ସଫଳତାର ତିନୋଟି ବିନ୍ଦୁ

@_ustad
0

ସଫଳତାର ତିନୋଟି ବିନ୍ଦୁ

ସଫଳତା ପାଇଁ ଆବଶ୍ୟକ ପରିଶ୍ରମ, ବ୍ୟବହାରିକ ଜ୍ଞାନ ଓ ଦୃଢ ଇଚ୍ଛାଶକ୍ତି । ଏହି ତିନୋଟି ବିନ୍ଦୁ ଉପରେ ନିମ୍ନରେ ଆଲୋଚନା କରାଯାଇଛି ।

ପରିଶ୍ରମ

    ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତା ପଛରେ ରହିଛି ସେମାନଙ୍କ ପରିଶ୍ରମ । ସୁପ୍ତ ସିଂହର ମୁହଁକୁ ଆପେ ଆପେ ଶିକାର ପହଞ୍ଚେ ନାହିଁ । ଏଥିପାଇଁ ତାକୁ ଜଙ୍ଗଲରେ  ବୁଲି ବୁଲି ଶିକାର ଅନ୍ୱେଷଣ କରିବାକୁ ପଡେ । ପରିଶ୍ରମୀ ବ୍ୟକ୍ତି ହିଁ ସୌଭାଗ୍ୟଶାଳୀ । ଉଦ୍ୟମ ଓ କଠିନ ପରିଶ୍ରମ ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଏ । ସଫଳତାର ଶୀର୍ଷତମ ସୋପାନ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ କୌଣସି କାର୍ଯ୍ୟକୁ ଯୋଜନାବଦ୍ଧ ଭାବରେ ନିଷ୍ଠା ଓ ଦୃଢ଼ତା ପୂର୍ବକ କରିବାକୁ ପଡିବ । ବିନା ଶ୍ରମରେ ସିଦ୍ଧି ଅସମ୍ଭବ । ଅଳସୁଆ ବ୍ୟକ୍ତି କୌଣସିି କାର୍ଯ୍ୟରେ ସଫଳ ହୁଏ ନାହିଁ । ନିଜର ଉନ୍ନତି ପାଇଁ ନିରଳସ ଓ ନିରବଚ୍ଛିନ୍ନ ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ସମ୍ମାନିତ ଓ ଉଦାହରଣ ଯୋଗ୍ୟ ହୁଅନ୍ତି । ଭାଗ୍ୟର ଦ୍ୱାର ଉନ୍ମୋଚନ ପାଇଁ ପରିଶ୍ରମ ହେଉଛି ଏକମାତ୍ର କର୍ତ୍ତବ୍ୟ।

    ପରିଶ୍ରମ, ଦିଗ ଓ ଲକ୍ଷ୍ୟ ବିହୀନ ହେବା ଅନୁଚିତ । କେଉଁଠି କେତେ ପରିଶ୍ରମ କରିବା ଉଚିତ ସେଥିପାଇଁ ପର୍ଯ୍ୟାପ୍ତ ଜ୍ଞାନ ଦରକାର । ପରିଶ୍ରମ ସତତ ହେବା ଉଚିତ । ଏହାର ଅର୍ଥ ଯେଉଁ ସମୟରେ ଯେଉଁ କାମ କରିବା କଥା ତାହା ତୁରନ୍ତ ସମାପ୍ତ କରିଦେବା ଉଚିତ । ଅଳସୁଆମି ବଶତଃ କେତେକ ଲୋକ ଆଜିର କାମକୁ ଆସନ୍ତା କାଲି ପାଇଁ ସ୍ଥଗିତ ରଖନ୍ତି । ଏହାଦ୍ୱାରା ଅନେକ କ୍ଷତି ହୁଏ । ସମୟାନୁବର୍ତିତା ସଫଳତାର ଅନ୍ୟ ଏକ କାରକ ତତ୍ତ୍ବ ।

