
୧୯୩୩ ମସିହାର କଥା । ପଞ୍ଜାବ ରେଜିମେଣ୍ଟ ନାମକ ଏକ ହକି ଟିମ୍ ଏବଂ ସେପର୍ସ ଆଣ୍ଡ ମାଇନର୍ସ ନାମକ ଅନ୍ୟ ଏକ ହକି ଟିମ୍ ମଧ୍ୟରେ ଜୋରଦାର ମୁକାବିଲା ଚାଲିଥାଏ । ପଞ୍ଜାବ ଟିମ୍ ର ଜଣେ ଖେଳାଳୀ ନିଜ ଉଚ୍ଚମାନର ପ୍ରଦର୍ଶନ ଦେଖାଇ ପଡ଼ିଆରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଆଚମ୍ବିତ କରି ଦେଉଥାନ୍ତି । ଖେଳାଳୀ ଜଣଙ୍କ ଏପରି ପ୍ରଦର୍ଶନ ବିପକ୍ଷ ଟିମ୍ ସହ୍ୟ କରି ପାରୁ ନ ଥାଏ । ଯଦି ସେ ଶେଷ ପର୍ଯ୍ୟନ୍ତ ଏପରି ଖେଳନ୍ତି ତେବେ ହାର୍ ସୁନିଶ୍ଚିତ ବୋଲି ଭାବି ସେମାନେ ଇର୍ଷା ପରାୟଣ ହୋଇ ଯାଉଥାନ୍ତି । ଏହାର ସମାଧାନର ରାସ୍ତା ବାହାର କରିବା ସ୍ଵରୂପ ବିପକ୍ଷ ଟିମର ଜଣେ ଖେଳାଳୀ ତାଙ୍କୁ ମଇଦାନରୁ ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥାଏ । ଅନ୍ୟ କିଛି ଉପାୟ ନପାଇ ତାଙ୍କୁ କ୍ଷତାକ୍ତ କରି ମଇଦାନରୁ ବାହାର କରିବା ପାଇଁ ସେ ଚିନ୍ତା କରିଥିଲା । ଏଣୁ ସୁଯୋଗ ମିଳିବା ମାତ୍ରେ ଖେଳ ବାହାନାରେ ଉକ୍ତ ଖେଳାଳୀଙ୍କ ମୁଣ୍ଡକୁ ସେ ଶକ୍ତ ପ୍ରହାର ଦେଇଥିଲା । ତାଙ୍କ ପ୍ରାହାରରେ ଖେଳାଳୀ ଜଣକ କ୍ଷତାକ୍ତ ହୋଇ ଅଚେତ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କର ପ୍ରାଥମିକ ଉପଚାର କରାଗଲା । ପ୍ରାଥମିକ ଉପଚାର ଦ୍ଵାରା ତାଙ୍କ ଚେତା ଫେରି ଆସିଥିଲା । ଚେତା ଆସିବା ପରେ ପୁଣି ଥରେ ମଇଦାନକୁ ଯାଇ ଖେଳିବା ପାଇଁ ସେ ଚିନ୍ତା କରିଥିଲେ । ସେତେ ପର୍ଯ୍ୟନ୍ତ ଖେଳକୁ ସ୍ଥଗିତ ରଖା ଯାଇଥିଲା । ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଯୁବକ ଜଣକ ପୁଣିଥରେ ମଇଦାନକୁ ଯାଇଥିଲେ ।

ସେ ପୁଣିଥରେ ମଇଦାନ ରେ ପହଞ୍ଚିବାରୁ ପ୍ରତିପକ୍ଷ ଖେଳାଳୀମାନଙ୍କ ଚିନ୍ତା ବଢ଼ି ଯାଇଥିଲା । ସବୁଠାରୁ ଅଧିକ ଚିନ୍ତିତ ହୋଇଥିଲେ ତାଙ୍କୁ କ୍ଷତି ପହଞ୍ଚାଇଥିବା ଯୁବକ । କାରଣ ସେ ଭାବିଥିଲେ ଅସୁସ୍ଥ ଅବସ୍ଥାରେ ସେ ବୋଧେ ଆଉ ଖେଳିବେନି । କିନ୍ତୁ ସେ ପୂର୍ବ ତୁଳନାରେ ଆହୁରି ଅଧିକ ଭଲ ଖେଳିବାକୁ ଲାଗିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କର ଏପରି ପ୍ରଦର୍ଶନ ସେଠାରେ ଥିବା ପ୍ରତିଟି ବ୍ୟକ୍ତିଙ୍କୁ ଚକିତ କରିଥିଲା । ଶେଷରେ ତାଙ୍କର ଅଭୁତ ପ୍ରଦର୍ଶନ ଯୋଗୁ ଉକ୍ତ ଟିମର ବିଜୟ ହୋଇଥିଲା । ଖେଳରେ ବିଜୟ ଲାଭ କରିବା ପରେ ତାଙ୍କୁ କ୍ଷତି ପହଞ୍ଚାଇବା ଥିବା ଯୁବକଙ୍କ ନିକଟକୁ ଯାଇ ତାଙ୍କୁ କୃତଜ୍ଞତା ଜ୍ଞାପନ କରି ସେ କହିଲେ ଯେ , 'ମତେ କ୍ଷତି ପହଞ୍ଚାଇଥିବାରୁ ହୃଦୟରୁ ଧନ୍ୟବାଦ' , କାରଣ ତୁମେ ଯଦି ମୋତେ କ୍ଷତାକ୍ତ କରି ନଥାନ୍ତ ତେବେ ହୁଏତ ମୋ ମଧ୍ୟରେ ଜିଦ୍ ଭାବ ଆସି ନଥାନ୍ତା ଏବଂ ମୁଁ ଏତେ ଉନ୍ନତ ପ୍ରଦର୍ଶନ କରି ପାରିନଥାନ୍ତି । ଯୁବକଙ୍କ ଠାରୁ ଏକଥା ଶୁଣି କ୍ଷତି ପହଞ୍ଚାଇଥିବା ଯୁବକ ଜଣକ ଅନୁତାପ କରିଥିଲେ ଏବଂ ସେଠାରେ ସର୍ବ ସମ୍ମୁଖରେ ତାଙ୍କୁ କ୍ଷମା ମାଗିଥିଲେ । କ୍ଷତାକ୍ତ ହୋଇଥିବା ଯୁବକ ଜଣକ ଆଉ କେହି ନୁହେଁ ବରଂ ମେଜର ଧ୍ୟାନ୍ଚାନ୍ଦ । ଯିଏ ଭବିଷ୍ୟତରେ ‘ ହକିର ଯାଦୁଗର ’ ନାଁରେ ଅନେକ ଖ୍ୟାତି ଅର୍ଜନ କରିପାରିଲେ । ନିଜର ଜିଦ୍ ଯୋଗୁଁ ଦୃଢ଼ ଆତ୍ମ ବିଶ୍ଵାସର ସହ ପ୍ରତିଭା ପ୍ରଦର୍ଶନ କରି ସେ ବିଜୟ ଲାଭ କରି ପାରିଥିଲେ । ଏଣୁ କୌଣସି ପରିସ୍ଥିତିରେ ଆତ୍ମବିଶ୍ବାସ ନ ହାରି ସେ ସବୁକୁ ଜିଦ ସହ ଗ୍ରହଣ କଲେ ସଫଳତା ନିଶ୍ଚିତ ମିଳିଥାଏ ।