ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲ ଓ ସୁନ୍ଦର ପାହାଡ଼ ସମସ୍ତଙ୍କ ମନକୁ ଆକର୍ଷିତ କରିଥାଏ । ଏହି ସୁନ୍ଦର ମନଲୋଭା ପରିବେଶ, ତା’ ସାଙ୍ଗକୁ ଝରଣାର କୁଳୁକୁଳୁ ଶବ୍ଦ ମଧ୍ୟରେ ବାସ କରିଥାନ୍ତି କିଛି ଆଦିମ ଜନଜାତି । ସେଇ ଆଦିମ ଜନଜାତି ମଧ୍ୟରୁ ବଣ୍ଡା ଜନଜାତି ଗୋଟିଏ । ତେବେ ଚାଲନ୍ତୁ ଆଜି ଜାଣିବା ବଣ୍ଡା ଜନଜାତିଙ୍କ ବିଷୟରେ ।
ବଣ୍ଡା ଜନଜାତିଙ୍କ ସମ୍ପୂର୍ଣ୍ଣ ଜୀବନ ପାହାଡ଼ ଉପରେ ଥିବା ଜଙ୍ଗଲ ମଧ୍ୟରେ କଟିଥାଏ । ଏହି ଜନଜାତି ଦୁନିଆ ଉପରେ ଖୁବ୍ କମ୍ ନିର୍ଭର କରିଥାନ୍ତି । ଜୀବିକା ନିମନ୍ତେ ଏମାନେ ସମ୍ପୂର୍ଣ୍ଣ ଭାବେ ଚାଷ ଓ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ବାହାର ଦୁନିଆ ସହ ଏହି ଜନଜାତି ସୀମିତ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ।
ସରକାର ଏହି ଜନଜାତିଙ୍କୁ PVTG (Particularly Vulnerable Tribe) ବା ଆଦିମ ଶ୍ରେଣୀର ଜନଜାତି ହିସାବରେ ମାନ୍ୟତା ଦେଇଛନ୍ତି । ବାହାର ଲୋକଙ୍କ ଅନୁଯାୟୀ ଏହି ଜନଜାତିଙ୍କ ନାମ ବଣ୍ଡା କିନ୍ତୁ ବଣ୍ଡା ଜନଜାତି ନିଜକୁ ‘ରେମୋ’ କହନ୍ତି ।
ଆହୁରି ପଢ଼ନ୍ତୁ -ବଣ୍ଡା ଓ ଗାଦବା ଦୁଇ ଭାଇ-ବଣ୍ଡା ଜନଜାତି ମାନଙ୍କର କିମ୍ବଦନ୍ତୀ ଓ ଲୋକକଥା
୨୦୧୧ ଜନଗଣନା ଅନୁସାରେ ବଣ୍ଡା ଜନସଂଖ୍ୟା ପ୍ରାୟ ୧୨,୦୦୦ ଥିଲା । ବଣ୍ଡା ଲୋକେ ସାଧାରଣତଃ ବଣ୍ଡା ଭାଷା (ରେମୋସାମ) ଭାଷାରେ କଥାବାର୍ତ୍ତା କରିଥାନ୍ତି । ଏହି ଜନଜାତିର ସଂସ୍କୃତି ଅବକ୍ଷୟକୁ ଆଖି ଆଗରେ ରଖି ଓଡ଼ିଶା ସରକାର ୧୯୭୭ ମସିହାରେ ବଣ୍ଡା ଉନ୍ନୟନ ପ୍ରକଳ୍ପର (bda) ଆରମ୍ଭ କରିଥିଲେ ।ଏହା ସତ୍ତ୍ୱେ ବଣ୍ଡା ସମାଜରେ ସାକ୍ଷରତା ହାର ସର୍ବନିମ୍ନ (୧୪%) ରହିଆସୁଛି । ବଣ୍ଡାମାନଙ୍କର ଆୟୁ କମ ଏବଂ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଉତ୍ପତି ଓ ବିଭାଜନ
