THE EXCITEMENT OF NATIONALISM [Odia] | ଜାତୀୟତାର ଉନ୍ମେଷ

@_ustad
0
ଜାତୀୟତାର ଉନ୍ମେଷ
The excitement of nationalism

ଜାତୀୟତାର ଉନ୍ମେଷ

⁠ ଜାତୀୟତାର ଅର୍ଥ ହେଲା ଦେଶ ଭକ୍ତି, ରାଷ୍ଟ୍ରପ୍ରୀତି; ଲକ୍ଷ୍ୟ ହେଲା ଦେଶ ଗଠନ । ରାଷ୍ଟ୍ରଭକ୍ତିର ବିଚାରଧାରାକୁ ଜାତୀୟତା ବୋଲି କୁହାଯାଏ । ଗୋଟାଏ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ଏବଂ ତା' ଭିତରେ ଗଢ଼ି ଉଠିଥିବା ଭାଷା, ସଂସ୍କୃତି ଓ ପରଂପରାକୁ ଜାତୀୟତା ଏକ ବୋଲି ବିଚାର କରେ ଏବଂ ଉକ୍ତ ଭାଷାଭାଷୀ ଓ ସଂସ୍କୃତିର ଲୋକଙ୍କ ମଧ୍ୟରେ ବିଭେଦ ନାହିଁ ବୋଲି ଯୁକ୍ତି କରେ । ଜାତୀୟତାର ସ୍ଥାୟିତ୍ୱପାଇଁ ଜାତୀୟ ଏକତା ଜରୁରୀ । ଜାତିର ସାମୂହିକ ଉନ୍ନତି ନିମନ୍ତେ ବ୍ୟକ୍ତି ସ୍ୱାର୍ଥକୁ ବଳି ଦେବାକୁ ଜାତୀୟତା ପ୍ରତିଶ୍ରୁତିବଦ୍ଧ ହୁଏ । ଏହି କାରଣରୁ ସମୂହ ଉନ୍ନତିପାଇଁ ଆତ୍ମବଳି ଦେଇଥିବା ବ୍ୟକ୍ତି ଜାତୀୟତାର ମାନଦଣ୍ତରେ ଅନ୍ୟପାଇଁ ଆଦର୍ଶ ହୁଅନ୍ତି ।

   ଜାତୀୟତାର ଅବଧାରଣା

 ବିଶ୍ୱ ଇତିହାସରେ ଜାତୀୟତାର ଉନ୍ମେଷ ବିଶେଷ ପୁରୁଣା ନୁହେଁ । ମଧ୍ୟଯୁଗର ଶେଷ ବେଳକୁ ଏହା ପ୍ରଥମେ ୟୁରୋପରେ ବିକାଶ ଲାଭ କଲା ଏବଂ ତାକୁ ଭିତ୍ତି କରି ଆଧୁନିକ ରାଜ୍ୟ ରାଷ୍ଟ୍ରମାନ ଗଠିତ ହେଲେ । ଯେତେବେଳେ ବିଭିନ୍ନ କାରଣରୁ ଲୋକ ବାହାରକୁ ଗଲେ, ସେମାନେ ଦେଖିଲେ ଭାଷା, ସଂସ୍କୃତି ଏବଂ ଭୌଗୋଳିକ ପରିସୀମା ଦୃଷ୍ଟିରୁ ଗୋଟାଏ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅନ୍ୟ ଅଞ୍ଚଳ ତୁଳନାରେ ଅନେକ ସମତା ରହିଥାଏ । ସେହି ଆଧାରରେ ସେମାନେ ନିଜକୁ ଗୋଟିଏ ଜାତି ଓ ଅନ୍ୟଠାରୁ ଅଲଗା ବୋଲି ପରିଚୟ ଦେଲେ । ନିଜ ଅଞ୍ଚଳ ବାହାରକୁ ଗଲା ପରେ ଯେଉଁ ଅସୁରକ୍ଷା ଭାବ ଓ ସଂକଟର ସ୍ଥିତି ଅନୁଭୂତ ହୁଏ, ତା'ର ସମ୍ମୁଖୀନ ହେବା ଲାଗି ସେମାନେ ଜାତି ନାଁରେ ଗୋଷ୍ଠୀଭୁକ୍ତ ହେଲେ । ଜାତି ପରିଚୟ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲା । ଫରାସୀ ଭାଷାଭାଷୀ ଲୋକେ ନିଜକୁ ଫରାସୀ ଜାତି ବୋଲି ପରିଚୟ ଦେଲେ; ଇଂରାଜୀ ଭାଷା-ଭାଷୀ ଲୋକେ କହିଲେ, ସେମାନେ ଇଂରେଜ ଜାତି । ବିବାଦ ସୃଷ୍ଟି ହେଲେ, ଜିଣିବା ସକାଶେ ଜାତୀୟତା ଆଧାରରେ ପକ୍ଷମାନ ଗଠିତ ହେଲା । ପରେ ରାଜା ରାଜାଙ୍କ ମଧ୍ୟରେ କଳହ ହେଲେ ବି ତାକୁ ଜାତି କଳହର ରୂପ ଦିଆଗଲା । ଫଳରେ ରାଜାଙ୍କୁ ସ୍ୱଦେଶର ଲୋକ ସମର୍ଥନ ମିଳିବା ସହଜ ହେଲା । ସେହି ସମୟଠାରୁ ଆଜି ଏକବିଂଶ ଶତାବ୍ଦୀଯାଏ ଜାତୀୟତା ବିଶ୍ୱ ରାଜନୀତିର ପ୍ରମୁଖ ସ୍ୱର ହୋଇଛି । ଆଧୁନିକ ରାଜ୍ୟ-ରାଷ୍ଟ୍ରର କଳା, ଇତିହାସ, ବିଜ୍ଞାନ, ପ୍ରଯୁକ୍ତି, ସବୁଥିରେ ଜାତୀୟତାର ବ୍ୟାପକ ପ୍ରଭାବ ରହିଆସିଛି । ଅର୍ଥାତ୍‍ କଳାକାର ରାଷ୍ଟ୍ର ହିତକୁ ଉପେକ୍ଷା କରି କଳା କଥା ଚିନ୍ତା କରେ । ଅଥବା ବୈଜ୍ଞାନିକପାଇଁ ଜାତୀୟତାକୁ ଗୌଣ ବିଚାର କରିବା ସଂଭବ ହୁଏ ନାହିଁ । ଏପରିକି ଖେଳରେ ମଧ୍ୟ ଜାତୀୟତାବାଦର ପ୍ରଭାବ ପ୍ରଚ୍ଛନ୍ନ ଭାବରେ ରହିଥାଏ । ⁠ ପ୍ରାୟତଃ ଦେଖାଯାଇଛି ଯେ, ଜାତୀୟତାର ସ୍ୱରୂପ ନେତୃତ୍ୱର ଦୃଷ୍ଟିକୋଣ ଉପରେ ନିର୍ଭରଶୀଳ ରହେ । ନେତୃତ୍ୱ ତାକୁ ଯେଉଁ ଦିଗରେ ବ୍ୟବହାର କରେ, ତାହା ସେହି ଦିଗରେ ବ୍ୟବହୃତ ହୁଏ । ଅର୍ଥାତ୍‍ ନେତୃତ୍ୱ ନାମକ ଏକ ଛୋଟ ଗୋଷ୍ଠୀ ଓ ତାର ସ୍ୱାର୍ଥକୁ ଜାତୀୟ ଗୋଷ୍ଠୀ ଓ ଜାତୀୟ ସ୍ୱାର୍ଥ ନାମରେ ଅଧିକ ମହତ୍ତ୍ୱ ମିଳିବାର ଆଶଙ୍କା ଜାତୀୟତାରେ ରହିଥାଏ । ଉଦାହରଣ ସ୍ୱରୂପ, ଇଉରୋପରେ ଊନବିଂଶ ଶତାବ୍ଦୀରେ ପୁଞ୍ଜିବାଦୀ ଓ ଉପନିବେଶବାଦୀ ବିକାଶ ସମ୍ଭବ ହେଲା ଏବଂ ତା'ପାଇଁ ଜାତୀୟତାକୁ ଅସ୍ତ୍ର ଭଳି ବ୍ୟବହାର କରାଯାଇଥିଲା । ଇଂରେଜମାନେ ନିଜ ଦେଶର ପୁଞ୍ଜିବାଦୀ ବିକାଶ ନିମନ୍ତେ ଏସିଆରେ ଏବଂ ବିଶେଷକରି ଭାରତବର୍ଷରେ ସାମ୍ରାଜ୍ୟ ବିସ୍ତାର କଲେ ଏବଂ ସେହି ପ୍ରକ୍ରିୟାରେ ଆର୍ଥିକ ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର କଲେ । ଏ ସବୁ ପଛରେ ଇଂରେଜ ଜାତୀୟତାର ଆର୍ଥିକ ସମର୍ଥନ ରହିଥିଲା । ଏହି ଦୃଷ୍ଟିରୁ ଦେଖିଲେ, ସେତେବେଳେ ଇଂରେଜ ଜାତୀୟତା ପ୍ରାୟତଃ ଭାରତୀୟ ଜାତୀୟ ସ୍ୱାର୍ଥର ପରିପନ୍ଥୀ ପ୍ରମାଣିତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ନାଜିବାଦ ଲକ୍ଷ ଲକ୍ଷ ଇହୁଦୀ ଏବଂ ଅନ୍ୟ ନାଜି ବିରୋଧୀମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଲା । ନାଜିବାଦର ନେତୃତ୍ୱ ରହିଥିଲା ହିଟ୍‍ଲରଙ୍କ ହାତରେ । ଜର୍ମାନୀକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରି ଗଢ଼ିବା ନାଁରେ ସେ ନାଜିବାଦକୁ ଯଥାର୍ଥ ବୋଲି କହୁଥିଲେ । ନାଜିବାଦର ହିଂସ୍ରତା ପଛରେ ଉଗ୍ର ଜାତୀୟତାବାଦ ଆହୁତି ପରି କାମ କରୁଥିଲା । ଅନ୍ୟଥା ଜଣେ ବ୍ୟକ୍ତି ଭାବରେ ହିଟଲର୍‍ ପାଖରେ ଏତେ ଅଧିକ ମାତ୍ରାରେ ଜଘନ୍ୟ କାମ କରିବାର ସାମର୍ଥ୍ୟ ବା ଆସନ୍ତା କେମିତି ?

