ଠାକୁର ଦେଓ ଓ ଅନକୁଆଁରିନମାତା - ଗଣ୍ଡ ମାନଙ୍କର ଲୋକକଥା

@_ustad
0
Tribe image (only for representative purpose)

 ଗଣ୍ଡମାନଙ୍କର  ବଡ଼ ଦେଵତା ହେଉଛନ୍ତି  “ଠାକୁର ଦେଓ”(ମହାଦେଓ,ଶମ୍ଭୁ) ‌। ତାଙ୍କ ସମ୍ବନ୍ଧରେ ଅନେକ କାହାଣୀ ରହିଛି ତନ୍ମଧ୍ୟରୁ ଗୋଟିଏ ଏହିପରି...

“ଠାକୁର ଦେଓ” ଥରେ “ଅନକୁଆଁରିନ୍ ମାତା”(ପୃଥିଵୀ ମାତା)ଙ୍କୁ ଦେଖି କାମାସକ୍ତ ହୋଇ ତାଙ୍କଠାରୁ ପ୍ରଣୟ ଭିକ୍ଷା କଲେ ଓ ସଫଳ ମଧ୍ୟ ହେଲେ । 

ଅଗନା ଅଗନି ଵନସ୍ତ ମଧ୍ୟରେ ଦୁହେଁ ସଙ୍ଗମରତ ଥିଵା ସମୟରେ “ରନ୍'ହା” ନାମକ ଦେଵତା ଏହା ଦେଖି ଠାକୁରଦେଓଙ୍କ ପିତା 

“କୁଲିତରା”ଙ୍କୁ କହିଦେଲେ । 

କୌଣସି ମତେ ଅନକୁଆଁରିନ୍ ମାତା ଏହା ଜାଣିପାରି ରନ୍’ହାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ଏକ ଭୀଷଣ ଅଭିଶାପ ଦେଇଦେଲେ ...

ଅଭିଶାପ ଫଳରେ ରନ୍'ହାଙ୍କ ଦେହ ଯୋନୀମୟ ହୋଇଗଲା ଓ ତାଙ୍କୁ କେହି ବାହାରେ ଦେଖିପାରିଲେ ନାହିଁ । ରନ୍'ହା କେବଳ ଘରେ ରହିଲେ । ରନ୍'ହା ସେହିନଠୁଁ ଦୁଲାଦେଓ ନାମରେ ଗଣ୍ଡମାନଙ୍କର ଘରେ ପୂଜା ପାଇଲେ ।  ରନ୍'ହା ଵା ଦୁଲା/ଡୁଲା ଦେଓଙ୍କ ପତ୍ନୀ ହେଉଛନ୍ତି ଡୁଲାଇ/ଦୁଲାଇ/ଜୁଲା ଦେଈ । ଭାଦ୍ରଵମାସର ନୂଆଖାଇଵା ଅଵସରରେ ଗୃହସ୍ଵାମୀ ଏହି ଦେଵୀଙ୍କୁ ପୂଜା କରିଥାଆନ୍ତି ।

ଏହି ଜନଜାତୀୟ ପୁରାଣଗାଥା ସହିତ ରାମାୟଣର ଅହଲ୍ୟା—ଇନ୍ଦ୍ର/ଚନ୍ଦ୍ର ଓ ଅଗସ୍ତି ୠଷିଙ୍କ କଥା ମେଳ ଖାଉଛି । ରାମାୟଣର ଉକ୍ତ କଥାରେ ଅହଲ୍ୟାଙ୍କ ସହିତ ଛଳ କରି ଇନ୍ଦ୍ର ତାଙ୍କର ସତୀତ୍ଵ ନଷ୍ଟ କରିଵାକୁ ଚେଷ୍ଟା କରିଛନ୍ତି ଓ ଚନ୍ଦ୍ର ତହିଁରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଶେଷରେ ଅଗସ୍ତି ଋଷି ଇନ୍ଦ୍ରଙ୍କୁ ସହସ୍ରଯୋନୀ ପ୍ରାପ୍ତ ହେଵାର ଅଭିଶାପ ଦେଇଛନ୍ତି ।

