
ଦୀପାବଳୀ ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳୀ ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।ଅନ୍ୟ ନାମ ଆଲୋକର ଉତ୍ସବ ମଧ୍ୟ କୁହାଯାଏ । ପାଳନକାରୀ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମାବଲମ୍ବୀ ।
ଅସତ୍ୟ ଉପରେ ସତ୍ୟର , ତମସା ଉପରେ ଆଲୋକର ବିଜୟ ହେଉ । ଆଲୋକର ପର୍ବ ଦୀପାବଳି ରେ ମା ମହାକାଳୀ ଙ୍କ ଠାରେ କାମନା।
କାଳୀ କାଳୀ ମହାକାଳୀ କାଳିକେ ପାପହାରିଣୀ
ସର୍ବ ସମ୍ପଦ ପ୍ରଦେ ଦେବୀ ନାରାୟଣୀ ନମସ୍ତୁତେ
କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ। କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ । ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନ ।
ପୌରାଣିକ
ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଜଣ ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତା ମାନଙ୍କୁ ପ୍ରପୀଡ଼ିତ କରି ଭୀତତ୍ରସ୍ତ କରି ଦେଲେ । ଦେବତାମାନେ ମା’ଙ୍କର ସୁରକ୍ଷା ଭିକ୍ଷା କଲେ । ମା’ ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଲେ କିନ୍ତୁ ରାକ୍ଷସ ଦ୍ୱୟ ତାଙ୍କର ଦୁଇ ସହକାରୀ ଚଣ୍ଡା ଓ ମୁଣ୍ଡାଙ୍କୁ ପଠାଇ ମା’ଙ୍କୁ ଧରି ଆଣିବାକୁ ଆଦେଶ ଦେଲେ । ମା’ ତତ୍କ୍ଷଣାତ୍ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତା ହେଲେ । ଏଥିରେ ବ୍ୟଥିତ ହୋଇ ଶୁମ୍ଭ, ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ । ରକ୍ତବୀଜ ପାଇଥିବା ବର ଅନୁଯାୟୀ ତାର ପ୍ରତି ରକ୍ତବିନ୍ଦୁ ଭୂତଳପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା । ଏହି ଅନିବାର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା’ ମହାକାଳୀ ରୂପ ଧାରଣ କରି ରକ୍ତବୀଜର ରକ୍ତବିନ୍ଦୁ ତଲେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ । ଏହି ପ୍ରକ୍ରିୟାରେ ରକ୍ତବୀଜର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଦେଲେ । ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭକୁ ବଧ କଲେ ।ଏହାପରେ କିନ୍ତୁ ଦେବୀଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ । ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରି ଚାଲିଲେ । ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତ ହେଲେ ନାହିଁ। ଶେଷରେ ଶିବଯୁଦ୍ଧକ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମା’ଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମା’ଙ୍କର ପାଦ ଶିବଙ୍କ ବକ୍ଷାଘାତ କଲା ସେ ଜିଭ କାମୁଡ଼ି ପକାଇ, ସ୍ତମ୍ଭୀଭୂତ ତତ୍କ୍ଷଣାତ୍ ଶାନ୍ତ ହୋଇଗଲେ ଏହି ରୂପେ ସୃଷ୍ଟି ଧ୍ୱଂସମ୍ମୁଖରୁ ରକ୍ଷା ପାଇଥିଲା ।
ଲୋକକଥା କାଳୀଙ୍କ ସ୍ୱରୂପ ବର୍ଣ୍ଣନା
ଚୈତନ୍ୟ ଦେବଙ୍କର ଜଣେ ସମସାମୟିକ କ୍ରିଷ୍ଣାନନ୍ଦ, ଆଗାମୀ ବାଗୀଶ, ଜଣେ ତାନ୍ତ୍ରିକ ଥରେ ଗୋଟିଏ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଦେବୀ କହିଲେ ସକାଳୁ ଉଠି ତୁ ଯେଉଁ ଲୋକଟିକୁ ଦେଖିବୁ ତାହାରି ଅନୁରୂପ ମୂର୍ତ୍ତି ଗଢ଼ି, ମୋତେ ପୂଜା କରିବୁ । ସେ ସକାଳୁ ଉଠି ଦେଖିଲେ ଗୋଟିଏ ତ୍ରିପଣ୍ଡକାଳୀ ଗୃହିଣୀଟିଏ ବାଁ ହାତକୁ ଉପରକୁ ମୁକ୍ତ ରଖି ଡାହାଣ ହାତରେ ଘଷିପାରୁଛି । ତା’କପାଳରୁ ଝାଳ ବୋହୁଛି । ସେ ତାକୁ ବାଁହାତରେ ପୋଛିଲାବେଳେ ସେ ସିନ୍ଦୂରଗୁଡାକ ତା’ ଘନ କଳାବାଳ ଓ ମୁହଁରେ ଲାଖିଯାଇ ଲାଲ୍ ଦିଶୁଛି । ଦେହରେ ତା’ର ଧଳାର ଟିପିଟିପି ଚିହ୍ନ ଝଳସି ଉଠୁଛି । ସେ ତା’ର ସାମ୍ନା ହୁଅନ୍ତେ ସେ ଲାଜରେ ଜିଭ ବାହାର କରି କାମୁଡ଼ିଦେଲା । ଏହିପରି ଏକ ଲୋକର ଚିତ୍ର ଦେଖି ସେ ଦେବୀଙ୍କର ରୂପ ଦିଅନ୍ତି । ଏଥିରେ ଦକ୍ଷିଣକାଳୀଙ୍କ ରୂପ ନିହିତ ବୋଲି ଶୁଣାଯାଏ । ଏହି କାଳୀ ମୂର୍ତ୍ତିର ନିର୍ମାଣ ଦ୍ୱିତୀୟ ଶତାବ୍ଦୀ ପୂର୍ବରୁ ବୋଲି ଐତିହାସିକମାନେ ମତ ସାବ୍ୟସ୍ତ କରନ୍ତି ।
ସାହିତ୍ୟ
ଦୁର୍ଗତି ରୁ ଉଦ୍ଧାରୁ ମା ତୁ ଦୁର୍ଗତି ନାଶିନୀ,
ମହିଷା କୁ ମାରି ପୁଣି ସାଜୁ ମହିଷା ମର୍ଦ୍ଦିନୀ,
କାଳୀ ରୂପ ଉଗ୍ର ଧରି ତୁହି ସଂହାରୁ ଦୁଷ୍ଟ ଜନ,
ଲକ୍ଷ୍ମୀ ବେଶେ ଦେଉ ମାଗୋ ଅଜସ୍ର ଧନ ମାନ।
ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ ।
ଦୀପାବଳୀ ଓ ଦେବୀପୂଜା
ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ ।
ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ ।
କିମ୍ବଦନ୍ତୀ କୁହେ
କାର୍ତ୍ତିକ ଅମାଵାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।
ରାମାୟଣ ରେ ବର୍ଣ୍ଣିତ
ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । ‘ଉତ୍ସବ ତତ୍ତ୍ଵାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତାପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା ।
ଶ୍ରୀକୃଷ୍ଣ ଓ ନରକାସୁର
ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ଵାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ଵର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ଵାରକା ଫେରିଥିଲେ । ତେଣୁ ଦ୍ଵାରକାବାସୀ ପ୍ରଭୁଙ୍କୁ ସ୍ଵାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।
ଓଡ଼ିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି:
ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା’,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡାଉ ଥା’ ।
ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ଵର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।