ଓଡ଼ିଆ ଲୋକଵାଣୀ —୨ (ODIA LOKABANI)

@_ustad
0

1. ଆ କୁରାଢ଼ି ବେକରେ ବସ । (ବିପଦକୁ ବରଣ କରିବା)

2. ଆ ବଳଦ ମୋତେ ବିନ୍ଧ । (ବିପଦକୁ ବରଣ କରିବା)

3. ଆଁ କଲେ ବତିଶ ଦାନ୍ତ ଦିଶେ । (ପାଟିରେ ଗୁମର ପଦାରେ ପଡ଼ିଯାଏ)

4. ଆଇଲା ବ୍ରାହ୍ମଣ ମାଇଲା ଥାଳି, ଘେନିଗଲା ମୋର ଖେଚଡ଼ି ଥାଳି । (ଉପକାର କରିବା ବାହାନାରେ ସର୍ବସ୍ବ ଲୁଟି ନେବା)

5. ଆୟୁଷ ନଥିଲେ କେହି ନରଖେ । (ଅନୁଭବ)

6. ଆଉରି ହେଉ ଆଉରି ହେଉ । ଖୋସା ଉପରେ ଚଉଁରି ହେଉ । (ବଢ଼ତି ହେବା)

7. ଆଉ ସେ ଭାବ ନାହିଁଲୋ ସଜନୀ, କୃଷ୍ଣ ଯମୁନା ପାର ହୋଇ ଗଲେଣି । (କୃଷ୍ଣ ଗୋପୀମାନଙ୍କୁ ଛାଡ଼ ମଥୁରା ଚାଲିଯିବା ସମ୍ବନ୍ଧରେ ଉକ୍ତି)

8. ଆଉଁଷିଲା କୁକୁର ମୁହଁରେ ବୋକ । (ଛୋଟ ଲୋକକୁ ମୁହଁ ଦେଲେ ସେ ଉପରେ ଚଢ଼େ )

9. ଆକାଶ କୟାଁ ଚିଲିକା ମାଛ । (ଆକାଶରେ ତିନ୍ତୁଳି ଫଳିବା ଅସମ୍ଭବ ଏବଂ ଚିଲିକାରେ ମାଛ ମିଳିବା ଅନୁଶ୍ଚିତ । ସେହିପରି ଅନିଶ୍ଚିତ ଓ ଅସମ୍ଭବ ବସ୍ତୁ ପ୍ରତି ଅଭିଳାଷ ପୋଷଣ )

10. ଆକାଶକୁ ଢେଲା ମାରିଲେ ଆପଣା ମୁଣ୍ଡରେ ପଡ଼େ । (ଅସମ୍ଭବ ପ୍ରଚେଷ୍ଟା କ୍ଷତିର ସମ୍ଭାବନା)

11. ଆଖି କଜଳ ସହି ହୁଏ, ଟିରିକି କଜଳ ସହି ହୁଏ ନାହିଁ । (ପ୍ରତିବେଶୀ ବା ଶତ୍ରୁସ୍ଥାନୀୟ ବ୍ୟକ୍ତି ଟିରିକି (ଗୁହ୍ୟଦ୍ବାରା) ବା ଅସ୍ଥାନରେ କଜ୍ଜ୍ବଳ ଘେନିଲେ ଦର୍ଶକ ତାହା ଆଦୌ ବରଦାସ୍ତ କରିପାରେ ନାହିଁ । ପ୍ରତିବେଶୀର ବିଳାସ ମନୁଷ୍ୟ ପକ୍ଷରେ ଅସହ୍ୟ)

12. ଆଖି ଥାଉଁ ଥାଉଁ ଅନ୍ଧ ହେବା ନ୍ୟାୟ । (ଅନ୍ୟମନସ୍ବତା ଯୋଗୁଁ ଦେଖି ନ ପାରିବା)

13. ଆଖି ଫୁଟୁ ବଥା ପାଉ । (ଅନୁଭବ)

14. ଆଖି ଗଲେ ସବୁ ଗଲା । (ଅନୁଭବ)

15. ଆଖି ବୁଜିଲେ କୁଆଙ୍କର ରାଇଜ । (ନିଜର ବିଷୟ ସମ୍ପତ୍ତ ପ୍ରତି ଦୃଷ୍ଟି ନ ଦେଲେ ତାହା ବାର ଲୋକେ ଖାଇଯାନ୍ତି )

16.   ଆଖିରେ ଆଙ୍ଗୁଠି ଗେଞ୍ଜିବା ନ୍ୟାୟ । (କୌଣସି ଲୋକକୁ ଯୋର ଜବରଦସ୍ତି କରି ଦେଖାଇ ଦେବା )

17. ଆଖି ଆଗରେ ଆଙ୍ଗୁଠି ହଲାଇବା । ( ଅବଜ୍ଞା ବା ବରକ୍ତି ପ୍ରକାଶ କରିବା)

18. ଆଖି ବୁଜିଲେ ଦୁନିଆ ଅନ୍ଧାର । (ଅନୁଭବ)

19. ଆଖିରୁ କଜଳ କାଢ଼ି ନେବା ନ୍ୟାୟ । ( ଲୋକ ଜାଣୁ ଜାଣୁ ତାକୁ ଠକି ତାଠାରୁ ପଦାର୍ଥ ଘେନି ଯିବା

20. ଆଖିରେ ଧୂଳି ପକାଇବା । (ଠକିବା ବା ଭଣ୍ଡିନେବା)

