ଗୋଟିପୁଅ ନୃତ୍ୟ - GOTIPUA NRUTYA ODIA

@_ustad
0
ଗୋଟିପୁଅ ନୃତ୍ୟ - GOTIPUA NRUTYA ODIA

Gotipua nrutya | Gotipua nacha Itihasa | Gotipua | Gotipua History Odia | Gotipua dance Odia | Gotipua Odia | Gotipua dance information | Gotipua Nrutya Odia | Gotipua

ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡେ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ ପିଣ୍ଡ। ପ୍ରଥମ ପିଢିର ସମସ୍ତ ଓଡିଶୀ ନୃତ୍ୟ ଗୁରୁ ଆଦ୍ୟାବସ୍ଥାରେ ଗୋଟିପୁଅ ନୃତ୍ୟ ଶିକ୍ଷା ଓ ପରିବେଷଣ କରିଛନ୍ତି। ସେହି ଦୃଷ୍ଟିରୁ ଗୋଟିପୁଅ ନୃତ୍ୟର ରହିଛି ଏକ ସ୍ଵତନ୍ତ୍ର ଆବେଦନ।

ଆମ ସମସ୍ତଙ୍କୁ ଜଣା ଯେ ମାହାରୀ ଓ ଗୋଟିପୁଅ ନୃତ୍ୟର ମିଶ୍ରଣରୁ ଓଡିଶୀ ନୃତ୍ୟର ସୃଷ୍ଟି। ତେବେ ବିଗତ ପଚାଶ ଷାଠିଏ ବର୍ଷ ମଧ୍ୟରେ ଓଡ଼ିଶୀ ନୃତ୍ୟର ଯେଉଁ ପ୍ରସାର ପ୍ରଚାର ହୋଇଛି ଗୋଟିପୁଅ ନୃତ୍ୟ ଭାଗରେ ଗତ କୋଡିଏ ପଚିଶି ବର୍ଷ ତଳ ପର୍ଯ୍ୟନ୍ତ ଗୋଟିପୁଅ ନୃତ୍ୟକୁ ସେଭଳି ଗୁରୁତ୍ଵ ଆଦୌ ଦିଆଯାଇ ନାହିଁ। ଏହା ନିଶ୍ଚୟ ଏକ ବିଡମ୍ବନା!

ଗୋଟିପୁଅ Gotipua nrutya

ଗୋଟି ଓ ପୁଅ ଦୁଇଟି ଶବ୍ଦର ମିଳନ ଗୋଟିପୁଅ। ଗୋଟି ଅର୍ଥ ଗୋଟିଏ ଓ ପୁଅ। ଏ ନୃତ୍ୟଟି ପୁଅ ମାନେ ଝିଅର ପୋଷାକ ପରିଧାନ କରି ପ୍ରସାଧାନ ସାମଗ୍ରୀ ବ୍ୟଵହାର କରି ଏହି ନୃତ୍ୟକୁ କରିଥାନ୍ତି। ଯଦି ଆମେ ଇତିହାସକୁ ଦେଖିବା ଗୋଟିପୁଅ ନୃତ୍ୟ ଭୋଇବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। ମୁଖ୍ୟତଃ ଜାଗାଘର ଆଖଡଘରର ପୁଅମାନେ ହିଁ ଏହି ନୃତ୍ୟ କରିଥାନ୍ତି କାରଣ ଏହାର ଅଙ୍ଗଭଙ୍ଗୀ ବହୁତ କଷ୍ଟଦାୟକ। ଏ ନୃତ୍ୟରେ କୃଷ୍ଣକୁ ଇଷ୍ଟ କରି ନୃତ୍ୟ କରାଯାଏ ଓ ନିଜକୁ ସଖୀ ଭାବରେ ସମର୍ପଣ କରିଦିଏ କୃଷ୍ଣଙ୍କ ଆଗରେ। ଦେବଦାସୀ ପ୍ରଥାର ଉଚ୍ଛେଦ ପରେ ଏ ନୃତ୍ୟର ପରିଚୟ ବଢିଲା ଓ ଯେଉଁଠାରେ ଦେବଦାସୀ ନୃତ୍ୟ କରିପାରୁ ନଥିଲେ ସେହିଠାରେ ଝିଅ ବେଶରେ ଏହି ନୃତ୍ୟଶିଳ୍ପୀ ମାନେ ନୃତ୍ୟ କରୁଥିଲେ। ବିଭିନ୍ନ ଦରବାର ଜାଗାଗର ଆଖଡାଘର ଓ ମଠ ମନ୍ଦିର ମାନଙ୍କରେ ଏ ନୃତ୍ୟ ପରିବେଷଣ କରାଯାଉଥିଲା। କିନ୍ତୁ ଏ ନୃତ୍ୟ ବର୍ତ୍ତମାନ ଅବହେଳିତ ଓ ଲୋକାଭିମୁଖି ହୋଇପାରୁନାହିଁ।

