ଆଜି ଆମେ ସ୍ବାସ୍ଥ୍ୟ ପୃଷ୍ଠାରେ ଚର୍ମ ରୋଗ ସମ୍ବନ୍ଧୀୟ ଏକ ରୋଗ ସଂପର୍କରେ ଆଲୋଚନା କରିବା…ଯାହା କି ଶରୀରକୁ କୌଣସି ପ୍ରକାର କଷ୍ଟ ନଦେଲେ ମଧ୍ୟ ଶରୀରକୁ ବିକୃତ କରିଦେଇଥାଏ ତଥା ରୋଗୀ ମାନସିକ ଅବସାଦ ଭିତରେ କାଳ ବିତାଇ ଥାଏ…ଏହି ରୋଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ (leucoderma or vitiligo)ବୋଲି ନାଁ ଦିଆଯାଇଛି ।
ଶରୀରର କୌଣସି ଅଙ୍ଗର ତ୍ବଚାରେ ସୃଷ୍ଟି ହେବା ଧଳା ଦାଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ କୁହାଯାଏ…ଆୟୁର୍ବେଦ ଶାସ୍ତ୍ରରେ କୁଷ୍ଠ ରୋଗକୁ ୧୮ ପ୍ରକାର ଭେଦରେ ବର୍ଣ୍ଣନା କରାଯାଇଛି… ଏହି ୧୮ ପ୍ରକାର କୁଷ୍ଠ କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି…ଯଥା –
୧ – ମହାକୁଷ୍ଠ (leprosy)
୨ – କ୍ଷୁଦ୍ର କୁଷ୍ଠ (diseases of the skin)
ଉପରୋକ୍ତ ଦୁଇପ୍ରକାରର ଭାଗରେ ୧୮ ପ୍ରକାର କୁଷ୍ଠକୁ ଅନ୍ତର୍ଭୁକ୍ତ କରାଯାଇଛି… ଯଥା – ମହାକୁଷ୍ଠ ୭ ପ୍ରକାର ।
କ୍ଷୁଦ୍ର କୁଷ୍ଠ ୧୧ ପ୍ରକାର ।
କିନ୍ତୁ ବିଚାର ଦୃଷ୍ଟିରେ କୁଷ୍ଠ ଶବ୍ଦ କହିଲେ ମହାକୁଷ୍ଠ(leprosy)କୁ ହିଁ ବୁଝାଯାଏ…ଶ୍ବିତ୍ର (leucoderma) ଓ ବିଚର୍ଚ୍ଚିକା (eczema)କୁ କୁଷ୍ଠ ରୋଗ ବୋଲି ଧରାଯାଏ ନାହିଁ ।
କାରଣ –
ଆୟୁର୍ବେଦ ମତରେ ମିଥ୍ୟା ଆହାର ବିହାର କାରଣରୁ ଏହି ରୋଗର ସୃଷ୍ଟି ହୋଇଥାଏ…ମିଥ୍ୟା ଆହାର ଯଥା – ମାଛ-ମାଂସ, ଦୁଧ-ଦହି ଆଦିର ମିଶ୍ରଣ ଭୋଜନ, ଅଜୀର୍ଣ୍ଣ ଅବସ୍ଥାରେ ଖାଦ୍ୟ ଗ୍ରହଣ, ଗୁରୁ ସ୍ନିଗ୍ଧ ତଥା ଦ୍ରବ ପଦାର୍ଥ ମାନଙ୍କର ଅଧିକ ସେବନ… ମିଥ୍ୟା ବିହାର ଯଥା – ବମନ ଅର୍ଥାତ ବାନ୍ତି ଆଦିର ବେଗକୁ ରୋଧ କରିବା, ଭୟ-ଶ୍ରମ-ଗରମ ଅବସ୍ଥାରେ ଶୀତଳ ଜଳପାନ ବା ସ୍ନାନ, ଦିବା ସମୟରେ ଶୟନ,ପଞ୍ଚକର୍ମର ଅନୁଚିତ ବ୍ୟବହାର ପ୍ରୟୋଗ ଦ୍ବାରା ଏହି ରୋଗର ସୃଷ୍ଟି ହୋଇଥାଏ…ପୁଣି କୁହାଯାଇଛି ଚୋରୀ, ଗୁରୁ ବ୍ରାହ୍ମଣ ଙ୍କୁ ଅସମ୍ମାନ, ସ୍ତ୍ରୀ ବଧ,ପର ସ୍ତ୍ରୀ ସଙ୍ଗମ ଆଦି ପାପ କର୍ମରୁ ମଧ୍ୟ ଏହି ରୋଗର ସୃଷ୍ଟି ହୋଇଥାଏ… ପାଶ୍ଚାତ୍ୟ ବିଦ୍ବାନଙ୍କ ମତରେ ଖାଦ୍ୟରେ ସବୁଜ ପନିପରିବାର ଅଭାବ ତଥା ଯଥେଷ୍ଟ ସୂର୍ଯ୍ୟ କିରଣ ଅଭାବରୁ ଏହି ଶ୍ବେତକୁଷ୍ଠ ରୋଗର ଉତ୍ପତ୍ତି ହୋଇଥାଏ ।
ଲକ୍ଷଣ –
ଶରୀରରେ ତ୍ବଚାର ରଙ୍ଗ ଶ୍ବେତ ବର୍ଣ୍ଣର ହୋଇଥାଏ ଏବଂ ଏହା ଧିରେ ଧିରେ ପ୍ରସାରିତ ହୋଇଥାଏ… ଏଥିରେ କୌଣସି ପ୍ରକାର ପୀଡା ହୋଇନଥାଏ…ଗରମ ସମୟରେ ଏଥିରେ ଜ୍ବାଳା ଅନୁଭବ ହୋଇଥାଏ ।
ଗୁହ୍ୟ ଦେଶ,ଲିଙ୍ଗ ଓ ଭଗ ପ୍ରଦେଶ, ହସ୍ତ ତଳ,ପଦ ତଳ ଓ ଓଷ୍ଠରେ ଉତ୍ପନ୍ନ ଶ୍ବିତ୍ର ଅସାଧ୍ୟ ଅଟେ…ତେଣୁ ଏହାର ଚିକିତ୍ସା ସର୍ବଦା ବର୍ଜନୀୟ ବୋଲି କୁହାଯାଇଛି ।
ଚିକିତ୍ସା –
ରୋଗୀକୁ ପ୍ରଥମେ ବମନ ଏବଂ ବିରେଚନ କରାଇ ଶରୀରକୁ ଶୋଧନ କରିବା ପରେ ନିମ୍ନୋକ୍ତ ଶାସ୍ତ୍ରୀୟ ଔଷଧକୁ ପ୍ରୟୋଗ କରିବାକୁ ହୋଇଥାଏ…ଯଥା – ରସମାଣିକ୍ୟମ୍ , ଆରୋଗ୍ୟ ବର୍ଦ୍ଧିନୀ ବଟୀ , କୈଶୋର ଗୁଗ୍ଗୁଳ , ପଞ୍ଚତିକ୍ତ ଘୃତ ଗୁଗ୍ଗୁଳ , ଖଦିରା ରିଷ୍ଟ ,ଗୁଡୁଚିସତ୍ତ୍ବ , ତୋପଚିନି ମୋଦକ ,ମହାମଞ୍ଜିଷ୍ଠାଦି କ୍ବାଥ ଆଦିର ଆଭ୍ୟନ୍ତର ପ୍ରୟୋଗ ଏବଂ ମନଃଶିଳାଦି ଲେପ ଆଦିର ବାହ୍ୟ ପ୍ରୟୋଗ ଦ୍ବାରା ଶ୍ବିତ୍ର(leucoderma)ରୋଗରୁ ରକ୍ଷା ମିଳିଥାଏ ।
ତୁଟୁକା ଚିକିତ୍ସା –
- ୧-ଅଁଳା ଓ ଖଇର ଏହି ଉଭୟର କ୍ବାଥ ପ୍ରସ୍ତୁତ କରି ସେଥିରେ ମହୁ ଅଥବା ସୋମରାଜ ମଞ୍ଜି ଚୂର୍ଣ୍ଣକୁ ପ୍ରକ୍ଷେପ ଦେଇ ପାନକଲେ ଧବଳ କୁଷ୍ଠ ବା ଶ୍ବିତ୍ର ନିବାରିତ ହୁଏ।
- ୨-ଶୁକ୍ଲ ଜୟନ୍ତୀ ଗଛର ମୂଳକୁ ରବିବାର ଦିନ ଆଣି ଗାଈ କ୍ଷୀର ସହ ବାଟି ପାନକଲେ ଶ୍ବେତକୁଷ୍ଠ ଉପଶମ ହୋଇଥାଏ ।
- ୩-ଲୌହ ପାତ୍ରରେ ଭୃଙ୍ଗରାଜକୁ ତେଲସହ ଭାଜି ସେବନକଲେ ଶ୍ବେତକୁଷ୍ଠ ଭଲ ହୋଇଥାଏ ।
- ଏହିଭଳି ଆହୁରି ଅନେକ ତୁଟୁକା ଚିକିତ୍ସା ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି ।