ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ

@_ustad
4 minute read
0
Odia pathshala

 ମାନକ ଓଡ଼ିଆ - Standard Odia

ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ ।

ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ ।

  1. ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର ଵସ୍ତର ରାୟପୁର ଆଦି ଵିଚ୍ଛିନାଞ୍ଚଳ)
  2. ଉତ୍କଳୀ((ଉତ୍ତର ଓ ମଧ୍ୟ ଓଡ଼ିଶା ତଥା ସିଂହଭୂମି, ହିରଣ୍ୟଭୂମି ଏବଂ ଷଡୈକଳା ଖରସୁଆଁ))
  3. କାଳିଙ୍ଗ୍ୟ((ମଧ୍ୟ କଳିଙ୍ଗ(ମୁଡ୍ଡୁ କଳିଙ୍ଗ(ତେ)-ସମସ୍ତ ଦକ୍ଷିଣ ଓଡ଼ିଶା ଏଵଂ ଦକ୍ଷିଣ ପଶ୍ଚିମ ଓଡ଼ିଶାଞ୍ଚଳ,ଦକ୍ଷିଣ କଳିଙ୍ଗ-ତେଲୁଗୁ ଅଞ୍ଚଳରେ ମିଶ୍ରିତ ଗୋଦାଵରୀର ପୂର୍ବାଞ୍ଚଳଠାରୁ ଓଡ଼ିଶା ସୀମାପର୍ଯ୍ୟନ୍ତ ପରିଵ୍ୟାପ୍ତ ଭୂଭାଗ))ର ମାନକୀକରଣରୁ ଵିକଶିତ ହୋଇଥିବା ଅନୁମାନ କରାଯାଏ ।

କଟକୀ ଓଡ଼ିଆ - Kataki Odia

କଟକୀ ଓଡ଼ିଆ ପ୍ରାୟତଃ ମୋଗଲଵନ୍ଦୀ ତଥା ତହିଁ ସହ ଯୁକ୍ତ କେତେକ ଗଡ଼ଜାତ ଅଞ୍ଚଳରେ ବୋଲାଯାଏ ଏବଂ ଏହାର ଅଞ୍ଚଳ ଭେଦରେ ଅନେକ ବୋଲୀ ଵା ଶୈଳୀ ମଧ୍ଯ ରହିଛି ।

ଖୋର୍ଦ୍ଧା, ପୁରୀ,କଟକ,ଯାଜପୁର,ଜଗତସିଂହପୁର, କେନ୍ଦ୍ରପଡା଼,ନୟାଗଡ଼ ଆଦି ବୋଲାଯାଉଥିବା ଓଡ଼ିଆ ହେଉଛି କଟକୀ ଓଡ଼ିଆ । ଅନୁଗୁଳ-ଢେଙ୍କାନାଳ ଶୈଳୀଟି ଉଭୟ କଟକୀ, ଦେଶିଆ ତଥା ସମ୍ଵଲପୁରୀ ଓଡ଼ିଆଦ୍ଵାରା ପ୍ରଭାଵିତ ହୋଇଥିଲେ ହେଁ କିଛି ଲୋକ ତାହାକୁ କଟକୀ ଓଡ଼ିଆରେ ଗଣନା କରିଥାନ୍ତି ।

ମେଦିନୀପୁରୀ ଓଡ଼ିଆ- MediniPuri Odia

ପଶ୍ଚିମବଙ୍ଗରେ ଥିବା ପ୍ରାଚୀନ କଳିଙ୍ଗର ଵିଚ୍ଛିନାଞ୍ଚଳ ମେଦିନୀପୁରର କଥିତ ଓଡ଼ିଆ ଶୈଳୀକୁ ମେଦିନୀପୁରୀ ଓଡ଼ିଆ କୁହାଯାଏ । ମେଦିନୀପୁରର ଓଡ଼ିଆମାନେ ବଙ୍ଗଳା ସଂସ୍କୃତି ଗ୍ରହଣ କଲେ ହେଁ ଆଜି ଵି ଓଡ଼ିଆ ଭାଷାରେ କଥାଭାଷା ହୁଅନ୍ତି ଏମନ୍ତ କି ପ୍ରାଞ୍ଜଳ ଓଡ଼ିଆ ମଧ୍ଯ କହିପାରନ୍ତି । କେହି କେହି ମେଦିନୀପୁରୀ ଓଡ଼ିଆକୁ ଉତ୍ତର ଓଡ଼ିଆ ଶୈଳୀର ଗୋଟାଏ ଭିନ୍ନ ରୂପ ବୋଲି ମତ ଦିଅନ୍ତି । ପ୍ରାଚୀନ ଉତ୍କଳୀ ଅପଭ୍ରଂଶରୁ ସମ୍ଭଵତଃ ଏହି ଶୈଳୀଟି ଵିକଶିତ ହୋଇଅଛି ।

