
ଉଜ୍ଜୟିନୀରେ ବାସୁଦେବ ଶର୍ମା ନାମରେ ଜଣେ ବ୍ରାହ୍ମଣ ରହୁଥିଲେ । ତାଙ୍କର ଗୁଣାକର ବୋଲି ପୁଅଟିଏ ଥିଲା । କୁସଙ୍ଗରେ ପଡ଼ି ଗୁଣାକର ଜୁଆଖେଳି ଖେଳି ସବୁ ଧନ ସମ୍ପତି ହରାଇଦେଲା । ବିଚରା ଗୁଣାକର ଏଣେତେଣେ ବୁଲି ବୁଲି ଶେଷରେ ଗୋଟିଏ ମସାଣି ପାଖରେ ପହଞ୍ଚିଲା । ଗୋଟିଏ ଯୋଗୀ ଜଳନ୍ତା ଜୁଇ ପାଖରେ ବସିଥିବାର ଦେଖି ସେ ତାକୁ କିଛି ଖାଇବାକୁ ମାଗିଲା । ଯୋଗୀଟି ତାକୁ ଗୋଟିଏ ମଣିଷ ଖପୁରୀରେ ଖାଇବାକୁ ଦେଲା । ହେଲେ ସେ ସେପରି ଖାଇ ପାରିବ ନାହିଁ ବୋଲି କହିଲା ।
ଏହାପରେ ଯୋଗୀଟି ଜଣେ ପରମ ସୁନ୍ଦରୀ ଯୋଗିନୀକୁ ଡକାଇ ତାକୁ ଖାଇବାକୁ ଦେବାକୁ କହିଲା । ଯୋଗିନୀ ତାକୁ ନିଜ ପାଖରେ ରଖି ଖାଇବାକୁ ଦେଲା । ଗୁଣକାର ତା’ର ରୂପରେ ମୁଗ୍ଧ ହୋଇ ତା’ ପାଖରେ ରହିଗଲା । କିଛିଦିନ ପରେ ସେହି ଯୋଗିନୀ କେଉଁଆଡ଼େ ଚାଲିଗଲା ।
ସେହି ଯୋଗିନୀକୁ ପାଇବାପାଇଁ ଗୁଣାକାର ଯୋଗୀକୁ ଖୁବ୍ ଅନୁରୋଧ କଲା । ସେ ତାକୁ ସାଧନାର ବାଟବଟାଇ ଦେଲା । ବହୁତ ଦିନ ଧରି ସାଧନା କଲାପରେ ମଧ୍ୟ ଯୋଗିନୀ ଆସିଲା ନାହିଁ । ଏକଥା ଯାଇ ଗୁଣାକର ଯୋଗୀକୁ ଜଣାଇଲା । ତା’ର ସାଧନାରେ ସିଦ୍ଧି ନଆସିବାର କାରଣ ପଚାରିଲା । ଯୋଗୀ ଆହୁରି କଠୋର ସାଧନ କରିବାର ବାଟ ତାକୁ ବତାଇ ଦେଲେ । ତା’ପରେ ସେ ସେହି ଯୋଗୀର ନିର୍ଦ୍ଧେଶରେ ଜୁଇ ପାଖରେ ବସି କଠୋର ସାଧନା କଲା । ତଥାପି ଯୋଗିନୀର ଦେଖା ମିଳିଲା ନାହିଁ । ମନ ଦୁଃଖରେ ସେ ସେହି ଯୋଗୀକୁ କହିବାରୁ ତାକୁ ଗୋଇଠାଟାଏ ମାରି ସେଠାରୁ ତଡ଼ି ଦେଲା । ଯୋଗୀଠାରୁ ମାଡ଼ଖାଇ ଗୁଣାକାର ଚାଲିଗଲା ।
ବିଚରା ଯୋଗୀର ଭୟରେ ସେହି ମସାଣି ଛାଡ଼ି ଚାଲିଗଲା । କିଛିବାଟ ଗଲାପରେ ସେ କୂଅକୁ ଡେଇଁ ପ୍ରାଣ ହରାଇ ଦେଲା ।
କାହାଣୀ କହିସାରି ବେତାଳ କହିଲା – ‘’ ଗୁଣାକରର ମୃତ୍ୟୁ ପାଇଁ ସେହି ଯୋଗୀ ଦଣ୍ଡ ପାଇବ ନାହିଁ ? ଗୁଣାକାର ଯେତେ ସାଧନା କାଲେ ମଧ୍ୟ ଯୋଗିନୀ ଆସିଲା ନାହିଁ କାହିଁକି ?’’
ବିକ୍ରମାଦିତ୍ୟ କହିଲେ,’’ସବୁ ଦୋଷ ଗୁଣାକରର । ଚଞ୍ଚଳତା ମଣିଷର ସବୁଠାରୁ ବଡ଼ ଦୁର୍ଗୁଣ । ଏହାଦ୍ବାରା ମନୁଷ୍ୟ ତା’ ଜୀବନରେ ସଫଳ ହୋଇପାରିବ ନାହିଁ । ଗୁଣାକର ନିଜର ଏହି ଚଞ୍ଚଳତା ଗୁଣରୁ ହିଁ ଅସଫଳ ହେଲା । ସେ ସେହି ଯୋଗିନୀକୁ ଉପଭୋଗ କରିବାରେ ଧ୍ୟାନ ରଖିଲା । ତେଣୁ ତା’ର ସାଧନା ପୂର୍ଣ୍ଣ ହୋଇପାରିଲା ନାହିଁ । ଯେ କୌଣସି କାର୍ଯ୍ୟ ହେଉ, ମନୁଷ୍ୟର ଏକାଗ୍ରତା ସବୁଠୁ ଆଗେ ଦରକାର । ମନ ଚଞ୍ଚଳ ରହିଲେ ମନୁଷ୍ୟ ସଫଳ ହୋଇପାରେ ନାହିଁ । ଏହା ହିଁ ଏହାର ମୁଖ୍ୟ କାରଣ । ‘’
ବିକ୍ରମାଦିତ୍ୟଙ୍କର କଥା ଶୁଣି ବେତାଳ ଡିଆଁଟାଏ ମାରି ସେଠାରୁ ଚାଲିଗଲା । ଆଉ ପୂର୍ବପରି ସେହି ଗଛଡାଳରେ ଓହଳି ରହିଲା ।