    ଇଚ୍ଛା କଲେ ସଫଳତା ମିଳେ ନାହିଁ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ନିୟମିତ ଅଭ୍ୟାସ, କଠୋର ପରିଶ୍ରମ, ଯୋଜନା, ଧୈର୍ଯ୍ୟ, ଅନୁଶାସନ ଓ ସମର୍ପଣ ଦ୍ୱାରା ବ୍ୟକ୍ତି ଅସାଧ୍ୟକୁ ସାଧ୍ୟ କରି ପାରେ । ଭାଗବତର ଏକ ଫକ୍ତି ଏ ପରିପ୍ରେକ୍ଷୀରେ ପ୍ରଣିଧାନ ଯୋଗ୍ୟ; “ତ୍ୟାଗ, ତପସ୍ୟା ସେବା ବଳେ, କିବା ଆସାଧ୍ୟ ମହୀ ତଳେ ।” ପରିଶ୍ରମୀ ବ୍ୟକ୍ତିର ପଛେ ପଛେ ଭାଗ୍ୟଦେବୀ ଛାୟା ଭଳି ଗତି କରନ୍ତି । ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପରିଶ୍ରମ ହେଉଛି ଏକମାତ୍ର ଯାନ । ଏହାର କୌଣସି ବିକଳ୍ପ ନାହିଁ ।

    ଆନ୍ତରିକ ଓ ସଚ୍ଚୋଟ ପରିଶ୍ରମର ପରିଣାମ ସୁଖଦ ହୁଏ । ପରିଶ୍ରମ ଜନିତ ଅର୍ଜିତ ଶାଗ ଭାତ ଅମୃତ ମଣୋହି ଭଳି; କିନ୍ତୁ ଅନ୍ୟାୟ ଭାବରେ ଅର୍ଜିତ ସୁମିଷ୍ଟ ଭୋଜନ ବିଷ ତୁଲ୍ୟ । ପ୍ରତିଭାବାନ ହୋଇଥିଲେ ସୁଦ୍ଧା ପରିଶ୍ରମ କାତର ବ୍ୟକ୍ତିଙ୍କୁ ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି ନାହିଁ । ଅପର ପକ୍ଷରେ ସାଧାରଣ ପ୍ରତିଭା ଥାଇ ମଧ୍ୟ ପରିଶ୍ରମୀ ବ୍ୟକ୍ତି ସଫଳତାର ଶୀର୍ଷ ଦେଶରେ ପହଞ୍ଚିବାକୁ ସକ୍ଷମ ହୁଅନ୍ତି । ତେଣୁ କୌଣସି ମହାନ ଉଦ୍ଧେଶ୍ୟ ପାଇଁ ପରିଶ୍ରମ କରିବାକୁ ଆଦୌ ଲଜ୍ଜ୍ୟା ଓ କୁଣ୍ଠା ପ୍ରକାଶ କରିବା ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତି ପ୍ରସନ୍ନତା ସହିତ ଗୌରବାନ୍ୱିତ ମଧ୍ୟ ହୋଇଥାଏ ।

ବ୍ୟବହାରିକ ଜ୍ଞାନ:

