ଭାଷା ସମସ୍ୟା ଓ ଶବ୍ଦ ସମସ୍ୟା
(ପ୍ରଫେସର ନଟବର ଶତପଥୀ)୧୯୬୭ ମସିହାରେ ଆମେରିକାର ଜନୈକ ଚିନ୍ତକ ରିଚାର୍ଡ ରୋର୍ଟି (୧୯୩୧- ୨୦୦୭) ସମ୍ପାଦନା କରିଥିଲେ ଗ୍ରନ୍ଥଟିଏ – The Linguistic Turn’. ସେଥିରେ ଆମେ ବ୍ୟବହାର କରୁଥିବା ଭାଷା ବିଷୟରେ ଅନେକ ଦାର୍ଶନିକ ବିରୋଧାଭାସ ରହିଛି। କୁହାଯାଇଛି, ସେହି ସମସ୍ୟାର ସମାଧାନ ସମ୍ଭବ ହେବ ଆମର ଅବବୋଧ ଶକ୍ତିର ବିକାଶ ଘଟିଲେ। ଅର୍ଥାତ୍ ଆମେ ଯାହା ବୁଝାଇବାକୁ ଭାଷାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରୁଛେ ସେଇଟିକୁ ପ୍ରଥମେ ବୁଝିବାକୁ ହେବ।
କୁହାଯାଇଛି “Alinguistic turn is a proposition that agrues, in part, that language in and of itself constructs its own reality”. ଯାହା ଦୃଶ୍ୟମାନ, ବାସ୍ତବ ସେଇଥିରୁ ଭାଷା ନିଜକୁ ଗଢ଼ିନିଏ। ସୁନ୍ଦର ଉଦାହରଣ ଦେଉଛନ୍ତି। ୨୦୦୧ରେ ନ୍ୟୁୟର୍କର ୱାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ବିଷୟରେ ଜଣେ ଆଲୋଚନା କରି କହିଲେ, “ଆମେ ସନ୍ତ୍ରାସ, ଦୁଃସାହସିକତା, ବୀରତ୍ୱ, ବର୍ବରତା କଥା କହୁନାହୁଁ। ଆମେ ଘଟଣାର କଥା ଆଲୋଚନା କରୁଛେ। ସମସ୍ୟା ହେଉଛି ନୈତିକତା, ସାମାଜିକତା ବା ରାଜନୀତିର।” ଏସବୁ ବିଷୟ ଭାଷାର ବଳୟ ଭିତରେ କେତେକ ନିର୍ଦ୍ଦିଷ୍ଟ ଭାବ ବା ତଥ୍ୟ ଭିତରେ ବାନ୍ଧି ହୋଇଯାଏ। ଗୋଟିଏ ସ୍ଥିତି ବା ଦୃଶ୍ୟ ବା ଘଟଣାରୁ ଭାଷା ମୋଡ ନେଇ ଚାଲିଯିବା ଘଟଣାରୁ ତତ୍ତ୍ବବିଦ କହିବେ ଯେ ଭାଷାର ଲକ୍ଷଣ ଓ ଗଠନର ସ୍ୱରୂପ ବୁଝିବା ହେଉଛି ପ୍ରାଥମିକ ଆବଶ୍ୟକତା। ନିଜର ଯୁକ୍ତିକୁ ବଳ ଯୋଗାଇବା ପାଇଁ ସେ ଆଲୋଚକ ଜଣେ ବ୍ରିଟିଶ ଦାର୍ଶନିକଙ୍କ କଥା ଉଠାଇଛନ୍ତି।
ସେ ଦାର୍ଶନିକ ହେଉଛନ୍ତି ଏ. ଜେ. ଏଅର (୧୯୧୦-୮୯) ଲଜିକାଲ ପଜିଟିଭଜମର ପ୍ରବକ୍ତା। ସେ କହିଲେ ଦାର୍ଶନିକ ଜଣେ ବିଶ୍ଳେଷଣକାରୀ ଭାବେ କୌଣସି ବସ୍ତୁର ବିସ୍ତୁତ୍ୱ ସହ ମାନସିକ ଭାବେ ସମ୍ପୃକ୍ତ ନହଁନ୍ତି। ବସ୍ତୁ ବିଷୟରେ ଲୋକମାନଙ୍କର ଯାହା ଧାରଣା ବା ସେ ବିଷୟରେ ଯାହା କୁହାଯାଏ ସେଇ କଥା ବା ଧାରଣା ତାଙ୍କର ବିମର୍ଶର ବିଷୟ। ଏଥିରୁ ବୁଝାଯିବ ଯେ ଦର୍ଶନର କାର୍ଯ୍ୟ ନୁହେଁ ବସ୍ତୁ ସମ୍ପର୍କିତ ତତ୍ତ୍ୱର ପରୀକ୍ଷା (ତାହା ବିଜ୍ଞାନ କାମ) କରିବା। ଯାହା ଯେପରି କୁହାଯାଉଛି ବା କୁହାଯାଏ ତା’ର ଭାଷାଭିତ୍ତିକ ବିଶ୍ଲେଷଣ ଦର୍ଶନର କାର୍ଯ୍ୟ।
ଭାଷା ବାହାରେ କୌଣସି ଘଟଣା ନଥାଏ। ଭାଷାରେ କେହି ନ ହେବା ପରି କୌଣସି ପ୍ରକାର ବାସ୍ତବ ଚିତ୍ର ବା ଦୃଶ୍ୟ ନଥାଏ। ଅଭାବ ଥାଏ ଅନୁଭବ ବା ଅନୁଭୂତିର; ବସ୍ତୁ। ଦୃଶ୍ୟ ବା ଘଟଣା ସମ୍ପର୍କରେ ଜ୍ଞାନର। ଜେ. ଏଲ୍. ଅଷ୍ଟିନ (A Plea for Excuses London, 1961) କହୁଛନ୍ତି। ‘Our common stock of words embodies a;; the distinctions men have found worth drawing.’
