ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ। ଏହି ମହତ୍ତ୍ୱପୂର୍ଣ୍ଣ ଦିନରେ ମୃତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧରେ ଦାନ କରାଯାଉଥିବା ଅନ୍ନ, ଜଳ, ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ।
ତେବେ ଶ୍ରାଦ୍ଧକୁ ନେଇ ମହାଭାରତର କର୍ଣ୍ଣଙ୍କ କ୍ଷେତ୍ରରେ ଏକ କଥା ପ୍ରଚଳିତ ରହିଛି। ଯେଉଁଥିରେ କୁହାଯାଇଛି ଯେ, କର୍ଣ୍ଣଙ୍କ ମୃତ୍ୟୁ ହେଲା ପରେ ତାଙ୍କ ଆତ୍ମା ଯେତେବେଳେ ସ୍ୱର୍ଗଲୋକରେ ପହଞ୍ଚିଲା ସେଠି ତାଙ୍କୁ ଭୋଜନରେ ଖାଇବା ପାଇଁ ବହୁତ ସୁନା ଏବଂ ସ୍ୱର୍ଣ୍ଣ ଆଭୂଷଣ ପରଷା ଯାଇଥିଲା।
ତେବେ ଏହା ଦେଖି କର୍ଣ୍ଣଙ୍କ ଆତ୍ମା କିଛି ବୁଝିପାରିଲେ ନାହିଁ। ତେଣୁ ସେ ଦେବରାଜ ଇନ୍ଦ୍ରଙ୍କୁ ପଚାରିଲେ ତାଙ୍କୁ ଭୋଜନ ପାଇଁ କାହିଁକି ସୁନା ଦିଆଯାଉଛି। ଉତ୍ତରରେ ଇନ୍ଦ୍ର କହିଲେ ତୁମେ ତୁମ ଜୀବନ କାଳରେ କେବଳ ସୁନା ହିଁ ଦାନ କରିଛ। କେବେ ବି ନିଜ ପୂର୍ବଜଙ୍କୁ ଭୋଜନ ପାଇଁ ଖାଦ୍ୟ ଉପଯୋଗୀ ଜିନିଷ ଦେଇନାହଁ। ଏହି କାରଣରୁ ତୁମକୁ ବି ଖାଇବା ପାଇଁ ସୁନାହିଁ ଦିଆଯାଇଛି।
ଇନ୍ଦ୍ରଙ୍କ ଉତ୍ତର ଶୁଣି କର୍ଣ୍ଣ କହିଲେ ମୋତେ ମୋର ପୂର୍ବଜଙ୍କ ବିଷୟରେ କିଛି ଜଣା ନଥିଲା। ତେଣୁ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ କିଛି ବି ଦାନ କରିପାରି ନଥିଲି। ଏହା ଶୁଣି କର୍ଣ୍ଣ କରିଥିବା ଭୁଲର ପ୍ରାୟଶ୍ଚିତ ପାଇଁ ଦେବରାଜ ଇନ୍ଦ୍ର ତାଙ୍କୁ ଏକ ମଉକା ଦେଇଥିଲେ। ଆଉ ୧୬ ଦିନ ପାଇଁ କର୍ଣ୍ଣଙ୍କୁ ଧରାପୃଷ୍ଠକୁ ପଠାଇଥିଲେ। ଏହା ପରେ କର୍ଣ୍ଣ ପୃଥିବୀ ପୃଷ୍ଠକୁ ଆସି ୧୬ ଦିନ ପର୍ଯ୍ୟନ୍ତ ନିଜ ପୂର୍ବଜଙ୍କୁ ସ୍ମରଣ କରି ଭୋଜନ ଅର୍ପଣ କରିଥିଲେ। ସେବେଠାରୁ ପିତୃପୁରୁଷ ପକ୍ଷକୁ ୧୬ ଦିନ ଧରି ପାଳନ କରାଯାଏ ବୋଲି କୁହାଯାଉଛି।