
ଷ୍ଟିଭିଆ ଶୁଖିଲା ପତ୍ରର ମିଠା ଅଂଶ ଚିନିଠାରୁ ପ୍ରାୟ ୪୦ ଗୁଣ ଅଧିକ । ଏହାର ବିଶେଷତ୍ବ ହେଉଛି ଏହା ଶତକଡ଼ା ଶହେ ଭାଗ କ୍ୟାଲୋରୀ ମୁକ୍ତ ମିଠା । ତେଣୁ ଏହାକୁ ବହୁ ମୂତ୍ରରୋଗୀ ଖାଇଲେ କିଛି ଅସୁବିଧା ନାହିଁ । ମେଦ ହ୍ରାସ ପାଇଁ , ଓଜନ କମାଇବା ପାଇଁ , ରକ୍ତଚାପ ନିୟନ୍ତ୍ରଣ ଔଷଧରେ ଏହା ହେଉଛି ପ୍ରଧାନ ଅଂଶ ।ଉଦ୍ଭିଦ ପରିଚୟ :-
ଷ୍ଟିଭିଆ ଗଛର ଉଚ୍ଚତା ଅତି ବଡ଼ରେ ୪୫ ରୁ ୬୦ ସେ.ମି. ରହେ ।ପତ୍ରସବୁ ସରୁ ସରୁ ଓ ୨ ରୁ ୩ ସେ.ମି. ଲମ୍ବ ହୋଇଥାଏ । ଗଛରେ ଫୁଲ ଆସିବା ପୂର୍ବରୁ ପତ୍ରରେ ଯଥେଷ୍ଟ ମିଠା ଥାଏ । ଫୁଲ ଫୁଟିଗଲା ପରେ ମିଠା ଅଂଶ କମିଯାଏ । ଏ ଗଛ ପ୍ରାୟ ୫ ବର୍ଷ ବଞ୍ଚେ ।
ଜଳବାୟୁ :-
ଉଷ୍ମ ଆର୍ଦ୍ର ଜଳବାୟୁରେ ଷ୍ଟିଭିଆ ଚାଷ ଭଲ ହୁଏ । ଯେଉଁ ଯାଗାରେ ୧୦ ରୁ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ରହେ , ସେ ଯାଗାରେ ଷ୍ଟିଭିଆ ଚାଷ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚାଷ ଭଲ ଭାବରେ ହୋଇପାରିବ । ମୋଟାମୋଟି ଭାବରେ ଯେଉଁ ଯାଗାରେ କଦଳୀ ଚାଷ ଭଲ ହୁଏ ସଠାରେ ଷ୍ଟିଭିଆ ଚାଷ ଭଲ ହୋଇ ପାରିବ ।
ମୃତ୍ତିକା :-
ଲାଲ ଓ ବାଲିଆ-ଦୋରସା ମୃତ୍ତିକା ସବୁଠାରୁ ଭଲ । ତେବେ ଅଧିକାଂଶ କିସମର ଏହାର ଚାଷ ହୋଇପାରିବ କିନ୍ତୁ ଚିକିଟା , କ୍ଷାରୀ , ଲୁଣି ଓ ପାଣି ଜମୁଥିବା ଯାଗାରେ ଏ ଚାଷ ମୂଳରୁ ଭଲ ହୁଏ ନାହିଁ । ମାଟିର ପି.ଏଚ୍ ୬.୫ ରୁ ୭.୫ ମଧ୍ୟରେ ଥିଲେ ଭଲ ଚାଷ ହୁଏ ।
ବଂଶ ବିସ୍ତାର :-
ଯେହେତୁ ମଞ୍ଜିରୁ ଗଜା ବହୁତ କମ୍ ହୁଏ , ଅଡକ୍ସ ଉପାୟରେ ଏହାର ବଂଶ ବିସ୍ତାର ହୁଏ । କିନ୍ତୁ ଟିସୁକଲଚର ଚାରା ସବୁଠାରୁ ଉତ୍କୃଷ୍ଟ । ଭଲ କିସମ ଭିତରେ ଏସ୍.ଆର୍.ବି.-୧୨୩ , ଏସ୍.ଆର୍.ବି- ୫୧୨ , ଏସ୍. ଆର୍. ବି.- ୧୨୮ ପ୍ରଧାନ ।
ଜମି ପ୍ରସ୍ତୁତି ଓ ଚାରା ରୋପଣ :-
