ଗାଈଘିଅକୁ ସଂସ୍କୃତରେ ଗବ୍ଯଘୃତ କୁହାଯାଉଥିଲା ।ପଞ୍ଚଗବ୍ଯର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ଯର ନାମ
- ଦୁଗ୍ଧ(କ୍ଷୀର)
- ଦଧି(ଦହି)
- ଘୃତ(ଘିଅ)
- ଗୋମୁତ୍ର
- ଗୋବର
ଆମିକ୍ଷା ବା ଛେନା ଓ ଲବଣୀ/ଲହୁଣୀ କାହିଁକି ପଞ୍ଚଗବ୍ଯ ମଧ୍ୟରେ ସ୍ଥାନ ପାଇନାହିଁ ତାହା ଗବେଷଣାର ବିଷୟ ।
ତେବେ ଏହି ଗବ୍ଯ ଶବ୍ଦର ମୂଳରେ ଅଛି ‛ଗୋ’ ଶବ୍ଦ ଏବଂ ଭାରତୀୟ ମାନକ ବ୍ଯାକରଣ ନିୟମାନୁସାରେ “ଗୋ+ସମ୍ବନ୍ଧାର୍ଥେ,ଭବାର୍ଥେ,ହିତାର୍ଥେ ତସ୍ୟ ଗବ୍ୟ”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଗବ୍ଯ’ ଶବ୍ଦର ମୂଳରେ ଥିବା ‛ଗୋ’ ଶବ୍ଦର ୩୩ଟି ଅର୍ଥର ଉଲ୍ଲେଖ କରାଯାଇଛି ସେଗୁଡ଼ିକ ହେଲା:-
- ଧେନୁ
- ବୃଷ
- ଗାଈଠାରୁ ଉତ୍ପନ୍ନ ଦ୍ରବ୍ଯ
- ପଶୁ
- ପୃଥିବୀ
- ମାତା
- ଦିଗ
- ଗାୟତ୍ରୀ
- ବାକ୍ୟ
- ସ୍ବର୍ଗ
- ଚକ୍ଷୁ
- ଇନ୍ଦ୍ରିୟ
- ଦୃଷ୍ଟି
- ବିଦିଗ
- କେଶ
- କିରଣ
- ଜଳ
- ବାଣ;ଶର
- ସୂର୍ଯ୍ୟ
- ନକ୍ଷତ୍ର
- ଚନ୍ଦ୍ର
- ଯାଗବିଶେଷ
- ବଜ୍ର
- ହୀରକ
- “ଗୁଆ”
- ଲୋମ
- ବୃଷରାଶି
- ଦଶକୋଟି ବା ଏକ ନିୟୁତ ସଂଖ୍ୟା
- ନଅସଂଖ୍ୟା
- ଗାୟକ
- ଗୋମେଧ ଯଜ୍ଞ
- ଗୃହ......
‛ଗୋ’ ଶବ୍ଦର ସେହି ତେତିଶଗୋଟି ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଗୁଆ ! ଯେହେତୁ “ଗୁଆ ଓ ଗବ୍ଯ ଶବ୍ଦ ମଧ୍ୟରେ ସାମଞ୍ଜସ୍ୟତା ରହିଥିଲା ପୁଣି ‛ଗୋ’ ଶବ୍ଦର ଏକ ଅର୍ଥ ଗୁଆ ତେଣୁ ଓଡ଼ିଆରେ ଗାଈଘିଅକୁ ଗୁଆଘିଅ କହିବା ଆରମ୍ଭ ହୋଇଥିବା ଅନୁମାନ କରାଯାଏ । ସମ୍ଭବତଃ ଏଠାରେ ଗବ୍ଯ ଶବ୍ଦ ଗୁଆ ଶବ୍ଦରେ ପରିବୃତ ହୋଇଥାଇପାରେ ।
=> ଗବ୍ଯ>ଗୁବ>ଗୁଆ
ଗବ୍ଯ ଶବ୍ଦର ଅବର୍ଗ୍ଯ ‛ଯ’ ଫଳା ସମସ୍ବନିମ ‛ୟ’ ଉଚ୍ଚାରିତ ହେଉଥିବା ହେତୁ ତାହାର ‛ଇ’ସ୍ବର ଲୁପ୍ତ ହୋଇ ଗ’ ବର୍ଣ୍ଣରେ ‛ଉ’କାର ପ୍ରକଟ ହେତୁ ଇଥାଇପାରେ । ପ୍ରକୃତରେ ‛ୟ’ ବର୍ଣ୍ଣଟି ‛ଇ’ ଓ ‛ଉ’ ଏହି ଦୁଇ ସ୍ବରବର୍ଣ୍ଣର ଏକକାଳୀନ ଉଚ୍ଚାରଣରୁ ସୃଷ୍ଟ ହୋଇଛି । ସେଇଭଳି ଅବର୍ଗ୍ଯ ‛ବ’ ନିଜର ସ୍ବାଭାବିକ ଗୁଣ ଯୋଗୁଁ ସ୍ବରବର୍ଣ୍ଣରେ ରୂପାନ୍ତରିତ ହୋଇଯାଇଥିବ । ଅବର୍ଗ୍ଯ ବର୍ଣ୍ଣ ଓ ସ୍ବରବର୍ଣ୍ଣଗୁଡ଼ିକ ପରସ୍ପର ପରିବୃତ୍ତ ହେବା ଓଡ଼ିଆ ଭାଷାରେ ସ୍ବାଭାବିକ ଅଟେ ଯଥା ମାନକ ‛ଦେବକୁଳ’ ଶବ୍ଦ ଓଡ଼ିଆ ଭାଷାରେ ‛ଦେଉଳ’ ହେବା କିଂବା ଦେବ ଓ ଦେବୀ ଶବ୍ଦ ଯଥାକ୍ରମେ ଦେଓ ଓ ଦେଈ ହୋଇଅଛି ।