ସିଂହଭୂମି ଓଡ଼ିଆ - Singhbhumi Odia

ଝାଡ଼ଖଣ୍ଡର ପୂର୍ଵ ଓ ପଶ୍ଚିମ ସିଂହଭୂମରେ ବୋଲାଯାଉଥିବା କଥିତ ଓଡ଼ିଆ ଭାଷାକୁ ସିଂହଭୂମି ଓଡ଼ିଆ ଶୈଳୀ କୁହାଯାଏ । କେହି କେହି ଏହି ଓଡ଼ିଆ ଶୈଳୀରେ ଷଡୈକଳା ଖରସୁଆଁର ଷଡ଼ଶୀ ଶୈଳୀକୁ ଗଣି ଏହି ଉଭୟ ଶୈଳୀକୁ ଗୋଟିଏ ବୋଲି ମତ ଦେଇଥାନ୍ତି । ଏହି ଶୈଳୀଟି ଉତ୍କଳ ତଥା ଉଡ୍ର ଉଭୟ ଅପଭ୍ରଂଶଦ୍ଵାରା ପ୍ରଭାଵିତ ହୋଇଥିବା ଅନୁମାନ କରାଯାଏ ।

ଉତ୍ତର ଓଡ଼ିଆ ଶୈଳୀ ଵା ବାଲେଶ୍ବରୀ ଶୈଳୀ - Northern Odia Style

ଉତ୍ତର ଓଡ଼ିଆ ଭାଷା ସାଧାରଣତଃ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଅଞ୍ଚଳରେ ବୋଲାଯାଇଥାଏ । ଅଞ୍ଚଳ ଭେଦରେ ଏହାର ଭିନ୍ନ ଭିନ୍ନ ସ୍ଥାନରେ ଵିଭିନ୍ନ ବୋଲୀମାନ ଚଳୁଅଛି ।

ଗଞ୍ଜାମୀ ଓଡ଼ିଆ - Ganjami Odia

ଏହି ଓଡ଼ିଆ ଶୈଳୀଟି ଓଡ଼ିଶାର ଗଞ୍ଜାମ ଓ ଗଜପତି ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲାରେ ବୋଲାଯାଏ । ବହୁତ ସମ୍ଭଵ ପ୍ରାଚୀନ କାଳିଙ୍ଗ୍ୟ ଅପଭ୍ରଂଶ ଏହାର ମୂଳ ହୋଇଥାଇପାରେ ।

