
ରସଗୋଲା : ଯାହାର ନା ଶୁଣିଲେ ମୁହଁ ରୁ ଆପେ ଆପେ ଲାଳ ବାହାରି ଆସେ, ଯାହାର ସ୍ଵାଦ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରୁଷ୍ଟ କରେ । ଏହା ଭାରତୀୟ ଉପମହାଦ୍ଵୀପରେ ପ୍ରସିଦ୍ଧ ତଥା ଶ୍ରେଷ୍ଟତମ ମିଷ୍ଠାନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଖାଇବାକୁ କୁ ଯେମିତି ସ୍ଵାଦିଷ୍ଟ, ଦେଖିବାକୁ ମଧ୍ୟ ସେଭଳି ଶୁଭ୍ର ଓ ଆକର୍ଷଣୀୟ ।
ପର୍ବ ପର୍ବାଣି ହେଉ ଅବା ଯାନୀ-ଯାତ୍ରା, ବିବାହ ବ୍ରତ ହେଉ ଅବା ଉତ୍ସବ-ମହୋତ୍ସବ ସବୁ ସମୟରେ ମିଷ୍ଠାନ୍ନ ରୂପରେ ରସଗୋଲାର ସ୍ଥାନ ସ୍ଵତନ୍ତ୍ର । ଉତ୍ସବର ବାତାବରଣରେ ରସଗୋଲାର ଉପସ୍ଥିତି ଆନନ୍ଦ ଉଲ୍ଲାସ ଓ ଖୁସିକୁ ଦ୍ଵିଗୁଣିତ କରି ଥାଏ।
ରସଗୋଲା କେବଳ ଭାରତୀୟ ହାଣ୍ଡିଶାଳ, ଦୋକାନ ବଜାର ଓ ପର୍ବ ପର୍ବାଣି ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହା ଭାରତୀୟ ଧର୍ମ , ସଂସ୍କୃତି , ପରମ୍ପରା ଓ ଇତିହାସର ଅଭିନ୍ନ ଅଙ୍ଗ । ବିଶେଷ କରି ପୂର୍ବ ଭାରତରେ ଓଡିଶା ଓ ବଙ୍ଗଳାର ଜନସାଧାରଣଙ୍କ ମଧ୍ୟରେ ଏହା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ।
ଓଡିଆ ଜାତିର ଇଷ୍ଟ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଓଡିଶା ରାଜ୍ୟର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସ ପ୍ରଭୁ ଜଗନ୍ନାଥଙ୍କ ଠାରୁ ହିଁ ଆରମ୍ଭ ଓ ତାଙ୍କରି ଠାରେ ହିଁ ଶେଷ । ଜଗନ୍ନାଥ ସଂସ୍କୃତିରେ ରସଗୋଲାର ଉପସ୍ଥିତି , ଏହାକୁ ସ୍ଵତନ୍ତ୍ର ଆଧତ୍ମିକ ଓ ସଂସ୍କୃତିକ ମର୍ଯ୍ୟାଦା ପ୍ରଦାନ କରେ । ଓଡିଆ ଜାତିର ପ୍ରାଣ କେନ୍ଦ୍ର ଶ୍ରୀମନ୍ଦିର ପୁରୀରେ କେଉଁ ଅନାଦି କାଳରୁ ଆଜି ପର୍ଯ୍ୟନ୍ତ ରସଗୋଲା ପ୍ରସାଦ ରୂପେ ଅର୍ପଣ କରାଯାଉଅଛି । ରସଗୋଲା ଜଗନ୍ନାଥ ସଂସ୍କୃତି ସହ ଅଙ୍ଗା ଅଙ୍ଗି ଭାବେ ଜଡିତ ।
A sketch by Rian Mallick @rianmallick123
ରଥଯାତ୍ରା ପରେ ପରେ ମହାପ୍ରଭୁ ଜଗନ୍ନାଥ ଶ୍ରିମନ୍ଦିରରେ ପ୍ରବେଶ ସମୟରେ ଅଭିମାନୀନି ମା ଲକ୍ଷ୍ମୀଙ୍କୁ ମନେଇବା ପାଇଁ ସ୍ନେହରେ ଖିର ମୋହନ ବା ରସଗୋଲା ଦେବାର ପ୍ରଥା ରହିଅଛି । ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ମାନେ ମତ ଦିଅନ୍ତି ଯେ, ରଥଯାତ୍ରା ଭଳି ରସଗୋଲାର ଇତିହାସ ମଧ୍ୟ ସହସ୍ରାଧିକ ବର୍ଷ ପୁରୁଣା ଓ ଜଗନ୍ନାଥଧାମ ପୁରୀ ହିଁ ରସଗୋଲାର ଜନ୍ମଭୂମି ।