21. ଆଖିଟି ବଡ଼ ପେଟଟି ସାନ । ( ଯେଉଁ ଲୋକର ଆପଣା ପେଟର ଅଟକଳ ନଥାଏ ଓ ପତରରେ ବହୁତଗୁଡ଼ାଏ ଖାଦ୍ୟ ବଢ଼ାଏ, ଅଥଚ ଖାଇପାରେ ନାହିଁ )

22. ଆଖି ନ ଫିଟୁଣୁ ମହାଭାରତ । ( ଅତି ବାଲ୍ୟ ବୟସରୁ ବଡ଼ ବଡ଼ କଥାରେ ମୁଣ଼୍ଡ ପୁରାଇବା)

23. ଆଖି ବଡ଼ ପେଟ ସାନ, ହାଣ୍ଡି, କୁଣ୍ଡେଇ ପୋଛି କରି ଆଣ । (ଅତ୍ୟଧିକ ଖାଦ୍ୟ ଲାଳସା)

24. ଆଖିର ଭୋକ କେବେ ଯାଏ ନାହିଁ ।( ଯେତେ ସୁନ୍ଦର ଦୃଶ୍ୟ ଦେଖିଲେ ମଧ୍ୟ ପୁଣି ଦେଖିବାକୁ ମନ ହୁଏ )

25. ଆଖୁ କିଆରୀରେ ପଶିବା । (ସବୁ ଆଖୁଗଛ ସମାନ ଦେଖି କେଉଁଟି ନେବ ନିର୍ଣ୍ଣୟ କରି ନ ପାରିବା)

26. ଆଖୁବାଡ଼ିରେ ଭାଲୁ ପଶିବା ନ୍ୟାୟ । ( ଭାଲୁ ଯେପରି ଆଖୁ ବାଡ଼ ଧ୍ବଂସ କରେ, ସେହିପରି କରିବା)

27. ଆଖୁ, କାକୁଡ଼ି, ନଡ଼ିଆ, ମକା, ଦାନ୍ତ ପଡ଼ିଲେ ତଳକୁ ପକା । ( ଦାନ୍ତ ନଥିବା ଲୋକ ଏ ସବୁ ପଦାର୍ଥ ଚୋବାଇ ଖାଇ ପାରେ ନାହିଁ )

28. ଆଖୁ ଖଣ୍ଡିଏ ଦବୁନି, ଗୁଡ଼ ଖଣ୍ଡିଏ ଦେବୁ । ( ଅଳ୍ପକରେ ଋଣମୁକ୍ତ ନ ହୋଇ ବହୁ ଅର୍ଥ ଦେବାକୁ ବାଧ୍ୟ ହେବା )

29. ଆଖେଇଲା, ଆଖଉ ଆଖଉ ପାଖେଇଲା, ପାଖଉ ପାଖଉ ଦେଖେଇଲା, ଦେଖାଉ ଦେଖାଉ ଚଖେଇଲା । (ଆଙ୍ଗୁଠି ପଶୁ ପଶୁ ବାହା ପଶିବା ନ୍ୟାୟ )

30. ଆଗତ କୁହା ପର ଗାଈଦୁହାଁ ଏ ଦୁହେଁ ସମାନ । ( ଉଭୟ ବିଶ୍ବାସର ଅଯୋଗ୍ୟ)

31. ଆଗତ ଭବିଷ୍ୟର ଜାଣଇ ଯେ ଗଣ୍ଠିଆ ପାଖରୁ ଟାଣଇ ସେ । ( ଭାଗ୍ୟ ଗଣନା କରି ଭବିଷ୍ୟତ କଥା କହିବା ଲୋକ ଅତି କୃପଣ ଲୋକଠାରୁ ମଧ୍ୟ ଧନ ଲାଭ କରି)

32. ଆଗତ ଚଢେଇକି ବେଶରବଟା । (ଚଢେଇ ଶିକାର କରି ଘରକୁ ଆଣିବା ପୂର୍ବରୁ ଚଢେଇ ମାଂସ ରାନ୍ଧିବା ପାଇଁ ବେଶର ବାଟି ରଖିବା ପରି ଅନିଶ୍ଟିତ ଫଳପ୍ରାପ୍ତି ପାଇଁ ଆଗରୁ ପ୍ରସ୍ତୁତ ରହିବା )

33. ଆଗତ ପଞ୍ଚା, ସବୁ କଞ୍ଚା ।

34. ଆଗତ ପାଞ୍ଚ ଭଲ ନୁହେଁ । (କଞ୍ଚା ଫଳ ପାଚିଲେ ଖାଇବାର ଆଶା ଓ ଭବିଷ୍ୟତରେ ଫଳିବା କଥାକୁ ଭାବିବା ଏକା କଥା )

35. ଆଗ ପୁଅ ବାଘ । (ଜ୍ୟେଷ୍ଠ ପୁତ୍ର ସବୁ ପୁଅଙ୍କ ଅପେକ୍ଷା ବଳୁଆ ବା ଶ୍ରେଷ୍ଠ ବିବେଚିତ ହୁଏ)

36. ଆଗ ସୁନା ପାଗ, ପଛ ଗୁହ ପୋଛ । ( ମା, ମାନେ ପିଲାଙ୍କୁ ଶୀଘ୍ର କାର୍ଯ୍ୟ ସମାପନ କରିବା ପାଇଁ ଉତ୍ସାହିତ କରିବା ବାକ୍ୟ)

