ଛନ୍ଦ ଓ ଅଳଙ୍କାର
ଛନ୍ଦ :
ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ । ଏହା କବିତାକୁ ଗତିଶୀଳ
କରାଇଥାଏ । ତେଣୁ ଏହାକୁ ପଦ୍ୟରଚନାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଏ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ
ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ ମଧ୍ୟ କହନ୍ତି ।
ଛନ୍ଦ ସାଧାରଣତଃ ଦୁଇପ୍ରକାର ।
(କ) ମିତ୍ରାକ୍ଷର, (ଖ) ଅମିତ୍ରାକ୍ଷର
ମିତ୍ରାକ୍ଷର ଛନ୍ଦ ତିନିଭାଗରେ ବିଭକ୍ତ ।
(କ) ପୂର୍ଣ୍ଣ ମିତ୍ରାକ୍ଷର, (ଖ) ଅପୂର୍ଣ୍ଣ ମିତ୍ରାକ୍ଷର, (ଗ) ଏକାନ୍ତର ମିତ୍ରାକ୍ଷର ।
ପଦ → ଯେ କୌଣସି କବିତା କେତେଗୁଡ଼ିଏ ପଦରେ ବିଭକ୍ତ ।
ଉଦାହରଣ-(କ)
ଗାନ୍ଧାରୀ ଦେଲା ଜନନୀ ପ୍ରାଣର
ସୁମହତ ପରିଚୟ,
ଅକ୍ଷର ହେଉ ପୁଣ୍ୟ ଜଗତେ
ଧର୍ମର ହେଉ ଜୟ । (ଗୋଟିଏ ପଦ)
(ଖ) କର୍ମକଷଣ ଦେହସହେ
ଅରଣ୍ୟ ଅଜଗର ପ୍ରାୟେ । (ଗୋଟିଏ ପଦ)
ଏତଦ୍ବ୍ୟତୀତ ଏକପଦୀ କ୍ଷୁଦ୍ର କବିତା ମଧ୍ୟ ଅଛି ।
ଉଦାହରଣ-
(କ)( କୁଆଁତାରା )
ସରଗ ନଈର ପରାଚୀ ତୁଠରେ
ପ୍ରଭାତ ସିନାନ ସାରି,
ଗୃହେ ଚଳେ ଉଷା ଏଇ ପଦୁଅଁଟି
ସରାଗେ ଗଭାରେ ମାରି ।
(ଖ)( ଝରାଶେଫାଳି )
କେଉଁ ଦେବତାର କ୍ଷଣିକ ଆଶିଷ
ଶୁଭ୍ର ପାଖୁଡ଼ା ଧରି,
ସୁନ୍ଦର ଏଇ ଶରତ ସକାଳେ
ଭୂତଳେ ପଡ଼ିଲୁ ଝରି ।
ପାଦ → ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କହନ୍ତି । ପ୍ରତିପଦରେ ଦୁଇ ବା ତତୋଧିକ ପାଦଥାଏ।
ଯତି → ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ
ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ । ଏହି ବିଶ୍ରାମ ବା ଶ୍ଵାସଘାତକୁ ଯତି ବା ଯତିପାତ କହନ୍ତି ।
ବିଭିନ୍ନ ଛନ୍ଦ ଅନୁସାରେ ପଦ, ପାଦ, ଯତି ଭିନ୍ନ ଭିନ୍ନ । ଏଠାରେ କେତେକ ଛନ୍ଦ ଓ ଯତିପାତ ଉପରେ ଆଲୋଚନା କରାଯାଉଛି ।
ଦାଣ୍ଡିବୃତ୍ତ ବା ଛନ୍ଦ :
ଏହାର ଦୁଇଟି ପାଦରେ ଗୋଟିଏ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷରସଂଖ୍ୟା ସମାନ ନୁହେଁ । ତେଣୁ ନିର୍ଦ୍ଦିଷ୍ଟ