ଜଣେ ବ୍ୟକ୍ତି ନିଜର ସାଧାରଣ ଜୀବନ ବୃତ୍ତିରେ ଯେତେ ଶବ୍ଦ କୁହେ ତାହା ତା’ର ନିଜର ନୁହେଁ, ବହୁ ପୂର୍ବରୁ ବା ଅତୀତର କେଉଁ ଅଭିଜ୍ଞତାରୁ ତାହା ସାଇତା ହୋଇଆସିଛି। ସେଥିଭିତରେ ଯୁଗ ଯୁଗର ମଣିଷର ସଂସ୍କୃତି, ବିଶ୍ୱାସ (ହେଉ ଭ୍ରାନ୍ତ ବା ମୂଲ୍ୟଗତ) ପାଇଛି ଏକ ସ୍ୱୀକୃତି। ଦାର୍ଶନିକମାନେ ଭାଷାର ନୀତିଗତ ଯଥାର୍ଥ ମୂଲ୍ୟ ଖୋଜିବାକୁ ଯାଇ ଅନ୍ତଦୃଷ୍ଟି ବଳରେ ଯଦି କୌଣସି ଶଦ୍ଦକୁ ଅମାର୍ଜିତ, ସଂସ୍କୃତିବିହୀନ ମନେ କରନ୍ତି ତେବେ ତାହା ଭାଷା ପାଇଁ କ୍ଷତିକାରକ ହୋଇପାରେ। ଭାଷା ସଂସ୍କାର ଏକ ନିରର୍ଥକ ଉଦ୍ୟମ, ତାହା ଅନେକ ଦ୍ୱନ୍ଦ୍ୱ ସୃଜିପାରେ। ଏଣୁ କେହି କେହି ଉଇଗେନଷ୍ଟେଇନଙ୍କ ମତରେ କହିବେ- Leave everything as it is. ଏହି ପରିପ୍ରେକ୍ଷୀରେ Language turn ଭାଷା ଅନୁଶୀଳନକାରୀଙ୍କ ପାଇଁ ଉତ୍ସାହପ୍ରଦ ହୋଇପାରେ।
ଯେକୌଣସି ଭାଷାର ଶଦ୍ଦ ଉପରେ ଦୃଷ୍ଟିପାତ କରାଗଲେ ଦେଖାଯିବ। ୧- ଭାଷା ସଂସ୍କୃତିଜାତ। ଭାଷା ଓ ସଂସ୍କୃତି ଅବିଚ୍ଛିନ୍ନ। ବିଚ୍ଛିନ୍ନ କରିବା ଅସମ୍ଭବ। ନିର୍ଦ୍ଦିଷ୍ଟ ଏକ ସଂସ୍କୃତିରେ ଥାଏ ଜାତିଗତ ବିଶ୍ୱାସ, ଚଳଣି, ଜୀବନବୋଧ ଓ ତା’ର ବିଭିନ୍ନ ବ୍ୟବହାର ଗତ ବୃତ୍ତାନ୍ତ। ସେଥିରୁ ଗଢ଼ିଉଠିଥିବା ଭାବ ମୁଖ୍ୟତଃ ବସ୍ତୁଗତ ରୂପ ନିଏ। ଏଣୁ ୨- ଭାଷା ବା ଶଦ୍ଦ ମୂଳତଃ ବସ୍ତୁ ଅସ୍ତି, ଭାତି, ରୂପ, ଗୁଣ ଓ ନାମରେ ପରିଚୟ ପାଏ। ଅସ୍ତି = ବସ୍ତୁ ହେତୁ ଅସ୍ତିତ୍ୱ ଅଛି। ଯେପରି ଗଛ, ପାହାଡ଼, ସୂର୍ଯ୍ୟ, ଚନ୍ଦ୍ର। ଭାତି = ବସ୍ତୁର ଅଛି ପ୍ରକାଶମାନ ରୂପ। ତାହା ଯେପରି ଦୃଶ୍ୟମାନ ହେଉଛି। ଗଛ କହିଲେ ସବୁଗଛକୁ ବୁଝାଏ, ମାତ୍ର ଆମ୍ବଗଛ, ବରଗଛ କହିଲେ ନିର୍ଦ୍ଦିଷ୍ଟ ହେବାଯାଏ। ରୂପ କହିଲେ ବସ୍ତୁର ନିର୍ଦ୍ଦିଷ୍ଟ ଆକାର। ଗୁଣ = ବସ୍ତୁଟିର ଭିତର ଗୁଣ। ଖଣ୍ଡେ ଛୋଟ ପଥର ମୁଣ୍ଡ ଫଟାଇ ଦିଏ, ମାତ୍ର ସେହି ଆକାର ଫୁଲଟିଏ ଭିନ୍ନ ଅର୍ଥ ବହନ କରେ। ବସ୍ତୁର ପ୍ରଥମ ଚାରୋଟି ଲକ୍ଷଣ ଅର୍ଥାତ୍ ଅସ୍ତି, ଭାତି, ରୂପ, ଗୁଣ ପୃଥକ ହୋଇଥିବାରୁ ନାମ ମଧ୍ୟ ପୃଥକ ହୁଏ। ଆମେ ବସ୍ତୁର ନାମ ଦେଇ ଚିହ୍ନ, କହୁ ଓ ଭାବ ପ୍ରସାରଣ କରୁ। ଏଣୁ ବସ୍ତୁମୟ ଜଗତ ଯଥାର୍ଥରେ ଶଦ୍ଦମୟ ଜଗତ।
ଯାହା ସାଧାରଣରେ ତୁଚ୍ଛ; ଦେବସ୍ପର୍ଶ ପାଇଲେ ତାହା ହୁଏ ଦିବ୍ୟ। ଏହାହିଁ ସଂସ୍କୃତିର ମନ୍ତ୍ର। ଭାଷା ଓ ସଂସ୍କୃତି ଉଭୟ ଦର୍ପଣ, ଗୋଟିଏ ଦର୍ପଣରେ ଅନ୍ୟଟି ଦେଖିହୁଏ।
ପାଣି ପବନ ମାଟି କହିବା ବେଳେ ଆମ ଆଗରେ ଏହି ବସ୍ତୁ ନ ଥାଏ, ଥାଏ ତା’ର ଅର୍ଥବାହିକା ଶକ୍ତି। ଏଣୁ ଭାଷାରେ ବସ୍ତୁ କହିଲେ ଏକ ପ୍ରତୀକକୁ ବୁଝାଏ। ସେହି ପ୍ରତୀକଟି ଗୋଟିଏ ଶବ୍ଦ। ଶବ୍ଦ ଅର୍ଥ ପ୍ରତୀକ ବସ୍ତୁ। ଏପରି ଅବିଚ୍ଛିନ୍ନ, ନିରନ୍ତର ଥାଏ ଅର୍ଥ ଏହାକୁ ସଂସ୍କୃତିର ସଙ୍କେତ କରିଥାଉ। ଉଦାହରଣ – ଜଗନ୍ନାଥ ଏକ କାଠପିଣ୍ଡ। ମାତ୍ର ସେଥିରେ ଓଡ଼ିଆ ସଂସ୍କୃତି ଜୀବନ୍ୟାସ ହେଉଛି ବ୍ରହ୍ମର। ନଡ଼ିଆ, କଦଳୀ, କ୍ଷୀର, ଲବଣୀ, ଛେନା, ଗୁଡ଼- ଏସବୁ ଭିନ୍ନ ଭିନ୍ନ ବସ୍ତୁ। ମାତ୍ର ଏକାଠି ମିଶି ବା ଭିନ୍ନଭାବେ ପୂଜା ହୋଇଗଲେ ନାମ ହୁଏ ଭୋଗ ବା ପ୍ରସାଦ। ଘରରନ୍ଧା ଅରୁଆଭାତ, ଖେଚୁଡ଼ି ରୁଚେ ନାହିଁ। ତାହା ଜଗନ୍ନାଥ ସ୍ପର୍ଶରେ ମହାପ୍ରସାଦ ବୋଲାଏ। କ୍ଷୁଧାକୁ ଅନୁରାଗ ସହ ଭକ୍ତି ମିଶାଇ ଏକ ବିହ୍ୱଳ ମନୋଭାବ ସୃଷ୍ଟି କରେ। ଯାହା ସାଧାରଣରେ ତୁଚ୍ଛ; ଦେବସ୍ପର୍ଶ ପାଇଲେ ତାହା ହୁଏ ଦିବ୍ୟ। ଏହାହିଁ ସଂସ୍କୃତିର ମନ୍ତ୍ର। ଭାଷା ଓ ସଂସ୍କୃତି ଉଭୟ ଦର୍ପଣ, ଗୋଟିଏ ଦର୍ପଣରେ ଅନ୍ୟଟି ଦେଖିହୁଏ।
ପ୍ରଶ୍ନ ହୋଇପାରେ ଗଛ ମାଛ ପାଣି ପଥର ଏସବୁ ବସ୍ତୁ। ପ୍ରେମ, ଶ୍ରଦ୍ଧା, ରାଗ, ଘୃଣା ଆଦି ଆକାରହୀନ ଭାବ ବସ୍ତୁ ହୋଇପାରେ କି? ଦର୍ଶନରେ ସବୁ ବସ୍ତୁ: ମଣିଷ ଧର୍ମ, ଈଶ୍ୱର ବି। ବସ୍ତୁ ମୂର୍ତ୍ତିମାନ, ଅମୂର୍ତ୍ତ ମଧ୍ୟ। ଗୋଟିଏ ଦୃଶ୍ୟ, ଅନ୍ୟଟି ଅଦୃଶ୍ୟ, ତାହା ଚେତନ ବା ମନୋଜଗତରେ ଥାଏ। ଯାହା ମନୋମୟ ହୁଏ ଓ ତା’ର ନିର୍ଦ୍ଦିଷ୍ଟ ଆକାର କଳନା ସମ୍ଭବ ନ ହୋଇପାରେ, କିନ୍ତୁ ବସ୍ତୁର ଅନ୍ୟ ଗୁଣଗୁଡ଼ିକ – (ଭାତି, ରୂପ, ଗୁଣ, ନାମ) ଥାଏ। ଏପରିକି ଭାତି ବିହିନେ ରୂପ, ଗୁଣ, ନାମ ଥାଏ କିମ୍ବା ରୂପ ବିହିନେ ଗୁଣ ବା ନାମ ଥାଏ। ପ୍ରତ୍ୟେକ ବସ୍ତୁ ଜାତିର ନିର୍ଦ୍ଦିଷ୍ଟ ସଂସ୍କାର ଓ ବିଚାର ନେଇ ପ୍ରକଟିତ ହୁଏ। ବସ୍ତୁତଃ, ଭାଷା ମୂଳରେ ଥାଏ ବସ୍ତୁଜଗତ।
ବସ୍ତୁଜଗତ ଅକଳନୀୟ। ଏହା ଦି’ ପ୍ରକାର ଗୋଟିଏ ପ୍ରାକୃତିକ, ଅନ୍ୟଟି କୃତ୍ରିମ। ଉପର ଅଂଶରେ ପ୍ରେମ, ଶ୍ରଦ୍ଧା, ରାଗ, ଘୃଣା ବୋଲି ସୂଚିତ ମନୋଜଗତର ବିଷୟଗୁଡ଼ିକୁ ପ୍ରାକୃତିକ ବା ସର୍ଗବନ୍ଧ କହିପାରିବା। ଅନ୍ୟଥା ଏହାକୁ ମାନସିକ/ ମନୋଜାତ/ ମନୋଭାବମୂଳକ କୁହାଯାଇପାରେ। ଭାଷା ସହ ସ୍ୱଭାବତଃ ଏହି ଦୁଇ ଶ୍ରେଣୀର ସକଳ ବସ୍ତୁ ସହ ସମ୍ପୃକ୍ତ। ପୃଥିବୀର ସବୁ ସ୍ଥାନରେ ପ୍ରାକୃତିକ ବସ୍ତୁ ସମାନ, ପ୍ରୟୋଜନ ମଧ୍ୟ ସମାନ। ହେଲେହେଁ ଭାଷାରେ ଭିନ୍ନତା କାହିଁକି?
