ଜାଣନ୍ତୁ ଯୋଗର ନିୟମ

@_ustad
0
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ପାଇଁ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରି ନଥାଉ। ଫଳରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ। ଏପରି କ୍ଷେତ୍ରରେ ଆମ ଶରୀରକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଖୁବ ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଶାରୀରିକ ସୁସ୍ଥତା ପ୍ରାପ୍ତି ହୋଇଥାଏ। ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି ଅଟେ, ଯାହା ଶରୀର, ମନ ଓ ଆତ୍ମାକୁ ଏକତ୍ରିତ ଶାନ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ।

ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ନିତିଦିନଆ ଜୀବନରେ ଖାଦ୍ୟ ପାନୀୟ ପରି ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଯୋଗ ପ୍ରତି ସମସ୍ତଙ୍କର ଭଲ ଧାରଣା ଥିବାବେଳେ ଏହା ଉପରେ ବେଶ ବିଶ୍ୱାସ ରହିଛି। ଡ଼ାକ୍ତରମାନେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ପାଇଁ ପ୍ରତିଦିନ ଯୋଗ କରିବାକୁ ପରାମର୍ଶ ଦେଇଥାଆନ୍ତି। ଡ଼ାକ୍ତରଙ୍କ ମତାନୁଯାୟୀ ଔଷଧ ସହ ଶରୀର ପାଇଁ ଯୋଗ ମଧ୍ୟ ଆବଶ୍ୟକ। ବଡରୁ ବଡ ରୋଗକୁ ମାତ୍ ଦେଉଛି ଏହି ଯୋଗ।

ଯେଉଁ ପ୍ରକାରେ ମନୁଷ୍ୟ ଜୀବିତ ରହିବା ପାଇଁ ଭୋଜନ, ନିଦ୍ରା, ନିତ୍ୟକର୍ମ ଓ ଉପାସନା ଆବଶ୍ୟକ ସେହିପରି ସକ୍ରିୟ, ପ୍ରସନ୍ନତା ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଯୋଗ କରିବା ଉଚିତ। ମୁନି ଋଷିମାନେ ଗଭୀର ସାଧନା ତଥା ଚିନ୍ତନ ଦ୍ୱାରା ଯୋଗ ସାଧନାର ପଥ ପ୍ରଶସ୍ତ କରିଥିଲେ। ଯୋଗର ବିଭିନ୍ନ ପ୍ରକାର ଆସନ ରହିଛି। ବିଭିନ୍ନ ପ୍ରକାରର ଯୋଗାସନ ଅଭ୍ୟାସ କରିବା ଦ୍ୱାରା ଜୀବନରେ ନୂତନତା ଭରିଯାଏ ଓ ପ୍ରଫୁଲ୍ଲିତ ଅନୁଭବ ହୋଇଥାଏ। ଶାରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଶରୀରିକ, ମାନସିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ବିକାଶ ପାଇଁ ମଧ୍ୟ ଯୋଗାସନର ବିଶେଷ ମହତ୍ତ୍ୱ ରହିଛି।


ତେବେ‌ ଗୋଟିଏ ପଟେ ଯୋଗ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେଉଥିବାବେଳେ ଅନ୍ୟପଟେ ଯୋଗ କରିବା ସମୟରେ କେତେକ ଭୁଲ ଶରୀରରେ ଅଧିକ ସମସ୍ୟା ସୃଷ୍ଟି କରିବାଭଳି ଆଶଙ୍କା ରହିଥାଏ। ତେଣୁ ଯୋଗ କରିବା ପୂର୍ବରୁ କିମ୍ବା ଯୋଗ କରିବା ସମୟରେ କେଉଁ କେଉଁ ଭୁଲ ଶରୀରକୁ କ୍ଷତି ପହଞ୍ଚାଇଥାଏ ଆସନ୍ତୁ ଜାଣିବା।