ଭାବରେ ଯତିପାତ ହୁଏନାହିଁ କିନ୍ତୁ ବୋଲିଲାବେଳେ ଗାୟକ ସ୍ଵରଲମ୍ବାଇ ନିଜ ସୁବିଧା ଅନୁସାରେ ବିଶ୍ରାମ ନିଅନ୍ତି ।
ଓଡ଼ିଆ ସାହିତ୍ୟରେ କେତେକ ପ୍ରାଚୀନକାବ୍ୟ ଏହି ଦାଣ୍ଡିବୃତ୍ତରେ ରଚିତ ହୋଇଛି । ସାରଳାଦାସଙ୍କ “ମହାଭାରତ',
ବଳରାମ ଦାସଙ୍କ ‘ଦାଣ୍ଡିରାମାୟଣ, ଚୈତନ୍ୟଦାସଙ୍କ ‘ବିଷ୍ଣୁଗର୍ଭ ପୁରାଣ’ ଇତ୍ୟାଦି ଏହି ଛନ୍ଦରେ ଲେଖା ।
ଉଦାହରଣ -
(କ) ଯେଥୁ ଅନନ୍ତରେ ଦ୍ରୋଣେ ବିଦ୍ୟାପୁତ୍ରନ୍ତ ହକାରି
ବାବୁ ତୁମ୍ଭେ ଯାଅରେ ମୃଗୟା ବନ ହେରି ।(ସାରଳା ମହାଭାରତ)
(ଖ) ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ ।
ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ ।(ଦାଣ୍ଡି ରାମାୟଣ)
ଭାଗବତବାଣୀ ବା ଗୁଜ୍ଜରୀ:
କବି ଜଗନ୍ନାଥ ଦାସଙ୍କ ଭାଗବତ ଏହି ଛନ୍ଦରେ ରଚିତ । ଏହାର ଦୁଇପାଦରେ ଗୋଟିଏ ପଦହୁଏ।
ପ୍ରତିପାଦର ଅକ୍ଷର ସଂଖ୍ୟା ନଅ । ତେଣୁ ଏହାକୁ ନବାକ୍ଷରୀବୃତ୍ତ ବା ନବାକ୍ଷରୀଛନ୍ଦ ମଧ୍ୟ କୁହାଯାଏ ।
ପ୍ରତିପାଦର ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ –
(କ) ପ୍ରାଣୀର' ଭଲ' ମନ୍ଦବାଣୀ ।
ମରଣ କାଳେ ତାହା ଜାଣି' ||
(ଖ) ଅମୃତ' ବିନୟ ବଚନ' ।
କହି ତୋ'ଶିବ' ପ୍ରାଣୀମନ' ||
(ଭାଗବତ - ଜଗନ୍ନାଥ ଦାସ)
ନଟବାଣୀ ବା ବିଭାସକେଦାର :
ଏଥିରେ ଦୁଇଟି ପାଦରେ ଗୋଟିଏ ପଦ ହୁଏ । ପ୍ରତିଟି ପାଦର ଅକ୍ଷର ସଂଖ୍ୟା ବାର । ପାଦର
ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଉପରେ ଯତିପାତ ହୁଏ ।
ଉଦାହରଣ-
ଉତ୍କଳ-କମଳା-ବିଳାସ-ଦୀର୍ଘକା'
ମରାଳ-ମାଳିନୀ-ନୀଳାମ୍ବୁ '-ଚିଲିକା' ||
(ଚିଲିକା - ରାଧାନାଥ ରାୟ)
ଚୋଖି :
ଏହାର ଚାରିପାଦରେ ଗୋଟିଏ ପଦ ହୁଏ । ପ୍ରଥମ ଦୁଇଟି ପାଦରେ ଅଣତିରିଶଟି ଲେଖାଏଁ ଅକ୍ଷରିଥାଏ।
ତୃତୀୟପାଦରେ ନଅଟିଅକ୍ଷର ଏବଂ ଚତୁର୍ଥପାଦରେ ତେରଟି ଅକ୍ଷର ଥାଏ ।ପ୍ରଥମପାଦ ଦୁଇଟିର ଷଷ୍ଠ, ଅଷ୍ଟମ,
ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁବିଂଶ ଏବଂ ଶେଷଅକ୍ଷରରେ ଯତିପାତହୁଏ। ତୃତୀୟପାଦର ଷଷ୍ଠ ଓ ଶେଷଅକ୍ଷରରେ
ଏବଂ ଚତୁର୍ଥ ପାଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ।
ଯତିପାତ ମନେରଖିବାର ସହଜ ଉପାୟ
