ବ୍ରୋକୋଲି ସବୁ ଋତୁରେ ସହଜରେ ମିଳିଥାଏ | ଆମ ମାନଙ୍କ ମଧ୍ୟରୁ କେତେ ଲୋକଙ୍କୁ ଜଣାନଥିବ ଯେ ବ୍ରୋକୋଲି ଏକ ଇଟାଲିଅନ ପରିବା ଅଟେ | ତେବେ ଚାଲନ୍ତୁ ଆମେ ଜାଣିବା, ପ୍ରଥମେ ଆମେ ବ୍ରୋକୋଲିକୁ ଭଲ ଭାବରେ ଧୋଇ ତାକୁ କାଟିଦେବା | ଏହା ବ୍ୟତୀତ ଆମେ ନବା ପିଆଜ, ରସୁଣ, ଲଙ୍କା, ଟମାଟ, ଲେମ୍ବୁ ରସ, ବେସନ, ଜିରା, ହଳଦୀ ପାଉଡର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ, ହେଙ୍ଗୁ, ପାଣି ଏବଂ ସୋରିଷ ତେଲ | ବ୍ରୋକୋଲି ବନେଇବା ପାଇଁ ଏସବୁ ସାମଗ୍ରୀ ଏକାଠି କରିନିଅନ୍ତୁ | ଏସବୁ ସାମଗ୍ରୀ ୩ ରୁ ୪ ଜଣ ଲୋକଙ୍କ ପାଇଁ ଯଥେଷ୍ଟ ଅଟେ | ବ୍ରୋକୋଲି ବନେଇବା ପାଇଁ ପ୍ରଥମେ ଗୋଟେ ଗରମ କରେଇରେ ଗୋଟେ ଚାମଚ ସୋରିଷ ତେଲ ନିଅନ୍ତୁ ଓ ତେଲ ଗରମ ହେବା ପରେ ସେଥିରେ ୨ ଚାମଚ ବେସନ ନେଇ ତାକୁ ଗୋଳାଇ ଦିଅନ୍ତୁ | ବେସନକୁ ଗୋଳାଇଲା ବେଳେ ଲଗାତାର ଲୁହା ଖଡି଼କାରେ ତାକୁ ଗୋଳାଉ ଥାନ୍ତୁ | ବେସନ ଭଲ ଭାବରେ ଗୋଳେଇ ହବାକୁ ପାଖାପାଖି ୧ ରୁ ୨ ମିନିଟ ଲାଗିବ | ଯେତେବେଳ ବେସନର ରଙ୍ଗ ବଦଳି ଯିବ ଓ ଏହା ବାସ୍ନା ହେବାକୁ ଲାଗିବ ସେତେବେଳ ଆମେ ଜାଣିବା ବେସନଟି ଭଲ ଭାବରେ ଭାଜି ହୋଇଯାଇଛି |
ଏବେ ଏହାକୁ ଆମେ କାଢିକି ଅଲଗା ରଖିଦେବା | ଏବେ କରେଇରେ ୨ ଚାମଚ ସୋରିଷ ତେଲ ନିଅନ୍ତୁ, ତେଲ ଗରମ ହେବା ପରେ ସେଥିରେ ୨ ଚିମୁଟା ହେଙ୍ଗୁ, ଅଧା ଚାମଚ ଜିରା, କଟା ଯାଇଥିବା ରସୁଣ (୫ ରୁ ୭ କୋଲା), ଗୋଟେ ପିଆଜ ଓ ୨ଟି କଟାଯାଇଥିବା କଞ୍ଚା ଲଙ୍କା ପକାଇ ଭାଜନ୍ତୁ | ଏବେ ଏଥିରେ ଅଧ ଚାମଚ ହଳଦୀ ପାଉଡର ଓ ଅଧ ଚାମଚ ଲଙ୍କା ଗୁଣ୍ଡ ପକେଇକି ଗୋଳାଇ ଦିଅନ୍ତୁ | ଏବେ ଏଥିରେ କଟାଯାଇଥିବା ବ୍ରୋକୋଲିକୁ ପକାଇ ସ୍ୱାଦ ଅନୁସାରେ ଲୁଣ ପକାଇ, ସେଥିରେ ହାଲ୍କା ଭାବରେ ପାଣି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ | ଯଦି ଆପଣ ବ୍ରୋକୋଲି କ୍ରଞ୍ଚି ଖାଇବାକୁ ପସନ୍ଦ କରନ୍ତି ତେବେ ସେଥିରେ ପାଣି ଦିଅନ୍ତୁ ନାହିଁ | ସିଝିବା ଯାଏଁ ଏହାକୁ ଘୋଡାଇ ରଖନ୍ତୁ | ସିଝିସାରିବା ପରେ ସେଥିରେ କଟା ଯାଇଥିବା ଟମାଟ, ଲେମ୍ବୁ ରସ, ଗରମ ମସଲା ଓ ଭଜା ଯାଇଥିବା ବେସନକୁ ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ୨ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ିଦିଅନ୍ତୁ | ଏମିତି କରିବା ଦ୍ୱାରା ବେସନର ଫ୍ଲେବର ଭଲ ଆସିଥାଏ | ଏବେ ସମ୍ପୂର୍ଣ ଭାବରେ ବ୍ରୋକୋଲି ତିଆରି ହୋଇ ସାରିଛି |