Cannibalism Meaning In Odia
କିଛି ବର୍ଷ ତଳର ଘଟଣା। ବ୍ରିଟିଶ - ଆମେରିକାନ ଲେଖକ ଆଉ ଟିଭି
ହୋଷ୍ଟ ରେଜା ଅସଲାନ୍
। କ୍ୟାମେରା ସାମ୍ନାରେ ସେ ମଣିଷର ଅଙ୍ଗ ଖାଇଥିଲେ । ତାହା ପୁଣି ଭାରତର ବାରାଣସୀରେ । ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବାସ୍ତବରେ ସିଏନ୍ଏନ୍ ନ୍ୟୁଜ ଆଙ୍କର ଥିବା ଅସଲାନ୍ ନିଜର ନୂଆ ଟିଭି ସିରିଜ୍
"ବିଲିଭର ୱିଥ ରେଜା ଅସଲାନ୍"
ର ଶୁଟିଂ ପାଇଁ ଭାରତ ଆସିଥିଲେ । ସିରିଜ୍ର ପ୍ରଥମ ଏପିସୋଡ୍ ପ୍ରସାରଣ ପରେ ତୀବ୍ର ପ୍ରତିବାଦ କରିଥିଲେ ଆମେରିକାରେ ବସବାସ କରୁଥିବା ହିନ୍ଦୁମାନେ । ୪୪ ବର୍ଷିୟ ରେଜା ଭାରତ ଆସି ଅଘୋରୀଙ୍କ ଇଣ୍ଟରଭ୍ୟୁ ନେବା ବେଳେ ଅଘୋରୀମାନଙ୍କ ଭଳି ଖାଦ୍ୟ ଗ୍ରହଣ କରିଥିଲେ ।
ଅଘୋରପନ୍ଥ
, ହିନ୍ଦୁ ଧର୍ମର ଏକ ସମ୍ପ୍ରଦାୟ। ଅଘୋରୀମାନଙ୍କୁ ଭଗବାନ ଶିବଙ୍କର ଜୀବିତ ରୂପ ବୋଲି ବିଶ୍ବାସ କରାଯାଏ । କାରଣ ଶିବଙ୍କର ପଞ୍ଚରୂପ ଭିତରୁ ଅଘୋର ମଧ୍ୟ ଅନ୍ୟ ଏକ ରୂପ କୁହାଯାଏ । ତିନିପ୍ରକାର ସାଧନା କରନ୍ତି ଅଘୋରୀ । ଶିବ ସାଧନା, ଶବ ସାଧନା ଆଉ ଶ୍ମଶାନ ସାଧନା । କେବେ ଶାନ୍ତ , କେବେ ଉଗ୍ର ସ୍ଵଭାବର ଏଇ ଅଘୋରୀମାନଙ୍କ ସାଧନା ଏତେ ଶକ୍ତିଶାଳୀ ଯେ ସେମାନେ ଶବ ସହ କଥା ହୋଇପାରନ୍ତି ବୋଲି କୁହାଯାଏ । ଦିନରେ ଶୋଇ ରାତିରେ ଏମାନେ ଶ୍ମଶାନରେ ସାଧନା କରନ୍ତି । ଦୁନିଆରେ ମାତ୍ର ଚାରୋଟି ଶ୍ମଶାନଘାଟ ଏମିତି ଯେଉଁଠି ତନ୍ତ୍ରକ୍ରିୟାର ପରିମାଣ ଜଲଦି ମିଳେ
ବୋଲି କୁହାଯାଏ । ଆଉ ତାହା ହେଲା , ପଶ୍ଚିମବଙ୍ଗର ତାରାପୀଠ ଯେଉଁଠି ଜଳୁଥିବା ଚିତାର ନିଆଁ କେବେ ଲିଭେନାହିଁ , ଆସାମର କାମାକ୍ଷା ପୀଠ , ମହାରାଷ୍ଟ୍ରର ନାସିକ ଏବଂ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର ପୀଠ । ଆମ ସଭ୍ୟତା ଓ ସଂସ୍କୃତିରେ ବହୁ କଳଙ୍କମୟ ଅଧ୍ୟାୟ ରହିଛି । ହଲୋକାଷ୍ଟ ରହିଛି । ଜେନୋସାଇଡ୍ ରହିଛି । କିନ୍ତୁ ଏକଥା କ’ଣ ସତ ଯେ ମଣିଷ ହୋଇ ମଣିଷକୁ ଖାଇବା ଆଦିମତମ ପ୍ରବୃତ୍ତି ? ପୁରାଣରେ
ଘଟୋତ୍କଚ ଏବଂ ହିଡ଼ିମ୍ବାଙ୍କ
