
ପାଳଙ୍ଗ ଗୋଟିଏ ଶୀତଦିନିଆ ଫସଲ । ଆମ ରାଜ୍ୟରେ ସେପ୍ଟେମ୍ବର-ନଭେମ୍ବର ଏବଂ ଫେବୃୟାରୀ-ମାର୍ଚ୍ଚ ମାସରେ ଏହା ଲଗାଯାଇପାରେ । ଉତ୍ତାପ ବଢ଼ିଗଲେ ଫୁଲ ଶୀଘ୍ର ଆସି ଅମଳ କମିଯାଏ ।
ମୃତ୍ତିକା :-
ଅନେକ ପ୍ରକାର ମାଟିରେ ପାଳଙ୍ଗ ଚାଷ କରୁଥିଲେ ମଧ୍ୟ ନିଗିଡ଼ା , ଉର୍ବର , ବାଲିଦୋରସା ଏବଂ ଅମ୍ଳତା ୭.୦-୭.୫ ଥିବା ମାଟିରେ ଅଧିକ ଅମଳ ହୋଇଥାଏ ।
କିସମ :-
ପୁଷା ପାଳଙ୍ଗ, ଅଲ ଗ୍ରୀନ୍, ପୁଷା ଜ୍ୟୋତି, ପୁଷା ହରିତ, କୋମଳ ଇତ୍ୟାଦି ପାଳଙ୍ଗର ଉନ୍ନତ କିସମ ।
ବିହନ :-
ଏକର ପ୍ରତି ୧୦-୧୨ କି.ଗ୍ରା. ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ମଞ୍ଜିକୁ ୧୦-୧୨ ଘଣ୍ଟା ବତୁରାଇଲେ ଶୀଘ୍ର ଓ ଅଧିକ ଗଛ ଉଠିଥାଏ । ପ୍ରତି ୧ କି.ଗ୍ରା. ମଞ୍ଜିକୁ ଥିରାମ୍ ଓ କାର୍ବୋକ୍ସିନର ମିଶ୍ରିତ ଫିମ୍ପିନାଶକ ୩ ଗ୍ରାମ୍ ଦ୍ଵାରା ମିଶାଇ ବିଶୋଧନ କରାଯିବା ଉଚିତ୍ ।
ବିହନ ବୁଣିବା :-
ଜମିକୁ ୩-୪ ଓଡ଼ ଗୁଣ୍ଡ ଚାଷ କରି ଏକର ପ୍ରତି ୧୦-୧୫ ଟନ୍ କମ୍ପୋଷ୍ଟ ମିଶାଇ ପଟାଳିରେ ଭଙ୍ଗାଯାଏ । ପଟାଳିକୁ ଜଳସେଚନ କରି ମୂଳସାର ମିଶାଇ ୨୦ ସେ.ମି. ବ୍ୟବଧାନରେ ଗାରଟାଣି ୨-୩ ସେ.ମି ଗଭୀରରେ ମଞ୍ଜି ପୋତାଯାଏ । ୧୦ ଦିନ ମଧ୍ୟରେ ମଞ୍ଜିରୁ ଗଜା ବାହାରେ ।
ସାର ପ୍ରୟୋଗ :-
ସାର ଉପାଦାନ ଲଗାଇବା ସମୟରେ ପ୍ରତିଥର କାଟିବା ପରେ
ଏକର ପ୍ରତି (କି.ଗ୍ରା.) ଏକର ପ୍ରତି (କି.ଗ୍ରା.)
ଯବକ୍ଷାରଜାନ୍ ୨୦ ୧୦
ଫସଫରସ୍ ୨୫ --
ପଟାସିୟମ୍ ୨୫ --
କାଟିବାର ୭ ଦିନ ବ୍ୟବଧାନରେ ୟୁରିଆ ( ୧୦ଗ୍ରାମ୍/ଲିଟର ) ସ୍ପ୍ରେ କରାଯାଏ । ଯବକ୍ଷାରଜାନ୍ ଅଧିକ ରହିଲେ ପାଳଙ୍ଗର ପତ୍ର ଟାଣ ହୋଇ ଶୀଘ୍ର ଭାଙ୍ଗିଯାଏ । ତେଣୁ ଅଧିକ ଯବକ୍ଷାରଜାନ୍ ପ୍ରୟୋଗ କରିବା ଅନୁଚିତ୍ ।
ପରବର୍ତ୍ତୀ ଯତ୍ନ :-
ଗଛ ଉଠିବ ପରେ କୋଡାଖୋସା କରି ଘାସ ବାଛି ହୁଡାଟେକି ଦିଆଯାଏ । ପ୍ରତିଥର କାଟିବା ପରେ କୋଡାଖୋସା, ଘାସ ବଛା ଏବଂ ସାର ପ୍ରୟୋଗ ପରେ ହୁଡ଼ା ଟେକିବା ଦରକାର। ଋତୁ ଏବଂ ପାଗ ଅନୁସାରେ ୭-୧୦ ଦିନ ବ୍ୟବଧାନରେ ଜଳସେଚନ କରାଯାଏ ।
ଅମଳ :-
ମଞ୍ଜି ବୁଣିବାର ୨୦-୩୦ ଦିନରେ ପ୍ରଥମ ଥର କଟାଯାଏ । ଏହାପରେ ପ୍ରତି ୧୫-୨୦ ଦିନରେ ଥରେ ହିସାବରେ ୫-୭ ଥର ଯାଏ କଟାଯାଏ । ଶୀତଋତୁରେ ଅଧିକ ଅମଳ ମିଳିଥାଏ । କାଟିବା ପରେ ପତ୍ରଗୁଡ଼ିକ ନଧୋଇ ବିଡ଼ା ବାନ୍ଧିବା ଦରକାର। ଏକର ପ୍ରତି ୩୦-୫୦ କ୍ୱିଣ୍ଟାଲ ଶାଗ ଅମଳ ହୋଇଥାଏ ।