Biography Of Dharani dhar Bhuyan In Odia
- ଧରଣୀଧର ନାଏକ
- ଜନ୍ମ ଓ ଜନ୍ମସ୍ଥାନ-୫ ମଇ ୧୮୬୪ କୁସୁମିତା, କେନ୍ଦୁଝର
- ମୃତ୍ୟୁ-୧୬ ମଇ ୧୯୧୪ (ବୟସ ୫୦)
- ଜାତୀୟତାଭାରତୀୟ
- ଅଲଗା ନାଆଁ-ବିପ୍ଳବୀ ଧରଣୀଧର
- ପ୍ରସିଦ୍ଧି-କେନ୍ଦୁଝର ପ୍ରଜାମେଳି
- ବାପା ବୋଉ-ଲଇକ୍ଷଣ ନାୟକ ଓ ବାଇଗଣୀ ଦେବୀ
ପ୍ରାରମ୍ଭିକ ଜୀବନ: ବିପ୍ଳବୀ ଧରଣୀଧର ଭୂୟାଁ (୧୮୬୪-୧୯୧୪) ଓଡ଼ିଶାର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମେଳି ହୋଇଥିଲା, ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା ଭାରତବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟର ନାମକରଣ ହୋଇଛି ।
୧୮୬୮ ମସିହାରେ ସଂଘଟିତ ହୋଇଥିବା "ରତ୍ନାମେଳି" ଏବଂ ୧୮୯୧ ମସିହାରେ ସଂଘଟିତ "ଧରଣୀମେଳି" ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଧରଣୀଧରଙ୍କ ନେତୃତ୍ବରେ ରାଜତନ୍ତ୍ର ବିରୁଦ୍ଧରେ ହୋଇଥିବା ଏହି ବିପ୍ଳବ ଓଡ଼ିଶା ଇତିହାସରେ ଏକ ରୋମାଞ୍ଚକର ଅଧ୍ଯାୟ। ୧୮୬୪ ମସିହା ମଇ ମାସ ୫ ତାରିଖ ଦିନ କେନ୍ଦୁଝର ଗଡ଼ଜାତର ଏକ ଅଖ୍ଯାତପଲ୍ଲୀ କୁସୁମିତାର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଲଇଛଣ ନାୟକ ଓ ମାତା ବାଇଗଣି ଦେବୀ। ସେ ଥିଲେ ପିତାମାତାଙ୍କର କନିଷ୍ଠ ସନ୍ତାନ। ପାଠ ପଢିବା ପାଇଁ ତାଙ୍କ ମନରେ ପ୍ରବଳ ଆଗ୍ରହ ଥିଲା। ବହୁ କଷ୍ଟରେ ମଧ୍ଯଇଂରାଜୀ ପର୍ଯ୍ୟନ୍ତ ପାଠ ପଢି ସେହି ଅଞ୍ଚଳର ଜଣେ ଶିକ୍ଷିତ ବ୍ଯକ୍ତି ରୂପେ ପରିଚିତ ଥିଲେ ସେହି ସମୟରେ କେନ୍ଦୁଝରର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ସୁଦୃଷ୍ଟିକୁ ଆସିଥିଲେ ଏବଂ ଜଣେ ଶିକ୍ଷିତ ଲୋକକୁ ରାଜକାର୍ଯ୍ୟରେ ନିଯୁକ୍ତ କରିବା ପାଇଁ ରାଜା ନିଜେ ଧରଣୀଧରଙ୍କୁ ସର୍ଭେ ପାଠ ପଢାଇବା ପାଇଁ କଟକ ପଠାଇଥିଲେ। ପାଠପଢ଼ା ଶେଷ କରି କେନ୍ଦୁଝର ଫେରିବା ପରେ ରାଜା ତାଙ୍କୁ ସର୍ଭେ ଓଭରପ୍ଲିଅର ଭାବେ ନିଯୁକ୍ତି ଦେଇଥିଲେ।