37. ଆଗ ଚଲାଏ, ପଛ ବୋଲାଏ, ମଝି ବନ୍ଧୁ ଦର୍ଶନ କରାଏ । (ଗୋଡ଼ ତଳିପାର ଆଗ, ମଝି ଓ ପଛ ଅଂଶ କୁଣ୍ଡାଇ ହେଲେ ଯଥାକ୍ରମେ ପଥଭ୍ରମଣ, କଳି କଜିଆ ଓ ବନ୍ଧୁଦର୍ଶନ ଫଳ ଘଟେ ବୋଲି ଲୌକିକ ସଂସ୍କାର ଅଛି)

38. ଆଗ ଚଲା, ପର ଗାଈ ଦୁହାଁ, ଦୀପ ପେଲା, ନାଥ ବୋଲେ ପୁତାରେ ଜୀଉଁ ଥାଉଁ ଥାଉଁ ମଲା । ( ଏମାନେ ଲୋକଙ୍କୁ ବିପଦରେ ପକାନ୍ତି)

39. ଆଗ ମାଧିଆ କି, ମାଧିଆ ହାତରେ ଟଙ୍କା ଟୋକର, ମାଧିଆ ମଣିଷ ଚିହ୍ନଇ କି ? )ଦରିଦ୍ର ବ୍ୟକ୍ତି ଧନୀ ହେଲେ ସେ ଅନ୍ୟକୁ ଖାତିର କରେ ନାହିଁ )

40. ଆଗ କାଳକୁ ବାଘ ଖାଇଲାଣି । (ସମୟର ପରିବର୍ତ୍ତନ)

41. ଆଗ ଯାର, ପାଗ ତାର ।

42. ଆଗ ନୋହିଲେ ପାଗ । (କୃଷି ବଚନ)

43. ଆଗେ ଚାନ୍ଦ, ପଛେ ଚାନ୍ଦ ତାକୁ ନେଇ ମଝି ଖୁଣ୍ଟରେ ବାନ୍ଧ । ( ଗୋପାଳନ ସମ୍ବନ୍ଧୀୟ ଉକ୍ତି)

44. ଆଗେ ଉଦର, ପଛେ ସୋଦର । ( ଆଗେ ଆପଣା ପେଟ ଚିନ୍ତା କରି ସାରି ପରେ ଅନ୍ୟ ଚିନ୍ତା କରିବା )

45. ଆଗେ ପୁଅ, ପଛେ ଦିଅଁ । (ଦିଅଁକୁ ଭୋଗ ଦେବା ପୂର୍ବରୁ ପ୍ରଥମେ ପୁଅ କଥା ବୁଝିବା )

46. ଆଗେ ଗଲେ ବାଘ ଖାଏ, ପଛେ ଗଲେ ସୁନା ପାଏ । (ଅଗ୍ରଗାମୀ ଲୋକ ଉପରେ ସର୍ବଦା ବିପଦ ପଡ଼େ)

47. ଆଗେ ମାଡ଼, ପଛେ ବିଚାର । (ପ୍ରଥମେ ଦଣ୍ଡ ଦେଇ ପରେ ସାନ୍ତ୍ବନା ଦେବା)

48. ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁ ଟୁଣୁ । (ଆଗେ ହେଉ ବା ପଛେ ହେଉ, ବୁଣା ହୋଇଥିବା ସବୁ ଧାନ ଗର୍ଭଣା ସଂକ୍ରାନ୍ତିକୁ ଥୋଡ଼ ହୁଏ )

49. ଆଗେ ତେନ୍ତୁଳି ପଛେ ତାଳ, ଘର ଗୁସିଆଁର ପୂରିଲା କାଳ । (ଲୌକିକ ସଂସ୍କାର, ଦାଣ୍ଡରେ ତେନ୍ତୁଲି ଓ ବାଡ଼ିପଟେ ତାଳ ଗଛ ଲଗାଇବା ଅଶୁଭ)

50. ଆଙ୍ଗୁଠି ପଶୁ ପଶୁ ବାହା ପଶିବା ।

51. ଆଙ୍ଗୁଠି ଦେଖାଇଲେ ବାହା ଗିଳିବା । ( ଅଳ୍ପ ଅଳ୍ପ କରି ସମୁଦାୟ କରାୟତ୍ତ କରିବା)

52. ଆଚାରେ ବ୍ରାହ୍ମଣ, ବିଚାରେ ପଣ୍ଡିତ ।

53. ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତା । (ଆଚାର ଓ ବିଚାର ଉଭୟରେ ଯେ ଶ୍ରେଷ୍ଠ)

54. ଆଜି କଥା କାଲିକି ଅନ୍ତର

55. ଆଜିର ମଳୁ କାଲିକି ବଇଦ । (ଅଭିଜ୍ଞତାରୁ ଶିକ୍ଷା କରି କୌଣସି ବିଷୟରେ ବିଶେଷଜ୍ଞ ହେବା)

56. ଆଜି ନଗଦ, କାଲି ବାକୀ । (ବିକା କିଣା ସମ୍ବନ୍ଧୀୟ ପ୍ରବଚନ)

57. ଆଜିର ମନୁଷ୍ୟ କାଲିକି ନାହିଁ । (ମନୁଷ୍ୟ ଜୀବନ କ୍ଷଣଭଙ୍ଗୁର)

58. ଆଜି ଦେବା କାଲି ଦେବା, ଦେବା ଦେବା କହୁଥିବା, ଯାବତୁଇନ୍ଦ୍ର ଦିବାକର । (ଦେବା ଦେବା କହି ସମୟ ଗଡ଼ାଇବା)