ବିଶ୍ୱ ଇତିହାସରେ ଅନେକ ଉଦାହରଣ ରହିଛି, ଯେଉଁଠି ଜାତୀୟତା ଏକ ନକାରାତ୍ମକ ଭୂମିକା ଗ୍ରହଣ କରିଛି । ଆହୁରି ଅନେକ ଉଦାହରଣ ଅଛି, ଯେଉଁଠି ଜାତୀୟତାର ଭୂମିକା ମୋଟାମୋଟି ଭାବରେ ସକାରାତ୍ମକ । ତର୍ଜମା କଲେ ଜଣାପଡେ଼ ଯେ, ଉପନିବେଶବାଦ ଓ ସାମ୍ରାଜ୍ୟବାଦଦ୍ୱାରା ତ୍ରସ୍ତ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଦେଶଗୁଡ଼ିକରେ ଜାତୀୟତାର ମୁଖ୍ୟ ସ୍ୱର ହେଲା ମାନବବାଦ । ଏହା ସକାରାତ୍ମକ । ଏହି ଦେଶଗୁଡ଼ିକରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜାତୀୟତା ଆନ୍ଦୋଳନ ଆରମ୍ଭ ହେଲା । ଏହାର ଗୋଟିଏ ଚରିତ୍ର ହେଲା ସାମାଜିକ ମୁକ୍ତିକାମନା । ଭାରତରେ ଜାତୀୟତା ଆନ୍ଦୋଳନ ଇଂରେଜ ଶକ୍ତିର ବିରୋଧ କରିବା ସହିତ ସାମନ୍ତବାଦୀ ରୂଢ଼ିବାଦିତା, ସାମାଜିକ କୁସଂସ୍କାର, ନିରକ୍ଷରତା, ଜାତିବାଦ ଓ ପୁରୁଷତାନ୍ତ୍ରିକତା ଆଦି ଅନ୍ତରୀଣ ଜଡ଼ତାରୁ ବିମୁକ୍ତିପାଇଁ ସଂଗ୍ରାମ କଲା । ଭାରତର ଦୁର୍ଦ୍ଦଶାପାଇଁ ଇଂରେଜ ଶାସନ ପରି ସାମାଜିକ ରୂଢ଼ିବାଦିତା ଓ ଜଡ଼ତା ଦାୟୀ ବୋଲି ଆମ ଜାତୀୟତାବାଦୀ ନେତୃବୃନ୍ଦ ହୃଦବୋଧ କଲେ । ⁠ ୧୯୪୭ରେ ଇଂରେଜ ଉପନିବେଶବାଦ କବଳରୁ ମୁକ୍ତି ପାଇ ଭାରତ ସ୍ୱାଧୀନ ହେଲା । ଏହା ପଛରେ ବଡ଼ କାରଣ ଥିଲା ଜାତୀୟତା ଆନ୍ଦୋଳନ । ସେଥିପାଇଁ ଭାରତରେ ଜାତୀୟତା ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମ ମଧ୍ୟ କୁହାଯାଏ । ଜାତୀୟତା ଆଧାରରେ ଲୋକ ଏକତାବଦ୍ଧ ହେଲେ ଏବଂ ଜାତୀୟ ମୁକ୍ତିପାଇଁ ବିଦେଶୀ ଶାସକ ବିରୋଧରେ ସଂଗ୍ରାମ କଲେ । ଏହା ସହିତ, ଜାତୀୟତା ଆନ୍ଦୋଳନ ସମୟରେ ଭାରତରେ ଏକ ଆଧୁନିକ ରାଷ୍ଟ୍ରଗଠନର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ସେତିକି ନୁହେଁ, ଆମ ନେତୃବୃନ୍ଦ ଜାତୀୟତାକୁ ବିଶ୍ୱମାନବିକତାର ପରିପୂରକ ବୋଲି ଦିଗ୍‍ଦର୍ଶନ ଦେଲେ । ଏହି କାରଣରୁ ମହାତ୍ମାଗାନ୍ଧୀଙ୍କ ଭଳି ଭାରତୀୟ ଜାତୀୟତାବାଦୀ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ରଂଗଭେଦବିରୋଧୀ ଆନ୍ଦୋଳନ ନିମନ୍ତେ ପ୍ରେରଣାର ସ୍ରୋତ ହୋଇଛନ୍ତି । କେବଳ ମହାତ୍ମାଗାନ୍ଧୀ କାହିଁକି, ଓଡ଼ିଶାର ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଦାସଙ୍କ ପରି ଜଣେ ଜାତୀୟତାବାଦୀଙ୍କ ବିଚାରକୁ ଯଦି ଆଜି ତର୍ଜମା କରାଯାଏ, ସିଦ୍ଧ ହେବ ଯେ ସର୍ବଦା ବିଶ୍ୱମାନବିକତା ହିଁ ତାଙ୍କର ଉପଜୀବ୍ୟ ଥିଲା ।

ମୋଟ କଥା ହେଲା, ଜାତୀୟତା ହେଉଛି ଆଧୁନିକ ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ବାସ୍ତବିକତା । ସମକାଳୀନ ପ୍ରତ୍ୟେକ ଇତିହାସରେ ତା'ର ପ୍ରଭାବ ଦେଖିବାକୁ ମିଳେ । ଦ୍ୱିତୀୟ, ସମାଜର ମଧ୍ୟବର୍ଗୀୟ ଶିକ୍ଷିତ ବୁଦ୍ଧିଜୀବୀ ହାତରେ ଜାତୀୟତାର ନିୟନ୍ତ୍ରଣ ରହିଥାଏ । ନେତୃବର୍ଗର ଦୃଷ୍ଟିକୋଣକୁ ଆଧାର କରି ଜାତୀୟତାର ସ୍ୱରୂପ ନିର୍ଦ୍ଧାରିତ ହୁଏ । ଯେଉଁ ନେତୃବର୍ଗ ଲୋକଙ୍କର ସମୂହ ସ୍ୱାର୍ଥକୁ ମହତ୍ତ୍ୱ ଦିଅନ୍ତି, ସେହି ସମାଜରେ ଜାତୀୟତା ଏକ ସୁସ୍ଥ, ସ୍ୱାବଲମ୍ବୀ ପରିବେଶ ନିର୍ମାଣରେ ଅଗ୍ରଣୀ ଭୂମିକା ନିଏ । ଭାରତରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ କତିପୟ ମଧ୍ୟ-ବର୍ଗୀୟ ଶିକ୍ଷିତ ଲୋକଙ୍କ ପ୍ରଚେଷ୍ଟାରେ ଯେଉଁ ଜାତୀୟତାର ଉନ୍ମେଷ ଘଟିଥିଲା; ତାହା ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ବେଳକୁ ଛାତ୍ର, ଯୁବକ, ଚାଷୀ, ମଜୁରିଆ,ସିପାହୀ, ମହିଳା ଭଳି ଅତି ସାଧାରଣ ସ୍ତରକୁ ବିସ୍ତାର ଲାଭ କଲା । ୧୮୮୫ ମସିହାରେ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସମୟରେ ଭାରତୀୟ ଜାତୀୟତା, ଇଂରେଜ ସରକାର ଆଗରେ ହାରି ଗୁହାରି ହୋଇ ଜାତୀୟ ଉନ୍ନତି କରିବ ବୋଲି ଆଶା ପୋଷଣ କରିଥିଲା । ମାତ୍ର ୧୯୪୨ ମସିହା ବେଳକୁ ଗଣ ସମର୍ଥନଯୋଗୁଁ ଏହା ଋଦ୍ଧିମନ୍ତ ହେଲା ଓ ଇଂରେଜ ସରକାରକୁ 'ଭାରତ ଛାଡ଼' ବୋଲି କଡା ନିର୍ଦ୍ଦେଶ ଦେଲା । ଗଣ ସମର୍ଥନ ମିଳିବା ପଛରେ ଏକ ପ୍ରମୁଖ କାରଣ ଥିଲା ନେତୃତ୍ୱର ଦୂରଦୃଷ୍ଟି । ଜାତୀୟତାର ଉନ୍ମେଷଠାରୁ ଆରମ୍ଭ କରି ଗଣ ଆନ୍ଦୋଳନ ଏବଂ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଯେଉଁ ଦୀର୍ଘ କାଳାଂଶ, ଅଗଣିତ ଘଟଣାବଳୀ, ତାହା ହେଲା ଜାତୀୟତା ଆନ୍ଦୋଳନର ମେରୁଦଣ୍ତ । ତହିଁରେ ନା ଉନ୍ମେଷକାଳ କମ୍‍ ମହତ୍ତ୍ୱପୂର୍ଣ୍ଣ ନା ସ୍ୱାଧୀନତାପ୍ରାପ୍ତି ଅଧିକ ମହତ୍ତ୍ୱପୂର୍ଣ୍ଣ । ସବୁଗୁଡ଼ିକ ମିଶି ଆନ୍ଦୋଳନର ଦୈର୍ଘ୍ୟ ନିରୂପଣ କରିଛନ୍ତି; ସବୁଗୁଡ଼ିକ ଗୋଟାଏ ଆନ୍ଦୋଳନର ଅଂଶବିଶେଷ । ପ୍ରତ୍ୟେକ ଅଂଶର ପୁଣି ବିଶେଷ ମହତ୍ତ୍ୱମାନ ରହିଛି । ଆନ୍ଦୋଳନର ସାମଗ୍ରିକ ରୂପକୁ ଜାଣିବାକୁ ହେଲେ ଖଣ୍ତଗୁଡ଼ିକର ବୈଶିଷ୍ଟ୍ୟକୁ ବୁଝିବା ଆବଶ୍ୟକ । ପୁଣି, ଗୋଟାଏ ଖଣ୍ତକୁ ବୁଝିବା ନାଁରେ ଅନ୍ୟ ଖଣ୍ତଗୁଡ଼ିକୁ ଗୌଣ ପ୍ରତିପାଦନ କରାଯାଇ ନପାରେ । ଇତିହାସର ସେହିଭଳି ଖଣ୍ତିତ ଅଧ୍ୟୟନ ନା ଇତିହାସ ସମ୍ମତ, ନା ଆମୋଦଦାୟୀ ! ବରଂ ପ୍ରକାରାନ୍ତରେ ତାହା ଆମର ଦୂରଦୃଷ୍ଟିଶୂନ୍ୟତାକୁ ପରିସ୍ଫୁଟ କରେ ।
ଭାରତ ହେଲା ଏକ ବହୁ ଅଞ୍ଚଳବିଶିଷ୍ଟ କ୍ଷେତ୍ରର ସାମୂହିକ ନାମ । ତହିଁରେ ଅନେକ ଆଞ୍ଚଳିକ ଭାଷା, ଅନେକ ସଂସ୍କୃତି, ଅନେକ ଧର୍ମ ଏବଂ ଅନେକ ବର୍ଣ୍ଣ । ଜାତୀୟତାର ଚେର ଏହି ବିସ୍ତୃତ କ୍ଷେତ୍ରର କୋଣ ଅନୁକୋଣକୁ ପରିବ୍ୟାପ୍ତ । ଅନ୍ୟଥା ଆନ୍ଦୋଳନ ଗଣାଭିମୁଖୀ ହୋଇ ପାରିନଥାନ୍ତା । ଅର୍ଥାତ୍‍ ଜାତୀୟତାର ବିଚାରଧାରାକୁ ଲୋକଙ୍କ ଉପରେ ଲଦି ଦିଆଯାଇ ନାହିଁ । ସାଂପ୍ରତିକ ସ୍ଥିତିରେ ଲୋକ ଜାତୀୟତାକୁ ଆଦର୍ଶ ସମାଜ ଗଢ଼ିବା ଲାଗି ମାଧ୍ୟମ ମନେ କରୁଥିଲେ । ଏହା ଜାତୀୟତା ଆନ୍ଦୋଳନକୁ ବିସ୍ତାରିତ ହେବାଲାଗି ସହଯୋଗ କଲା ।

ଭାରତରେ ଜାତୀୟତା ଆନ୍ଦୋଳନ ବିବିଧତାପୂର୍ଣ୍ଣ । ଲୋକ ନିଜ ନିଜ ସ୍ତରରେ ତାକୁ ନେଇ ପରିକଳ୍ପନାମାନ କରିଛନ୍ତି । ଜାତୀୟତାର ମୁଖ୍ୟ ସ୍ୱର ବ୍ରିଟିଶ ଉପନିବେଶବାଦୀ ବିରୋଧୀ ହେଲା ପରେ ବି, ଆଞ୍ଚଳିକ ସ୍ତରରେ ତା'ର ବୈଶିଷ୍ଟ୍ୟ ଭିନ୍ନ ଭିନ୍ନ । ପ୍ରାନ୍ତୀୟ ସ୍ତରରେ ଆନ୍ଦୋଳନ ବା ଜାତୀୟତାର ବିଚାରଧାରାକୁ ଆଉ କାହାରି ନକଲ ବୋଲି କୁହାଯାଇ ନ ପାରେ । ଆଞ୍ଚଳିକ ସ୍ତରର ନେତୃବୃନ୍ଦ ରାଷ୍ଟ୍ର ଗଠନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୃଜନଶୀଳ ଢଙ୍ଗରେ ଆନ୍ଦୋଳନକୁ ବିସ୍ତାରିତ କରିବାପାଇଁ ପ୍ରୟାସ କରିଛନ୍ତି । ଆଞ୍ଚଳିକ ବୈଶିଷ୍ଟ୍ୟ ଜାତୀୟତାକୁ ରଂଗରୂପ ଦେଇଛି, ଶକ୍ତି ଦେଇଛି ତଥା ଋଦ୍ଧିମନ୍ତ କରାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଓ ବିସ୍ତାରକୁ ଦେଖାଯାଇପାରେ । ଏହା ଆଞ୍ଚଳିକ ବିବିଧତା ଓ ଜାତୀୟ ଏକତା ମଧ୍ୟରେ ରହିଥିବା ପାରସ୍ପରିକ ପରିପୂରକତାକୁ ଅନୁଭବ କରିବାରେ ସହାୟକ ହେବ ।

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେତେବେଳେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ କ୍ଷେତ୍ରରେ ଆଦିବାସୀ ପ୍ରଜା ଓ ରୟତମାନେ ଇଂରେଜ ଶାସନ ବିରୋଧରେ ଏବଂ ସେହି ଶାସନର ଢାଲ ରୂପେ କାର୍ଯ୍ୟ କରୁଥିବା ରାଜା-ଜମିଦାରମାନଙ୍କ ବିରୋଧରେ ବିଦ୍ରୋହ କଲେ, ସେହି ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀ ମଧ୍ୟ ଔପନିବେଶିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କଲେ । ଏହି ପ୍ରତିକ୍ରିୟାରୁ ଜାତୀୟତାର ଉନ୍ମେଷ ଘଟିଲା । ବିଦ୍ରୋହ ଓ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ମଧ୍ୟରେ ସମନ୍ୱୟ ନ ଥିଲା, କାରଣ ବୁଦ୍ଧିଜୀବୀର ପ୍ରତିକ୍ରିୟା ପାରମ୍ପରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ନକରି ଏକ ନୂଆ ରାଜନୀତିକ ସଂଗ୍ରାମର ଅୟମାରମ୍ଭ କରୁଥିଲା । ଏହି ସଂଗ୍ରାମରେ ପାଶ୍ଚାତ୍ୟ ଚେତନାର ପ୍ରଭାବ ରହିଥିଲା । ଉପନିବେଶବାଦ ଭଳି ଏକ ନୂଆ ସମସ୍ୟାର ସମ୍ମୁଖୀନ ହେବାଲାଗି ଏହାର ଆବଶ୍ୟକତା ଥିଲା । ପାରମ୍ପରିକ ମାଧ୍ୟମଗୁଡ଼ିକ ଉପନିବେଶବାଦ ବିରୁଦ୍ଧରେ ଲଢ଼ିବାଲାଗି ଯଥେଷ୍ଟ ନୁହନ୍ତି ବୋଲି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବରୁ ବୁଝି ପାରିଥିଲେ । ⁠ ଊନବିଂଶ ଶତାବ୍ଦୀରେ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳ ଏକ ଶାସନାଧୀନ ନଥିଲା । ଦକ୍ଷିଣାଞ୍ଚଳ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଓ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶ (ସେଣ୍ଟ୍ରାଲ୍‍ ପ୍ରଭିନସ)ରେ ଏବଂ ଓଡ଼ିଶା ଡିଭିଜନ ନାମରେ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ବଂଗ ପ୍ରେସିଡେନ୍‍ସିରେ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଏହା ଫଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲୌକିକ ସ୍ତରରେ ଓଡ଼ିଶା ବୋଲି କୁହାଯାଉଥିଲେ ସୁଦ୍ଧା, ଏହି ନାମକୁ ସରକାରୀ ମାନ୍ୟତା ମିଳି ନଥିଲା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ସମଗ୍ର ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକତାବଦ୍ଧ କରିବାକୁ ସଂଗଠନମାନ କରୁଥିଲେ, ସଭାସମିତି ଆୟୋଜନ କରୁଥିଲେ ତଥା ପତ୍ରପତ୍ରିକାର ତଦ୍ରୂପ ବିଚାର ଆଲୋଚନା କରୁଥିଲେ । ବୁଦ୍ଧିଜୀବୀ ବର୍ଗର ଏହି ସମସ୍ତ କାର୍ଯ୍ୟାବଳୀକୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ପରିପ୍ରେକ୍ଷୀରେ ଦେଖାଯାଇପାରେ । ୧୯୦୫ ମସିହାରେ ସମ୍ବଲପୁର ନାମରେ ପରିଚିତ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶରୁ ଆସି ଓଡ଼ିଶା ଡିଭିଜନରେ ମିଶିଲା । ୧୯୧୨ରେ ବଂଗ ପ୍ରେସିଡେନ୍‍ସିରୁ ସ୍ୱତନ୍ତ୍ର ବିହାର ଓ ଓଡ଼ିଶା ପ୍ରଦେଶ ଗଠିତ ହେଲା । ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ହେଲା । ଏଥିରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରୁ ଗଞ୍ଜାମକୁ କାଢ଼ିଆଣି ସଂଲଗ୍ନ କରାଗଲା । ଏବେ ବି ଷଢେଇକଳା, ଖରସୁଆଁ ଆଦି କିଛି ଓଡ଼ିଆ ଭାଷାଭାଷୀ କ୍ଷେତ୍ର ଓଡ଼ିଶାରେ ମିଶ୍ରିତ ହୋଇ ନାହାନ୍ତି । ଏହା ସତ୍ତ୍ୱେ ଓଡ଼ିଆ ଅସ୍ମିତାନିମନ୍ତେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଗ୍ରହଣ କରାଯାଏ ।