ଷଡ଼ଯନ୍ତ୍ରର ଶିକାର: ନିଜର କର୍ତ୍ତବ୍ଯନିଷ୍ଠତା ଓ ସାଧୁତା ବଳରେ ଅଳ୍ପଦିନରେ ରାଜା ତଥା ଅନ୍ଯମାନଙ୍କର ଶ୍ରଦ୍ଧାଭାଜନ ହୋଇ ପାରିଥିଲେ। ଏକଥା ରାଜାଙ୍କର ସହକାରୀ ଦେୱାନ ବିଚିତ୍ରାନନ୍ଦ ଦାସ ସହ୍ଯ କରି ପାରୁନଥିଲେ। ଧରଣୀଧରଙ୍କ ଠାରୁ କମ୍ ଶିକ୍ଷିତ ଓ କ୍ଷମତାଲୋଭୀ ବିଚିତ୍ରାନନ୍ଦ ସର୍ବଦା ଚେଷ୍ଟା କରୁଥିଲେ କିପରି ଧରଣୀଧରଙ୍କୁ ବଦନାମ କରାଯାଇ ପାରିବ। ସେହି ସମୟରେ କେନ୍ଦୁଝର ଓ ସିଂହଭୂମ ର ସୀମା ବିବାଦ ସମାଧାନ କରିବା ପାଇଁ ଧରଣୀଧରଙ୍କୁ ନିଯୁକ୍ତ କରାଗଲା। ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଧରଣୀଧର ଦୀର୍ଘ ସମୟ ଧରି ରାଜାଙ୍କ ନିକଟରେ ଅନୁପସ୍ଥିତ ରହିବା ହେତୁ ପ୍ରତିଶୋଧ ଅପେକ୍ଷାରେ ଥିବା ବିଚିତ୍ରାନନ୍ଦ ଧରଣୀଧରଙ୍କ ନାମରେ ନାନାପ୍ରକାର ମନଗଢ଼ା ମିଥ୍ଯା ଅଭିଯୋଗ କରି ରାଜାଙ୍କ ମନକୁ ସମ୍ପୂର୍ଣ୍ଣ ବିଷାକ୍ତ କରିଦେଲେ। ଫଳରେ ଧରଣୀଧର ସୀମା ସର୍ଭେୟର ପଦବୀଟିକୁ ସବୁଦିନ ପାଇଁ ହରାଇଲେ। ଏହାପରେ ଧରଣୀଧର ୪ ବର୍ଷ ପାଇଁ ମୟୂରଭଞ୍ଜ ରାଜାଙ୍କ ଅଧିନରେ କାର୍ଯ୍ୟ କରି ଫେରି ଆସିଲେ ନିଜ ଗ୍ରାମ କୁସୁମିତାକୁ।
ପ୍ରଜାମେଳି ଓ ବିଦ୍ରୋହ: ରାଜା ଓ ରାଜକର୍ମଚାରୀଙ୍କ ଅତ୍ଯାଚାର ସାଧାରଣ ପ୍ରଜାଙ୍କ ଉପରେ ଦିନକୁଦିନ ବଢି ଚାଲିଥାଏ। ଅତ୍ଯାଚାରର ସର୍ବାଗ୍ରେ ଥିଲା ବେଠି ପ୍ରଥା, ଯାହା ଧରଣୀଧରଙ୍କ ମନକୁ ବେଶ ଆନ୍ଦୋଳିତ କରିଥିଲା। ୧୮୯୧ ମସିହାରେ କେନ୍ଦୁଝରଗଡ଼ ର ୧୧ କି.ମି. ଉତ୍ତରକୁ ମାଛକାନ୍ଦଣା ଝରଣା ଉପରେ ମାହାରା ନିର୍ମାଣ କରି ଉକ୍ତ ଜଳକୁ ଜଳସେଚନ କାର୍ଯ୍ଯରେ ବ୍ଯବହାର କରିବା ପାଇଁ ରାଜା ଦଶହଜାର ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ବିଚିତ୍ରାନନ୍ଦ ଦାସ ସ୍ଥିର କଲେ ଯେ ମାହାରା ନିର୍ମାଣ କରାଯିବ ଭୂୟାଁ ମାନଙ୍କ ବେଠିରେ। ତେଣୁ ଭୂୟାଁ ମାନଙ୍କୁ ବାଧ୍ଯ କରାଯାଇ ଉକ୍ତ କାର୍ଯ୍ଯରେ ନିୟୋଜିତ କରାଯିବା ସହ ଶାରୀରିକ ନିର୍ଯାତନା ମଧ୍ଯ ଦିଆଯାଉଥିଲା। ଏହା ଧରଣୀଧରଙ୍କୁ ଖୁବ୍ ବ୍ଯଥିତ କରିଥିଲା ଯାହା ଫଳରେ ଭୂୟାଁ ମାନଙ୍କୁ ଏକତ୍ରିତ କରି ବିଦ୍ରୋହ ପାଇଁ ଆହ୍ବାନ ଦେଲେ। ତାଙ୍କରି ଆହ୍ବାନରେ ସହସ୍ର ବାଥୁଡ଼ି, କୋହ୍ଲ, ଭୂୟାଁ ଓ ସାଉଡ଼ି ଏକତ୍ରିତ ହେଲେ। ବିଦ୍ରୋହର ପୂର୍ବରୁ କଟକସ୍ଥିତ କମିଶନର, କଲିକତା