ସମ୍ଵଲପୁରୀ ଓଡ଼ିଆ ଵା ପଶ୍ଚିମୀ ଓଡ଼ିଆ- Sambalpuri Odia

ଓଡ଼ିଆ ଭାଷାର ଏହି ଶୈଳୀଟି ଵିଶେଷତଃ ବରଗଡ଼, ବଲାଙ୍ଗୀର ପାଟଣା ଓ ସମ୍ଵଲପୁରରେ ତଥା ସାମାନ୍ୟ ଭିନ୍ନତା ସହ ବୌଦ, ଦେଵଗଡ଼, ଝାରସୁଗୁଡା, କଳାହାଣ୍ଡି, ନୂଆପଡ଼ା, ସୁଵର୍ଣ୍ଣପୁର(ସୋନପୁର) ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଳିତ । ସମ୍ଵଲପୁରୀଠାରୁ ସାମାନ୍ୟ ଭିନ୍ନ “ଛତିଶଗଡୀ଼ ଓଡ଼ିଆ” ପ୍ରଭାଵିତ ଏକ ଶୈଳୀର ଏକପ୍ରକାରର “ପଶ୍ଚିମୀ ଓଡ଼ିଆ ବୋଲୀ” ଛତିଶଗଡ଼ର ରାୟଗଡ଼, ମହାସମୁନ୍ଦ ଏଵଂ ରାୟପୁର ଜିଲ୍ଲାରେ ମଧ୍ଯ ବୋଲାଯାଇଥାଏ । ସମ୍ଵଲପୁରୀଟି ଉଡ୍ର ଅପଭ୍ରଂଶ ଓ କାଳିଙ୍ଗ୍ୟ ଅପଭ୍ରଂଶର ଏକ ମିଶ୍ରିତ ରୂପ ତଥା ଏହା କୋଟିଆ-ଦେଶିଆ ଓଡ଼ିଆଦ୍ଵାରା ପ୍ରଭାଵିତ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି । ଆଗେ ପଶ୍ଚିମ ଓଡିଶା ଵିଶେଷତଃ ମହାନଦୀ କୂଳସ୍ଥ ଅଞ୍ଚଳକୁ ଉଡ୍ରଦେଶ କୁହାଯାଉଥିଵାର ଐତିହାସିକ ପ୍ରମାଣ ମିଳେ । ସପ୍ତମ ଶତାବ୍ଦୀରେ ଏଠାରେ ଉଡ୍ଡିୟାନ୍ ସଭ୍ୟତାର ଵିକାଶ ହୋଇଥିଲା, ଫଳରେ କଳିଙ୍ଗ ଦେଶର କାହ୍ନୁପା, ଲୁଇପା ଆଦି ଅନେକାନେକ ବୌଦ୍ଧଧର୍ମୀ ସନ୍ଥକଵି ଚର୍ଯ୍ୟାଗୀତିମାନ ଉଡ୍ର ଵିଭାଷାରେ ଲେଖିଥିଲେ । ସେତେବେଳେ ଉକ୍ତ ପଦ୍ୟଗୁଡି଼କର ପ୍ରଭାଵ ସମସ୍ତ ଓଡ଼ିଶାରେ ପଡି଼ଥିଲା ଏବଂ ତ୍ରୀକଳିଙ୍ଗରେ ଭାଷାଗତ ମାନକୀକରଣ ଆରମ୍ଭ ହୋଇଯାଇଥିଲା ।

ଦେଶିଆ ଓଡ଼ିଆ  ଵା କୋଟିଆ ଓଡ଼ିଆ - Deshia Odia

ଦେଶିଆ ଓଡ଼ିଆ କାଳିଙ୍ଗ୍ୟ ଅପଭ୍ରଂଶର ଆଧୁନିକ ରୂପ ଏବଂ ଏହା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଆଦି ଦକ୍ଷିଣ ପଶ୍ଚିମ ଓଡ଼ିଶା ତଥା ଵିଶାଖାପଟନମ୍ ଓ ଵିଜୟନଗରମ୍ ଵିଚ୍ଛିନାଞ୍ଚଳରେ ବୋଲାଯାଏ ।

For Latest Quiz, Gk Join Our Telegram Channel @Gk_Odia Click here

ଦେଶିଆ ଭାଷାଶୈଳୀରେ ଓଡ଼ିଆ ଭାଷାର ଅନେକ ପ୍ରାଚୀନ ଶବ୍ଦ ଆଜି ଵି ଚଳୁଅଛି ଯେଉଁ ଶବ୍ଦମାନ ଓଡ଼ିଆ ମାନକ ଭାଷାର ସଂସ୍କୃତନିଷ୍ଠ ଓ ଆରଵୀ ପାର୍ସୀ ଅନୁକୃତ ଶବ୍ଦାଵଳୀ ଯୋଗୁଁ ହଜିବାକୁ ବସିଛି ।

ଭତରୀ ଵା ଭତ୍ରୀ ଶୈଳୀ - Bhatree Style

ଭତ୍ରୀ-Bhatree: ଵସ୍ତର ଆଦି ଵିଚ୍ଛିନାଞ୍ଚଳ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଚଳୁଥିବା ଏକ ଵିଶିଷ୍ଟ ଶୈଳୀ ।