ଯେଉଁ କେତୋଟି ସାମାଜିକ ସଂକଟଯୋଗୁଁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଏକ ଆବଶ୍ୟକତା ହୋଇ ପଡ଼ିଲା, ତନ୍ମଧ୍ୟରେ ପ୍ରମୁଖ ହେଲା ୧୮୬୫-୬୬ ମସିହାର ନଅଙ୍କ ଦୁର୍ଭିିକ୍ଷ । ଗଞ୍ଜାମ, ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲା ଏବଂ ତତ୍‍ସଂଲଗ୍ନ ଗଡ଼ଜାତ ମହଲରେ ଦୁର୍ଭିିକ୍ଷର କରାଳ ଛାୟା ଦେଖିବାକୁ ମିଳିଥିଲା । ଉକ୍ତ ଅଞ୍ଚଳରେ ଏହି ସମୟରେ ମୋଟ୍‍ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଥିଲା । ସେତେବେଳେ ଉଦ୍ଦିଷ୍ଟ କ୍ଷେତ୍ରର ମୋଟ ଜନସଂଖ୍ୟା ଥିଲା ପ୍ରାୟ ୩୭ ଲକ୍ଷ । କେବଳ କଟକ ଜିଲ୍ଲାରେ ମୋଟ ପନ୍ଦର ଲକ୍ଷ ଜନସଂଖ୍ୟାରୁ ପ୍ରାୟ ଚାରି ଲକ୍ଷ ଲୋକ ଅନାହାରରେ ମୃତ୍ୟୁବରଣ କଲେ ଏବଂ ୫୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଲୋକ ଉଦ୍‍ବାସ୍ତୁ ହେଲେ, ଯାହାଙ୍କର ପରେ ମଧ୍ୟ କୌଣସି ଖୋଜଖବର ରହିଲା ନାହିଁ । ଫକୀରମୋହନ ସେନାପତି (୧୮୪୩-୧୯୧୮) ଥିଲେ ନଅଙ୍କ ଦୁର୍ଭିିକ୍ଷର ପ୍ରତ୍ୟକ୍ଷଦର୍ଶୀ । ତାଙ୍କ ହିସାବ ଅନୁଯାୟୀ, ଦୁର୍ଭିିକ୍ଷରେ ଅନ୍ୟୂନ ତିରିଶ ଲକ୍ଷ ପ୍ରାଣୀଙ୍କର ଅନାହାରରେ ଅଥବା ଅଖାଦ୍ୟ ଖାଇ ପ୍ରାଣହାନି ଘଟିଥିଲା । ମୃତ୍ୟୁବରଣ କରିଥିବା ଗୋରୁ ଗାଈ ଆଦି ଇତର ପ୍ରାଣୀଙ୍କର ଯଦି ହିସାବ ନିଆଯାଏ, ଏହା ଆଦୌ ଅତିରଞ୍ଜିତ ମନେ ହୁଏ ନାହିଁ ।

ଦୁର୍ଭିିକ୍ଷ ପଛର ପ୍ରମୁଖ କାରଣ ହେଲା ଯେ, ୧୮୬୫ ପୂର୍ବରୁ ଛଅ ବର୍ଷ ଧରି ହାରାହାରି ୨୦,୦୦୦ଟନ୍‍ ଚାଉଳରୁ ଅଧିକ ଓଡ଼ିଶାରୁ ବ୍ୟବସାୟୀମାନେ ରପ୍ତାନି କରି ନେଉଥିଲେ । ୧୮୬୪ରେ ମଧ୍ୟ ଅନ୍ୟୂନ ୩୩,୦୦୦ଟନ୍‍ ଚାଉଳ ରପ୍ତାନି ହୋଇଥିଲା । ଅର୍ଥାତ୍‍ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାସକାଶେ ଓଡ଼ିଶା ବଜାରରେ ଚାଉଳର ଘୋର ଅଭାବ ରହିଥିଲା । ଏହି ସମସ୍ୟା ବହୁଗୁଣିତ ହେଲା, କାରଣ ଅନାବୃଷ୍ଟିଯୋଗୁଁ ଯେତେବେଳେ ସ୍ଥାନୀୟ ବଜାରରେ ଚାଉଳର ଆବଶ୍ୟକତା ପଡ଼ିଲା, ବାହାରୁ ଓଡ଼ିଶାକୁ ୟାତାୟାତର ଅସୁବିଧାଯୋଗୁଁ କିଛି ଆମଦାନୀ ହୋଇ ପାରିଲା ନାହିଁ । ଏହାକୁ କୁହାଯିବ ଉପନିବେଶବାଦୀ ଆର୍ଥିକ ଶୋଷଣ, ଯାହା ସାଧାରଣ ଲୋକଙ୍କୁ ନିଃସ୍ୱ, ଅନ୍ତଃସାରଶୂନ୍ୟ କରି ଦେଇଥିଲା । ଲୋକେ ଅନାବୃଷ୍ଟି କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିନେବାର ସାମର୍ଥ୍ୟ ରଖି ନଥିଲେ । ସରକାର ବଜାର ମାମଲାରେ ଉଦାରବାଦୀ ନୀତି ଅନୁସରଣ କରିଥିଲେ । ଅର୍ଥାତ୍‍ ଚାଉଳର ରପ୍ତାନିକୁ ବନ୍ଦ କରିବାକୁ କିମ୍ବା ଆମଦାନୀକୁ ପ୍ରୋତ୍ସାହନ ଦେବାକୁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ଧାନ, ଚାଉଳର ଦାମ୍‍ ଆଶାତୀତ ଭାବରେ ବୃଦ୍ଧିପାଇଲା । ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ସମାଜ ପାଖରେ ଟଙ୍କା ପଇସା ବା କାହିଁ ଯେ ବଜାରରୁ ଚଢ଼ା ଦାମ୍‍ରେ ଚାଉଳ କିଣିବ ? ୧୮୬୫ ସେପ୍ଟେମ୍ବରରୁ ଆଉ ବର୍ଷା ହେଲା ନାହିଁ । ଲୋକେ ଦାରୁଣ ଦୁର୍ଭିିକ୍ଷର ଶିକାର ହେଲେ । ⁠ ଦୁର୍ଭିିକ୍ଷ ସାଂଘାତିକ ରୂପ ନେବା ପଛରେ ଅନ୍ୟ ଏକ କାରଣ ହେଲା, ବିଦେଶୀ ସରକାରଙ୍କ ଉଦାସୀନତା ଓ ତଳତଳିଆ କର୍ମଚାରୀଙ୍କ ସ୍ଥାନୀୟ ସମସ୍ୟା ପ୍ରତି ସଂବେଦନଶୂନ୍ୟତା । ଓଡ଼ିଆ ଲୋକଙ୍କ ମଧ୍ୟରେ ଆଧୁନିକ ଶିକ୍ଷାର ଅଭାବଯୋଗୁଁ ପଡେ଼ାଶୀ ଭାଷା-ଭାଷୀ ବଙ୍ଗଳା ଲୋକ ଓଡ଼ିଶା ଡିଭିଜନରେ ଏବଂ ତେଲ୍‍ଗୁ ଲୋକ ଗଞ୍ଜାମ ଅଞ୍ଚଳରେ ସରକାରୀ ଅଫିସ୍‍ମାନଙ୍କରେ ତଳ-ତଳିଆ କର୍ମଚାରୀ ଭାବରେ ଚାକିରି କରୁଥିଲେ । ଜମିଦାରୀଗୁଡ଼ିକ ମଧ୍ୟ ସ୍ଥାନୀୟ ଜମିଦାରମାନଙ୍କ ହାତରୁ ଚାଲି ଯାଇଥିଲା । ଏହି ଅଣ-ଓଡ଼ିଆ ଅଧସ୍ତନ କର୍ମଚାରୀ ଓ ଜମିଦାରମାନେ ସ୍ଥାନୀୟ ସମାଜର ଦୁଃଖଦୁର୍ଦ୍ଦଶା ପ୍ରତି ଆବଶ୍ୟକ ମାତ୍ରାରେ ସଂବେଦନଶୀଳ ନଥିଲେ । ଫଳରେ ଅନାବୃଷ୍ଟିଜନିତ ସଂଭାବ୍ୟ ପରିସ୍ଥିତି ସରକାରଙ୍କ ପାଖରେ ଠିକ୍‍ ରୂପେ ଉପସ୍ଥାପିତ ହୋଇ ପାରିଲା ନାହିଁ । ବରଂ ବ୍ୟକ୍ତି ସ୍ୱାର୍ଥରେ ଜଡ଼ିତ ହୋଇ ସରକାରଙ୍କ ପ୍ରିୟ ପାତ୍ର ହେବା ସକାଶେ ଅଧସ୍ତନ କର୍ମଚାରୀମାନେ ଉପସ୍ଥିତ ପରିସ୍ଥିତିକୁ ସ୍ୱାଭାବିକ ବୋଲି ଯୁକ୍ତି ଉପସ୍ଥାପନ କଲେ । ଉପରିସ୍ଥ କର୍ତ୍ତୃପକ୍ଷ ଚାହିଁବା ସତ୍ତ୍ୱେ ଏଭଳି ଏକ ସାମାଜିକ ସଙ୍କଟ ଓ ବିପର୍ଯ୍ୟୟର ସ୍ଥିତିକୁ ଅନୁମାନ ସୁଦ୍ଧା କରିପାରିଲେ ନାହିଁ ।