ଭାଷା ଭିନ୍ନ କାରଣ ସଂସ୍କୃତି ଭିନ୍ନ। ମଣିଷ ସଭ୍ୟତାର ଇତିହାସରୁ ଜଣାଯାଏ, କେବେ ଅତୀତରେ ଏକ ଦଳବଦ୍ଧ ଜୀବନଯାପନ କରୁଥିବା ମଣିଷ ଜାତି ଆବଶ୍ୟକତାରୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ମୁଖ୍ୟ ଦଳରୁ ପୃଥକ ହୋଇଗଲେ। ସେମାନେ ବାସ କରୁଥିବା ଭୌଗୋଳିକ ପରିବେଶରେ ନୂଆ ସଂସ୍କୃତି ଗଢ଼ିଲେ। ମୂଳଗୋଷ୍ଠୀର କେତୋଟି ପିଢ଼ି ପରେ ମୂଳଗୋଷ୍ଠୀର ଭାଷା ବଦଳିଗଲା। କାରଣ ଭୌଗୋଳିକ ପରିବେଶର ଭିନ୍ନତା ହେତୁ ନୂଆ ପିଢ଼ିର ସଂସ୍କୃତି ବଦଳିଲା।
ପ୍ରତ୍ୟେକ ଆଗନ୍ତୁକ ପିଢ଼ି ପୂର୍ବପିଢ଼ିର ଭାଷାରେ ଆଗ୍ରହ କରେ ନାହିଁ। କିଛି ବଦଳେ, କିଛି ନୂଆ ଆସେ। ଏହି କ୍ରମରେ ଦିନେ ପୂରା ବିଚ୍ଛିନ୍ନ ହୋଇଯାଏ। ଏହି ପରିବର୍ତ୍ତନ ପ୍ରକୃତରେ ରୂପାନ୍ତର ନାମରେ ପରିଚିତ। ଜୀବନଧାରା ଅର୍ଥାତ୍ ସଂସ୍କୃତିର ରୂପାନ୍ତର ନାମରେ ପରିଚିତ। ଜୀବନଧାରା ଅର୍ଥାତ୍ ସଂସ୍କୃତିର ରୂପାନ୍ତର ପ୍ରକ୍ରିୟାରେ ଗୋଟିଏ ବିଷୟ ପ୍ରାୟତଃ ବଦ୍ଧ ମୂଳ ରହିଯାଏ, ତାହା ହେଉଛି ମିଥ୍ (Myth- ପୁରାମୌଳ), ଲୋକବୃତ୍ତି, ସାଗା, ଲିଜେଣ୍ଡ (Saga, Legend)। ଏଗୁଡ଼ିକର ଅନ୍ତଃଶୃଙ୍ଖଳା ହେଉଛି ସୃଷ୍ଟି ବିଷୟକ।
ବୀର ଓ ବୀର ଗାଥା ଦେବଦେବୀ ଆଖ୍ୟାନମୂଳକ ଘଟଣା। ଏଥିରେ ଆତ୍ମଲୀନ ପରି ସାଂସ୍କୃତିକ ବିଭବ ଗୋପନରେ ଥାଏ। ଜନଗୋଷ୍ଠୀର ଅନ୍ତର୍ମନରେ ତା’ର କାହାଣୀ ବାସ କରିଥାଏ। କେହି କେହି ବେଳେ ବେଳେ କହନ୍ତି, ଅନ୍ୟକୁ ଶୁଣାନ୍ତି। ସେହି କ୍ରମରେ ଜାତିର ଅବିରତ ଶ୍ରାବ୍ୟ ଓ ଶ୍ରେୟ ଗୁଣ ବଢ଼ୁଥାଏ। ହୁଏତ କୌଣସି ପିଢ଼ିର ଲୋକ ଏହି କାହାଣୀ ଶୁଣିନଥାନ୍ତି, କିନ୍ତୁ ତାହା କେଉଁଠି ନା କେଉଁଠି ଜାତିଗତ ସ୍ମୃତି (racial memory)ରେ ଲୁଚି ରହିଥାଏ।
ସଂସ୍କୃତିର ବସ୍ତୁରୂପ ଓ ବସ୍ତୁରୂପରୁ ଭାଷା ନିଦର୍ଶନ ହେଉଛି ମଣିଷ ସଭ୍ୟତାର ବିକାଶ। ସଭ୍ୟତା ବସ୍ତୁର ରୂପାନ୍ତରକୁ ବୁଝାଏ। ବସ୍ତୁ ରୂପାନ୍ତର କ୍ଷମତା ଯେତେ କ୍ଷିପ୍ର, ସହଜ, ନମନୀୟ ଓ ଅଳ୍ପ ଅର୍ଥ ଉପଯୋଗୀ ହୁଏ ସଭ୍ୟତାର ଲକ୍ଷଣ ବା ଅବଦାନ ସେତେ ସୂକ୍ଷ୍ମ ହୁଏ। ଏହି ଶକ୍ତି ବା ଧର୍ମ ଉପରେ ନିର୍ଭର କରେ ସୂଚିତ କୃତ୍ରିମ ବସ୍ତୁର ଆୟୋଜନ। ପ୍ରାକୃତିକ ବସ୍ତୁ ମଣିଷକୁ ଦେଇଛି ପ୍ରାକୃତିକ ଶଦ୍ଦରାଜି। ଗୋଟିଏ ପ୍ରାକୃତିକ ପରିବେଶରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରାକୃତିକ ଶଦ୍ଦ ବ୍ୟବହାର କରନ୍ତି।
ଉଦାହରଣସ୍ୱରୂପ ଓଡ଼ିଆ ପରିବେଶରେ ପାଣି, ପବନ, ମାଟି, ପାହାଡ଼, ଗଛ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା ପରି ଅଗଣିତ ଶଦ୍ଦ ଓଡ଼ିଆ କହିଥାନ୍ତି ବା ଲେଖିଥାନ୍ତି। କେହି କଥବାର୍ତ୍ତା ବେଳେ କହନ୍ତି ନାହିଁ ଆକାଶରେ ସନ୍ ବା ମୁନ୍ ଦେଖାଯାଉ ନାହିଁ; କିମ୍ବା ‘ସ୍କାଏରେ କ୍ଲାଉଡ ମାଳ ମାଳ।’ ଯଦି ଜଣେ ଲୋକ ବର୍ଣ୍ଣବୋଧ ପଢ଼ିଥାଏ ସେ ହୁଏତ ମନେ ମନେ ଗୁଣି ହେବ, “ଆକାଶ ଦିଶେ କି ସୁନ୍ଦର। ତାହାକୁ ରଚିଲେ ଈଶ୍ୱର।’ ଈଶ୍ୱର ଆକାଶ ରଚନା କରିବାରେ ଅବିଶ୍ୱାସ ଆସିପାରେ କିନ୍ତୁ ଆକାଶ ସୁନ୍ଦର ଦିଶିବାରେ ଅସୁବିଧା ନାହିଁ। ଅର୍ଥାତ୍ ଆସ୍ତିକତା ବା ନାସ୍ତିକତାର ଊର୍ଦ୍ଧ୍ୱରେ ଆକାଶର ବିଶାଳ ଉଦାର ପ୍ରଶାନ୍ତ ରୂପ ବୁଝି ହୋଇଯାଏ।
ତାତ୍ପର୍ଯ୍ୟ ଏହା ଯେ ଯେଉଁଠି ପ୍ରାକୃତିକ ନିତ୍ୟବସ୍ତୁ ସକଳ ଆାମ ସାଂସ୍କୃତିକ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ ସେଇଠି ଭିନ୍ନ ଏକ ଭାଷାର ମାଧ୍ୟମ ସହଜରେ ଏଡ଼ାଇ ଯାଇହୁଏ। ଜଣେ ଇଂରାଜୀ ବା ହିନ୍ଦୀ ଭାଷା ଧୂରୀଣ ଓଡ଼ିଆ ଲୋକ ଓଡ଼ିଆ ସଂସ୍କୃତିରେ ବଢ଼ିଥିଲେ ତା’ର ଭାଷାରେ ଅକୃତ୍ରିମତାର ସଂକେତ ଦେଖାଯାଏନାହିଁ। ଅର୍ଥାତ୍ ଓଡ଼ିଆ ସମାଜ/ ସଂସ୍କୃତି ମଧ୍ୟରେ ଭାବବିନିମୟରେ ପ୍ରାକୃତିକ ବସ୍ତୁ ଆଧାରିତ ଶଦ୍ଦରେ ବିକୃତି ସ୍ୱାଭାବିକ ଭାଷିକ ପରମ୍ପରା ବୋଲି ବିବେଚିତ ହେବ ନାହିଁ। ଯଦିବା ଏପରି ହୁଏ ତାହା ହେବ ସମ୍ପୂର୍ଣ୍ଣ କୃତ୍ରିମ ଓ ଅହଂଯୁକ୍ତ।
“ଆକାଶ ଛିଣ୍ଡି ପଡ଼ିବ ନାହିଁ” ବୋଲି ସାଧାରଣତଃ କୁହାଯାଏ। କେହି କେବେ କହିବ କି ଆକାଶ ଫଲଡାଉନ? ଏହା ଅସମ୍ଭବ ଓ ଅବାସ୍ତବ ଉକ୍ତି। ଅବଶ୍ୟ ଏଠାରେ ହାଲିକାର ଶିକ୍ଷିତ ଏପରିକି ଅଶିକ୍ଷିତ ଲୋକେ କହିଲେଣି- ଫ୍ରିଜ୍ ପାଣି ବା ନର୍ମାଲ ପାଣି। ଏଥିରେ ସମସ୍ୟା ହେଉଛି ‘ଫ୍ରିଜ୍’ ଯାର ଓଡ଼ିଆ ଶଦ୍ଦ ନାହିଁ, ଥିଲେ ସହଜବୋଧଶୀଳ ହୁଅନ୍ତା ନାହିଁ। ଯଦି କୁହାଯାଆନ୍ତା, ‘ଥଣ୍ଡା ପାଣି ଦେବି?’ ସମ୍ଭବତଃ ଉତ୍ତର ହୁଅନ୍ତା ହଁ ବା ନାହିଁ, ବା ‘ସାଧା ପାଣି।’ ନିର୍ମାଲ ପାଣି ଏକ ବିକୃତ ଭାଷା। ଭାଷା ବିକୃତିର କାରଣ ନିଜ ସଂସ୍କୃତିର ପରିଚୟର ଅଭାବ ବା ସେଥିପ୍ରତି ଅନାସ୍ଥା ଭାବ। ଇଂରାଜୀ ହିନ୍ଦୀର ଗଞ୍ଜେଇ ନିଶାରେ ବ୍ୟକ୍ତିତ୍ୱର ସରଳ ସାଧା ମୁଣ୍ଡଟି ତିନିପା ଧୂଆଁଳିଆ ହୋଇଯାଇଛି।
ଭାଷାର ଶଦ୍ଦ ଭଣ୍ଡାର ଆଧୁନିକ ବିଜ୍ଞାନ କାରିଗରି କୌଶଳ ଶଦ୍ଦ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ। ଏହା ମଧ୍ୟ ବରଣୀୟ। କାରଣ ଆମର ସ୍ୱାଭାବିକ ପ୍ରାକୃତିକ ଜଗତକୁ ବିଜ୍ଞାନ ବଳରେ କୃତ୍ରିମ ଜଗତ ଘେରି ରହିଛି। କୃତ୍ରିମ ଜଗତର ଭାଷା କୃତ୍ରିମ। ଅର୍ଥାତ୍ ତାହା ବିଜ୍ଞାନ ସଂସ୍କୃତିରୁ, କାରିଗରି ବା ତଥ୍ୟର ବଡ଼ଦାଣ୍ଡରୁ ଆସୁଛି। ତାହା ରୋକିହେବ ନାହିଁ, ଅନୁଚିତ ମଧ୍ୟ। ଏହାଫଳରେ କୃତ୍ରିମ ଜଗତ ଯେକୌଣସି ଭାଷାଭାଷୀଙ୍କ ପାଇଁ ଏକ ପ୍ରକାର ଶଦ୍ଦ ଭଣ୍ଡାର ସୃଷ୍ଟି କରିଛି। କମ୍ପ୍ୟୁଟର, ଇଣ୍ଟରନେଟ୍, ସାଇବର, ସୋସିଆଲ୍ ମିଡିଆ, ମେଗାବାଇଟ, ଜିବି, ଇଲେକଟ୍ରନ, ପ୍ରୋଟନ, ନିୟୁଟ୍ରନ ପରି ଶହ ଶହ ଶଦ୍ଦ ଆମର ବ୍ୟବହାରକୁ ଆସିଛି। ଜ୍ଞାନର ବିସ୍ତୃତ ଦିଗବଳୟ ଆଜି ନିତିଦିନିଆ (ନୂଆ) ଖବର କାଗଜ ପରି ନୂଆ ଶଦ୍ଦ ତିଆରି କରୁଛି। ଯାହା ତିଆରି ହେଉଛି ତାହା ଆମ ପରିବେଶ ବା ସଂସ୍କୃତିର ନୁହେଁ। ତେଣୁ ତାହା ସହିତ ଆମର ଭାବଗତ ମେଳ ନଥାଏ। ବିଜ୍ଞାନର ଆବଶ୍ୟକତା ହେତୁ ଏପରି ଘଟୁଛି। ଏହି ଦୃଷ୍ଟିରୁ ଆଜିର କୌଣସି ଗୋଟିଏ ସ୍ଥାନର ଜଣେ ଶିକ୍ଷିତ ବ୍ୟକ୍ତି ପ୍ରକୃତରେ ବହୁ ସଂସ୍କାରକ (multi cultural) ଜଗତର ହୋଇପାରେ। ଏପରି ହେଲେ ସେ ବହୁଭାଷିକ (multi lingual) ହେବାକୁ ବାଧ୍ୟ। ଏତଦ୍ଭିନ୍ନ ଉପାୟ ନାହିଁ। ଏଣୁ ଏପରି ବ୍ୟକ୍ତିର ମନୋଜଗତ ଅନୁଭବ, ଭାବସମ୍ପ୍ରସାରଣ ମାଧ୍ୟମକୁ ବହୁ ଭାଷା ପଶିଆସିବା ହିଁ ବାସ୍ତବ ଚିତ୍ର। ଜ୍ଞାନର ଜଗତ ଯେତେ ସମ୍ପ୍ରସାରିତ ହୁଏ ବ୍ୟକ୍ତିର ଚିତ୍ତ ତଦନୁରୂପେ ବିକଶିତ ହୁଏ ଓ ବ୍ୟକ୍ତିଟି multi culture ରୁ ମାନବିକତା ଲାଭ କରେ।
