ । ପାସ୍ତୁନ ଲୋକଙ୍କ ବସବାସ ଅଂଚଳ ଦୁଇଦେଶର ସୀମା ଭିତରେ ରହୁଥିବା ହେତୁ ସେମାନେ ତାର ଏକତ୍ରିକରଣ କରିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ତାଲିବାନର ସମର୍ଥକ ପାକ୍ ତାଲିବାନ ଗୋଷ୍ଠୀ ନିକଟରେ ଚୀନ ଦ୍ୱାରା ନିର୍ମିତ ହେଉଥିବା ଏକ ପ୍ରକଳ୍ପର ଇଞ୍ଜିନିଅରମାନଙ୍କ ଗାଡିରେ ବୋମା ଖଞ୍ଜିବାରୁ ପ୍ରାୟ ୯ଜଣ ଚୀନାଙ୍କ ସହ୧୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି ପ୍ରକଳ୍ପରେ କାର୍ଯ୍ୟରତ ପାକିସ୍ଥାନୀଙ୍କୁ ଚୀନା ଅଧିକାରୀ ବାହାର କରି ଦେଇଛନ୍ତି । ପାକ୍ ସରକାର ପାସ୍ତୁନ ନେତାମାନଙ୍କୁ ନିୟନ୍ତ୍ରଣ କରିବାକୁ ଜେଲରେ ରଖିଲେ ମଧ୍ୟ ସେମାନଙ୍କ ସମର୍ଥକଗଣ ପାସ୍ତୁନମାନଙ୍କ ମୁକ୍ତିପାଇଁ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଫଗାନିସ୍ଥାନରେ ପରିସ୍ଥିତି ଦେଖି ଏବେ ପାକରେ ବସବାସ କରୁଥିବା ତିରିଶ ଲକ୍ଷ ପାସ୍ତୁନବାସୀ ଆଗାମୀ ଦିନରେ ପାକ୍ ସରକାରଙ୍କ ଚିନ୍ତାର କାରଣ ହେବେ । ଏମାନଙ୍କ ମଧ୍ୟରେ ଅନେକ ପାକ୍ ତାଲିବାନ ଗୋଷ୍ଠୀର ସମର୍ଥକ ରହିଛନ୍ତି । ଆଫଗାନ ସେନା ତାଲିବାନ ସେନାକୁ ଅନେକ ସ୍ଥାନରେ କୌଶଳକରି ସ୍ଥାନ ଛାଡିଦେବା ପରେ ପୁନର୍ବାର ସଂଗଠିତ ଆକ୍ରମଣ କରି ପୂର୍ବର ସ୍ଥାନକୁ ନିଜ ଦଖଲକୁ ନେବା ଖବର ପହଂଚିବାରେ ଲାଗିଛି । ଯେମିତି ଚମନ ସୀମା ଏବଂ କାନ୍ଦାହାରକୁ ସରକାରୀ ସେନା ତାଲିବାନ ହାତରୁ ଛଡାଇ ଆଣିଛି । ବାୟୁସେନା ଆକ୍ରମଣ କରି ଅନେକ ସ୍ଥାନରେ ଉଗ୍ରବାଦୀଙ୍କୁ ନଷ୍ଟ କରିବା ଖବର ପହଂଚୁଛି । ତାଲିବାନ ଗୋଷ୍ଠୀ ଦେଶର ୮୫ ପ୍ରତିଶତ ଅଂଚଳକୁ ଦଖଲ କରିବା କଥା ଯାହା ପ୍ରଚାର ହୋଇଛି ତାହା ସତ ନୁହେଁ । ରାଜଧାନୀ କାବୁଲରେ ସରକାରୀ ସେନା ଓ ସଶସ୍ତ୍ର ଜନତା ତାଲିବାନ ଗୋଷ୍ଠୀକିରୋଧ କରିବା ପାଇଁ ସଡକକୁ ଓହ୍ଲାଇଛନ୍ତି । ଗୋଟିଏ ପଟେ ବାହ୍ୟ ଶକ୍ତିର ସାମରିକ ସାହାଯ୍ୟ ନ ନେବାକୁ ରାଷ୍ଟ୍ରପତି ଅବଦୁଲ ଘନି ଘୋଷଣା କରିଥିଲେ ମଧ୍ୟ ଆଗାମୀ ଦିନର ସ୍ଥିତି କଣ ହେବ ଏବେଠୁ କହିବା ଠିକ୍ ହେବ ନାହିଁ । ଅଳ୍ପ ଶିକ୍ଷା ହାର, ସଂଖ୍ୟାଧିକ ଲଢୁଆ ଗୋଷ୍ଠୀ,ଅନେକ ବାହ୍ୟରାଷ୍ଟ୍ରର ପ୍ରଭୁତ୍ୱ ପାଇଁ ଆଗ୍ରହ, ଆଫଗାନସେନାର ଆଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ଆଦି ଆଫଗାନିସ୍ଥାନକୁ କ୍ରମଶଃ ସଙ୍କଟ ଆଡକୁ ଟାଣିନେଇଛି । ଏକଥା ସତ ଯେ ପାଲେଷ୍ଟାଇନ ଓ ସିରିଆ ପାଇଁ ଯେତେ ଆଲୋଚନା ଆନ୍ତର୍ଜାତିକ ସ୍ତରରେ ହେଉଛି ସେତିକି ଆଫଗାନିସ୍ଥାନ ମାମଲାରେ ହେଉନାହିଁ । ଏପରିକି ମୁସଲିମ ରାଷ୍ଟ୍ର ସମୂହରେ ମଧ୍ୟ ଆଫଗାନିସ୍ଥାନ ପାଇଁ ଅଧିକ ଚିନ୍ତା ହେଉନାହିଁ । ତାସ୍କେଂଟ ଆଲୋଚନାରେ ଆଫଗାନ ରାଷ୍ଟ୍ରପତି ପ୍ରକୃତ ସମସ୍ୟା ଉଲ୍ଲେଖ କରିଥିଲେ ମଧ୍ୟ ଉପସ୍ଥିତ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଘୋଷଣା ହୋଇପାରିନାହିଁ । ରୁଷିଆର ରାଷ୍ଟ୍ରପତି ପୁତିନ ଆଫଗାନ ମାମଲାରେ କୌଣସି ପ୍ରକାରେ ଭାରତକୁ ସାହାଯ୍ୟ କରିପାରିବେ ନାହିଁ ବୋଲି କହିବାର ଅର୍ଥ ତାଲିବାନକୁ ସମର୍ଥନ ଦେବା । ଭାରତ ସରକାରଙ୍କ ବଡ ଚିନ୍ତା ହେଲା ତିନି ବିଲିଅନ ଡଲାର ଖର୍ଚ୍ଚରେ ନିର୍ମିତ ପ୍ରକଳ୍ପଗୁଡିକର ଭବିଷ୍ୟତ । ସଲମା ଡ୍ୟାମଠାରୁ ପାର୍ଲ୍ୟାମେଂଟ ଭବନ, ଡେଲାରାମ,ଜରାଞ୍ଜ ସଡକଠାରୁ ବିଦ୍ୟୁତ ଯୋଗାଣ ପରି ୪୦୦ ପ୍ରକଳ୍ପ ଭାରତ ସେଠାରେ ହାତକୁ ନେଇଛି । ପୂର୍ବରୁ ତାଲିବାନ ପକ୍ଷରୁ ସଲମା ଡ୍ୟାମର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଫଗାନିସ୍ଥାନ ଏବେ ପୃଥିବୀର ସନ୍ତ୍ରାସବାଦୀଙ୍କ ଆଡ୍ଡାସ୍ଥଳୀ ହୋଇଛି ।
ତାଲିବାନ ସରକାର ସେଠାରେ ଆସିଲେ ସନ୍ତ୍ରାସବାଦୀମାନେ ପୃଥିବୀର ଅନେକ ରାଷ୍ଟ୍ରରେ ଉତ୍ସାହିତ ହୋଇ ଅଧିକ ଧ୍ୱଂସଲୀଳା ସୃଷ୍ଟି କରିବେ ଏଥିରେ ସନ୍ଦେହ ନାହିଁ । ଉଦାହରଣ ସ୍ୱରୂପ ଭାରତର କେରଳରୁ ଅନେକ ଯୁବକ ଯୁବତୀ ତାଲିବାନ ଗୋଷ୍ଠୀରେ ସାମିଲ ହୋଇ ମୃତ୍ୟୁବରଣ କରିଛନ୍ତି ଅଥବା ଜେଲରେ ସଢୁଛନ୍ତି । କାବୁଲର ଗୁରୁଦ୍ୱାର ଆକ୍ରମଣରେ ୨୩ଜଣ ଶିଖଙ୍କ ହତ୍ୟାକାରୀ ଥିଲା କେରଳର ଜଣେ ମୁସଲିମ ସନ୍ତ୍ରାସବାଦୀ । ଏମାନେ କାଶ୍ମିରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିପାରନ୍ତି । ତାଲିବାନ ଗୋଷ୍ଠୀ ମଧ୍ୟରେ ପାକ୍ସେନାର ଅଧିକାରୀମାନେ ସାମିଲ ହୋଇ ଆକ୍ରମଣର ନେତୃତ୍ୱ ନେଉଛନ୍ତି । ଆମେରିକାର ବିମାନ ଆକ୍ରମଣରେ ଅନେକ ତାଲିବାନ ସନ୍ତ୍ରାସୀ ମୃତ୍ୟୁବରଣ କଲାପରେ ପାକିସ୍ଥାନରୁ ସନ୍ତ୍ରାସବାଦୀଙ୍କୁ ଆଫଗାନିସ୍ଥାନକୁ ପଠାଯାଉଛି । ଆଗାମୀ ଦିନରେ ଚୀନ ଓ ପାକିସ୍ଥାନ ମିଳିତ ଭାବେ ସନ୍ତ୍ରାସବାଦୀଙ୍କ ବିରୋଧରେ ଲଢିବେ ବୋଲି ଘୋଷଣା କରିଛନ୍ତି, ଯାହାକୁ କହନ୍ତି ଲଙ୍କାରେ ହରିଶବ୍ଦ । ତେଣୁ ଅସ୍ଥିର ଆଫଗାନିସ୍ଥାନ ଆଗାମୀ ଦିନରେ ଭାରତପରି ଅନେକ ରାଷ୍ଟ୍ରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ ଏଥିରେ ସନ୍ଦେହ ନାହିଁ ।
କେମିତି ସୃଷ୍ଟି ହୋଇଥିଲା ତାଲିବାନ
ତାଲିବରୁ ଆସିଛି। ଯାହାର ଅର୍ଥ ହେଉଛି ବିଦ୍ୟାର୍ଥୀ। କିନ୍ତୁ ସମୟକ୍ରମେ ତାଲିବାନ ଏକ କଠୋର, ଚରମପନ୍ଥୀର ଇସଲାମିକ୍ ସଙ୍ଗଠନ ଭାବେ ଉଭା ହେଲା। ଏହି ତାଲିବାନଙ୍କ ପୃଷ୍ଠଭୂମି ଆଫଗାନର ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ ହୋଇଥିଲା।
୧୯୭୩ ମସିହାରେ ଆଫଗାନର ରାଜା ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ ଆଫଗାନିସ୍ତାନରେ କନ୍ଦଳ, ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହାପରେ ରୁଷିଆ ଆଫଗାନରେ ପ୍ରଭାବ ବିସ୍ତାର କରିଥିଲା। ୧୯୮୩ରେ ରୁଷ ଓ ଆଫଗାନ ଭିତରେ ଯୁଦ୍ଧ ହେଲା। ରୁଷ୍ ଆଫଗାନ ଉପରେ ଆକ୍ରମଣ କରି ଦେଶ ଅଧିକାର କରିଥିଲା। ସେଠାରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବା ଲାଗି ସୋଭିଏତ ସରକାର କରିଥିଲା। ଏହି ସମୟରେ ଆମେରିକା ଓ ରୁଷରେ ଶୀତଳ ଯୁଦ୍ଧ ଚାଲିଥିଲା। ତେଣୁ ଆଫଗାନରେ ରୁଷର ପ୍ରଭାବ ହ୍ରାସ କରିବା ଲାଗି ପାକିସ୍ତାନ ସହାୟତାରେ ଆମେରିକା ମୁଜାହିଦ୍ଦୀନ ସୃଷ୍ଟି କଲା।
ଅନ୍ୟପଟେ ରୁଷ୍ ସହାୟତାରେ ୧୯୯୧ ବେଳକୁ ଆଫଗାନର ପୂର୍ବ ରାଜା ଜାହିର ଶାହ ଦେଶର ବିକାଶ କରିବାକୁ ଚେଷ୍ଟା କରିଥିଲେ ହେଁ ମୁଜାହିଦ୍ଦୀନର ବିରୋଧ ଯୋଗୁଁ ସଫଳ ହୋଇପାରିନଥିଲେ। ଧୀରେ ଧୀରେ ଆଫଗାନରେ ମୁଜାହିଦ୍ଦୀନର ପ୍ରଭାବ ବଢ଼ିଲା। ୧୯୯୬ ବେଳକୁ ପାକିସ୍ତାନ ଓ ଆମେରିକା ସହାୟତାରେ ମୁଜାହିଦ୍ଦୀନ ଶାସନ କ୍ଷମତା ଅକ୍ତିଆର କରିଥିଲା। ଏହି ଗୋଷ୍ଠୀର ନେତା ଥିଲେ ବରହାନୁଦ୍ଦିନ ରବାନୀ ଓ ଗୁଲବୁଦ୍ଦିନ ହିକମତ୍ୟାର। ସେମାନେ ହିଁ ତାଲିବାନର କର୍ଣ୍ଣଧାର ଥିଲେ।
