ଆମର ଏକ ନିତିଦିନିଆ ମସଲା ମଧ୍ୟରେ ମେଥି ଅନ୍ୟତମ । ଫୁଟଣରେ ଦି'ଟା ମେଥି ନପକାଇଲେ ବାସ୍ନା ଆସେ ନାହିଁ । ଏହା ଦେଖିବାକୁ ଆୟତାକାର ଓ ଏହାର ରଙ୍ଗ ହଳଦିଆ । ଆଚାର, ତରକାରି, ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ । ସମ୍ବର ମସଲାରେ ଏହାର ଏକ ଭାଗ ରହିଥାଏ । ଏହାର ପିତା ଅଂଶକୁ କମ୍ କରିବା ପାଇଁ ଏହାକୁ ଭାଜି ଦିଆଯାଏ । ଏହା ଖୁବ୍ ରୁଚିକର । ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ । ଭାରତରେ ମେଥିକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ମେଥିର ଶୁଖିଲା ପତ୍ର ବା ସଜ ପତ୍ରକୁ ଜଡିବୁଟି ଭାବରେ ବ୍ୟବହାର କରାଯାଉଥିବାବେଳେ ଏହାର ମଞ୍ଜିକୁ ମସଲା ରୂପେ ଓ ଏହାର କଂଚା ପତ୍ରକୁ ଶାଗ ଭାବେ ଖିଆଯାଇଥାଏ ପୁଣି ଗଜା ମେଥିକୁ ମଧ୍ୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ମେଥିପତ୍ରକୁ ଶୁଖାଇ ଏହାକୁ ବ୍ୟଞ୍ଜନରେ ବାସ୍ନା ଆଣିବା ପାଇଁ ବ୍ୟବହାର କରାଯାଏ । ଏହାକୁ କସୁରୀ ମେଥି କୁହାଯାଏ ।
ମେଥି ଗଛକୁ ଉଦ୍ଭିଦ ବିଜ୍ଞାନରେ Trigonella foenum-graecum ବୋଲି କହନ୍ତି ଏହା ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢିଥାଏ । ମଟର, ଶିମ୍ବ ଯେଉଁ ପରିବାରର ଗଛ, ଏହା ସେହି ପରିବାରଭୁକ୍ତ । ଏହାର କାଣ୍ଡ ସରୁ ଗୋଲାକାର, ନରମ ଓ ବହୁଶାଖାପ୍ରଶାଖା ହୋଇ ଉପରକୁ ସିଧା ସିଧା ଉଠେ । ଏହାର ଉଚ୍ଚତା ୩୦ ରୁ ୭୦ ସେମି. ପର୍ଯ୍ୟନ୍ତ ହୁଏ ।
ମେଥି ଉତ୍ପାଦନରେ ଭାରତ ବିଶ୍ୱରେ ପ୍ରଥମ ଥିବାବେଳେ ଦକ୍ଷିଣ ଇଉରୋପକୁ ମେଥିର ଜନ୍ମସ୍ଥାନ ବୋଲି କେହି କେହି କୁହନ୍ତି । ନେପାଳ, ଭାରତ, ପାକିସ୍ଥାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ଇଜିପ୍ଟ, ଫ୍ରାନ୍ସ, ସ୍ପେନ, ତୁର୍କୀ, ମୋରୋକୋ ଓ ଚୀନରେ ମଧ୍ୟ ମେଥି ବହୁଳ ପରିମାଣରେ ଉତ୍ପାଦିତ ହୁଏ । ଏହା ବ୍ଯତୀତ ଭୂମଧ୍ଯସାଗରର ଉପକୂଳ, ଉତ୍ତର ଆଫ୍ରିକା, ଏସିଆ ମହାଦେଶର ଅନ୍ଯାନ୍ଯ ଦେଶ ଓ ଅଷ୍ଟ୍ରେଲିଆରେ ମଧ୍ଯ ମେଥି ଚାଷ କରାଯାଏ । ଭାରତର ରାଜସ୍ଥାନ, ଗୁଜରାଟ, ଉତ୍ତରାଞ୍ଚଳ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବରେ ବହୁଳ ପରିମାଣର ମେଥି ଚାଷ କରାଯାଉଥିବାବେଳେ ରାଜସ୍ଥାନରେ ସବୁଠାରୁ ବେଶି, ଅର୍ଥାତ ଦେଶର ମୋଟ ଉତ୍ପାଦନର ଶତକଡ଼ା ୮୦ ଭାଗ ମେଥି ଉତ୍ପାଦିତ ହୋଇଥାଏ ।
ମେଥି ସାଧାରଣତଃ ଜଳସେଚିତ ଦୋରସା ମାଟି ବା ହାଲୁକା ଉର୍ବର ମାଟିରେ ଚାଷ କରାଯାଏ । ଅଧିକ ବର୍ଷାରେ ମେଥି ଭଲ ହୁଏ ନାହିଁ । ମଧ୍ୟମ ଧରଣର ବା ସାମାନ୍ୟ ବର୍ଷା ହେଉଥିବା ଅଞ୍ଚଳ ମେଥିଚାଷ ପାଇଁ ଉପଯୁକ୍ତ ।