ଗ୍ଲୋବାଲାଇଜେସନ ହୁଏତ ଆମକୁ ଏଇ ଧାରଣା ଦେଇପାରେ। ମାତ୍ର ଓଡ଼ିଆ ଭାଷାଭାଷୀଙ୍କ ସମସ୍ୟା ଭିନ୍ନ। ଏମାନେ ନାମକୁ ମାତ୍ର କଥିତ ଦୁଇଟି ସ୍ଥିତି ଭିତରେ ଅଛନ୍ତି। Multi Cultural ଓ Multi LIngual Multi Dimensional, Multi Personality ସୃଷ୍ଟି କରିବାର ଅବକାଶ ଥାଏ। ଏପରି ବ୍ୟକ୍ତିର ବ୍ୟକ୍ତିତ୍ୱ ବନ୍ଦନୀୟ। ଓଡ଼ିଆ ଭାଷୀ ବ୍ୟକ୍ତି କ’ଣ ସତରେ ଏଇଆ? ଯେଉଁମାନେ କଥା କଥାକେ ବହୁ ସାଂସ୍କୃତିକ ଓ ବହୁ ଭାଷିକ ପ୍ରଶ୍ନ ଉଠାନ୍ତି ବା ତା’ର ନଜିରରେ ନିଜର ଉଦାରତାର ପରିଚୟ ଦିଅନ୍ତି ସେମାନେ କ’ଣ ଉଦାର ସତରେ? ନା। ଏହା ସେମାନଙ୍କର ଏକ ଛଳନା। ଦେଶାତ୍ମବୋଧର ଅଖାତଳେ କୃତ୍ରିମ ବ୍ୟକ୍ତିତ୍ୱଧାରୀ ଦିନେ ନିଜକୁ ପରମ ଦେଶବତ୍ସଳ ବୋଲି କହିବେ, ଏକଥା ନେତାଜୀ ସୁଭାସ ଚନ୍ଦ୍ର ବୋଷ ସତର୍କ କରି ଦେଇଥିଲେ। ତାହା ହିଁ ଘଟିଲା। ଏବେ ସବୁ ରାଜନୀତିକ ଦଳର ନେତାମାନେ ଜନସେବୀ, ଗଣତନ୍ତ୍ରୀ ଓ ଜନପ୍ରତିନିଧି। ସେହିଭଳି ଆମର ଭାଷା ପ୍ରେମ।
ଅସଲ ସମସ୍ୟା ରହିଛି ଆମ ଓଡ଼ିଶାର ଶିକ୍ଷାବ୍ୟବସ୍ଥାରେ। ସାରା ବିଶ୍ୱର ମନସ୍ତତ୍ତ୍ୱବିଦ୍, ଭାଷାବିଦ୍, ବିଜ୍ଞାନୀମାନେ କୁହନ୍ତି ମାତୃଭାଷାରେ ପ୍ରାଥମିକରୁ ମାଧ୍ୟମିକ ଯାଏ ଶିକ୍ଷା ଦିଆଗଲେ ପିଲାର ମନରେ ଭାଷା ପ୍ରୀତି ଗଢ଼ିଉଠେ। ଏହି ଭିତ୍ତିଭୂମି ଉପରେ ତା’ର ପରବର୍ତ୍ତୀ ଶିକ୍ଷା ହୁଏ ଉଜ୍ୱଳ ଏବଂ ଅନେକ ଭାଷା ଶିକ୍ଷା ପାଇଁ ଅନୁକୂଳ। କାରଣ ପିଲାଟି ଦିନରୁ ସେ ନିଜ ପରିବେଶକୁ ଦେଖେ। ସେଥିରୁ ପ୍ରକୃତିକୁ ଚିହ୍ନେ, ବୁଝେ। ପ୍ରକୃତି ତା’ ଭିତରେ ପରିବେଶ ପ୍ରତି ଧ୍ୟାନ ଜାଗରିଣୀ ଏକ କଳ୍ପନାଶକ୍ତି ତିଆରି କରେ। ସେ କଳ୍ପନା କରେ। କଳ୍ପନାବିହୀନ ଶିକ୍ଷା ଘାତକ ହୁଏ।
ପିଲା ସବୁ ତଥ୍ୟ ତତ୍ତ୍ୱ ଜାଣିବା ପରେ ସୁଦ୍ଧା ତା’ର କଳ୍ପନା ଶକ୍ତି ନଥିଲେ ପରିବେଶ ସହିତ ଯୋଗାଯୋଗ ଘଟେ ନାହିଁ। ଖେଳରେ ମାତିଥିବା ପିଲା ଯେମିତି ଖେଳ ସାମଗ୍ରୀକୁ ନେଇ ନାନା ପ୍ରକାର ବସ୍ତୁ ତିଆରି କରେ, ସରଞ୍ଜାମକୁ ଯୋଡ଼ି ଭାଙ୍ଗି ପୁଣି ଯୋଡ଼ି ବାସ୍ତବତାର (ସେ ଦେଖିଥିବା ବସ୍ତୁର) ଆକାରଟିଏ ଠିଆ କରାଏ, ସେଥିରେ ତା’ର ବସ୍ତୁର ବାସ୍ତବବୋଧ ପ୍ରତିଫଳିତ ହୁଏ। ସେ ଆନନ୍ଦ ପାଏ। ଖୁସି ହୁଏ ଓ ଅଧିକ ଉତ୍ସାହରେ ନୂଆ ନୂଆ ତିଆରି କରେ। ଏହି କଳ୍ପନାବୋଧ ସବୁ ଶିକ୍ଷାର ଚାବିକାଠି ଏବଂ ବିକାଶର ମାର୍ଗ ଓ ଭବିଷ୍ୟତର ସଙ୍କେତ ହୁଏ। ମାତ୍ର ଏକ ଭିନ୍ନ ଭାଷା ତା’ର ସର୍ଜନଶୀଳ ଗୁଣକୁ ମାରିଦିଏ।
ଓଡ଼ିଶାରେ ପ୍ରତିଭାମାରଣର ମଞ୍ଜି ବୁଣି ହେଲାଣି। ଇଂରାଜୀ ହିନ୍ଦୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ମାତୃଭାଷା ଶିକ୍ଷାକୁ ଆଡେଇ ଦେବା ଫଳରେ ପିଲାର କଳ୍ପନାବୋଧ ମରିଯାଇଛି। ସୃଜନ କ୍ଷମତା ଅପସରି ଯାଉଛି। ଏହି ସ୍ଥିତିରେ ତା’ର ଭବିଷ୍ୟତ ହେବ ଛଳନାର ବିଗ୍ରହଟିଏ। ବାହ୍ୟ ପରିବେଶରୁ ସେ କେବଳ ଭିନ୍ନ ଭାଷାର ଶବ୍ଦ ଆହରଣ କରିବ। ତା’ର ମୂଲ୍ୟ ବା ବ୍ୟବହାର କୌଶଳ ଯଥାର୍ଥରେ ଶିଖିବ ନାହିଁ। ଫଳରେ ବହୁ ସାଂସ୍କୃତିକ, ବହୁଭାଷିକ ସ୍ଥିତିରେ ନଜିର ଦେଇ ଅସଂଲଗ୍ନ ଚିନ୍ତାକୁ ଧରି ନିରର୍ଥକ କଥାଗୁଡ଼ିଏ କହେ। ବହୁଭାଷାର ମିଶ୍ରଣରେ ଭାଷାର ଶ୍ରୁତି ମଧୁରତା ବିକୃତ ହୁଏ,ଭାଷାର ଲାଳିତ୍ୟ ନଷ୍ଟ ହୁଏ। ଫଳରେ ମନର ଅଭିଳାଷ ଯାହା କହିବାକୁ ଥାଏ ତାହା ସ୍ପଷ୍ଟ କରିହୁଏନାହିଁ।