ବଣ୍ଡା ଜନଜାତି ପ୍ରାୟ ୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ମନୁଷ୍ୟ ଜାତି ମଧ୍ୟରୁ ଅନ୍ୟତମ । ନୃତତ୍ତ୍ୱବିତଙ୍କ ମତରେ ସେମାନେ ଅଷ୍ଟ୍ରୋଏସିଆଟିକ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ । ସେମାନେ ପ୍ରାଚୀନ ଅତୀତରେ ଜୟପୁର ପାହାଡ଼଼ରେ ପ୍ରାୟ ୧୩୦ ବର୍ଗ କିଲୋମିଟର ଅଞ୍ଚଳକୁ (ବର୍ତ୍ତମାନ ଓଡ଼ିଶାର ମାଲକାନଗିରି ଜିଲ୍ଲା) ନିଜର ସ୍ଥାୟୀ ବାସସ୍ଥଳୀ କରିଥିଲେ । ବଣ୍ଡାମାନେ ରହୁଥିବା ପାହାଡ଼ଗୁଡ଼ିକୁ ବଣ୍ଡା ପାହାଡ଼଼ କୁହାଯାଏ । ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ, ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ ।
ବଣ୍ଡା ଭାଷା (ରେମୋ ବା ରେମୋସାମ)
ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ । ଏହା ଏକ ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଏହାର ନିକଟସ୍ଥ ଭାଷା ଗୁତବ ବା ଗଦବା ।
ବଣ୍ଡା ଜନଜାତିର ମହିଳା- ମାନେ ବିଶେଷ ପ୍ରକାରରେ ନିଜକୁ ସଜାଇ ଥାନ୍ତି । ଏହି ମହିଳାମାନେ ମୁଣ୍ଡରେ କେଶ ରଖନ୍ତି ନାହିଁ । ପ୍ରତି ୩ ରୁ ୪ ଦିନରେ ଏମାନେ ଲଣ୍ଡା ହୋଇଥାନ୍ତି । ଏମାନେ ନିଜ ହାତରେ ତିଆରି କରିଥିବା ବିଭିନ୍ନ ପ୍ରକାରର ମାଳି ହାରରେ ନିଜ ମୁଣ୍ଡକୁ ସଜାଇ ଥାନ୍ତି । କାନରେ ବଡ଼ ବଡ଼ ଝୁମୁକା ବା କାନଫୁଲ ପିନ୍ଧିଥାନ୍ତି । ବଣ୍ଡା ମହିଳାମାନେ ଯେଉଁ ଆଭୂଷଣ ପିନ୍ଧନ୍ତି ଏହା ଏମାନଙ୍କୁ ବହୁତ ବିଶେଷ କରାଇଥାଏ । ଏହି ଆଭୂଷଣ ରୂପା କିମ୍ବା ଆଲୁମିନିୟମରେ ତିଆରି ହୋଇଥାଏ । ଏହି ଆଭୂଷଣକୁ ବଣ୍ଡା ମହିଳାମାନେ ବେକରେ କଡ଼ା ସଦୃଶ ପିନ୍ଧିଥାନ୍ତି ।