ନଅଙ୍କ ଦୁର୍ଭିିକ୍ଷଜନିତ ସାମଜିକ ସଂକଟକୁ ପାଖରୁ ଦେଖିଲା ପରେ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବ କଲେ ଯେ, ସ୍ଥାନୀୟ ଓଡ଼ିଆ ସମାଜ ଯଦି ଶିକ୍ଷିତ ହୋଇଥାନ୍ତା, ଲୋକଙ୍କୁ ଏହି ଦୁର୍ଗତିର ଶିକାର ହେବାକୁ ପଡ଼ି ନଥାନ୍ତା । ଲୋକେ ପୋକମାଛି ଭଳି ମରି ନଥାନ୍ତେ । ଶିକ୍ଷା ଲୋକଙ୍କୁ ନିଜ ଅବସ୍ଥାକୁ କର୍ତ୍ତୃପକ୍ଷଙ୍କ ଆଗରେ ଅଭିବ୍ୟକ୍ତ କରିବା ସକାଶେ ଭାଷା ଦେଇଥାନ୍ତା । ଶିକ୍ଷା ସମାଜରେ ଲୋକଙ୍କୁ ସମ୍ମାନ ଦେଇଥାନ୍ତା । ଶିକ୍ଷା ପାଇ ଓଡ଼ିଶାର ଲୋକ ସରକାରୀ ଚାକିରି କରୁଥିଲେ, ଓଡ଼ିଶା ସମସ୍ୟା କର୍ତ୍ତୃପକ୍ଷଙ୍କ ଦୃଷ୍ଟିରୁ ବାହାର ହୋଇ ନଥାନ୍ତା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ଥିଲେ ସଂଖ୍ୟାନ୍ୟୂନ । ତଥାପି ସାମାଜିକ ସଙ୍କଟର ଅନୁଭବ ସେମାନଙ୍କୁ ଏକ ଗୋଷ୍ଠୀ ରୂପରେ ଗଢ଼ି ହେବାଲାଗି ଅବସର ପ୍ରଦାନ କଲା । ଓଡ଼ିଆ ଭାଷା-ଭାଷୀ ଏବଂ ସଂସ୍କୃତିର ଲୋକ ସମୂହକୁ ଏକ ଜାତି ରୂପରେ ଦେଖିବା ସକାଶେ ମଧ୍ୟ ସୁଯୋଗ ଦେଲା । ଏଣୁ ଏଣିକି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ସାମୂହିକ ବିକାଶ ଏବଂ ସାମାଜିକ ସଂଗଠନକୁ ଜାତୀୟ କାର୍ଯ୍ୟର ଆଖ୍ୟା ଦେଲେ । ସାମାଜିକ କାର୍ଯ୍ୟକୁ ସେମାନେ ବୌଦ୍ଧିକ ଦାୟିତ୍ୱ ରୂପରେ ଗ୍ରହଣ କରିନେଲେ । ଜାତି, ଧର୍ମ, ବର୍ଣ୍ଣ ଏବଂ ଆଞ୍ଚଳିକ ଭେଦଭାବର ଊର୍ଦ୍ଧ୍ୱରେ ଏକ ସାମୂହିକ ଜାତି ପରିଚୟ ଖୋଜିବାର ଉଦ୍ୟମ ଆରମ୍ଭ ହେଲା ଯାହାକୁ ଜାତୀୟତାର ଉନ୍ମେଷ ବୋଲି ବ୍ୟାଖ୍ୟା କରାଯିବ । ଏଠାରେ ଦୁଇଟି କଥା ସ୍ପଷ୍ଟ ହେବା କଥା । ପ୍ରଥମ, ନଅଙ୍କ ଦୁର୍ଭିିକ୍ଷ ବ୍ୟତୀତ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ସଂପର୍କିତ ସମସ୍ୟା ମଧ୍ୟ ଉଲ୍ଲିଖିତ ସାମାଜିକ ସଂକଟକୁ ପ୍ରକଟ କରେ । ଦ୍ୱିତୀୟ, ଯଦିଓ ଜାତୀୟତାର ଉନ୍ମେଷକୁ ଏଠାରେ ଓଡ଼ିଶା ପରିପ୍ରେକ୍ଷୀରେ ଦେଖାଯାଉଛି, ତାହା ହେଲା ମହାଭାରତୀୟ ଜାତୀୟତାର ଏକ ଅଭିନ୍ନ ଅଂଗ । ଏହା ମହାଭାରତୀୟ ଜାତୀୟତାର ବିବିଧତା ଓ ସଂଘୀୟ ରୂପକୁ ଦର୍ଶାଏ । ⁠ ଦୁର୍ଭିକ୍ଷ ଓ ତଜ୍ଜନିତ ସାମାଜିକ ସଂକଟକୁ ନେଇ ବୁଦ୍ଧିଜୀବୀର ମନୋସ୍ଥିତି ଏବଂ ସାମାଜିକ ସାମୂହିକ କାର୍ଯ୍ୟ ଏକ ବୌଦ୍ଧିକ ଦାୟିତ୍ୱ ବୋଲି ବୁଦ୍ଧିଜୀବୀ ମନରେ ଜନ୍ମ ନେଇଥିବା ଧାରଣାକୁ ବୁଝିବା ସକାଶେ ଏଠାରେ ଦୁଇଟି ଉଦାହରଣକୁ ନିଆଯାଇପାରେ । ଗୋଟାଏ ହେଲା ଫକୀର ମୋହନଙ୍କ ନଅଙ୍କ ଦୁର୍ଭିିକ୍ଷ ସଂପର୍କିତ ମତାମତ । ଏହା ତାଙ୍କର ଆତ୍ମଜୀବନ ଚରିତ (୧୯୧୭) ରେ ସ୍ଥାନିତ । ଦ୍ୱିତୀୟଟି ହେଲା, ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୬-୧୯୫୬)ଙ୍କର ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୦)ଉପନ୍ୟାସର ଏକ ଉଦ୍ଧରଣ ।


ଫକୀର ମୋହନ ନଅଙ୍କ ଦୁର୍ଭିିକ୍ଷର ଏକ ବିସ୍ତୃତ ବର୍ଣ୍ଣନା କରିଛନ୍ତି ଏବଂ ତା'ର ସଂଭାବ୍ୟ କାରଣ ଦର୍ଶାଇ ଲେଖିଛନ୍ତି, "ସେ ସମୟର ଉତ୍କଳର ପରମବନ୍ଧୁ ପରମ ସହାୟ ରେଭେନ୍‌ସା ସାହେବ ବୋଧକରେ ନୂତନ କମିସନର ନିଯୁକ୍ତ ହୋଇ ଆସିଥାଆନ୍ତି । ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗଭର୍ଣ୍ଣମେଣ୍ଟରୁ କମିସନଙ୍କ ପାଖକୁ ଚିଠି ଆସିଲା- ଅନାବୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିିକ୍ଷ ଉପସ୍ଥିତ ହେବାର ଖୁବ୍‍ ସମ୍ଭାବନା । ପ୍ରଜାମାନଙ୍କ ରକ୍ଷାନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ଉପାୟ ବିଧାନ କରାଯିବା ଆବଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ବିଧାନ କରାଯାଇପାରେ ? ଗଭର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତରଦେବା ସକାଶେ କମିସନର ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିବାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ, "ଓଡ଼ିଶାରେ ଦୁର୍ଭିିକ୍ଷ ପଡ଼ିବ, ପଡୁ କିଛି ଚିନ୍ତା ନାହିଁ । ମଫସଲର ଜମିଦାର, ମହାଜନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ୍‍ ଅଛି । ସେଥିରେ ବର୍ଷକ ଚଳିଯାଇପାରେ ।"

"କମିସନର ସାହେବ ବଡ଼ ଭୁଲ କଲେ । ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି, ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ, କଥାଟା ଭଲ ରୂପେ ତଦନ୍ତ କରି ଗଭର୍ଣ୍ଣମେଣ୍ଟଙ୍କୁ ଜଣାଇବା ଉଚିତ ଥିଲା । ମାତ୍ର ଉତ୍କଳର ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ବିନାଶ ଯିବା ଏବଂ ଲଣ୍ତଭଣ୍ତ ହେବା ବିଧିର ବିଧାନ । ଏ ସ୍ଥଳେ କମିସନରଙ୍କୁ ସୁବୁଦ୍ଧି ଆସିବ କାହୁଁ ?" ⁠ ଫକୀର ମୋହନଙ୍କ ଏହି ବର୍ଣ୍ଣନାରୁ ସିଦ୍ଧ ହୁଏ ଯେ, ଜଣେ ଶିକ୍ଷିତ ବ୍ୟକ୍ତି ଭାବରେ ସେ ତିରିଶ ଲକ୍ଷ ଓଡ଼ିଶାବାସୀଙ୍କ ମୃତ୍ୟୁକୁ ନେଇ ମର୍ମାହତ ହୋଇଛନ୍ତି । ଏହାର କାରଣ ଯଦିଓ ସେ ବିଧିର ବିଧାନ ବୋଲି ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ତାଙ୍କର ଆକ୍ଷେପ ରହିଛି ଅଣ-ଓଡ଼ିଆ ଉଦାସୀନ ଅଧସ୍ତନ ସରକାରୀ କର୍ମଚାରୀ ଏବଂ ଇଂରେଜ କର୍ତ୍ତୃପକ୍ଷଙ୍କ ପ୍ରତି । ତାଙ୍କ ମତରେ 'ପ୍ରଜାମାନଙ୍କ ରକ୍ଷା' ସରକାରଙ୍କ କର୍ତ୍ତବ୍ୟ ଏବଂ ସରକାର ମଧ୍ୟ କର୍ତ୍ତବ୍ୟ ପାଳନପାଇଁ ଇଚ୍ଛୁକ । ମାତ୍ର ତାଙ୍କୁ ସହଯୋଗ ମିଳୁନାହିଁ । ଅର୍ଥାତ୍‍ ସରକାର ଓ ପ୍ରଜାଙ୍କ ମଧ୍ୟରେ ପ୍ରକୃତ ଯୋଗସୂତ୍ରର ଅଭାବଯୋଗୁଁ ଜାତୀୟ ଉନ୍ନତି ସାଧିତ ହୋଇପାରୁ ନାହିଁ । ଜାତୀୟ ଉନ୍ନତିକୁ ନେଇ ବୁଦ୍ଧିଜୀବୀର ଏଭଳି ନୂତନ ଦୃଷ୍ଟିକୋଣ ଏକ ସାମାଜିକ ପରିବର୍ତ୍ତନକୁ ଇଙ୍ଗିତ କଲା । ରାଜା-ରାଜୁଡ଼ାଙ୍କ ବଦଳରେ ପ୍ରଥମ କରି ଏଣିକି ବୁଦ୍ଧିଜୀବୀଙ୍କ ହାତକୁ ସାମାଜିକ ନେତୃତ୍ୱ ଆସିଲା । ରାଜନୀତି ରାଜଦ୍ୱାରରୁ ଆସି ପ୍ରଥମକରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜନପଥରେ ପହଞ୍ଚିବାର ପ୍ରକ୍ରିୟା ଆରମ୍ଭ ହେଲା । ଏହି ଦୃଷ୍ଟିରୁ ମଧ୍ୟ ଜାତୀୟତାର ଉନ୍ମେଷ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ହେଲା ।

