Savitri Brata In Odia
ସାବିତ୍ରୀନାରୀଙ୍କର ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି ।
ଓଷା ପାଳନ କେବେ କରାଯାଏ
ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।
ପୌରାଣିକ କଥା (Mythology Of Savitri Brata)
ମହାଭାରତ ମତେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ’ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆର୍ଶିବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।
ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇ ଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।
ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।
ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କ ଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ ।
କିଭଳି ପାଳନ କରନ୍ତି ଏହି ବ୍ରତ :
- ସାବିତ୍ରୀ ବ୍ରତ “କରୱା ଚଉଠି” ବ୍ରତ ଭଳି । କିନ୍ତୁ ଏହି ବ୍ରତରେ ଚନ୍ଦ୍ର ବଦଳରେ ବଟ ଅର୍ଥାତ ବରଗଛକୁ ପୂଜା କରାଯାଏ।
- ବ୍ରତ ଦିନ ମହିଳାମାନେ ସକାଳୁ ଉଠି ପ୍ରଥମେ ସ୍ନାନ କରନ୍ତି ଏବଂ ସ୍ନାନ ପରେ ଭାଲ ଭାବେ ଶୃଙ୍ଗାର କରି ବ୍ରତ କରିବା ପାଇଁ ସଂକଳ୍ପ ହୁଅନ୍ତି।
- ଏହି ବ୍ରତ ସମୟରେ ମହିଳାମାନେ କିଛି ଖାଦ୍ୟ ଖାଆନ୍ତି ନାହିଁ ଏବଂ ନିର୍ଜଳ ଉପବାସ କରନ୍ତି।
- ଏହି ଦିନ ଲାଲ ବଦଳରେ ନାରଙ୍ଗୀ ରଙ୍ଗର ସିନ୍ଦୁର ଧାରଣ କରିବା ଶୁଭ ହୋଇଥାଏ ।
- ଏହି ବ୍ରତ ଦିନ ବରଗଛକୁ ପୂଜା କରାଯାଏ ଏବଂ ଏହି ଗଛ ତଳେ ସାବିତ୍ରୀ-ସତ୍ୟବାନ ଓ ଯମରାଜଙ୍କ ମୂର୍ତ୍ତି ରଖାଯାଏ । ପ୍ରଥମେ ବରଗଛରେ ପାଣି ଦିଅନ୍ତି ଏବଂ ଏହା ପରେ ଫୁଲ, ଚାଉଳ, ସିନ୍ଦୁର ଓ ମିଠେଇ ଅର୍ପଣ କରନ୍ତି । ଏହାପରେ ରକ୍ଷା ସୂତା ଗୁଡ଼ାଇ ସାତଥର ପରିକ୍ରମଣ କରନ୍ତି ।
- ପରିକ୍ରମଣ କଲା ପରେ ହାତରେ କଳା ଚଣା ଧରି ବ୍ରତର କଥା ଶୁଣନ୍ତି, କଥା ଶୁଣିଲା ପରେ ପ୍ରତ୍ୟେକ ମହିଳା ଜଣେ ଅନ୍ୟ ଜଣଙ୍କୁ ଶୃଙ୍ଗାର ସାମଗ୍ରୀ ଦିଅନ୍ତି ।
- ଏହି ବ୍ରତ ତା ପରଦିନ ଭାଙ୍ଗିଥାନ୍ତି ଏବଂ ତା ପର ଦିନ ବରଗଛର ଉର ଖାଇ ଏ ବ୍ରତ ସମାପନ କରିଥାନ୍ତି । କିଛି ସ୍ତ୍ରୀ ଲୋକ ଏହି ବ୍ରତ ଦିନ ବରଗଛ ଲଗାନ୍ତି । ତେଣୁ ଯଦି ଆପଣ ଚାହାଁନ୍ତି; ତେବେ ଏହି ଦିନ ବରଗଛ ମଧ୍ୟ ଲଗେଇ ପାରିବେ ।