ଏହି ଜନଜାତି ମହିଳାମାନେ ଶରୀରର ଉପରି ଭାଗରେ କୌଣସି ପ୍ରକାରର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । କେବଳ ବଡ଼ ବଡ଼ ମାଳିରେ ତିଆରି ଆଭୂଷଣ ପକାଇ ନିଜ ଶରୀରକୁ ଢକାଇ ଥାନ୍ତି । କେବଳ କମର ପାଖରେ ଏକ କପଡା ବ୍ୟବହାର କରିଥାନ୍ତି ଯାହାକୁ “ରିଙ୍ଗା” କୁହାଯାଏ । ଏହି “ରିଙ୍ଗା”କୁ ସେମାନେ ନିଜେ ହିଁ ବୁଣି ଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବାହାର ଦୁନିଆର ଅଳ୍ପ ବହୁତ ପ୍ରଭାବ ପଡ଼ିବା ଦ୍ଵାରା କିଛି ମହିଳା ପୋଷାକ ବ୍ୟବହାର କଲେଣି ।
ବଣ୍ଡା ଆଦିବାସୀ ସାଧାରଣତଃ ୯ ପ୍ରକାର ସମୂହରେ ବିଭାଜିତ । ଯଥା – ବଦନାୟକ, ସୀସା, ଜିଗରୀ, ଚାଲନ, ଏବଂ ମନ୍ଦରା । ସାଧାରଣତଃ ବଣ୍ଡା ଆଦିବାସୀ ନିଜ ସମୂହ ମଧ୍ୟରେ ବିବାହ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି । ଯଦି କେହି ଅନ୍ୟ ସମୁହରେ ବିବାହ କଲା ତେବେ ସାମାଜିକ ବହିଷ୍କାର ମଧ୍ୟ କରି ନ ଥାନ୍ତି ।
ବଣ୍ଡା ସଂସ୍କୃତି
ଉପର ବଣ୍ଡାମାନେ ନିଜ ଗାଁକୁ ଗାଁରେମ୍ କହନ୍ତି । ବଣ୍ଡା ଗାଁ ଗୁଡ଼ିକ ପାହାଡ଼ ଉପରେ କିମ୍ବା ପାହାଡ଼ ଢଳାଣିରେ ଦେଖାଯାଏ । ବଣ୍ଡା ଘରଗୁଡ଼ିକ କୌଣସି ନିର୍ଦ୍ଧିଷ୍ଟ କ୍ରମ ବା ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ । ବଣ୍ଡା ଗାଁଗୁଡ଼ିକ ଗୋଟିଏ ଗୋତ୍ର ବୋଲି ଧରାଯାଏ । ତେଣୁ ବଣ୍ଡା ଲୋକମାନେ ନିଜ ଗାଁ ଭିତରେ ବିବାହ କରନ୍ତି ନାହିଁ ।
ବଣ୍ଡା ସମାଜରେ ବିବାହକୁ ଡିଓସିଙ୍ଗ୍ କୁହାଯାଏ । ଦୁଇପ୍ରକାରର ବିବାହ ବଣ୍ଡା ସମାଜରେ ପ୍ରଚଳିତ । ପ୍ରଥମଟି ହେଲା ସଲାକ୍ ବୋଇ ଡିଓସିଙ୍ଗ୍ ଅର୍ଥାତ୍ ବୁଝାମଣା ବିବାହ ଓ ଗୁବାଇ ଡିଓସିଙ୍ଗ୍ ଅର୍ଥାତ୍ ଧରା ବାହାଘର । ବଣ୍ଡା ପୁଅମାନେ ୧୦ରୁ ୧୨ ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି । ସାଧାରଣତଃ କନ୍ୟା ବରଠାରୁ ବୟସରେ ବଡ଼ ହୋଇଥାଏ । ବରପକ୍ଷକୁ ବିବାହ ପୁର୍ବରୁ ଗିନିଙ୍ଗ୍ ଅର୍ଥାତ୍ କନ୍ୟାସୁନା କନ୍ୟାର ପରିବାରକୁ ଦେବାକୁ ପଡ଼େ ।
ଗୋତି ଶ୍ରମିକକୁ ବଣ୍ଡା ଲୋକମାନେ 'ଗୁଫାମ' କହନ୍ତି । ପୁରୁଷ ବନ୍ଧିତ ଶ୍ରମିକଙ୍କୁ ଗୁଫାମ-ରେମ ଓ ମହିଳା ଶ୍ରମିକଙ୍କୁ ଗୁଫାମ-ବୟ କୁହାଯାଏ।
ଖାଦ୍ୟ ଓ ପାନୀୟ
