Charya Sahitya In Odia
ଭାରତର ସବୁଠୁ ପୁରୁଣା ପ୍ରାକୃତରୁ ଓଡ଼ିଆ ଭାଷାର
ସୃଷ୍ଟି।୨୦୦୦ ବର୍ଷରୁ ଅଧିକ ଆଗରେ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ ବିବରଣୀ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ ।
ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।
84 ସିଦ୍ଧ ଙ୍କ ନାମ
1. ଲୁହିପା(ଖ୍ରୀଷ୍ଟ-769-809), 2. ଲୋଲାପା, 3. ବିରୁପା, 4. ଡୋମ୍ବିପା, 5. ଶାବରିପା, 6. ସାରାହାପା, 7. କାନକାଲିପା, 8. ମିନେପା(ଖ୍ରୀଷ୍ଟ-809-49), 9. ଗୋରକ୍ଷପା, 10. ଚୋରଙ୍ଗିପା, 11. ଭେନାପା, 12. ଶାନ୍ତିପା, 13 ତଣ୍ଟିପା, 14. ଚାମରିପା, 15. ଚାନ୍ଦପା, 16. ନାଗାର୍ଜୁନ, 17. କରାହାପା, 18. କରନାରିଆ, 19. ଥାଗାନପା, 20. ନାରୋପା, 21. ଶାଲିପା, 22. ଟିଲୋପା, 23. ଚାଟ୍ରାପା, 24. ଭଦ୍ରାପା, 25. ଡୋଖଣ୍ଡିପା, 26. ଅଜୋଗିପା, 27. କାଲପା, 28. ଗୋମ୍ବିପା, 29. କାନକାନାପା, 30. କାମରିପା, 31. ଡେଙ୍ଗିପା, 32. ଭଦେପା, 33. ଥାଙ୍ଗେପା, 34. କୁକୁରିପା, 35. କୁସୁଲିପା, 36. ଧର୍ମପା, 37. ମାହିପା, 38 ଅଚିଣ୍ଟିପା, 39. ଭାଲହାପା, 40. ନାଲିନପା, 41. ଭୁସୁକପା, 42. ଇନ୍ଦ୍ରଭୂତି, 43. ମେକୋପା, 44. କୁଠାଲିପା, 45. କାମରିପା, 46. ଜଲନ୍ଦରପା, 47. ରାହୁଲପା, 48. ଧର୍ମରିଆ, 49. ଧୋକରିଆ, 50. ମେଦିନୀପା, 51. ପଙ୍କଜପା, 52.ବଜ୍ର- ଘଟାପା, 53. ଯୋଗିପା , 54. ଚେଲୁକପା, 55. ଗୁଣ୍ଡରିଆ, 56. ଲୁଚକପା, 57. ନିର୍ଗୁଣପା, 58. ଜୟାନନ୍ତ, 59. ଚର୍ପଟିପା, 60. ଚମ୍ପକପା, 61. ଭିଖନପା, 62. ଭଳିପା, 63. କୁମାରିୟା, 64. ଜବରିୟା, 65. ମଣିଭଦ୍ରା(ଯୋଗିନୀ), 66.ମେଖଳା, 67. କନଖଲପା(ଯୋଗିନୀ), 68. କଳକଲପା, 69. କନ୍ତଲିୟା, 70. ଧହୁଲପା, 71.