59. ଆଜି ମଲେ କାଲିକି ଦି ଦିନ ।

60. ଆଜି ମଲେ କାଲିକି ମାଟି । (ଦିନ ବସି ରହେ ନାହିଁ)

61. ଆଜହୁଁ ଏତେ, ପାଣି ପଡ଼ିଲେ ହେବୁ କେତେ । (ଛତୁ ଫୁଟିବା ସମ୍ବନ୍ଧରେ ଉକ୍ତି)

62. ଆଜି ଖାଉଁ, କାଲି ପଳାଇ ଯାଉଁ, କୁଦୋ (କୋଦୁଅ) ପୁଆଳେ ଜୁଇ ଲଗାଇ ଦେଉଁ । (ଦରିଦ୍ର ଯାଯାବର ଜୀବନ ସମ୍ବନ୍ଧରେ ଉକ୍ତି)

63. ଆଟିକା ଚୁହାଁର ମାଇପ ମରେ । (ଯେଉଁ ଲୋକ ଆଟିକାରେ ଥିବା ରନ୍ଧାଦ୍ରବ୍ୟ ପ୍ରତି ସର୍ବଦା ଦୃଷ୍ଟିରଖେ ତାର ସ୍ତ୍ରୀ ଖାଇବାକୁ ନପାଇ ଉପାସ ରହେ )

64. ଆଟିକା ମାପକୁ ପଲମ ।

65. ଆଠ ଦୁମୁକାଣି, ଷୋଳ ଅସରା, ବତିଶି ଝିପି ଝିପି ଚଉଷଠି କୁଣ୍ଡାଝରା, ତେବେ ଯାଇ ଚଷାର ପେଟହୁଏ ପୁରା । (ଧାନ ଫସଲପାଇଁ ବର୍ଷା ପାଣିର ଆବଶ୍ୟକତା ସମ୍ବନ୍ଧରେ ଉକ୍ତି)

66. ଆଠରଚକା ଷୋଳ ବଢ଼ି, ତେବେ ଦେଖିବ ଧାନର କଢ଼ି । (କୃଷିବଚନ)

67. ଆଠ ବିହୁଡ଼ା ଷୋଳ କୋଡ଼ା, ତେବେ ଖାଇବ ବାଇଗଣ ପୋଡ଼ା (ପାଇଗଣ ଚାଷ ସମ୍ବନ୍ଧରେ ଉକ୍ତି)

68. ଆଠ ହଗା ଷୋଳ ମୂତା, ତେବେ କରିବୁ ବ୍ରାହ୍ମଣର ବୁତ୍ତା । (ବ୍ରାହ୍ମଣ ଘରେ ଚାକିରି କରିବା ବଡ଼ କଷ୍ଟ)

69. ଆଣରେ ପିଲାଏ ମୂଷ ମାଟି, ମେଘ ଯାଉ ଫସର ଫାଟି । (ମେଘଉଠାଇବା ସମୟରେ ପିଲାମାନେ କୌତୁକରେ ବୋଲିବା ଗୀତ )

70. ଆଣି ପୋତିଲି ତାଳ, ସେ ହେଲା ମୋତେ କାଳ । (ବାସ ଗୃହ ନିକଟରେ ତାଳଗଛ ପୋତିଲେ ତାହା ଭବିଷ୍ୟତରେ ପରିବାରସ୍ଥ ଲୋକଙ୍କର ବିପଦର କାରଣ ହୋଲାପରି ଉପକୃତ ବ୍ୟକ୍ତିଦ୍ବାରା ଆପଣାର ଅନିଷ୍ଟ ହେବା )

71. ଆଣିଥିବୁ ମୂଳାଶିଙ୍ଗାକୁ ରସି, କାନ୍ଦୁଥିବୁ ହିଡ଼ ମୁଣ୍ଡରେ ବସି । (ବଳଦ କିଣିବା ସମ୍ବନ୍ଧରେ ପ୍ରବଚନ)

72. ଆଣ୍ଠୁକୁଡ଼ା ଘରେ ଶୁକୁଟା ଟିକକ ଲକ୍ଷେ ଟଙ୍କା । (ଅପୁତ୍ରିକ ଘରେ ଶୁକୁଟା ରୋଗଣା ପୁଅଟିଏ ଜନ୍ମିଲେ ମଧ୍ୟ ପିତାମାତା ତାକୁ ବହୁମୂଲ୍ୟ ମନେ କରନ୍ତି)

73. ଆତଙ୍କ କାଳେ ଯାଚନ୍ତି, କୁକୁଡା, ଆତଙ୍କ ଗଲେ ଦିଅନ୍ତି ଲେଫଡ଼ା (ବିପଦ ସମୟରେ ଲୋକେ ମାନସିକ କରି ଦେବତାଙ୍କୁ ବଳି ଯାଚନ୍ତି, କିନ୍ତୁ ବିପଦରୁ ପାର ହୋଇଗଲେ ପ୍ରତିଶ୍ରୂତି ପାଳନ କରିବା ପାଇଁ କୁଣ୍ଠିତ ହୁଅନ୍ତି )

74. ଆଦର ନଥାଇ ଯେଉଁ ଭୋଜନ, ଲବଣ ନଥାଇ ଯେଉଁ ତିଅଣ, ଗାମୁଛା ନଥାଇ ଯେଉଁ ସ୍ନାହାନ, ସଖୀଗୋ ମନ୍ଦ ଏ ।