    କୌଣସି କାର୍ଯ୍ୟରେ ସଫଳତା ପାଇଁ ପରିଶ୍ରମ ସହିତ ବ୍ୟବହାରିକ ବୋଧ (ଜ୍ଞାନ) ମଧ୍ୟ ଆବଶ୍ୟକ । ଏହା ମନୁଷ୍ୟକୁ ଅନୁଭବୀ କରାଏ । ଅତି ଅଳ୍ପ ଶିକ୍ଷିତ ବ୍ୟକ୍ତି ମଧ୍ୟ ବ୍ୟବହାରିକ ବୋଧ ହେତୁ ଅଦ୍ଭୁତ କାର୍ଯ୍ୟ କରି ସଫଳତା ଅର୍ଜନ କରିଛନ୍ତି । ଅନ୍ୟପକ୍ଷରେ ବ୍ୟବହାରିକ ବୋଧ ଅଭାବରେ ଉଚ୍ଚ ଶିକ୍ଷା ସେହି ମଧ୍ୟ ଜଣେ ବିଫଳ ହୋଇଥାଏ । ତେଣୁ ଜ୍ଞାନ ସ୍ବୟଂ ଶକ୍ତି ନୁହେଁ । ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ ଦ୍ୱାରା ଅନୁଭବ ହୁଏ ଓ ଏହା ଶକ୍ତି ରୂପରେ ଆତ୍ମାରେ ସଞ୍ଚିତ ହୋଇଥାଏ । ତୀକ୍ଷ୍ଣଧାର ଯୁକ୍ତ ଖଣ୍ଡାକୁ ବ୍ୟବହାର ନ କରି ପକାଇ ରଖିଲେ କାଳକ୍ରମେ ସେଥିରେ କଳଙ୍କି ଧରେ । ଅଧ୍ୟୟନ ଓ ଶ୍ରବଣ ଦ୍ୱାରା ପ୍ରାପ୍ତ ଜ୍ଞାନ ବ୍ୟବହାରିକ ଜୀବନରେ ଉପଯୋଗ ନ ହେଲେ ତଦ୍ଧ୍ୱାରା କିଛି ଲାଭ ହୁଏ ନାହିଁ । ଅନୁଭବହୀନ ବ୍ୟକ୍ତିର ପ୍ରବଚନ ଅନ୍ୟକୁ ପ୍ରଭାବିତ କରି ପାରେ ନାହିଁ । ସମଗ୍ର ଜୀବନ ଆଧ୍ୟାତ୍ମିକ ଜ୍ଞାନ ପ୍ରବଚନ ଦେବା ଅପେକ୍ଷା ଗୋଟିଏ ବର୍ଷ ନିଷ୍ଠାପୂର୍ବକ ଆଧ୍ୟାତ୍ମିକ ଜୀବନ ବିତାଇବା ବେଶୀ ଲାଭ ପ୍ରଦ । ଜ୍ଞାନର ଉଦ୍ଧେଶ୍ୟ ହେଉଛି ଉତ୍ଥାନ ପାଇଁ ସୃଜନାତ୍ମକ ପ୍ରୟାସ । ଆବଶ୍ୟକ ସମୟରେ ଯଦି ଜ୍ଞାନର ଉପଯୋଗ ହୋଇ ନ ପାରିଲା ସେଥିରେ କି ଲାଭ? “ପୁସ୍ତକ ସ୍ଥାତୁଂ ବିଦ୍ୟା ପରହସ୍ତ ଗତ ଧନଂ, କାର୍ଯ୍ୟକାଳେ ସମୁପ୍ତନ୍ନେ ନ ସା ବିଦ୍ୟା ନ ତତ୍ ଧନଂ ।” ବ୍ୟବହାରିକ ଜୀବନରେ ଉପଯୋଗ ହେବା ଦ୍ୱାରା ହିଁ ଜ୍ଞାନର ଗାରିମା ବୃଦ୍ଧି ପାଏ । ଯେତେ ଭଲ ପୁଷ୍ଟିକର ଭୋଜନ ହେଉ ନା କାହିଁକି ତାହା ଯଦି ହଜମ ହୁଏ ନାହିଁ ତଦ୍ଧ୍ୱାରା ଲାଭ ପରିବଶର କ୍ଷତି ହୁଏ । ପରିଶ୍ରମ ଦ୍ୱାରା ଖାଦ୍ୟ ହଜମ ହୁଏ । ସେହିପରି ଜ୍ଞାନର ଚିନ୍ତନ, ମନନ, ଅଧ୍ୟୟନ, ବିଶ୍ଲେଷଣ ସହ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବାର ପୁରୁଷାର୍ଥ ଦ୍ୱାରା ବ୍ୟବହାରିକ ବୋଧ ଶକ୍ତିର ବୃଦ୍ଧି ହୁଏ ।