ଗୋଟିପୁଅ ନୃତ୍ୟ ର ଜନ୍ମ(Gotipua ra Janma)

ଯଦିଓ କେବେ ଓ କିପରି ଏହି ନୃତ୍ୟ ଜନ୍ମ ନେଇଥିଲା ତାହା ଜଣା ନାହିଁ, ତେବେ ୧୫ଶ ଶତକର ଆଗରୁ ଏହାର ଆରମ୍ଭ ବାବଦରେ କିଛି ପ୍ରମାଣ ମିଳେନାହିଁ । କେତେକ ଙ୍କ ମତରେ ଉତ୍କଳର ରାଜା ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦)ଙ୍କ ଶାସନକାଳରେ ଏହାର ଆରମ୍ଭ ଓ ବିକାଶ ହୋଇଥିଲା ବୋଲି ଜଣାଯାଏ । ସେକାଳର ମୁସଲମାନ ଶାସନ କାଳରେ ପରଦା ପ୍ରଥାର କଠୋରତା ହେତୁ ମାହାରୀ ଓ ଦେବଦାସୀଙ୍କ ନାଟରେ ବାଧା ପଡ଼ିଥିଲା ଯାହା ଏହି ନାଟର ବିକାଶକୁ ବାଧ୍ୟ କରିଥିଲା।

ଗୋଟିପୁଅ ର ପ୍ରକାରଭେଦ-Gotipua ra prakar

ମୁଖ୍ୟ ନାଟ ଗୋଟିପୁଅ ବାଦ ଏହି ନାଟୁଆମାନେ ଆଉ ଏକ ପ୍ରକାରର ନାଟ ମଧ୍ୟ ପରିବେଷଣ କରିଥାନ୍ତି ଯାହା ବାନ୍ଧ ନୃତ୍ୟ ନାମରେ ଜଣାଶୁଣା । ଏହା କଠିନତର ଓ ଅନେକ ଶାରୀରିକ ବଳର ବ୍ୟବହାର କରିବାକୁ ପଡ଼ିଥାଏ ଯାହା ପାଇଁ କୋମଳ ଶିଶୁ ବୟସରୁ ଶିକ୍ଷା ଆରମ୍ଭ କରିବାକୁ ପଡ଼େ ।

ବିଗତ ବର୍ଷରେ ଦକ୍ଷିଣ ଓଡ଼ିଶାର ସଖୀ ନାଚଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇଅଛି ଯେଉଁଥିରେ ପୁଅମାନେ ଦେବଦାସୀଙ୍କ ପରି ବେଶପୋଷାକ ପିନ୍ଧି ନାଟ ପ୍ରଦର୍ଶନ କରିଥାନ୍ତି ।

ଗୋଟିପୁଅ ନୃତ୍ୟର ବେଶ ପରିପାଟୀ

Photo/wikimedia Commons

ମୁଖ

ଏହି ନାଟରେ ନାରୀ ଭାବକୁ ନିଜ ଭିତରେ ଆଣିବା ପାଇଁ ପୁଅମାନେ ନିଜର ବାଳ ନକାଟି ଲମ୍ବା ରଖି ଜଟ କରିଥାନ୍ତି । ଏଥିରେ ଫୁଲ ହାର ଆଦି ମଧ୍ୟ ଖୋସିଥାନ୍ତି । ନାଟୁଆମାନେ ମୁହଁରେ ମଧ୍ୟ ଶୃଙ୍ଗାର କରିଥାନ୍ତି, ଆଖିରେ ସୁରମା ଓ ମୁହଁରେ କୁଙ୍କୁମରେ ଚିତା ଆଙ୍କିଥାନ୍ତି । କପାଳରେ ଟିକିଲି/କୁକଙ୍କୁମରେ ନାରୀମାନଙ୍କ ପରି ଚନ୍ଦନରେ ପାରମ୍ପାରିକ ଅଙ୍କନ କରିଥାନ୍ତି ।