ବଣ୍ଡା ସମାଜରେ ଖାଦ୍ୟ ପାନୀୟ ଅନ୍ୟ ସମାଜପରି ପରିବେଶ ଓ ଋତୁ ଉପରେ ନିର୍ଭରଶୀଳ । ଏହାଛଡା ବଣ୍ଡା ଜନଜାତି ଶିକାର ଓ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଉପରେ ମଧ୍ୟ ନିର୍ଭର କରିଥାନତି । ଚାଉଳ, ମାଣ୍ଡିଆ ,କାଙ୍ଗୁ ଓ ସୁଆଁ ଆଦି ବଣ୍ଡା ସମାଜର ମୁଖ୍ୟ ଖାଦ୍ୟଶସ୍ୟ । ଏହା ଛଡା ଜଙ୍ଗଲଜାତ ଖାଦ୍ୟଦ୍ରବ୍ୟ ଯଥା ମହୁଲ, ବାଉଁଶ ଗଜା, ଛତୁ, କନ୍ଦମୁଳ, ସାରୁ ଇତ୍ୟାଦି ଖାଦ୍ୟ ଭାବେ ବ୍ୟବହୃତ କରିଥାନ୍ତି । ଅଣ୍ଡା, ମାଂସ, ମାଛ ଉପଲବ୍ଧତା ଉପରେ ନିର୍ଭର କରେ । ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ମଧ୍ୟରେ ଜଙ୍ଗଲଜାତ ଫଳ ଯଥା ଆମ୍ବ, ପଣସ, କେନ୍ଦୁ, କଦଳୀ, ତେନ୍ତୁଳି ଓ ଜଙ୍ଗଲି କୋଳି ଇତ୍ୟାଦି ବଣ୍ଡା ଖାଦ୍ୟର ଏକ ପ୍ରଧାନ ଭାଗ । ବଣ୍ଡାମାନେ କେତେକ ଜଙ୍ଗଲୀ କୀଟ ଯଥା ନାଲି ପିମ୍ପୁଡ଼ି ମଧ୍ୟ ଖାଦ୍ୟ ଭାବରେ ବ୍ୟବହାର କରନ୍ତି । ବଣ୍ଡା ସମାଜରେ ପାନୀୟ ବିଶେଷ କରି ମାଦକ ପାନୀୟର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୁର୍ଣ । ବଣ୍ଡାମାନେ ସାପୁଙ୍ଗ (ସଲପ ମଦ), ପେଣ୍ଡମ (ହାଣ୍ଡିଆ), ସାଗୁର୍ ଓ ପଣସ ମଦ ସର୍ବସାଧାରଣରେ ବ୍ୟବହୃତ । ଭାତ, ମଦ, ଓ ମାଂସ ବଣ୍ଡା ସମାଜରେ ସମ୍ମାନଜନକ ଖାଦ୍ୟ ଭାବେ ଧରାଯାଏ ।
ପର୍ବପର୍ବାଣୀ
ଏହି ଜନଜାତି ନିଜ ପୂର୍ବ ପୁରୁଷଙ୍କର ଏବଂ ପ୍ରକୃତିକୁ ଦେବତା ରୂପେ ପୂଜା କରିଥାନ୍ତି । ପାଟ ଖଣ୍ଡୀ ହେଉଛି ଏହି ଜନଜାତିଙ୍କର ମୁଖ୍ୟ ପର୍ବ । ବର୍ଷର ଗୋଟିଏ ଥର ଏହି ଜନଜାତି ପାଟ ଖଣ୍ତୀକୁ ଏକ ବିଶାଳ ଗଛ ଉପରେ କିଛି ଦିନ ରଖି ପୂଜା କରନ୍ତି ଏବଂ ଶେଷ ଦିନ ଏହି ଖଣ୍ଡାକୁ ଗଛ ଉପରୁ ଆଣି ଏହି ଖଣ୍ଡାରେ ଛେଳି, ଘୁଷୁରି, ଏବଂ କୁକୁଡ଼ା ବଳି ଦେଇଥାନ୍ତି ।
ବଣ୍ଡାମାନେ ଶ୍ରାବଣ ମାସରେ ଚାଙ୍କୁ ପରବ, ଆଶ୍ୱିନ ମାସରେ ମୁଣ୍ଡଧୌନି ପରବ, ପୌଷ ମାସରେ ପୁଷ ପରବ, ମାଘ ମାସରେ ପାଟ ଖଣ୍ଡା ଯାତ୍ରା ଓ ଚୈତ୍ର ମାସରେ ଆମ୍ବ ବା ଉଲି ପରବ ପାଳନ କରିଥାନ୍ତି ।