75. ଆଦରେ ଭୋଜନ, କି କରେ ବ୍ୟଞ୍ଜନ । (ଆଦର ଥିଲେ ବିନା ତରକାରୀରେ ମଧ୍ୟ ଆହାର ତୃପ୍ତିପ୍ରଦ ହୁଏ)

76. ଆପ କଥା, କାଟେ ମଥା । (ନିଜେ ନିଜର ବିନାଶର କାରଣ ହେବା)

77. ଆପ କଥା, ଲୋକ ବ୍ୟଥା । (ମନୁଷ୍ୟ ଭାବେ ଯେ, ସଂସାରଯାକ ଲୋକ ତାରି କଥା ଭାବୁଛନ୍ତି)

78. ଆପ କାର୍ଯ୍ୟ ତାତପର୍ଯ୍ୟ, ପରକାର୍ଯ୍ୟଂ ହେବା ଗେବା । (ବ୍ୟଙ୍ଗ ଶ୍ଳୋକ । ଲୋକେ ନିଜେ କାର୍ଯ୍ୟ ପ୍ରତି ଯେପରି ଦୃଷ୍ଟି ଦିଅନ୍ତି, ପର କାର୍ଯ୍ୟ ସେପରି ଦୃଷ୍ଟି ଦିଅନ୍ତି ନାହିଁ )

79. ଆପେ ଜାଣେ ପାପ୍, ମା ଜାଣେ ବାପ । (ଦ୍ବିତୀୟ ବ୍ୟକ୍ତି ଜାଣିବା ଅସମ୍ଭବ)

80. ଆପଣା ଘରେ କୁକୁର (ବାଘ) ରଜା । (ନିଜ ଘରେ ନିଜେ ରଜା ହେବା)

81. ଆପଣା ବୁଦ୍ଧିରେ ଠାକୁର, ପରବୁଦ୍ଧିରେ କୁକୁର ।

82. ଆପଣା ବୁଦ୍ଧିରେ ଯୋଗୀ ହେବ ପଛକେ, ପରବୁଦ୍ଧିରେ ରଜା ହେବ ନାହିଁ ।(ପରବୁଦ୍ଧିରେ ଚାଲିବା ଲୋକ ବିପଦରେ ପଡ଼େ)

83. ଆପଣା ଚିତ୍ତ ଯେବେ ଦୃଢ଼, ତେବେ ଦାରୀ ସାହିରେ ଘର ।

84. ଆପଣା ହାତ, ଜଗନ୍ନାଥ ।(ମନୁଷ୍ୟ ନିଜ ହାତରେ ଯାହା କରିଥାଏ, ତାହା ଭଲ ହେଉ ବା ମନ୍ଦ ହେଉ, ତହିଁ ପ୍ରତି ତାର ଆଦର )

85. ଆପଣା ଆପଣା ରାଜି, କିସ କରିବ କାଜି । (ପକ୍ଷମାନେ ଆପୋଷରେ ରାଜି ହୋଇଗଲେ, ମୋକଦ୍ଦମାରେ ବିଚାରପତିଙ୍କ ଦରକାର ହୁଏ ନାହିଁ )

86. ଆପଣା ଗାଁ ମଶାଣି, ପର ଗାଁ ପାଣି । (ଏ ଦୁଇଟି ସ୍ଥାନପ୍ରତି ଲୋକଙ୍କ ମନରେ ସର୍ବଦା ଭୟ ଥାଏ)

87. ଆପଣା ଦେଶରେ ଚାକିରି କରି କୁକୁର, ପରଦେଶରେ ଚାକିରି କଲେ ଠାକୁର ।

88. ଆପଣା ଦୋଷେ ମରଣ ଯାର, କି କରିବେ ବ୍ରହ୍ମା ଶଙ୍କର ତାର ।

89. ଆପଣା କିଆକୁ ଇଲାଜ କିଆ । (ଅନେକ ସମୟରେ ଲୋକେ ନିଜ ଦୋଷ ବୁଝିନପାରି କେହି ଗୁଣି ଗାରୁଡ଼ି ଓ ଔଷଧି ପ୍ରୟୋଗ କରି ଅନିଷ୍ଟ ଭିଆଇଛି ବୋଲି ମନେ କରନ୍ତି )

90. ଆପଣା ଦୋଷରେ ଆପେ ମରି, ପର ଦୋଷରେ ବ୍ରହ୍ମଚାରୀ ।

91. ଆପଣା ମୁହଁରେ ଆପେ ମିଆଁ ମିଠୁ ବନିବା । (ଆତ୍ମବଡ଼ିମା ଦେଖାଇ ହେବା)

92. ଆପଣା ସେରକ ଯେ ପରକୁ ଦିଏ ତା ମୁଣ଼୍ଡଟା ପୋଡୁ । (ନିଜର ଅଧିକାର ପରକୁ ଦେବା ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)

93. ଆପଣାକୁ ଆପେ ବୁଝିଲେ ସରଇ ଅଡୁଆ, ବଳଦକୁ ଯେସନେ ଲଦନ ଗରୁଆ ।

94. ଆପଣା ନାକ କାଟି ପରର ଯାତ୍ରାଭଙ୍ଗ । ( ପରର ସାମାନ୍ୟ ଅନିଷ୍ଟ କରିବାକୁ ଇଚ୍ଛାକରି ନିଜର ଘୋର କ୍ଷତି ଘଟାଇବା )