-ଯୋଗ କରିବାର ପାଖାପାଖି ୨ରୁ ୩ ଘଣ୍ଟା ପୂର୍ବରୁ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। କାରଣ ଯଦି ଖାଦ୍ୟ ଗ୍ରହଣ କରି ଯୋଗ କରିବେ, ତେବେ ଶରୀରରେ ମାଂସପେଶୀ ସଙ୍କୁଚିତ ହୋଇପାରେ। ବାନ୍ତି ମଧ୍ୟ ଆସିପାରେ। ଶରୀରରେ ଖାଦ୍ୟ ଜୀର୍ଣ୍ଣ ହେବା ଲାଗି ଅଧିକ ଶକ୍ତିର ଆବଶ୍ୟକତା ରହିଛି। ଏହି କାରଣରୁ ଯୋଗ କରିବା ସମୟରେ ଅଧିକ ହାଲିଆ ଅନୁଭବ କରିପାରନ୍ତି।

-ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର ଆଘାତ ଲାଗିଛି ଏବଂ ଯୋଗର କୌଣସି ମୁଦ୍ରା କରିବା ସମୟରେ ସମସ୍ୟା ଅନୁଭବ ହେଉଛି, ତେବେ ଏ ସମ୍ପର୍କରେ ଆପଣ ନିଜ ଯୋଗ ଶିକ୍ଷକଙ୍କୁ ଅବଗତ କରାଇବା ଉଚିତ। ଶିକ୍ଷକଙ୍କୁ ନ ଜଣାଇ ଯୋଗ କରନ୍ତୁ ନାହିଁ। ଏହା ଆପଣଙ୍କୁ ସମସ୍ୟା କରାଇପାରେ।

-ଯୋଗ କରିବା ସମୟରେ ଅନ୍ୟ ସମସ୍ତ ଜିନିଷ ଠାରୁ ଧ୍ୟାନ ହଟାଇବା ଜରୁରୀ। କେବଳ ଯୋଗାସନ ଉପରେ ଧ୍ୟାନ ଦେବା ଉଚିତ। ଯୋଗ କ୍ଲାସ କରୁଥିଲେ ମୋବାଇଲ ନେଇ ଯିବା ଉଚିତ ନୁହେଁ। କାରଣ ଏହା ଯୋଗୁ ଆପଣଙ୍କ ଧ୍ୟାନ ଯୋଗରୁ ହଟିପାରେ।

-ଯୋଗ କରିବା ସମୟରେ ଅଧିକ ଉତ୍ସାହିତ ହୋଇ କୌଣସି ମୁଦ୍ରାକୁ ଜବରଦସ୍ତି କରିବାକୁ ଉଦ୍ୟମ ନ କରନ୍ତୁ। ଏଥିପ୍ରତି ଦୃଷ୍ଟି ନ ଦେଲେ ଆପଣଙ୍କ ଶରୀରର ମାଂସପେଶୀ ସଙ୍କୁଚିତ ହୋଇପାରେ। ତେଣୁ ଧୀରେ ଧୀରେ ସମୟ ନେଇ ଯୋଗ କରନ୍ତୁ।

-ଯୋଗ କ୍ଲାସରେ ଯେତେ ସମ୍ଭବ କମ୍‌ କଥା ହୁଅନ୍ତୁ। ନଚେତ କଥା ହେବା ଦ୍ବାରା ଆପଣଙ୍କ ଧ୍ୟାନ ସ୍ଥିର ରହିବ ନାହିଁ ଏବଂ ଅନ୍ୟ ଲୋକମାନେ ବି ଧ୍ୟାନର ସହିତ ଯୋଗ କରିପାରିବେ ନାହିଁ।

-ଯୋଗ କରିବା ପୂର୍ବରୁ କ୍ଲାସକୁ ଟାୱେଲ କିମ୍ବା ରୁମାଲ ସାଥୀରେ ନେଇ ଯିବାକୁ ଭୁଲନ୍ତୁ ନାହିଁ। ଫଳରେ ଝାଳ ନିର୍ଗତ ହେବା ସମୟରେ ଆପଣ ତାହାକୁ ସଫା କରିପାରିବେ।

Post a Comment

0Comments

Post a Comment (0)