ସ୍ଥିତ ଇଂରେଜ କତ୍ତୃପକ୍ଷ ଓ ମୟୂରଭଞ୍ଜ ରାଜ୍ଯର ମ୍ଯାନେଜରଙ୍କୁ ରାଜାଙ୍କ ଅତ୍ଯାଚାର ବିଷୟରେ ଚିଠି ଲେଖି ଅବଗତ କରାଇଥିଲେ। ବିଦ୍ରୋହୀ ମାନେ ନିଷ୍ପତ୍ତି ନେଇଥିଲେ ଯେ ବିଚିତ୍ରାନନ୍ଦ ଦାସଙ୍କୁ ହତ୍ଯା କରିବା ସହ ରାଜାଙ୍କୁ ଗାଦିଚ୍ଯୁତ କରିବେ। ବିଦ୍ରୋହ କ୍ରମେ ଭୀଷଣ ଆକାର ଧାରଣ କରିବା ସହ ଏହାର ଭୟାବହତା କାରଣରୁ ରାଜା ଏବଂ ବିଚିତ୍ରାନନ୍ଦ ଆନନ୍ଦପୁର ପଳାୟନ କଲେ। ବିଦ୍ରୋହ ଦମନ କରିବା ପାଇଁ ରାଜା ତାଙ୍କର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ନବକିଶୋର ବାହାଦୂର ଏବଂ ମ୍ଯାନେଜର ଫକୀରମୋହନ ସେନାପତିଙ୍କୁ କମିଶନରଙ୍କ ନିକଟକୁ କଟକକୁ ପ୍ରେରଣ କଲେ।
ବିଦ୍ରୋହ ଦମନ ଓ ବନ୍ଦୀ: ଫକୀରମୋହନଙ୍କ ପ୍ରଦତ୍ତ ପ୍ରସ୍ତାବ କ୍ରମେ କମିଶନର ରାଜି ହୋଇ ବଙ୍ଗ ସରକାରଙ୍କ ଦ୍ବାରା ଚାଇଁବାସାର ଡେପୁଟି କମିଶନର ଏଚ୍ ଡାଉସନଙ୍କୁ କମିଶନରଙ୍କ ଆସିଷ୍ଟାଣ୍ଟ୍ ସୁପରିଟେଣ୍ଡେଣ୍ଟ ଭାବରେ ନିଯୁକ୍ତି କରାଗଲା। ଏ ଖବର ପାଇ ବିଦ୍ରୋହୀ ମାନେ ଅଧିକ ଉତ୍ତେଜିତ ହେଲେ। ଧରଣୀଧର ଦୃଢ଼ ଭାବରେ ନିଜକୁ କେନ୍ଦୁଝରର ଟିକାୟତ ଘୋଷଣା କରିବା ସହ ରାଇସୁଆଁର ଏକ ଆମ୍ବତୋଟା ମଧ୍ଯରେ ଦରବାର ପ୍ରତିଷ୍ଠା କରି ପ୍ରଜା ମାନଙ୍କୁ ବିଭିନ୍ନ ଆଦେଶ ଜାରି କଲେ। ସେଥିମଧ୍ୟରୁ କେନ୍ଦୁଝରଗଡ଼ ଆକ୍ରମଣ କରିବା ଏକ ପ୍ରମୁଖ ଯୋଜନା ଥିଲା। ମାତ୍ର ଫକୀରମୋହନଙ୍କ ବିଚକ୍ଷଣ କୁଟନୀତି ଯୋଗୁଁ ଗଡ଼ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା। ଧରଣୀଧର ଓ ଅନ୍ୟ ବିଦ୍ରୋହୀ ମାନଙ୍କୁ ଧରିବା ପାଇଁ ଓ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇବା ପାଇଁ ଜଣେ ସବ୍-ଇନିସପେକ୍ଟର ଏବଂ ଜଣେ କନେଷ୍ଟବଳକୁ ଧରଣୀଧରଙ୍କ ନିକଟକୁ ପଠାଇଥିଲେ। ମାତ୍ର ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଧରଣୀଧର ଆତ୍ମସମର୍ପଣ କରିଥାନ୍ତେ ବା କିପରି? ଡାଉସନଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ପ୍ରବର୍ତ୍ତାଗଲା।