95. ଆପ ରୁଚି ଭୋଜନ, ପରରୁଚି ପହରଣ । (ହିନ୍ଦୀ ପ୍ରବଚନର ଅନୁକରଣରେ ରଚିତ )

96. ଆପଦ ପଡ଼ିଲେ ଗୋସେଇଁକୁ (ଭାଇ ନନାଙ୍କୁ) ଡାକରା । (ଯେଉଁ ଲୋକ ତାହାର ହିତାକାଂକ୍ଷୀ ବନ୍ଧୁମାନଙ୍କୁ ଅନ୍ୟ ସମୟରେ ପଚାରେ ନାହିଁ, ଅଥଚ ବିପଦ ବେଳେ ସେମାନଙ୍କର ଦ୍ବାରସ୍ଥ ହୁଏ )

97. ଆପ ଖାଏ ଗୀତା, ବଂଶ ଖାଏ ଚଣ୍ଡୀ । (ଗୀତା ପାଠରେ ଭୁଲ କଲେ ପାଠକର ଅଧର୍ମ ହୁଏ କିନ୍ତୁ ଚଣ୍ଡୀ ପାଠରେ ଭୁଲ କଲେ ବଂଶ ନାଶ ହୁଏ)

98. ଆପଣା ସ୍ବାର୍ଥକ ବଣିଚଢ଼େଇ । (ଅତ୍ୟନ୍ତ ସ୍ବାର୍ଥପର ବ୍ୟକ୍ତି)

99. ଆପଣା ସୁନାତ ଭେଣ୍ଡି, ପର ସଙ୍ଗେ କିଆଁ ବାଳ ଧରାଧରି । ( ନିଜର ପୁତ୍ର, କନ୍ୟା ବା ଅନ୍ୟ ଆତ୍ମୀୟ ବ୍ୟକ୍ତିର ଅଯୋଗ୍ୟତା ହେତୁ କୌଣସି ବିବାଦ ଉପୁଜିଲେ ବୃଥାରେ ଅନ୍ୟ ସଙ୍ଗେ ଝଗଡ଼ା କରି ଲାଭ ନାହିଁ )

100. ଆପଣା ଶିଙ୍ଗରେ ଭୂଇଁ ତାଡ଼ିବା ( ସ୍ବାବଲମ୍ବୀ ହେବା)

101. ଆପଣା ଗୋଦର ଗୋଡ଼ ଦୁଆରେ ଚଳୁନାହିଁ, ପରଘରେ ବାତ ଚିକିତ୍ସା କରୁଛି । (ବହୁଦୋଷଯୁକ୍ତ ବ୍ୟକ୍ତି ଅପର ବ୍ୟକ୍ତିର ଦୋଷ କ୍ଷାଳନ ପାଇଁ ଉପଦେଶ ପ୍ରଦାନ କରିବା)

102. ଆପୁଆ ଚୋର, ଗଞ୍ଜେଇଆ ଭୋଳ, ଧୂଆଁ ପତୁରିଆର ଘରେ ନିତି ଗୋଳ ।

103. ଆପେ ବଣିଜ ପୁତେ ଚାଷ, ଗୋତି କରେ ସର୍ବନାଶ ( କୃଷି ବଚନ)

104. ଆପେ ଚଷିବୁ ପୂରା ଚାଷ, ଛତା ଜୋତା ଅଧା ଚାଷ, ମୂଲିଆ ଚାଷ ଫସରଫାସ । (କୃଷିବଚନ)

105. ଆପେ ଆଖି ବୁଜିଲେ, ସଂସାର ଅନ୍ଧାର । (ମୃତ ବ୍ୟକ୍ତି ପକ୍ଷରେ ସଂସାର ନିରର୍ଥକ)

106. ଆପେ ଭଲ ତ ଦୁନିଆ ଭଲ ।

107. ଆପେ ମଲେ ସ୍ବର୍ଗ ଯାଏ, ପର ମଲେ ବୁଡ଼ ଦିଏ ।

108. ଆପେ ମଲେ ଯୁଗବୁଡ଼, ପରମଲେ ପାଣି ବୁଡ଼ ।

109. ଆପେ ମଲେ ଯୁଗ ଯାଏ, ପର ମଲେ କାନ୍ଦୁଥାଏ ।

110. ଆପେ ନ ମଲେ ଯମ ଦର୍ଶନ ନାହିଁ । (ସାକ୍ଷାତ ଅନୁଭୂତି ବିନା କୌଣସି ବିଷୟରେ ପ୍ରକୃତ ଜ୍ଞାନଲାଭ ଅସମ୍ଭବ)

111. ଆପେ ବଞ୍ଚିଥିଲେ ବାପର ନାଁ । (ନିଜେ ବଞ୍ଚିଥିଲେ ବାପର ନାଁ ରହିବ ଏହି ଛଳନାରେ କୌଣସି ପ୍ରକାର ଆତ୍ମରକ୍ଷା କରିବା)

112. ଆପେ ମରି ସଙ୍ଗେ ଲୋଡି । ( ବିପନ୍ନ ବ୍ୟକ୍ତି ଅନ୍ୟମାନଙ୍କୁ ସମଦଶାପନ୍ନ ହେବାକୁ ଇଚ୍ଛା କରିବା)

113. ଆପେ ରାଣ୍ଡତ ସାହି ପଡ଼ୋଶୁଣୀ ଗୋଡ଼େଇ ରାଣ୍ଡ । (ବିଧବା ଗ୍ରାମର ଅନ୍ୟାନ୍ୟ ସ୍ତ୍ରୀମାନଙ୍କୁ ସମଦସାପନ୍ନ ହେବାକୁ ଇଚ୍ଛା କରିବା ନ୍ୟାୟ )