ପୁଷ ପରବ- ପୁଷ ପରବରେ ଅଦଭୁତ ପରମ୍ପରା ଦେଖାଯାଏ ବଣ୍ଡା ସମ୍ପ୍ରଦାୟରେ । ପୁଷ ବା ପୌଷ ସଂକ୍ରାନ୍ତିରେ ପାଳିତ ହୁଏ ଏହି ପର୍ବ। ତେବେ ଏହି ପର୍ବରେ ଚାବୁକ ମାଡ଼ରେ ନିଜ ଶରୀରକୁ ରକ୍ତାକ୍ତ କରି ଦିଅନ୍ତି ଲୋକେ । ହେଲେ ଶରୀର ପୀଡାକୁ ଭ୍ରୁକ୍ଷେପ ନକରି ଅତି ଆନନ୍ଦରେ ସେମାନେ ପାଳିଥାନ୍ତି ଏହି ପର୍ବ।
ସଲପ ଗଛର ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ମନରେ ଥିବା ଅଭିମାନ ଓ ରାଗରୋଷ ଛିଣ୍ଡାଇବା ଲାଗି ଘାଟି ଅଂଚଳରେ ଅନୁଷ୍ଠିତ ହୁଅ ପୁଷ ପରବର ନୂଆ ଅଧ୍ୟାୟ ।
ବଣ୍ଡାଘାଟିର ଭିନ୍ନ ପରବ । ରାଗରୁସା ଭୁଲିବାକୁ ଘାଟି ମଣିଷର ଝାଟି ପରବ । ମନ ଭିତରେ ଥିବା ତିକ୍ତତା ଭୁଲି ନୂଆ ସମ୍ପର୍କ ଯୋଡିବା ଲାଗି ପରସ୍ପରକୁ ଆଘାତ ଦେଇ ଝାଟି ପରବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ଜନଜାତି । ପିଠିରେ ପଡୁଛି ଚାମୁକ ପ୍ରହାର । ଉଭୟଙ୍କ ଦେହରେ ଝରିପଡୁଛି ରକ୍ତ । ବଣ୍ଡାଘାଟିର ସମସ୍ତ ପଡା ଗାଁରେ ଭିନ୍ନ ଭିନ୍ନ ଦିନ ଏହି ଝାଟି ପର୍ବର ଆୟୋଜନ କରାଯାଏ ।
ସରକାର ଙ୍କ ସହାୟତା ଓ ପ୍ରୋତ୍ସାହନ
ଏକ ସମୟ ଥିଲା ବଣ୍ଡା ଜନଜାତିଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଥିଲା ଏବଂ ଏହି ଜନଜାତିଙ୍କ ସ୍ଥିତି ସଙ୍କଟାପନ୍ନ ହୋଇ ପଡ଼ିଥିଲା । ସରକାରଙ୍କ ଉଦ୍ୟମ ଫଳରେ ଧୀରେ ଧୀରେ ବଣ୍ଡା ଜନଜାତିଙ୍କ ଜନସଂଖ୍ୟାରେ ଉନ୍ନତି ଦେଖା ଦେଇଛି । ବର୍ତ୍ତମାନ ସମୟରେ ପାହାଡି ବଣ୍ଡାଙ୍କ ଜନସଂଖ୍ୟା ୮୦୦୦ ବୋଲି ଜଣାପଡିଛି। ୧୯୬୧ ଜନଗଣନା ଅନୁଯାୟୀ ପୁରୁଷ ଓ ମହିଳାଙ୍କ ଅନୁପାତରେ ଖୁବ୍ ଫରକ୍ ଦେଖା ଯାଇଥିଲା । ଏହି ଜନଗଣନାରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ଥିଲା ୯୨୧ । କିନ୍ତୁ ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟାହାର ବୃଦ୍ଧି ହୋଇଛି।