ପିନ୍ଧା ଲୁଗା

ନାଟବେଳେ ପିନ୍ଧା ଲୁଗାକୁ କାଞ୍ଚୁଲି କୁହାଯାଇଥାଏ ।ଏହା ସମୟାନୁସାରେ ବଦଳିଛି । ଦେଖିବାକୁ ଉଜ୍ଜଳ ରଙ୍ଗର ଏହି କାଞ୍ଚୁଲି ସାଧାରଣତଃ ପାଟରେ ତିଆରି ହୋଇଥାଏ । ଅଣ୍ଟାରେ ଏକ ଓଢ଼ଣା ପରି ପାତ ଲୁଗା ବନ୍ଧା ହୋଇଥାଏ, ଏହାକୁ "ନିବିବନ୍ଧ" କୁହାଯାଇଥାଏ । ତେବେ ଧିରେ ଧିରେ ଆଜିକାଲି ଗୋଟିପୁଅ ନାଟୁଆମାନେ ପୁରାତନ ପୋଷାକକୁ ଛାଡ଼ି କିଛି ପରିମାଣରେ ଆଧୁନିକ ବେଶ ପରିପାଟୀର ବ୍ୟବହାର କରୁଛନ୍ତି । ତେବେ ନାଟ ସମୟରେ ପାଟ ଶାଢ଼ି ପିନ୍ଧାଯାଇଥାଏ ଯାହା ଉଭୟ ପାଖରେ ସମାନ ଭବରେ ରହିଥାଏ ଓ ନାହି ପାଖରେ ଏହାକୁ ଖୋସା ଯାଇଥାଏ । ଆଜିକାଲି ଏହା ବଦଲରେ କେତେକ ଆଧୁନିକ ଓ ଆଗରୁ ବନ୍ଧା ଓ ସିଲାଇକରା ପୋଷାକ ପିନ୍ଧାଯାଉଅଛି ଯେଉଁଥିରେ ଏହି ପୁରାତନ ଲୁଗା ପରି ଖୋସିବାକୁ ପଡ଼ିନଥାଏ।

ଅଳଙ୍କାର

ନାଟୁଆମାନେ ଅଲଗା ଭାବେ ତିଆରି ଅଳଙ୍କାରରେ ସଜାଇ ହୋଇଥାନ୍ତି । ବାହୁରେ "ବାଜୁ", କାନରେ "ଝୁଣ୍ଟିଆ", ନାକରେ "ନାକଫୁଲ" ବା "ନାକ ଗୁଣା", ଓ ଗଳାରେ ହାର ପିନ୍ଧିଥାନ୍ତି । ତେବେ ଆଜିକାଲି ଆଧୁନିକ ଓ ସହଜରେ ପିନ୍ଧା ହୋଇପାରିବା ଭଳି ଗହଣାର ବ୍ୟବହାର ହେଲାଣି।

ହାତ ଓ ପାଦ

  • ଏମାନେ ହାତରେ କୁଙ୍କୁମରେ ଛବି ଅଙ୍କା ଯାଇଥାଏ ଓ ପାଦରେ ଅଳତାରେ ଚିତା ଆଙ୍କିଥାନ୍ତି ।
  • ଏହି ଅଳଙ୍କାର ଓ ବେଶ ପୋଷାକ ସବୁକୁ ପବିତ୍ର ମନେକରାଯାଇଥାଏ।

