
ପ୍ରାୟ ୮୦ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିଲେ ଏକ ବିରଳ ପ୍ରଜାତିର ବାଘ ଯାହାଙ୍କୁ ‘ ଟାସମାନିଆନ ଟାଇଗର ' କୁହାଯାଏ । ଅଷ୍ଟ୍ରେଲିଆର ମୁଖ୍ୟ ଭୂଖଣ୍ଡ , ତା ’ ଅଧୀନରେ ଥିବା ଟାସମାନିଆନ ଏବଂ ନ୍ୟୁ ଗୁଇନିଆ ଦ୍ବୀପରେ ଏହି ବାଘ ବହୁଳ ଭାବେ ଦେଖାଯାଉଥିଲେ । ମାତ୍ର ବ୍ୟାପକ ଶିକାର ଯୋଗୁ ସେମାନଙ୍କ ସଂଖ୍ୟା କ୍ରମାଗତ୍ୟ ଭାବେ ହ୍ରାସ ପାଇଥିଲା । ୩୦୦୦ ବର୍ଷ ତଳେ ଅଷ୍ଟ୍ରେଲିଆର ମୁଖ୍ୟ ଭୂଖଣ୍ଡ ଏବଂ ନ୍ୟୁ ଗୁଇନିଆ ଦ୍ବୀପରୁ ଏଗୁଡିକ ଲୋପ ପାଇଯାଇଥିଲେ । କେବଳ ଅଷ୍ଟ୍ରେଲିଆର ଟାସମାନିଆ ଦ୍ବୀପରେ ଏଗୁଡିକ ଦେଖାଯାଉଥିଲେ । ୧୯୩୬ ମସିହାରେ ଏକ ଚିଡ଼ିଆଖାନାରେ ରଖାଯାଇଥିବା ଏହି ପ୍ରଜାତିର ଶେଷ ବାଘର ମୃତ୍ୟୁ ସହ ଏ ପ୍ରକାର ଜୀବ ପୃଥିବୀରୁ ବିଲୁପ୍ତ ହୋଇଯାଇଥିଲେ । ହେଲେ ଏବେ ବୈଜ୍ଞାନିକମାନେ ଏ ପ୍ରକାର ବାଘକୁ ପୁଣି ଥରେ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ସେମାନେ ଏହି ବାଘର କ୍ଳୋନିଂ କରିବାକୁ ଯୋଜନା କରିଛନ୍ତି । ଅଷ୍ଟ୍ରେଲିଆର କିଛି ଗବେଷକ ଏବେ ଏଥିପାଇଁ ଏହି ବାଘର ଥୀ - ଡି ସ୍କାନ୍ ପ୍ରସ୍ତୁତ କରିଛନ୍ତି । ବିଶ୍ୱର ବିଭିନ୍ନ ଦେଶର ମ୍ୟୁଜିୟମରେ ସଂରକ୍ଷିତ ରଖାଯାଇଥିବା ଏହି ପ୍ରଜାତିର ବାଘା ଶାବକଙ୍କ ମୃତଦେହର ସିଟି ସ୍କାନ କଲା ପରେ ସେମାନଙ୍କ ଦେହର ବିକାଶ କିପରି ହେଉଛି ତାହା ଜାଣିବା ପାଇଁ ଥି - ଡି ସ୍କାନ ପ୍ରସ୍ତୁତ କରାଯାଇଥିଲା ।
ଏହି ଶାବକଗୁଡିକର ବୟସ ଦେଢ଼ ସପ୍ତାହରୁ ଆରମ୍ଭ କରି ବାର ସପ୍ତାହ ଭିତରେ ହେବ । ସାଧାରଣତଃ ଏହି ପ୍ରଜାତିର ବାଘ ଶିଶୁ ଜନ୍ମ ହେବା ସମୟରେ ଅପରିପକ୍ବ ଅବସ୍ଥାରେ ଥାଆନ୍ତି । ସେମାନେ ନିଜ ମାଆ ଦେହରେ ଲାଗିଥିବା ଏକ ମୁଣି ଅଥବା ଥଳି ଭିତରେ ପ୍ରାୟ ୧୨ ସପ୍ତାହ ଯାଏ ରହିଥାନ୍ତି । ଏହି ସମୟ ମଧ୍ୟରେ ସେମାନଙ୍କର ଶରୀରର ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥାଏ । ଏହାପରେ ସେମାନେ ସ୍ବାଧୀନ ଭାବେ ବିଚରଣ କରିଥାଆନ୍ତି । ଏ ପ୍ରକାର
ବାଘଙ୍କ ଆକାର କୁକୁରଙ୍କ ଆକାର ସହିତ ସମାନ ଥିଲା । ତେଣୁ କୁକୁର ଏବଂ ଏହି ବାଘଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ବୈଜ୍ଞାନିକ ମାନେ ଥି - ଡି ସ୍କାନ୍ ଜରିଆରେ ଏହି ବାଘ ଶାବକମାନଙ୍କ ଜନ୍ମ ଠାରୁ ୧୨ ସପ୍ତାହ ଯାଏଁ ଦେହର ବିକାଶ କିଭଳି ବିକାଶ ହେଉଛି , ତାହା ଜାଣିବାକୁ ଉଦ୍ୟମ କରୁଛନ୍ତି । ଏହି ବାଘର କ୍ଳୋନିଂ ସୃଷ୍ଟି କରିବାକୁ ହେଲେ ଏହା ଜାଣିବା ନିହାତି ଆବଶ୍ୟକ । ଏନେଇ ଅଧ୍ୟୟନ କରୁଥିବା ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀମାନେ କହିଛନ୍ତି ଯେ ସେମାନଙ୍କର ପ୍ରକୃତ ଲକ୍ଷ୍ୟ ହେଉଛି କି ଏହାର ଜିନ୍ ସମ୍ପର୍କିତ ତଥ୍ୟ ହାସଲ କରିବା ଯାହା ମାଧ୍ୟମରେ ଏହି ବାଘର କ୍ଲୋନ ସୃଷ୍ଟି କରାଯାଇପାରିବ । କେଉଁ ଜିନ୍ ଯୋଗୁ ଏମାନଙ୍କ ଦେହର କେଉଁ ଅଂଶର ବିକାଶ ହେଉଥିଲା , ତାହା ଜାଣିବାକୁ ଉଦ୍ୟମ କରାଯାଉଛି । ଅବଶ୍ୟ ଏହି ବାଘ ଦେହର ସମ୍ପୂର୍ଣ୍ଣ ଜିନ୍ ସଂରଚନାକୁ ବର୍ଷ 2017ରେ ଚିହ୍ନଟ କରାଯାଇସାରିଛି । ତେଣୁ ଜିନ୍ ସଂରଚନା ଏବଂ ଏମାନଙ୍କ ଦେହର ବିକାଶ ପ୍ରକ୍ରିୟା ସମ୍ପର୍କିତ ତଥ୍ୟର ଉପଯୋଗ କରି ଏହି ଜୀବର କ୍ଲୋନ ପ୍ରସ୍ତୁତ କରାଯାଇପାରିବ ବୋଲି ସେମାନେ ଦାବି କରିଛନ୍ତି ।