ସାମାଜିକ ଓ ଜାତୀୟ ଉନ୍ନତି ଶିକ୍ଷିତ ବୁଦ୍ଧିଜୀବୀର ପ୍ରଥମ ଓ ପ୍ରଧାନ ଦାୟିତ୍ୱ । ଏହା ତତ୍‍କାଳୀନ ବୁଦ୍ଧିଜୀବୀ ଗୋପାଳଚନ୍ଦ୍ର ପ୍ରହରାଜ ୧୮୯୦ ଦଶକରେ ତାଙ୍କ ଲିଖିତ ଉପନ୍ୟାସ 'ଭାଗବତ ଟୁଙ୍ଗୀରେ ସନ୍ଧ୍ୟା' ଉପନ୍ୟାସରେ ସୁସ୍ପଷ୍ଟ କରିଛନ୍ତି । ଉପନ୍ୟାସର ଆଦର୍ଶ ଚରିତ୍ର 'ମସ୍ତରାମ' ଜଣେ ବାତୁଳପ୍ରାୟ ବ୍ୟକ୍ତିତ୍ୱ, କାରଣ ବ୍ୟକ୍ତିସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ସମାଜପାଇଁ ଚିନ୍ତା କରିବା ହିଁ ତା'ର ପ୍ରମୁଖ କାର୍ଯ୍ୟ । ମସ୍ତରାମର 'ଜୀବନ ସାର୍ଥକ' କାରଣ ସେ ଜଗତପାଇଁ ପ୍ରେମବାୟା । ଲେଖକଙ୍କ ଭାଷାରେ-

"ଆମ୍ଭେମାନେ ଭାବିଲୁ ଯେ, ଦୃଢ଼ ଭାବରେ ସଂସାରର କୌଣସି ବିଷୟ ରାତ୍ରଦିନ ଭାବିଲେ ବାତୁଳ ନହୋଇ ଆଉ କ'ଣ ହେବ ? ଲୋକ ଯେ ପାଗଳ ନ ହୁଅନ୍ତି ଏହା ହିଁ ଆଶ୍ଚର୍ଯ୍ୟର ବିଷୟ । ପୃଥିବୀର ପନ୍ଦର ପଣ ଊଣେଇଶ ଗଣ୍ତା ତିିନିକଡ଼ା ଲୋକଙ୍କ ଦୃଢ଼ ଚିନ୍ତା ନାହିଁ, ଥିଲେ ସଂସାର ବାତୁଳାଶ୍ରମରେ ପରିଣତ ହୋଇଥାନ୍ତା । ପ୍ରକୃତିସ୍ଥ ମନୁଷ୍ୟ ଅନେକ ସମୟରେ ବାତୁଳଠାରୁ ହେୟ, ଘୃଣ୍ୟ, ଅପଦାର୍ଥ । ପାଠକ ! ଥରେ ଭାବି ଦେଖନ୍ତୁ, ମସ୍ତରାମ ଯେଉଁ ଚିତ୍ରଟି ଦେଖାଇଲା ତାହା କେମନ୍ତ ସ୍ୱାଭାବିକ ଓ ନିତ୍ୟ ପ୍ରତ୍ୟକ୍ଷ !"

'ମସ୍ତରାମ' ଚରିତ୍ରର ବାତୁଳତା ପଛରେ ସମାଜ ଚିନ୍ତାକୁ ପ୍ରଥମ କାରଣ ବୋଲି ଲେଖକ ଯୁକ୍ତି କରି ଦର୍ଶାଇଛନ୍ତି ଏବଂ ସଂସାରକୁ 'ସ୍ୱର୍ଗ' କରିବାକୁ ହେଲେ ଅର୍ଥାତ୍‍ ଏକ ଆଦର୍ଶ ସମାଜ ଗଠନ କରିବାକୁ ହେଲେ, ମସ୍ତରାମ ପରି ଅନେକ ବାତୁଳର ଆବଶ୍ୟକତା ରହିଥିବା କଥା କହିଛନ୍ତି । ଉପ୍ୟନ୍ୟାସରେ ମସ୍ତରାମ ହେତୁବାଦୀ, ବିବେକଶୀଳ, ସ୍ୱ-ପାର୍ଥିବ ଚିନ୍ତା ବଦଳରେ ସାମାଜିକ ଚିନ୍ତା ତା'ର ଲକ୍ଷ୍ୟ । ଏହି ଉପନ୍ୟାସର ଅନ୍ୟ ଦୁଇଟି ପ୍ରମୁଖ ଚରିତ୍ର ହେଲେ 'ପଣ୍ତିତ' ଓ 'ମାଷ୍ଟର' । ସେମାନେ ହୁଏତ ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ କରନ୍ତି କିମ୍ବା ମିଥ୍ୟା ଗୁଣଗାନ କରନ୍ତି । 'ମସ୍ତରାମ' ଉଭୟଙ୍କଠାରୁ ଊର୍ଦ୍ଧ୍ୱରେ । ଅର୍ଥାତ୍‍ ଲେଖକଙ୍କ ମତରେ, ଶିକ୍ଷିତ ବୁଦ୍ଧିଜୀବୀନିମନ୍ତେ ଏକ ଆବଶ୍ୟକୀୟ ଚରିତ୍ର ହେଲା ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ ବା ଅହେତୁକ ସମାଲୋଚନାରୁ ଊର୍ଦ୍ଧ୍ୱରେ ରହି ସ୍ୱ-ସମାଜର ହିତଲାଗି ସାଧନା କରିବା ⁠ ଆଧୁିକ ଯୁଗରେ ବୁଦ୍ଧିଜୀବୀର ଦାୟିତ୍ୱ ପ୍ରଶ୍ନକୁ ନେଇ ଫକୀର ମୋହନ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଉକ୍ତ ଅବଧାରଣାକୁ ସମକାଳୀନ ଅନ୍ୟ ବୁଦ୍ଧିଜୀବୀଙ୍କ ଅଭିବ୍ୟକ୍ତି ଓ କାର୍ଯ୍ୟରେ ମଧ୍ୟ ଦେଖିହେବ । ତତ୍‍କାଳୀନ ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟପନ୍ଥା ମଧ୍ୟରେ ପାର୍ଥକ୍ୟ ଦେଖାଯାଇ ପାରେ, ମାତ୍ର ସମାଜ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ନେଇ ଦ୍ୱିମତ ହେବାର ନାହିଁ । ଆଧୁିନିକ ପାଶ୍ଚାତ୍ୟ ଶିକ୍ଷାରେ ଭୂଷିତ ଏବଂ ସମାଜ ବା ଜାତି ପ୍ରସଙ୍ଗକୁ ନେଇ ସଦା ଜାଗ୍ରତ ଏହି ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀକୁ ଆମେ ଜାତୀୟତାବାଦୀ ନେତୃତ୍ୱ ନାମରେ ନାମିତ କରିପାରିବା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଏକ କ୍ଷୁଦ୍ର ବର୍ଗ ଭାବରେ ଏହି ଗୋଷ୍ଠୀର ବିକାଶ ଆରମ୍ଭ ହେଲା । ଏହା ସହିତ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଘଟିଲା । ଜାତୀୟତାବାଦୀ ନେତୃତ୍ୱ ଓଡ଼ିଆ ଜାତିକୁ ଭାରତୀୟ ମହାଜାତିର ଏକ ଅଭିନ୍ନ ଅଂଶ ରୂପେ ଦେଖୁଥିଲା ଏବଂ ପ୍ରାନ୍ତୀୟ ଉନ୍ନତି ସର୍ବଦା ମହାଜାତି ଭାରତର ଗଠନରେ ପରିପୂରକ ହେବ ବୋଲି ଯୁକ୍ତି କରୁଥିଲା । ନେତୃତ୍ୱର ଏହି ଦୃଷ୍ଟିକୋଣ ଜାତୀୟତାର ଉନ୍ମେଷକୁ ଦିଗ୍‍ଦର୍ଶନ ଦେଲା ।

