ଜଣେ ସାନଭାଇ ପଚାରିଲେ, " 'ଭାରତ' ନା 'ଭାରତ୍' - କେଉଁଟି ଠିକ୍ ?"
ଅର୍ଥାତ୍ "ଏହା ଅକାରାନ୍ତ ରୂପେ 'ଭାରତ' ହେଵ ନା ହଳନ୍ତ (ଵ୍ୟଞ୍ଜନାନ୍ତ) ରୂପେ 'ଭାରତ୍' ହେଵ ?"
ଉତ୍ତରରେ :
ଵୈୟାକରଣିକ ନିିୟମ ଅନୁସାରେ 'ଭାରତ' ହିଁ ଠିକ୍ , 'ଭାରତ୍' ଭୁଲ ।
କାରଣ
୧) 'ଭାରତ' ଅକାରାନ୍ତ ହୋଇଥିଵାରୁ ଏଥିରେ 'ଵର୍ଷ' ଶବ୍ଦ ସନ୍ଧି ହେଵା ପରେ 'ଭାରତଵର୍ଷ' ହେଲା ।
ହଳନ୍ତ ('ଭାରତ୍') ହୋଇଥିଲେ 'ଭାରତ୍ୱର୍ଷ' ହୋଇଯାଇଥାନ୍ତା, ଯାହାକି ତ୍ରୁଟିପୂର୍ଣ୍ଣ ଅଟେ । ତେଣୁ 'ଭାରତ' ଉଚ୍ଚାରଣ ହିଁ ଠିକ୍ ।
୨) 'ଭାରତାଚାର୍ଯ୍ୟ', 'ଭାରତାର୍ଥପ୍ରକାଶ' ଇତ୍ୟାଦି ଶବ୍ଦାଵଳି ଵ୍ୟଵହାର ହୁଏ । 'ଭାରଦାଚାର୍ଯ୍ୟ', 'ଭାରଦର୍ଥପ୍ରକାଶ' ଇତ୍ୟାଦି ତ୍ରୁଟିପୂର୍ଣ୍ଣ ପରିଗଣିତ, ତେଣୁ ଵ୍ୟଵହାର ହୁଏନାହିିଁ ।
ଭାରତ + ଆଚାର୍ଯ୍ୟ = ଭାରତାଚାର୍ଯ୍ୟ
ଭାରତ + ଅର୍ଥପ୍ରକାଶ = ଭାରତାର୍ଥପ୍ରକାଶ
ହଳନ୍ତ ହୋଇଥିଲେ ନିମ୍ନୋକ୍ତ ଵିଚ୍ୟୁତି ଘଟିଥାନ୍ତା :
ଭାରତ୍ + ଆଚାର୍ଯ୍ୟ = ଭାରଦାଚାର୍ଯ୍ୟ
ଭାରତ୍ + ଅର୍ଥପ୍ରକାଶ = ଭାରଦର୍ଥପ୍ରକାଶ
ସେହିପରି ଆଉ କିଛି ଉଦାହରଣ ଅନୁଶୀଳନୀୟ ।
ଭାରତୋଦ୍ଧୃତ ଶବ୍ଦ ଵ୍ୟଵହାର ହୁଏ । ଭାରଦୁଦ୍ଧୃତ ତ୍ରୁଟିପୂର୍ଣ୍ଣ ଅଟେ ।
ଭାରତ + ଉଦ୍ଧୃତ = ଭାରତୋଦ୍ଧୃତ
ଭାରତ୍ + ଉଦ୍ଧୃତ = ଭାରଦୁଦ୍ଧୃତ
ଏଠାରେ ଉଲ୍ଲେଖନୀୟ ଯେ, ତ୍ (ଅଘୋଷ ଵର୍ଣ୍ଣ) ପରେ ସ୍ୱରଵର୍ଣ୍ଣ (ସଘୋଷ ଵର୍ଣ୍ଣ) ସନ୍ଧି ହେଲେ ତ୍ ର ସଘୋଷ ରୂପ ଦ ହୋଇଯାଏ । ଯେପରିକି ସତ୍ + ଆଚାର = ସଦାଚାର, ଚିତ୍ + ଆନନ୍ଦ = ଚିଦାନନ୍ଦ , ସତ୍ + ଇଚ୍ଛା = ସଦିଚ୍ଛା, ଜଗତ୍ + ଈଶ = ଜଗଦୀଶ , ସତ୍ + ଉପଯୋଗ = ସଦୁପଯୋଗ ଇତ୍ୟାଦି ।
୩) 'ଭାରତଚମ୍ପୂ' ଶବ୍ଦ ଵ୍ୟଵହାର ହୁଏ । 'ଭାରଚ୍ଚମ୍ପୂ' ତ୍ରୁଟିପୂର୍ଣ୍ଣ ଅଟେ ।
ଭାରତ + ଚମ୍ପୂ = ଭାରତଚମ୍ପୂ
ଭାରତ୍ + ଚମ୍ପୂ = ଭାରଚ୍ଚମ୍ପୂ
(ତ୍ ସହିତ ଚ ଯୁକ୍ତ ହେଲେ ଚ୍ଚ ହୋଇଥାଏ ; ଯେପରିକି ସତ୍ + ଚରିତ = ସଚ୍ଚରିତ, ସତ୍ + ଚିତ୍ = ସଚ୍ଚିତ୍ , ଜଗତ୍ + ଚକ୍ଷୁସ୍ = ଜଗଚ୍ଚକ୍ଷୁସ୍ , ଚଳତ୍ + ଚିତ୍ର = ଚଳଚ୍ଚିତ୍ର , ଉତ୍ + ଚାରଣ = ଉଚ୍ଚାରଣ , ଉତ୍ + ଚନ୍ଦ୍ର = ଉଚ୍ଚନ୍ଦ୍ର ଇତ୍ୟାଦି ।