114. ଆପେ ରାନ୍ଧେ ଆପେ ଖାଏ, ସୁଆଦ ସୁଆଦ ବୋଲୁଥାଏ । (ନିଜ କାର୍ଯ୍ୟର ପ୍ରଶଂସା ନିଜ ମୁଖରେ ବଖାଣିବା)

115. ଆବେ ପର୍ଶୁଆ, ଯାବେ ପର୍ଶୁଆ, ବାବୁ ପରଶୁରାମ । (ଲୋକର ପ୍ରତିପତ୍ତି ବଢ଼ିବା ସଙ୍ଗେ ଗଙ୍ଗେ ସମାଜରେ ତାର ଆଦର ଓ ସମ୍ମାନ ବଢ଼ିଥାଏ )

116. ଆମ୍ବ ପାଚେ, ପଣସ ପାଚେ, ତହିଁ ସଙ୍ଗେ ନେଉଳ ନାଚେ । (ସଂପର୍କହୀନ ବ୍ୟକ୍ତି କୌଣସି ଉତ୍ସବରେ ଆନନ୍ଦ ପ୍ରକାଶ କରିବା)

117. ଆମ୍ବ କାଳେ ହାଡ଼ିକୁ ଜୁହାର । (କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ କୌଣସି ହୀନବ୍ୟକ୍ତିର ଶରଣାପନ୍ନ ହେବା )

118. ଆମ୍ବ ଦିନେ ପଣସର ଚିନ୍ତା । (ଏକ ସୁଖକୁ ପାଇବା ବେଳେ ଅନ୍ୟସୁଖକୁ ଚିନ୍ତା କରିବା)

119. ଆମ୍ବ ଦିନେ ପଣସ, କଥା ନ କହନ୍ତି ମଣିଷ । ( ସମ୍ପଦର ପ୍ରାଚୁର୍ଯ୍ୟ ହେତୁ ଗର୍ବ ପ୍ରକାଶ କରିବା)

120. ଆମ୍ବ ଶିମ୍ବ(ପଣସ) ଅଢ଼େଇ ଦିନ, ଛାତି (ଅଣ୍ଟା) ଦମ୍ଭକରି ମଣିଷ ଚିହ୍ନ । (କ୍ଷଣିକ ସମ୍ପଦରେ ଭୋଳ ହୋଇ ସାଇପଡ଼ିଶା ବନ୍ଧୁବାନ୍ଧବମାନଙ୍କୁ ଭୁଲି ନ ଯିବା ପାଇଁ ଉପଦେଶ )

121. ଆମ୍ବ ଝଡ଼ିବାକୁ କାଉ ଖୁମ୍ପିବାକୁ । (କାର୍ଯ୍ୟ କାରଣ ସମ୍ପର୍କ ନ ଥାଇ ଆଗପଛ ଘଟିବା ଘଟଣା)

122. ଆମ୍ବ ଗଛରେ ପାଣି ଦଉ ଦଉ ଶିମ୍ବଗଛ ମଲା । (ଜଣକୁ ରକ୍ଷାକରିବାକୁ ଯାଇ ଅନ୍ୟ ଲୋକକୁ ମାରିବା)

123. ଆମ୍ବନାଁରେ ଆମ୍ବଡ଼ା ଭଣ୍ଡାଇବା ନ୍ୟାୟ ।(ଅସଲି ଜିନିସ ବୋଲି କହି ନକଲି ଜିନିସ ଭଣ୍ଡାଇବା)

124. ଆମ୍ବଖିଆ ପୁଅ ଟାକୁଆରେ ବୋଧହେବ ।

125. ଆମ୍ବ ପାଚିଲେ ଯମ ରାଜା, ନଈ ବଢ଼ିଲେ କେଉଟ ରଜା । (ଆମ୍ବ ପାଚିଲେ ଛୋଟ ଜାତିର ଲୋକେ ଆମ୍ବ ଖାଇ ବଞ୍ଚନ୍ତି । ନଈବଢ଼ିରେ କେଉଟର ରୋଜଗାର ହୁଏ)

126. ଆମ୍ବର ବଣ, ଆମ୍ବ ସରିଗଲେ ଟାକୁଆ ବଣ ।

127. ଆମ୍ବ ସଡ଼କା, ତେନ୍ତୁଳି ବଙ୍କା, କୁକୁର ଲଙ୍ଗୁଡ଼ ନୁହେଁ ସଳଖା । (ଯେତେ ଯତ୍ନ କଲେ ମଧ୍ୟ ଏଗୁଡ଼ିକ ସିଧା ହୁଏ ନାହିଁ )

128. ଆମ୍ବ କଡମଡ, ତେନ୍ତୁଳି ଚେମଡ । (ତୁଳନା)

129. ଆୟ ଦେଖି ବ୍ୟୟ କର । (ଉପଦେଶ)

130. ଆୟୁଷ ପୂରିଲେ କେହି ନ ରଖେ ।

131. ଆର ଜନମରେ ଲୁହା ଚୋରଣୀ । (ଦେଢଶୁର ଅଇଁଠାଖାଇ) ଏ ଜନମରେ ପେଚା  (ଅନ୍ଧ ବିଶ୍ବାସ)

132. ଆରେ ଚଷା ଭାଇ ମୋ ବୋଲ ଶୁଣ, ବେଳଥାଉଁ ଥାଉଁ ବୁଣିବୁ ଧାନ (କୃଷି ବଚନ)