ଶିକ୍ଷା ⁠ ଊନବିଂଶ ଶତାବ୍ଦୀର ଜାତୀୟତାବାଦୀ ବୁଦ୍ଧିଜୀବୀ ଦୃଷ୍ଟିରେ ସାମାଜିକ ଉନ୍ନତି ସକାଶେ ଶିକ୍ଷା ହେଲା ଏକ ଅତି ଆବଶ୍ୟକ ଉପାଦାନ । ଆଧୁନିକ ଶିକ୍ଷା ଲାଭ କରିବା ପରେ ବୁଦ୍ଧିଜୀବୀମାନେ ଭଲ ଭାବେ ବୁଝି ପାରିଲେ ଯେ, ଶିକ୍ଷାର ଅଭାବଯୋଗୁଁ ଜାତି ପଛେଇ ଯାଇଛି । ତେଣୁ, ସେମାନେ ଶିକ୍ଷାର ପ୍ରସାରଲାଗି ଆପ୍ରାଣ ଉଦ୍ୟମ କଲୋ ଏହି ପ୍ରକ୍ରିୟାରେ ସେମାନେ ସରକାର ଓ ଅନ୍ୟ ଧନାଢ଼୍ୟ ବର୍ଗକୁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇଲେ; ଅନେକ ସମୟରେ ନିଜେ ଶିକ୍ଷକ ହୋଇ ଶିକ୍ଷାଦାନ କଲେ; ପୁଣି କେତେକ ସ୍ଥଳରେ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲ୍‍ମାନ ଆରମ୍ଭ କଲେ । ଫକୀରମୋହନ ନିଜ ସାମାଜିକ ଜୀବନର ଆରମ୍ଭ କାଳରେ ଅନେକ ବର୍ଷ ଧରି ବାଲେଶ୍ୱରର ଏକାଧିକ ସ୍କୁଲ୍‍ରେ ଶିକ୍ଷକତା କରିଥିଲେ । ଶିକ୍ଷକ ଭାବରେ ସେ କେବଳ ଗାଁ ପିଲାଙ୍କୁ ନିୟମିତ ସ୍କୁଲ୍‍ ଆସିବାକୁ ପ୍ରେରଣା ଦେଉନଥିଲେ, ତା' ସହିତ କେତେକ ଦରିଦ୍ର ପିଲାଙ୍କର ସ୍କୁଲ୍‍ ଦରମା ମଧ୍ୟ ନିଜେ ବହନ କରୁଥିଲେ । ଆଧୁିନିକ ଓଡ଼ିଆ ସାହିତ୍ୟର ଅନ୍ୟ ଜଣେ କର୍ଣ୍ଣଧାର ମଧୁସୂଦନ ରାଓ (୧୮୫୩-୧୯୧୨) ଥିଲେ ଜଣେ ପ୍ରତିବଦ୍ଧ ଶିକ୍ଷକ । କଟକ ଥିଲା ତାଙ୍କ କର୍ମକ୍ଷେତ୍ର । ପ୍ରତିବଦ୍ଧ ଶିକ୍ଷକର ପିଢ଼ି ତିଆରି କରିବା ତାଙ୍କପାଇଁ ଥିଲା ଏକ ଜାତୀୟ କାର୍ଯ୍ୟ । ଏଥିପାଇଁ ସେ 'ଶିକ୍ଷାବନ୍ଧୁ' ନାମରେ ଏକ ପତ୍ରିକା ମଧ୍ୟ ପ୍ରକାଶନ କରୁଥିଲେ । ଅନ୍ୟ ଜଣେ ବିଶିଷ୍ଟ କବି ରାଧାନାଥ ରାୟ(୧୮୪୮-୧୯୦୮) ସ୍କୁଲ୍‍ ନିରୀକ୍ଷକ ରୂପେ କାର୍ଯ୍ୟକରି ଓଡ଼ିଶାରେ ଅନେକ ସ୍କୁଲ୍‍ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପ୍ୟାରିମୋହନ ଆଚାର୍ଯ୍ୟ (୧୮୫୧-୧୮୮୧), ଯିଏ ଓଡ଼ିଶା ଇତିହାସ ଲେଖି ଐତିହାସିକ ଖ୍ୟାତି ଅର୍ଜନ କରିଥିଲେ, ନିଜେ ଟ୍ୟୁସନ କରି ସେହି ଉପାର୍ଜନରେ ୧୮୭୦ ଦଶକର ପ୍ରାରମ୍ଭରେ 'କଟକ ଏକାଡେମୀ' ନାମରେ ଏକ ସ୍କୁଲ୍‍ ପ୍ରତିଷ୍ଠା କରିଥିଲେ । ପରେ ଏହି ସ୍କୁଲ୍‍ 'ପ୍ୟାରୀମୋହନ ଏକାଡେମୀ' ରୂପେ ବିଖ୍ୟାତ ହେଲା । ଏପରିକି ଓଡ଼ିଶା ଜାତୀୟତାର ସୂତ୍ରଧର ମଧୁସୂଦନ ଦାସ (୧୮୪୮-୧୯୩୪) ଉପାଧି ଶିକ୍ଷାପାଇଁ କଲିକତା ଯିବା ପୂର୍ବରୁ ଦୁଇବର୍ଷ କାଳ (୧୮୬୪-୬୬) ବାଲେଶ୍ୱରରେ ଶିକ୍ଷକତା କରିଥିଲେ । କଲିକତାରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟ ସେ ଦରିଦ୍ର ପ୍ରବାସୀ ଓଡ଼ିଆଙ୍କପାଇଁ ନିଜ ଉଦ୍ୟମରେ ଖିଦିରପୁରଠାରେ ରାତ୍ରି ସ୍କୁଲ୍‍ ଆରମ୍ଭ କରିଥିଲେ । ସମାଜ ଗଠନରେ ଶିକ୍ଷାର ମହତ୍ତ୍ୱକୁ ପ୍ରତିପାଦନ କରିବାକୁ ଯାଇ ବିଶିଷ୍ଟ କବି ଗଙ୍ଗାଧର ମେହେର (୧୮୬୨-୧୯୨୪) ଶିକ୍ଷିତ ବ୍ୟକ୍ତି ହିଁ 'ମନୁଷ୍ୟ ପଦ ବାଚ୍ୟ' ବୋଲି ଯୁକ୍ତି ଦର୍ଶାଇଥିଲେ । ⁠ ଶିକ୍ଷାର ପସ୍ରାରନିମନ୍ତେ ଉଦ୍ୟମ କରୁଥିବା ଗଡ଼ଜାତ ରାଜା-ଜମିଦାରଙ୍କ ପଶ୍ରଂସା ଓ ତାକୁ ଉପେକ୍ଷା କରୁଥିବା ଧନାଢ଼୍ୟ ବର୍ଗର ମୃଦୁ ସମାଲୋଚନା ଥିଲା ଜାତୀୟତାବାଦୀଙ୍କର ଏକ ମୁଖ୍ୟ କାମ । ଜାତୀୟତାବାଦୀ ମଞ୍ଚ ଭାବରେ ୧୯୦୩ରେ ପ୍ରତିଷ୍ଠିତ 'ଉତ୍କଳ ସମ୍ମିଳନୀ'ର ବାର୍ଷିକ ଅଧିବେଶନଗୁଡିକରେ ଆଧୁିନିକ ଶିକ୍ଷାର ପ୍ରସାରପାଇଁ ଉଦ୍ୟମ କରୁଥିବା ରାଜା-ଜମିଦାରମାନଙ୍କୁ ପ୍ରଶଂସା କରି ପ୍ରସ୍ତାବମାନ ଗୃହୀତ ହେଉଥିଲା । ଏହାର ଫଳ ସ୍ୱରୂପ, ଊନବିଂଶ ଶତାବ୍ଦୀର ଶେଷ ସମୟରେ ହିଁ ବାମଣ୍ଡା, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ରାଜ୍ୟରେ ହାଇସ୍କୁଲ୍‍ମାନ ସ୍ଥାପିତ ହେଲା । କଟକ କଲେଜ (ଯାହା ପରେ ରେଭେନ୍‌ସା କଲେଜ ହେଲା) ଓ ମେଡ଼ିକାଲ୍‍ ସ୍କୁଲ୍‍ ପାଇଁ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଟୋଲ୍‍ ଓ ଚାଟଶାଳିର ପାରମ୍ପରିକ ଶିକ୍ଷା ବଦଳରେ ସ୍କୁଲ୍‍, କଲେଜର ବିଜ୍ଞାନ, ଗଣିତ, ଆଦି ଆଧୁନିକ ଶିକ୍ଷା ଏବଂ ତା' ସହିତ ମାତୃଭାଷା ଶିକ୍ଷା ଉପରେ ଜାତୀୟତାର ଏହି ଉନ୍ମେଷ କାଳରେ ଅଧିକ ମହତ୍ତ୍ୱ ଦିଆଯାଇଥିଲା । 'ଉତ୍କଳ ଭ୍ରମଣଂ'(୧୮୯୨)ରେ ଫକୀରମୋହନ ଖେଦୋକ୍ତି ପ୍ରକାଶ କରିଥିଲେ, କାରଣ 'ବାବୁମାନେ' ଶିକ୍ଷାରେ 'ଲଜିକ୍‍' ଏବଂ 'ସାଇନ୍‍ସ'କୁ ମହତ୍ତ୍ୱ ଦେଉ ନାହାନ୍ତି । ମାତୃଭାଷା ଯେ ଶିକ୍ଷାପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ- ଏହା ବୁଦ୍ଧିଜୀବୀମାନଙ୍କପାଇଁ ଆଉ କଦାଚିତ ବିବାଦୀୟ ପ୍ରସଙ୍ଗ ହୋଇ ରହି ନଥିଲା । ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେରଙ୍କ ଉକ୍ତି, 'ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?" - ପ୍ରଣିଧାନ ଯୋଗ୍ୟ । ମାତୃଭୂମିର ଉନ୍ନତି ଚିନ୍ତା କରୁଥିବା ବ୍ୟକ୍ତି ମାତୃଭାଷାକୁ ଉପେକ୍ଷା କରି ପାରିବ ନାହିଁ ବୋଲି କବି ଯୁକ୍ତି ବାଢ଼ି ଥିଲେ । 'ଉତ୍କଳ ଦୀପିକା' (୧୮୬୬)ପତ୍ରିକା ତର୍କ ଦେଇ କହିଥିଲା ଯେ, କେବଳ ମାତୃଭାଷାରେ ହିଁ ଗଣଶିକ୍ଷା ସମ୍ଭବ । ଅର୍ଥାତ୍‍ ଦେଶକୁ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ଶିକ୍ଷା ଅପରିହାର୍ଯ୍ୟ । ଫକୀର ମୋହନ ମାତୃଭାଷାକୁ ନଦୀର ନିଜସ୍ୱ ସ୍ରୋତ ଏବଂ ବହିର୍ଭାଷାକୁ ବଢ଼ିପାଣି ସଙ୍ଗେ ତୁଳନା କରିଛନ୍ତି । ବଢ଼ିପାଣିରେ ନଦୀ ହୁଏତ ସାମୟିକ ଭାବେ ଫୁଲି ଉଠିପାରେ, ମାତ୍ର ନିଜସ୍ୱ ସ୍ରୋତ ବିନା ତା'ର ବଳ ରହିବ ନାହିଁ । ଠିକ୍‍ ସେହିଭଳି ଫକୀର ମୋହନଙ୍କ ମତରେ ମାତୃଭାଷାର ଉନ୍ନତି ବିନା ଜାତି କିମ୍ବା ବ୍ୟକ୍ତିର ଉନ୍ନତି ସମ୍ଭବ ନୁହେଁ । ଧ୍ୟାନ ଦିଆଯିବା କଥା ଯେ, ବୁଦ୍ଧିଜୀବୀ ବର୍ଗ ଭାଷା-ସାହିତ୍ୟ ଭାବରେ ଇଂରାଜୀ ସାହିତ୍ୟ ଶିକ୍ଷାର ବିରୋଧ କରୁ ନଥିଲେ । ସେମାନେ କେବଳ ମାତୃଭାଷା ଶିକ୍ଷାକୁ ଉପେକ୍ଷା କରାଯିବା କଥା ନୁହେଁ ବୋଲି କହୁଥିଲେ । ସେମାନଙ୍କର ଅଭିଯୋଗ ଯେ, ପାଶ୍ଚାତ୍ୟର ଅଂଧ ଅନୁକରଣଯୋଗୁଁ ମାତୃଭାଷା ଶିକ୍ଷାକୁ ଆବଶ୍ୟକୀୟ ମହତ୍ତ୍ୱ ପ୍ରଦାନ କରାଯାଉ ନାହିଁ । ⁠ ମାତୃଭାଷା ପରି ନାରୀ ଶିକ୍ଷାକୁ ମଧ୍ୟ ଜାତୀୟ ଉନ୍ନତିିନିମନ୍ତେ ଏକ ଆବଶ୍ୟକୀୟ ଉପାଦାନ ବୋଲି ଗ୍ରହଣ କରାଯାଇଥିଲା । ଫକୀର ମୋହନଙ୍କ ଭାଷାରେ ନାରୀ ଶିକ୍ଷା ହେଲା ସମଗ୍ର ଜାତିର ଶିକ୍ଷା, ଜନଗଣଙ୍କ ଶିକ୍ଷା ଏବଂ କୁସଂସ୍କାରରୁ ବିମୁକ୍ତିର ବାଟ । ତାଙ୍କର କାଳଜୟୀ ଗଳ୍ପ 'ରେବତୀ'ରେ ନୂଆ ପିଢ଼ିର ଝିଅ ମନରେ ଶିକ୍ଷାପାଇଁ ଥିବା ସ୍ୱାଭାବିକ ଆଗ୍ରହକୁ ସେ ଦର୍ଶାଇଥିଲେ । ୧୮୬୦ ଦଶକରେ ସେ ଯେତେବେଳେ ବାଲେଶ୍ୱରରେ ଶିକ୍ଷକତା କରୁଥିଲେ, ନାରୀ ଶିକ୍ଷା ନିମନ୍ତେ ସେ ସ୍କୁଲ୍‌ରେ ଏକ ସ୍ୱତନ୍ତ୍ର ବାଳିକା ବିଭାଗ ଆରମ୍ଭ କରିଥିଲେ । ଅନ୍ତତଃ କୁଳୀନ ବର୍ଗର କନ୍ୟାମାନଙ୍କୁ ସେମାନଙ୍କ ଅଭିଭାବକ ବର୍ଗ ବାଳିକା ବିଭାଗ ସ୍ଥାପନ ହେଲେ ସ୍କୁଲ୍‍ ପଠାଇବେ ବୋଲି ସେ ଆଶା କରିଥିଲେ । ମାତ୍ର ପରେ ସେ ଦୁଃଖ ପ୍ରକାଶ କରିଥିଲେ, କାରଣ କେତେକ ଖ୍ରୀଷ୍ଟିଆନ୍‍ ପରିବାର ବ୍ୟତୀତ ଅନ୍ୟମାନେ କନ୍ୟାମାନଙ୍କୁ ସ୍କୁଲ୍‍କୁ ପଠାଉ ନଥିଲେ । ୧୯୦୮ରେ ମଧୁସୂଦନ ଦାସ ନିଜ ପ୍ରଚେଷ୍ଟାରେ ଏକ କନ୍ୟା ବିଦ୍ୟାଳୟ ଆରମ୍ଭ କରିଥିଲେ, ଯାହାର ପରିଚାଳନା ଭାର ରହିଥିଲା ତାଙ୍କର ପୌଷ୍ୟ ପୁତ୍ରୀ ଶୈଳବାଳାଙ୍କ ହାତରେ । ସ୍କୁଲ୍‍ ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ସେ ଶୈଳବାଳାଙ୍କୁ ଇଂଲଣ୍ଡ ମଧ୍ୟ ପଠାଇଥିଲେ ।