ଓଡ଼ିଆ ଭାଷାର ସମୃଦ୍ଧି ଅତୀତରୁ ଘଟିଆସିଛି ବହୁଭାଷାର ଶଦ୍ଦ ଆହରଣ କରି। ଅତି ସାଧାରଣ ଦୃଷ୍ଟାନ୍ତ ନିଆଯାଉ। ଆମ ଭାଷାରେ ଗୃହୀତ ଟେବୁଲ, ଚେୟାର, ଲାଇଟ, ଫ୍ୟାନ, ଫେନ, ରେଡିଓ, ଟି.ଭି., ପ୍ୟାଣ୍ଟସାର୍ଟ ପରି ବହୁ ଇଂରାଜୀ ଶଦ୍ଦ କୋର୍ଟ କଚେରି, ତହସିଲ, ମକଦ୍ଦମା, ଡିଗ୍ରୀ, ଡିସ୍ମିସ୍, ରଫା, ନାଲିସ, ପିଆଦା, ଦସ୍ତଖତ, ଚଷମା, କାଗଜ, କଲମ, ରସିଦ, ପାଉତି, ଆଲମାରି, ଆଚାର, ଆଲକାତରା, ବୋତାମ, କାଜ, ଏରିଆ, ଅଞ୍ଚଳ, ମହକୁମା, ସାହବ, ଚପରାଶି, ପରି ହଜାର ହଜାର ଶବ୍ଦ, ଆରବି, ପାର୍ସି, ପର୍ତ୍ତୃଗୀଜ୍ ଭାଷାରୁ ଆସିଛି। ଏହା ଅନେକ ଜାଣନ୍ତି ନାହିଁ। ଓଡ଼ିଆ ଶଦ୍ଦପରି ମନେହୁଏ। ଅର୍ଥାତ୍ ଏ ସବୁ ଶଦ୍ଦ ଇଂରାଜୀ, ପାର୍ସି, ଓ ପର୍ତ୍ତୃଗୀଜ ମୂଳ ହେଲେ ହେଁ ବହୁକାଳରୁ ବ୍ୟବହୃତ ହୋଇ ଓଡ଼ିଆ ଭାଷାର ରୂପ ନେଇଯାଇଛି। ଭାଷା ବିଜ୍ଞାନୀମାନେ ଏହା ବୁଝନ୍ତି। ସାଧାରଣ ଲୋକ ସେଥିରେ ମୁଣ୍ଡ ପୁରାଏ ନାହିଁ।
ଅନ୍ୟ ଭାଷାର ପ୍ରଭାବ ସେତେଦିନ ଯାଏ ସହନୀୟ ଯେତେଦିନ ଯାଏ ଆମର ମୌଳିକ ଆବଶ୍ୟକତା ପୂରଣ ହୋଇଥାଏ। ସେ ଶଦ୍ଦର ଓଡ଼ିଆ ରୂପ ଆଦୌ ଆବଶ୍ୟକ ନାହିଁ। ମାତ୍ର ଯେଉଁ ବିଦେଶୀ ଶଦ୍ଦ ଆମ ନିଜର ଶଦ୍ଦକୁ ମାରିଦିଏ ସେପରି ଶଦ୍ଦ ଆମ ପକ୍ଷେ ଅହିତକର, ଆମ ସଂସ୍କୃତିର ବିରୋଧି। ଉଦାହରଣ ନିଆଯାଉ- ଜଣେ କହିଲେ- ମୋ ବାପା ବା ଫାଦର ଏକ୍ସପାୟାର କରିଲେ। ‘ଏକ୍ସପାୟାର’ ଶଦ୍ଦଟି ଅନ୍ୟୁନ ପାଞ୍ଚଟି ଓଡ଼ିଆ ଶଦ୍ଦକୁ ମାରିଦେଲା। ଯଥା ଇହଲୀଳା ତ୍ୟାଗକଲେ, ସ୍ୱର୍ଗବାସୀ ହେଲେ, ଚାଲିଗଲେ, ଶୋକ ସାଗରରେ ଭସାଇ ଦେଲେ, ଆରପୁରକୁ ଚାଲିଗଲେ, ବାପା ଆଉ ନାହାନ୍ତି , ଧରାରୁ ବିଦାୟ ନେଲେ ଇତ୍ୟାଦି ଅନେକ ସମ୍ଭାବନାର ଶବ୍ଦ ବଳରେ ଗୋଟିଏ ଶଦ୍ଦ ଉଚ୍ଚାରିତ ହେଲା। ଏହାର ଜୋର କେତେ? ମାତୃଭାଷାକୁ ଟାଣିଲେ ଭାବ ଲମ୍ବିଯାଏ ଅର୍ଥାତ୍ ଭାଷା ଏତେ ନମନୀୟ ଓ ମୃଦୁ ଯେ ଆମ ପାଖରେ ଗୋଟିଏ ଭାବ ପାଇଁ ଅନେକ ବିକଳ୍ପ ଶଦ୍ଦ ଥାଏ। ଇଂରାଜୀରେ ତାହା ସମ୍ଭବ ନୁହେଁ।
ଅନେକ କୁହନ୍ତି ଭାଷାର ଶବ୍ଦଭଣ୍ଡାର ବଢ଼ିଲେ ଭାଷାର ଉନ୍ନତି ହୁଏ। ଏହା ଅଧା ସତ୍ୟ। ଅର୍ଥାତ୍ କିପରିକା ଶଦ୍ଦ ଆହରଣ କରିଲେ ଭାଷାରେ ଅଭିବୃଦ୍ଧି ହେବ ତା’ର ବିଚାର ଆବଶ୍ୟକ। ଏ କ୍ଷେତ୍ରରେ ବିଚାର ହେଉଛି କୃତ୍ରିମବସ୍ତୁ ଜଗତର ଶବ୍ଦ ଆମର ସହାୟକ ହୋଇପାରେ। ସେହି କୃତ୍ରିମ ବସ୍ତୁ ଆମ ପରିବେଶରେ ଗୃହୀତ ହୋଇ ଶଦ୍ଦର ଅନୁବାଦ ଯଦି ଥାଏ ତେବେ ସେଇଟି ଆମ ଭାଷା ପାଇଁ ସମ୍ପଦ। ଯଦି ଅକ୍ସିଜେନ ବା ହାଇଡ୍ରୋଜେନର ଓଡ଼ିଆ ଅମ୍ଳଜାନ, ଉଦ୍ଜାନ ହୁଏ, ତାହା ଆମ ଭାଷାର ସମୃଦ୍ଧିରେ ସହାୟକ ହେବ। ଅକ୍ସିଜେନ, ହାଇଡ୍ରୋଜେନ ଶବ୍ଦ ନୁହେଁ। ଅର୍ଥାତ୍ ବିଦେଶୀ ଭାଷାରୁ ଶବ୍ଦ ଆଣି ତାହାକୁ ଆମ ଭାଷାରେ ମିଶାଇବା ପରେ ପୁଣି ଇଂରେଜୀକୁ ମହାଁଇବାର ଆବଶ୍ୟକତା କ’ଣ?
ଅନ୍ୟ ଭାଷାର ଶବ୍ଦର ଗଠନର ଗୋଟିଏ ନିୟମ ଥାଏ। ଆମେ ସେହି ନିୟମ ଆଧାରରେ ନୂଆ ଶବ୍ଦଟିଏ ଆମ ଭାଷା ପାଇଁ ଗଢ଼ିପାରିଲେ ଆମର ଉଭୟ ଗ୍ରାହିକାପଣ ଓ ଭାଷା ନିର୍ମାଣ ଶକ୍ତି ବଢ଼େ। ଏହି ଶକ୍ତିକୁ ଆମେ ଗୁରୁତ୍ୱ ଦେବା ନା ଅନ୍ଧଭାବେ ଭିନ୍ନ ଭାଷାର ଶବ୍ଦ ଗ୍ରହଣ କରିବା? କେଉଁଥିରେ ଅଧିକ ବାହାବା ମିଳିବ?