    ସଫଳ ବ୍ୟକ୍ତି ଉତ୍ତମ ବୋଧ ଶକ୍ତି ହେତୁ ସ୍ବୀୟ ଦୁର୍ବଳତାର ସୀମା କେତେ ଦୂର ତାହା ଜାଣେ । ତଥାପି ମଧ୍ୟ ସେ ନିଜ ଶକ୍ତିର ସୀମା କିପରି ଆହୁରି ବଢିବ ସେଥିପାଇଁ ପ୍ରଯତ୍ନଶୀଳ ହୁଏ । ଅସଫଳ ବ୍ୟକ୍ତିର ଧ୍ୟାନ ସର୍ବଦା ନିଜ ଦୁର୍ବଳତା ପ୍ରତି କେନ୍ଦ୍ରିତ ଥାଏ । ଶାରୀରିକ ବା ମାନସିକ ଯେକୌଣସି କାର୍ଯ୍ୟ ହେଉନା କାହିଁକି ତତ୍ ସମ୍ବନ୍ଧିତ ପ୍ରତ୍ୟେକ ତଥ୍ୟ ତଥା ଉକ୍ତ କାର୍ଯ୍ୟର ପରିଣାମ ବିଷୟରେ ପୂର୍ବାନୁମାନ କରିବା ହେଉଛି ବ୍ୟବହାରିକ ଜ୍ଞାନ । ଯାହା ପାଖରେ ଯେତିକି ବ୍ୟବହାରିକ ଜ୍ଞାନ ଥାଏ ସେ ସେତେ ଶୀଘ୍ର ଲକ୍ଷ୍ୟ ପୂର୍ବରେ  ସଫଳତା ପ୍ରାପ୍ତ ହୁଏ । କଥା କହିବା, ଲେଖିବା, ଖାଇବା ପିଇବା, କାର୍ଯ୍ୟର ପୂର୍ବାନୁମାନ କରିବା, ନିର୍ଣ୍ଣୟ ନେବା, ଭିନ୍ନ ଭିନ୍ନ ପରିସ୍ଥିତିରେ ଧୈର୍ଯ୍ୟ ଧାରଣା କରିବା, ଶାନ୍ତି ଏବଂ ବିବେକର ପ୍ରୟୋଗ କରିବା ଇତ୍ୟାଦି ବିଷୟରେ ବ୍ୟବହାରିକ ଜ୍ଞାନ ରହିବା ଦ୍ୱାରା ବ୍ୟକ୍ତି ସହଜରେ ସଫଳତା ପ୍ରାପ୍ତ ହୁଏ । କୌଣସି କାର୍ଯ୍ୟର ଯୋଜନା ପ୍ରସ୍ତୁତି ସମୟରେ, ତା’ର କ୍ରିୟାନ୍ୱୟ ସମୟରେ ବିଭିନ୍ନ ତଥ୍ୟ ବିଷୟରେ ଅବଗତି ହେତୁ ବ୍ୟକ୍ତିର ବିବେକ ଓ ନିର୍ଣ୍ଣୟ ଶକ୍ତି ସହଜ ଭାବରେ କାର୍ଯ୍ୟ କରି ସଫଳତା ପ୍ରଦାନ କରେ । ଉଦାହରଣ ସ୍ବରୂପ କଥା କହିଲା ବେଳେ କେଉଁଠି ମୌନ ରହବିାକୁ ହେବ ଓ ସଭ୍ୟତା ପୂର୍ବକ କହିବାକୁ ହେବ  ଏହି ବିଷୟରେ ବ୍ୟବହାରିକ ଜ୍ଞାନ ତାଙ୍କ ପାଖରେ ଅବଶ୍ୟ ରହିବା ଉଚିତ । ଭୋଜନ ସମ୍ବନ୍ଧରେ ମଧ୍ୟ ତାଙ୍କୁ ଆବଶ୍ୟକ ତଥ୍ୟ ଆହରଣ  କରିବାକୁ ହେବ ଯେ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ଅନୁକୂଳ ଓ କେଉଁଟି ପ୍ରତିକୂଳ । ଅନ୍ୟଥା ଅତ୍ୟଧିକ ଓ ଅନୁପଯୁକ୍ତ ଭୋଜନ ତାଙ୍କୁ ରୋଗାକ୍ରାନ୍ତ କରାଇ ତାଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବ । ସମୟ ହେଉଛି ସଫଳତାର ଏକ ମହତ୍ତ୍ବପୂର୍ଣ୍ଣ କାରକ । ତେଣୁ ସଫଳତା ପାଇଁ ବିଭିନ୍ନ ବିଷୟରେ ବ୍ୟବହାରିକ ଜ୍ଞାନ ଅତ୍ୟନ୍ତ ଆବଶ୍ୟକ ।