ହଲବୀ - Halbee

ଅଵିଭକ୍ତ ଵସ୍ତର ଜିଲ୍ଲା, ଛତିଶଗଡ଼ରେ ବୋଲାଯାଉଥିବା ଓଡ଼ିଆ ଭାଷାର ଏକ ଉପଭାଷା ହେଉଛି ହଲଵୀ । ଏ ଭାଷା ଅନେକାଂଶରେ ମରାଠୀ ଓ ଆଷ୍ଟ୍ରୋଏସିଆଟିକ୍ ଭାଷା ଦ୍ଵାରା ପ୍ରଭାବିତ ହୋଇଅଛି ।

*.ଫୁଲଵାଣୀ ଓଡ଼ିଆ-Phulbani Odia: ଫୁଲଵାଣୀ,ଫୁଲଵାଣୀ ନଗର,କନ୍ଧମାଳର ଖଜୁରୀପଡା଼ ବ୍ଲକ ଏଵଂ ବୌଦ୍ଧକୁ ଲାଗିଥିବା ସୀମାନ୍ତ ଅଞ୍ଚଳରେ ବୋଲାଯାଏ । ଅଵିଭକ୍ତ ଫୁଲଵାଣୀ ଜିଲ୍ଲା ଵିଭାଜିତ ହୋଇ କନ୍ଧମାଳ ଓ ବୌଦ୍ଧ ହେଲାପରେ ମଧ୍ଯ ଏ ଉଭୟ ଉପଖଣ୍ଡରେ ଫୁଲଵାଣୀ ଶୈଳୀର ଲୋକପ୍ରିୟତା ଓ ଵ୍ୟଵହାର କମ୍ ହୋଇଯାଇନାହିଁ ।

ଆଦିବାସୀ ଭାଷାଗୁଡିକ ଦ୍ଵାରା ପ୍ରଭାଵିତ ଓଡ଼ିଆ ଶୈଳୀ

ସୁନ୍ଦରଗଡୀ଼ ଓଡ଼ିଆ - Sundergadi Odia

ସୁନ୍ଦରଗଡୀ଼ ଓଡ଼ିଆ ସୁନ୍ଦରଗଡ଼ ଜିଲ୍ଲା ତଥା ତହିଁକୁ ଲାଗିକିରି ଥିବା ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବୋଲାଯାଏ ।

*.କଳାହାଣ୍ଡି ଓଡ଼ିଆ - Kalahandi Odia

କଳାହାଣ୍ଡି ଓଡ଼ିଆ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ତଥା ଏହା ସହ ଲାଗିକି ଥିବା ଛତିଶଗଡୀ଼ ଅଞ୍ଚଳରେ ବୋଲାଯାଏ ।

କୁର୍ମି ଓଡ଼ିଆ- Kurmi Odia

କୁର୍ମି ଓଡ଼ିଆ ଉତ୍ତର ଓଡ଼ିଶା ତଥା ଦକ୍ଷିଣ ପଶ୍ଚିମ ଵଙ୍ଗରେ ପ୍ରଚଳିତ ।

ସାଉଁତି ଓଡ଼ିଆ- Saunti Odia

କୁର୍ମି ଓଡ଼ିଆ ପରି ସାଉଁତି ଓଡ଼ିଆ ମଧ୍ଯ ଉତ୍ତରଓଡ଼ିଶା ତଥା ଦକ୍ଷିଣ-ପଶ୍ଚିମଵଙ୍ଗରେ ବୋଲାଯାଇଥାଏ ।

ବାଥୁଡି଼ ଓଡ଼ିଆ: Bathudi Odia

ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗରେ ବୋଲାଯାଏ  ।

କନ୍ଧ ଓଡ଼ିଆ -Kondh Odia

ପଶ୍ଚିମ ଓଡ଼ିଶାରେ କନ୍ଧଭାଷୀଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ କନ୍ଧ ଓଡ଼ିଆ କୁହାଯାଏ ।