ପତ୍ରପତ୍ରିକା ⁠ ଜାତୀୟତାର ଉନ୍ମେଷ କାଳରେ ପତ୍ର-ପତ୍ରିକାର ପ୍ରକାଶନକୁ ଖୁବ୍‍ ଅଗ୍ରାଧିକାର ଦିଆଯାଉଥିଲା । ବୁଦ୍ଧିଜୀବୀ ବୁଝିଥିଲେ ଯେ, ସାମାଜିକ ସଂକଟର ଏକ ପ୍ରମୁଖ କାରଣ ହେଲା ସରକାର ଓ ସ୍ଥାନୀୟ ଲୋକ ସମାଜ ମଧ୍ୟରେ ଯୋଗାଯୋଗର ଅଭାବ । ପତ୍ର-ପତ୍ରିକା ଏହି ଅଭାବକୁ ପୂରଣ କରିପାରିବ ବୋଲି ମନେ କରାଯାଉଥିଲା । ନଅଙ୍କ ଦୁର୍ଭିିକ୍ଷ ପରିପ୍ରେକ୍ଷୀରେ ବୁଦ୍ଧିଜୀବୀର ଧାରଣା ଯେ, ଯୋଗାଯୋଗ ରହିଥିଲେ ସରକାର ବାସ୍ତବିକତାକୁ ଅକ୍ଲେଶରେ ଜାଣିପାରିଥାନ୍ତେ । ଫଳରେ ପ୍ରତିକାର ନିମନ୍ତେ ଯଥୋଚିତ ପଦକ୍ଷେପ ନେଇ ପାରିଥାନ୍ତେ । ଅସଲରେ ସେତେବେଳର ଜାତୀୟତାବାଦୀ ଇଂରେଜ ସରକାରଙ୍କ ମହନୀୟତାକୁ ସନ୍ଦେହ କରୁ ନଥିଲେ । ଅଥବା ଏହା ବି ହୋଇପାରେ ଯେ, ଦମନ ଭୟରେ ସରକାରର ସିଧା ସିଧା ସମାଲୋଚନା କରିବାକୁ ସାହସ କରୁ ନଥିଲେ, ଯାହା ଜାତୀୟତାର ଉନ୍ମେଷ କାଳରେ ସ୍ୱାଭାବିକ କଥାା ବରଂ ସରକାରଙ୍କ ମହନୀୟତା ସତ୍ତ୍ୱେ ଠିକ୍‍ କରି ଖବର ପହଞ୍ଚୁ ନ ଥିବାରୁ ପ୍ରଜା ପାଳନରେ ତ୍ରୁଟି ବିଚ୍ୟୁତି ହେଉଛି ବୋଲି କହୁଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ ପୂର୍ବୋକ୍ତ ଉପନ୍ୟାସରେ ଇଂରେଜମାନଙ୍କର ପ୍ରଶଂସା କରି କହିଛନ୍ତି, "ଇତିହାସ ଦେଖ, ଇଂରେଜ ଜାତି କେବେ ହେଁ ଅତ୍ୟାଚାରର ସପକ୍ଷ ନୁହଁନ୍ତି । ଇଂରେଜ ଜାତି ସ୍ୱାଧୀନତା ପ୍ରିୟ, ଇଂରେଜ ଜାତି ଅନେକ ପଶୁଙ୍କୁ ମନୁଷ୍ୟ କରି ଅଛନ୍ତି, ଅଂଧଙ୍କୁ ଚକ୍ଷୁ ଦେଇଛନ୍ତି ।" ତେଣୁ "ଆମ୍ଭମାନଙ୍କ ଗୁହାରି ଗୋଟି ଗୋଟି କରି ରାଜାଙ୍କ କାନରେ ପକାଇବାକୁ ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।" ଫକୀର ମୋହନ ମଧ୍ୟ ଦୁର୍ଭିିକ୍ଷ ବେଳେ ଇଂରେଜ କମିସନରଙ୍କ ଲୋକଙ୍କ ପ୍ରତି ରହିଥିବା ସଦ୍‍ଭାବନାକୁ ଅସ୍ୱୀକାର କରି ନାହାନ୍ତି । ବରଂ କମିସନର ଟି.ଇ. ରେଭେ୍‍ସାଙ୍କର ପ୍ରାଶାସନିକ ସମୟକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ଲୋକଙ୍କ ହାତରେ ବାସ୍ତବିକତାକୁ ଅଭିବ୍ୟକ୍ତ କରିବା ସକାଶେ ଯଦି ଆବଶ୍ୟକୀୟ ମାଧ୍ୟମ ରହିଥାଆନ୍ତା ଏବଂ ସରକାରଙ୍କ ପାଖରେ ସେହି ଅଭିବ୍ୟକ୍ତି ପହଞ୍ଚି ପାରିଥାନ୍ତା, ତେବେ ନିଶ୍ଚିତ ରୂପେ ଦୁର୍ଭ?
https://blog.odiabook.in/2023/06/the-excitement-of-nationalism-odia.html

For Latest Quiz, Gk Join Our Telegram Channel @Gk_Odia Click here

ସୌଜନ୍ୟ- ଓଡ଼ିଆ ଶବ୍ଦ ସମ୍ଭାର (Facebook Post)
ଲେଖା- କଳିଙ୍ଗ ଏକତା ମଞ୍ଚ (Facebook)

Post a Comment

0Comments

Post a Comment (0)