1.ପତ୍ରପୋଡ଼ା ରୋଗ :-
ଗଛର ପୁରୁଣା ବାହୁଙ୍ଗାରେ ହଳଦିଆ ରଙ୍ଗର ଚିହ୍ନ ଚାରିପଟେ ପାଉଁଶିଆ ବଳୟ ଦେଖାଯାଏ । ଏହି ଚିହ୍ନ ଗୁଡିକ ପରେ ମିଶିଯାନ୍ତି ।
ପରିଚାଳନା :-
ଅନୁମୋଦିତ ପରିମାଣରେ ପଟାସିୟମ୍ ସାର ପ୍ରୟୋଗ କରନ୍ତୁ । ଆଜୋକ୍ସିଷ୍ଟ୍ରୋବିନ୍ ୧୮.୨ % + ଡାଇଫେନୋକୋନାଜୋଲ୍ ୧୧.୪% ଏସ.ସି. ୧ ମି.ଲି କିମ୍ବା ୪ଗ୍ରାମ୍ କାର୍ବେଣ୍ଡାଜିମ୍ ମାଙ୍କଜେବ୍ ମିଶ୍ରିତ ଦ୍ରବଣକୁ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
2.ଫଳପଚା ଓ ଫଳଝଡା ରୋଗ :-
ଫଳ ବୃନ୍ତରେ ( ମୁଣ୍ଡି ) ମାଟିଆ ରଙ୍ଗର ଚିହ୍ନ ହେଇ ପଚିଯାଏ ଓ ପଇଡ଼ ଝଡ଼ି ପଡ଼େ ।
ପରିଚାଳନା :-
ପଡିଥିବା ଗୋଟମା ପଇଡ଼ ଗୋଟାଇ ପୋତି ଦିଅନ୍ତୁ ବା ପୋଡ଼ି ଦିଅନ୍ତୁ । ବର୍ଷା ଆରମ୍ଭ ଓ ଶେଷରେ ଡେଙ୍ଗା ଗଛପାଇଁ ବୋର୍ଡ଼କ୍ସ ୧% ,ଏବଂ ବାମନ ଗଛ ପାଇଁ ଆଜୋକ୍ସିଷ୍ଟ୍ରୋବିନ୍ ୧୮.୨% + ଡାଇଫେନୋକୋନାଜୋଲ୍ ୧୧.୪% ଏସ.ସି.୧ ମି.ଲି. କିମ୍ବା ୪ ଗ୍ରାମ୍ କାର୍ବେଣ୍ଡାଜିମ୍ ଓ ମାଙ୍କଜେବ୍ ମିଶ୍ରିତ ଦ୍ରବଣକୁ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
3.ଗଣ୍ଡି ବା କାଣ୍ଡ ସ୍ରାବ ରୋଗ :-
ମାଟି ପାଖରେ ଥିବା ଗଣ୍ଡିରେ ଫାଟ ହୋଇ ନାଲିରୁ ମାଟିଆ ରଙ୍ଗର ରସ ବାହାରେ ଓ ପଚିଯାଏ । ରସର ରଙ୍ଗ କ୍ରମେ କଳା ପଡ଼ିଯାଏ । ଫାଟ କ୍ରମେ ଉପରକୁ ବଢ଼ି ଗଛର ପତ୍ର ହଳଦିଆ ହୁଏ ।
ପରିଚାଳନା :-
ଅନୁମୋଦିତ ସାର ଓ ନିମ୍ବ ପିଡ଼ିଆ ଦିଅନ୍ତୁ ଖରାଦିନେ ନିୟମିତ ଜଳସେଚନ କରନ୍ତୁ । ବର୍ଷା ଋତୁରେ ଜମିରେ ପାଣି ରହିବାକୁ ଦିଅନ୍ତୁ ନାହଁ । ପଚିଥିବା ଅଂଶକୁ ବାହାର କରି ଟ୍ରାଇଡ଼ିମେଫନ୍ ୨୫% ଡବ୍ଲ୍ୟୁ.ପି. ୧.୬ ଗ୍ରାମ୍ ୧ ଲିଟର ପାଣି କିମ୍ବା ମେଟାଲାକ୍ସିଲ୍ ୮% ଓ ମଙ୍କଜେବ୍ ୬୪ %. ଡବ୍ଲ୍ୟୁ.ପି.ର ମିଶ୍ରିତ ଦ୍ରବଣକୁ ୨ ଗ୍ରାମ୍ ୧ ଲିଟର ପାଣିରେ ଗଲାଇ ଆକ୍ରାନ୍ତ ଅଂଶରେ ସିଞ୍ଚନ କରନ୍ତୁ ।
4.କନ୍ଦ ସଢ଼ା ରୋଗ :-