କିନ୍ତୁ 'ଭାରଚ୍ଚମ୍ପୂ' ହୁଏନାହିଁ, ଵରଂ 'ଭାରତଚମ୍ପୂ' ହୁଏ ; ତେଣୁ 'ଭାରତ' ଶବ୍ଦରେ ହଳନ୍ତ ରହିଵ ନାହିଁ ।)
୪) 'ଭାରତମଞ୍ଜରୀ' ଶବ୍ଦ ଗ୍ରହଣୀୟ କିନ୍ତୁ 'ଭାରନ୍ମଞ୍ଜରୀ' ନୁହେଁ । ତେଣୁ 'ଭାରତ' ଅକାରାନ୍ତ ଅଟେ ।
'ଭାରତ୍' (ହଳନ୍ତ) ହୋଇଥିଲେ 'ଭାରନ୍ମଞ୍ଜରୀ' ପରି ଵିଚ୍ୟୁତି ହୋଇଥାନ୍ତା କାରଣ "ମ" ହେଉଛି ଏକ ନାସିକ୍ୟ ଵର୍ଣ୍ଣ । ତ୍ ପରେ ନାସିକ୍ୟଵର୍ଣ୍ଣ ଥିଲେ ପୂର୍ଵୋକ୍ତ ତ୍ ପ୍ରଥମେ ନିଜର ଦନ୍ତ୍ୟ ଵର୍ଗର ପଞ୍ଚମଵର୍ଣ୍ଣ (ନାସିକ୍ୟ) ନ୍ ରେ ରୂପାନ୍ତରିତ ହୋଇ ତତ୍ପରେ ମ ସହିତ ଯୁକ୍ତ ହୁଏ । ଯେମିତିକି ସତ୍ + ମାର୍ଗ = ସନ୍ମାର୍ଗ, ଚିତ୍ + ମୟ = ଚିନ୍ମୟ , ସତ୍ + ମତି = ସନ୍ମତି, ଜଗତ୍ + ମୋହିନୀ = ଜଗନ୍ମୋହିନୀ , ସତ୍ + ମୁହୂର୍ତ୍ତ = ସନ୍ମୁହୂର୍ତ୍ତ ଇତ୍ୟାଦି ।
ଯେହେତୁ ଭାରତମଞ୍ଜରୀ ଶବ୍ଦଟି କେବେହେଲେ ଭାରନ୍ମଞ୍ଜରୀ ହୁଏନାହିଁ , ତେଣୁ ଭାରତ କେବେହେଲେ ବି ଭାରତ୍ ହେଵନାହିଁ ।
୫) ଭାରତସୂଚୀ, ଭାରତସାର ଇତ୍ୟାଦି ଶବ୍ଦାଵଳି ନିର୍ଭୁଲ ପରିଗଣିତ । ତେଣୁ ଭାରତ ଅକାରାନ୍ତରେ ଉଚିତ ମନେହୁଏ ।
ଭାରତ ଶବ୍ଦଟି ହଳନ୍ତଯୁକ୍ତ ହୋଇଥିଲେ, ପ୍ରୋକ୍ତ ଶବ୍ଦଦ୍ୱୟ ଭାରତ୍ସୂଚୀ, ଭାରତ୍ସାର ଇତ୍ୟାଦି ପ୍ରମାଦ ସୃଷ୍ଟି କରିଥାନ୍ତା । ଯେମିତିିକି ଉତ୍ ସାଧନ ଉତ୍ସାଧନ ଜଗତ୍ ସ୍ରଷ୍ଟା ଜଗତ୍ସ୍ରଷ୍ଟା ଚିତ୍ ସ୍ୱରୂପ ଚିତ୍ସ୍ୱରୂପ ଇତ୍ୟାଦି ସମ୍ଭଵ ଯେହେତୁ ଉତ୍, ଜଗତ୍, ଚିତ୍ ଇତ୍ୟାଦିରେ ହଳନ୍ତ ରହିଛି । କିନ୍ତୁ ଭାରତ ଶବ୍ଦରେ ହଳନ୍ତ ନ ଥିଵାରୁ ଭାରତ୍ସୂଚୀ ଵା ଭାରତ୍ସାର ହୁଏନାହିଁ।
ପୂର୍ଵାଲୋଚନାରୁ ଜଣାପଡ଼େ ଯେ ଓଡ଼ିଆମାନେ ଉଚ୍ଚାରଣ କରୁଥିଵା ଭାରତ (ଅକାରାନ୍ତ) ହିଁ ଵ୍ୟାକରଣସିଦ୍ଧ, ଅନ୍ୟ ଉତ୍ତର ଭାରତୀୟମାନେ ଉଚ୍ଚାରଣ କରୁଥିଵା ଭାରତ୍ (ହଳନ୍ତ) ତ୍ରୁଟିପୂର୍ଣ୍ଣ ଅଟେ । ଓଡ଼ିଶାଵାସୀଙ୍କୁ ଅନୁରୋଧ ନିଜର ମୌଳିକତାକୁ ହିଁ ବଜାୟ ରଖନ୍ତୁ । ଅନ୍ୟ ଭାଷାକୁ ଅନୁକରଣ କରି ହଳନ୍ତ ଉଚ୍ଚାରଣ କରନ୍ତୁ ନାହିଁ ।
ଚିକିତ୍ସକ ଶ୍ରୀଦେଵାଶିଷ ଜ୍ୟେଷ୍ଠୀ