କିନ୍ତୁ ଆଉ କିଛି ବିଶେଷଜ୍ଞ ମତ ଦିଅନ୍ତି ଯେ, ପାହାଳ ଗ୍ରାମ ହିଁ ରସଗୋଲାର ପ୍ରକୃତ ଜନ୍ମଭୂମି । ପାହାଳ ଗ୍ରାମ କଟକ-ଭୁବନେଶ୍ଵର ରାଜରାସ୍ତା ଉପରେ ଅବସ୍ଥିତ । ଏଠାରେ ଶତାଧିକ ରସଗୋଲା ଦୋକାନ ଗଢି ଉଠିଛି । କେବଳ ଓଡିଶା କାହିଁକି , ସାରା ଭରତ ବର୍ଷ ରେ ପାହାଳ ରସଗୋଲା ନିଜର ସ୍ଵତନ୍ତ୍ର ସ୍ଵାଦ ହେତୁ ପ୍ରସିଦ୍ଧି ଲାଭ କରିଛି । ଦେଶ ବିଦେଶର ପର୍ଯ୍ୟଟକଙ୍କଠୁ ଆରମ୍ଭ କରି ସାଧାରଣ ଯାତ୍ରୀ ଯେଉଁମାନେ କଟକ-ଭୁବନେଶ୍ଵର ରାଜରାସ୍ତା ଦେଇ ଯାଆନ୍ତି ସେମାନେ କିଛି ସମୟ ପାହାଳ ଗ୍ରାମରେ ଅଟକି ଯାନ୍ତି ଏହି ସ୍ଵାଦିଷ୍ଟ ରସଗୋଲାକୁ ସେବନ କରିବା ନିମନ୍ତେ ।
ଏତଦବ୍ୟତୀତ କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ଏମିତି ଏକ ବିଶେଷ ଭାବେ ରସଗୋଲା ନିମନ୍ତେ ଖ୍ୟାତି ଲାଭ କରିଛି । ସାଲେପୁରର ବିକଳାନନ୍ଦ କର ଙ୍କ ରସଗୋଲା କେବଳ ରାଜ୍ୟରେ କାହିଁକି ଦେଶ ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ବିକଳନନ୍ଦ କର ଓଡିଆ ରସଗୋଲା କୁ ବିଶ୍ଵ ଦରବାର ରେ ପ୍ରତିଷ୍ଠିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।
ରସଗୋଲା ଓଡିଶାର ଯେଉଁ ଭାଗରେ ସୃଷ୍ଟି ହେଇଥାଉନା କାହିଁକି ଏହା ପ୍ରତି ଟି ଓଡିଆ ର ହୃଦୟ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ । ରସଗୋଲା ନୀଳାଦ୍ରିବିଜେ ଅବସରରେ ଶ୍ରୀ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର କରି ସ୍ନେହ , ପ୍ରେମ ଓ ସୁସମ୍ପର୍କର ବାର୍ତ୍ତା ଦେଇଥାଏ । ଏହା ଛଡା ରସଗୋଲର ଏକ ବିଶେଷତା ରହିଛି ; ଏହା ଶତ୍ରୁତା ଦୂର କରି ବନ୍ଧୁତା ଭାଇଚାର ବଢାଇବାର କାର୍ଯ୍ୟ କରିଥାଏ ।
ଏଣୁ ଓଡିଆ ପାଠଶାଳା ତରଫରୁ ସମସ୍ତଙ୍କୁ ଆହ୍ଵାନ କରାଯାଉଛି ଆସନ୍ତା ୩୦ ଜୁଲାଇ ୨୦୨୧ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଉପଲକ୍ଷେ ସଭିଏ ମିଳିମିଶି ରସଗୋଲା ଦିବସ ପାଳନ କରି ରସଗୋଲା କୁ ଓଡିଆ ଖାଦ୍ୟ ରୂପେ ମାନ୍ୟତା ଦେବାରେ ସହଯୋଗ କରନ୍ତୁ ।