ଏହି ଜନଜାତି ସାଧାରଣତଃ ମାଟିରେ ଘର ନିର୍ମାଣ କରିଥାନ୍ତି ଏବଂ ଗୃହର ଉପରି ଭାଗରେ ଖପର ଛାଉଣି କରିଥାନ୍ତି । କେତେକ ନଡ଼ା ମଧ୍ୟ ବ୍ୟବହାର କରିଥାନ୍ତି ଛାଉଣି ପାଇଁ।
୧୯୭୭ରେ ବଣ୍ଡା ଆଦିବାସୀଙ୍କ ବିକାଶ ନିମନ୍ତେ “ବଣ୍ଡା ଉନ୍ନୟନ ସଂସ୍ଥା”ର ନିର୍ମାଣ କରାଯାଇଥିଲା । ଏହି ଉନ୍ନୟନ ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ଥିଲା ବଣ୍ଡା ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ, ତା’ ସହିତ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା । ଏହି ସଂସ୍ଥାଙ୍କୁ କେନ୍ଦ୍ରରୁ ବିକାଶ ପାଣ୍ଠି ଯୋଗାଇ ଦିଆଯାଇଥାଏ । ଏହି ସଂସ୍ଥା ଓଡ଼ିଶା ସରକାରଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କରିଥାଏ।
ଏକ ସମୟରେ ଯେଉଁ ଆଦିବାସୀ ବହୁତ୍ ଆକ୍ରମଣାତ୍ମକ ଏବଂ ଭୟଙ୍କର ଥିଲା । ସେହି ଆଦିବାସୀଙ୍କ ନିକଟକୁ ପ୍ରଶାସନ ଆଜି କିଛି ମାତ୍ରାରେ ପହଞ୍ଚି ପାରିଛି । ତଥାପି ଆଜି ଏହି ଜନଜାତି ଶିକ୍ଷା ଓ ସ୍ଵାସ୍ଥ୍ୟ ଦୃଷ୍ଟିରୁ ବହୁ ପଛରେ ଅଛନ୍ତି । ଆଦିବାସୀଙ୍କ ବିକାଶ ଓ ନୀତିକୁ ପ୍ରଣୟନ କରିବା ଓ ଏହାକୁ ଲାଗୁ କରିବା ପାଇଁ ଆଦିବାସୀ ସମାଜକୁ ବୁଝିବା ଖୁବ୍ ଜରୁରୀ।
ଆଦିମ ଜନଜାତିଙ୍କ ସହ ସରକାର ଏବଂ ଆଧୁନିକ ସମାଜର ଏବେ ଏକ ସ୍ଥାୟୀ ସମ୍ପର୍କ ଗଢି ଉଠିଲାଣି । ଏଇ ଆଦିମ ଜନଜାତିଙ୍କର ସ୍ଥିତି ଏବଂ ଏହି ସ୍ଥିତି ପଶ୍ଚାତର କାରଣ ବର୍ତ୍ତମାନ ସ୍ପଷ୍ଟ ରୂପେ ବୁଝି ହେଉଛି । ତେବେ ସରକାର ଓ ଆଧୁନିକ ସମାଜର ବର୍ତ୍ତମାନ ଏହି ଦାୟିତ୍ୱ ଯେ ସେମାନେ ଏହି ଆଦିବାସୀଙ୍କ ପ୍ରତି ଥିବା କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁଛନ୍ତି ।
Tag: ବଣ୍ଡା ଜନଜାତି ବିଷୟରେ ଜାଣନ୍ତୁ, About Bonda tribe in Odia, ବଣ୍ଡା ଜନଜାତି ସଂସ୍କୃତି, ରେମୋ, Bonda tribe Odisha, Bonda caste Festival, Bonda caste Woman