ଭିନ୍ନ ଭାଷାର ଶବ୍ଦ ସମୂହ ଯେତେ ସ୍ୱାଭାବିକ ବ୍ୟବହାରଯୋଗ୍ୟ ହେଲେ ମଧ୍ୟ ସେହି ଅର୍ଥ ବହନ କରୁଥିବା ଶଦ୍ଦ ଆମ ଭାଷାରେ ଥିଲେ ଆମ ବ୍ୟବହାର କ୍ଷେତ୍ରକୁ ଆସିବା ଅନୁଚିତ। ଉପରେ ସୂଚିତ ଇଂରାଜୀ ‘ଏକ୍ସପାୟାର’ ଶବ୍ଦ ଯଦି ପାଞ୍ଚୋଟି ଓଡ଼ିଆ ଶବ୍ଦକୁ ମାରିପାରେ, ତେବେ ବିଚାର କରାଯାଉ, ଇଂରାଜୀ /ହିନ୍ଦୀ ଶବ୍ଦ କିପରି ଓଡ଼ିଆ ଶବ୍ଦ ଲୋପର କାରଣ ହୋଇପାରେ। ଭାଷାରେ ନୂଆ ଶବ୍ଦ ଆସେ, ପୁରୁଣା ଶବ୍ଦ ଲୋପପାଏ। ଏହା ଭାଷାର ପ୍ରବୃତ୍ତି। ମାତ୍ର ଜାଣିଜାଣି ଆଧୁନିକ ଶିକ୍ଷା ଆଳରେ ବାହାର ଭାଷାର ଶବ୍ଦ ଦ୍ୱାରା ନିଜ ଶବ୍ଦ ମରାଇବା ଏକ ବିପଦଜନକ ତଥା ବେନିୟମ କାମ।
ଭିନ୍ନ ଭାଷାର ପ୍ରଭାବର ଶିକାର ହୁଅନ୍ତି ଅଧିକ ମାତ୍ରାରେ ସାମାନ୍ୟ ଶିକ୍ଷିତ ବା ଅଶିକ୍ଷିତ ଲୋକ। ସେମାନେ ବଜାର ଭାଷା ଅନୁକରଣ କରନ୍ତି। ଭଦ୍ର ଶିକ୍ଷିତମାନେ ବ୍ୟବହାର କରୁଥିବା ଶବ୍ଦ ଶୁଣି ସେମାନେ ଗ୍ରହଣ କରିନିଅନ୍ତି। ଭାଷାରେ ଶବ୍ଦର ଶକ୍ତି କଥା ବୁଝନ୍ତି ନାହିଁ। ଶିକ୍ଷିତମାନେ ସଚେତନ ହେଲେ ନିଜର ଶବ୍ଦଜ୍ଞାନ ବଦଳାଇପାରନ୍ତି। ମାତ୍ର ଅର୍ଦ୍ଧ ବା ସମ୍ପୂର୍ଣ୍ଣ ଅଶିକ୍ଷିତ ପକ୍ଷରେ ତାହା ସହଜ ନୁହେଁ। ତାତ୍ପର୍ଯ୍ୟ ଏହା ଯେ ଆମ ଭାଷାରେ ଶିକ୍ଷିତ ଲୋକଙ୍କ ଭାଷା ଅତି କୃତ୍ରିମ, ଅସ୍ୱାଭାବିକ, ଖଣ୍ଡିପୂର୍ଣ୍ଣ, ବେଲଗାମ୍ ଓ ଅସମ୍ପୃକ୍ତ। ଯେପରି, “ଆଳୁ ରେଟ୍ କେତେ?” ପ୍ରଶ୍ନରେ ଅସ୍ୱାଭାବିକ ଓ କୃତ୍ରିମତା ପୂରି ରହିଛି। ଏହା ବଦଳରେ ଯଦି କୁହାଯାଏ ଆଳୁ ଭାଉ କ’ଣ? ଆଳୁ ମୂଲ୍ୟ କେତେ; କିମତ୍ କ’ଣ, ଆଳୁ ଦାମ କ’ଣ, ଏଥିରେ ସ୍ୱାଭାବିକତା ଥାଏ। ମାତ୍ର ଶିକ୍ଷିତ ଲୋକ ଥରେ ‘ରେଟ୍’ କହିଦେବା ପରେ ତାହା ଉନ୍ନତ, ମାର୍ଜିତ ଓ ଶିକ୍ଷିତର ଭାଷା ବୋଲି ଅଶିକ୍ଷିତ ମନରେ ଧାରଣା ଜନ୍ମେ ଓ ତାହା କ୍ରମେ ମୁଖରୁ ମୁଖ ବଢ଼ିଚାଲେ। ଏହିପରି ଆମ ଭାଷା କାହିଁକି ସବୁ ଭାଷାରେ କୃତ୍ରିମତା ବ୍ୟାପେ। ଭାଷାରେ ଏ ପ୍ରକାର କୃତ୍ରିମତାକୁ ରୋକିବା କାହାର ଦାୟିତ୍ୱ?
ଭାଷା କହିଲେ ଶବ୍ଦକୁ ବୁଝାଏ ପୁଣି ବୁଝାଏ ନାହିଁ। କାରଣ ମଣିଷ ଶବ୍ଦ କହେ ନାହିଁ। ବାକ୍ୟ କହେ। ବାକ୍ୟ ଭାଷାର ବୃହତ୍ତମ ସଂଗଠନ। ଶବ୍ଦ ନିମ୍ନତମ ଏକକ। ଅଥଚ ଶବ୍ଦ ନଥିଲେ ବାକ୍ୟ ହୁଅନ୍ତା ନାହିଁ। ବାକ୍ୟରେ ଭାବ ପ୍ରକାଶ ଘଟେ, ପୂର୍ଣ୍ଣ ହୁଏ, ଅର୍ଥ ବୁଝାଏ। ଶବ୍ଦ ଏଥିରେ ସହାୟକ କରେ। ବ୍ୟାକରଣ ନିୟମରେ ଶବ୍ଦ କେତୋଟି ନିୟମବଦ୍ଧ ହେଲେ ବାକ୍ୟ ରୂପ ନିଏ। ବାକ୍ୟରେ ଶବ୍ଦର ମୂଳରୂପ ବା ଅର୍ଥ ବଦଳିଯାଏ।
ବିଶେଷ୍ୟ ଥିଲେ ବିଶେଷଣ ବା ବିପରୀତ, କ୍ରିୟା, ଅବ୍ୟୟ ଆଦିରେ ପରିଣତ ହୁଏ। ଏଣୁ ବାକ୍ୟ ଶବ୍ଦର ବ୍ୟବହାର ଶକ୍ତିକୁ ଭିନ୍ନଭିନ୍ନ ରୂପ ଦିଏ। ଏଥିପାଇଁ ଶବ୍ଦର ମୌଳିକ ରୂପ ବୁଝିବାକୁ ପଡେ। ଯଦି ସେଇଟି ଭିନ୍ନ ପରିବେଶ, ଭିନ୍ନ ଭାଷାର ହୋଇଥାଏ ତେବେ ବାକ୍ୟରେ ଅଶୁଦ୍ଧି, ଅସଂଲଗ୍ନତା ସୃଷ୍ଟି ହୋଇପାରେ। ଯେପରି ଜଣେ ଛାତ୍ରୀ କହିଲେ, “ମୁଁ ଲାଇବ୍ରେରି ଯାଉଛି ବୁକ୍ ଆଣିବାକୁ।” ଏ କି ବାକ୍ୟ? ଏଥିରେ ଅସ୍ୱାଭାବିକ ଶବ୍ଦଟି ‘ବୁକ୍’। ଲାଇବ୍ରେରି ଶବ୍ଦ ବହୁ ପ୍ରଚଳିତ। ପାଠାଗାର ଶବ୍ଦ ସ୍ୱାଭାବିକ ନ ହୋଇପାରେ। ସୂଚିତ ବାକ୍ୟଟିକୁ ଆମେ କି ବାକ୍ୟ କହିବା? ଏହା ଓଡ଼ିଆ ବାକ୍ୟ, କାରଣ କ୍ରିୟାପଦଟି ଓଡ଼ିଆ। ଅନ୍ୟପଦଗୁଡ଼ିକ ଇଂରାଜୀ ହେଲେ ମଧ୍ୟ କ୍ରିୟାପଦଟି ଓଡ଼ିଆ ହେତୁ ବାକ୍ୟ ଓଡ଼ିଆ ହେବ। ଏହିପରି ସର୍ବନାମ, ଅବ୍ୟୟ ଓ ବିଭକ୍ତିପଦ ଓଡ଼ିଆ ହେଲେ ଅନ୍ୟସବୁ ପଦ ଇଂରାଜୀ ବା ହିନ୍ଦୀ ହୋଇ ବି ଓଡ଼ିଆ ବାକ୍ୟ ହେବାରେ ଅସୁବିଧା ନାହିଁ।