୧ମ ଓ ୨ ୟ ପାଦ → ୬+୨ + ୬+୨ + ୬ +୨ + ୫
୩ୟ ପାଦ ୬+୩
୪ର୍ଥ ପାଦ → ୬+୨+୫
ଉଦାହରଣ-
ତୁହି ମା’ ଜନମ' ଭୂମି' ପବିତ୍ର ଭାରତ ଭୂମି
ତୋହର ସନ୍ତାନ' ଆମେ' ଅଟୁ ସରବେ' ;
ତୋର ଶ୍ରୀଚରଣ' ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହର' ନାମ' ଆନନ୍ଦ ରବେ'।
ତୋ ଆନନ୍ଦେ ହୋଇବା ସୁଖୀ',
କାନ୍ଦିବା ଦୁଃଖରେ' ତୋର ହୋଇଣ ଦୁଃଖୀ' |
(ଜନ୍ମଭୂମି — ମଧୁସୂଦନ ରାଓ)
ବଙ୍ଗଳାଶ୍ରୀ :
ଏ ରଚନାରେ ଗୋଟିଏ ପଦ ହେଉଛି ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।
ପ୍ରଥମ ଏବଂ ଦ୍ବିତୀୟ ପାଦର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଏବଂ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ –
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି' ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି'
ନ ଦେଲେ ଉତ୍ତର କେହି' ।
( ସନ୍ତାନର ଉକ୍ତି - ମଧୁସୂଦନ ଦାସ)
ଶଙ୍କରାଭରଣ :
ଏହାର ଚାରିପାଦରେ ଗୋଟିଏ ପଦ ହୁଏ । ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା
ଚଉଦ । ତୃତୀୟ ପାଦର ଅକ୍ଷର ସଂଖ୍ୟା ଆଠ । ପ୍ରଥମ, ଦ୍ବିତୀୟ, ଚତୁର୍ଥ ପାଦର ଅଷ୍ଟମ, ଏକାଦଶ, ଏବଂ
ଶେଷ ଅକ୍ଷର ଉପରେ ଯତିପାତ ହେଉଥିବାବେଳେ ତୃତୀୟପାଦର ଦ୍ବିତୀୟ, ଷଷ୍ଠ ଏବଂ ଶେଷ ଅକ୍ଷର ଉପରେ
ଯତିପାତ ହୁଏ।
ଉଦାହରଣ-
ହେ ଆନନ୍ଦମୟ କୋଟି ଭୁବନ ପାଳକ,
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ,
ଜ୍ଞାନ' -ଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅଦିବ୍ୟ ଜ୍ଞାନ ।
(ସ୍ତବ-ମଧୁସୂଦନ ରାଓ)
ରାମକେରୀ :
ଦୁଇ ପାଦରେ ଗୋଟିଏ ପଦ । ପ୍ରତିପାଦରେ ୧୬ଟି ଅକ୍ଷର । ନବମ, ଏକାଦଶ ଓ ଷୋଡ଼ଶ ଅକ୍ଷରରେ
ଯତିପାତ ହୁଏ।
ଉଦାହରଣ-
କଳାକଳେବର କହ୍ନାଇ' ସଙ୍ଗେ' ରୋହିଣୀସୁତ'
କରନ୍ତି ମଥୁରା ବିଜୟ' ଦାଣ୍ଡେ' ଦେଖ ସଙ୍ଗୀତ' ||
ଅଳଙ୍କାର :
ସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବଦ୍ଧକ ଉପାଦାନ ଆବଶ୍ୟକ