ଦୃଢ ଇଚ୍ଛା ଶକ୍ତି

    ଈପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ଦୃଢ ଇଚ୍ଛା ଶକ୍ତି ଆବଶ୍ୟକ । ଇଚ୍ଛାକୁ ବାରମ୍ବାର ଚିନ୍ତା ମାଧ୍ୟମରେ ପୁନରାବର୍ତ୍ତନ କରିବା ଦ୍ୱାରା ତାହା ଅଚେତନ ମନର ଗଭୀର ସୀମା ପର୍ଯ୍ୟନ୍ତ ପହଞ୍ଚିଯାଏ । ପରିଣାମତଃ ଏହି ଇଚ୍ଛା ବୃଦ୍ଧିରେ ପରିଣତ ହୁଏ । ଏହାଦ୍ୱାରା ବ୍ୟକ୍ତି ସ୍ବୀୟ ଲକ୍ଷ୍ୟ ପୂର୍ତ୍ତି ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟରତ ହୁଏ । କାରଣ ଅଚେତନ ମନକୁ ସ୍ପର୍ଶ କରିଥିବା ଇଚ୍ଛା ଚେତନ ମନରେ ପ୍ରକଟ ହୋଇ ଜାଣତରେ ହେଉ ବା ଅଜାଣତରେ ହେଉ ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମରେ ରୂପାନ୍ତରିତ ହୁଏ । ଏହି ସୂତ୍ର ଆଧାରରେ ମନ୍ତ୍ର ବିଜ୍ଞାନର ସୃଷ୍ଟି । ମନନାତ୍ ତ୍ରାୟତେ ଇତି ମନ୍ତ୍ର । ଅର୍ଥାତ ବାରମ୍ବାର ମନନ କରିବା ଦ୍ୱାରା ଦ୍ୱାରା ବ୍ୟକ୍ତି ଇପ୍ସିତ ଲକ୍ଷ୍ୟ ପ୍ରାପ୍ତ ହୁଏ । ଏହା ସଫଳତାର ଅର୍ନ୍ତନିୟମ । ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଜଗତର ଉପଲବ୍ଧି ପାଇଁ ଏହା କାରକ ତତ୍ତ୍ବ ।

    ଇଚ୍ଛା ତୀବ୍ର ହେଲେ ସେଥିରେ ଶକ୍ତି ଉତ୍ପନ୍ନ ହୁଏ ଓ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୁଏ । ଲୁହା, ସୁନା, ତମ୍ବା, ଆଦି ତରଳିବା ପାଇଁ ବା ଜଳ ବାଷ୍ପରେ ପରିଣତ ହେବା ପାଇଁ ଏକ ନିର୍ଦ୍ଧିଷ୍ଟ ତାପମାତ୍ରା ଆବଶ୍ୟକ । ସେହିପରି ଲକ୍ଷ୍ୟ ପୂର୍ତ୍ତିର ପାଇଁ ତୀବ୍ର ଓ ବ୍ୟାକୁଳ କରିଦେଉଥିବା ଅଭିଳାଷା ଉତ୍ପନ୍ନ ହେବା ଆବଶ୍ୟକ । ଯେପର୍ଯ୍ୟନ୍ତ କାମନା ଶ୍ୱାସ ପ୍ରଶ୍ୱାସ ସଦୃଶ ଅନିବାର୍ଯ୍ୟ ନ ହୋଇଛି ସେ ପର୍ଯ୍ୟନ୍ତ ସିଦ୍ଧି ପ୍ରାପ୍ତ ହୁଏ ନାହିଁ । ଏହି ପରିପ୍ରେକ୍ଷୀରେ ନିମ୍ନ ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ ।