ସେହିପରି ଆମେରିକାରେ ରୁଷର ପ୍ରଭାବ ହ୍ରାସ ଲାଗି ଆମେରିକା ସାଉଦି ଆରବର କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଓସାମା ବିନ ଲାଡେନର ସହାୟତା ନେଇଥିଲା। ଓସାମା ବିନ ଲାଡେନଙ୍କୁ ଶକ୍ତିଶାଳୀ କରିବା ପାଇଁ ଆମେରିକା ଅସ୍ତ୍ରଶସ୍ତ୍ର, ଆର୍ଥିକ ସହାୟତା ଯୋଗାଇ ଦେଉଥିଲା। ଫଳରେ ଲାଡେନର ଛତ୍ରଛାୟ ତଳେ ତାଲିବାନ ଆହୁରି ପ୍ରଭାବଶାଳୀ ହୋଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ଲାଡେନ୍ ମନମୁଖୀ କାର୍ଯ୍ୟ ଆରମ୍ଭ କରିଥିଲା। ଆମେରିକା ଲାଡେନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା। ତା’ ପରେ ଆତଙ୍କୀ ସଙ୍ଗଠନ ଓ ଆମେରିକା ମଧ୍ୟରେ ଲଢ଼େଇ ହେଲା। ଏହାର ପରିଣାମ ସ୍ୱରୂପ ୨୦୦୧, ସେପ୍ଟେମ୍ବର ୧୧ରେ ଓସାମା ବିନ ଲାଡେନ ଆମେରିକାର ଓ୍ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେରିକା ଲାଡେନ୍କୁ ଖୋଜି ବୁଲିଥିଲା। ଏମିତିକି ଆମେରିକାର ତତକାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍ ଆଫଗାନିସ୍ତାନ ଉପରେ ଆକ୍ରମଣ ଘୋଷଣା କରିଥିଲେ।
୨୦୧୧ ମସିହା ମେ’ ମାସ ୨ ତାରିଖରେ ଆମେରିକାର ସ୍ପେଶାଲ କମାଣ୍ଡୋ ଫୋର୍ସମାନେ ପାକିସ୍ତାନର ଇସଲାମାବାଦସ୍ଥିତ ଏବଟାବାଦରେ ଲାଡେନକୁ ଠାବ କରିବା ସହ ହତ୍ୟା କରିଥିଲେ।
ତେବେ ଆଜିର ଆଫଗାନ ସମସ୍ୟା ପାଇଁ ଆମେରିକା ଓ ପାକିସ୍ତାନ ସବୁଠୁ ଅଧିକ ଦାୟୀ ବୋଲି କୁହାଯାଉଛି। କାରଣ ଏହି ଦୁଇ ଦେଶର ସଂକୀର୍ଣ୍ଣ ମନୋଭାବ ଯୋଗୁଁ ଆଫଗାନିସ୍ତାନ ସଙ୍କଟ ସମ୍ମୁଖୀନ ହୋଇଛି।
ତାଲିବାନର କଠୋର ନୀତି
ତାଲିବାନ ଦୀର୍ଘ ବର୍ଷ ହେଲା କଠୋର ନୀତି ଆପଣେଇ ଆଗକୁ ବଢ଼ି ଚାଲିଛି। ଝିଅମାନେ ପାଠ ପଢ଼ିପାରିବେନି, ମହିଳାମାନେ ବାହାରେ କାମ କରିବେନି, ସର୍ବଦା ବୁର୍ଖା ତଳେ ରହିବେ, ପୁଅମାନଙ୍କ ଲାଗି ନମାଜ ପଢ଼ିବା, ଲମ୍ବା ଦାଢ଼ି ରଖିବା ବାଧ୍ୟତାମୂଳକ। ଏଭଳି କିଛି କଠୋର ନିୟମ ରଖି ତାଲିବାନ ଆଫଗାନରେ ୧୯୯୬ରୁ ୨୦୦୧ ଯାଏଁ ଆଫଗାନରେ ଆତଙ୍କ ଖେଳାଇଥିଲା। ଯିଏ ବି ଏ ନିୟମ ଉଲ୍ଲଙ୍ଘନ କରୁଥିଲେ ସେମାନଙ୍କୁ ଦଣ୍ଡିତ କରାଯାଉଥିଲା। ଏବେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ହେଉଛି।