ହୁଏ, ତାହାକୁ ଅଳଙ୍କାର କୁହାଯାଏ । ଏହା ବାକ୍ୟର ଶୋଭା ବୃଦ୍ଧି କରେ । ପାଠକ ପ୍ରାଣକୁ ଆମୋଦିତ
କରେ । ବସ୍ତୁତଃ ଅଳଙ୍କାର (ସୌନ୍ଦର୍ଯ୍ୟତତ୍ତ୍ୱ) ହେଉଛି ସାହିତ୍ୟର ବୈଶିଷ୍ଟ୍ୟ |ତଦ୍ୱାରା କାବ୍ୟ କବିତା ରମଣୀୟ
ହୋଇଥାଏ ।
କାବ୍ୟର ଅଳଙ୍କାରକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ।
ଯାହାଦ୍ଵାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ ତାହାକୁ ଶବ୍ଦାଳଙ୍କାର କୁହାଯାଏ । ଯଥା— ଯମକ,
ଅନୁପ୍ରାସ, ଶ୍ଳେଷ ପ୍ରଭୃତି ।
ଯାହାଦ୍ଵାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାହାକୁ ଅର୍ଥାଳଙ୍କାର କୁହାଯାଏ । ଉପମା, ଉପେକ୍ଷା,
ରୂପକ, ବ୍ୟତିରେକ ପ୍ରଭୃତି ଅର୍ଥାଳଙ୍କାର ।
ଶବ୍ଦାଳଙ୍କାର :
ଅନୁପ୍ରାସ :
ପଦମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ ।
ଉଦାହରଣ :
(କ)
“ଉତ୍କଳ-କମଳା-ବିଳାସ-ଦୀର୍ଘକା
ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକା” |
(ଚିଲିକା - ରାଧାନାଥ ରାୟ) ।
ଏ ଦୁଇଟି ପାଦରେ ‘କ ‘ଳ ଏବଂ ‘ମ’ର ବାରମ୍ବାର ଆବୃତ୍ତି ଘଟିଛି ।
(ଖ)
ଦେଖି ନବ କାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତସ୍ମରି,
ରକ୍ଷା କେମନ୍ତେ କରି କରିବା ମତ୍ତକରୀ
ଗତିକି ଏମନ୍ତ ବିଚାରି,
(ଲାବଣ୍ୟବତୀ – ଉପେନ୍ଦ୍ରଭଞ୍ଜ)
ଏଠାରେ ‘କ’ 'ଳ' ଏବଂ 'ର' ବ୍ୟଞ୍ଜନବର୍ଣ୍ଣର ବାରମ୍ବାର ପ୍ରୟୋଗ ହୋଇଛି ।
(ଗ)
ମୋ କୁଳେ ଚାଳି ଚରଣ କରିବୁ ମା’ ବିଚରଣ
ବ୍ୟପଦେଶେ ବିତରିଣ ଅମରକାନ୍ତି,
ତା’ ଲଭି ବନପାଦପ ରାଜି ହୋଇ ଦପଦପ
ବହିବେ ଅମର ଦର୍ପ ବିହିବେ ଶାନ୍ତି,
ପଲ୍ଲବେ ପାଟଳ ଶ୍ୟାମଳ,
ରୁଚିର ରୁଚି ରହିବ ଚିର ନିର୍ମଳ ।"
(ତପସ୍ଵିନୀ – ଗଙ୍ଗାଧର ମେହେର)
ଏଠାରେ ପ୍ରଥମ ଓ ଦ୍ବିତୀୟ ପାଦରେ – କ, ଚ, ର ଏବଂ ପ – ବ୍ୟଞ୍ଜନ ବର୍ଣ୍ଣମାନଙ୍କର ବହୁବାର ଆବୃତ୍ତି ଘଟିଛି ତୃତୀୟ ପାଦରେ ‘ପ', ‘କ’ ଏବଂ ଚତୁର୍ଥ ପାଦରେ ‘ର’ ଏବଂ ‘ଚ’ର ମଧ୍ୟ ଏକାଧୁକବାର ଆବୃତ୍ତି ଘଟିଛି।
ଏହି ଅନୁପ୍ରାସ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗ ଅଛି । ଯଥା- ବୃତ୍ୟାନୁପ୍ରାସ,ଛେକାନୁପ୍ରାସ,ଆଦ୍ୟପ୍ରାନ୍ତ୍ୟାନୁପ୍ରାସ,ଅନ୍ତ୍ୟାନୁପ୍ରାସ ଇତ୍ୟାଦି |
