ଲାଉ ହେଉଛି ଏପରି ପନିପରିବା ଯାହାକି ଗ୍ରୀଷ୍ମ ଋତୁରେ ଅଧିକ ଖିଆଯାଏ କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ରୋଗ ଦୂର ହୋଇଥାଏ। ଏହା ବ୍ୟତୀତ ଲାଉ ଖାଇବା ଦ୍ୱାରା ପେଟଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଲାଉରେ ଥିବା ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ପୋଟାସିୟମ୍ ଏବଂ ପ୍ରୋଟିନ୍ ଶରୀରକୁ ସୁସ୍ଥ ରଖେ।
ଜାଣି ରଖନ୍ତୁ ଯେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ମଧୁମେହ ଏବଂ କିଡ୍ନୀ ରୋଗର ଆଶଙ୍କା ହ୍ରାସ କରିବାରେ ଲାଉ ମଧ୍ୟ ଲାଭଦାୟକ ଅଟେ। କୁହାଯାଏ ଯେ ଲାଉ ରସ ପିଇବା ଦ୍ୱାରା ଫ୍ୟାଟି ଲିଭର ସମସ୍ୟା ମଧ୍ୟ କମିଯାଏ। ତଥାପି, କୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ। ଅନେକ ସମୟରେ ଲୋକେ କିଛି ଜିନିଷ ଶରୀର ପାଇଁ ଭଲ ବୋଲି ଭାବି ଏହାକୁ ଅତ୍ୟଧିକ ଖାଇ ଦିଅନ୍ତି ଯାହା ଆଦୌ ଠିକ୍ ନୁହେଁ। ତେବେ ଆସନ୍ତୁ ଜାଣିନେବା ଲାଉ ରସକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା କ’ଣ ଅସୁବିଧା ହୋଇଥାଏ?
ଲାଉର କୃତ୍ରିମ ଅଭିବୃଦ୍ଧି ପାଇଁ ଅନେକ ଲୋକ ଏଥିରେ ଇଞ୍ଜେକ୍ସନ ଦିଅନ୍ତି। ଏହି ଲାଉର ରସ ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହା ବ୍ୟତୀତ କଞ୍ଚା ଲାଉ ରସ ପିଇବା ଦ୍ୱାରା ପେଟ ସମସ୍ୟା ହ୍ରାସ ହେବା ପରିବର୍ତ୍ତେ ବଢିଯାଏ।
ଅଧିକ ଲାଉ ରସ ପିଇବା ଦ୍ୱାରା ପାଚନ ଯନ୍ତ୍ରରେ କ୍ଷତି ପହଞ୍ଚିପାରେ। ଏହା ଦ୍ୱାରା ପତଳା ଝାଡା ଓ ବାନ୍ତି ଭଳି ସମସ୍ୟା ହୋଇପାରେ। ଖାଲି ଏତିକି ନୁହେଁ, ଯଦି ଜୁସ୍ ପ୍ରସ୍ତୁତ ସମୟରେ ସ୍ୱଚ୍ଛତା ନେଇ ଅଣଦେଖା କରାଯାଏ ତେବେ ଭୂତାଣୁଜନିତ ସଂକ୍ରମଣର ମଧ୍ୟ ଆଶଙ୍କା ରହିଛି।
ଯେଉଁମାନେ ଲାଉ ରସ ଖାଉଛନ୍ତି ସେମାନେ ଧ୍ୟାନ ଦେବା ଉଚିତ ଯେ ରସ ଆଦୌ ତିକ୍ତ ନ ହେବା ଉଚିତ୍। ଏହାର ତିକ୍ତତା ପେଟରେ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ଏହାକୁ ଏଡେଇବା ପାଇଁ, ଆପଣ ରସରେ କଳା ଲୁଣ, କଳା ଲଙ୍କା ଗୁଣ୍ଡ, ଲେମ୍ବୁ, ଜିରା ଗୁଣ୍ଡ ଏବଂ କିଛି ପୋଦିନା ପକେଇ ପାରିବେ। ଲାଉ ରସ ସକାଳେ ଖାଲି ପେଟରେ ପିଇବା ଉଚିତ। ଏଥିସହ ଗୋଟିଏ ଦିନରେ ଏକ ଗ୍ଲାସରୁ ଅଧିକ ପିଇବା ଦେହ ପାଇଁ ହୀତକର ନୁହେଁ।