କେବେ କେଉଁଠି ଆକ୍ଵାରିୟମ୍ ଦେଖିଲେ ଆଖି ଅଟକି ଯାଏ ତାହା ଭିତରେ ପହଁରୁଥିବା ସୁନ୍ଦର ସୁନ୍ଦର ରଙ୍ଗୀନ୍ ମାଛମାନଙ୍କ ଉପରେ l ଘର ହେଉ ବା ବଡ଼ ବଡ଼ ହୋଟେଲର ଅଭ୍ୟର୍ଥନା ପ୍ରକୋଷ୍ଠର ଆକ୍ଵାରିୟମ୍ ହେଉ, ଏବେ ଅନେକ ସ୍ଥାନରେ ରଙ୍ଗୀନ୍ ମାଛଗୁଡିକୁ ଦେଖିବାକୁ ମିଳୁଛି l କିନ୍ତୁ ରଙ୍ଗୀନ୍ ମାଛଗୁଡିକ ମୁଖ୍ୟତଃ ବାହାର ରାଜ୍ୟଗୁଡ଼ିକରୁ ଆଣି ଓଡ଼ିଶା ବଜାରକୁ ଆସିଥାଏ l ବର୍ତ୍ତମାନର ବଜାର ଚାହିଦାକୁ ଲକ୍ଷ୍ୟ କରିଲେ ରଙ୍ଗୀନ୍ ମାଛର ବ୍ୟବସାୟ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରିପାରିବ l ଏ ସମ୍ପର୍କରେ ଏଠାରେ କିଛି ବିଶେଷ ତଥ୍ୟର ଉପସ୍ଥାପନ କରାଯାଇଛି l
ରଙ୍ଗୀନ୍ ମାଛ ପ୍ରକୃତିର ଏକ ଅପୂର୍ବ ଅବଦାନ l ଏହାକୁ ଚାଷ କରିବାରେ ବହୁ ଲୋକ ରୁଚି ରଖିଥିଲା ବେଳେ ଏହା ଏକ ଅନ୍ୟତମ ଉଦ୍ୟୋଗ l ଏହି ଚାଷ ଦ୍ୱାରା ଆପଣ ବେଶ୍ ଲାଭବାନ୍ ହୋଇପାରିବେ l ଏହି ଉଦ୍ୟୋଗ ଲାଗି ଆପଣ ସରକାରଙ୍କ ସହାୟତା ମଧ୍ୟ ପାଇପାରିବେ।
ତେବେ କେମିତି କରିବେ ରଙ୍ଗୀନ୍ ମାଛ ଚାଷ ?
ସଫଳ ଚାଷୀ ହେବା ଲାଗି ଆପଣଙ୍କୁ ଉତ୍ତମ ମାଛ ବିହନ ଏବଂ ଉପଯୁକ୍ତ ଯତ୍ନ ନେବା ସହ ଉଚିତ ସ୍ଥାନ ଏବଂ ଅବସ୍ଥିତି ମଧ୍ୟ ଆବଶ୍ୟକ l
ଛୋଟ ଆକାରରେ ଚାଷ କରିବା ଲାଗି ହାରାହାରି ୫୦୦ ବର୍ଗ ଫୁଟ ଆବଶ୍ୟକ ଯେଉଁଠାରେ କଂକ୍ରିଟ ଟାଙ୍କି ନିର୍ମାଣ କରାଯାଇଥାଏ l ଅଧିକ ମାଛ ଚାଷ ଲାଗି ୧ ହେକ୍ଟର ଜମି ନେଇ ସେଥରେ ପୋଖରୀ ଖୋଳି ଚାଷ କରନ୍ତୁ l
ଛାଇ ହେବା ଲାଗି ସେଡ୍ ଏବଂ ଚଢେଇମାନଙ୍କ ଦାଉରୁ ରକ୍ଷା ପାଇବା ଲାଗି ଟାଙ୍କି ବା ପୋଖରୀ ଉପରେ ଜାଲି ଲଗାନ୍ତୁ l ପ୍ରକୃଷ୍ଟ ଭାବେ ପାଣି ଓ ବିଦ୍ୟୁତର ଆୟୋଜନ ରହିବା ଅତି ଆବଶ୍ୟକ l
ଜଳର ଅମ୍ଳତାକୁ ଭଲ ଭାବେ ଯାଞ୍ଚ କରନ୍ତୁ l ବେଟା ମାଛ, କ୍ୟାଟ୍ ଫିସ୍ ପରି ପ୍ରଜାତି ବିଭିନ୍ନ ଅମ୍ଳତା ଥିବା ପାଣିରେ ବଞ୍ଚିପାରିବେ ହେଲେ ଅନ୍ୟ କେତୋଟି ମାଛ ଯେପରି ଆଞ୍ଜେଲ୍,ଟେଟ୍ରା ଇତ୍ୟାଦିଙ୍କୁ ଅଳ୍ପ ଅମ୍ଳତା ଥିବା ଜଳ ଆବଶ୍ୟକ l
ୟୁନିଟରେ ଏକ ବାୟୋ ଫିଲ୍ଟର ରହିବା ନିହାତି ଆବଶ୍ୟକ l
ଉତ୍ତମ ବିହନ ଲାଗି ଗୋଟେ ୟୁନିଟର ମାଛକୁ ବାରମ୍ବାର ପ୍ରଜନନ କରିବାକୁ ଦିଅନ୍ତୁ ନାହିଁ l ଅନ୍ୟ କୌଣସି ଫାର୍ମରୁ ମାଛ ଆଣି ପ୍ରଜନନ କରାଇଲେ ଭଲ l
ବଜାରରେ ମିଳୁଥିବା ଉତ୍ତମ ମାନର ମାଛ ଖାଦ୍ୟ ବା ପେଲେଟ୍ ବ୍ୟବହାର କରନ୍ତୁ l
ବଞ୍ଚିଥିବା କୀଟ ଯେପରି ଜିଆ,ବ୍ଲଡ଼ ୱାର୍ମ,ଟୁବିଫ୍ଲେକ୍ସ ଇତ୍ୟାଦି ମାଛ ଯାଁଆଳ ଲାଗି ବେଶ୍ ଉପଯୋଗୀ l
ମାଛ ବିକିବା ଲାଗି ମଧ୍ୟ ନିକଟସ୍ଥ ବଜାର ସହ ଯୋଗାଯୋଗ ଜାରି ରଖନ୍ତୁ l
ଅଧିକ ଲାଭବାନ ହେବା ଲାଗି ସମନ୍ବିତ ଚାଷ ପ୍ରଣାଳୀ ଉପରେ ନିର୍ଭର କରନ୍ତୁ l ମାଛ ଚାଷ ସହ ଜିଆ ଖତ ପ୍ରସ୍ତୁତି ବେଶ ଲାଭଦାୟକ l
ଯଦି ମାଛ ବହୁଳ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ତେବେ ତୁରନ୍ତ ନିକଟସ୍ଥ ମତ୍ସ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ l
ଅଧିକ ଖାରିଆ ପାଣି ବା ଲୌହ ଯୁକ୍ତ ପାଣିରେ ଚାଷ କରନ୍ତୁ ନାହିଁ l