
ଓଡ଼ିଆ ଘରର ତରକାରୀରେ ସାରୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l ଘରୋଇ ତରକାରୀ ବା ବାହାଘର ଭୋଜି ସବୁରେ ସାରୁକୁ ଆଜି ଖୋଜାଯାଏ l ବ୍ୟବସାୟିକ ଭିତିରେ ସାରୁ ଚାଷ କରି ଓଡ଼ିଶାର ଚାଷୀଭାଇମାନେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଏହାକୁ ଦୃଷ୍ଟିରେ ରଖି ଆଜି ଏଠାରେ ଆମେ ସାରୁ ଚାଷ ବିଷୟରେ କିଛି ଉପାଦେୟ ତଥ୍ୟର ଆଲୋଚନା କରାଯାଉଛି l
ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ସାରୁ ଚାଷ କରାଯାଇଥାଏ । ଭୋଜି ଭାତ ସମୟରେ ଏହା ବହୁଳ ଭାବରେ ହୋଇଥାଏ । ସାରୁକୁ ଯଦିଓ ତରକାରୀ କରି ମୁଖ୍ୟତଃ ଖିଆ ଯାଇଥାଏ, କେତେକ ଜାଗାରେ ଏହାକୁ କାଟି ଶୁଖାଇ ତେଲରେ ଭାଜି ମଧ୍ୟ ଖିଆଯାଏ । ପଶ୍ଚିମବଙ୍ଗରେ ସାରୁ ନାଡ଼ିକୁ ମଧ୍ୟ ଲୋକେ ତରକାରି କରି ଖାଇଥାନ୍ତି । କଞ୍ଚା ସାରୁ ସାଧାରଣତଃ ଗଲୁ ଲାଗେ । ସାରୁରେ ସାଧାରଣତଃ ଚର୍ବି, ଫସ୍ଫରସ୍, ସୋଡ଼ିଅମ, ଭିଟାମିନ୍ ଏ, ବି, ସି, ଲୌହ, କାଲସିୟମ, ପୋଟାସିଅମ ପ୍ରଭୃତି ଅନେକ ଧାତବ ଲବଣ ରହି ଥାଏ ।
ସାରୁ ସାଧାରଣତଃ ଖରାଦିନେ ଚାଷ କରାଯାଏ । ଫ୍ରେବୃୟାରୀ ଠାରୁ ଅପ୍ରେଲ, ମେ ପର୍ଯ୍ୟନ୍ତ ମଧ୍ୟ ସାରୁ ଲଗାଯାଏ । ତେବେ ବର୍ଷା ପୂର୍ବରୁ ସାରୁ ବିଲର ସବୁ ଚାଷ କାମ ସାରିଦେବା ଭଲ । ଯେ କୌଣସି ମାଟିରେ ସାରୁ ଚାଷ କରାଯାଇ ପାରୁଥିଲେ ମଧ୍ୟ ଦୋରସା ଓ ଉର୍ବର ମାଟିରେ ଭଲ ହୁଏ । ଅନେକ ସମୟରେ ମଝାଳିଆ ଜମିରେ ଲୋକେ ସାରୁ ଚାଷ କରି ତାହାକୁ ଜୁଲାଇ ମାସ ଶେଷ ଆଡ଼କୁ ଖୋଳି ହିଁରେ ଧାନ ମଧ୍ୟ ହୋଇଥାନ୍ତି । ତେବେ ଟିକିଏ ଢିପ ବା ମଝାଳିଆ ଜମିରେ ସାରୁ ଭଲହୁଏ । ସାରୁର ଉନ୍ନତ କିସମଗୁଡିକ ମଧ୍ୟରେ ମୁକ୍ତକେଶୀ, ଝାଙ୍କଡ଼ି, ପାଣିସାରୁ, ଓ ଶଙ୍ଖସାରୁ ଅନ୍ୟତମ। ବିଲକୁ ଭଲ ଭାବରେ ଚାଷ କରନ୍ତୁ । ସାରୁ ଫସଲ କରିବା ପାଇଁ ଜମିରେ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ । ଉନ୍ନତ କିସମର ବିହନ ବାଛି ଲଗାନ୍ତୁ । ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ । ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ । ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ପ୍ରାୟ ଲଗାଇବାର ୪/୫ ମାସ ପରେ ସାରୁ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏକର ପିଛା ପ୍ରାୟ ୫୦ ରୁ ୬୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ସାରୁ ମିଳିଥାଏ । ଠିକ୍ ସମୟରେ ସାରୁ ଅମଳ କରି ବିକ୍ରି କରନ୍ତୁ ।