133. ଆରେ ଅଳସୁଆ ମଠ ନ କର, ଯେତେବେଳେ ହେଲେ ତୋହ ଉପର ।(ଉପଦେଶ)

134. ଆରେ ରେ, ଯେତେବେଳେ ଯେ । (ସୁବିଧାବାଦୀ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)

135. ଆରେ ଲଣ୍ଡା, ତୋର ଖାଇ ତୋତେ ଖଣ୍ଡା । (ଉପକାରୀ ବ୍ୟକ୍ତିର ଅପକାର କରିବା)

136. ଆରେ ଭାଇ, ଅର୍ଜି ପାରିଲେ ଗର୍ଜି ଖାଇ ।

137. ଆର ଜନ୍ମରେ ଲଙ୍କା ମରିଚ (ଲେଉଟିଆ କିଆରି) ହୋଇ ଶୁଝିବା (ଲୋକବିଶ୍ବାସ)

138. ଆଳି ଝୁଲଣ, ଓଳକଣା ମେଲଣ, ଅସୁରେଶ୍ବର ରାମନବମୀ, ପୁରୀ ଚନ୍ଦନ । (ଏ ଚାରିଗୋଟି ପ୍ରଧାନ)

139. ଆଳି ରାଇଜରେ ଭିନେ ନିଷାପ, ଫାଟରେ କିମ୍ଭୀର ଖାଏ । (ଅବୁଝାମଣା ରାଜ୍ୟର ବିଚାର)

140. ଆଳିଆ ଲେଖାରେ ବାଳିଆ ବନ୍ଧୁ । (ଲେଖାଯୋଖାରେ ଦୂର ସମ୍ପର୍କୀୟ ବ୍ୟକ୍ତି)

141. ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟ । (ଗୋଟିଏ ବିଷୟ ଅନୁସନ୍ଧାନ କରୁ କରୁ ଅନ୍ୟ ଏକ ରହସ୍ୟ ପ୍ରକାଶ ପାଇବା ।)

142. ଆଲୋ ସଖି, ଆପଣା ମହତ ଆପେ ରଖି । (ନିଜର ସମ୍ମାନ ନିଜ କାର୍ଯ୍ୟ ଉପରେ ନିର୍ଭର କରେ)

143. ଆଲୋ ମଉସା । ଜଡ଼ ପଇସା । (ଅର୍ଥବିନା କୌଣସି ସିଦ୍ଧ ହୁଏ ନାହିଁ )

144. ଆଶା ବୈତରଣୀ ନଦୀ । (ମନୁଷ୍ୟର ଆଶାର ସୀମା ନାହିଁ)

145. ଆଶା କରିଥା ଆଶଲୀ, ତୋର ମାମୁଁ ଯାଇଛି ଭଟଲୀ । (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ । ଅନିଶ୍ଚିତ ବିଷୟ ପ୍ରାପ୍ତି ପାଇଁ ଆଶାୟୀ ହୋଇ ରହିବା )

146. ଆଷାଢ଼େ ରୁଏ ବଲକେ, ଶ୍ରାବଣେ ରୁଏ ଫଲକେ, ଭାଦ୍ରବେ ରୁଏ ତୁଷକେ, ଆଶିନେ ରୁଏ କିସକେ । (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ କୃଷିବଚନ)

147. ଆଷାଢ଼ ମାସରେ ବତୁରି ଚାଷ, ଅତି ଭାଗ୍ୟ ଥିଲେ ପାଇ, ଠିଆ ହୋଇ ବୁଣିଥିଲେ ବସି କରି ଖାଇ । (କୃଷିବଚନ)

148. ଆସ୍ ଯା ନ କଲେ ବନ୍ଧୁ ପର ।

149. ଆସିଛୁ ଏକା, ଯିବୁ ଏକା, କେହି ନଥିବେ ସାଙ୍ଗ ସଖା । (ଜନ୍ମ ମୃତ୍ୟୁସମ୍ବନ୍ଧୀୟ ବଚନ)

150. ଆହାର ଉପରେ ପାହାର । (କୌଣସି ବ୍ୟକ୍ତିକୁ ଖାଇବାକୁ ଦେଇ ପରକ୍ଷଣରେ ପ୍ରହାର କରିବା)

151. ଆହାର ଛଟ, ଜଗି ନ ରହିଲେ ଯମର ଭେଟ । (ଅପସ୍ନାର ରୋଗାକ୍ରାନ୍ତ ବ୍ୟକ୍ତିକୁ ସର୍ବଦା ନ ଜଗିଲେ କେତେବେଳେ ମୁର୍ଚ୍ଛା ଯାଇ ମୃତ୍ୟୁ ଘଟିବା ସୁନୁଶ୍ଚିତ )

152. ଆହେ ନନା, ପେଟକୁ ନାହିଁ ଦାନା, ତହିଁର ଅଧା କନା । (ଖାଦ୍ୟ ଓ ବସ୍ତ୍ର ଏହି ଦୁଇଟି ପଦାର୍ଥ ମନୁଷ୍ୟର ଏକାନ୍ତ ପ୍ରୟୋଜନ )

Tag: ଓଡ଼ିଆ ଲୋକଵାଣୀ, ଲୋକ କଥା ଢଗ ଢମାଳି, Odia Lokabani, Odia Dhaga, ଓଡ଼ିଆ ଢଗ

Post a Comment

0Comments

Post a Comment (0)