    ପରମାତ୍ମା ପ୍ରାପ୍ତି ପାଇଁ ଜଣେ ବ୍ୟକ୍ତିଙ୍କ ମନରେ ତୀବ୍ର କାମନା ଉତ୍ପନ୍ନ ହେଲା । ମାର୍ଗ ଦର୍ଶନ ପାଇଁ ସେ ଜଣେ ସାଧୁଙ୍କ ନିକଟକୁ ଗଲେ । ସାଧୁ ଜଣକ ତାଙ୍କ  ନିବେଦନକୁ ସାହାସ୍ୟ ବଦନରେ ଟାଳି ଦେଉଥିଲେ । କିନ୍ତୁ ଯୁବକ ଜଣକ ହତୋତ୍ସାହିତ ନ ହୋଇ ସାଧୁଙ୍କୁ ବାରମ୍ବାର ନିବେଦନ କରୁଥାନ୍ତି । ଶେଷରେ ସେ ଯୁବକଙ୍କ ଅନୁରୋଧ ରକ୍ଷା କଲେ ଓ ସାଙ୍ଗରେ ରଖିଲେ । ଦିନେ ସେ ତାଙ୍କୁ ସ୍ନାନ ପାଇଁ ଏକ ପୋଖରୀକୁ ନେଇ ଗଲେ । ଦୁହେଁ ପାଖାପାଖି ସ୍ନାନ କରୁଥାନ୍ତି । ହଠାତ ସାଧୁ ଜଣକ ଯୁବକଙ୍କୁ ପାଣି ମଧ୍ୟରେ ବୁଡାଇ ଧରିଲେ । ଶ୍ୱାସ ରୁଦ୍ଧ ହୋଇ ଯୁବକ ପାଣି ମଧ୍ୟରେ ଛାଟି ପିଟି ହେବାକୁ ଲାଗିଲେ । ସେ ପାଣି ମଧ୍ୟରୁ ବାହାରି ଆସିବା ପାଇଁ ଚେଷ୍ଟା କରି ବିଫଳ ହେଉଥାନ୍ତି । କାରଣ ସାଧୁ ଜଣକ ତାଙ୍କୁ ପାଣି ମଧ୍ୟରେ ଖୁବ୍ ଜୋରରେ ବୁଡାଇ ରଖିଥାନ୍ତି । ଶେଷରେ ଯୁବକଟି ନିଜର ସମସ୍ତ ବଳ ପ୍ରୟୋଗ କରି ସାଧୁଙ୍କୁ ତୀବ୍ର ଧକ୍କା ଦେଇ ପାଣି ଉପରକୁ ଉଠି ଆସିଲେ । କିଛି ସମୟ ପରେ ତାଙ୍କ ଶ୍ୱାସ କ୍ରିୟା ସ୍ବଭାବିକ ହେଲା । ସାଧୁଙ୍କ  ଏତାଦୃଶ କାର୍ଯ୍ୟରେ ଯୁବକ ବିସ୍ମିତ ହୋଇ କାରଣ ଜିଜ୍ଞାସା କଲେ । ସାଧୁ ସ୍ମିତ କରି ହାସ୍ୟ କହିଲେ, “ତୁମେ ଯେତେବେଳେ ଜଳ ମଧ୍ୟରେ ଥିଲେ ତୁମ ମନରେ କଣ ଚାଲୁଥିଲା”? ଯୁବକ ଉତ୍ତର ଦେଲେ, ସେହି ସମୟରେ ମୋର  ମନରେ କେବଳ ଗୋଟିଏ ସଂକଳ୍ପ ତୀବ୍ର ଭାବରେ ତରଙ୍ଗାୟିତ ହେଉଥିଲା ଯେ କିପରି ନିଶ୍ୱାସଟିଏ ନେବି ଓ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ବାହାରକୁ ଆସିଲି । ଆପଣ ମୋତେ ଅଟକାଇ ପାରିଲେ ନାହିଁ । ସାଧୁ କହିଲେ, “ହେ ଯୁବକ! ଯେଉଁ ଦିନ ତୁମ ମନରେ ପରମାତ୍ମାଙ୍କୁ ପାଇବା ପାଇଁ ଏକ ମାତ୍ର ସଂକଳ୍ପ ଏପରି ତୀବ୍ର ଭାବରେ ତରଙ୍ଗାୟିତ ହେବ ସେଦିନ ତୁମେ ତୁମ ଉଦ୍ଧେଶ୍ୟ ପ୍ରାପ୍ତି ପାଇଁ ସଫଳ ହେବ । ଏହି ମୂଲ୍ୟବାନ ସୂତ୍ରକୁ ସଫଳତା ପାଇଁ ଧାରଣ କର ଏବଂ କେବଳ ଏହି ଇଚ୍ଛାରେ ମନ ପ୍ରାଣ ଏକ କରି ଦିଅ ।   

Post a Comment

0Comments

Post a Comment (0)