ଯମକ :
ଭିନ୍ନାର୍ଥବୋଧକ ଏକପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଯମକ ଅଳଙ୍କାର କୁହାଯାଏ ।
ଉଦାହରଣ-
(କ) ଦେଖରେ ନଳିନି ! ନଳିନୀ ନଳିନୀରେ ପୂରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।
(ଲାବଣ୍ୟବତୀ – ଉପେନ୍ଦ୍ରଭଞ୍ଜ)
ପ୍ରଥମ ପାଦରେ ଥିବା ନଳିନି ଏକ ସମ୍ବୋଧନପଦ । (ପଦ୍ବିନୀ ଜାତୀୟ ସୁନ୍ଦରୀ ରମଣୀ) । ଦ୍ବିତୀୟ
‘ନଳିନୀ’ର ଅର୍ଥ ପୁଷ୍କରିଣୀ ଏବଂ ତୃତୀୟ ‘ନଳିନୀ’ର ଅର୍ଥ ପଦ୍ମ । ସେହିପରି ଦ୍ଵିତୀୟ ପାଦରେ ପ୍ରଥମ
‘ଭ୍ରମରେ’ ଅର୍ଥ ଭ୍ରମରମାନେଳ ଦ୍ଵିତୀୟ ‘ଭ୍ରମରେ’ ଅର୍ଥ ଭୁଲରେ (ବିଭ୍ରାନ୍ତରେ) ଏବଂ ତୃତୀୟ ‘ଭ୍ରମରେ’
ଅର୍ଥ ଭଉଁରୀରେ ।
ଉଦାହରଣ-
(ଖ) ବରଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ
(ଜଗତେ କେବଳ – ବଳଦେବ ରଥ) ।
ପ୍ରଥମ ପାଦରେ 'ବରଜୀବ' (ଶ୍ରେଷ୍ଠ ପଶୁ)ର ଅର୍ଥ ଗାଈ ; ତାହାର ରସ ହେଲା କ୍ଷୀର । “ବରଜୀବରସ’ର ସାମଗ୍ରିକ ଅର୍ଥ ଗାଈକ୍ଷୀର । ଦ୍ଵିତୀୟ ପାଦରେ ‘ବରଜି’ର ଅର୍ଥ ତ୍ୟାଗକରି (ବର୍ଜନ କରି) ଏବଂ ‘ବରଷେ’ ଅର୍ଥ ବର୍ଷକଯାଏ । ଅର୍ଥାତ୍ ବର୍ଷକଯାଏ ବର୍ଜନ କରି ।
ଉଦାହରଣ-
(ଗ) ଅହିମକର ତାପନାଶେ ଶୋଭା ସାରସ ଚକ୍ରେ
ଅହିମକର ତାପନାଶେ ଶୋଭା ସାରସ ଚକ୍ରେ । (ଲାବଣ୍ୟବତୀ)
ଅକ୍ଷର ଦୃଷ୍ଟିରୁ ଦେଖିଲେ ଉଭୟପାଦରେ ଏକା ବର୍ଣ୍ଣମାନ ରହିଅଛି । କିନ୍ତୁ ଅର୍ଥ ଦୃଷ୍ଟିରୁ ଶବ୍ଦମାନଙ୍କର
ଭିନ୍ନତା ଜଣାଯାଏ । ଦୁଇ ପକ୍ତି ଉଚ୍ଚାରଣରେ ସମାନ ।
ପ୍ରଥମ ପାଦ – ଅହି – ସାପ, ମକର – କୁମ୍ଭୀର,
ତାପ – ଦୁଃଖ, ସାରସ – ପଦ୍ମ, ଚକ୍ରେ – ସମୂହରେ ।
ଦ୍ବିତୀୟ ପାଦ – ଅହିମକର – ସୂର୍ଯ୍ୟ, ତାପ – ଉଷ୍ମତା, ସାରସ – ହଂସ
ଚକ୍ରେ – ଚକ୍ରବାକାଦିରେ / ମଣ୍ଡଳୀରେ ।
ଏହି ଯମକ ଅଳଙ୍କାର ପ୍ରଧାନତଃ ପାଞ୍ଚ ପ୍ରକାରର, ଯଥା- ଆଦ୍ୟଯମକ, ମଧ୍ୟଯମକ,
ପ୍ରାନ୍ତଯମକ, ମାଳଯମକ ଏବଂ ସର୍ବଯମକ ।
ଶ୍ଳେଷ :
ଯେଉଁଠାରେ ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧୁକ ଭିନ୍ନାର୍ଥ ପ୍ରକାଶ କରେ, ସେଠାରେ ଶ୍ଳେଷ ଅଳଙ୍କାର
