ଉତ୍କୃଷ୍ଟ କଳାର ଦେଶ ଉତ୍କଳ ତାହାର କଳା, ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣି ନିମନ୍ତେ ସାରା ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଉତ୍କଳୀୟ ସାମାଜିକ ଜୀବନରେ ପର୍ବ ପର୍ବାଣିର ବିଶେଷ ମହତ୍ଵ ରହିଛି । ଓଡିଆ ମାନେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରିବାର ବିଧି ରହି ଆସିଛି । ଉତ୍କଳୀୟ ପର୍ବ ପର୍ବାଣି ମଧ୍ୟରେ ଚିତାଲାଗି ଅମାବାସ୍ୟା ର ବିଶେଷ ଗୁରୁତ୍ଵ ରହିଛି । ଏହା ସାରା ରାଜ୍ୟରେ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇ ଥାଏ ।
ଜଗନ୍ନାଥ ସଂସ୍କୃତିରେ ଚିତାଲାଗି ଅମାବାସ୍ୟାର ସ୍ଵତନ୍ତ୍ର ବିଶେଷତା ରହିଛି । ଏହି ଦିନ ମହାପ୍ରଭୁଙ୍କ ଲଲାଟରେ ଚିତା ଅର୍ପଣ କରିବାର ବିଧାନ ରହିଛି । ସ୍ନାନ ପୁର୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ମସ୍ତକରୁ ଯେଉଁ ଚିତା ଉଲଗି କର ଯାଇଥାଏ , ସେଗୁଡିକୁ ପୁଣି ଶ୍ରାବଣ ମାସରେ ଅମାବାସ୍ୟା ତିଥିରେ ଲାଗି କରାଯାଏ । ନାନାରତ୍ନାରେ ନିର୍ମିତ ଚିତା ସମାଜର ମଙ୍ଗଳ ନିମିତ୍ତ ପ୍ରଭୁଙ୍କ ଲଲାଟରେ ଏହି ଦିନଲାଗି କରିବାର ବିଧେୟ । ଗଙ୍ଗରାଜା ମାନେ କଳିଙ୍ଗରେ ବିସ୍ତାର ଲାଭ କରିବା ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବା ପୂଜାରେ ରାଜକୀୟ ଆଡମ୍ବର ପରିଲକ୍ଷିତ ହୋଇଥିଲା । ସେମାନେ କଳିଙ୍ଗ ସାମ୍ରାଜ୍ୟର ଅଧୀଶ୍ଵର ରୂପେ ସ୍ଵୀକାର କରିଥିଲେ ଏବଂ ଶ୍ରୀମନ୍ଦିରରେ କେତେକ ପର୍ବ ପ୍ରଚାଳନ କରିଥିଲେ ତନ୍ମଧ୍ୟରୁ ଚିତାଲାଗି ଅମାବାସ୍ୟା ଅନ୍ୟତମ ।
ଶ୍ରାବଣ ମାସର ଅମାବାସ୍ୟା ଦିନଟି ବିଷ୍ଣୁ ପୂଜା ଲାଗି ପ୍ରଶସ୍ତ ହୋଇ ଥିବାରୁ ଠାକୁର ରାଜାଙ୍କ ନିର୍ଦ୍ଦେଶରେ ଏହି ଦିନଟି ଚିତାଲାଗି ଅମାବାସ୍ୟା ନାମରେ ଖ୍ୟାତି ଲାଭ କରିଥିଲା । ଏହି ଦିନ ମହାପ୍ରଭୁଙ୍କ ନିତ୍ୟ ପୂଜା ଓ ଧୂପ ଶେଷ ହେବା ପରେ ଦୟତାପତି ମାନେ ତିନି ଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଏହାପରେ ମହାସ୍ନାନ କର୍ପୁର ଆଳତି ଓ ବନ୍ଦାପନା ଆଦି କାର୍ଯ୍ୟ ହୋଇଥାଏ । କେତେକ ଅଞ୍ଚଳରେ ଏହା ଗେଣ୍ଡା କଟା ଅମାବାସ୍ୟା, ଚିତୋଊ ଅମାବାସ୍ୟା ନାମରେ ଖ୍ୟାତ । ବ୍ରାହ୍ମଣ ଶାସନର ପ୍ରତ୍ୟେକ ଘରେ ଚିତଉ ପିଠା ଓ ଖିରୀ ଆଦି ଭୋଗ କୁଳଦେବତାଙ୍କୁ ଲାଗି କରାଯାଏ । ଏହି ପର୍ବକୁ ଅଭିବକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ମାନେ ‘ଅମୁଷ ପର୍ବ ‘ ରୂପେ ପାଳନ କରିଥାନ୍ତି । ଏହି ଦିନ ସେମାନେ କ୍ଷେତରେ ନିଜ ଇଷ୍ଟ ଦେବା-ଦେବୀଙ୍କୁ ବଳି ଦେଇ ଉତ୍ତମ କୃଷି ନିମନ୍ତେ କାମନା କରି ଥାନ୍ତି ।