ଗୋଟିପୁଅ ନୃତ୍ୟକୁ ଲୋକପ୍ରିୟ କରିଥିବା ବ୍ୟକ୍ତିବିଶେଷ

ଗୋଟିପୁଅ ନୃତ୍ୟ ଯଦି ଆଜି ସର୍ବ ସମକ୍ଷରେ ପରିବେଷିତ ହୋଇ ଯଥେଷ୍ଟ ପ୍ରଶଂସା ଭାଜନ ହୋଇ ପାରିଛି, ତେବେ ତାହାର ସମସ୍ତ ଶ୍ରେୟ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଦିଆଯିବ। ୧୯୯୪ ମସିହାରେ ଗୁରୁ କେଳୁଚରଣଙ୍କ ନିଜସ୍ଵ ନୃତ୍ୟାବାସ ‘ସୃଜନ’ ଆରମ୍ଭ କଲା ପ୍ରଥମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ସେହି ଉତ୍ସବ ମାଧ୍ୟମରେ ଗୁରୁ କେଳୁଚରଣ ଓଡ଼ିଶାର ନୃତ୍ୟ, ସଙ୍ଗୀତ, ନାଟକ ଓ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କ ସମସାମୟିକ ଯେଉଁମାନେ ନିଜ ଜୀବନକାଳର ଯୋଗଦାନ ରଖିଛନ୍ତି, କିନ୍ତୁ ଅଜଣା ଅଶୁଣା ହୋଇ ରହିଛନ୍ତି, ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଆରମ୍ଭ କଲେ। ସେଭଳି ଅଜଣା ଅଶୁଣା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ରହିଥିଲେ ଗୋଟିପୁଅ ନୃତ୍ୟର ଗୁରୁ ମାଗୁଣି ଦାସ

ଗୁରୁ ମାଗୁଣି ଦାସଙ୍କ ଗୋଟିପୁଅ ନୃତ୍ୟରେ ଅବଦାନ

 ପ୍ରାୟ ୪୫ ବର୍ଷ ତଳେ ୧୯୭୭ରେ ଗୁରୁ ମାଗୁଣି ଦାସ ରଘୁରାଜପୁର ଗାଁରେ ପ୍ରତିଷ୍ଠା କରିଥିଲେ ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ। ଗୋଟିପୁଅ ନୃତ୍ୟ ପ୍ରତି ସେତେବେଳେ ବିଶେଷ ଆଦର ନଥିଲା କହିଲେ ଚଳେ। ଅଭାବ ଅନଟନରେ ଚଳୁଥିବା କେତେକ ପରିବାରର ପିଲାଙ୍କୁ ଆଣି ନିଜ ପାଖରେ ରଖି ସେମାନଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ପାଠ ପଢେଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ତୁଲାଇ ଗୋଟିପୁଅ ନୃତ୍ୟାଭ୍ୟାସ ଜାରି ରଖିବା ଆରମ୍ଭ କରିଥିଲେ ଗୁରୁ ମାଗୁଣି ଦାସ। କିନ୍ତୁ ସେଭଳି କରିବା ଭିତରେ ସେ ଯେ ଏକ ପରମ୍ପରାକୁ ଜୀବିତ ରଖିଥିଲେ ଓ ସେହି କୁନିକୁନି ପିଲାମାନଙ୍କ ପାଇଁ ଏକ ସ୍ଵପ୍ନର ଭବିଷ୍ୟତ ତିଆରି କରି ଚାଲିଥିଲେ ତାହା ତାଙ୍କୁ ଜଣା ନଥିଲା।

Photo/wikimedia Commons

୧୯୯୫ରେ ରଘୁରାଜପୁର ଗାଁରେ ଅନୁଷ୍ଠିତ ହେଲା ପ୍ରଥମ ବସନ୍ତ ଉତ୍ସବ। ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମହୋଦୟ। ଗୁରୁ ମାଗୁଣି ଦାସଙ୍କ ଦଶଭୂଜା ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ପରିବେଷଣ କରିଥିଲା ଗୋଟିପୁଅ ନୃତ୍ୟ। ଏହାର ଆବେଦନ ଏତେ ହୃଦୟ ଛୁଆଁ ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ଅନ୍ୟ ସମସ୍ତେ ବିମୋହିତ ହେଲେ। ସେତେବେଳକୁ ଯାଇ ଗଣମାଧ୍ୟମର ଦୃଷ୍ଟି ପଡ଼ିଲା ଗୁରୁ ମାଗୁଣି ଦାସ ଓ ତାଙ୍କ ନୃତ୍ୟ ଦଳର ପ୍ରତିଭା ଉପରେ। କ୍ରମେ ଗୋଟିପୁଅ ଲୋକଲୋଚନକୁ ଆସିଲା। ଗୁରୁ ମାଗୁଣି ଦାସଙ୍କ ଗୋଟିପୁଅ ଦଳ ଦେଶ ବିଦେଶରୁ ନିମନ୍ତ୍ରଣ ପାଇ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କଲେ ଓ ପ୍ରଶଂସାଭାଜନ ହେଲେ।

କେବଳ ରଘୁରାଜପୁର ନୁହେଁ, ସେହି ସମକାଳରେ ବ୍ରହ୍ମଗିରି, ଡିମିରିସେଣା ଓ ବାଲିପାଟଣା ଅଞ୍ଚଳରେ ଅନ୍ୟ ଗୁରୁମାନେ ମଧ୍ୟ ଗୋଟିପୁଅ ନୃତ୍ୟ ଧାରାକୁ ଉଦ୍ଭାସିତ କରି ରଖିବା ପାଇଁ ସାଧନା ଜାରି ରଖିଥିଲେ। ଯାହାର ଫଳ ସ୍ୱରୂପ ଗୋଟିପୁଅ ନୃତ୍ୟ ସମସ୍ତଙ୍କର ଆଦର ଲାଭ କରି ପାରିଛି। ତେବେ ବାସ୍ତବ ଦୃଷ୍ଟିରୁ ବିଚାର କଲେ, ଦିନ ଥିଲା ଯେତେବେଳେ ଗୋଟିପୁଅ ନୃତ୍ୟ ପୁରୀ ଜିଲ୍ଲାର କତିପୟ ଗାଁରେ ନିଭୃତରେ ବଞ୍ଚି ରହିଥିଲା। କିନ୍ତୁ ଗୁରୁ ମାଗୁଣି ଦାସ ଓ ତାଙ୍କ ଗୋଟିପୁଅ ଦଳ ଲୋକ ଦୃଷ୍ଟିକୁ ଆସି ପ୍ରଶଂସାଭାଜନ ହେବା ପରେ ଓ ପରବର୍ତ୍ତୀ ସମୟରେ ଗୁରୁ ମାଗୁଣି ଦାସଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଫଳରେ ତାହା ସମସ୍ତଙ୍କୁ ଉତ୍ସାହିତ କଲା ନିଶ୍ଚୟ। ଯାହାର ଫଳ ସ୍ୱରୂପ ଏବେକୁ ରାଜ୍ୟରେ ଦଶରୁ ଅଧିକ ଗୋଟିପୁଅ ଦଳ ଏବେ କାମ କରୁଛନ୍ତି। ଏହା ବ୍ୟତୀତ ରାଜ୍ୟର ବଡ଼ ବଡ଼ ଓଡିଶୀ ଅନୁଷ୍ଠାନ ନିଜ ନିଜର ପରିବେଷଣରେ ମଧ୍ୟ ଗୋଟିପୁଅ ନୃତ୍ୟକୁ ସାମିଲ କରିବା ଦୃଷ୍ଟିକୁ ଆସୁଛି। ଏହା ନିଶ୍ଚୟ ଏକ ଖୁସିର କଥା।

ଉଲ୍ଲେଖନୀୟ କି ଗୋଟିପୁଅ ପରି ଏକ ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିଥିବା ଗୋଟିପୁଅ ଦଳଗୁଡିକର ନିଶ୍ଚିତରେ ଓଡ଼ିଆମାନଙ୍କ ଆତ୍ମ ପରିଚୟକୁ ସାରା ବିଶ୍ଵରେ ସୁଦୃଢ କରିବାରେ ବିଶେଷ ଅବଦାନ ରହିଛି। ସେହି ଦଳଗୁଡ଼ିକୁ ସରକାର ପ୍ରୋତ୍ସାହାନ ଯୋଗାଇ ଦେଲେ ଗୋଟିପୁଅ ନୃତ୍ୟ ଯେ ଅଧିକ ବିକଶିତ ହୋଇ ପାରିବ ସେଥିରେ କୌଣସି ସନ୍ଦେହ ନାହିଁ।

ଆଧାର- କପିଳାସ ଭୂୟାଁ(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)ଙ୍କ ଲେଖା/wiki

Tag: Gotipua nrutya, Gotipua nacha Itihasa, Gotipua, Gotipua History Odia, Gotipua dance Odia, Gotipua Odia, Gotipua dance information, Gotipua Nrutya Odia, Gotipua


Post a Comment

0Comments

Post a Comment (0)