ହୁଏ । ଯେଉଁ ଶବ୍ଦ ଏକାଧିକ ଅର୍ଥ ପ୍ରକାଶ କରୁଥାଏ, ତାହାକୁ ଶ୍ଳିଷ୍ଟପଦ କୁହାଯାଏ ।
ଶ୍ଳେଷ ଅଳଙ୍କାର ତିନିପ୍ରକାର ; ଯଥା- ଅଭଙ୍ଗଶ୍ଳେଷ, ସଭଙ୍ଗଶ୍ଳେଷ ଓ ଭଙ୍ଗାଭଙ୍ଗ ଶ୍ଳେଷ ।
ଯେଉଁଠାରେ ଶବ୍ଦକୁ ନଭାଙ୍ଗି ଭିନ୍ନ ଭିନ୍ନ ଅର୍ଥ କରାଯାଏ, (ଶବ୍ଦ ଅଖଣ୍ଡିତ ରହି ଏକାଧିକ ଅର୍ଥ
ପ୍ରକାଶ କଲେ) ସେଠାରେ ଅଭଙ୍ଗ ଶ୍ଳେଷ, ଯେଉଁଠାରେ ଶବ୍ଦକୁ ଭାଙ୍ଗି ଭିନ୍ନାର୍ଥ କରାଯାଏ ଅର୍ଥାତ୍
ଶବ୍ଦ ଖଣ୍ଡିତ ହୋଇ ଭିନ୍ନାର୍ଥ ପ୍ରକାଶ କରେ, ସେଠାରେ ସଭଙ୍ଗ ଶ୍ଳେଷ ହୁଏ । ଯେଉଁଠାରେ ଅଭଙ୍ଗ
ଓ ସଭଙ୍ଗ ଉଭୟେ ରହିଥାନ୍ତି, ସେ ସ୍ଥଳରେ ଭଙ୍ଗାଭଙ୍ଗ ଶ୍ଳେଷ ବା ସଭଙ୍ଗାଭଙ୍ଗ ଶ୍ଳେଷହୁଏ।
ଉଦାହରଣ-
ବାବୁ ନାକଶିରୀଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।
(ବୈଦେହୀଶ ବିଳାସ – ଉପେନ୍ଦ୍ରଭଞ୍ଜ)
ଏଠାରେ ପ୍ରଥମ ପାଦରେ ଥିବା “ନାକଶିରୀ’ ଏବଂ ‘ଦାନ’ ପଦଦୁଇଟି ଶ୍ଳିଷ୍ଟପଦ ।
ଏହି ପଦଦୁଇଟି ଅଭଙ୍ଗ ରୂପେ ଦୁଇଟି ଭିନ୍ନ ଅର୍ଥ ପ୍ରକାଶ କରୁଛି ।
ପ୍ରଥମ ଅର୍ଥରେ - ନାକଶିରୀ → ସ୍ଵର୍ଗସମ୍ପଦ ( ଐଶ୍ଵର୍ଯ୍ୟ)
[ ନାକ → ସ୍ଵର୍ଗ, ଶିରୀ → ଐଶ୍ଵର୍ଯ୍ୟ । ସମ୍ପଦ ] ଏବଂ ଦାନ → ଦାନଦେବା (ପ୍ରଦାନକରିବା) ।
ଦ୍ବିତୀୟ ଅର୍ଥରେ - ନାକଶିରୀ = ନାକର ସୌନ୍ଦର୍ଯ୍ୟ ଏବଂ ଦାନ ଅର୍ଥ ଛେଦନ କରିବା [ ଦା → ଦେବା
ଓ କାଟିବା ଅର୍ଥରେ ପ୍ରଯୁଜ୍ୟ ] ଉକ୍ତ ପଦଦୁଇଟି ଖଣ୍ଡିତ ନହୋଇ ଭିନ୍ନଭିନ୍ନ ଅର୍ଥ ପ୍ରକାଶ କରୁଥିବାରୁ ଏହା
ଅଭଙ୍ଗ ଶ୍ଳେଷ।
ଦ୍ବିତୀୟ ପାଦରେ ‘ବିହର କାନନ’ ଅର୍ଥ କାନନରେ (ବନରେ) ‘ବିହାର କର’ (ଭ୍ରମଣ କର) ତଥା
‘ଆଲିଙ୍ଗନ କର’ ବୁଝାଉଛି।
ଦ୍ବିତୀୟ ଅର୍ଥରେ ‘ବି’ ହର (ବିଶେଷ ଭାବରେ ହରଣ କର) ‘କାନ’ ଓ ‘ନ କର’ ଆଲିଙ୍ଗନକୁ ବୁଝାଉଛି । ଏଠାରେ ‘ବିହର’ ଅର୍ଥ ଛେଦନକର । [ କାନକୁ ଛେଦନ କର ଓ ଆଲିଙ୍ଗନକୁ ନ କର ] ‘କାନନ’ ପଦଟି ଖଣ୍ଡିତ ହେବାଦ୍ବାରା [କାନ-] ଭିନ୍ନାର୍ଥ ପ୍ରକାଶ ପାଉଛି । ତେଣୁ ଏହା ସଭଙ୍ଗ ଶ୍ଳେଷ।।
ସମଗ୍ର ପଦଟିରେ ଅଭଙ୍ଗ ଓ ସଭଙ୍ଗ ଶ୍ଳେଷଥିବାରୁ ଏହାକୁ ଭଙ୍ଗାଭଙ୍ଗ ଶ୍ଳେଷ ବା ସଭଙ୍ଗାଭଙ୍ଗ ଶ୍ଳେଷ କୁହାଯାଏ।
ଅର୍ଥାଳଙ୍କାର :
ଉପମା :
ଯେଉଁ ବାକ୍ୟରେ ଉପମାନ, ଉପମେୟ ସମାନଧର୍ମ ବିଶିଷ୍ଟ ହୋଇଥାନ୍ତି ଓ ସେମାନଙ୍କ ମଧ୍ୟରେ ଥିବା