ଉଧ ଲିପା, 72. କପାଳପା, 73. କିଲପା, 74. ସାଗରପା, 75. ସର୍ଵଭକ୍ଷପା , 76. ନାଗୋବୋଧିପା, 77. ଦାରିକପା, 78. ପୁତ୍ତଳିପା , 79. ପନହପା, 80. କୋକାଲିପା, 81. ଅନଙ୍ଗପା, 82. ଲକ୍ଷ୍ମୀପା(ଯୋଗିନୀ), 83. ସମୁଦପା ଏବଂ 84. ଭଳିପା।
ନେପାଳରୁ ବଙ୍ଗର ସ୍ଵର୍ଗୀୟ ପଣ୍ଡିତ ମହାମହୋପାଧାୟ ହରପ୍ରସାଦ ଶାସ୍ତ୍ରୀ ଖ୍ରୀ : ୧୯୧୭ରେ କେତେକ ପଦ ସଂଗ୍ରହ କରିଥିଲେ । ଏହି ପଦ ସହିତ କେତେକ ବୌଦ୍ଧ ଦୋହା ଯୋଗ କରି " ବୌଦ୍ଧଗାନ ଓ ଦୋହା" ନାମରେ ଏକ ଗ୍ରନ୍ଥ ଖ୍ରୀ : ୧୯୨୭ରେ ପ୍ରକାଶ କରିଥିଲେ । ସିଦ୍ଧାଶ୍ଚର୍ଯ୍ୟମାନଙ୍କ ପଦଗୁଡ଼ିକ ‘ଚର୍ଯାପଦ' ନାମରେ ପରିଚିତ । ଏହି ଚର୍ଯାପଦଗୁଡିକ ‘ଚର୍ଯ୍ୟଚର୍ଯ୍ୟ ବିନିଶ୍ଚୟ ’ ନାମକ ଗ୍ରନ୍ଥରେ ସଂଗ୍ରହ କରିଥିଲେ । ଚର୍ଯ୍ୟ ଅର୍ଥାତ୍ ଆଚରଣୀୟ ବା ବଧ । ଧର୍ମ ସମ୍ବନ୍ଧୀୟ ବିଧି ନିଷେଧ ଏଥିର ପ୍ରତିପାଦ୍ୟ ବିଷୟବସ୍ତୁ ।
ଖ୍ରୀଷ୍ଟ୍ରୀୟ ୭ମ ଓ ୮ମ ଶତାବ୍ଦୀଠାରୁ ୧୩ଶ ଶତାବ୍ଦୀ ଭିତରେ ଏହା ଗାନ ଓ ଦୋହାଗୁଡ଼କ ରଚିତ ହୋଇଥିବାର ଅନୁମାନ କଗଯାଏ । ଏହି ଦୃଷ୍ଟିରୁ ଏ ରଚନା ଗୁଡିକର ଭାଷାର ପ୍ରାଚୀନତା ଯଥେଷ୍ଟ ଗୁରୁତ୍ୱ ଲାଭ କରିଛି।
ଏଠାରେ ସରହାଙ୍କ ଦୋହାକୋଷରୁ କେତୋଟି ପଦ ଉଦ୍ଧାର କରାଗଲା।
( ୧ ) ରାଗ - ଗୁଞ୍ଜରୀ
ଅପଣେ ରଚି ରଚି ଭବ ନିର୍ବାଣ ।
ମିଛେ ଲୋଅ ବନ୍ଧାବଇ ଅପଣା ||
ଅହଂ ନ ଜାଣଇ ଅଚିନ୍ତ ଜୋଈ ।
ଜାମ ମରଣ ବି କଇସନ ହୋଇ ||
କଇସୋ ଜାମ ମରଣ ବ ତଇସୋ ।
ଜୀବନ୍ତେ ମଇଲେ ନାହିଁ ବିଶେସୋ ||
ଜା ଏଥୁ ଜାମ ମରଣେ ଵିସଂକା ।
ସୋ କରଉ ରସ - ରସାନେରେ କଂଖା ||
ଜେ ସଚରାଚର ତିସିଅ ଭମନ୍ତି ।
ତେ ଅଜରାମର କିମପି ନ ହୋନ୍ତି ||
ଜାମେ କାମ କି କାମେ ଜାମ ।
ସରହ ଭଣଇ ଅଚିନ୍ତ ସୋ ଧାମ ||
( ୨ ) ରାଗ - ଦେଶାଖ
ନାଦ ନ ବିନ୍ଦୁ ନ ରବି ନ ଶଶି ମଂଡ଼ଲ ।
ଚିଅରା ଅ ସହାବେ ମୁକଲ ||
ଉଜରେ ଉଜୁ ଛାଡି ମା ଲେହୁରେ ଵଂକ ।