ନରମାଂସ ଭକ୍ଷଣ ପ୍ରସଙ୍ଗ ଛଡ଼ା ଇତିହାସ କଥା ଯଦି କହିବା , ବଙ୍ଗର ପ୍ରଥମ ନବାବ ମୁର୍ଷିଦ କୁଲିଖାଁଙ୍କ ଝିଅ ଆଜିମ୍ ଉନ୍ ନିଶାଙ୍କ ବିଚିତ୍ର ଆଦତ୍ କଥା ଜାଣିଥିବେ । ପ୍ରତି ରାତିରେ ତା’ର ଦରକାର ଥିଲା , ସଦ୍ୟ ମୃତଶିଶୁ ବା ଯୁବକମାନଙ୍କର କଲିଜା । ଏ କଥା ବି ମନେଥିବ , ୧୪ଜଣଙ୍କୁ ମାରି ସେମାନଙ୍କୁ ପୋଡ଼ି , ସିଝାଇ ଖାଇଥିଲା ରାମ ନିରଞ୍ଜନ ଓରଫ୍ ରାଜା କଲନ୍ଦର , ଯାହାକୁ ଶେଷରେ ଆହ୍ଲାବାଦ ପୋଲିସ୍ ଗିରଫ କରିଥିଲା । ଯେଉଁମାନେ ପିୟରପଲ ରିଡଙ୍କ "ଆଲାଇଭ - ଦ ଷ୍ଟୋରୀ ଅଫ୍ ଦ ଆଣ୍ଡିଜ ସରଭାଇଭର୍ସ" ପଢ଼ିଥିବେ ସେମାନେ ଜାଣିଥିବେ , ୧୯୭୨ ମସିହାରେ ଉରୁଗୁଏର ରଗ୍ବୀ ଦଳକୁ ନେଇ ଯାଉଥିବା ଏକ ବିମାନ ଆଣ୍ଡିଜ ପାହାଡ଼ର ବରଫଢ଼ଙ୍କା ଦୁଇ ପାହାଡ଼ର ଚୂଡ଼ାରେ ଲଟକି ରହି ଯାଇଥିଲା । କେତେଜଣ କୌଶଳକ୍ରମେ ବଞ୍ଚି ଯାଇଥିଲେ । କିନ୍ତୁ ଅଧିକାଂଶ ଖେଳାଳି ଏବଂ ଅଧିକାରୀ ଅଢ଼େଇମାସ ପର୍ଯ୍ୟନ୍ତ ଏଠୁ ବାହାରି ପାରି ନଥିଲେ । ଶେଷରେ ସେମାନଙ୍କ ଖାଦ୍ୟ ଥିଲା , ସେମାନଙ୍କ ସହଯାତ୍ରୀଙ୍କର ଗୋଡ଼ , ହାତ ଆଉ କଲିଜା । ଠିକ ସେମିତି ଆଉ ଏକ ଦୁର୍ଘଟଣାକୁ ସାମ୍ନା କରିଥିଲା ଫ୍ରାନ୍ସ ସମ୍ରାଟ ନେପୋଲିୟନ୍ ବୋନାପାର୍ଟଙ୍କ ଦୁର୍ଦ୍ଦଷ ସେନାବାହିନୀ । ରୁଷ ବିଜୟ ବିଫଳ ହେଲା । ରାଜଧାନୀ ମସ୍କାରୁ ଫେରିବାବାଟରେ ଭୟଙ୍କର ବରଫଝଡ଼ ଭିତରେ ଫସି ଯାଇଥିଲା ନେପୋଲିୟନଙ୍କ ବିଶାଳ ସେନା । ଖାଦ୍ୟଭଣ୍ଡାର ଶେଷ ହୋଇଯିବା ପରେ ସାଥୀସୈନ୍ୟର ଶବକୁ ଖାଇ ବେଶ୍ କିଛିଦିନ ବଞ୍ଚି ଯାଇଥିଲେ ନେପୋଲିୟଙ୍କ କିଛି ସୈନିକ । ଆଉ ଉଗାଣ୍ଡାର ଏକଛତ୍ରବାଦୀ ଶାସକ ଇଦ୍ ଅମିନ୍ । ନୃଶଂସ ଶାସକ ଭାବରେ ସାରା ଆଫ୍ରିକାରେ ଏ ଥିଲା ଖୁବ୍ ବଦନାମ । ଏସବୁ କଥାରୁ ଆମେ କ’ଣ ବୁଝିବା ? ମଣିଷର ସାଂସ୍କୃତିକ ଚେତନା ଆଉ ପ୍ରକୃତିଦତ୍ତ ପାଶବିକ ପ୍ରବୃତ୍ତି ଭିତରେ ସବୁବେଳେ ଲଢ଼େଇ ହୋଇ ଆସିଛି । ଦୁଇଲକ୍ଷ ବର୍ଷ ଆଗେ ଆମ ପୂର୍ବପୁରୁଷଙ୍କ ଖାଦ୍ୟାଭ୍ୟାସର ନିଶ୍ଚିତ ପ୍ରମାଣ ସବୁ ଧର୍ମର , ସବୁ ଆଧୁନିକ ମଣିଷର ଜିନ୍ ଭିତରେ ସମାନ ଭାବେ ରହିଆସିଛି । ଗତ ଶତାବ୍ଦୀ , ଗତ ଦଶକ , କିମ୍ବା ଗତବର୍ଷର ଘଟଣା । ଦୁର୍ଘଟଣା ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖାଇଦେଇଛି ଯେ ମଣିଷ ପ୍ରକୃତିର ଏକ କୋଣରେ କେଉଁଠି ନା କେଉଁଠି ଲୁଚି ରହିଛି ସେଇ କାନିବାଲ , ନରଖାଦକ ରୂପଟି , ଏବେ ବି । ସେ ରୂପ ହିଡ଼ିମ୍ବା ରାକ୍ଷସୀର ହୋଇପାରେ । ଆଜି ଉନ୍ ନିଶାର ହୋଇପାରେ । ଇଦି ଆମିନର ହୋଇପାରେ କିମ୍ବା ହୋଇପାରେ ଅଘୋରୀମାନଙ୍କର ।
ଲେଖା-ଦିପଙ୍କର
Keywords: Cannibalism, ନର ଖାଦକ, ନର ମାଂସ ଭକ୍ଷଣ କାରୀ
https://blog.odiabook.co.in/2025/04/are-human-eaters-exits.html