ନଡ଼ିଆ ଗଛ ଉପରେ ଗୋଟିଏ କିମ୍ବା ଦୁଇଟି ବାହୁଙ୍ଗା ହଳଦିଆ ହୋଇ ଓହଳି ପଡ଼େ । ନୂତନ ବାହୁଙ୍ଗାର ମୂଳ ସଢ଼ି ଯାଇ ଦୁର୍ଗନ୍ଧ ହୁଏ । ବାହୁଙ୍ଗା ଉପରୁ ତଳ ଆଡ଼କୁ ହଳଦିଆ ହୋଇ ଶୁଖିଯାଏ । ଗଛ ମରିଯାଇପାରେ । ବର୍ଷା ସମୟରେ ଅଧିକ ଦେଖାଯାଏ । ୨୦ ବର୍ଷରୁ କମ୍ ଗଛ ଅଧିକ ସଂକ୍ରମିତ ହୋଇଥାଏ ।
ପରିଚାଳନା :-
ବର୍ଷା ଆରମ୍ଭରେ ଓ ପରେ ବୋରଡ଼ାକ୍ସ ମିଶ୍ରଣ (୧%) କିମ୍ବା କପର ଅକ୍ସି କ୍ଲୋରାଇଡ଼ (୩ ଗ୍ରାମ/ଲିଟର) ସ୍ପ୍ରେ କରାଯାଏ । ବାମନ କିସମ ପାଇଁ ଟେବୁକୋନାଜୋଲ୍ ୫୦% + ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ୨୫ % ଡବ୍ଲ୍ୟୁ.ଜି. ୦.୪ ଗ୍ରାମ୍ ୧ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ । ଗଛର ପତ୍ର ସନ୍ଧିରେ ହେକ୍ସାକୋନାଜୋଲ୍ ୪ % + ଜିନେବ୍ ୬୮ % ଡବ୍ଲ୍ୟୁ.ପି. ୨.୫ ଗ୍ରାମ୍ ୧ ଲିଟର ପାଣିରେ ମିଶାଇ ତାହାକୁ ଏକ ଛୋଟ କଣା ଥିବା ପ୍ଲାଷ୍ଟିକ ପ୍ୟାକେଟରେ ପୁରାଇ ଗଛର ବାହୁଙ୍ଗା ସନ୍ଧିରେ ୨ ମାସ ବ୍ୟବଧାନରେ ଦୁଇଟି ଲେଖାଏଁ ପ୍ୟାକେଟ୍ ରଖନ୍ତୁ । ବର୍ଷା ପାଣିରେ ଏହା ଧୋଇ ହୋଇ ଏହା ବାହୁଙ୍ଗା ସନ୍ଧିରେ ପଶିଯିବ ଏବଂ କନ୍ଦ ସଢ଼ା ରୋଗର ପ୍ରତିକାର କରିବ ।
5.ଗଣ୍ଡି ବା ଚେରସଢ଼ା ରୋଗ :-
ଚେର ସଢିଯାଏ ଏବଂ ଗଣ୍ଡିର ମୂଳ ଅଂଶରୁ ରସ ବାହାରେ । ପ୍ର ଥମେ ପୁରୁଣା ବାହୁଙ୍ଗା ହଳଦିଆ ହୋଇ ଗଛରେ ଝୁଲି ରହେ ଏବଂ ମଝି ବାହୁଙ୍ଗା ଓ ଅଗ ବାହୁଙ୍ଗାରେ ଏହା ଦେଖାଯାଏ । ୬ ରୁ ୧୪ ମାସରେ ଗଛ ମରିଯାଏ ।
ପରିଚାଳନା :-
ଅଧିକ ଆକ୍ରାନ୍ତ ଗଛକୁ ଚେର ସହ ଉପାଡି ନଷ୍ଟ କରନ୍ତୁ । ଅନ୍ୟ ଗଛକୁ ସଂକ୍ରମିତ ନହେବା ପାଇଁ ଆକ୍ରାନ୍ତ ଗଛ ଚାରିପଟେ ୧ ମିଟର ଗଭୀର ଓ ୩୦ ସେ.ମି. ଓସାର ଖାଇ (ଟ୍ରେଞ୍ଚ) ଖୋଳନ୍ତୁ । ଜଳସେଚନ ଅନ୍ତାଷ ନିୟନ୍ତ୍ରଣ କରନ୍ତୁ । ଅନୁମୋଦିତ ସାର ଏବଂ ନିମ୍ବ ପିଡ଼ିଆ ( ୫ କି.ଗ୍ରା. / ଗଛ ) ପ୍ରତି ବର୍ଷ ପ୍ରୟୋଗ କରନ୍ତୁ । ଟ୍ରାଇଡ଼ିମେଫନ୍ ୨୫ % ଡବ୍ଲ୍ୟୁ.ପି. ୧.୬ ଗ୍ରାମ୍ ୧ ଲିଟର ପାଣି କିମ୍ବା ମେଟାଲାକ୍ସିଲ୍ ୮ % ଓ ମଙ୍କଜେବ୍ ୬୪ % ଡବ୍ଲ୍ୟୁ.ପି.ର ମିଶ୍ରିତ ଦ୍ରବଣକୁ ୨ ଗ୍ରାମ୍ ୧ ଲିଟର ପାଣିରେ ଗୋଳାଇ ଏକ ପ୍ଲାଷ୍ଟିକ ଜରି ମାଧ୍ୟମରେ ଚେରକୁ ବୁଡାଇ ରଖନ୍ତୁ ।