ଷ୍ଟିଭିଆ ଚାଷ ପାଇଁ ଜମି ଭଲ ଭାବରେ ୩-୪ ଓଡ଼ ଚାଷ ପରି ମାଟିକୁ ଗୁଣ୍ଡ କରାଯାଏ । ସାଧାରଣତଃ ପଟାଳୀରେ ଚାରା ରୋପଣ କରାଯାଏ । ସେଥିପାଇଁ ୬୦ ସେ.ମି. ଚଉଡ଼ାରେ ୧୦ ସେ.ମି. ଉଚ୍ଚତାରେ ପଟାଳୀ କରାଯାଏ । ୬୦ ସେ.ମି. ରଖିବାର କାରଣ ପତ୍ର ତୋଳିବା ସହଜ ହୁଏ।
ଦୁଇଟି ପଟାଳି ମଧ୍ୟରେ ୪୦ ସେ.ମି.ଛଡ଼ାଯାଏ । ଏକର ପିଛା ୧୦ ଟନ ଭଲ କମ୍ପୋଷ୍ଟ ପଟାଳୀରେ ମିଶାଇ ଦିଆଯାଏ । ଚାରା , ବର୍ଷର ଟାଣ ଖରାଦିନ ( ମେ- ଜୁନ ) ଛାଡି ସବୁ ସମୟରେ ଲଗାଯାଇପାରେ । ପଟାଳୀରେ ୫୫ ସେ.ମି. ବ୍ୟବଧାନରେ ଗଛକୁ ୨୫ ସେ.ମି.ବ୍ୟବଧାନରେ ଲଗାଯାଏ । ଏକର ପିଛା ପ୍ରାୟ ୩୦୦୦୦ ଗଛ ଦରକାର ହୁଏ ।
ଖତସାର :-
ଯେହେତୁ ଷ୍ଟିଭିଆ ପତ୍ର ଆମ ଦରକାର , ସେହି ଅନୁପାତରେ ସାର ମଧ୍ୟ ଆମକୁ ଦେବା ଦରକାର । ଏକର ପିଛା ୧୧୦ କି.ଗ୍ରା. ଯବକ୍ଷାରଜାନ୍ , ୪୫ କି.ଗ୍ରା. ଫସଫରସ୍ ଓ ୪୫ କି.ଗ୍ରା. ପଟାସ୍ ମୂଳସାର ହିସାବରେ ଦରକାର । ସମୁଦାୟ ଫସଫରସ୍ ସାରକୁ ମୂଳ ସାର ହିସାବରେ ୧୦ ଟନ ଖତ ସହ ଦିଆଯାଏ । ଯବକ୍ଷାରଜାନ୍ ଓ ପଟାସିୟମ୍ ସାରକୁ ଥର ଥର କରି ଦୁଇମାସ ଅନ୍ତରରେ ୩-୪ ଥରରେ ଦିଆଯାଏ ।
ଜଳସେଚନ :-
ଷ୍ଟିଭିଆ ନିୟମିତ ଜଳସେଚନ ଦରକାର କରେ । ସେଥିପାଇଁ ମାଇକ୍ରୋ-ସ୍ପ୍ରିଙ୍କଲରେ ଓ ଡ୍ରିପ ଜଳସେଚନ ସବୁଠାରୁ ଭଲ । ତେବେ ବତର ଦେଖି ଖରା ଓ ଶୀତଦିନେ ୨-୩ ଦିନ ଅନ୍ତରରେ ହାଲୁକା ଜଳସେଚନ କରାଯାଏ ।
ପରବର୍ତ୍ତୀ ଯତ୍ନ :-
ଯେହେତୁ ଷ୍ଟିଭିଆ ସବୁ ଉଚ୍ଚା ପଟାଳୀରେ ଲଗାଯାଏ ହାତରେ ଘାସବଛା ଓ କୋଡ଼ାଖୁସା ଇତ୍ୟାଦି କରାଯାଏବ୍। ଷ୍ଟିଭିଆ ଗଛରେ ଫୁଲ ଆସିବାକୁ ଦିଆଯାଏନି । ଗଛର ଅଗମୁକୁଳକୁ ଭାଙ୍ଗି ଦେଲେ ଗଛ କେନା ଦେଇ ବଢ଼େ ।
ଅମଳ :-
ଗଛ ଲଗାଇବାର ୪-୫ ମାସ ପରେ ପତ୍ର ତୋଳା ହୁଏ । ତାପରେ ପ୍ରତି ୩ମାସରେ ଥରେ ଲେଖାଏଁ ୩ବର୍ଷ ପର୍ଯ୍ୟନ୍ତ ପତ୍ର ତୋଳା କାମ ଚାଲୁ ରହେ । ଠିକ୍ ଫୁଲ ଫୁଟିବାର ପୂର୍ବାବସ୍ଥାରେ ପତ୍ର ସବୁଠାରୁ ମିଠା ଥାଏ । ପୁରା ଗଛକୁ ନଣ୍ଡାକରି ପତ୍ର ତୋଳାଯାଏ ବା ମୂଳ ଓ ଡାଳକୁ ମୂଳରୁ ୧୦-୧୫ ସେ.ମି ଛାଡି କାଟି ଦିଆଯାଏ ।