ମହାଭାରତର ପଞ୍ଚୁ ପାଣ୍ଡବଙ୍କ ଜନ୍ମ ବୃତ୍ତାନ୍ତ ଆପଣ ସମସ୍ତେ ଶୁଣିଥିବେ। ଏହି ପାଞ୍ଚ ଭାଇ ଧର୍ମ ଅନୁସାରେ ରାଜା ପଣ୍ଡୁଙ୍କର ପୁତ୍ର ଥିଲେ ମଧ୍ୟ ସମସ୍ତେ ଭିନ୍ନ ଭିନ୍ନ ଦେବତାଙ୍କ ସନ୍ତାନ ଥିଲେ। ଯୁଧିଷ୍ଠିର ଧର୍ମରାଜ ଏବଂ ଅର୍ଜୁନ ଇନ୍ଦ୍ରଙ୍କ ପୁତ୍ର ଥିଲେ। ସେହିପରି ନକୁଳ ଓ ସହଦେବ ଅଶ୍ୱିନୀ କୁମାରଙ୍କ ସନ୍ତାନ ଥିବାବେଳେ ଦ୍ୱିତୀୟ ପାଣ୍ଡବ ଭୀମଙ୍କ ପିତା ଥିଲେ ବାୟୁ ଦେବ।
ମହାବଳୀ ଭୀମଙ୍କ ବଳ ସମ୍ପର୍କରେ ପିଲାବେଳୁ ସୂଚନା ମିଳିଥିଲା।
କୁହାଯାଏ, ଭୀମ ଦୁଇ ତିନି ମାସର ଶିଶୁ ଥିବାବେଳେ ଥରେ ମା’ କୁନ୍ତୀଙ୍କ ଅଜାଣତରେ ତାଙ୍କ କୋଳରୁ ଭୂମି ଉପରକୁ ପଡ଼ି ଯାଇଥିଲେ। ତେବେ ଭୂମି ଉପରେ ପଡ଼ିଯିବା ଯୋଗୁ ଭୀମଙ୍କର ତ କୌଣସି କ୍ଷତି ହୋଇ ନଥିଲା, ବରଂ ଭୂମିରେ ପଡ଼ିବା କ୍ଷଣି ସଂପୃକ୍ତ ସ୍ଥାନର ମାଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା।
ମହାରାଜା ପଣ୍ଡୁଙ୍କର ମୃତ୍ୟୁ ପରେ କୁନ୍ତୀ ପାଞ୍ଚ ପୁତ୍ରଙ୍କୁ ଧରି ହସ୍ତୀନାପୁର ଚାଲି ଆସିଥିଲେ। ହସ୍ତୀନାପୁରରେ କୌରବ ଏବଂ ପାଣ୍ଡବ ଏକା ସଙ୍ଗରେ ଖେଳୁଥିବାବେଳେ ଖେଳ ଖେଳରେ ଭୀମ କୌରବ ଭାଇମାନଙ୍କୁ ମାଡ଼ ମାରୁଥିଲେ। ଏହି କାରଣରୁ କୌରବ ଭାଇମାନେ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ଏହାର ମିଳିତ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ।
ଦିନେ ସବୁ ଭାଇ ଗଙ୍ଗା ବିହାର କରିବାକୁ ଯାଇଥିଲେ। ଏହି ସମୟରେ ପ୍ରତିଶୋଧ ନେବାକୁ ଯାଇ ଦୁର୍ଯ୍ୟୋଧନ ଖାଦ୍ୟରେ ବିଷ ମିଶାଇ ଭୀମଙ୍କୁ ଖାଇବାକୁ ଦେଇଥିଲେ। ସେହି ବିଷକୁ ଖାଦ୍ୟରେ ଖାଇ ଭୀମ ଚେତା ହରାଇବା ପରେ କୌରବ ଭାଇମାନେ ତାଙ୍କୁ ଗଙ୍ଗା ନଦୀରେ ପକାଇ ଦେଇଥିଲେ। ଭୀମ ସେହି ଅଚେତ ଅବସ୍ଥାରେ ଯାଇ ନାଗଲୋକରେ ପହଞ୍ଚିଥିଲେ ଏବଂ ସେଠାରେ ଥିବା ନାଗମାନେ ତାଙ୍କୁ ମାରିଦେବା ପାଇଁ ଦଂଶନ କରିବା ଆରମ୍ଭ କରିଥିଲେ।
ତେବେ ନାଗମାନଙ୍କ ଦଂଶନ ଯୋଗୁ ସେମାନଙ୍କ ବିଷ, ଭୀମ ପୂର୍ବରୁ ଖାଦ୍ୟରେ ଖାଇଥିବା ବିଷର ପ୍ରଭାବକୁ ନଷ୍ଟ କରି ଦେଇଥିଲା। ଏହାପରେ ଭୀମଙ୍କର ଚେତା ଆସିଥିଲା ଏବଂ ସେ ନିଜ ଚାରିପାଖରେ ସାପମାନଙ୍କୁ ଦେଖି ସେମାନଙ୍କୁ ମାରିବାକୁ ଲାଗିଲେ।
ଅନେକ ନାଗଙ୍କ ମୃତ୍ୟୁପରେ କିଛି ନାଗ ପଳାୟନ କରିଥିଲେ ଏବଂ ଜୀବନ ବଞ୍ଚାଇ ପଳାଇଥିବା ନାଗମାନେ ଏହି ସମସ୍ତ କଥା ନାଗରାଜ ବାସୁକୀଙ୍କୁ ଜଣାଇଥିଲେ। ଏହାପରେ ବାସୁକୀ ନିଜ ସାଥୀଙ୍କ ସହିତ ଭୀମଙ୍କ ପାଖକୁ ଆସିଥିଲେ।
ବାସୁକୀଙ୍କ ଜଣେ ସାଥୀ ଆର୍ଯ୍ୟକ୍ ଭୀମଙ୍କୁ ଚିହ୍ନି ପାରିଥିଲେ। କାରଣ ଆର୍ଯ୍ୟକ୍ ନାଗ ଭୀମଙ୍କ ଅଜାଙ୍କର ଅଜା ଥିଲେ।
ଏହାପରେ ଆର୍ଯ୍ୟକ୍ ନାଗ ନାଗରାଜ ବାସୁକୀଙ୍କୁ ନିବେଦନ କରି ଭୀମଙ୍କୁ ନାଗଲୋକର କୁଣ୍ଡରେ ଥିବା ଅଦ୍ଭୁତ ଶକ୍ତିର ଉତ୍ସ କୁହାଯାଉଥିବା ରସକୁ ପାନ କରିବାକୁ ଦେଇଥିଲେ। ଏହି ରସ ପିଇବା ଦ୍ୱାରା ଭୀମଙ୍କୁ ୧୦ ହଜାର ହାତୀଙ୍କର ବଳ ଏକକାଳୀନ ପ୍ରାପ୍ତ ହୋଇଥିଲା।