Ramzan In Odia
ପବିତ୍ର ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ।
ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମାସସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ ।
ଇସଲାମୀ କ୍ୟାଲେଣ୍ଡରର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ ‘ଇଦ ଉଲ-ଫିତର’ ଦିନ ଶେଷ ହୋଇଥାଏ। ଇଦ୍ର ଅର୍ଥ ଖୁସି, ଫିତର ଅର୍ଥ ଦାନ। ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ ରାତ୍ରି ଆଟେ । ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି। ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।
ରୋଜା
୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତ ଇସଲାମୀୟ ଧର୍ମାବଲମ୍ବୀଙ୍କ ନିମନ୍ତେ ରୋଜା ଏକ ପ୍ରକାର ବାଧ୍ୟତାମୂଳକ କହିଲେ ଚଳେ। ଇସଲାମ ବିଶ୍ୱାସ ଅନୁଯାୟୀ ରମଜାନ ମାସରେ ଭଲ କାମ କଲେ ସାଧାରଣ ଦିନ ଅପେକ୍ଷା ୭୦ ଗୁଣା ଅଧିକ ପୂଣ୍ୟ ଅର୍ଜନ ହୁଏ। ଏହି ମାସରେ ନର୍କର ଦ୍ୱାର ବନ୍ଦ ଥାଏ । ଏହି ମାସରେ ପୈଗମ୍ବର ମହମ୍ମଦ ଆଶୀର୍ବାଦ ସ୍ୱରୂପ ଆଲ୍ଲାଙ୍କ ବାଣୀ (କୋରାନ ସରିଫ) ପ୍ରାପ୍ତ ହୋଇଥିଲେ।
ଭକ୍ତମାନେ ପରମ୍ପରା ଅନୁସାରେ ପ୍ରାତଃ କାଳରେ ରୋଜା ରଖିବା ବେଳେ ଆଲ୍ଲାଙ୍କୁ ସ୍ମରଣ କରି କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି ମୋ ରୋଜାକୁ ଗ୍ରହଣ କରନ୍ତୁ”। ସେହିପରି ରୋଜା ଖୋଲିବା ବେଳେ କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖିଥିଲି ଏବଂ ଆପଣଙ୍କ ଆଶୀର୍ବାଦରୁ ଖୋଲୁଛି”।
ସେହ଼୍ରୀ
ରୋଜା ରଖିବା ନିମନ୍ତେ ମୁସଲମାନମାନେ ରାତ୍ରିର ଶେଷ ପ୍ରହରରେ କରୁଥିବା ଭୋଜନକୁ ସହେରୀ କୁହାଯାଏ। ଏହି ଭୋଜନ ରୋଜା ରଖୁଥିବା ସମସ୍ତ ଭକ୍ତଙ୍କ ନିମନ୍ତେ ବାଧ୍ୟତାମୁଳକ ଅଟେ ।
ଇଫ଼ତାର୍
ରୋଜା ଖୋଲିବା ପରେ ଯେଉଁ (ଅଳ୍ପ) ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ। ସୂର୍ଯ୍ୟାସ୍ତପରେ ଅଜାନ ପାଠ କରିବା ସମୟ ଇଫତାରର ପ୍ରକୃତ ସମୟ ।
ତରାବୀ
ସାଧାରଣ ଦିନମାନଙ୍କରେ ପ୍ରତିଦିନ ପାଞ୍ଚଥର ନିୟମିତ ନମାଜ (ସୁବ୍ହା, ଜୋହର, ଅସର, ମଗରୀବ ଓ ଇଶା) ପଢ଼ାଯାଏ। କିନ୍ତୁ ରମଜାନ ମାସରେ ନିୟମିତ ଇଶା କି ନମାଜ ପରେ ପ୍ରାୟ ଏକଘଣ୍ଟାରୁ ଦୁଇଘଣ୍ଟା ଧରି ସ୍ୱତନ୍ତ୍ର ତରାବି (ତରାୱିହ୍) ନମାଜ ପାଠ କରାଯାଇଥାଏ ।
ସବେକଦର
ରମଜାନ ମାସର ବିଶେଷ ରାତିରେ ଉଜାଗର ରହି ନମାଜ ପାଠ, କୋରାନ ପାଠ ଓ ଆଲ୍ଲାଙ୍କ ନାମଜପ କରିବାକୁ ସବେ କଦର କୁହାଯାଏ। ଏହି ମାସର ୨୧, ୨୩, ୨୫, ୨୭ ଓ ୨୯ତମ ରାତିରେ ସବେ କଦର କରାଯାଏ । ଏଥିମଧ୍ୟରୁ ୨୭ତମ ରାତିରେ ପବିତ୍ର ଧର୍ମଗ୍ରନ୍ଥ କୋରାନ ଆଲ୍ଲାଙ୍କ ନିକଟରୁ ଆସିଥିବାରୁ ଅଧିକ ସଂଖ୍ୟକ ଭକ୍ତ ଉଜାଗର ରହିଥାନ୍ତି ।