ମେଥି ବୁଣିବାଠାରୁ ଅମଳ ହେବା ପର୍ଯ୍ୟନ୍ତ ଅଢ଼େଇମାସରୁ ତିନିମାସ ପର୍ଯ୍ୟନ୍ତ ସମୟ ଲାଗେ । କେହି କେହି ଏହାକୁ ମୁଗ, ରାଶି, ଧନିଆ ପ୍ରଭୃତି ସାଙ୍ଗେ ମିଶାଇ ଏକା ଜମିରେ ଚାଷକରନ୍ତି । ଓଡ଼ିଶାରେ କାର୍ତ୍ତିକ ମାର୍ଗଶୀରରେ ମେଥି ବୁଣାଯାଏ, ପୁଷମାସରେ ଶାଗ ହୁଏ, ମାଘମାସରେ ଫୁଲ ଓ ଫଗୁଣ ମାସରେ ଫଳ ଧରେ । ଶାଗପାଇଁ ଏହା ବର୍ଷର ସବୁ ଋତୁରେ ଚାଷ କରାଯାଇପାରେ ।
ଉତ୍ତରପ୍ରଦେଶ ଓ ପଞ୍ଜାବରେ ମେଥିଗଛ ଏକ ଉତ୍କୃଷ୍ଟ ଗୋଖାଦ୍ଯ ରୂପେ ବ୍ଯବହୃତ ହୁଏ ଓ ସେଥିପାଇଁ ଏହାକୁ ଅନ୍ଯାନ୍ଯ ସବୁଜ ଗୋଖାଦ୍ଯ ସହିତ ଚାଷ କରାଯାଏ । ମେଥି ଏକ ଡାଲିଜାତୀୟ ଫସଲ ହୋଇଥିବାରୁ ଏହା ମୃତ୍ତିକାର ଉର୍ବର ଶକ୍ତି ବଢ଼ାଇଥାଏ ।
ମେଥିରେ ଶତକଡ଼ା ୨୩ ଭାଗ ପ୍ରଷ୍ଟିସାର, ୯ ଭାଗ ସ୍ନେହସାର, ୧୦ ଭାଗ ଶ୍ଵେତସାର ଓ କେତେକ ପରିମାଣରେ ତନ୍ତୁ ଥାଏ । ମେଥିରୁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ଯେପରିକି କ୍ୟାରୋଟିନ୍, କପର, ଜିଙ୍କ୍, ସୋଡ଼ିୟମ୍, ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ । ଏକ ସମୟରେ ସାରା ଇଉରୋପରେ ଏହା ଏକ ଔଷଧ ରୂପେ ବ୍ଯବହୁତ ହେଉଥିଲା । କିନ୍ତୁ ଏବେବି ଏହା ପଶୁଚିକିତ୍ସାରେ ମୁଖ୍ୟ ଭାବରେ ଔଷଧ ରୂପେ ବ୍ଯବହୃତ ହେଉଛି । ମେଥି ମସଲା ପାଇଁ ଯେତିକି ପରିଚିତ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ । ମେଥି ଦାନାକୁ ରାତିରେ ବତୁରାଇ ରଖି ସକାଳେ ଖାଲି ପେଟରେ ଚୋବାଇ ଖାଇବା ସହ ସେହି ପାଣିକୁ ପିଇବା ଦ୍ବାରା ସ୍ବାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ ।
ମେଥି ଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ବୃକକକୁ ସୁସ୍ଥ ରଖିଥାଏ । ଏହା ଛଡ଼ା ଏହା ଅମ୍ଳ ପିତ୍ତ ଓ ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ସେହିପରି ରକ୍ତଚାପ ନିମନ୍ତେ ମେଥି ଅତ୍ୟନ୍ତ ଲାଭଦାୟକ ।
ତ୍ବଚା ଏବଂ କେଶ ନିମନ୍ତେ ମେଥି ଉତ୍କୃଷ୍ଟ । ମେଥିକୁ ବାଟି ମୁହଁ ଓ କେଶରେ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ହେବା ସହ କେଶ ମଜବୁତ ହାେଇଥାଏ ।
ମେଥି ଦାନା ସୁଗାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରିତ କରିଥାଏ । ଅର୍ଶ ନିମନ୍ତେ ବେଶ୍ ଫଳପ୍ରଦ ମେଥି । ଓଜନ କମାଇବାରେ ସାହାଯ୍ୟ କରିଥାଏ ମେଥି । ରାତିରେ ବତୁରା ହୋଇଥିବା ମେଥି ପାଣିକୁ ଯଦି ସକାଳେ ନିୟମିତ ରୂପେ ପିଆଯାଏ, ତେବେ ଓଜନ କମିଥାଏ । ସେହିପରି ମେଥି ଅସ୍ଥିଜନିତ ସମସ୍ୟାରୁ ମଧ୍ୟ ମୁକ୍ତିଦେଇଥାଏ ।
https://blog.odiabook.in/2022/03/some-interesting-fact-of-methi.html