ଲରିଆ - Laria

ଲରିଆ ଛତିଶଗଡ଼ ତଥା ପଶ୍ଚିମ ଓଡିଶାରେ ବୋଲାଯାଉଥିବା ଏକ ଓଡ଼ିଆ ଉପଭାଷା ।

ଅଘରିଆ - Agharia

ପଶ୍ଚିମ ଓଡ଼ିଶାର ଅଘରିଆ ଜାତିର ଲୋକଙ୍କଦ୍ଵାରା ବୋଲାଯାଉଥିବା ଓଡ଼ିଆ ଭାଷାକୁ ଅଘରିଆ ଓଡ଼ିଆ କୁହାଯାଏ ।

ଭୁଲିଆ - Bhulia

ପଶ୍ଚିମ ଓଡ଼ିଶାର ଏକ ଆଦିବାସୀ ଶବ୍ଦ ମିଶ୍ରିତ ଓଡ଼ିଆ ଭାଷା ହେଉଛି ଭୁଲିଆ ।

ସାଦ୍ରୀ - Sadree

ଓଡ଼ିଆ, ହିନ୍ଦୀ ଓ ଆଦିବାସୀ ଭାଷା ମିଶ୍ରିତ ଏକ ଭାଷା ହେଉଛି ସାଦ୍ରୀ । ସାଦ୍ରୀ ଭାଷାକୁ ଆଜିକାଲି ଅଧିକାଂଶରେ ନାଗରୀ ଲିପିରେ ଲେଖାଯାଉଥିଲେ ହେଁ ଏହାର ମୂଳ ଯେ ଓଡ଼ିଆ ଏକଥାକୁ ଭୂଲ କୁହାନଯାଇପାରେ ।

ବୋଡୋ଼ ପରଜା:ଝରିଆ - Bodo Paraja: Jharia

ବୋଡୋ଼ ପରଜା-ଝରିଆ ଜାତିର ଲୋକଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ ବୋଡୋ଼ ପରଜା ଵା ଝରିଆ ଓଡ଼ିଆ ଭାଷା କୁହାଯାଏ । ଏମାନେ ଵିଶେଷତଃ କୋରାପୁଟ ଜିଲ୍ଲାରେ ଦେଖାଯାନ୍ତି ।

ମାଟିଆ - Matia

ପଶ୍ଚିମ ଓଡିଶାର ମାଟିଆ ଜାତିର ଲୋକଙ୍କ କଥିତ ଓଡ଼ିଆ ଭାଷାକୁ ମାଟିଆ ଓଡ଼ିଆ କୁହାଯାଏ ।

ଭୂଇଁଆ ଓଡ଼ିଆ- Bhuyan Odia

ଦକ୍ଷିଣ ଓଡ଼ିଶାର ଭୂୟାଁ ଜାତିର ଲୋକଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ ଭୂଇଁଆ ଓଡ଼ିଆ କୁହାଯାଏ ।

ରେଲୀ- Relee

ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କେତେକ ଅଞ୍ଚଳରେ ଏହି ଭାଷା ଚଳୁଅଛି ।

କୁପିଆ- Kupia

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବାଲ୍ମୀକି ଜାତିର ଲୋକଙ୍କଦ୍ଵାରା ଵ୍ୟଵହୃତ କଥିତ ଓଡ଼ିଆ ଭାଷାକୁ କୁପିଆ କୁହାଯାଏ । ଏହି ଓଡ଼ିଆ ବାଲ୍ମୀକି ଜାତି ଵିଶେଷତଃ ହାଇଦ୍ରାଵାଦ, ମେହବୁବନଗର, ଶ୍ରୀକାକୁଲମ, ଵିଜୟନଗରମ୍, ପୂର୍ଵ ଗୋଦାଵରୀ ଓ ଵିଶାଖାପାଟଣା ଜିଲ୍ଲାରେ ଦେଖାଯାଅନ୍ତି ।

ଲେଖକ - ଶିଶିର ସାହୁ (ମନୋଜ)

Website: https://kantiokatha.blogspot.com

Tag - odia upabhasa, odia bhasha ki lipi, odia upabhasa shaili, odia upabhasa o sahitya, odia upabhasa re, odia upabhasa ra utpati, odia upabhasa ra utpati pdf, odia upabhasa shastriya manyata, odia upabhasa andolan, odia bhasa ra gathana

http://www.kosal.in/2023/06/Odia-bhasa-tahara-upabhasa-boli-o-shaili.html

Post a Comment

0Comments

Post a Comment (0)