ସାଦୃଶ୍ୟ (ପରି, ତୁଲ୍ୟ, ସଦୃଶ, ଯେହ୍ନେ, ଯେସନ, ସରି, ଯଥା ପ୍ରଭୃତି) ସାଧାରଣବୋଧକ ଶବ୍ଦଦ୍ଵାରା
ଅଭିହିତ ହୋଇଥାଏ, ସେଠାରେ ଉପମା ଅଳଙ୍କାର ହୁଏ ।
ଯାହାକୁ ତୁଳନା ଦିଆଯାଇଥାଏ ତାହାକୁ ଉପମେୟ କୁହାଯାଏ । ଯଥା- ମୁଖ ଚନ୍ଦ୍ରପରି ସୁନ୍ଦର ।
ଏଠାରେ ମୁଖକୁ ଚନ୍ଦ୍ରସହିତ ତୁଳନା କରାଯାଇଥିବାରୁ ‘ମୁଖ’ ଉପମେୟ । ଯାହାସହିତ ତୁଳନା
କରାଯାଏ ତାହା ଉପମାନ । ସାଧାରଣତଃ ପ୍ରକୃତିର ସୌନ୍ଦର୍ଯ୍ୟବିଭବ କିମ୍ବା ଅଧିକ-ଗୁଣବିଶିଷ୍ଟ
ବସ୍ତୁକୁ ଉପମାନ ଭାବେ ଗ୍ରହଣ କରାଯାଏ । ଏଠାରେ ‘ଚନ୍ଦ୍ର’ ବହୁଗୁଣବିଶିଷ୍ଟ ହୋଇଥିବାରୁ ଉପମାନ ।
ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରାଯାଏ ତାହାକୁ ସାଧାରଣ
ଧର୍ମ କହନ୍ତି । ଉପରଲିଖୁତ ବାଜ୍ୟରେ ମୁଖ ଓ ଚନ୍ଦ୍ରର ସାଧାରଣ ଗୁଣ ହେଉଛି ସୌନ୍ଦର୍ଯ୍ୟ ।
ଉପମେୟ ଓ ଉପମାନ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଶବ୍ଦ ସଂଯୋଗ କରେ ଅଥବା ସେମାନଙ୍କ
ସାଦୃଶ୍ୟକୁ ପ୍ରକାଶ କରେ, ତାହାକୁ ଉପମାବାଚକ ଶବ୍ଦ କୁହାଯାଏ । ପରି, ଯେହ୍ନେ, ଯଥା, ସଦୃଶ,
ତୁଲ୍ୟ,ଯେସନ ପ୍ରଭୃତି ଉପମାବାଚକ ଶବ୍ଦ ।
ଉଦାହରଣ-
(କ) ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମରେ,
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ।
(ଶରତ – ଭକ୍ତକବି ମଧୁସୂଦନ ରାଓ)
ଏଠାରେ ଉପମେୟ = ସୁନୀଳ ଅମ୍ବରେ (ଆକାଶରେ), ଧଳା ମେଘ
ଉପମାନ → ନୀଳ ସମୁଦ୍ରରେ ଭାସୁଥିବା ବୋଇତ
ସାଧାରଣ ଧର୍ମ → ଭାସିବା
ଉପମାବାଚକ ଶବ୍ଦ → ଯଥା
(ଖ) ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ,
ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ,
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ,
ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗ ।
(ଚନ୍ଦ୍ରଭାଗା - ରାଧାନାଥ ରାୟ)
ଏଠାରେ ଉପମେୟ – ଅବଳା (ଚନ୍ଦ୍ରଭାଗା)
ଉପମାନ – ପ୍ରଭାତୀ ତାରା, ଜୀବାତ୍ମା, ଚପଳା
ସାଧାରଣ ଧର୍ମ – ଲୀନହେବା, ମିଶିଯିବା
ଉପମାବାଚକ ଶବ୍ଦ – ଯଥା, ତଥା
ଏହି ପଦରେ ଗୋଟିଏ ଉପମେୟ ପାଇଁ ତିନୋଟି ଉପମାନ ରହିଛି । ଏହା ମାଧୋପମାର ଉଦାହରଣ।
ଉତ୍ ପ୍ରେକ୍ଷା
ପ୍ରକୃତ ବସ୍ତୁରେ (ଉପମେୟରେ) ଅପ୍ରକୃତ ବସ୍ତୁ (ଉପମାନ)ର ସମ୍ଭାବନା ବା ତର୍କଣା କରାଗଲେ
ଉପେକ୍ଷା ଅଳଙ୍କାର ହୁଏ । ଏହି ଅଳଙ୍କାରରେ ‘କି, ସତେକି, ସିନା, ସତେ, ଅବା, କିବା, ବା, ବୋଧେ
ପ୍ରଭୃତି ଉପ୍ରେକ୍ଷାବାଚକ ଶବ୍ଦ ବ୍ୟବହୃତ ହୋଇଥାଏ।
ଉଦାହରଣ-
(କ) ଶ୍ୱେତାଙ୍ଗ ଚଢ଼େଇ ଗୁହା ସମୁଦ୍ଗତ,
ନୀରଭେଦି କିବା ଉଠେ ଐରାବତ ।
(ଚିଲିକା - ରାଧାନାଥ ରାୟ)
ରୂପକ :
ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ । କଥିତ ହେଲେ ଏବଂ ଉପମେୟରେ ଉପମାନର
ଆରୋପ ହେଲେ ରୂପକ ଅଳଙ୍କାର ହୁଏ।
ଉପମାଳଙ୍କାରରେ ଉପମାନ ଉପମେୟ ଉଭୟର ସାଦୃଶ୍ୟ ବର୍ଣ୍ଣନା କରାଯାଇଥାଏ । ରୂପକ
ଅଳଙ୍କାରରେ ଉପମାନ ଓ ଉପମେୟର ଅଭେଦ କଳ୍ପନା କରାଯାଇଥାଏ।
ଉଦାହରଣ-
(କ) ଦରିଦ୍ରତା-ପଙ୍କପୂର୍ଣ ମୋ ଜୀବନ-ସର,
ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର ।
[ ତପସ୍ବିନୀ – ଗଙ୍ଗାଧର ମେହେର ] ।
ଏହି ପଦରେ ‘ଦରିଦ୍ରତା’ରେ ‘ପଙ୍କ’ର ଆରୋପଣ ହେତୁ ‘ଜୀବନ’ ଓ ଜଞ୍ଜାଳ’ରେ ଯଥାକ୍ରମେ
ସର’, ‘ଜଳଦ-ଜଳ’ର ଆରୋପ କରାଯାଇଛି ।
ଉଦାହରଣ-
(ଖ)କବିତା ବନିତା କବି ତା’ ପିତା
କହିବା ଲୋକ ତା’ର ଉପମାତା
କଲେ ତାକୁ ଭୋଗ ରସିକ ନେତା
କେତେହେଁ ଅବା ରହଇ ଯୋଗ୍ୟତା
କୁମତି ଗୁଆଁର
କେବଳ ବଇମାତ୍ର ଭାଇ ତା’ର ।
[ ରସକଲ୍ଲୋଳ - ଦୀନକୃଷ୍ଣ ଦାସ ]
ଏଠାରେ କବିତା ଠାରେ ବନିତା, କବିଙ୍କଠାରେ ପିତା, କହିବା ଲୋକଠାରେ ଉପମାତା, ଗୁଆଁରଠାରେ । ବୈମାତ୍ରେୟ ଭାଇର ଆରୋପ କରାଯାଇଅଛି ।
ଉଦାହରଣ-
(ଗ) କଳୁଷ-ପଙ୍କ ମୁହଁ କେଡ଼େ ମଳିନ,
କେମନ୍ତେ ସରି ତୋର ହେବି ନଳିନ !
[ ପଦ୍ମ - ଭକ୍ତକବି ମଧୁସୂଦନ ]
ଏଠାରେ କଳୁଷ ଓ ପଙ୍କ ମଧ୍ୟରେ ଅଭେଦ କଳ୍ପନା କରାଯାଇଛି ଏବଂ କଳୁଷ ଯାହା ପଙ୍କ
ତାହା ବୋଲି କୁହାଯାଇଛି । ଅର୍ଥାତ୍ କଳୁଷ ଓ ପଙ୍କ ମଧ୍ୟରେ କୌଣସି ଭେଦନାହିଁ - ଦୁହେଁ
ଏକ ବସ୍ତୁ ବୋଲି କଳ୍ପନା କରାଯାଇଛି।
https://blog.odiabook.in/2023/08/chhanda-alankar-odia.html