ଇଣ୍ଡିଆନ କ୍ରିକେଟ୍ ଟିମ୍ ୱାର୍ଲଡ ଫେମସ୍ ହୋଇଛି।’ କ୍ରିୟାଟି ଓଡ଼ିଆ, ଅନ୍ୟସବୁ ପଦ ଇଂରାଜୀ ହୋଇ ମଧ୍ୟ ଏଇଟି ଓଡ଼ିଆ ବାକ୍ୟ ହେବ। ମାତ୍ର ପ୍ରଶ୍ନ ହେଉଛି ଏହି ବାକ୍ୟଟି କେତେ ସୁଖଦ? ଏହା ଦୁଇଟି ପ୍ରଶ୍ନ ଉଠାଇ ପାରେ। ପ୍ରଥମତଃ ବକ୍ତାଙ୍କର ବ୍ୟକ୍ତିତ୍ୱ। ଭାଷା ବ୍ୟକ୍ତିତ୍ୱ ଗଠନ କରେ। ଯେଉଁ ବ୍ୟକ୍ତି ଯେପରି ଭାଷା କୁହନ୍ତି ସେଥିରୁ ତାଙ୍କର ଅନ୍ତର୍ମନଟି ବୁଝିହୁଏ। ଖେଚୁଡି ଭାଷା ମିଶା ବାକ୍ୟ କହୁଥିବା ବ୍ୟକ୍ତି ଜଣେ ଦୁର୍ବଳ ମନା। କାରଣ ତାଙ୍କର ଶବ୍ଦ ଓ ଅର୍ଥ ରୂପାନ୍ତରଣ କରିବାର ସାମର୍ଥ୍ୟ ନାହିଁ। ସେ ବଜାର ଭାଷା ଦ୍ୱାରା ନିୟନ୍ତ୍ରିତ। ତେଣୁ ମନୋଜଗତରେ ଭାଷା ସଞ୍ଚାର କ୍ଷମତା ଓ ରୂପାନ୍ତର କରିବାର ସ୍ୱାଭାବିକତା ସେ ହାସଲ କରିନାହାନ୍ତି। ଦ୍ୱିତୀୟରେ ତାଙ୍କର ମାତୃଭାଷା କ’ଣ ଏତେ ଦୁର୍ବଳ? ଭାବ ପ୍ରକାଶ ଶକ୍ତି ନାହିଁ? ଏଇ ପ୍ରଶ୍ନ ମନକୁ ଆସେ। ପୁଣି ପ୍ରଶ୍ନ ଉଠୁଛି ଭିନ୍ନ ଭାଷାଭାଷୀଙ୍କ ଆଗରେ ଏପରି ବାକ୍ୟ ବାରମ୍ବାର କୁହାଗଲେ ସେମାନଙ୍କର ଧାରଣା ହେବ, ଏ ଲୋକର ମାତୃଭାଷା ଠିକ୍ ନୁହେଁ। ଏହା ଲଜ୍ଜାକର।
ଆଜିର ଶିକ୍ଷିତ ଓଡ଼ିଆ ନିଜ ଭାଷାକୁ ଉପହାସ କରେ, ଅନ୍ୟ ପାଖରେ ଉପହାସିତ ହେବାକୁ ସୁଯୋଗ ସୃଷ୍ଟିକରେ। ଅଥଚ ତା’ର ମୌଳିକ ସତ୍ତାଟି ଓଡ଼ିଆାତ୍ୱ ପାଖରେ ବନ୍ଦି ଥାଏ। ଏହି ହେତୁ ଓଡ଼ିଶା ଓ ଓଡ଼ିଆ ପରିପ୍ରେକ୍ଷୀରେ ଭାଷାର ସମସ୍ୟା ହେଉଛି ପ୍ରକୃତରେ ଭିନ୍ନ ଭାଷାରୁ ଗୃହୀତ କୃତ୍ରିମ ଶବ୍ଦର ସମସ୍ୟା। କୌଣସି ଭାଷା ଦୁର୍ବଳ ନୁହେଁ। ତା’ର କାରଣ ଭାଷିକ ପରିବେଶ ଆବଶ୍ୟକ କରୁଥିବା ଅଭିଜ୍ଞତା ବା ଭାବ ପ୍ରକାଶ ପାଇଁ ସହାୟକ ଶବ୍ଦ ତା’ ସହିତ ଅଛି। ଗୋଟିଏ କୃଷି ସମାଜର ଅର୍ଥନୀତି ଓ ଜୀବନଧାରଣ ରୀତି କୃଷି ଆଧାରିତ। ତା’ର ସଂସ୍କୃତି ମଧ୍ୟ କୃଷି ସମ୍ବନ୍ଧୀୟ। ସେଥିକୁ ଆବଶ୍ୟକ ଅନୁସାରେ କୃଷକର ପରିବେଶ ଭାଷା ସୃଷ୍ଟି କରିଛି। ତା’ ପାଇଁ ଆମେରିକାର ଯନ୍ତ୍ରଜଡ଼ିତ ଚାଷ ପ୍ରଣାଳୀ ଓ ତା’ର ବାହକ ଭାଷା କ’ଣ ଆବଶ୍ୟକ? ଏଥିପାଇଁ ସେ ସମାଜର ଲୋକଙ୍କୁ ଅଶିକ୍ଷିତ, ପ୍ରାଚୀନ ପନ୍ଥୀ, ମଧ୍ୟଯୁଗୀୟ, ମାନ୍ଧାତା ଅମଳିୟ, ଅଣଆଧୁନିକ କହିବାର ଅର୍ଥ ଅଛିକି? ସେ ତା’ର ବୃତ୍ତିକୁ ଧରି ସ୍ୱୟଂସମ୍ପୂର୍ଣ୍ଣ, ଆତ୍ମନିର୍ଭରଶୀଳ, ସୁଖୀ ଓ ଆଧୁନିକତାର ଅପଚାରରୁ ମୁକ୍ତ। ସେ ଅକୃତ୍ରିମ, ବିଶ୍ୱ ଦୂଷିତକରଣରେ ଲିପ୍ତ ନୁହେଁ। ସ୍ୱେଚ୍ଛାଚାର, ସନ୍ତ୍ରାସରେ ଭାଗୀଦାର ନୁହେଁ। ଇଂରାଜୀ କହୁ ନାହିଁ ବୋଲି ତାକୁ ଅସଭ୍ୟ କହିବା କି?
(ସୌଜନ୍ୟ – ଉତ୍କଳ ଗୌରବ- ୨୦୧୭
©ପ୍ରଫେସର ନଟବର ଶତପଥୀ)
ପୋଷ୍ଟ ଉତ୍ସ- କଳିଙ୍ଗ ଏକତା ମଞ୍ଚ
https://blog.odiabook.in/2023/06/Problem-on-odia-Language-and-word.html