ନିଅହି ବୋହି ମା ଜାହୁ ରେ ଲଂକ ||
ହାଥେର କାଙ୍କଣ ମା ଲେହୁ ଦାପଣ ।
ଅପଣେ ଅପା ବୁଝତେ ନିଅ ମଣ ||
ପାର ଉଆରେ ଶୋଇ ଗାଜଇ ।
ଦୁର୍ଜଣ ସଙ୍ଗେ ଅବାସରି ଜାଇ ||
ବାମ ଦହିଣ ଜୋ ଖାଲ ବିଖାଲା ।
ସରହ ଭିଣଇ ବାପା ଉଜ ବାଟ ଭାଇଲା ||
( ୩ ) ରାଗ - ଭୈରବୀ
କାଅ ଣାବଡି ଖାଣ୍ଟି ମଣ କେଡ଼ୁଆଲ ।
ସଦଗୁରୁ ବିଅଣେ ଧର ପଢବାଳ ||
ଚୀଅ ଥିର କରି ଧରହୁଁ ରେ ନାଇ ।
ଆନ ଉପାୟେ ପାର ନ ଜାଇ ||
ନୌବାହୀ ନୌକା ଟାନଅ ଗୁଣେ ।
ମେଲି ମେଲ ସହଜେ ଜାଉ ନ ଆଣେ ||
ବାଟ ତ ଭଅ ଖାଣ୍ଟ ବି ବଲଆ ।
ଭବ ଉଲୋଲେଂ ସବ ବ ବୋଲିଆ||
କୂଳ ଲଇ ଖର ସୋନ୍ତେ ଉଜାଅ ।
ସର ଭନୈ ଗଅଣେଂ ସମାଅ ||
ନାଥ ସାହିତ୍ୟ (Nath sahitya in Odia)
ନାଥ ସାହିତ୍ୟ ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା ଏକ ପ୍ରାଚୀନ ସାହିତ୍ୟ । ଚର୍ଯ୍ୟା ସାହିତ୍ୟ ପରେ ଓ ସାରଳା ଦାସଙ୍କ ରଚନା ପୂର୍ବରୁ ଓଡ଼ିଆ ସାହିତ୍ୟରେ ନାଥ ସାହିତ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା । ବୌଦ୍ଧ ଧର୍ମର ବିକାଶ ପରେ ଓଡ଼ିଆ ସାହିତ୍ୟରେ ନାଥ ଧର୍ମର ବିକାଶ ଆଧୁନିକ ପୂର୍ବ ଭାରତର ଭୌଗୋଳିକ ପରିସରରେ ବଢ଼ିଥିଲା । ତତ୍କାଳୀନ ଓଡ଼ିଶାରେ ନାଥମାନଙ୍କ କ୍ଷୁଦ୍ର ହେଲେ ହେଁ ସେମାନେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଯଥେଷ୍ଟ ସମ୍ମାନିତ ହେଉଥିଲେ । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ନାଥ ଧର୍ମର ଆବିର୍ଭାବ ଘଟିଥିଲା । ଏହି ଧର୍ମର ଆଦି ଗୁରୁ ହେଲେ ଗୋରେଖନାଥ । ଶିଶୁବେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ସପ୍ତାଙ୍ଗଯୋଗ ଧାରଣ, ମତ୍ସ୍ୟେନ୍ଦ୍ର ଗୀତା, ଅଷ୍ଟାଙ୍ଗଯୋଗଧାରଣ ପ୍ରଭୃତି ଗ୍ରନ୍ଥ ଓଡ଼ିଆ ନାଥ ସାହିତ୍ୟର କେତେକ ବିଶିଷ୍ଟ ରଚନା । କେନ୍ଦରା ସହାୟତାରେ ନାଥ ଯୋଗୀ ମାନେ ଏହି ଧର୍ମର ବିଭିନ୍ନ ନୀତି ଓ ଆଧ୍ୟାତ୍ମିକ ଗାଥା ତଥା ଗୁରୁ ଭଜନମାନ ଗାନ କରୁଥିଲେ । ଏବେ ମଧ୍ୟ ନାଥ ଯୋଗୀମାନେ ହାତରେ କେନ୍ଦରା ଧରିବା, କାନ୍ଧରେ ଝୁଲି, ଲାଉଥାଳ, ବେକରେ ରୁଦ୍ରାକ୍ଷମାଳ ଓ କପାଳରେ ଚିତା ମାରି ଗୋବିନ୍ଦ ଚନ୍ଦ୍ରଙ୍କ ଉପାଖ୍ୟାନ ଭଜୁକିନା ରାମ ନାମରେ ରାଜନ ସଙ୍ଗୀତକୁ କରୁଣ ସ୍ୱରରେ ଗାନ କରିଥାନ୍ତି । ଚର୍ଯ୍ୟା ସାହିତ୍ୟରେ ସିଦ୍ଧ ସାଧକ ମାନେ ନାରୀମାନଙ୍କୁ ଚାଣ୍ଡାଳୀ, ଡୋମ୍ବୀ, ନୌରାତ୍ମା ସହଜ ସୁନ୍ଦରୀ ଆଦି ନାମରେ ବିବେଚନା କରିଥିଲେ । କିନ୍ତୁ ନାଥ ଧର୍ମରେ ନାରୀମାନଙ୍କର ସ୍ଥାନ ନଥିଲା । ନାଥ ଯୋଗୀମାନେ ନିଜକୁ ନାରୀଠାରୁ ଯଥେଷ୍ଟ ଦୂରରେ ରଖିବା କଥା ନିଜ ରଚନା ଉଲ୍ଲେଖ କରି ନିଜକୁ ନିରୀଶ୍ୱରବାଦୀ ବୋଲି କହୁଥିଲେ । ନାଥ ଯୋଗୀମାନେ ସିଦ୍ଧାଚାର୍ଯ୍ୟମାନଙ୍କର ମହାସୁଖକୁ ବିରୋଧ କରୁଥିଲେ । ଏମାନେ ତାଙ୍କ କାନରେ ଖୁବ ବଡ଼ ବଡ଼ ଛିଦ୍ର କରି କୁଣ୍ଡଳ ପିନ୍ଧୁଥିବାରୁ ଏମାନଙ୍କୁ "କାନଫଟା ଯୋଗୀ" ମଧ୍ୟ କୁହାଯାଏ । ନାଥମାନେ ଯୋଗ ସାଧନାରେ "ହଠ"କୁ ମହତ୍ୱ ଦେଉଥିଲେ ତେଣୁ ଏ ମାନଙ୍କୁ "ହଠଯୋଗୀ" ବୋଲି ମଧ୍ୟ କୁହାଯାଏ । ସିଦ୍ଧାଚାର୍ଯ୍ୟମାନଙ୍କ ସଂଖ୍ୟା ୮୪ ଥିବା ବେଳେ ନାଥ ଯୋଗୀମାନଙ୍କର ସଂଖ୍ୟା ୯ ବୋଲି ଅନୁମାନ କରାଯାଏ ।
ସେମାନେ ହେଲେ ଆଦିନାଥ, ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ, ଗାହିଣୀନାଥ, ଚରପଠନାଥ, ଚୌରଙ୍ଗନାଥ, ଜ୍ୱାଲେନ୍ଦ୍ରନାଥ, ଭଦ୍ରନାଥ ଓ ଗୋପିଚନ୍ଦ୍ରନାଥ ।
https://blog.odiabook.in
https://blog.odiabook.in/2021/06/charya-sahitya-age-in-odia.html
Keywords: Odia charya sahitya, Odia charya sahitya ra itihas, Charya sahitya, Odia Bhasa Sahitya, Odia Bhasa Sahitya Blog, OdiaBhasaSahitya, Odia Bhasa Sahitya.