ଏହିଭଳି ଅନେକ ଜନଜାତୀୟ ଦେଵତା ଓ ପୁରାଣଗାଥା ସହିତ ଵର୍ତ୍ତମାନର ହିନ୍ଦୁ ପୁରାଣଗାଥା ଓଦେଵୀ ଦେଵତାଙ୍କ ସାମଞ୍ଜସ୍ୟ ଥିଵା ଦେଖାଯାଏ ।  ଆରମ୍ଭରେ ଵେଦରେ ଇନ୍ଦ୍ର  ମୁଖ୍ୟ ଦେଵତା ଭାବେ ଘୋଷିତ ହୋଇଛନ୍ତି କିନ୍ତୁ ପରେ ପୁରାଣମାନଙ୍କରେ ତାଙ୍କୁ ବେଳେବେଳେ Antihero ଭଳି ଚିତ୍ରିତ କରାଯାଇଛି ଏଵଂ ମୁଖ୍ୟ ଦେଵତାର ସ୍ଥାନ ଵିଷ୍ଣୁ ଓ ଶିଵଙ୍କୁ ସ୍ଥଳଵିଶେଷରେ ଦିଆଯାଇଛି । 

ଯେମିତି ସଂସ୍କୃତ ଭାଷା ସର୍ଵଭାରତୀୟ ଭାଷାଗୁଡି଼କର ଶବ୍ଦ,ଶୈଳୀ,ଵ୍ୟାକରଣର ମାନକୀକରଣରୁ ସୃଷ୍ଟି ବୋଲି ଏହାର ନାମ ସମ୍ୟକ(ସମ,ସବୁଆଡୁ଼) ଭାବେ କୃତ = ସଂସ୍କୃତ ହୋଇଅଛି ଠିକ୍ ସେହିପରି ମହାଭାରତୀୟ ସନାତନ ସଂସ୍କୃତି ମଧ୍ୟ ଏଠାକାର ସହସ୍ରାଧିକ ମାନବଜାତିଙ୍କ ପରମ୍ପରାଗୁଡି଼କର ସାମୁହିକ ମିଶ୍ରଣରେ ସୃଷ୍ଟି ହୋଇଅଛି ବୋଲି ଏହାକୁ ସଂସ୍କୃତ ପରି “ସଂସ୍କୃତି” କୁହାଯାଇଛି ।

ସଂସ୍କୃତ ଭାଷାର ଅନ୍ୟ ନାମ ନାହିଁ ସେହିପରି ସଂସ୍କୃତ, ଓଡ଼ିଆ, ବଙ୍ଗାଳୀ,ହିନ୍ଦୀ,ମରାଠୀ,ତାମିଲ, ତେଲୁଗୁ ଭଳି ଅନ୍ୟ ବଡ଼ ବଡ଼ ଭାରତୀୟ ଭାଷାଗୁଡି଼କରେ ସଂସ୍କୃତି ଶବ୍ଦର ଶତକଡ଼ା ୧୦୦ ପ୍ରତିଶବ୍ଦ କୁହାଇଲା ଭଳି କୌଣସି ପ୍ରତିଶବ୍ଦ ମିଳେ ନାହିଁ । 

ଆଧାର-  ଓଡ଼ିଶାର ପ୍ରମୁଖ ଓଡିଆ ଭାଷା ବିଶାରଦ ଓ ଲେଖକ/କଵି- ଶିଶିର ସାହୁ(ମନୋଜ)

Tag: ଗଣ୍ଡ ମାନଙ୍କ ର ଲୋକକଥା, Ganda sampradaya kimbadanti, Ganda jati ra loka katha, ଆଦିବାସୀ ଗଣ୍ଡ ମାନଙ୍କର କିମ୍ବଦନ୍ତୀ Odia Kimbadanti, Odia mythology, Odia loka katha, Odia kimbadantee, Odia dantakatha, ଓଡିଆ କିମ୍ବଦନ୍ତୀ, ଓଡିଆ ଦନ୍ତକଥା,ଓଡିଆ କଥା, Odia pathshala, Odiapathshala, Odiapathshala blog

Post a Comment

0Comments

Post a Comment (0)