ବାଟରେ ପୁତୁଲିଆ ଓ ରୁଚିଭୀ ନାମକ ଦୁଇଟି ଗ୍ରାମ ଥିବା ସ୍ଥାନରେ ଡ଼ାଉସନ ସାହେବ ତାଙ୍କ ସୈନ୍ଯସାମନ୍ତ ସହ ଆସୁଥିବାର ଦେଖି ଧରଣୀଧର ହାତୀ ପିଠିରୁ ଓହ୍ଲାଇ ତାଙ୍କୁ ସ୍ବାଗତ ଜଣାଇଲେ। ପୂର୍ବ ଚକ୍ରାନ୍ତ ଅନୁଯାୟୀ ଡ଼ାଉସନଙ୍କ ସୈନ୍ଯମାନେ ଧରଣୀଧରଙ୍କୁ ଘେରିଯାଇ ବନ୍ଦୀ କରିଥିଲେ। ଧରଣୀଧର ବନ୍ଦୀ ହୋଇଯିବା ପରେ ତାଙ୍କର ଅନୁଗାମୀ ମାନେ ହତୋତ୍ସାହିତ ହୋଇଯାଇଥିଲେ। ତଥାପି ସେମାନଙ୍କ ମଧ୍ଯରୁ ଅନେକଙ୍କ ରକ୍ତ ଶିଥିଳ ହୋଇ ନ ଥିଲା। ମାତ୍ର ଇଂରେଜ ମାନଙ୍କ ପ୍ରଚଣ୍ଡ ଶକ୍ତି ଆଗରେ ବିଦ୍ରୋହୀ ମାନେ ଅଧିକ କାଳ ତିଷ୍ଠି ପାରି ନଥିଲେ। ଶେଷରେ ଆରମ୍ଭ ହୋଇଥିଲା ବିଚାର ପର୍ବ। ୨୮ ଜଣ ବନ୍ଦୀଙ୍କୁ ଭିନ୍ନ ଭିନ୍ନ ସମୟକାଳ ପର୍ଯ୍ୟନ୍ତ କାରାଦଣ୍ଡ ଦିଆଯାଇଥିଲା। ୪୦ ଜଣକୁ ଦେଶାନ୍ତର ଦଣ୍ଡ ଦିଆଯାଇଥିଲା। ଧରଣୀଧରକୁ ସାତ ବର୍ଷ ସଶ୍ରମ କାରାଦଣ୍ଡରେ ହୋଇଥିଲେ।
ଶେଷ ଜୀବନ: ୧୮୯୭ରେ କାରାମୁକ୍ତ ହେବା ପରେ ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ହୋଇଥିଲା। ସେ ପୁରୀ ସମୁଦ୍ରକୂଳରେ ଥିବା ବାଙ୍କୀ ମୁହାଣରେ ତପସ୍ୟାରତ ହୋଇଥିଲା। ସେଠାରୁ ୧୯୧୨ ମସିହାରେ କଟକ ଜିଲ୍ଲାର ଆଳି ଅଞ୍ଚଳକୁ ଯାଇ ସେଠାରେ ଏକ ନିକାଞ୍ଚନ ସ୍ଥାନରେ ମଠ ନିର୍ମାଣ କରି ଆଜୀବନ ଏକନିଷ୍ଠ ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ। ସେ ସମୟରେ ତାଙ୍କୁ ଗୋପବନ୍ଧୁ ଦାସ ଏବଂ ପଣ୍ଡିତ ନୀଳକଣ୍ଠ ପରି ମହାମନିଷୀ ସାକ୍ଷାତ କରିଥିଲେ। ଶେଷରେ ୧୯୧୪ ମସିହାରେ ମସିହା ମଇ ୧୬ ତାରିଖ ବୈଶାଖ ପୂର୍ଣ୍ଣିମା ଦିନ ଏହି ମହାନ ବିଦ୍ରୋହୀଙ୍କର ମହାପ୍ରୟାଣ ଘଟିଲା। ବିପ୍ଳବୀ ଧରଣୀଧର ଅନ୍ଯାୟ ରାଜ ଶାସନ ଓ ଇଂରେଜ ଶାସକଙ୍କୁ ବିରୁଦ୍ଧରେ ଲଦି ପରାଭୂତ ହୋଇଥିଲା ମାତ୍ର ତାଙ୍କର ଦୁଃସାହସିକ ସଂଗ୍ରାମ ଅତ୍ଯାଚାରୀ ମାନଙ୍କ ବିରୁଦ୍ଧରେ ଅବିରତ ଜାରି ରହିଥିଲା। ସେ ଥିଲେ ଜନମାନସର ନେତା। ବିର୍ସା ମୁଣ୍ଡା, ଚକରା ବିଶୋୟୀ ପ୍ରମୁଖ ଆଦିବାସୀ ମୁକ୍ତ ଯୋଦ୍ଧାଙ୍କର ସେ ଥିଲେ ଜଣେ ସମକକ୍ଷ ବିପ୍ଳବୀ। ଧରଣୀଧର ଏକ ଚିର ଅମର ଯୁଗ-ପୁରୁଷ ଭାବରେ ଆମର ନିତ୍ଯ ସ୍ମରଣୀୟ। ଏହି ମହାନ୍ ବିପ୍ଳବୀଙ୍କର ମହତ ଆଦର୍ଶ ଯୁଗେ ଯୁଗେ ଏ ଜାତିକୁ ପ୍ରେରଣା ଯୋଗାଉଥିବା ଏହା ନିଃସନ୍ଦେହ।